ନିର୍ମଳା ସୀତାରମଣ ଅବଶ୍ୟ ତାଙ୍କ ସରକାର ମୁଦ୍ରାସ୍ଫୀତି ହାରକୁ ୨-୬% ସୀମା ମଧ୍ୟରେ ବନ୍ଦୀ କରିପାରିଛନ୍ତି ବୋଲି ତାଙ୍କର ବଜେଟ୍‌ ଭାଷଣରେ ସଗର୍ବରେ ଦାବି କରିଥିଲେ; କିନ୍ତୁ ଏହା କେତେ ଦୂର ଉତ୍ତମ ଅର୍ଥନୈତିକ ପରିଚାଳନାର ଫଳ ଓ କେତେ ଦୂର ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ରିହାତି ଦରରେ କରୁଥିବା ବଣ୍ଟନର ଫଳ, ତାହା କିଏ ଜାଣେ? ନିର୍ବାଚନ ପରେ ଯେତେବେଳେ ଏଭଳି ସ୍କିମ୍‌ମାନ ବନ୍ଦ ହୋଇଯିବ (ଯେମିତି ‘ଭାରତ ଡାଲି’) ସେତେବେଳେ ମୁଦ୍ରାସ୍ଫୀତି ଯଦି ପୁଣି ମୁଣ୍ଡ ଟେକିବାକୁ ଆରମ୍ଭ କରେ, ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ଅବଲମ୍ବନ କରିଥିବା ଶକ୍ତ ସୁଧ ନୀତି ସେତେବେଳେ ତାକୁ ଚାପି ରଖି ସାଧାରଣ ଖାଉଟିମାନଙ୍କ କଷ୍ଟ ଲାଘବ କରିବାରେ ସହାୟକ ହେବ।

Advertisment

ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଯଦି କାହାକୁ ତାଙ୍କର ଉପଯୁକ୍ତ ଶିଷ୍ୟର ମର୍ଯ୍ୟାଦା ପ୍ରଦାନ କରିବାକୁ ଚାହୁଁଥିବେ, ତେବେ ସେଥିପାଇଁ ଯିଏ ବୋଧହୁଏ ସର୍ବାଧିକ ହକ୍‌ଦାର ବିବେଚିତ ହେବେ, ସେ ହେଉଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ନର୍ ଶକ୍ତିକାନ୍ତ ଦାସ ବା ତାଙ୍କ ନେତୃତ୍ବାଧୀନ ରିଜର୍ଭ ବ୍ୟାଙ୍କ୍‌ର ‘ମନିଟାରୀ ପଲିସି କମିଟି’ (‘ଏମ୍‌ପିସି’) ବୋଲି ନିରାପଦରେ କୁହାଯାଇପାରେ। ଏହାର ଏକ ସଦ୍ୟତମ ଉଦାହରଣ ସ୍ବରୂପ ଯାହା ଦେଖିବାକୁ ମିଳିଛି, ତାହା ହେଲା ଫେବ୍ରୁଆରି ପହିଲାରେ ସୀତାରମଣ ଉପସ୍ଥାପନ କରିଥିବା ଅନ୍ତରୀଣ କେନ୍ଦ୍ର ବଜେଟ୍‌ର ଠିକ୍ ପ୍ରାୟ ସପ୍ତାହକ ପରେ ‘ଏମ୍‌ପିସି’ ତା’ର ସଦ୍ୟତମ ଦ୍ବିମାସିକ ବୈଠକରେ ଗ୍ରହଣ କରିଥିବା କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି।
‌େଗାଟିଏ ଶବ୍ଦରେ ବର୍ଣ୍ଣନା କଲେ ସୀତାରମଣଙ୍କର ଏହି ପ୍ରାକ୍-ନିର୍ବାଚନୀ ବଜେଟ୍ ଥିଲା ଏକ ନିସ୍ତରଙ୍ଗ ବଜେଟ୍, ଯେଉଁଥିରେ ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ ଘଟା ଯାଇ ନ ଥିଲା। ବିତ୍ତମନ୍ତ୍ରୀଙ୍କୁ ଅନୁସରଣ କଲା ଭଳି ‘ଏମ୍‌ପିସି’ ମଧ୍ୟ ସ୍ଥିତାବସ୍ଥାକୁ ବଜାୟ ରଖି ଉଭୟ ‘ରେପୋ‌ ରେଟ୍’ ଏବଂ ନିଜର ଆଭିମୁଖ୍ୟ ବା ‘ଷ୍ଟାନ୍‌ସ’ରେ କୌଣସି ପରିବର୍ତ୍ତନ ନ ଘଟାଇବାକୁ ଏହାର ବୈଠକରେ ନିଷ୍ପତ୍ତି ନେଇଛି। ‘ରେପୋ ରେଟ୍‌’ରେ ହ୍ରାସ ଘଟିବ ବୋଲି ଶିଳ୍ପବାଣିଜ୍ୟ ପରିସରରୁ ଆରମ୍ଭ କରି ଖାଉଟି ଋଣକର୍ତ୍ତାମାନଙ୍କ ପର୍ଯ୍ୟନ୍ତ ଆଶା କରୁଥିଲେ ‌ହେଁ ଏହା ୬.୫%ରେ ଅପରିବର୍ତ୍ତିତ ରହିବା ଅର୍ଥ ନିକଟ ଭବିଷ୍ୟତରେ (ଅନ୍ତତଃ ଆସନ୍ତା ଦୁଇ ମାସ ପାଇଁ) ଦେଶରେ ଋଣ ଶସ୍ତା ହେବାକୁ ଯାଉନାହିଁ, ଅର୍ଥାତ୍ ଋଣ ବାଟ ଦେଇ ଅର୍ଥନୀତିରେ ଅଧିକ ନଗଦ କ୍ରୟଶକ୍ତି ପ୍ରବେଶ କରିବାକୁ ଯାଉନାହିଁ। ସେହିପରି ଅର୍ଥନୀତିରୁ ଅତିରିକ୍ତ କ୍ରୟଶକ୍ତି ପ୍ରତ୍ୟାହାର ଭିତ୍ତିକ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନ ଘଟାଇ ‘ଏମ୍‌ପିସି’ ନିଜର ‘ଷ୍ଟାନ୍‌ସ’ ଓ ‘ରେପୋ ରେଟ୍’ ମଧ୍ୟରେ ତାଳମେଳ ରକ୍ଷା କରିଛି। ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମାଧ୍ୟମରେ ରିଜର୍ଭ ବ୍ୟାଙ୍କ୍ ଯାହା ଘୋଷଣା କରିଛି‌ ବୋଲି କୁହାଯାଇପାରେ, ତାହା ହେଲା: ମୁଦ୍ରାସ୍ଫୀତି ବିରୋଧରେ ତାହାର ଲଢ଼େଇ ଅବ୍ୟାହତ ରହିଛି।
ଏଠାରେ ଅବଶ୍ୟ ଉଲ୍ଲେଖ କରାଯାଇପାରେ ଯେ ‘ଏମ୍‌ପିସି’ର ଛ’ଜଣ ସଦସ୍ୟମାନଙ୍କ ମଧ୍ୟରୁ ଜଣେ ସଦସ୍ୟ, ଅର୍ଥନୀତିଜ୍ଞ ଜୟନ୍ତ ବର୍ମା ନିଜର ପୂର୍ବ ଚିନ୍ତାଧାରାକୁ ବଜାୟ ରଖି ଏଥର ମଧ୍ୟ ‘ରେପୋ ରେଟ୍‌’ରେ ୨୫ ବେସିସ୍ ପଏଣ୍ଟ୍‌ (୦.୨୫%) ହ୍ରାସ ଘଟାଇବା ସପକ୍ଷରେ ଏକ ଭିନ୍ନମତ ପ୍ରଦାନ କରିଥିଲେ। ପ୍ରଫେସର୍ ବର୍ମାଙ୍କ ବିଚାରରେ ‘ରେପୋ ରେଟ୍‌’ରେ ହ୍ରାସ ନ ଘଟିବା ଦ୍ବାରା ଋଣ ମହଙ୍ଗା ହୋଇ ଓ ଚାହିଦା ସଂକୁଚିତ ହୋଇ ଅର୍ଥନୀତିର ଅଭିବୃଦ୍ଧିକୁ ବ୍ୟାହତ କରିବ। ରିଜର୍ଭ ବ୍ୟାଙ୍କ୍‌ର ଗଭର୍ନର୍‌ଙ୍କ ସମେତ ‘ଏମ୍‌ପିସି’ର ସଂଖ୍ୟାଗରିଷ୍ଠ ସଦସ୍ୟମାନେ କିନ୍ତୁ ବିଶ୍ବାସ କରନ୍ତି ଯେ ରିଜର୍ଭ ବ୍ୟାଙ୍କ୍‌ର ମୌଳିକ ଦାୟିତ୍ବ ହେଉଛି ଦେଶରେ ମୁଦ୍ରାସ୍ଫୀତିକୁ ଲଗାମ ଦେବା। ୨୦୧୫ରେ ଏହି ଦାୟିତ୍ବ ନିର୍ବାହ ସ୍ବରୂପ ରିଜର୍ଭ ବ୍ୟାଙ୍କ୍‌ ଅବଲମ୍ବନ କରିଥିବା ମୁଦ୍ରାସ୍ଫୀତି ନିଶାଣ ନୀତି ବା ‘ଇନ୍‌ଫ୍ଲେସନ୍ ଟାର୍ଗେଟିଙ୍ଗ୍’ ଅନୁସାରେ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ବା ଦରଦାମ୍ ବୃଦ୍ଧି ହାରକୁ ବାର୍ଷିକ ୪% ମଧ୍ୟରେ ସୀମିତ ରଖିବାକୁ ହେବ, ଯେଉଁଥିରେ ସାମୟିକ ଭାବରେ ୨% ହ୍ରାସବୃଦ୍ଧିକୁ ସହନ କରାଯାଇପାରେ। ଉଲ୍ଲେଖଯୋଗ୍ୟ ଯେ ଏହା ପର ବର୍ଷ, ୨୦୧୬ ଅକ୍‌ଟୋବର ଠାରୁ ‘ଏମ୍‌ପିସି’ କାର୍ଯ୍ୟ କରିବା ଆରମ୍ଭ କଲା। ଏହାର ଅର୍ଥ ‘ଇନ୍‌ଫ୍ଲେସନ୍ ଟାର୍ଗେଟିଙ୍ଗ୍’କୁ ପାଳନ କରି ଦେଶରେ ମୁଦ୍ରାସ୍ଫୀତିକୁ ବାର୍ଷିକ ୪ ଶତାଂଶ ହାରରେ ଅଟକାଇ ରଖିବା ହେଉଛି ରିଜର୍ଭ ବ୍ୟାଙ୍କ୍‌ର ‘ଏମ୍‌ପିସି’ର ମୂଳ ତଥା ବାଧ୍ୟତାମୂଳକ ଦାୟିତ୍ବ।
୨୦୧୬ ଅକ୍‌ଟୋବର ଠାରୁ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ୮୭ ମାସ ଧରି ରିଜର୍ଭ ବ୍ୟାଙ୍କ୍ ତାହାର ଏହି ଗୁରୁଦାୟିତ୍ବ ପାଳନ କରିବାରେ କିଭଳି ସଫଳତା ଅର୍ଜନ କରିଛି, ତାହାର ଏକ କ୍ଷିପ୍ର ଅନୁଧ୍ୟାନ ଏଠାରେ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ଏଠାରେ ମନେ ରଖିବା କଥା ଯେ ଉପରୋକ୍ତ ୨% ହ୍ରାସବୃଦ୍ଧି ସୀମା ଅନୁସାରେ, ମୁଦ୍ରାସ୍ଫୀତି ନିଶାଣ ୪%ରେ ସ୍ଥିର କରାଯାଇଥିଲେ ହେଁ, ତାହାର ଉପର ଓ ତଳ ସହନସୀମା ହେଉଛି ଯଥାକ୍ରମେ ୬% ଓ ୨%। ଦେଖାଯାଇଛି ଯେ ୨୦୧୬ ଠାରୁ ୨୦୧୯ ମଧ୍ୟରେ ରିଜର୍ଭ ବ୍ୟାଙ୍କ୍ ଦେଶରେ ମୁଦ୍ରାସ୍ଫୀତି ହାରକୁ ପ୍ରାୟ ୪% କିମ୍ବା ତା’ର ତଳେ ସୀମିତ କରି ରଖିବାରେ ସଫଳ ହୋଇ ସମସ୍ତଙ୍କର ପ୍ରଶଂସାଭାଜନ ହୋଇପାରିଥିଲା। ୨୦୧୯ ପରେ ରିଜର୍ଭ ବ୍ୟାଙ୍କ୍ ପାଇଁ ମୁଦ୍ରାସ୍ଫୀତି କିନ୍ତୁ ଅମଣିଆ ହୋଇପଡ଼ିଛି। ଏହି ସମୟରେ ମୁଦ୍ରାସ୍ଫୀତି ହାର କେବଳ ଯେ ୪%କୁ ଅତିକ୍ରମ କରିଯାଇଛି, ତାହା ନୁହେଁ, ଅନେକ ସମୟରେ ଉପର ସହନସୀମା ୬%କୁ ମଧ୍ୟ ଅତିକ୍ରମ କରିଯିବା ଦେଖାଯାଇଛି। ଏପରିକି ଏଥିଯୋଗୁଁ କେତେକଙ୍କ ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହେବାକୁ ଆରମ୍ଭ କଲାଣି ଯେ ‘ଇନ୍‌ଫ୍ଲେସନ୍ ଟାର୍ଗେଟିଙ୍ଗ୍’ ଅନୁସାରେ ସ୍ଥିର କରାଯାଇଥିବା ନିଶାଣ ହେଉଛି ୬% (୪% ନୁହେଁ)।
ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଉପରୋକ୍ତ ବିଗତ ୮୭ ମାସ ମଧ୍ୟରୁ ରିଜର୍ଭ ବ୍ୟାଙ୍କ୍ ୨୬ ମାସ ପାଇଁ ମୁଦ୍ରାସ୍ଫୀତି ହାରକୁ ୪% କିମ୍ବା ତା’ ଠାରୁ କମ୍ ସ୍ତରରେ ସୀମିତ କରି ରଖିପାରିଛି। ବାକି ୬୧ ମାସ ମଧ୍ୟରୁ ୨୭ ମାସ ପାଇଁ ମୁଦ୍ରାସ୍ଫୀତି ହାର ୬% ସର୍ବୋଚ୍ଚ ସହନସୀମା ଊର୍ଦ୍ଧ୍ବରେ ରହିଛି। ୨୦୧୯ ଅକ୍‌ଟୋବର ପରଠାରୁ ଲଗାତାର ୫୧ ମାସ ଧରି ମୁଦ୍ରାସ୍ଫୀତି ହାର ୪%ରୁ ଅଧିକ ହୋଇଛି ଓ ସେଥିମଧ୍ୟରୁ ୨୭ ମାସ ପାଇଁ ତାହା ୬%ରୁ ଅଧିକ ହୋଇଛି। ଏଥିରୁ ସହଜରେ ବୁଝାପଡ଼ିଥାଏ କିପରି ଆରମ୍ଭରେ ୪% ମୁଦ୍ରାସ୍ଫୀତି ନିଶାଣ ରିଜର୍ଭ ବ୍ୟାଙ୍କ୍ ପାଇଁ ଏକ ସହଜରେ ହାସଲ କରାଯାଇ ପାରିବା ଲକ୍ଷ୍ୟ ଭଳି ପ୍ରତୀୟମାନ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ଏହା ତା’ ପାଇଁ ଏକ ଡାହାଣୀ ଆଲୁଅରେ ପରିଣତ ହୋଇଛି, ଯାହାକୁ ଧରିବା ଦୂରର କଥା, ଛୁଇଁବା ମଧ୍ୟ ସମ୍ଭବ ହୋଇନାହିଁ। ଡାହାଣୀ ଆଲୁଅ ବେଳେବେଳେ ହାତ ପାଆନ୍ତାକୁ ଆସି ଯିବାର ଭ୍ରାନ୍ତି ସୃଷ୍ଟି କଲା ଭଳି ଏକ ସମୟରେ ଗତ ବର୍ଷ ଏପ୍ରିଲ୍-ମଇରେ ଏହି ୪% ନିଶାଣ ଭେଦ ହେବା ଭଳି ମନେ ହୋଇଥିଲା; କିନ୍ତୁ ଖାଦ୍ୟ ସାମଗ୍ରୀର ଦରଦାମ୍‌ରେ ତୀକ୍ଷ୍‌ଣ ବୃଦ୍ଧି ଘଟିବା ଯୋଗୁଁ ତାହା ପୁଣି ଅବିଳମ୍ବେ ଦ୍ରୁତ ବେଗରେ ଆରୋହଣ କରି ୭% ସୀମା ମଧ୍ୟ ଅତିକ୍ରମ କରିଗଲା। ରିଜର୍ଭ ବ୍ୟାଙ୍କ୍ ଏକ ବାସ୍ତବବାଦୀ ଆଭିମୁଖ୍ୟ ଗ୍ରହଣ କରି ତୁରନ୍ତ ଏହି ୪% ହାର ହାସଲ କରିବା ପାଇଁ ଆଶା ବାନ୍ଧି ନ ବସି ୨୦୨୩-୨୪ରେ ତାହା ୫.୪% ଓ ୨୦୨୪-୨୫ରେ ତାହା ୪.୫% ହେବ ବୋଲି ପୂର୍ବାନୁମାନ ପ୍ରକାଶ କରିଛି। ଏହା ପୁଣି ଅବଶ୍ୟ ମୌସୁମୀ ବୃଷ୍ଟିପାତରେ ନିୟମିତତା ଓ ଯୋଗାଣ ପାର୍ଶ୍ବରେ କୌଣସି ଯୁଦ୍ଧ ବା ପାଣ୍ଡେମିକ୍ ଭଳି ବିଭ୍ରାଟ ସୃଷ୍ଟିକାରୀ ଘଟଣାର ଅନୁପସ୍ଥିତି ଉପରେ ନିର୍ଭର କରିଥାଏ।
ଏଥିରୁ ସହଜରେ ବୁଝା ପଡ଼ିଥାଏ ଏଥରର ବୈଠକରେ ଲଗାତାର ଷଷ୍ଠଥର ପାଇଁ ‘ରେପୋ ରେଟ୍‌’କୁ ଅପରିବର୍ତ୍ତିତ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ର ‘ଏମ୍‌ପିସି’ କାହିଁକି ନିଷ୍ପତ୍ତି ନେଇଛି। କମିଟିର ସଦସ୍ୟମାନଙ୍କୁ ଭଲରୂପେ ଜଣା ଯେ ଏକ କୋହଳ ନୀତି ଅବଲମ୍ବନ କରି ବର୍ତ୍ତମାନ ସୁଧ ହାରରେ ହ୍ରାସ ଘଟାଇଲେ କିଛି ବିଳମ୍ବରେ ହୁଏତ ତାହାର ପ୍ରଭାବରେ ଖାଉଟି ଦରଦାମ୍‌ରେ ବୃଦ୍ଧି ଘଟିବ, ଯାହା ନିମ୍ନ ଆୟ ବର୍ଗ ପାଇଁ ଅଧିକ କଷ୍ଟଦାୟକ ହୋଇଥାଏ। ନିର୍ମଳା ସୀତାରମଣ ଅବଶ୍ୟ ତାଙ୍କ ସରକାର ମୁଦ୍ରାସ୍ଫୀତି ହାରକୁ ୨-୬% ସୀମା ମଧ୍ୟରେ ବନ୍ଦୀ କରିପାରିଛନ୍ତି ବୋଲି ତାଙ୍କର ବଜେଟ୍‌ ଭାଷଣରେ ସଗର୍ବରେ ଦାବି କରିଥିଲେ; କିନ୍ତୁ ଏହା କେତେ ଦୂର ଉତ୍ତମ ଅର୍ଥନୈତିକ ପରିଚାଳନାର ଫଳ ଓ କେତେ ଦୂର ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ରିହାତି ଦରରେ କରୁଥିବା ବଣ୍ଟନର ଫଳ, ତାହା କିଏ ଜାଣେ? ନିର୍ବାଚନ ପରେ ଯେତେବେଳେ ଏଭଳି ସ୍କିମ୍‌ମାନ ବନ୍ଦ ହୋଇଯିବ (ଯେମିତି ‘ଭାରତ ଡାଲି’) ସେତେବେଳେ ମୁଦ୍ରାସ୍ଫୀତି ଯଦି ପୁଣି ମୁଣ୍ଡ ଟେକିବାକୁ ଆରମ୍ଭ କରେ, ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ଅବଲମ୍ବନ କରିଥିବା ଶକ୍ତ ସୁଧ ନୀତି ସେତେବେଳେ ତାକୁ ଚାପି ରଖି ସାଧାରଣ ଖାଉଟିମାନଙ୍କ କଷ୍ଟ ଲାଘବ କରିବାରେ ସହାୟକ ହେବ।