ପ୍ରକାଶ ଥାଉ କି ୧୯୨୩ ମସିହାରେ ୱାଲ୍‌ଟ ଡିସନିଙ୍କ ଦ୍ବାରା ସୃଷ୍ଟ ଏହି ମନମୋହକ ଚପଳ ମୂଷିକ, ତା’ର ସୃଷ୍ଟିର ଶହେ ବର୍ଷ ପରେ ଆଜି ଠାରୁ ହିଁ ‘କପିରାଇଟ୍‌’ ବନ୍ଧନରୁ ମୁକ୍ତ ହୋଇଛି। ସୁତରାଂ, ତାହା ଡିସନିଙ୍କ କୋଳରୁ ବାହାରି ସମଗ୍ର ପୃଥିବୀର ଆଲିଙ୍ଗନାବଦ୍ଧ ହେବ। ଏଣିକି ‘ମିକି ମାଉସ୍’ ଅସଂଖ୍ୟ ଚଳଚ୍ଚିତ୍ର, ବିଜ୍ଞାପନ, ଲୋଗୋ, ଚିତ୍ର କାହଣୀର ଅଂଶ ହେବ ଏବଂ ଅସଂଖ୍ୟ ସୃଜନଶୀଳ କଳାକାରଙ୍କ କଳ୍ପନା ତାକୁ ନୂଆ ନୂଆ ରୂପରେ ଆବିର୍ଭୂତ କରାଇବ। ସୁତରାଂ, ୨୦୨୪ ମସିହାରେ ଘଟଣାର ତୁମୂଳ ଘନଘଟା ମଧ୍ୟରେ ହସ ଫୁଟିବାର ସୁଯୋଗଟିଏ ମଧ୍ୟ ରହିବ!

Advertisment

‘୨୦୨୪ ମସିହା ଜାନୁଆରି ମାସ ୧ ତାରିଖର ସୂର୍ଯ୍ୟୋଦୟ ସହିତ ପୃଥିବୀ ବଦଳିଯିବ କି?’
ନିରବଚ୍ଛିନ୍ନ ଇସ୍ରାଏଲୀ ଆକ୍ରମଣରେ ବିଧ୍ବସ୍ତ ଗାଜା ପଟିରେ କୌଣସିମତେ ପ୍ରାଣ ବଞ୍ଚାଇ ପାରିଥିବା ଜଣେ ଅସହାୟ ବୃଦ୍ଧଙ୍କ ଏହି ପ୍ରଶ୍ନର ଉତ୍ତର ପର କ୍ଷଣରେ ସେ ନିଜେ ଏକ ସ୍ବଗତୋକ୍ତି ସୁଲଭ ଅନୁଚ୍ଚାରିତ କଣ୍ଠରେ ଦେଇଥିଲେ- ‘ତାହା କିଭଳି ସମ୍ଭବ? ୨୦୨୪ ତ ୨୦୨୩ରୁ ଗଜୁରି ଉଠିବ!’
ଆରବୀ ଭାଷାର ଏହି ତିନି ଧାଡ଼ି ସଂପ୍ରତି ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ଏବଂ ସହସ୍ର ହୃଦୟ ସ୍ପର୍ଶ କରୁଛି। ଏବଂ ଏହା ସହିତ ନୂତନ ବର୍ଷ ପଦାର୍ପଣ କରିଥିବା କାରଣରୁ ସୃଷ୍ଟ ବନ୍ଧନମୁକ୍ତ ଉଲ୍ଲାସରେ ଭଟ୍ଟା ପକାଇ ସ୍ଥିର ଚିତ୍ତ ଏବଂ ମନନଶୀଳ ଦୃଷ୍ଟିରେ ପୃଥିବୀକୁ ଦେଖିବାକୁ ବାଧ୍ୟ କରିଛି! ସୁତରାଂ, ଏହି ସ୍ତମ୍ଭରେ ଏହି ଦୃଷ୍ଟିକୋଣରୁ ୨୦୨୪ ମସିହାକୁ ଅବଲୋକନ କରି କିଛି ପୂର୍ବାନୁମାନ କରିବାର ଏକ ପ୍ରଚେଷ୍ଟା କରାଯାଇପାରେ।
୨୦୨୩ ମସିହାର ଅବସାନ ଘଟୁ ଘଟୁ ରୁଷିଆ ପକ୍ଷରୁ ସଂଘଟିତ ଭୟାବହ କ୍ଷେପଣାସ୍ତ୍ର ଆକ୍ରମଣରେ ୟୁକ୍ରେନ ଅଧିକ ଚୂର୍ଣ୍ଣୀଭୂତ ହେବା ସହିତ ୮୦ ଜଣ ନାଗରିକଙ୍କ ପ୍ରାଣହାନି ଘଟିଛି; ଯାହା ରୁଷିଆ ପକ୍ଷରୁ ଏ ଯାବତ୍‌ ହୋଇଥିବା ଆକାଶମାର୍ଗୀ ଆକ୍ରମଣ ଭିତରୁ ସର୍ବାଧିକ ଘାତକ ବୋଲି କୁହାଯାଇଥାଏ। ଇତିମଧ୍ୟରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଲକ୍ଷ୍ୟ ଏ ଯାବତ୍‌ ଅପୂର୍ଣ୍ଣ ରହିଛି; ଯାହାର ଅର୍ଥ ନିକଟରେ ହମାସ ସହିତ ଯୁଦ୍ଧ ବିରତିର ବିଶେଷ ସମ୍ଭାବନା ନାହିଁ। ଅପର ପକ୍ଷରେ ଏହି ସଂଘର୍ଷ ‌‌ହେତୁ ସଂପ୍ରତି ୟେମେନର ହୁଥି ସଂଗଠନ ଯୁଦ୍ଧଭୂମିରେ ଉପସ୍ଥାନ ପକାଇ ଏହାର ପରିସରକୁ ସଂପ୍ରସାରିତ କରିଛି। କେବଳ ସେତିକି ନୁହେଁ, ୨୦୨୩ ମସିହାରେ ଏସିଆ, ଆଫ୍ରିକା ଏବଂ ଲାଟିନ ଆମେରିକାର ଅନେକ ଦେଶ ଛୋଟବଡ଼ ସଂଘର୍ଷ, ପଡ଼ୋଶୀ ଦ୍ବାରା ସୀମା ଅତିକ୍ରମଣର ଧମକ ଏବଂ ଶତ୍ରୁ ରାଷ୍ଟ୍ର ଦ୍ବାରା ଅଧିକୃତ ହେବାର ଆଶଙ୍କା ଦେଇ ଗତି କରିଛନ୍ତି, ଯାହା ୨୦୨୪ ମସିହାରେ ମଧ୍ୟ ବଳବତ୍ତର ରହିପାରେ; ଯେମିତି ଏହି କାରଣରୁ ଏକ ନୂତନ ଯୁଦ୍ଧର ଦ୍ବାରଦେଶରେ ଛିଡ଼ା ଭେନେଜୁଏଲା ଏବଂ ବ୍ରିଟିସ ଗାଏନା ଏହି ସଂଦର୍ଭରେ ନୂତନ ପୃଷ୍ଠା ଯୋଡ଼ିବାକୁ ଉଦ୍‌ଗ୍ରୀବ। ସୁତରାଂ, ୨୦୨୪ ମସିହାରେ ଯୁଦ୍ଧ ଜର୍ଜର ପୃଥିବୀର ଆକାଶରେ ଶ୍ବେତ କପୋତ ଉଡ଼ି ବୁଲିବାର ଆଶା କ୍ଷୀଣ।
ଏହା ସତ୍ତ୍ବେ ୨୦୨୪ ମସିହାରେ ପୃଥିବୀର ପ୍ରାୟ ଅର୍ଦ୍ଧେକ ଅଞ୍ଚଳ ନିର୍ବାଚନମାନ ଦେଖିବେ; ଅର୍ଥାତ୍‌ ଗଣତନ୍ତ୍ରର ପରାକାଷ୍ଠା ପ୍ରଦର୍ଶିତ ହେବ। ଏହି ନିର୍ବାଚନ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହେବେ ପୃଥିବୀର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବୃହତ୍ତମ ଗଣତନ୍ତ୍ର ଭାରତବର୍ଷ। ଏହା ଛଡ଼ା ଯେଉଁ ଦେଶଗୁଡ଼ିକ ନିର୍ବାଚନ ମାଧ୍ୟମରେ ନେତୃତ୍ବ ଚୟନ କରିବେ, ସେଗୁଡ଼ିକ ହେଲେ ଏସିଆରୁ ଭାରତ ଛଡ଼ା ପାକିସ୍ତାନ, ବାଂଲାଦେଶ, ଇଣ୍ଡୋନେସିଆ, ଇରାନ, ଦକ୍ଷିଣକୋରିଆ, କମ୍ବୋଡ଼ିଆ ଓ ଶ୍ରୀଲଙ୍କା ସମେତ ୧୦ଟି ଦେଶ; ଆଫ୍ରିକା ମହାଦେଶରୁ ଦକ୍ଷିଣ ଆଫ୍ରିକା, ଘାନା, ଆଲଜେରିଆ, ମୋଜାମ୍ବିକ, ମରିସସ, ରୁଆଣ୍ଡା, ସୋମାଲିଆ ଓ ସୁଦାନ ଭଳି ୧୭ଟି ଦେଶ; ଆମେରିକା ମହା‌ଦେଶରୁ ଯୁକ୍ତରାଷ୍ଟ୍ର ଆମେରିକା ବ୍ୟତୀତ ମେକ୍‌ସିକୋ, ଭେନେଜୁଆଲା, ପାନାମା ଓ ଉରୁଗୁଏ ସମେତ ୬ଟି ଦେଶ; ୟୁରୋପ ଭୂଖଣ୍ଡରୁ ଇଂଲାଣ୍ଡ, ପର୍ତ୍ତୁଗାଲ, ସ୍ପେନ, ରୁଷିଆ, ଜର୍ଜିଆ, ଆଇସଲାଣ୍ଡ, ଅଷ୍ଟ୍ରିଆ, ବୋସନିଆ ଏବଂ କ୍ରୋଏସିଆ ସମେତ ୨୨ଟି ଦେଶ। ଏହି ବର୍ଷ ୟୁକ୍ରେନ ମଧ୍ୟ ନିର୍ବାଚନ ଦେଖିଥାଆନ୍ତା, ଯଦି ରୁଷୀୟ ଆକ୍ରମଣରେ ତାହା ବିଧ୍ବସ୍ତ ହୋଇ ନ ଥାଆନ୍ତା ବା ସେଠାରେ ଯୁଦ୍ଧକାଳୀନ ‘ଇମର୍ଜେନ୍‌ସି’ ପରିସ୍ଥିତି ସୃଷ୍ଟି ହୋଇ ନ ଥାଆନ୍ତା! ସୁତରାଂ, ୨୦୨୪ ମସିହାରେ ଅନେକତ୍ର ନେତୃତ୍ବରେ ପରିବର୍ତ୍ତନ ଘଟିପାରେ ଏବଂ ସେହି କାରଣରୁ ଅନ୍ତର୍ଜାତୀୟ ସଂପର୍କର ସମୀକରଣ ମଧ୍ୟ ବଦଳିପାରେ।
ଗଲା ଦେଢ଼ ଦଶନ୍ଧି ଧରି ଡିଜିଟାଲ କ୍ଷେତ୍ରରେ ଘଟି ଚାଲିଥିବା ବୈଦ୍ୟୁତିକ ବିକାଶ ଏବେ ‘କୃତ୍ରିମ ବୁଦ୍ଧିମତ୍ତା’ (ଆର୍ଟିଫିସିଆଲ ଇନ୍‌ଟେଲିଜେନ୍‌ସ ବା ଏ.ଆଇ.) ଭଳି ଏକ ମନୋହାରୀ ଦାନବର ସୃଷ୍ଟି କରିଛି; ଯାହାର ଉପଦ୍ରବ ମଣିଷ ଜୀବନକୁ ଯେ ଭବିଷ୍ୟତ୍‌ରେ ଦୁର୍ବିଷହ କରିଦେଇପାରେ, ଏ ନେଇ ବିଶେଷଜ୍ଞମାନେ ପ୍ରାୟ ଏକମତ। ତେବେ ‘ଏ.ଆଇ.’ ଦ୍ବାରା କାର୍ଯ୍ୟ କ୍ଷେତ୍ରରୁ ମାନବ ସମ୍ବଳର ଅପସାରଣ ଏହି ଉପଦ୍ରବର ପ୍ରାଥମିକ ଲକ୍ଷଣ ଭାବେ ପରିଦୃଷ୍ଟ ହେଲାଣି, ଯାହାର ଦୃଷ୍ଟାନ୍ତ ହେଉଛି ଅତିକାୟ ଟେକ୍‌ କଂପାନି ‘ଗୁଗଲ’, ଯାହା ୨୦୨୪‌େର ୩୦ ହଜାର କର୍ମଚାରୀଙ୍କୁ କାର୍ଯ୍ୟାନ୍ତର କରିବାକୁ ପ୍ରସ୍ତୁତ। କହିବା ବାହୁଲ୍ୟ ‌େଯ ‘ଗୁଗଲ’ ପୂର୍ବ ଭଳି ତା’ର ବ୍ୟବସାୟରୁ ବିପୁଳ ଲାଭ ଅର୍ଜନ କରି ଚାଲିଛି, କେବଳ ପ୍ରଭେଦ ଏତିକି ଯେ ‘କୃତ୍ରିମ ବୁଦ୍ଧିମତ୍ତା’ ହେତୁ ସେହି କଂପାନିର କେତେକ ବିଭାଗରେ ‘ମାନବ ବୁଦ୍ଧିମତ୍ତା’ ପ୍ରାସଙ୍ଗିକତା ହରାଇ ବସିଛି। ଏହି ଛଟେଇ ସହିତ ଗୁଗଲ ତା’ର ମାନବ ସମ୍ବଳରେ ପ୍ରାୟ ୧୭% ସଂକୋଚନ ଘଟାଇଛି। କହିବା ଅନାବଶ୍ୟକ ଯେ ଅଚାନକ କାର୍ଯ୍ୟରୁ ଅନ୍ତର ହେବା ଭଳି ଦାରୁଣ ଭାବେ ଅପ୍ରୀତିକର ଦୃଶ୍ୟମାନ ୨୦୨୪ ମସିହାରେ ବାରମ୍ବାର ଦେଖିବାକୁ ମିଳିବ। କେବଳ ସେତିକି ନୁହେଁ, ‘ଏ.ଆଇ.’ର ବ୍ୟବହାର କରି ସାଧାରଣ ବ୍ୟକ୍ତି ଗୋଟିଏ ପଟେ ‘ଚାଟ ଜିପିଟିି’ର ସୁବିଧା ଲାଭ କରି ପାରୁଥିବା ବେଳେ ‘ଡିପ୍‌ ଫେକ୍‌’ ବା ‘ଗଭୀର ମିଥ୍ୟାଚାର’ର ଆବିର୍ଭାବ ତୀବ୍ର ବିଶ୍ବାସହାନିର ପରିବେଶ ସୃଷ୍ଟି କରି ଜନଜୀବନକୁ ଅତିଷ୍ଠ କରି ପକାଇପାରେ।
୨୦୨୪ ମସିହାରେ ଇଣ୍ଡୋନେସିଆ ତା’ର ରାଜଧାନୀକୁ ଜାକର୍ତ୍ତାରୁ ସ୍ଥାନାନ୍ତର କରି ନୁସନ୍ତାରାକୁ ଘେନିଯିବ। ଯଦିଓ ୧୯୪୫ ମସିହାରେ ଇଣ୍ଡୋନେସିଆର ସ୍ବାଧୀନତା ବେଳେ ନୁସାନ୍ତରା ତାହାର ରାଜଧାନୀ ହେବ ବୋଲି ପ୍ରତିଶ୍ରୁତି ରହିଥିଲା, ତେବେ ଏହି ନିଷ୍ପତ୍ତି ସମୟ ଠାରୁ ପୂର୍ବରୁ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ମତ ପ୍ରକାଶ ପାଇଥାଏ। କାରଣ ନୂତନ ରାଜଧାନୀ ସହର ନୁସାନ୍ତରା ଏବେ ଆଂଶିକ ନିର୍ମିତ, ଯାହା ୨୦୪୫ ମସିହାରେ ଯାଇ ପୂର୍ଣ୍ଣାଙ୍ଗ ହେବ। କିନ୍ତୁ ୨୦୨୪, ଅଗଷ୍ଟ ମାସ ପର ଠାରୁ ଏକ କୋଟି ଜନସଂଖ୍ୟା ବିଶିଷ୍ଟ ଜାକର୍ତ୍ତା କ୍ରମେ ଏକ ପରିତ୍ୟକ୍ତ ମହାନଗରରେ ପରିଣତ ହେବାର ଧାରା ଆରମ୍ଭ ହୋଇଯିବ! ଏହା ଏକ ବାସ୍ତବତା ଯେ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ବ ଉତ୍ତପ୍ତୀକରଣ ହେତୁ ସମୁଦ୍ର ପତ୍ତନରେ ବୃଦ୍ଧି ଜାକର୍ତ୍ତାର ଅନେକ ଅଂଶକୁ ସ୍ଥାୟୀ ଭାବେ ଜଳମଗ୍ନ କରି ସାରିଲାଣି। କେବଳ ସେତିକି ନୁହେଁ, ଏହି ସହରକୁ ଘେରି ରହିଥିବା ୧୩ଟି ନଦୀରେ ବାରମ୍ବାର ଭୟାବହ ବନ୍ୟାମାନ ସଂଘଟିତ ହୋଇ ଏହି ସହରକୁ ସତେ ଯେମିତି ଉଦରସ୍ଥ କରିବାକୁ ଉଦ୍ୟତ! ତେଣୁ, ଖୁବ୍‌ ସମ୍ଭବ ଯେ ଏହି କାରଣରୁ ରାଜଧାନୀ ସ୍ଥାନାନ୍ତରଣ ନେଇ ଏଭଳି ତତ୍ପରତା! ସୁତରାଂ, ଏକ ବିଡ଼ମ୍ବନା ସ୍ବରୂପ ପରିବେଶଗତ କାରଣରୁ ଉତ୍ପନ୍ନ ବିପଦ ପରିପ୍ରେକ୍ଷୀରେ ଏକ ବୃହତ୍‌ ନଗରର ଅପମୃତ୍ୟୁର ଆରମ୍ଭ ଏହି ବର୍ଷ ହିଁ ଦେଖିବାକୁ ମିଳିବ।
ତେବେ, ଏ ସବୁ ମଧ୍ୟରେ ଯାହା ସମସ୍ତଙ୍କ ମୁହଁରେ ହସର ଛଟା ମଧ୍ୟ ସୃଷ୍ଟି କରିପାରେ; ତାହା ହେଲା ଆମ ଜୀବନରେ ‘ମିକି ମାଉସ୍‌’ର ନିରଙ୍କୁଶ ପ୍ରବେଶ। ପ୍ରକାଶ ଥାଉ କି ୧୯୨୩ ମସିହାରେ ୱାଲ୍‌ଟ ଡିସନିଙ୍କ ଦ୍ବାରା ସୃଷ୍ଟ ଏହି ମନମୋହକ ଚପଳ ମୂଷିକ, ତା’ର ସୃଷ୍ଟିର ଶହେ ବର୍ଷ ପରେ ଆଜି ଠାରୁ ହିଁ ‘କପିରାଇଟ୍‌’ ବନ୍ଧନରୁ ମୁକ୍ତ ହୋଇଛି। ସୁତରାଂ, ତାହା ଡିସନିଙ୍କ କୋଳରୁ ବାହାରି ସମଗ୍ର ପୃଥିବୀର ଆଲିଙ୍ଗନାବଦ୍ଧ ହେବ। ଏଣିକି ‘ମିକି ମାଉସ୍’ ଅସଂଖ୍ୟ ଚଳଚ୍ଚିତ୍ର, ବିଜ୍ଞାପନ, ଲୋଗୋ, ଚିତ୍ର କାହଣୀର ଅଂଶ ହେବ ଏବଂ ଅସଂଖ୍ୟ ସୃଜନଶୀଳ କଳାକାରଙ୍କ କଳ୍ପନା ତାକୁ ନୂଆ ନୂଆ ରୂପରେ ଆବିର୍ଭୂତ କରାଇବ। ସୁତରାଂ, ୨୦୨୪ ମସିହାରେ ଘଟଣାର ତୁମୂଳ ଘନଘଟା ମଧ୍ୟରେ ହସ ଫୁଟିବାର ସୁଯୋଗଟିଏ ମଧ୍ୟ ରହିବ!