ଶର୍କରାର ପଦଚିହ୍ନ

ବହୁଦେଶୀୟ କଂପାନିଗୁଡ଼ିକ ପ୍ରଦାନ କରୁଥିବା ଯୁକ୍ତିକୁ ସାବ୍ୟସ୍ତ କଲା ଭଳି ଭାରତୀୟ ଖାଦ୍ୟ ସଂସ୍କୃତିରେ ଉଲ୍ଲାସର ଅଭିବ୍ୟକ୍ତି, ଉତ୍ସବ ପାଳନର ପରିବେଶ ବା ମଙ୍ଗଳ ସନ୍ଦେଶ ଜ୍ଞାପନର ‘ମେଟାଫର’ ହେଉଛି ମିଷ୍ଟାନ୍ନ, ଯେଉଁ କାରଣରୁ ‘ଚିନି ମୁକ୍ତ’ ବା ‘ସୁଗାର ଫ୍ରି’ ମିଷ୍ଟାନ୍ନ ଭଳି ବିରୋଧାଭାସ ସଂପନ୍ନ ଦ୍ରବ୍ୟ ଭାରତୀୟ ମଧୁମେହ ରୋଗୀମାନଙ୍କ ସକାଶେ ଦୁଃଖହାରୀର ଅବତାରରେ ଅବତୀର୍ଣ୍ଣ; ଯଦିଓ ଏହା ଏକ ଭିନ୍ନ ପ୍ରସଙ୍ଗ ଯେ ଚିନିର ବିକଳ୍ପ ଭାବେ ବ୍ୟବହୃତ ରାସାୟନିକଗୁଡ଼ିକ ସ୍ବାସ୍ଥ୍ୟ ଲାଗି ମଧ୍ୟ କ୍ଷତିକାରକ!

‘ପବ୍ଲିକ୍‌ ଆଇ’ ନାମକ ସ୍ବିଜରଲାଣ୍ଡର ଏକ ଅନୁଷ୍ଠାନ ପକ୍ଷରୁ ଜଗତ୍‌ ବିଖ୍ୟାତ କଂପାନି ‘ନେସ୍‌ଲେ’ ଦ୍ବାରା ପ୍ରସ୍ତୁତ ଶିଶୁ-ଖାଦ୍ୟ ଗୁଣମାନ ପରୀକ୍ଷା ପରେ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି, ତାହା ହେଲା ପାଶ୍ଚାତ୍ୟ ଧନିକ ଦେଶଗୁଡ଼ିକ (ଉତ୍ତର ଗୋଲାର୍ଧ ଅନ୍ତର୍ଭୁକ୍ତ)ରେ ଯେଉଁ ଶିଶୁ-ଖାଦ୍ୟ ‘ଶର୍କରାମୁକ୍ତ’ ହୋଇ ଉପଲବ୍‌ଧ, ତାହା ପୃଥିବୀର ଦକ୍ଷିଣ ଗୋଲାର୍ଧ ଅନ୍ତର୍ଭୁକ୍ତ ଅର୍ଥାତ୍‌ ଆଫ୍ରିକୀୟ, ଏସୀୟ ଏବଂ ଲାଟିନ ଆମେରିକୀୟ ରାଷ୍ଟ୍ରଗୁଡ଼ିକରେ ‘ଶର୍କରାଯୁକ୍ତ’ ହୋଇ ବଜାରରେ ରାଜୁତି କରୁଛନ୍ତି। ‘ଚିନି’ ବା ‘ଶର୍କରା’ ଉତ୍ତମ ସ୍ବାସ୍ଥ୍ୟର ସର୍ବାଧିକ ବଡ଼ ଶତ୍ରୁ ହୋଇଥିବା ଦୃଷ୍ଟିରୁ ଦକ୍ଷିଣ ଗୋଲାର୍ଧର ଶିଶୁ ଏବଂ ନାଗରିକଙ୍କ ଲାଗି ଏହା ଯେ ନିତାନ୍ତ ଉଦ୍‌ବେଗଜନକ, ତହିଁରେ ସନ୍ଦେହ ନାହିଁ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଦକ୍ଷିଣ ଗୋଲାର୍ଧରେ ଅବସ୍ଥିତ ମଧ୍ୟମ ଏବଂ ସ୍ବଳ୍ପ ଆୟକାରୀ ରାଷ୍ଟ୍ରର ନାଗରିକମାନଙ୍କ ଜୀବନକୁ ଏଭଳି ବହୁ ରାଷ୍ଟ୍ରୀୟ କଂପାନିଗୁଡ଼ିକ ଶସ୍ତା ବୋଲି ମଣନ୍ତି କି? ନା ସେମାନେ କେବଳ ଏହି ଅଞ୍ଚଳ‌ର ଜନ ଅସଚେତନତାର ସୁଯୋଗ ନେଇ ବ୍ୟବସାୟ ବୃଦ୍ଧି ସକାଶେ ଏଭଳି କୌଶଳ ଆପଣାଇ ଥାଆନ୍ତି ଯାହା?
କଅଁଳା ଶିଶୁଙ୍କ ଖାଦ୍ୟ ପ୍ରସ୍ତୁତକାରୀ ଏହି ପ୍ରକାଣ୍ଡ ବହୁରାଷ୍ଟ୍ରୀୟ କଂପାନି ପକ୍ଷରୁ ଅବଶ୍ୟ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ ଗଲା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଉପଲବ୍‌ଧ ସେମାନଙ୍କ ଶିଶୁ ଖାଦ୍ୟରେ ‘ଚିନି’ର ଅଂଶକୁ ହ୍ରାସ କରାଯାଉଛି; କିନ୍ତୁ ବିଡ଼ମ୍ବନାଟି ଏହା ସତ୍ତ୍ବେ ଭାରତୀୟ ବଜାରରେ ଉପଲବ୍‌ଧ ‌ସେହି କଂପାନିର ସର୍ବାଧିକ ବିକ୍ରି ହେଉଥିବା ଶିଶୁ ଖାଦ୍ୟର ଡବାରେ ଥିବା ଚାମଚ ମାପ ଅନୁସାରେ ଗୋଟିଏ ଚାମଚରେ ୨୭ ଗ୍ରାମ ଚିନି ବିଦ୍ୟମାନ। ସାଧାରଣତଃ, କଂପାନିଗୁଡ଼ିକ ପକ୍ଷରୁ ପ୍ରଦତ୍ତ ଯୁକ୍ତି ଅନୁସାରେ ଖାଦ୍ୟ ସଂସ୍କୃତି ଏବଂ ସ୍ବାଦଗତ ପସନ୍ଦ ଆଧାରରେ ବିଭିନ୍ନ ଅଞ୍ଚଳରେ ସେହି ଗୋଟିଏ ଦ୍ରବ୍ୟରେ ଉପାଦାନଗତ ତାରତମ୍ୟ ଦେଖିବାକୁ ମିଳିପାରେ। କିନ୍ତୁ, ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଥାଆନ୍ତି ଯେ ଦକ୍ଷିଣ ଗୋଲାର୍ଧର ଅତ୍ୟନ୍ତ ଜନ-ସାନ୍ଦ୍ର ରାଷ୍ଟ୍ରଗୁଡ଼ିକର ବିଶାଳ ବଜାରର ସୁଯୋଗ ନେବାର ପ୍ରଲୋଭନ ଶିଶୁ ଖାଦ୍ୟକୁ ଅଧିକ ସୁମିଷ୍ଟ କରିବାକୁ ପ୍ରରୋଚିତ କରିଛି, ଯାହା ଶିଶୁମାନଙ୍କ ଲାଗି ଅତ୍ୟନ୍ତ ସ୍ବାଦିଷ୍ଠ ହେଲେ ମଧ୍ୟ ସେମାନଙ୍କ ସ୍ବାସ୍ଥ୍ୟ ଲାଗି ଅହିତକର। ଯଦିଓ ଏଭଳି ଦୃଷ୍ଟିକୋଣ ଦ୍ବାରା ବହୁଦେଶୀୟ କଂପାନିଗୁଡ଼ିକ ଜୀବନର ମୂଲ୍ୟକୁ ବିତ୍ତଶାଳୀ ଏବଂ ସ୍ବଳ୍ପ ସଂପନ୍ନ ରାଷ୍ଟ୍ର ଭିତ୍ତିରେ ବିଭାଜିତ କରିଥିବାର ଆରୋପ ହୋଇଥାଏ, ଏହା ମଧ୍ୟ ଏକ ବାବସ୍ତବତା ଯେ ସଂପନ୍ନ ରାଷ୍ଟ୍ରରେ ଏ ନେଇ ରହିଥିବା କଡ଼ା କଟକଣା ଭାରତ ଭଳି ଦକ୍ଷିଣ ଗୋଲାର୍ଧର ଦେଶଗୁଡ଼ିକରେ ପରିଦୃଷ୍ଟ ହୋଇ ନ ଥାଏ।
ଅନେକ ପ୍ରସିଦ୍ଧ ଗବେଷକ (ପ୍ରିନ୍‌ସଟନ୍‌ ବିଶ୍ବବିଦ୍ୟାଳୟର ଡକ୍ଟର ନିକୋଲ ଆଭନାଙ୍କ ଭଳି)ଙ୍କ ଗବେଷଣାମାନ ସାବ୍ୟସ୍ତ କଲାଣି ଯେ ‘ଚିନି’ ଏବଂ ‘କୋକେନ୍‌’ ଊଣାଅଧିକେ ସମାନ ପ୍ରକାର ଆସକ୍ତି ସୃଷ୍ଟି କରନ୍ତି; ଜିହ୍ବାର ସ୍ବାଦ ଗ୍ରନ୍ଥିମାନ ଚିନି ବା ମିଠାର ସଂସ୍ପର୍ଶରେ ଆସିବା ମାତ୍ରକେ ମସ୍ତିିଷ୍କରେ ସୃଷ୍ଟି ହେଉଥିବା ଆଲୋଡ଼ନ ଏକାଧାରରେ ସୁଖାନୁଭୂତି ପ୍ରଦାନକାରୀ ‘ଡୋପାମିନ୍‌’ ଏବଂ ଚାପ ସୃଷ୍ଟିକାରୀ ‘କର୍ଟିସଲ’ ନାମକ ହରମୋନ କ୍ଷରଣ କରିଥାଏ (କୋକେନ୍‌ ଭଳି); ଯାହା ମିଠା ପ୍ରତି ତୀବ୍ର ଆସକ୍ତି ସୃଷ୍ଟି କରିଥାଏ। ବିଶେଷଜ୍ଞମାନଙ୍କ ମତରେ ଶିଶୁ ଖାଦ୍ୟରେ ଚିନିର ବ୍ୟବହାର ପଛରେ ଏହା ଏକ କାରଣ ହୋଇଥିବା ସମ୍ଭବ। ସେମାନଙ୍କ ମତରେ ଏଭଳି ଶିଶୁ ଖାଦ୍ୟ ଦୁଇ ମାସର କଅଁଳ ଛୁଆଙ୍କ ଠାରୁ ଆରମ୍ଭ କରି ୩ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କ ରସନାକୁ ଏଭଳି ମିଠା ପ୍ରୀତିରେ ରଂଜିତ କରେ ଯେ ସେମାନେ ମିଷ୍ଟାନ୍ନ ପ୍ରେମୀ ହୋଇ ବଢ଼ନ୍ତି ଏବଂ ଖୁବ୍‌ ଶୀଘ୍ର ମେଦ ବହୁଳତା ଏବଂ ଭବିଷ୍ୟତ୍‌ରେ ମଧୁମେହ ଦ୍ବାରା ସେମାନେ ଆକ୍ରାନ୍ତ ହେବାର ମାର୍ଗ ଫିଟିଯାଏ। ସଂପ୍ରତି ଭାରତରେ ୧୦ ବର୍ଷରୁ ୧୭ ବର୍ଷ ବୟସର ପିଲାଙ୍କ ମଧ୍ୟରୁ ପ୍ରତି ଛଅ ଜଣରେ ଜଣେ ମେଦବହୁଳତାର ଶିକାର। ସେହିଭଳି ବର୍ତ୍ତମାନ ପ୍ରାୟ ୧୦ କୋଟି ଭାରତୀୟ ମଧୁମେହ ଦ୍ବାରା ଆକ୍ରାନ୍ତ ଏବଂ ୧୩ କୋଟି ମଧୁମେହୀ ହେବାର ଦ୍ବାର ଦେଶରେ। ଏ ପରିପ୍ରେକ୍ଷୀରେ ଆଉ ଏକ ଉଦ୍‌ବେଗଜନକ ବିଷୟ ହେଲା ଏଭଳି ଖାଦ୍ୟ ପ୍ରସ୍ତୁତକାରୀ କଂପାନିଗୁଡ଼ିକ ଅବଲମ୍ବନ କରୁଥିବା କୂଟ-କୌଶଳ; ଯେଉଁ କାରଣରୁ ଅନେକ ସ୍ବାସ୍ଥ୍ୟ ସଚେତନ ଭାରତୀୟ ସେମାନଙ୍କ ଅଗୋଚରରେ ମାତ୍ରାତିରିକ୍ତ ଶର୍କରା ଖାଆନ୍ତି; ଯେମିତି କି ଗୋଟିଏ ୫୦୦ ମିଲିଲିଟର ମୃଦୁ ପାନୀୟ ବୋତଲର ଉପରେ ଥିବା ଷ୍ଟିକରରେ ମାତ୍ର ୧୦୦ ମି.ଲି. ପାନୀୟରେ ଚିନିର ଅଂଶ କେତେ, ତାହା ଥାଇପାରେ ଏବଂ ସଚେତନ ଗ୍ରାହକ ଅଗତ୍ୟା ଏହି କୌଶଳକୁ ଠାବ କରିବାରେ ଅସମର୍ଥ ହୋଇପାରେ! ସେହିଭଳି ନିରୀହ ଶର୍କରା ଶୂନ୍ୟ ବୋଲି ବିବେଚିତ ‘ଟମାଟୋ କେଚ୍‌ଅପ୍‌’ ହେଉ ବା ‘ପ୍ରୋଟିନ ବାର୍‌’ ଅଥବା ‘ସାଲାଡ୍‌ ଡ୍ରେସିଂ’ ଇତ୍ୟାଦି ମଧ୍ୟ ଅଦୃଶ୍ୟ ଚିନିର ଧାରକ ହୋଇଥାଆନ୍ତି, ଯାହା ଯଥାକ୍ରମେ ୫୨ ଗ୍ରାମ, ୧୦ ଗ୍ରାମ ଏବଂ ୧୦୦ ଗ୍ରାମ ହୋଇପାରେ। ସେହିଭଳି ଗ୍ଲୁକୋଜ୍‌, ସୁକ୍ରୋଜ, ଫ୍ରୁକ୍‌ଟୋଜ, ମାଲଟୋଜ୍‌, ଲାକ୍‌ଟୋଜ, ଡେକ୍‌ସଟାରୋଜ, ଷ୍ଟାର୍ଚ ଇତ୍ୟାଦି ଭଳି ଶର୍କରର ବିଭିନ୍ନ ରୂପ ସହିତ ପରିିଚିତ ନ ଥିବା ଅନେକ ଗ୍ରାହକ ସତର୍କତା ସତ୍ତ୍ବେ ସେମାନଙ୍କ ଖାଦ୍ୟରେ ଶର୍କରାର ଉପସ୍ଥିତିକୁ ଜାଣି ମଧ୍ୟ ପାରନ୍ତି ନାହିଁ। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଅନୁସାରେ ଜଣେ ସୁସ୍ଥ ବ୍ୟକ୍ତି ସକାଶେ ଦିନକର ଆବଶ୍ୟକତା ୫୦ ଗ୍ରାମ ଚିନି; ଅର୍ଥାତ୍‌ ୧୦ ଛୋଟ ଚାମଚ; ସୁତରାଂ, ଏତେ ପରିମାଣର ଚିନି ଖାଉ ନ ଥିବାର ଧାରଣା ଅନେକଙ୍କୁ ସାନ୍ତ୍ବନା ପ୍ରଦାନ କରିଥାଏ। କିନ୍ତୁ କ୍ରୂର ବାସ୍ତବତା ହେଲା ମାତ୍ର ଗୋଟିଏ ବୋତଲ ମୃଦୁ ପାନୀୟରୁ ୭୦ ଗ୍ରାମ ପର୍ଯ୍ୟନ୍ତ ଶର୍କରା ତତ୍‌କ୍ଷଣାତ୍‌ ଅତି ସାବଲୀଳ ଭାବେ ଶରୀରରେ ପ୍ରବେଶ କରିଥାଏ। ଆଉ ଏକ ବିଡ଼ମ୍ବନା ହେଲା, ବହୁଦେଶୀୟ କଂପାନିଗୁଡ଼ିକ ପ୍ରଦାନ କରୁଥିବା ଯୁକ୍ତିକୁ ସାବ୍ୟସ୍ତ କଲା ଭଳି ଭାରତୀୟ ଖାଦ୍ୟ ସଂସ୍କୃତିରେ ଉଲ୍ଲାସର ଅଭିବ୍ୟକ୍ତି, ଉତ୍ସବ ପାଳନର ପରିବେଶ ବା ମଙ୍ଗଳ ସନ୍ଦେଶ ଜ୍ଞାପନର ‘ମେଟାଫର’ ହେଉଛି ମିଷ୍ଟାନ୍ନ, ଯେଉଁ କାରଣରୁ ‘ଚିନି ମୁକ୍ତ’ ବା ‘ସୁଗାର ଫ୍ରି’ ମିଷ୍ଟାନ୍ନ ଭଳି ବିରୋଧାଭାସ ସଂପନ୍ନ ଦ୍ରବ୍ୟ ଭାରତୀୟ ମଧୁମେହ ରୋଗୀମାନଙ୍କ ସକାଶେ ଦୁଃଖହାରୀର ଅବତାରରେ ଅବତୀର୍ଣ୍ଣ; ଯଦିଓ ଏହା ଏକ ଭିନ୍ନ ପ୍ରସଙ୍ଗ ଯେ ଚିନିର ବିକଳ୍ପ ଭାବେ ବ୍ୟବହୃତ ରାସାୟନିକଗୁଡ଼ିକ ସ୍ବାସ୍ଥ୍ୟ ଲାଗି ମଧ୍ୟ କ୍ଷତିକାରକ!
କହିବା ବାହୁଲ୍ୟ ଯେ ଏଭଳି ସ୍ଥଳେ ପ୍ରତିକାରର ଏକ ଉପାୟ ହେଉଛି ଉଭୟ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଦ୍ବାରା ଆକର୍ଷଣୀୟ ପ୍ୟାକେଟ୍‌ରେ ବିକ୍ରି ହେଉଥିବା ବିମୋହକ ଖାଦ୍ୟ ଦ୍ରବ୍ୟଗୁଡ଼ିକର ବୈଜ୍ଞାନିକ ବିଶ୍ଳେଷଣ କରି ଅଦୃଶ୍ୟ ଅପତତ୍ତ୍ବଗୁଡ଼ିକୁ ଠାବ କରିବା, ଯାହା ଏହି କ୍ଷେତ୍ରରେ ଅଗତ୍ୟା ଏକ ସ୍ବିଜରଲାଣ୍ଡସ୍ଥିତ ଅନୁଷ୍ଠାନ କରିଛି। ସୁସ୍ଥ ଭାରତ ପରିପ୍ରେକ୍ଷୀରେ ଏହା ଅନିବାର୍ଯ୍ୟ; କାରଣ ଇତିମଧ୍ୟରେ ଆମ ଦେଶରେ ‘ସାକ୍ଷର’ଙ୍କ ତୁଳନା‌ରେ ‘ବ୍ରାଣ୍ଡ-ସାକ୍ଷର’ଙ୍କ ସଂଖ୍ୟା ଅଧିକ ହେଲାଣି, ଯହିଁରେ ଶିଶୁଙ୍କ ଠାରୁ ଆରମ୍ଭ କରି ପରିଣତ ବସ୍କଙ୍କ ପର୍ଯ୍ୟନ୍ତ ‘ଅକ୍ଷର ଜ୍ଞାନ ବିବର୍ଜିତ’ ଭାରତୀୟମାନେ ଦୋକାନ ଥାକରେ ଥିବା ନିଜ ପସନ୍ଦର ଚକୋଲେଟ୍‌ ବା ଚିପ୍‌ସ ବା ନୁଡଲ୍‌ସ ବା ମୃଦୁ ପାନୀୟ ଚିହ୍ନଟ କରି ଉଦରସାତ୍‌ କରିବାରେ ବ୍ୟସ୍ତ। ସେହି ଦୃଷ୍ଟିରୁ ୨୦୨୧ ମସିହାରେ କୋକାକୋଲାର ସି.ଇ.ଓ ରିୟା ପାଂଚାଲଙ୍କ ସେହି ପ୍ରସିଦ୍ଧ ଟ୍ବିଟ୍‌ରେ ବିସ୍ମିତ ହେବାର କୌଣସି କାରଣ ନ ଥିଲା, ଯାହା କହିଥିଲା: ‘ଆମର ପ୍ରତିଦ୍ବନ୍ଦ୍ବୀ ପେପ୍‌ସି ନୁହେଁ, ଆମ ପ୍ରତିଦ୍ବନ୍ଦ୍ବୀ ହେଉଛି ପାନୀୟ ଜଳ।’ ସୁତରାଂ, ବିଡ଼ମ୍ବିତ ପ୍ରଶ୍ନ ହେଲା ଏହି ପ୍ରତିଦ୍ବନ୍ଦ୍ବିତାରେ ମୃଦୁ ପାନୀୟଗୁଡ଼ିକ କ୍ରମେ ସଫଳ ହେଲେଣି କି? ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରରେ ତୃଷାର୍ତ୍ତ ଏବଂ ଶୁଷ୍କ ଭାରତୀୟଗଣ ତଣ୍ଟି ‘ସୁଶୀତଳ ପ୍ରାଣ ବିନ୍ଦୁ ଜଳ’ ପରିବର୍ତ୍ତେ ‘ହିମ ଶୀତଳ ମଧୁର ପାନୀୟ’ ଗଳାଧଃକରଣ କରିବା ସହିତ ‘ୟେ ମନ ଆହୁରି ଚାହୁଛି’ ବୋଲି ଶୋଷିଲା ଚାହାଣି ଦେଉଛନ୍ତି କି? ସେଥି ଲାଗି ଭାରତୀୟମାନଙ୍କ ରକ୍ତରେ ଶର୍କରାର ପଦଚିହ୍ନ ଅଧିକ ଦିଶିବାରେ ଲାଗିଛି କି?

ସମ୍ବନ୍ଧିତ ଖବର