ଏକ ବୁଭୁକ୍ଷୁ ଭାରତକୁ କ୍ଷୁଧାମୁକ୍ତ ଏବଂ ବଳକା ଖାଦ୍ୟର ରାଷ୍ଟ୍ରରେ ପରିଣତ କରିଥିବା ଏହି ବୈଜ୍ଞାନିକଙ୍କ ପାତ୍ରତା ତ ସଂପୂର୍ଣ୍ଣ ପ୍ରଶ୍ନାତୀତ, ତେବେ ଯାହା ତାଙ୍କ ବିପକ୍ଷରେ ଯାଇଛି, ତାହା ହେଲା ତାଙ୍କ ଜନ୍ମ ମାଟି ତାମିଲନାଡୁ; କାରଣ କେତେକ ଅତି ସୂକ୍ଷ୍ମବୁଦ୍ଧିସଂପନ୍ନ ବିଶେଷଜ୍ଞଙ୍କ ମତରେ ସ୍ବାମୀନାଥନଙ୍କ ମନୋନୟନ ପଛରେ କୁଆଡ଼େ ରହିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ‘ତାମିଲ ତୁଷ୍ଟୀକରଣ’ର ଉଦ୍ୟମ; ସେହି କ୍ରମରେ ତାମିଲନାଡୁ ଦଖଲ ଦିଗରେ ଏକ କ୍ଷୁଦ୍ର ପଦପାତ! ଏହା ମଧ୍ୟ ହେଉଛି, ୨୦୨୪ ମସିହାରେ, ଠିକ୍ ନିର୍ବାଚନ ପୂର୍ବରୁ ସମ୍ମାନିତ ହେବାର ଦୁର୍ଭାଗ୍ୟ!
ଗଲା ଶୁକ୍ରବାର ଦିନ ‘ଭାରତରତ୍ନ’ ସକାଶେ ଆଉ ତିନିଟି ନାମ ଘୋଷିତ ହେବା ପରେ ଏ ସଂଦର୍ଭରେ େଯଉଁଭଳି ଘମାଘୋଟ ଆଲୋଚନା ଏବଂ ବିତର୍କମାନ ସୃଷ୍ଟି ହୋଇଛି, ସମ୍ଭବତଃ ‘ଭାରତରତ୍ନ’ ସମ୍ମାନର ଇତିହାସରେ ପୂର୍ବରୁ କଦାଚିତ୍ ଘଟିଥିବ ଅବା! ଏହି ଚର୍ଚ୍ଚାର କଳରବ ମଧ୍ୟରେ ଶ୍ରୁତିଗୋଚର ହୋଇଥାଏ, କିଭଳି ଚଳିତ ବର୍ଷର ନିଷ୍ପତ୍ତି ପଛରେ ଗୂଢ଼ ରାଜନୈତିକ ଅଭିସନ୍ଧି ନିହିତ। ସୁତରାଂ, ଏହି ପ୍ରକରଣରେ ‘ଭାରତରତ୍ନ’ ଭଳି ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ ଏବଂ ଏହି ସମ୍ମାନ ଲାଭ କରିବା ଲାଗି ଯୋଗ୍ୟତା ସତ୍ତ୍ବେ ମନୋନୀତ ହୋଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଗରିମା ହାନିର ଶିକାର ହୋଇଛନ୍ତି! ତେବେ, ଏଭଳି ଧାରଣା ବା ମନ୍ତବ୍ୟ ବା ତର୍କମାନ କ’ଣ ଯଥାର୍ଥ? ଏଠାରେ ଅନ୍ତତଃ ଏହି ପ୍ରଶ୍ନର ଉତ୍ତର ଖୋଜିବାର ପ୍ରୟାସ କରାଯାଉ।
ଅନେକତ୍ର ଏଭଳି ଏକ ଧାରଣା ସୃଷ୍ଟି ହୋଇଛି ଯେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ମନୋନୟନ କରାଯାଇଛି, ଯଦ୍ଦ୍ବାରା ବିରୋଧୀ ଇନ୍.ଡି. ମେଣ୍ଟ ହୀନବଳ ହୋଇଯିବ; ଯେମିତି କର୍ପୂରୀ ଠାକୁରଙ୍କ ନାମ ଘୋଷଣା ସହିତ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡି-ୟୁ ନେତା ନୀତୀଶ କୁମାର ଇନ୍.ଡି. ମେଣ୍ଟକୁ ତ୍ୟାଜ୍ୟ କରି ଏନ୍.ଡି. ମେଣ୍ଟରେ ଯୋଗ ଦେଇଛନ୍ତି ବା ଚୌଧୁରୀ ଚରଣ ସିଂହ ଏହି ସମ୍ମାନରେ ଭୂଷିତ ହେବା ଜାଣି ‘ଆର୍.ଏଲ୍.ଡି.’ ନେତା ଜୟନ୍ତ ସିଂହ ତତ୍କ୍ଷଣାତ୍ ନୀତୀଶ-ତୁଲ୍ୟ ପଦକ୍ଷେପ ନେବାର ଇଙ୍ଗିତ ପ୍ରଦାନ କରିସାରିଲେଣି। ସୁତରାଂ, ଅନେକ ପର୍ଯ୍ୟବେକ୍ଷକ ଏହି ସମ୍ମାନ ଲାଗି ନାମ ଘୋଷଣାର ‘ସମୟ’ ବା ‘କାଳ’ର ପ୍ରାସଙ୍ଗିକତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି; ଅର୍ଥାତ୍ ନିର୍ବାଚନର ଦ୍ବାରଦେଶରେ ରାଷ୍ଟ୍ର ଉପନୀତ ହୋଇଥିବାର ଘଡ଼ିସନ୍ଧି ମୁହୂର୍ତ୍ତ; ଯେଉଁ ସମୟରେ ଏଭଳି ଘୋଷଣା ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ ମନୋନୟନ ନେଇ କ’ଣ ଏଭଳି ଆରୋପ ଲଗାଯାଇ ପାରିବ? କାରଣ ବାସ୍ତବରେ ଏହା ହେଉଛି ଅତୀତରେ କଂଗ୍ରେସ ଦ୍ବାରା ହୋଇଥିବା ତ୍ରୁଟିର ପରିମାର୍ଜନ, ଯହିଁରେ ‘ସମୟ’ ବା ‘ଅସମୟ’ ବୋଲି କିଛି ନ ଥାଏ। ତଥାପି, ପ୍ରଶ୍ନ ଉଠିଥାଏ ଯେ ଯଦି ଏହା ସତ୍ୟ, ତେବେ ଦୁଇ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୧ ମସିହାରେ ସ୍ବର୍ଗତ ରାଓଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ତେଲେଙ୍ଗାନା ବିଧାନସଭାରେ ସର୍ବସମ୍ମତି କ୍ରମେ ଗୃହୀତ ଏହି ସମ୍ମାନ ସକାଶେ ତାଙ୍କ ନାମର ପ୍ରସ୍ତାବ ପ୍ରତି ସେତେବେଳେ ଏହି ସରକାର ଦ୍ବାରା ଦୃଷ୍ଟି ଦିଆଯାଇ ନ ଥିଲା କାହିଁକି? ସୁତରାଂ, ଏହା ସମ୍ଭବତଃ ହେଉଛି ନିର୍ବାଚନ ପୂର୍ବରୁ କଂଗ୍ରେସର ସେହି ପକ୍ଷଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାର ପ୍ରଚ୍ଛନ୍ନ ଉଦ୍ୟମ, ଯେଉଁମାନେ ରାଓଙ୍କ ପ୍ରତି କଂଗ୍ରେସ ଦ୍ବାରା ପ୍ରଦର୍ଶିତ ତୀବ୍ର ତିିତିକ୍ଷା କାରଣରୁ ମୁହ୍ୟମାନ ହୋଇ ରହିଥିଲେ। ସୁତରାଂ, ନାମ ଘୋଷଣାର ‘ସମୟ’ ବା ‘କାଳ’ ବିଶେଷ ଗୁରୁତ୍ବପୂର୍ଣ୍ଣ।
ଏବେ ପୁରସ୍କାରର ‘ପାତ୍ର’ମାନଙ୍କ ବିଷୟରେ ଅାଲୋଚନା କରାଯାଉ। ଅନେକଙ୍କ ମତରେ ସ୍ବର୍ଗତ କର୍ପୂରୀ ଠାକୁର ବା ସ୍ବର୍ଗତ ଚୌଧୁରୀ ଚରଣ ସିଂହ ବା ଏପରିକି ସ୍ବର୍ଗତ ପି.ଭି. ନରସିଂହ ରାଓଙ୍କୁ ଉପେକ୍ଷାର ଅନ୍ଧକାର ମଧ୍ୟରୁ ଔଜ୍ଜ୍ବଲ୍ୟକୁ ଘେନି ଆଣିବା ଏକ ବିରଳ ସଂବେଦନଶୀଳତା ଏବଂ ଔଚିତ୍ୟବୋଧର ସଂକେତ; କାରଣ ଯଥାକ୍ରମେ ସାମାଜିକ ନ୍ୟାୟ ପ୍ରତିଷ୍ଠା, କୃଷକମାନଙ୍କ ଅଧିକାର ସାବ୍ୟସ୍ତ ଏବଂ ଉଦାର ଅର୍ଥନୀତିର ପ୍ରବେଶ କ୍ଷେତ୍ରରେ ଉପରୋକ୍ତ ନେତା ତ୍ରୟଙ୍କ ଭୂମିକା ସର୍ବଦା ଅଗ୍ରଗଣ୍ୟ ହୋଇ ରହିବ। ଅବଶ୍ୟ, ଏହା ସତ ଯେ ‘ଭାରତରତ୍ନ’ ସମ୍ମାନ ପ୍ରଦାନରେ ରହି ଯାଇଥିବା ଅନେକ ଅସଂଗତିର ସଂଶୋଧନର ଉଦ୍ୟମ, ପ୍ରାୟ ପଇଁତିରିଶ ବର୍ଷ ତଳେ ଆରମ୍ଭ ହୋଇଯାଇଥିଲା, ଯହିଁରେ ୧୯୯୦ ମସିହାରେ ଡକ୍ଟର ବି. ଆର. ଆମ୍ବେଦକର, ୧୯୯୧-୯୨ ମସିହାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ମୌଲାନା ଆଜାଦ ପ୍ରଭୃତିଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। କହିବା ବାହୁଲ୍ୟ ଯେ ଏହି ନେତାମାନଙ୍କ ଅବଦାନ ଏବଂ ବ୍ୟକ୍ତିତ୍ବର ଉଚ୍ଚତା ଦୃଷ୍ଟିରୁ ଏମାନଙ୍କ ମନୋନୟନ ସର୍ବଜନସ୍ବୀକୃତ ଥିଲା। କିନ୍ତୁ, ଅତୀତର ତ୍ରୁଟି ମାର୍ଜନା କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ସେଭଳି ନିରଙ୍କୁଶ ମାନ୍ୟତା ଲାଭ କରି ପାରିନାହିଁ; ପ୍ରଣବ ମୁଖାର୍ଜୀ, କର୍ପୂରୀ ଠାକୁର, ଲାଲକୃଷ୍ଣ ଆଡ଼ଭାନୀ, ପି.ଭି. ନରସିଂହ ରାଓ ଏବଂ ଚୌଧୁରୀ ଚରଣ ସିଂହଙ୍କ ଯୋଗ୍ୟତା ସତ୍ତ୍ବେ ସେମାନଙ୍କ ଚୟନ ନିଷ୍ପତ୍ତିରେ ରାଜନୈତିକ ଅଭିସନ୍ଧି ନିହିତ ଥିବାର ଅଭିଯୋଗ ଉଠିଛି। ଅନେକଙ୍କ ମତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ନିଷ୍ପତ୍ତିର ଗୋଟିଏ ଉଦ୍ଦେଶ୍ୟ ହେଉଛି କଂଗ୍ରେସକୁ ଅସ୍ବସ୍ତିକର ପରିସ୍ଥିତିରେ ପକାଇବା ଏବଂ ଆଉ ଟିକିଏ ଦୂରଦୃଷ୍ଟି ନିକ୍ଷେପ କଲେ ଦିଶିଥାଏ ଯେ ଏହାର ଅଭିସନ୍ଧି ହେଉଛି ନିର୍ବାଚନ ପୂର୍ବରୁ ‘ଇନ୍ଡି’ ମେଣ୍ଟକୁ ଦୁର୍ବଳ କରି ପକାଇବା। କିନ୍ତୁ ଅନେକ ବିଶେଷଜ୍ଞ କହନ୍ତି ଯେ ମୋଦୀଙ୍କ ଦୃଷ୍ଟି ଆହୁରି ସୁଦୂରପ୍ରସାରୀ; କାରଣ କଂଗ୍ରେସର ସଂକୋଚନ ଫଳରେ ସୃଷ୍ଟ ଶୂନ୍ୟସ୍ଥାନ ପୂରଣ କରିବାର ସ୍ବପ୍ନ ସେ ଦେଖନ୍ତି, ଯହିଁରେ ବିଜେପି ଏକ ‘ହିନ୍ଦୁତ୍ବବାଦୀ’ ଦଳ ରୂପେ ହାସଲ କରିଥିବା ତା’ର ପରିଚୟକୁ ଅତିକ୍ରମ କରି ଏକ ବିଶାଳ ହୃଦୟଧାରୀ ଏବଂ ସମାବେଶୀ ରାଜନୈତିକ ଦଳ ରୂପେ ପରିଚିତ ହେବାକୁ ଏବଂ ସେହି ଆଧାରରେ ପ୍ରତିପକ୍ଷମାନଙ୍କୁ କ୍ରମେ ନିରସ୍ତ୍ର ଓ ନିରବ କରି ଦେବାକୁ ଚାହେଁ। କିନ୍ତୁ ଏହି ପରିପ୍ରେକ୍ଷୀରେ ଏକ ମୌଳିକ ପ୍ରଶ୍ନ ହେଲା ‘ଭାରତରତ୍ନ’ ସକାଶେ ୧୯୫୪ ମସିହାରୁ ଏ ଯାବତ୍ ଯୋଗ୍ୟ ବିବେଚିତ ହୋଇଥିବା ସର୍ବମୋଟ ୫୩ ଜଣଙ୍କ ମଧ୍ୟରୁ ରାଜନୈତିକ ନେତାଙ୍କ ସଂଖ୍ୟା ଅଧିକ କାହିଁକି? ସୃଜନଶୀଳତା, ବିଜ୍ଞାନ ଓ ଗବେଷଣା, ପ୍ରଯୁକ୍ତି ଏବଂ କ୍ରୀଡ଼ା କ୍ଷେତ୍ରରୁ ଅଧିକ ସଂଖ୍ୟକ ‘ଭାରତରତ୍ନ’ଙ୍କୁ ଚିହ୍ନଟ କରାଯାଇପାରୁନାହିଁ କାହିଁକି?
ତେବେ, ଉଲ୍ଲେଖଯୋଗ୍ୟ ଯେ ୧୯୯୧ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ କାଳ ଖଣ୍ଡରେ ବା ପି.ଭି. ନରସିଂହ ରାଓ, ଅଟଳ ବିହାରୀ ବାଜପେୟୀ ଏବଂ ଡକ୍ଟର ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ‘ଭାରତରତ୍ନ’ ଦ୍ବାରା ସମ୍ମାନିତ ହୋଇଥିବା ବ୍ୟକ୍ତିତ୍ବଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲେ କିଂବଦନ୍ତୀୟ ଶିଳ୍ପପତି ଜେ.ଆର୍.ଡି. ଟାଟା, ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ, ସୀତାର ବାଦକ ପଣ୍ଡିତ ରବି ଶଙ୍କର, ଚଳଚ୍ଚିତ୍ର ନିର୍ଦ୍ଦେଶକ ସତ୍ୟଜିତ ରାୟ, ସେହନାଇ ବାଦକ ଉସ୍ତାଦ ବିସମିଲ୍ଲା ଖାଁ, ଶାସ୍ତ୍ରୀୟ ଗାୟକ ପଣ୍ଡିତ ଭୀମସେନ ଯୋଶୀ, ଏମ୍.ଏସ୍. ଶୁଭଲକ୍ଷ୍ମୀ, ଗାୟିକା ଲତା ମଙ୍ଗେସକର, ବୈଜ୍ଞାନିକ ସି.ଏନ.ଆର. ରାଓ ପ୍ରମୁଖ। କହିବା ବାହୁଲ୍ୟ ଯେ ଏଭଳି ମୂର୍ଧନ୍ୟଗଣଙ୍କ ଚୟନ ପଛରେ ରାଜନୈତିକ ଅଭିସନ୍ଧିର ଅଭିଯୋଗ କେବଳ ସ୍ବପ୍ନାତୀତ ନୁହେଁ, ଉଦ୍ଭଟ ଲାଗନ୍ତା ମଧ୍ୟ! କିନ୍ତୁ ଦୁର୍ଭାଗ୍ୟ, ବିଶ୍ବବିଦିତ ବୈଜ୍ଞାନିକ ସ୍ବର୍ଗତ ଏମ.ଏସ. ସ୍ବାମୀନାଥନଙ୍କ ନାମ ଘୋଷଣାରେ ସେଭଳି ଘଟିନାହିଁ; ତହିଁରେ ଈଷତ୍ ରାଜନୈତିକ ଉଦ୍ଦେଶ୍ୟର ଆରୋପ ମଧ୍ୟ ଉଠିଛି। ଏକ ବୁଭୁକ୍ଷୁ ଭାରତକୁ କ୍ଷୁଧାମୁକ୍ତ ଏବଂ ବଳକା ଖାଦ୍ୟର ରାଷ୍ଟ୍ରରେ ପରିଣତ କରିଥିବା ଏହି ବୈଜ୍ଞାନିକଙ୍କ ପାତ୍ରତା ତ ସଂପୂର୍ଣ୍ଣ ପ୍ରଶ୍ନାତୀତ, ତେବେ ଯାହା ତାଙ୍କ ବିପକ୍ଷରେ ଯାଇଛି, ତାହା ହେଲା ତାଙ୍କ ଜନ୍ମ ମାଟି ତାମିଲନାଡୁ; କାରଣ କେତେକ ଅତି ସୂକ୍ଷ୍ମବୁଦ୍ଧିସଂପନ୍ନ ବିଶେଷଜ୍ଞଙ୍କ ମତରେ ସ୍ବାମୀନାଥନଙ୍କ ମନୋନୟନ ପଛରେ କୁଆଡ଼େ ରହିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ‘ତାମିଲ ତୁଷ୍ଟୀକରଣ’ର ଉଦ୍ୟମ; ସେହି କ୍ରମରେ ତାମିଲନାଡୁ ଦଖଲ ଦିଗରେ ଏକ କ୍ଷୁଦ୍ର ପଦପାତ! ଏହା ମଧ୍ୟ ହେଉଛି, ୨୦୨୪ ମସିହାରେ, ଠିକ୍ ନିର୍ବାଚନ ପୂର୍ବରୁ ସମ୍ମାନିତ ହେବାର ଦୁର୍ଭାଗ୍ୟ!