କିନ୍ତୁ, କେବଳ ମୋଦୀ ନୁହନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୬ ମସିହାରେ ଏଭଳି ଏକ ନିଷ୍ପତ୍ତି ନେଇଥିଲେ, ଯାହା ଫଳରେ କେ. କାମରାଜଙ୍କୁ ମରଣୋତ୍ତର ଭାବେ ‘ଭାରତରତ୍ନ’ ଦ୍ବାରା ଭୂଷିତ କରାଯାଇଥିଲା। ସ୍ମରଣ କରାଯାଇପାରେ କି ବୟୋବୃଦ୍ଧ ନେତା କାମରାଜ ଏବଂ ନବାଗତା ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ରହିଥିବା ଘନିଷ୍ଠ ସଦ୍‌ଭାବ କ୍ରମେ ଏଭଳି ତିକ୍ତ ହୋଇ ଉଠିଥିଲା ଯେ ଏହି ଦୁଇ ନେତାଙ୍କ ନେତୃତ୍ବରେ କଂଗ୍ରେସର ବିଭାଜନ ଘଟିଥିଲା।

Advertisment

ଚଳିତ ବର୍ଷ ଆମ ଦେଶ ସମ୍ମୁଖୀନ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାୟ ସମସ୍ତ ସରକାରୀ ନିଷ୍ପତ୍ତି ଏବଂ କାର୍ଯ୍ୟମାନରେ ରାଜନୈତିକ ଅଭୀଷ୍ଟ ସାଧନର ଅଭିସନ୍ଧି ନିହିତ ବୋଲି ସନ୍ଦେହ ପ୍ରକାଶ ପାଉଥିବା ବେଳେ ରାଷ୍ଟ୍ରର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ ସକାଶେ ନାମ ଦ୍ବୟର ଘୋଷଣା ତହିଁରୁ ବାଦ୍‌ ପଡ଼ନ୍ତା ବା କିପରି? ସୁତରାଂ, ଆରୋପ କରାଯାଇଥାଏ ଯେ ମରଣୋତ୍ତର ଭାବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କର୍ପୂରୀ ଠାକୁରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ପଛରେ ଯେଉଁ ଦୁରାଗ୍ରହ ନିହିତ, ତାହା ହେଲା ବିରୋଧୀ ‘ଇନ୍‌ଡି’ ଗଠବନ୍ଧନକୁ ଦୁର୍ବଳ କରିବା; କାରଣ, ‘ଅତି ପଛୁଆ ଜାତି’ ବା ‘ଇ.ବି.ସି.’ର ପ୍ରଥମ ଓ ବଳିଷ୍ଠ ସମର୍ଥକମାନଙ୍କ ମଧ୍ୟରୁ ଅନ୍ୟତମ କର୍ପୂରୀ ଠାକୁରଙ୍କୁ ‘ଭାରତରତ୍ନ’ରେ ଭୂଷିତ କରିବା ହେଉଛି ବିଜେପିର ଏକ ସୂକ୍ଷ୍ମ ରଣକୌଶଳ ଯାହା ଅଗତ୍ୟା ଜେଡି-ୟୁ ମୁଖ୍ୟ ତଥା ସାଂପ୍ରତିକ କାଳରେ ‘ଇ.ବି.ସି.’ର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପୃଷ୍ଠପୋଷକ ନୀତୀଶ କୁମାରଙ୍କୁ ‘ଇନ୍‌ଡି’ ଗଠବନ୍ଧନରୁ ଓହରି ଆସିବାକୁ ବାଧ୍ୟ କରିଛି, ଯେଉଁ ମେଣ୍ଟର ଭିତ୍ତି ସ୍ଥାପନ ସେ ସ୍ବୟଂ କରିଥିଲେ। ସେହିଭଳି ଏହି ସମ୍ମାନ ସକାଶେ ବିଜେପିର ବରିଷ୍ଠତମ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀଙ୍କ ଚୟନରେ ମଧ୍ୟ ଅନେକତ୍ର ରାଜନୈତିକ ଲାଭ ପାଇବାର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ନେଇ ସନ୍ଦେହ ପ୍ରକାଶ ପାଇଥାଏ; କାରଣ, ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପରିକଳ୍ପନା ସାକାର ହେବା ଏବଂ ଏକ ଅଦମନୀୟ ରାଜନୈତିକ ଶକ୍ତି ଭାବେ ବିଜେପିର ଅଭ୍ୟୁଦୟରେ ଏକକ ମୌଳିକ ଭୂମିକା ନିର୍ବାହ କରିଥିବା ଲାଲକୃଷ୍ଣ ଆଡ଼ଭାନୀଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନୋମାଳିନ୍ୟ ଏବଂ ଏହି କାରଣରୁ ଦଳର କେନ୍ଦ୍ରରୁ ଆଡ଼ଭାନୀଙ୍କ ଅପସାରଣ ଦ୍ବାରା କ୍ଷୁବ୍‌ଧ ଏବଂ ଅସନ୍ତୁଷ୍ଟ ଅ‌େନକ ବିଜେପି ସମର୍ଥକ ଏହା ଦ୍ବାରା ପ୍ରସନ୍ନ ହେବେ, ହିନ୍ଦୁତ୍ବ ରାଜନୀତି ଅଧିକ ଦୃଢ଼ ହେବ ଏବଂ ଆଗାମୀ ନିର୍ବାଚନରେ ଏହାର ତତ୍କାଳ ସୁଫଳ ବିଜେପିକୁ ମିଳିବ। କିନ୍ତୁ ଆଉ କେତେକ ପର୍ଯ୍ୟବେକ୍ଷକଙ୍କ ମତରେ ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଉପରୋକ୍ତ ମତଗୁଡ଼ିକ ଭଳି ସରଳ-ରୈଖିକ ଏବଂ ରୋମାଂଚହୀନ ହୋଇ ନ ପାରେ; ସୁତରାଂ, ଏହା ପଛରେ ଆଉ କେତେକ ସୂକ୍ଷ୍ମ କାରଣ ମଧ୍ୟ ଥାଇପାରେ, ଯାହାକୁ ପଢ଼ିବାର ଉଦ୍ୟମ କରାଯିବା ଉଚିତ।
ସୁତରାଂ, ଅନେକ ପର୍ଯ୍ୟ‌େବକ୍ଷକଙ୍କ ମତରେ ସମ୍ଭବତଃ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା କୃତଜ୍ଞତା ଜ୍ଞାପନର ଏକ ନିଦର୍ଶନ! ନବମ ଦଶକର ଆଦ୍ୟ ଭାଗରେ ମଣ୍ଡଳ ରାଜନୀତିର ତୀବ୍ରତାରେ ଆତ୍ମଦାହ କରି ଚାଲିଥିବା ଉଚ୍ଚ ଜାତିର ଯୁବ-ବର୍ଗ ବିଜେପି ଠାରୁ ସମର୍ଥନର ଆଶା ରଖିଥିବା ବେଳେ ଦୂରଦ୍ରଷ୍ଟା ଆଡ଼ଭାନୀ ‘ମଣ୍ଡଳ’କୁ ସମର୍ଥନ ପ୍ରଦାନ କରିଥିଲେ, ଯଦ୍ଦ୍ବାରା ‘ବ୍ରାହ୍ମଣ ଓ ବଣିଆ’ଙ୍କ ଦଳ ଭାବେ ବିଜେପି ନେଇ ଥିବା ପୂର୍ବାଗ୍ରହ କ୍ରମେ ଦୁର୍ବଳ ପଡ଼ିବା ଆରମ୍ଭ କରିଥିଲା, ଯାହା ଏବକୁ କ୍ରମେ ନିଶ୍ଚିହ୍ନ ହୋଇସାରିଛି‌; ଅପର ପକ୍ଷେ ସଂପ୍ରତି ଏହି ଦଳ ‘ଅନ୍ୟାନ୍ୟ ପଛୁଆ ଜାତି’ ବା ‘ଓବିସି’ର ଏକ ପ୍ରତିନିଧି ରୂପେ ମଧ୍ୟ ବିଦ୍ୟମାନ ହେଲାଣି, ଅର୍ଥାତ୍‌ ବିଜେପି ଏକ ବୃହତ୍ତର ଗ୍ରହଣୀୟତା ହାସଲ କରି ପାରିଛି। ଏଠାରେ ସ୍ମରଣଯୋଗ୍ୟ ଯେ ଠିକ୍‌ ଏହା ପରେ ଆଡ଼ଭାନୀଙ୍କ ନେତୃତ୍ବରେ ରାମ ରଥଯାତ୍ରାର ସୂତ୍ରପାତ ହୋଇଥିଲା ଏବଂ ଅନେକ ବିଶେଷଜ୍ଞ କହିଥାଆନ୍ତି ଯେ ‘ମଣ୍ଡଳ’ ନିଷ୍ପତ୍ତି ଦ୍ବାରା ହତାଶା ଜର୍ଜର ଉଚ୍ଚ ଜାତି ବର୍ଗଙ୍କ ଧ୍ୟାନକୁ ‘ହିନ୍ଦୁ ଜାଗରଣ’ ଦିଗରେ ଘେନିଯିବା ଲାଗି ଏହା ଥିଲା ଆଡ଼ଭାନୀଙ୍କ ଏକ ଅତ୍ୟନ୍ତ ସୂକ୍ଷ୍ମ ଚାତୁର୍ଯ୍ୟ। ରାମ ରଥଯାତ୍ରା ବାବରୀ ମସଜିଦର ପତନ ସହିତ ସମାପ୍ତ ହୋଇଥିଲା ଏବଂ ତା’ ସହିତ ଏକ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଦିଗରେ ପ୍ରଥମ ପଦଚିହ୍ନର ସୃଷ୍ଟି ହୋଇଥିଲା। କେବଳ ସେତିକି ନୁହେଁ, ପରବର୍ତ୍ତୀ ତିନି ଦଶନ୍ଧି ଦେଖିଥିଲା ଅର୍ବାଚୀନ ବିଜେପି ଏକ ଅଦମନୀୟ ରାଜନୈତିକ ଦଳରେ ପରିଣତ ହେବାର ଦନ୍ତକଥା ସୁଲଭ ଯାତ୍ରା‌। ସେହି ଦୃଷ୍ଟିରୁ ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ‘ମଣ୍ଡଳ’ ଏବଂ ‘ମନ୍ଦିର’ ପ୍ରତି ଅତୀତର ସମର୍ଥନ ଅପରିବର୍ତ୍ତିତ ରହିଛି ବୋଲି ଜଣାଇବା ଲାଗି କର୍ପୂରୀ ଠାକୁର ଏବଂ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଏହି ସମ୍ମାନ ଲାଗି ଚୟନ କରାଯାଇଛି ଏବଂ ତା’ ସହିତ ଏହା ହେଉଛି ଆଡ଼ଭାନୀଙ୍କ ଗଭୀର ଅନ୍ତର୍ଦୃଷ୍ଟି ଓ ଦୂରଦୃଷ୍ଟି ପ୍ରତି ଦଳର ସଶ୍ରଦ୍ଧ ଧନ୍ୟବାଦ ଅର୍ପଣ।
ସେହିଭଳି ଏହି ସଂଦର୍ଭରେ ଆଉ ଏକ ମତ ହେଲା, ଦଳ ସମ୍ମୁଖରେ ବ୍ୟକ୍ତିଗତ ମତଭେଦ କିଭଳି ଗୌଣ ହୋଇଥାଏ, ତାହାର ଦୃଷ୍ଟାନ୍ତ ହେଉଛି ଆଡ଼ଭାନୀଙ୍କ ଚୟନ, ଯାହା ବିଜେପିକୁ ଏକ ସ୍ବାତନ୍ତ୍ରୢ ପ୍ରଦାନ କରିଥାଏ। ଏହା ସୁବିଦିତ ଯେ ୨୦୧୪ ମସିହାରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ନରେନ୍ଦ୍ର ମୋଦୀଙ୍କ ନାମକୁ ଆଡ଼ଭାନୀ ବିରୋଧ କରିଥିଲେ ଏବଂ ୨୦୧୪ରୁ ମୋଦୀଙ୍କ ନେତୃତ୍ବରେ ଆକ୍ରମଣାତ୍ମକ ହିନ୍ଦୁତ୍ବ ରାଜନୀତିର ଉନ୍ମେଷ ସହିତ ଆଡ଼ଭାନୀ ସୀମାନ୍ତରିତ ହୋଇ ଯାଇଥିଲେ ଏବଂ ତା’ ପର ଠାରୁ ସେ ଆଉ ରାଜନୈତିିକ କ୍ଷେତ୍ରରେ ଦୃଶ୍ୟମାନ ନାହାନ୍ତି। ଏଭଳି ସ୍ଥଳେ ଆଡ଼ଭାନୀଙ୍କ ନାମ ଘୋଷଣାରେ ‘ସଂଘ ପରିବାର’ର ଏକ ମୂଳ ମୂଲ୍ୟବୋଧ ପରିଦୃଷ୍ଟ ହୋଇଥାଏ, ଯାହା ହେଲା ପରିବାର (ଭାରତୀୟ) ମଧ୍ୟରେ ମନାନ୍ତର ବା ମତାନ୍ତର ଏପରିକି କଳହମାନ ବିଦ୍ୟମାନ ଥିଲେ ମଧ୍ୟ ପରିବାରର ଭାବମୂର୍ତ୍ତିକୁ ଅକ୍ଷୁଣ୍ଣ ରଖିବାର ଉଦ୍ୟମ କରିବା। ଏହି ବିଶେଷଜ୍ଞମାନଙ୍କ ମତରେ ଏହା ପ୍ରମାଣ କରିଛି ଯେ ଏକାଧିପତ୍ୟ ସତ୍ତ୍ବେ ମୁଖ୍ୟ ନେତାଙ୍କ ଅହମିକା ଦଳ ଠାରୁ ଅଧିକ ଉଚ୍ଚ ହୋଇ ନ ପାରେ ଏବଂ ସେମାନେ ଏହି ସଂଦର୍ଭ‌ରେ କଂଗ୍ରେସ ବା ତୃଣମୂଳ କଂଗ୍ରେସକୁ ଶିକ୍ଷା ଗ୍ରହଣ କରିବାର ପରାମର୍ଶ ଦେଉଥିବା ମଧ୍ୟ ଶୁଣିବାକୁ ମିଳୁଛି।
କିନ୍ତୁ, କେବଳ ମୋଦୀ ନୁହନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୬ ମସିହାରେ ଏଭଳି ଏକ ନିଷ୍ପତ୍ତି ନେଇଥିଲେ, ଯାହା ଫଳରେ କେ. କାମରାଜଙ୍କୁ ମରଣୋତ୍ତର ଭାବେ ‘ଭାରତରତ୍ନ’ ଦ୍ବାରା ଭୂଷିତ କରାଯାଇଥିଲା। ସ୍ମରଣ କରାଯାଇପାରେ କି ବୟୋବୃଦ୍ଧ ନେତା କାମରାଜ ଏବଂ ନବାଗତା ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ରହିଥିବା ଘନିଷ୍ଠ ସଦ୍‌ଭାବ କ୍ରମେ ଏଭଳି ତିକ୍ତ ହୋଇ ଉଠିଥିଲା ଯେ ଏହି ଦୁଇ ନେତାଙ୍କ ନେତୃତ୍ବରେ କଂଗ୍ରେସର ବିଭାଜନ ଘଟିଥିଲା। ଏଭଳି ସ୍ଥଳେ କାମରାଜଙ୍କୁ ଏହି ସମ୍ମାନ ପ୍ରଦାନ କରି ଇନ୍ଦିରା ଗାନ୍ଧୀ ସମ୍ଭବତଃ ଦୁଇଟି ବିଷୟ ପ୍ରମାଣ କରିବାକୁ ଚାହିଁଥିଲେ: ଗୋଟିଏ ହେଉଛି କାମରାଜଙ୍କ ପ୍ରତି କୃତଜ୍ଞତା ଜ୍ଞାପନ (କାରଣ ଦଳରେ ଥିବା ବିରୋଧ ସତ୍ତ୍ବେ କାମରାଜଙ୍କ ଯୋଗୁଁ ଇନ୍ଦିରା ଗାନ୍ଧୀ ୧୯୬୫ ମସିହାରେ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ) ଏବଂ ଦ୍ବିତୀୟଟି ହେଲା ଜଣେ ଅତ୍ୟନ୍ତ ଏକଛତ୍ରବାଦୀ ନେତ୍ରୀ ରୂପେ ତାଙ୍କ ପରିଚିତି ସୃଷ୍ଟି ହେଉଥିବା ବେଳେ ଜଣେ ବିରୋଧୀଙ୍କୁ ସମ୍ମାନ ପ୍ରଦାନ କରି ଔଦାର୍ଯ୍ୟ ବା ଉଚ୍ଚ ବିଚାର ପ୍ରଦର୍ଶନ କରିବାର ପ୍ରୟାସ। ଅନେକଙ୍କ ମତରେ ଇମର୍ଜେନ୍‌ସିର ଘନଘଟା ଭିତରେ ଭାବମୂର୍ତ୍ତିକୁ ଔଜ୍ଜ୍ବଲ୍ୟ ପ୍ରଦାନ କରିବା ଲାଗି ହୁଏତ ଏହା ଥିଲା ଇନ୍ଦିରା ଗାନ୍ଧୀଙ୍କ ସକାଶେ ‘ରତ୍ନ’ ନିର୍ବାଚନ କରିବାରେ ଜହୁରୀତୁଲ୍ୟ ଦୃଷ୍ଟିର ପ୍ରୟୋଗ। ମୋଦୀଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ସତର୍କ ଜହୁରୀକୁ ଦେଖିବାକୁ ମିଳିଥାଏ କି? ହୋଇପାରେ!