ସୁତରା˚, ବୃଦ୍ଧ, ପୀଡ଼ିତ ଏବ˚ ଏକ ପ୍ରକାର ନିଃସଙ୍ଗ ଶରଦ ପାଵାର ଏବେ ଦୁର୍ବଳ ଭଳି ପ୍ରତୀତ ହେଉଥିଲେ ମଧ୍ୟ ତାଙ୍କ ଭଳି ଜଣେ ପୋଖତ ଖେଳାଳିଙ୍କ ଉପସ୍ଥିତିରେ ଅଜିତ ପାଵାରଙ୍କ ଭାଗ୍ୟ ପରିଶେଷରେ କେଉଁ ରୂପ ନେବ ବା ମହାରାଷ୍ଟ୍ରର ରାଜନୀତି କେଉଁ ଭବିଷ୍ୟତ୍ ଆଡ଼କୁ ମଙ୍ଗ ମୋଡ଼ିବ, ସେ ନେଇ ନିଶ୍ଚିତତାର ସହିତ କୁହାଯାଇ ନ ପାରେ। କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ତାଙ୍କ ଆତ୍ମଜୀବନୀର ଅନ୍ତିମ ଅଧୢାୟ ଏ ପର୍ଯ୍ୟନ୍ତ ଲେଖାଯାଇ ନାହିଁ। ତାହା ଅଚିରେ ଲେଖାଯିବ, ଏବ˚ ଖୁବ୍ ସମ୍ଭବ ତାହା ତାଙ୍କ ଘଟଣା ଓ ଅନୁଭୂତି ବହୁଳ ଆତ୍ମଜୀବନୀର ସର୍ବାଧିକ ଆକର୍ଷଣୀୟ ଅଧୢାୟ ମଧୢ ହୋଇପାରେ!
୨୦୧୯ ମସିହା ନିର୍ବାଚନ ପରେ ମହାରାଷ୍ଟ୍ର ରାଜ୍ୟ ରାଜନୀତିରେ ଯେଉଁ ଏକ ବିରଳ ନାଟକ ଅଭିନୀତ ହୋଇଥିଲା, ତାହା ସମ୍ଭବତଃ ବର୍ତ୍ତମାନ ‘କ୍ଲାଇମାକ୍ସ’ରେ ପହଞ୍ଚିବାକୁ ଯାଉଛି, ଯହିଁରେ, ଟ୍ବିଟରରେ ପ୍ରସାରିତ ଏକ ବ୍ୟଙ୍ଗୋକ୍ତି ଅନୁସାରେ, ମହାରାଷ୍ଟ୍ରର ନାଗରିକମାନେ ଗୋଟିଏ ମାତ୍ର ଭୋଟ ଦେଇ ଏବେ ସୁଦ୍ଧା ତିନି ଜଣ ମୁଖ୍ୟମନ୍ତ୍ରୀ ଏବ˚ ଜଣେ ନେତାଙ୍କୁ ତିନି ଥର ଉପମୁଖ୍ୟମନ୍ତ୍ରୀ ଭାବେ ଦେଖି ସାରିଲେଣି; ଏବ˚ ୨୦୨୪ ମସିହାର ନିର୍ବାଚନ ସହିତ ଏହି ନାଟକ ଉପରେ ଯବନିକା ପତନ ହେବା ପୂର୍ବରୁ ହୁଏ’ତ ଆହୁରି କେତେକ ମୁଖ୍ୟମନ୍ତ୍ରୀ ଏବ˚ ଉପମୁଖ୍ୟମନ୍ତ୍ରୀ ମଞ୍ଚରେ ପଦାର୍ପଣ କରି ପାରନ୍ତି। ଏଥିରେ ଦ୍ବିଧା ନାହିଁ ଯେ ଶରଦ ପାଵାରଙ୍କ ଦଳ ଏନ୍.ସି.ପି.ର ଗୋଟିଏ ଅ˚ଶକୁ ତାଙ୍କ ବିଦ୍ରୋହୀ ପୁତୁରା ଅଜିତ ପାଵାର ଛିନ୍ନ କରି ବିଜେପି-ଶିବସେନା ମେଣ୍ଟରେ ଯୋଗ ଦେବା ଭଳି ଭୂଚଳନ ସୃଷ୍ଟିକାରୀ ଘଟଣା (ମହାରାଷ୍ଟ୍ର ରାଜ୍ୟ ରାଜନୀତିରେ) ସ˚ପର୍କରେ ଏହି ସ୍ତମ୍ଭର ପାଠକପାଠିକାମାନେ ଅବଗତ ଥିବେ। କିନ୍ତୁ ଭବିଷ୍ୟତରେ ଏହା କିଭଳି ରାଜନୈତିକ ଦୃଶ୍ୟପଟ ସୃଷ୍ଟି କରିବ, ତାହା ଏ ଯାବତ୍ କେବଳ ଅନୁମାନମୂଳକ ହୋଇ ରହିଥିବାରୁ ଏ ସମ୍ବନ୍ଧରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
୨୦୧୯ ମସିହା ନିର୍ବାଚନ ପରେ ବିଜେପି ସହିତ ହୋଇଥିବା ପ୍ରାକ୍-ନିର୍ବାଚନୀ ମେଣ୍ଟକୁ ଭଙ୍ଗ କରି ଶିବସେନା ପକ୍ଷରୁ କ˚ଗ୍ରେସ ଏବ˚ ଏନ୍.ସି.ପି. ସହଯୋଗରେ ସରକାର ଗଠନ କରାଯିବା ହେତୁ ସର୍ବାଧିକ ସ˚ଖ୍ୟକ (୧୦୫) ଆସନ ଜିଣିଥିବା ସତ୍ତ୍ବେ ବିଜେପି ବିରୋଧୀ ଦଳ ଭାବେ ରହିବାକୁ ବାଧୢ ହୋଇଥିଲା। ସୁତରାଂ, ଏଥିରେ ମୁହ୍ୟମାନ ହୋଇଥିବା ବିଜେପି ଯେ ଠିକଣା ସମୟରେ ଏହାର ପ୍ରତିଶୋଧ ନେବା ଲାଗି ଉଦ୍ଗ୍ରୀବ ଥିବ, ଏଥିରେ ସନ୍ଦେହ ନାହିଁ। ତେଣୁ, ଶିବସେନାରେ ଜଣେ ଅତ୍ୟନ୍ତ ଉଚ୍ଚାଭିଳାଷୀ ନେତାଙ୍କୁ ଠାବ କରି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦାସୀନ କରିବାର ପ୍ରତିଶ୍ରୁତି ପ୍ରଦାନ ପୂର୍ବକ କିଛି ବିଧାୟକଙ୍କ ସହିତ ଦଳରୁ ଓହରି ଆସିବା ଲାଗି ପ୍ରବର୍ତ୍ତାଇବାର ଉଦ୍ୟମ କରିବା ଥିଲା ବିଜେପିର ଏକ ସୂକ୍ଷ୍ମ ରଣକୌଶଳ, ଯେଉଁ ପ୍ରକ୍ରିୟାରେ ଆବିଷ୍କୃତ ହୋଇଥିଲେ ଅତ୍ୟନ୍ତ ଉଚ୍ଚାଭିଳାଷୀ ଏକନାଥ ସିନ୍ଦେ, ଯିଏ ୧୬ ଜଣ ବିଧାୟକଙ୍କ ସହିତ ଦଳ ତ୍ୟାଗ କରି ବିଜେପିର ସ୍ବପ୍ନ ଚରିତାର୍ଥ କରିଥିଲେ। ଏହା ଫଳରେ ଉଦ୍ଧବ ଠାକରେ ନେତୃତ୍ବାଧୀନ ଶିବସେନା-ଏନ୍.ସି.ପି.-କ˚ଗ୍ରେସ ମେଣ୍ଟରେ ଗଠିତ ‘ମହାରାଷ୍ଟ୍ର ବିକାଶ ଆଗାଡ଼ି’ ଧରାଶାୟୀ ହୋଇଥିଲା। କିନ୍ତୁ ଏହା ମଧ୍ୟ ସତ ଯେ ଆସନ୍ତା ଅଗଷ୍ଟ ମାସରେ ସିନ୍ଦେ ତାଙ୍କ ପଛରେ ଥିବା ଦୁଇ-ତୃତୀୟା˚ଶ ଶିବସେନା ବିଧାୟକଙ୍କ ସମର୍ଥନକୁ ବାଚସ୍ପତିଙ୍କ ସମ୍ମୁଖରେ ପ୍ରମାଣିତ ନ କରିବା ପର୍ଯ୍ୟନ୍ତ ବିଜେପି ଚିନ୍ତାମୁକ୍ତ ହୋଇ ରହି ପାରନ୍ତା ନାହିଁ, କାରଣ ସେଥିରେ ବିଫଳ ହେଲେ ‘ଦଳ ବଦଳ ଆଇନ’ ଅନୁସାରେ ସିନ୍ଦେ ଏବ˚ ତାଙ୍କ ସମର୍ଥକମାନଙ୍କ ବିଧାୟକ ପଦ ରଦ୍ଦ ହୋଇଯିବ ଏବ˚ ବିଜେପି-ଶିବସେନା (ସିନ୍ଦେ) ମେଣ୍ଟ ସରକାରର ପତନ ଘଟିବ। ସୁତରା˚, ଏଭଳି ସ୍ଥଳେ ସରକାରକୁ କୌଣସିମତେ ବଞ୍ଚାଇ ରଖିବା ଲାଗି ସତର୍କ ବିଜେପି ପକ୍ଷରୁ ସମାନ ଶୈଳୀରେ ଏନ୍.ସି.ପି.ରେ ବିଭାଜନ ଘଟାଯାଇ ଦଳର ଏକ ଅ˚ଶକୁ ନିଜ ମେଣ୍ଟ ସହିତ ସାମିଲ କରାଯାଇଛି, ଯହିଁରେ ଶିବସେନାର ସିନ୍ଦେଙ୍କ ସଦୃଶ ଏନ୍.ସି.ପି.ର ଅଜିତ ପାଵାରଙ୍କ ଆବିର୍ଭାବ ଘଟିଛି। କିନ୍ତୁ ଅଜିତ ପାଵାରଙ୍କୁ ମଧୢ ସିନ୍ଦେଙ୍କ ଭଳି ଦୁଇ-ତୃତୀୟା˚ଶ ଅର୍ଥାତ୍ ୩୬ ଏନ୍.ସି.ପି. ବିଧାୟକଙ୍କ ସମର୍ଥନ ପ୍ରମାଣିତ କରିବାକୁ ହେବ, ଯହିଁରେ ବ୍ୟତିକ୍ରମର ଅର୍ଥ ‘ଦଳ ବଦଳ ଆଇନ’ର ପ୍ରାବଧାନ ଅନୁସାରେ ସେ ଓ ତାଙ୍କ ସମର୍ଥକମାନେ ମଧୢ ବିଧାୟକ ପଦ ହରାଇବାକୁ ବାଧୢ ହେବେ।
ଏଭଳି ସ୍ଥିତିରେ ତିନି ପ୍ରକାର ଦୃଶ୍ୟ ଦେଖିବାକୁ ମିଳିପାରେ; ଉଭୟ ସିନ୍ଦେ ଓ ପାଵାର ଯଦି ସମର୍ଥକ ସ˚ଖ୍ୟା ପରୀକ୍ଷାରେ ବିଫଳ ହୁଅନ୍ତି, ତେବେ ବର୍ତ୍ତମାନର ସରକାର ଭାଙ୍ଗିଯିବ; ଦ୍ବିତୀୟଟି ହେଲା ଉଭୟଙ୍କ ସଫଳତା ସରକାରକୁ ବଞ୍ଚାଇ ରଖିବ ସତ କିନ୍ତୁ ୩୬ ବିଧାୟକଙ୍କ ସମର୍ଥନ ଲାଭ କରିଥିବା ଅଜିତ ପାଵାରଙ୍କ ଦ୍ବାରା ସିନ୍ଦେ (୧୬ ସମର୍ଥକ) ମଳିନ ପଡ଼ିଯିବେ ଏବ˚ ସେ ମୁଖ୍ୟମନ୍ତ୍ରୀ ପଦ ହରାଇବା ନିଶ୍ଚିତ; ତୃତୀୟଟି ହେଲା ଉଭୟଙ୍କ ମଧୢରୁ ଜଣେ କେହି ବି ସଫଳ ହେଲେ ସରକାର କୌଣସିମତେ ବଞ୍ଚିଯିବ। ଏଭଳି ସ୍ଥଳେ ଉଭୟ ଏକନାଥ ସିନ୍ଦେ ଓ ଅଜିତ ପାଵାରଙ୍କୁ ଆପଣା ସ୍ବାର୍ଥ ଲାଗି ଗୋଟି ଭଳି ବ୍ୟବହାର କରିଥିବା ସତ୍ତ୍ବେ ବିଜେପି ଏକ ବିନମ୍ର ନ୍ୟୂନତା ପ୍ରଦର୍ଶନ କରିଛି, ଯହିଁରେ ସର୍ବାଧିକ ସ˚ଖ୍ୟକ ଆସନର ଅଧିକାରୀ ହୋଇଥିଲେ ସୁଦ୍ଧା ମେଣ୍ଟ ସରକାରରେ ପ୍ରଭାବ ବିସ୍ତାର ଲାଗି ଦଳ ପକ୍ଷରୁ କୌଣସି ସ୍ପର୍ଦ୍ଧାବାନ ଦାବି କରାଯାଉନାହିଁ; ଯାହାର ଏକମାତ୍ର କାରଣ ହେଉଛି କୌଣସିମତେ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଶାସନ କ୍ଷମତାରେ ଟେକି ହୋଇ ରହିବା, ଯାହା ନିର୍ବାଚନ ସମୟରେ ଦଳକୁ ଲାଭବାନ କରିବ।
ତେବେ, ଏତେ ସବୁ ରାଜନୈତିକ ଭୂଚଳନ ମଧୢରେ ଯାହା ସର୍ବାଧିକ ‘ସିସ୍ମିକ୍-ତୀବ୍ରତା’ ଲାଭ କରିଛି, ତାହା ହେଲା ଶରଦ ପାଵାରଙ୍କ ଏନ୍.ସି.ପି.ରେ ବିଭାଜନ, ଯାହାର ମୁଖ୍ୟ କାର୍ପଟଦାର ତାଙ୍କ ପୁତୁରା ଅଜିତ ପାଵାର। ଏହା ଅଜିତ ପାଵାରଙ୍କ ଦ୍ବିତୀୟ ବିଦ୍ରୋହ; ପ୍ରଥମଟି ଘଟିଥିଲା ୨୦୧୯ ମସିହାରେ। ସେହି ଥର ଦଳ ତ୍ୟାଗ କରିବାର ମାତ୍ର ତିନି ଦିନ ପରେ ସେ ପୁନର୍ବାର ଏନ୍.ସି.ପିକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବ˚ ଶରଦ ପାଵାର ତାଙ୍କ ପରିବାରର ଏହି ପଥଭ୍ରଷ୍ଟ ସନ୍ତାନକୁ ପୁନଃ ଗୃହ-ପ୍ରବେଶର ସୁଯୋଗ ଦେଇଥିଲେ। ତେବେ, ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ଏଥର ଅଜିତ ପାଵାରଙ୍କ ବିଦ୍ରୋହ-ପ୍ରସ୍ତୁତି ଅତ୍ୟନ୍ତ ଦୋରସ୍ତ, ଯହିଁରେ ସେ ଚାଳିଶ ଜଣ ବିଧାୟକଙ୍କ ସମର୍ଥନ ହାସଲ କରିଥିବା ବିଷୟ ଦାବି କରନ୍ତି, ଯେଉଁମାନଙ୍କ ମଧ୍ୟରେ ଶରଦ ପାଵାରଙ୍କ ‘ଆତ୍ମା’ ରୂପେ ପରିଚିତ ଦିଲୀପ ଵଲସେ ପାଟିଲ ଓ ତାଙ୍କ ଘନିଷ୍ଠତମ ସହଯୋଗୀଙ୍କ ମଧୢରେ ପରିଗଣିତ ପ୍ରଫୁଲ୍ଲ ପଟେଲ ବା ଛଗନ ଭୁଜବଳ ଆଦି ମଧୢ ଅନ୍ତର୍ଭୁକ୍ତ। ଏହା ସୁବିଦିତ ଯେ ଶରଦ ପାଵାର ନିଜ କନ୍ୟା ସୁପ୍ରିୟା ସୁଲେଙ୍କୁ ଏନ୍.ସି.ପି.ର ଉତ୍ତରାଧିକାରୀ ରୂପେ ଚୟନ କରିଥିବାରୁ ଅତ୍ୟନ୍ତ ଉଚ୍ଚାଭିଳାଷୀ ଅଜିତ ପାଵାର ବିଦ୍ରୋହ କରି ଦଳରେ ବିଭାଜନ ଘଟାଇଛନ୍ତି। ଏବ˚ ଏକ ବିଡ଼ମ୍ବନା ସ୍ବରୂପ ଦୃଢ଼ ଓ ଅନ୍ତରଙ୍ଗ ସ˚ପର୍କରେ ଛନ୍ଦା ବିଶାଳ ପାଵାର ପରିବାର ମଧୢ ଏହା ସହିତ ବିଭାଜିତ ହୋଇଯାଇଛି।
ତେବେ, ଅନେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ଅନ୍ଦାଜଧର୍ମୀ ମତ ହେଲା ଉଚ୍ଚାଭିଳାଷୀ ଅଜିତ ପାଵାର ଭବିଷ୍ୟତ୍ରେ ଏକ କଣ୍ଟା ରୂପେ ଆବିର୍ଭୂତ ହେବା ନିଶ୍ଚିତ ବୋଲି ଜାଣି ତାଙ୍କର ମୂଳୋତ୍ପାଟନ ଲାଗି ଏହା ହୋଇପାରେ ଅନ୍ୟତମ ସର୍ବାଧିକ ଧୂର୍ତ୍ତ ରାଜନେତା ଭାବେ ସ୍ବୀକୃତ ଶରଦ ପାଵାରଙ୍କ ଏକ ଅତ୍ୟନ୍ତ ବିଚକ୍ଷଣ ଚାଲ! ସେମାନଙ୍କ ମତରେ ଦିଲୀପ ଵଲସେ ପାଟିଲ ବା ଛଗନ ଭୁଜବଳଙ୍କ ଭଳି ପ୍ରଶ୍ନାତୀତ ‘ଶରଦ-ସମର୍ଥକ’ ଅଥବା ପ୍ରଫୁଲ୍ଲ ପଟେଲ କିମ୍ବା ହାସାନ ମୁସରିଫଙ୍କ ଭଳି ଅତ୍ୟନ୍ତ ଘନିଷ୍ଠମାନେ ହଠାତ୍ ଅଜିତଙ୍କ ପଟେ ଦୃଶ୍ୟମାନ ହେବା; ଏପରିକି ମନ୍ତ୍ରୀ ଭାବେ ଶପଥ ନେବା ଇତ୍ୟାଦି ହୋଇପାରେ ଗୋଟିଏ ଥୋପ, ଯାହାକୁ ଅଜିତ ପାୱାର ତାଙ୍କ ଅେଗାଚରରେ କିଳି ସାରିଛନ୍ତି। କାରଣ ଏହା ମଧ୍ୟ ସମ୍ଭବ ଯେ ସେମାନଙ୍କ ସମର୍ଥନର ଭରସାରେ ଅଜିତ କରିଥିବା ହିସାବ (୩୬ ସମର୍ଥକ) ପ୍ରକୃତ ପରୀକ୍ଷା ସମୟରେ ତାଙ୍କୁ ନ ମିଳି ଅଗତ୍ୟା ଭୁଲ୍ ବୋଲି ସାବ୍ୟସ୍ତ ହୋଇପାରେ!
ନିକଟରେ ଉନ୍ମୋଚିତ ହୋଇଥିବା ଶରଦ ପାଵାରଙ୍କ ଆତ୍ମଜୀବନୀ ‘ଅନ୍ ମାଇ ଟର୍ମ୍ସ’ରେ ଠାଏ ସେ ତାଙ୍କ ସୂକ୍ଷ୍ମ ରଣନୈତିକ ବୁଦ୍ଧି ବାବଦରେ ଯାହା କହିଛନ୍ତି ତାହା ହେଲା ଏହିଭଳି: ‘ନିଜର ଭବିଷ୍ୟତ୍ ଯୋଜନାକୁ ପ୍ରତିପକ୍ଷ ଠାରୁ ଗୋପନ କରି ରଖିବା ହେଉଛି ସର୍ବଶ୍ରେଷ୍ଠ ରାଜନୈତିକ ବୁଦ୍ଧି, ଯାହା ମୋର ଅଛି। ଦୁର୍ବଳ ପଡ଼ିଯାଇଥିବା ବେଳେ ତୁମେ କିଭଳି ପଦକ୍ଷେପ ନେବ ସେ ନେଇ ଅନ୍ଦାଜ ଲଗାଇବାରେ ଯଦି ପ୍ରତିଦ୍ବନ୍ଦ୍ବୀ ଧନ୍ଦି ହୁଏ, ତେବେ ଜାଣିବ ଯେ ତୁମେ ତା’ ଠାରୁ ଚାରି ଧାପ ଆଗରେ!’
ସୁତରା˚, ବୃଦ୍ଧ, ପୀଡ଼ିତ ଏବ˚ ଏକ ପ୍ରକାର ନିଃସଙ୍ଗ ଶରଦ ପାଵାର ଏବେ ଦୁର୍ବଳ ଭଳି ପ୍ରତୀତ ହେଉଥିଲେ ମଧ୍ୟ ତାଙ୍କ ଭଳି ଜଣେ ପୋଖତ ଖେଳାଳିଙ୍କ ଉପସ୍ଥିତିରେ ଅଜିତ ପାଵାରଙ୍କ ଭାଗ୍ୟ ପରିଶେଷରେ କେଉଁ ରୂପ ନେବ ବା ମହାରାଷ୍ଟ୍ରର ରାଜନୀତି କେଉଁ ଭବିଷ୍ୟତ୍ ଆଡ଼କୁ ମଙ୍ଗ ମୋଡ଼ିବ, ସେ ନେଇ ନିଶ୍ଚିତତାର ସହିତ କୁହାଯାଇ ନ ପାରେ। କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ତାଙ୍କ ଆତ୍ମଜୀବନୀର ଅନ୍ତିମ ଅଧୢାୟ ଏ ପର୍ଯ୍ୟନ୍ତ ଲେଖାଯାଇ ନାହିଁ। ତାହା ଅଚିରେ ଲେଖାଯିବ, ଏବ˚ ଖୁବ୍ ସମ୍ଭବ ତାହା ତାଙ୍କ ଘଟଣା ଓ ଅନୁଭୂତି ବହୁଳ ଆତ୍ମଜୀବନୀର ସର୍ବାଧିକ ଆକର୍ଷଣୀୟ ଅଧୢାୟ ମଧୢ ହୋଇପାରେ!