ଶାପଗ୍ରସ୍ତ ବାଡୁଅ!

ଏହା ସୁବିଦିତ ଯେ ହରିୟାଣା ଭଳି ଏକ ତୀବ୍ର ପୁରୁଷପ୍ରଧାନ ସମାଜରେ ଅନେକତ୍ର କନ୍ୟା ଭ୍ରୂଣ ହତ୍ୟାକୁ ଯଥାର୍ଥ ବୋଲି ମନେ କରାଯାଏ ଏବଂ ପୁତ୍ର ସନ୍ତାନର ଜନନୀ ହୋଇ ନ ପାରିବାର ଅପଯଶ, ଲାଂଛନା ଓ ଗ୍ଳାନିରୁ ମୁକ୍ତ ହେବା ଲାଗି ଅନେକ ମହିଳା ମଧ୍ୟ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଓ କନ୍ୟା ହୋଇଥିଲେ ଭ୍ରୂଣ ହତ୍ୟା ସକାଶେ ସହମତ ହୋଇ ଯାଆନ୍ତି। କିନ୍ତୁ ଏଥିରେ ନିହିତ ଅସଂଗତିଟି ହେଲା ଏହା ଦ୍ବାରା ଅଧିକ ପୁତ୍ର ସନ୍ତାନଙ୍କୁ ଭୂମିଷ୍ଠ କରାଇ ସେମାନେ ନିଜ ଅଗୋଚରରେ ଭବିଷ୍ୟତ୍‌ର ବାଡୁଅମାନଙ୍କ ଜନନୀରେ ପରିଣତ ହୁଅନ୍ତି। ଏହା ଫଳରେ ଏକ ଦୁଷ୍ଟ ଚକ୍ରର ସୃଷ୍ଟି ହୋଇଛି, ଅର୍ଥାତ୍‌ ବଂଶ ରକ୍ଷା ଲାଗି ଅନିବାର୍ଯ୍ୟ ଭାବେ ଲୋଡ଼ା ଯାଉଥିବା ପୁତ୍ର ସନ୍ତାନମାନଙ୍କ ମଧ୍ୟରୁ ଅନେକ ବଂଶ ଆରମ୍ଭ କରିବାକୁ ମଧ୍ୟ ଅସମର୍ଥ!

ମାସାଧିକ କାଳ ଧରି ଏହି ସାଧାରଣ ନିର୍ବା‌ଚନ ସମଗ୍ର ଦେଶକୁ ଚାଞ୍ଚଲ୍ୟ-ଜର୍ଜର କରି ରଖିଥିବା ବେଳେ ଯେଉଁ କୌତୂହଳପ୍ରଦ ଅଥଚ ଗମ୍ଭୀର ଘଟଣାଟିଏ ଅଗତ୍ୟା ଦୃଷ୍ଟି ଆଢୁଆଳରେ ରହିଯାଇଛି, ତାହା ହେଲା ହରିୟାଣାର ଲକ୍ଷାଧିକ ଅଭିଆଡ଼ା (ଅବିବାହିତ) ଓ ବିପତ୍ନୀକମାନଙ୍କ ଦ୍ବାରା ଆସନ୍ତା ୨୫ ତାରିଖରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନକୁ ସଂପୂର୍ଣ୍ଣ ବର୍ଜନ କରିବାର ନିଷ୍ପତ୍ତି। ପ୍ରକାଶ ଥାଉ କି ଏଭଳି ଏକ ନିର୍ଣ୍ଣୟ ପଛରେ ନିହିତ କାରଣଟି ହେଲା ପୂର୍ବ ଦୁଇଟି ଯାକ ନିର୍ବାଚନ (୨୦୧୪ ଓ ୨୦୧୯) ସମୟରେ ଏହି ବର୍ଗଙ୍କ ସକାଶେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକୁ ପୂରଣ କରା ଯାଇ ନ ଥିବାର କ୍ଷୋଭ। କିନ୍ତୁ, ଏହି ପ୍ରସଙ୍ଗର ଆଲୋଚନା କାଳରେ ଯାହା ଉଜାଗର ହୋଇଥାଏ, ତାହା ହେଲା ସମାଜ ଦ୍ବାରା ପ୍ରତ୍ୟାଖ୍ୟାତ ଓ ବିଦ୍ରୂପର ଶିକାର ହେଉଥିବା ଏହି ନିଃସଙ୍ଗ ହତଭାଗ୍ୟମାନଙ୍କ ଗଭୀର ମର୍ମଦାହ ଏବଂ ଏହି ସଂଦର୍ଭରେ ଦୃଷ୍ଟିଗୋଚର ହେଉଥିବା ଅସଂଗତିଟି ହେଲା ଏହି ଦୁଃସ୍ଥିତି ସକାଶେ ଯେଉଁ ସମାଜ ଦାୟୀ, ସେହି ସମାଜ ଦ୍ବାରା ଦୁଃସ୍ଥିତିର ଶରବ୍ୟମାନେ ତ୍ୟାଜ୍ୟ ତଥା ପରିହାସର ପାତ୍ର ମଧ୍ୟ ହୋଇଥାଆନ୍ତି। ଏହି ପରିପ୍ରେକ୍ଷୀରେ ପ୍ରସଙ୍ଗଟିକୁ ବୁଝିବା ସକାଶେ ଏକ କ୍ଷୁଦ୍ର ଆଲୋଚନା‌ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ସଂପ୍ରତି ହରିୟାଣାରେ ୨୫ରୁ ୪୫ ବର୍ଷ ବୟସ ବର୍ଗରେ ଅଭିଆଡ଼ାମାନଙ୍କ ସଂଖ୍ୟା ପ୍ରାୟ କେତେ ହେବ, ସେ ବାବଦରେ ଏକ ଧାରଣା ପାଇବାକୁ ହେଲେ ଆମକୁ ୧୯୮୧, ୧୯୯୧, ୨୦୦୧ ଓ ୨୦୧୧ ମସିହାର ଜନଗଣନା କାଳରେ ଉପଲବ୍‌ଧ ଲିଙ୍ଗାନୁପାତ ଉପରେ ଦୃଷ୍ଟି ନିକ୍ଷେପ କରିବାକୁ ହେବ, ଯାହା ହେଉଛି ପ୍ରତି ୧୦୦୦ ପୁଅରେ ଯଥାକ୍ରମେ ୮୭୦, ୮୬୧, ୮୭୭ ଓ ୮୭୯ ସଂଖ୍ୟକ ଝିଅ, ଯାହାର ଅର୍ଥ ପ୍ରତି ଏକ ହଜାର ପୁଅଙ୍କ ମଧ୍ୟରୁ ହାରାହାରି ୧୨୦ ଜଣ ପାତ୍ରୀ ଅଭାବରୁ ସଂସାର ଗଢ଼ିବାକୁ ଅକ୍ଷମ ହୋଇଥିବେ। ୨୦୧୧ ମସିହା ପରେ ଆଉ ଜନଗଣନା ହୋଇ ନ ଥିବା ସତ୍ତ୍ବେ ଅନ୍ୟାନ୍ୟ ସୂତ୍ରରୁ ପ୍ରାପ୍ତ ପରିସଂଖ୍ୟାନ ଅନୁସାରେ ସଂପ୍ରତି ସେଠାରେ ଜନ୍ମ ଲାଭ କରୁଥିବା ପ୍ରତି ୧୦୦୦ ପୁଅରେ ଝିଅଙ୍କ ସଂଖ୍ୟା ମାତ୍ର ୮୩୩, ଯାହା ଦେଶରେ ସର୍ବନିମ୍ନ। ଏ ପରିପ୍ରେକ୍ଷୀରେ ଆଉ ଏକ ଚିତ୍ର ସୁଶୀଳ ମାନବଙ୍କ ଦ୍ବାରା ପ୍ରସ୍ତୁତ ଓ ‘ଦି ପ୍ରିଣ୍ଟ’ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଥାଏ; ଯାହା ଅନୁସାରେ ହରିୟାଣାରେ ଏହି ନିର୍ବାଚନରେ ପ୍ରଥମ ଥର ଲାଗି ଭୋଟ ଦେଉଥିବା ୧୮-୧୯ ବର୍ଷ ବୟସ୍କ ନାଗରିକଙ୍କ ମଧ୍ୟରେ ମାତ୍ର ଏକ ତୃତୀୟାଂଶ ହେଉଛନ୍ତି ଝିଅ; ଅର୍ଥାତ୍‌ ୩,୪୩,୯୦୮ ଭୋଟରଙ୍କ ମଧ୍ୟରୁ ୧,୧୩,୩୪୬ ଜଣ ହେଉଛନ୍ତି ଝିଅ। କହିବା ବାହୁଲ୍ୟ, ଏହା ମଧ୍ୟ ହରିୟାଣାର ଜନସାଂଖ୍ୟିକ ଗଢ଼ଣରେ ପୁଅ ଓ ଝିଅଙ୍କ ମଧ୍ୟରେ ଥିବା ତାରତମ୍ୟ ଆଡ଼କୁ ଇଙ୍ଗିତ କରିଥାଏ। ଏଠାରେ ପ୍ରକାଶ ଥାଉ କି ଏହି ଉଗ୍ର ପୁରୁଷପ୍ରଧାନ ରାଜ୍ୟରେ ‘ବେଟି ବଚାଓ, ବେଟି ପଢ଼ାଓ’ କାର୍ଯ୍ୟକ୍ରମ ବିଶେଷ ଗୁରୁତ୍ବ ଲାଭ କରିଥିବା ସତ୍ତ୍ବେ ଲିଙ୍ଗ ନିରୂପଣ କରି କନ୍ୟା ଭ୍ରୂଣ ହତ୍ୟା କରିବାର ପ୍ରବଣତା ବଳବତ୍ତର ରହିଛି, ଯଦିଓ ୧୯୯୬ ମସିହାରୁ ଡାକ୍ତରଙ୍କ ସହାୟତାରେ ଭ୍ରୂଣର ଲିଙ୍ଗ ନିରୂପଣ କରାଯିବାର ପ୍ରକରଣକୁ ଆଇନତଃ ନିଷେଧ ଓ ଦଣ୍ଡନୀୟ କରାଯାଇଛି। ପ୍ରକାଶ ଥାଉ କି ଇତିମଧ୍ୟରେ ପ୍ରଯୁକ୍ତିଗତ ବିକାଶ ମାଧ୍ୟମରେ ସହଜରେ ଲିଙ୍ଗ ନିରୂପଣ କରାଯାଇ ପାରୁଥିବା ଛୋଟ ଅଲ୍‌ଟ୍ରାସାଉଣ୍ଡ୍‌ ମେସିନ୍‌ମାନର ଆବିର୍ଭାବ ଘଟିବା ସହିତ ଅବଲୀଳା କ୍ରମେ ସେ ସବୁ ଛୋଟ ଭ୍ୟାନ ଜରିଆରେ ହରିୟାଣୀ ଗ୍ରାମ୍ୟ ସଡ଼କରେ ଘୂରିବୁଲି ବସ୍ତୁତଃ ଭ୍ରାମ୍ୟମାଣ ଲିଙ୍ଗ ନିରୂପଣ କେନ୍ଦ୍ରରେ ପରିଣତ ହେଲେଣି। ସେହି କାରଣରୁ ସମ୍ଭବତଃ ‘ପି.ଟି.ଏନ୍‌.ଡି.’ ଆଇନ ଅଧୀନରେ କାର୍ଯ୍ୟାନୁଷ୍ଠାନର ଦୃଷ୍ଟାନ୍ତ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି। ଏକ ପରିସଂଖ୍ୟାନରୁ ଜଣାଯାଏ ଯେ ହରିୟାଣାରେ ୨୦୨୧ ମସିହାରେ ‘ପି.ଟି.ଏନ୍‌.ଡି.’ ଆଇନ ଅନୁସାରେ ୧୪୨ଟି ‘ଏଫ.ଆଇ.ଆର.’ ଦାୟର କରାଯାଇଥିବା ବେଳେ ୨୦୨୨ରେ ତାହା ୧୦୫, ୨୦୨୩ରେ ୮୫ ଓ ୨୦୨୪ରେ ଏ ଯାବତ୍‌ ତାହା ୧୫ରେ ସୀମିତ ଅଛି। ବିଶେଷଜ୍ଞମାନଙ୍କ ମତରେ ଏହାର ଅର୍ଥ ନୁହେଁ ଯେ ଲିଙ୍ଗ ନିରୂପଣ ସଂଖ୍ୟାରେ ହ୍ରାସ ଘଟିଛି, ବରଂ ଏହା ସୂଚାଇ ଥାଏ ଯେ ଭ୍ରାମ୍ୟମାଣ ଛୋଟ ମେସିନ କାରଣରୁ ପୁଲିସ ବା ପ୍ରଶାସନର ଦୃଷ୍ଟି ଆଢୁଆଳରେ କାର୍ଯ୍ୟ ସଂପା‌ଦନ କରି ପାରିବାର ସାମର୍ଥ୍ୟ ବୃଦ୍ଧି ପାଇଛି।
ତେବେ ସେ ଯାହା ହେଉ, ହରିୟାଣା ନିର୍ବାଚନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ଏହି ‘ଏକୁଟିଆ ପୁରୁଷ’ମାନଙ୍କ ସଂଘ ପକ୍ଷରୁ କୁହାଯାଇଛି ଯେ ଅବିବାହିତ ଓ ବିପତ୍ନୀକମାନଙ୍କ ଗଣନା କରି ସେମାନଙ୍କୁ ପେନସନ ପ୍ରଦାନ କରିବାକୁ ବିଜେପି ସରକାର ଗଲା ଦୁଇଟି ଯାକ ନିର୍ବାଚନରେ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ହେଁ ତାହା ପୂରଣ କରାଯାଇନାହିଁ, ଅନ୍ୟଥା ତାହା ସେମାନଙ୍କୁ ଘୋର ଆର୍ଥିକ ଦୁଃସ୍ଥିତିରୁ ମୁକ୍ତ କରନ୍ତା। ପ୍ରକାଶ ଥାଉ କି ହରିୟାଣାରେ ଅବିବାହିତ ଓ ବିପତ୍ନୀକଙ୍କ ଭଳି ‘ଏକୁଟିଆ ପୁରୁଷ’ମାନଙ୍କୁ ବିଶୃଙ୍ଖଳ, ଉପଦ୍ରବକାରୀ ଓ ‌େଯୗନକ୍ଷୁଧାଗ୍ରସ୍ତ ରୂପେ ବିବେଚନା କରାଯାଇଥାଏ, ଯେଉଁ କା‌ରଣରୁ ସେମାନଙ୍କୁ ଜୀବିକା ମିଳିବା କଷ୍ଟସାଧ୍ୟ ହୋଇଥାଏ ଏବଂ ସହରରେ କୌଣସିମତେ ଜୀବିକା ଉପଲବ୍‌ଧ ହୋଇଗଲେ ସୁଦ୍ଧା ରହିବା ଲାଗି ଭଡ଼ା ଘର ମିଳିବା ଦୁଃସାଧ୍ୟ ହୋଇପଡ଼େ। ଉଲ୍ଲେଖଯୋଗ୍ୟ ଯେ ବୟସ ନିର୍ବିଶେଷରେ ଏକୁଟିଆ ପୁରୁଷମାନେ ଏଭଳି ଅଯାଚିତ କଳଙ୍କର ବୋଝକୁ ବହନ କରିବାକୁ ବାଧ୍ୟ ହୁଅନ୍ତି; ଏପରିକି ଗୁରୁଗ୍ରାମ ଅଞ୍ଚଳରେ ଅନେକ ଆବାସ ସ୍ଥଳୀରେ ଏଭଳି ଏକୁଟିଆ ପୁରୁଷମାନଙ୍କ ପ୍ରବେଶାଧିକାରକୁ ବାରଣ କରି ନୋଟିସମାନ ମଧ୍ୟ ଦେଖିବାକୁ ମିଳିଥାଏ। କେବଳ ସେତିକି ନୁହେଁ, ଏମାନେ ଯାବଜ୍ଜୀବନ ବିଦ୍ରୂପ ଓ ପରିହାସର ଶରବ୍ୟ ହୁଅନ୍ତି।
ଏହା ସୁବିଦିତ ଯେ ହରିୟାଣା ଭଳି ଏକ ତୀବ୍ର ପୁରୁଷପ୍ରଧାନ ସମାଜରେ ଅନେକତ୍ର କନ୍ୟା ଭ୍ରୂଣ ହତ୍ୟାକୁ ଯଥାର୍ଥ ବୋଲି ମନେ କରାଯାଏ ଏବଂ ପୁତ୍ର ସନ୍ତାନର ଜନନୀ ହୋଇ ନ ପାରିବାର ଅପଯଶ, ଲାଂଛନା ଓ ଗ୍ଳାନିରୁ ମୁକ୍ତ ହେବା ଲାଗି ଅନେକ ମହିଳା ମଧ୍ୟ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଓ କନ୍ୟା ହୋଇଥିଲେ ଭ୍ରୂଣ ହତ୍ୟା ସକାଶେ ସହମତ ହୋଇ ଯାଆନ୍ତି। କିନ୍ତୁ ଏଥିରେ ନିହିତ ଅସଂଗତିଟି ହେଲା ଏହା ଦ୍ବାରା ଅଧିକ ପୁତ୍ର ସନ୍ତାନଙ୍କୁ ଭୂମିଷ୍ଠ କରାଇ ସେମାନେ ନିଜ ଅଗୋଚରରେ ଭବିଷ୍ୟତ୍‌ର ବାଡୁଅମାନଙ୍କ ଜନନୀରେ ପରିଣତ ହୁଅନ୍ତି। ଏହା ଫଳରେ ଏକ ଦୁଷ୍ଟ ଚକ୍ରର ସୃଷ୍ଟି ହୋଇଛି, ଅର୍ଥାତ୍‌ ବଂଶ ରକ୍ଷା ଲାଗି ଅନିବାର୍ଯ୍ୟ ଭାବେ ଲୋଡ଼ା ଯାଉଥିବା ପୁତ୍ର ସନ୍ତାନମାନଙ୍କ ମଧ୍ୟରୁ ଅନେକ ବଂଶ ଆରମ୍ଭ କରିବାକୁ ମଧ୍ୟ ଅସମର୍ଥ! ସୁତରାଂ, ହରିୟାଣୀ ପୁରୁଷମାନେ ଏହି ଦୁଷ୍ଟ ଚକ୍ରର ଉଭୟ ସ୍ରଷ୍ଟା ଓ ସୃଷ୍ଟି ରୂପେ ଦୁର୍ଭାଗ୍ୟ ଭୋଗ କରୁଛନ୍ତି। ହୋଇପାରେ, ଏହା ପୃଥିବୀର ଆଲୋକ ଦେଖିବା ପୂର୍ବରୁ ନିହତ କନ୍ୟାମାନଙ୍କ ଅଭିଶାପର ଜ୍ବାଳା, ଯେଉଁମାନେ ବଂଚି ରହିଥିଲେ ଅଗତ୍ୟା ଏହି ବାଡୁଅମାନେ ଶାପମୁକ୍ତ ହୋଇପାରିଥାଆନ୍ତେ!

ସମ୍ବନ୍ଧିତ ଖବର