ଭୟ ହୁଏ ଯେ ଏଭଳି ଧ୍ରୁବୀକରଣ ରାଜନୀତି ଦେଶକୁ ପୁରାଣ ବର୍ଣ୍ଣିତ ଦୁଇ ଶିର ବିଶିଷ୍ଟ ଭାରୁଣ୍ଡ ପକ୍ଷୀରେ ପରିଣତ କରି ଦେବ ନାହିଁ ତ?; ଯେଉଁ ପକ୍ଷୀର ଗୋଟିଏ ମୁଣ୍ଡ ସୁସ୍ବାଦୁ ଫଳଟିଏ ଖାଇବା ଏବଂ ଅନ୍ୟ ମୁଣ୍ଡଟି ତାହା ମାଗିବାରୁ ତାକୁ ପ୍ରତ୍ୟାଖ୍ୟାନ କରିବା କାରଣରୁ ପ୍ରତିଶୋଧ-ଜର୍ଜର ଦ୍ବିତୀୟ ମୁଣ୍ଡ ଜାଣିଶୁଣି ବିଷ ଫଳଟିଏ ଭକ୍ଷଣ କରି ଭାରୁଣ୍ଡ ପକ୍ଷୀର ମୃତ୍ୟୁର କାରଣ ହେଲା। ସେହି ଦୃଷ୍ଟିରୁ ‘ଉତ୍ତର’ ଓ ‘ଦକ୍ଷିଣ’ ଭାରୁଣ୍ଡ ପକ୍ଷୀର ଶିର ଦ୍ବୟରେ ପରିଣତ ନ ହୁଅନ୍ତୁ!
ଗଲା କିଛି ମାସ ଧରି ଆମ ଦେଶର ‘ଉତ୍ତର’ ଏବଂ ‘ଦକ୍ଷିଣ’ ମଧ୍ୟରେ ସ୍ପଷ୍ଟ-ଅସ୍ପଷ୍ଟ ଭାବେ ବାରି ହୋଇପଡୁଥିବା ସୂକ୍ଷ୍ମ ତ୍ରୁଟି-ରେଖାଟି ସହସା ଏକ ଫାଟ ଭଳି ଆବିର୍ଭୂତ ହୋଇ ଉଦ୍ବେଗ, ତର୍କ ଏବଂ ବିବାଦ ସୃଷ୍ଟି କରିଛି; ଦେଖିବାକୁ ମିଳିଛି ଯେ ରାଷ୍ଟ୍ରର କୋଷାଗାରକୁ ବିପୁଳ ପରିମାଣର ଟିକସ ଅର୍ଥ ପ୍ରଦାନ କରୁଥିବା ସତ୍ତ୍ବେ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ରୀୟ ଆର୍ଥିକ ସହାୟତା ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକ ତୁଳନାରେ ଅତ୍ୟନ୍ତ ନଗଣ୍ୟ ବୋଲି ଦର୍ଶାଇ କର୍ଣ୍ଣାଟକ, ତାମିଲନାଡୁ ଏବଂ କେରଳ ସରକାର ନୂଆଦିଲ୍ଲୀରେ ପ୍ରତିବାଦ ପ୍ରଦର୍ଶନ ଆରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ, ନିକଟରେ କର୍ଣ୍ଣାଟକ କଂଗ୍ରେସର ଲୋକସଭା ସଦସ୍ୟ ଡି. କେ. ସୁରେଶ ଏକ ଚେତାବନୀସୁଲଭ ମନ୍ତବ୍ୟ ପ୍ରଦାନ କରିଛନ୍ତି ଯେ ଏହି ଅସନ୍ତୋଷ ଅଧିକ ଘନୀଭୂତ ହେଲେ ଭାରତରୁ ଦାକ୍ଷିଣାତ୍ୟ ହୁଏତ ବିଚ୍ଛିନ୍ନ ହୋଇ ଯାଇପାରେ। ସୁତରାଂ, ଏଭଳି ଏକ ତୀବ୍ର ବିବାଦୀୟ ପ୍ରସଙ୍ଗ, ଯାହା ଆସନ୍ତା ସାଧାରଣ ନିର୍ବାଚନ ଦୃଷ୍ଟିରୁ ରାଜନୈତିକ ଉତ୍ତାପ ମଧ୍ୟ ସୃଷ୍ଟି କରିବ, ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ତେବେ, ପ୍ରଥମେ ଉତ୍ତର-ଦକ୍ଷିଣ ପାତରଅନ୍ତରକୁ ଦୃଢ଼ୀଭୂତ କରୁଥିବା ଏକ ତୁଳନାତ୍ମକ ଚିତ୍ର ଉପରେ ଦୃଷ୍ଟି ନିବଦ୍ଧ କରାଯାଉ। ସଦ୍ୟ ଉପସ୍ଥାପିତ ବଜେଟ୍ରେ ସନ୍ନିବେଶିତ ତଥ୍ୟ ଅନୁସାରେ ଟିକସ ରୂପେ କେନ୍ଦ୍ରକୁ ପଇଠ କରୁଥିବା ଟଙ୍କାଏ ବଦଳରେ କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁ ଲାଗି କେନ୍ଦ୍ରୀୟ ଆର୍ଥିକ ସହାୟତା ରାଶି ଯଥାକ୍ରମେ ୧୫, ୨୯ ଓ ୫୭ ପଇସା ହୋଇଥିବା ବେଳେ ଉତ୍ତର ପ୍ରଦେଶ ପାଇଥାଏ ୨ ଟଙ୍କା ୩୩ ପଇସା ଏବଂ ବିହାର ଏକ ଅବିଶ୍ବାସ୍ୟ ୭ ଟଙ୍କା ୬ ପଇସା। ପ୍ରକାଶ ଥାଉ କି କେନ୍ଦ୍ରକୁ ସର୍ବାଧିକ ଟିକସ ରାଶି ପ୍ରଦାନ କରୁଥିବା ଦାକ୍ଷିଣାତ୍ୟ ରାଜ୍ୟତ୍ରୟ ପକ୍ଷରୁ ଏଭଳି ପାତରଅନ୍ତର ବିରୋଧରେ ପ୍ରତିବାଦ ପ୍ରଦର୍ଶନ ପ୍ରାରମ୍ଭ ହୋଇଛି। ସେମିତି ସଂସଦୀୟ ପ୍ରତିନିଧିତ୍ବ କ୍ଷେତ୍ରରେ ପରିଦୃଷ୍ଟ ଦ୍ବିତୀୟ ଅସଂଗତିକୁ ବିଚାର କରାଯାଉ। ସଂପ୍ରତି ୫୪୫ଟି ଆସନ ବିଶିଷ୍ଟ ଲୋକସଭାରେ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ମିଳିତ ଆସନ ସଂଖ୍ୟା ମାତ୍ର ୧୨୯; ଅର୍ଥାତ୍ ସମଗ୍ର ‘ଦାକ୍ଷିଣାତ୍ୟ’କୁ ବାଦ୍ ଦେଇ କୌଣସି ଗୋଟିଏ ଦଳ ଅବଶିଷ୍ଟ ଭାରତରୁ ପାଇଥିବା ଆସନ ଦ୍ବାରା ସଂଖ୍ୟାଗରିଷ୍ଠତା ଲାଭ କରି ସରକାର ଗଢ଼ିପାରିବା ସମ୍ଭବ। ଏଭଳି ସ୍ଥଳେ ୨୦୨୬ ମସିହାରେ ହେବାକୁ ଥିବା ସୀମା ନିର୍ଦ୍ଧାରଣ ପରେ ‘ଦାକ୍ଷିଣାତ୍ୟ’ର ସ୍ଥିତି ଅଧିକ ଦୟନୀୟ ହେବାର ଆଶଙ୍କା ପ୍ରକାଶ ପାଇଥାଏ: ଜନସଂଖ୍ୟା ବୃଦ୍ଧିର ସମାନୁପାତିକ ଭାବେ ଯଦି ୨୦୨୬ ମସିହାରେ ସଂସଦୀୟ ଆସନ ସଂଖ୍ୟା ୮୪୮ରେ ପହଞ୍ଚେ, ତେବେ ତହିଁରେ କେବଳ ଉତ୍ତର ପ୍ରଦେଶର ଲୋକସଭା ସାଂସଦଙ୍କ ସଂଖ୍ୟା ୧୪୩ ହୋଇଥିବା ବେଳକୁ ‘ଦାକ୍ଷିଣାତ୍ୟ’ର ପାଞ୍ଚଟି ଯାକ ରାଜ୍ୟର ଲୋକସଭା ଆସନ ସଂଖ୍ୟା ମିଶି ହୋଇପାରେ ମାତ୍ର ୧୬୪। ସୁତରାଂ, ରାଷ୍ଟ୍ର ରାଜନୀତି ପରିପ୍ରେକ୍ଷୀରେ ସମଗ୍ର ‘ଦାକ୍ଷିଣାତ୍ୟ’ ଅପାଂକ୍ତେୟ, ସୀମାନ୍ତରିତ ଏବଂ ଅପ୍ରାସଙ୍ଗିକ ହୋଇଯାଇପାରେ!
ଜନସଂଖ୍ୟାକୁ ଭିତ୍ତି କରି ଆନୁପାତିକ ପ୍ରତିନିଧିତ୍ବ ହିସାବରେ ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ କରାଯାଉଥିବାରୁ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକର କ୍ଷୋଭ ଯଥାର୍ଥ ମନେ ହୋଇଥାଏ ଯେ ରାଷ୍ଟ୍ର ହିତ ସକାଶେ ଜନସଂଖ୍ୟା ନିୟନ୍ତ୍ରଣରେ ସଫଳତା ପ୍ରଦର୍ଶନ କରି ସେମାନେ ପୁରସ୍କୃତ ହେବା ପରିବର୍ତ୍ତେ ଦଣ୍ଡିତ ହେବାକୁ ଯାଉଛନ୍ତି। ଅବଶ୍ୟ, କିଛି ଦିନ ତଳେ ନିଜାମାବାଦରେ ପ୍ରଦତ୍ତ ଏକ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଥିଲେ ଯେ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକର ଏଭଳି ଭୟ ଭିତ୍ତିହୀନ ଏବଂ ସୀମା ନିର୍ଦ୍ଧାରଣ ପରେ ସଂସଦରେ ସେମାନଙ୍କ ପ୍ରତିନିଧିତ୍ବ ଅଧିକ ଦୃଢ଼ ହେବ ସିନା, ନିଷ୍ପ୍ରଭ ହେବ ନାହିଁ; କିନ୍ତୁ ହିନ୍ଦୀ ହୃଦ୍ସ୍ଥଳର ରାଜନୈତିକ ଦଳ ରୂପେ ବିଜେପିର ପରିଚିତି କାରଣରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ମଧ୍ୟ ଦାକ୍ଷିଣାତ୍ୟରେ ସନ୍ଦେହାସ୍ପଦ ଦୃଷ୍ଟିରେ ଦେଖାଯାଇଥାଏ ଏବଂ ସେମାନଙ୍କ ଧାରଣା ଯେ ‘ଦାକ୍ଷିଣାତ୍ୟ’ରେ ଏ ଯାବତ୍ ଗଭୀର ପଦଚିହ୍ନ ସୃଷ୍ଟି କରି ପାରି ନ ଥିବା ବିଜେପି, କୌଶଳର ସହିତ ରାଷ୍ଟ୍ର ରାଜନୀତିରେ ‘ଦାକ୍ଷିଣାତ୍ୟ’କୁ ନିବୀର୍ଯ୍ୟ କରି ଦେବାକୁ ଚାହେଁ। କିନ୍ତୁ ଏକ ବାସ୍ତବତା ହେଲା ‘ସୀମା ନିର୍ଦ୍ଧାରଣ’ ବ୍ୟାପାରଟି ଏକ ନିୟମିତ ସାଂବିଧାନିକ କାର୍ଯ୍ୟ ଯହିଁରେ ଏକ ନିର୍ଦ୍ଦିଷ୍ଟ ହିସାବ ଅନୁସାରେ କାର୍ଯ୍ୟ ସଂପାଦିତ ହୋଇଥାଏ ଏବଂ ତହିଁରେ ଶାସକ ଦଳର ଦୁରଭିସନ୍ଧି ସାକାର ହୋଇ ନ ପାରେ!
ଏବେ ଆସିବା ‘ମୋ ଟିକସ, ମୋ ଟଙ୍କା’ ଭଳି ‘ଦାକ୍ଷିଣାତ୍ୟ’ ସୃଷ୍ଟ ସ୍ଲୋଗାନ ପ୍ରସଙ୍ଗକୁ। ପୃଥିବୀର ସର୍ବତ୍ର ଦେଖାଯାଇଥାଏ ଯେ ଜନମଙ୍ଗଳ ରାଷ୍ଟ୍ରଗୁଡ଼ିକ ବିତ୍ତୀୟ ପରିଚାଳନାରେ ‘ରବିନ ହୁଡ୍’ସୁଲଭ ନୀତି ଆପଣାଇ ଥାଆନ୍ତି, ଯେଉଁଠି ସଂପଦ ସୃଷ୍ଟି କରିଥିବା ସଂପନ୍ନ ରାଜ୍ୟରୁ ଲବ୍ଧ ବିତ୍ତ ରାଷ୍ଟ୍ର ନିର୍ମାଣରେ ବ୍ୟୟ କରାଗଲା ବେଳେ ଦାରିଦ୍ର୍ୟ ପ୍ରପୀଡ଼ିତ ଅନୁନ୍ନତ ରାଜ୍ୟଗୁଡ଼ିକ ଅଧିକ ଅଂଶ ପାଆନ୍ତି। ଉଦାହରଣ ସ୍ବରୂପ ଯୁକ୍ତରାଷ୍ଟ୍ର ଆମେରିକାରେ କାଲିଫର୍ନିଆ, ଟେକ୍ସାସ ଓ ଫ୍ଲୋରିଡାରୁ ଆହୃତ ବିତ୍ତ ସମଗ୍ର ରାଷ୍ଟ୍ର ଲାଗି ବ୍ୟୟ କରାଯାଉଥିବା ବେଳେ ତା’ର ଏକ ସିଂହଭାଗ ଲୁଇଜିଆନା ଭଳି ଦରିଦ୍ର ରାଜ୍ୟକୁ ଯାଇଥାଏ। ଏହା ହିଁ ବିତ୍ତୀୟ ପରିଚାଳନା ପଛରେ ରହିଥିବା ବିବେକାନୁମୋଦିତ ବୁଦ୍ଧିମତ୍ତା। ପୁଣି ଦ୍ବିତୀୟ ବିଷୟ ହେଲା, ‘ଦାକ୍ଷିଣାତ୍ୟ’ର ସଂପନ୍ନତାର କାରଣ ବିଭିନ୍ନ ସରକାରଙ୍କ ଦ୍ବାରା ଶାସନଗତ ପାରଦର୍ଶିତା ଯେତେ ନୁହେଁ, ଅଧିକ ହେଉଛି ‘ଭୌଗୋଳିକ’ ଏବଂ ‘ଐତିହାସିକ’; ଯେମିତି କି ସାଗର ସହିତ ସଂଯୋଜିତ ହୋଇଥିବା କାରଣରୁ କେରଳ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ସାମୁଦ୍ରିକ ବାଣିଜ୍ୟ ଏବଂ ବିଭବ ଦ୍ବାରା ସମୃଦ୍ଧ, ଏବଂ ଉତ୍ତର ଭାରତ ଭଳି ‘ଦାକ୍ଷିଣାତ୍ୟ’ ବାରମ୍ବାର ବହିର୍ଶତ୍ରୁଙ୍କ ଅାକ୍ରମଣ, ଲୁଣ୍ଠନ ଏବଂ ଧ୍ବଂସଲୀଳାର ପ୍ରତ୍ୟକ୍ଷ କରିନାହିଁ। ପୁଣି ଆଉ ଏକ ବାସ୍ତବତା ହେଲା ଏହି କେନ୍ଦ୍ରୀୟ ସହାୟତା ପଞ୍ଚଦଶ ଆର୍ଥିକ କମିସନର ସୁପାରିସ କ୍ରମେ ବିଭିନ୍ନ ରାଜ୍ୟ ଲାଗି ଉପଲବ୍ଧ କରାଯାଇଛି। ସେହି ଦୃଷ୍ଟିରୁ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକର ଆର୍ଥିକ ଦୁରବସ୍ଥାକୁ ସଂବେଦନଶୀଳ ଦୃଷ୍ଟିରେ ଦେଖିବାର ଆବଶ୍ୟକତା ରହିଛି ବୋଲି େସମାନେ କହିଥାଆନ୍ତି।
ଯଦିଓ, ଏଥିରେ ଦ୍ବିରୁକ୍ତି ନାହିଁ ଯେ ‘ଦାକ୍ଷିଣାତ୍ୟ’ ପକ୍ଷରୁ ଏଭଳି ବିଦ୍ବେଷ ସହସା ତୀବ୍ରତା ଲାଭ କରିବା ଅନ୍ତରାଳରେ ରହିଛି ଆସନ୍ତା ସାଧାରଣ ନିର୍ବାଚନ, ତଥାପି ପ୍ରଶ୍ନ ଉଠିଥାଏ ଯେ ସ୍ବାଧୀନତା ପର ଠାରୁ ‘ଦାକ୍ଷିଣାତ୍ୟ’ରେ ପ୍ରବାହିତ ହୋଇ ଚାଲିଥିବା ଉତ୍ତର ଭାରତ ପ୍ରତି ବିଦ୍ବେଷର କ୍ଷୀଣ ଅନ୍ତଃ-ସ୍ରୋତ ଏଇ କିଛି ବର୍ଷ ହେବ ବେଳ-ଅବେଳରେ ଫୁଟି ବାହାରୁଛି କାହିଁକି? ଏହାର କାରଣ କ’ଣ ୨୦୧୪ ମସିହା ପର ଠାରୁ ବିଜେପି ଦ୍ବାରା ଅନୁସୃତ ଧର୍ମାଧାରିତ ଧ୍ରୁବୀକରଣର ରାଜନୀତି? ନା ବିଜେପି ଦ୍ବାରା ହିନ୍ଦୀ ଭାଷାକୁ ଅଧିକ ପ୍ରାଧାନ୍ୟ ଦେବାର ପ୍ରବଣତା? ନା ଯେ କୌଣସି ପ୍ରକାରେ ‘ଦାକ୍ଷିଣାତ୍ୟ’ ଦଖଲ କରିବାର ଦୁରାଗ୍ରହ? ତାହା ହୋଇ ନ ଥିଲେ ଗତ ବର୍ଷ ଦାକ୍ଷିଣାତ୍ୟ ସିନେମା ଓ ବଲିଉଡ୍ ଏକ ତୁଚ୍ଛ ମନ୍ତବ୍ୟକୁ ନେଇ ହୁଏତ ମୁହାଁମୁହିଁ ହୋଇ ନ ଥାଆନ୍ତେ ବା ହଠାତ୍ ବିଳିବିଳେଇଲା ଭଳି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ମୁହଁରୁ ସନାତନ ଧର୍ମ ବିରୋଧରେ ବିେଷାଦ୍ଗାର ଶୁଣିବାକୁ ମିଳି ନ ଥାଆନ୍ତା! ଭୟ ହୁଏ ଯେ ଏଭଳି ଧ୍ରୁବୀକରଣ ରାଜନୀତି ଦେଶକୁ ପୁରାଣ ବର୍ଣ୍ଣିତ ଦୁଇ ଶିର ବିଶିଷ୍ଟ ଭାରୁଣ୍ଡ ପକ୍ଷୀରେ ପରିଣତ କରି ଦେବ ନାହିଁ ତ?; ଯେଉଁ ପକ୍ଷୀର ଗୋଟିଏ ମୁଣ୍ଡ ସୁସ୍ବାଦୁ ଫଳଟିଏ ଖାଇବା ଏବଂ ଅନ୍ୟ ମୁଣ୍ଡଟି ତାହା ମାଗିବାରୁ ତାକୁ ପ୍ରତ୍ୟାଖ୍ୟାନ କରିବା କାରଣରୁ ପ୍ରତିଶୋଧ-ଜର୍ଜର ଦ୍ବିତୀୟ ମୁଣ୍ଡ ଜାଣିଶୁଣି ବିଷ ଫଳଟିଏ ଭକ୍ଷଣ କରି ଭାରୁଣ୍ଡ ପକ୍ଷୀର ମୃତ୍ୟୁର କାରଣ ହେଲା। ସେହି ଦୃଷ୍ଟିରୁ ‘ଉତ୍ତର’ ଓ ‘ଦକ୍ଷିଣ’ ଭାରୁଣ୍ଡ ପକ୍ଷୀର ଶିର ଦ୍ବୟରେ ପରିଣତ ନ ହୁଅନ୍ତୁ!