ଗଲା ମେ ମାସ ୨୮ ତାରିଖ ଦିନ ନୂତନ ଭବ୍ୟ ସ˚ସଦ ଗୃହର ଉଦ୍ଘାଟନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଇତିହାସ ରଚିତ ହେଉଥିବା ବେଳେ ଅନତି ଦୂରରେ ଏଭଳି ଏକ ଘଟଣା ଘଟୁଥିଲା, ଯାହା ସେହି ଇତିହାସ ପୃଷ୍ଠାରେ ଏକ କ୍ଷୁଦ୍ର ପାଦଟୀକା ତୁଲ୍ୟ ହୋଇ ରହିଯିବ ବୋଲି ହୁଏ’ତ ସେହି ସମୟରେ ଅନେକ ବିଚାର କରିଥିବେ। ଘଟଣାଟି ଥିଲା ଯନ୍ତରମନ୍ତର ଠାରେ ମାସାଧିକ କାଳ ଧାରଣାରେ ବସି ରହିଥିବା ଅଲି˚ପିକ ପଦକ ବିଜୟୀ ମହିଳା ଏବ˚ ପୁରୁଷ ମଲ୍ଲ ଯୋଦ୍ଧାମାନେ ସେମାନଙ୍କ ଦାବି ଉପରକୁ ସରକାରଙ୍କ ସମ୍ବେଦନଶୀଳ ଦୃଷ୍ଟି ଆକର୍ଷଣ କରିବା ସକାଶେ ସେହି ଦିନ ନୂତନ ସ˚ସଦ ଭବନ ଅଭିମୁଖେ ଅଗ୍ରସର ହେବାର ଯୋଜନା କରୁଥିବା ବେଳେ ଦିଲ୍ଲୀ ପୁଲିସ ଦ୍ବାରା ସେମାନଙ୍କୁ ବଳ ପୂର୍ବକ ଧାରଣା ସ୍ଥଳରୁ ଅପସାରିତ କରାଯିବା ଏବ˚ ତା’ ସହିତ ସେମାନଙ୍କ ବିରୋଧରେ ବିଭିନ୍ନ ମାମଲା ରୁଜୁ କରି ସେମାନଙ୍କୁ କିଛି ସମୟ ସକାଶେ ହାଜତରେ ବନ୍ଦ କରି ରଖାଯିବା। ଉଲ୍ଲେଖଯୋଗ୍ୟ ଯେ ଏହା ପରେ ହତାଶା ଜର୍ଜର କୁସ୍ତି ଖେଳାଳିମାନେ ସେମାନଙ୍କ ଅଲି˚ପିକ୍ ପଦକଗୁଡ଼ିକୁ ଗଙ୍ଗାରେ ବିସର୍ଜନ କରିବାର ନିଷ୍ପତ୍ତି ନେଇ ଗଲା ୩୧ ତାରିଖରେ ଅଗତ୍ୟା ହରଦ୍ବରରେ ପହଞ୍ଚିଥିଲେ, ଯାହା ଏହି ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗକୁ ଅଧିକ ବିବାଦୀୟ କରି ପକାଇଛି। ସେହି ଦୃଷ୍ଟିରୁ ଏହି ପ୍ରସଙ୍ଗ ଉପରେ ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ ଭଳି ମନେ ହୋଇଥାଏ।
ଏହି ସ୍ତମ୍ଭର ପାଠକପାଠିକାମାନେ ନିଶ୍ଚିତ ରୂପେ ଅବଗତ ଥିବେ ଯେ ‘ଭାରତୀୟ କୁସ୍ତି ମହାସ˚ଘ’ର ପୂର୍ବତନ ଅଧୢକ୍ଷ ବ୍ରିଜଭୂଷଣ ସି˚ହଙ୍କ ଦ୍ବାରା ମହିଳା କୁସ୍ତି ଖେଳାଳିମାନେ ଯୌନ ଶୋଷଣର ଶିକାର ହେଉଥିବାର ଅଭିଯୋଗ ଆଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସକାଶେ ଗଲା ଜାନୁଆରି ମାସ ଠାରୁ ଏହି ଖେଳାଳିମାନେ ଦାବି କରି ଆସୁଛନ୍ତି; ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ପ୍ରଭାବଶାଳୀ ସା˚ସଦ ବ୍ରିଜଭୂଷଣଙ୍କ ବିରୋଧରେ ଏକ ସାଧାରଣ ‘ଏଫ୍.ଆଇ.ଆର.’ ଥାନା ଦ୍ବାରା ଗୃହୀତ ହେବା ଲାଗି ସେମାନଙ୍କୁ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ପଡ଼ିଛି; ଏବ˚ ଏହି ଘଟଣାକ୍ରମରେ ଯାହା ଅତ୍ୟନ୍ତ ଗର୍ହିତ, ତାହା ହେଲା ନାବାଳିକାଙ୍କ ଯୌନ ଶୋଷଣ ସ˚ପର୍କିତ ‘ପୋକ୍ସୋ’ ଆଇନ ଅନୁସାରେ ଅଭିଯୋଗ ହେବା ମାତ୍ରକେ ତୁରନ୍ତ ଗିରଫଦାରିର ପ୍ରାବଧାନ ଥିବା ସତ୍ତ୍ବେ ବ୍ରିଜଭୂଷଣ ଏ ଯାବତ୍ ମୁକ୍ତ ଭାବେ ବିଚରଣ କରୁଛନ୍ତି ଏବ˚ ସର୍ବାଧିକ ବିଡ଼ମ୍ବନାପୂର୍ଣ୍ଣ ବିଷୟ ହେଲା ଘଟଣାଟି ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବା ସତ୍ତ୍ବେ ସରକାର ଏବ˚ ବିଜେପିର ଶୀର୍ଷ ନେତୃତ୍ବ ଏ ନେଇ କେବଳ ଯେ ଏକ ନିରୁଦ୍ବିଗ୍ନ ନିରବତା ଅବଲମ୍ବନ କରୁଛନ୍ତି, ତାହା ନୁହେଁ; ଅଭିଯୁକ୍ତ ସା˚ସଦଙ୍କ ପ୍ରତି ସପକ୍ଷବାଦୀ ଆଭିମୁଖ୍ୟ ମଧୢ ପ୍ରଦର୍ଶନ କରିଛନ୍ତି। କେବଳ ସେତିକି ନୁହେଁ, ଆହୁରି ତୀବ୍ର ହତାଶା ସୃଷ୍ଟିକାରୀ ବିଷୟ ହେଲା ଏହି ଖେଳାଳିମାନଙ୍କୁ ସମର୍ଥନ ଜ୍ଞାପନ କରିବାରେ ଭାରତୀୟ ଜନସାଧାରଣଙ୍କ ନିସ୍ପୃହତା; ଯାହା ଦୁର୍ଭାଗ୍ୟଜନକ ଭାବେ ଭାରତୀୟ କ୍ରୀଡ଼ାକ୍ଷେତ୍ରକୁ ମଧୢ ସ˚ପ୍ରସାରିତ ହୋଇଛି; ଯାହା ଫଳରେ ଏହି ଆନ୍ଦୋଳନକାରୀମାନଙ୍କୁ ଅନ୍ୟ ଖେଳାଳିମାନଙ୍କ ଠାରୁ ଅକୁଣ୍ଠ ସମର୍ଥନ ମଧୢ ମିଳିପାରିନାହିଁ। ଏତିକି ଯେମିତି ଯଥେଷ୍ଟ ନ ଥିଲା, ସରକାରଙ୍କ ‘କୋଳାଶ୍ରିତ ଗଣମାଧୢମ’ ଦ୍ବାରା ଏହି ଆନ୍ଦୋଳନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବ˚ ଆନ୍ଦୋଳନକାରୀ ଖେଳାଳିମାନେ କୃତଘ୍ନ ବୋଲି ମଧ୍ୟ ଆରୋପିତ ହେବାରେ ଲାଗିଛନ୍ତି।
ଏକ କ୍ରିକେଟ୍ ପାଗଳ ରାଷ୍ଟ୍ର ଭାରତ ଦ୍ବାରା ସ୍ବଦେଶୀ ମଲ୍ଲଯୋଦ୍ଧାମାନଙ୍କ ଅସାମାନ୍ୟ କୃତିତ୍ବ ନଜରଅନ୍ଦାଜର ଶରବ୍ୟ ହୋଇଥିବା ପରିପ୍ରେକ୍ଷୀରେ ଅଲି˚ପିକ୍ ପଦକଗୁଡ଼ିକ ଏକ ରାଷ୍ଟ୍ର ସକାଶେ କିଭଳି ଦୁର୍ମୂଲ୍ୟବାନ ହୋଇପାରନ୍ତି, ତାହା ହୃଦୟଙ୍ଗମ କରାଯିବା ନିତାନ୍ତ ଆବଶ୍ୟକ। ପ୍ରକାଶ ଥାଉ କି ୧୨୩ ବର୍ଷର ଦୀର୍ଘ ଅଲି˚ପିକ୍ (ଆଧୁନିକ) ଇତିହାସରେ ଭାରତ ଭଳି ଏକ ଜନାକୀର୍ଣ୍ଣ ବିଶାଳ ରାଷ୍ଟ୍ର ମାତ୍ର ୩୫ଟି ପଦକ ଲାଭ କରିବାରେ ସମର୍ଥ ହୋଇଛି, ଯଦିଁରୁ ଦଳଗତ କ୍ରୀଡ଼ା ସ୍ପର୍ଦ୍ଧା ରୂପେ ହକିକୁ ମିଳିଛି ୯ଟି ପଦକ ଏବ˚ ବ୍ୟକ୍ତିଗତ ପ୍ରୟାସରେ ଅର୍ଜିତ ଅବଶିଷ୍ଟ ୨୬ଟି ପଦକରୁ ସର୍ବାଧିକ ୭ଟି ପଦକ ଆସିଛି କୁସ୍ତିରୁ। ତେଣୁ ଶୋଣିତକୁ ଅଶ୍ରୁ ଓ ସ୍ବେଦ ବିନ୍ଦୁରେ ପରିଣତ କରି ଏହି ଖେଳାଳିମାନେ ଲାଭ କରିଥିବା ଅନିର୍ବଚନୀୟ ସଫଳତାର ସନ୍ତକ ସ୍ବରୂପ ପଦକଗୁଡ଼ିକୁ ଗଙ୍ଗାରେ ବିସର୍ଜନ କରିବାକୁ ନେଇଥିବା ଚରମ ନିଷ୍ପତ୍ତି ପରିପ୍ରେକ୍ଷୀରେ ଏହି ଆନ୍ଦୋଳନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ହୋଇଥିବା ଅଭିଯୋଗ ଅବାସ୍ତବ ମନେ ହୋଇଥାଏ। ସେହିଭଳି ବ୍ରିଜଭୂଷଣ ସି˚ହଙ୍କ ସୁବିଦିତ ଅପରାଧିକ ପୃଷ୍ଠଭୂମି (ତାଙ୍କ ଦ୍ବାରା ଗୋଟିଏ ହତ୍ୟା କାଣ୍ତ ହୋଇଥିବା ବିଷୟ ଏକ ଭିଡିଓ ସାକ୍ଷାତକାରରେ ସେ ସ୍ବୀକାର କରିଛନ୍ତି) ତାଙ୍କୁ ଏଭଳି ଅଭିଯୋଗ ପ୍ରସଙ୍ଗରେ ସ୍ବାଭାବିକ ଭାବେ ସନ୍ଦିଗ୍ଧ କରି ଗଢ଼ି ତୋଳିଥାଏ। ଅଲି˚ପିକ୍ରେ ସଫଳତା ପରେ ଏହି କୃତି ଖେଳାଳିମାନଙ୍କୁ ରାଷ୍ଟ୍ର ଦ୍ବାରା ପ୍ରଦତ୍ତ ବିପୁଳ ଅର୍ଥରାଶି, ଚାକିରି ଏବ˚ ଅନ୍ୟାନ୍ୟ ଉପଢ଼ୌକନ ଇତ୍ୟାଦିର ତାଲିକା ପ୍ରସ୍ତୁତ କରି ‘କେଳାଶ୍ରିତ ଗଣମାଧୢମ’ ଖେଳାଳିମାନଙ୍କୁ ‘କୃତଘ୍ନ’ ଏବ˚ ସରକାରଙ୍କ ବଦାନ୍ୟତାକୁ ‘ଅପାତ୍ରରେ ଦାନ’ ରୂପେ ପରିଭାଷିତ କରିଛି; ଅଥଚ, ସରକାରଙ୍କ ପକ୍ଷରୁ ଏଭଳି ପୁରସ୍କାରମାନ ପ୍ରଦାନ କରାଯାଉଥିବା ସମୟରେ ଯେତେବେଳେ କିଛି ରସଭଙ୍ଗକାରୀ ସମାଲୋଚକ ଏହାକୁ ସରକାରୀ ରାଜକୋଷର ମାତ୍ରାଧିକ ଅପବ୍ୟୟ ବୋଲି କ୍ଷୀଣ କ୍ଷୋଭ ପ୍ରକାଶ କରିଥିଲେ, ସେତିକି ବେଳେ ଏହି ‘କେଳାଶ୍ରିତ ଗଣମାଧୢମ’ ସେମାନଙ୍କୁ ‘ରାଷ୍ଟ୍ରଦ୍ରୋହୀ’ର ଆଖ୍ୟା ପ୍ରଦାନ କରିଥିଲା। ଗଣମାଧ୍ୟମ ସରକାରୀ ‘କୋଳାଶ୍ରିତ’ ହେବାର ଏହା ହିଁ ହେଉଛି ବିଡ଼ମ୍ବନା, ଯେଉଁଠି ଗଣମାଧ୍ୟମର ମୁକ୍ତ ସ୍ବର ଆଦୌ ଶୁଭି ନ ଥାଏ।
କହିବା ଅନାବଶ୍ୟକ ଯେ ଏହି ଅନ୍ତର୍ଜାତୀୟ ଖ୍ୟାତିସ˚ପନ୍ନ ଖେଳାଳିମାନେ ଉଠାଇଥିବା ପ୍ରସଙ୍ଗ ଏବ˚ ପରବର୍ତ୍ତୀ ଘଟଣାକ୍ରମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ସ୍ବାଭାବିକ ଭାବେ ବିଦେଶୀ ଗଣମାଧୢମର ଶିରୋନାମା ମଣ୍ତନ କରୁଛି ଏବ˚ ସେଠାରେ ଚାଞ୍ଚଲ୍ୟ ସୃଷ୍ଟି କରୁଛି। ଏହା ଦ୍ବାରା ଭାରତର ଭାବମୂର୍ତ୍ତି କ୍ଷୁଣ୍ଣ ହେବା ସ୍ବାଭାବିକ। ସୁତରା˚, ଭାରତର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ଲାଗି ପାଶ୍ଚାତ୍ୟ ଉଦାରବାଦୀ ଚିନ୍ତକ ଏବ˚ ସେମାନଙ୍କ ଦ୍ବାରା ପ୍ରଭାବିତ ଗଣମାଧୢମ ବିଧିବଦ୍ଧ ଉଦ୍ୟମ କରି ଚାଲିଛନ୍ତି ବୋଲି ସରକାରଙ୍କ ଦ୍ବାରା ସୃଷ୍ଟ ବ୍ୟାଖ୍ୟାନ ମଧୢ ଏହି ଘଟଣା ପରେ ସ୍ବତଃ ମଳିନ ପଡ଼ିଯାଇଛି। ହରଦ୍ବାର ଠାରେ ଗଙ୍ଗା ନଦୀରେ ବିସର୍ଜିତ ହେବାକୁ ଯାଉଥିବା ପଦକମାନ କୃଷକ ନେତା ରାକେଶ ସି˚ହ ଟିକାୟତ ଓ ତାଙ୍କ ସମର୍ଥକମାନଙ୍କ ଅନୁରୋଧ କ୍ରମେ ସାମୟିକ ଭାବେ ସେଭଳି ଭାଗ୍ୟ ଭୋଗ କରିବାରୁ ବର୍ତ୍ତି ଯାଇଛନ୍ତି। କୁସ୍ତି ଖେଳାଳିମାନେ କହିଛନ୍ତି ଯେ ପାଞ୍ଚ ଦିନ ମଧୢରେ ସେମାନଙ୍କ ଦାବି ପୂରଣ ନ ହେଲେ ଏହି ପଦକଗୁଡ଼ିକ ଗଙ୍ଗା ନଦୀରେ ବିଲୀନ ହେବା ନିଶ୍ଚିତ। କହିବା ବାହୁଲ୍ୟ, ଘଟଣାରେ ଏହି ମୋଡ଼ ଦେଶରେ ଆଲୋଡ଼ନ ସୃଷ୍ଟି କରିବା ସହିତ କୃଷକ ଆନ୍ଦୋଳନକାରୀମାନଙ୍କୁ ଏହି ଖେଳାଳିମାନଙ୍କ ସମର୍ଥନରେ ଛିଡ଼ା କରାଇଛି; ଯାହା ଏହି ଆନ୍ଦୋଳନକୁ ବିଶାଳତା ପ୍ରଦାନ କରିପାରେ। ସୁତରା˚, ନିରବତା, ନିସ୍ପୃହତା ଏବଂ ପକ୍ଷପାତିତା ତ୍ୟାଗ କରି କାର୍ଯ୍ୟାନୁଷ୍ଠାନ କରିବାର ସମୟ ଯେ ଉପନୀତ ହେଲାଣି, ଏହା ସରକାର ହୃଦୟଙ୍ଗମ କରିବା ଜରୁରୀ।
ଏକଦା ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଵିନଷ୍ଟନ ଚର୍ଚ୍ଚିଲ କହିଥିଲେ ଯେ ଇତିହାସ ତାଙ୍କ ପ୍ରତି ସଦୟ ହେବ, କାରଣ ସେ ହିଁ ତାହା ରଚନା କରିବେ। ସେହି ଦୃଷ୍ଟିରୁ ଅନେକ ବିଶ୍ବାସ କରନ୍ତି ଯେ ନୂତନ ସ˚ସଦ ଭବନର ଉଦ୍ଘାଟନ ସହିତ ନୂତନ ଭାରତର ସ୍ଥପତି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଇତିହାସରେ ଏକ ଅଧୢାୟର ରଚୟିତା ଭାବେ ସ୍ମରଣୀୟ ହୋଇ ରହିବେ। କିନ୍ତୁ ଏକ ବାସ୍ତବତା ହେଲା, ବର୍ତ୍ତମାନର ଅସରନ୍ତି ‘ଡାଟା’ ଭଣ୍ତାର ସମସ୍ତ ତଥ୍ୟ ଓ ସୂଚନାସବୁକୁ ଗଚ୍ଛିତ କରି ବଞ୍ଚାଇ ରଖୁଥିବାରୁ କାଳ କ୍ରମେ ଏକାଧିକ ଦୃଷ୍ଟିକୋଣରୁ ଇତିହାସମାନ ସୃଷ୍ଟି ହେବେ ଏବ˚ ସେହି କାରଣରୁ ଯାହା ଏକ ଅସ˚ଗତି ସୃଷ୍ଟି କରିବ, ତାହା ହେଲା ଏକ କ୍ଷୁଦ୍ର ପାଦଟୀକା ଭଳି ଦିଶୁଥିବା ଘଟଣାଟିଏ ମଧୢ ଅତିକାୟତା ଲାଭ କରି ସେହି ଇତିହାସର ଆଉ ଏକ ଅସ୍ବାଦୁକର ଅଧୢାୟର ରୂପ ପାଇପାରେ। ଏଭଳି ସମ୍ଭାବନାକୁ ଏଡ଼ାଇ ଯିବା ବିଜ୍ଞତାର ପରିଚାୟକ ହେବ ନାହିଁ।
ପାଦଟୀକା ମାତ୍ର ନୁହେଁ
/sambad/media/post_attachments/wp-content/uploads/2023/05/sampadakiya.jpg)
/sambad/media/agency_attachments/2024-07-24t043029592z-sambad-original.webp)