ହୁଏତ ତାହା ହିଁ ହୃଦୟଙ୍ଗମ କରି ଓପେନ୍ହାଇମର୍ଙ୍କୁ ‘ମାନ୍ହାଟ୍ଟାନ୍ ପ୍ରୋଜେକ୍ଟ’ର ନେତୃତ୍ବ ଗ୍ରହଣ କରିବା ପାଇଁ ଶ୍ରୀମଦ୍ ଭଗବଦ୍ଗୀତାର ଯେଉଁ ଶ୍ଳୋକ ପ୍ରଭାବିତ କରି ଥାଇପାରେ ତାହା ହେଉଛି: ‘‘ସ୍ବଧର୍ମମପି ଚାବେକ୍ଷ ନ ବିକମ୍ପିତୁମର୍ହସି।/ ଧର୍ମ୍ୟାଦ୍ଧି ଯୁଦ୍ଧାଚ୍ଛ୍ରେୟୋଽନ୍ୟତ୍ କ୍ଷତ୍ରିୟସ୍ୟ ନ ବିଦ୍ୟେତ।।’’ ଅର୍ଥାତ୍, ତୁମର ‘ଧର୍ମ’ ଦୃଷ୍ଟିରୁ ତୁମେ ଦ୍ବିଧାଗ୍ରସ୍ତ ହେବା ଉଚିତ ନୁହେଁ। ଜଣେ କ୍ଷତ୍ରିୟ ପାଇଁ ମନ୍ଦ ଶକ୍ତି ବିରୋଧରେ ଯୁଦ୍ଧ ଠାରୁ ଉଚ୍ଚତର କର୍ତ୍ତବ୍ୟ ଆଉ କିଛି ନାହିଁ। ଅର୍ଜୁନଙ୍କ ଭଳି ଓପେନ୍ହାଇମର୍ ଥିଲେ ‘ମାନ୍ହାଟ୍ଟାନ୍ ପ୍ରୋଜେକ୍ଟ’ରେ ଯୁଦ୍ଧରତ ଜଣେ କ୍ଷତ୍ରିୟ। ଏହା ହିଁ ହେଉଛି ଗୀତାରେ ଉପଲବ୍ଧ ରବର୍ଟ ଓପେନ୍ହାଇମର୍ଙ୍କ ସମ୍ବନ୍ଧରେ ଉପରୋକ୍ତ ସମସ୍ତ ପ୍ରଶ୍ନମାନଙ୍କର ଏକକ ଉତ୍ତର।
‘‘କାଳୋଽସ୍ମି ଲୋକକ୍ଷୟକୃତ୍ ପ୍ରବୃଦ୍ଧୋ/ ଲୋକାନ୍ ସମାହର୍ତ୍ତୁମିହ ପ୍ରବୃତ୍ତଃ। ଋତେଽପି ତ୍ବାଂ ନ ଭବିଷ୍ୟନ୍ତି ସର୍ବେ/ ଯେଽବସ୍ଥିତାଃ ପ୍ରତ୍ୟନୀକେଷୁ ଯୋଧାଃ।।’’ ସିନେମାର ମୁଖ୍ୟ ପରିଚୟ ହେଲା ଏହା ହେଉଛି ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ। ତେଣୁ ଆଶ୍ଚର୍ଯ୍ୟ ନ ହୋଇ ରହି ହୁଏ ନାହିଁ ଯେ ବର୍ତ୍ତମାନ ପୃଥିବୀ ସାରା ଦର୍ଶକମାନଙ୍କ ମଧ୍ୟରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିବା ଏକ ସିନେମା ଦେଖିବା ପରେ ଅଗଣିତ ଦର୍ଶକ ଗଭୀର ଦାର୍ଶନିକ ସତ୍ୟ ବହନ କରୁଥିବା ଶ୍ରୀମଦ୍ ଭଗବଦ୍ଗୀତାର ଏକାଦଶ ଅଧ୍ୟାୟର ଏହି ୩୨ତମ ଶ୍ଳୋକଟିକୁ ଖୋଜି ବାହାର କରିବାରେ ଲାଗି ପଡ଼ିବା ଦେଖାଯାଉଛି। ଆଶ୍ଚର୍ଯ୍ୟ େହବାର କାରଣ, ଶ୍ଳୋକଟି ମନୋରଞ୍ଜନ କରିବା ଅପେକ୍ଷା ମନକୁ ଭାରାକ୍ରାନ୍ତ କରିବାର ସମ୍ଭାବନା ହେଉଛି ବହୁ ଅଧିକ। ଗୀତା ଜ୍ଞାନୀମାନଙ୍କୁ ଜଣା ଯେ ଶ୍ଳୋକଟିରେ ଭଗବାନ୍ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସମ୍ମୁଖେର ବିଶ୍ବରୂପ ଧାରଣ କରି କହିଛନ୍ତି: ମୁଁ ହେଉଛି ସଂସାରମାନଙ୍କର ବିନାଶକାରୀ ପ୍ରବୃଦ୍ଧ ମହାକାଳ। ଏହି ସମୟରେ ସଂସାରକୁ ବିନାଶ କରିବା ପାଇଁ ମୁଁ ପ୍ରବୃତ୍ତ ହୋଇଛି। ଏଣୁ ତୁମେ ଯୁଦ୍ଧ ନ କଲେ ମଧ୍ୟ ତୁମ ଶତ୍ରୁ ପକ୍ଷର ଯୋଦ୍ଧାମାନେ କେହି ରହିବେ ନାହିଁ।
ବର୍ତ୍ତମାନ କାହାକୁ ଅଛପା ନ ଥିବ ଯେ ସିନେମାଟି ହେଉଛି କ୍ରିଷ୍ଟୋଫର୍ ନୋଲାନ୍ଙ୍କ ନିର୍ଦ୍ଦେଶିତ ‘ଓେପନ୍ହାଇମର୍’, ଯାହା ପୃଥିବୀର ସର୍ବପ୍ରଥମ ପରମାଣୁ ବୋମାର ନିର୍ମାତା ରବର୍ଟ ଓପେନ୍ହାଇମର୍ଙ୍କ ଜୀବନ କାହାଣୀ ଉପରେ ଆଧାରିତ। ଆମେରିକାର ଲସ୍ ଆଲାମସ୍ ମରୁଭୂମିରେ ପ୍ରଥମ ବୋମାର ସଫଳ ପରୀକ୍ଷଣର ପ୍ରଳୟଙ୍କରୀ ଦୃଶ୍ୟ ଅବଲୋକନ କଲା ପରେ ଏହାର ଗଣବିଧ୍ବଂସକାରୀ ସମ୍ଭାବନା ହୃଦୟଙ୍ଗମ କରିଥିବା ଓପେନ୍ହାଇମର୍ଙ୍କୁ ସେଠାରେ ଗୀତାର ଏହି ଶ୍ଳୋକ ଆବୃତ୍ତି କରିବା ଦେଖାଯାଇଥିଲା। ୧୯୪୫ ଜୁଲାଇ ୧୬ରେ ଓପେନ୍ହାଇମର୍ ଏହା ଆବୃତ୍ତି କରିବା ସମୟରେ ନିଶ୍ଚିତ ରୂପେ ନିଃସନ୍ଦେହ ଥିଲେ ଯେ ଅନତିବିଳମ୍ବେ ସେ ଉଦ୍ଭାବନ କରିଥିବା ଏହି ନୂତନ ମାରଣାସ୍ତ୍ର ଦ୍ବାରା ଭଗବାନ ଶ୍ରୀକୃଷ୍ଣ କହିଥିବା ଭଳି ଅଭୂତପୂର୍ବ ଲୋକକ୍ଷୟ ଘଟିବାକୁ ଯାଉଛି। ଏହାର ମାସେ ନ ପୂରୁଣୁ ଅଗଷ୍ଟ ୬ରେ ହିରୋସିମା ଉପରେ ଓ ଅଗଷ୍ଟ ୯ରେ ନାଗାସାକି ଉପରେ ଆମେରିକା ପକାଇଥିବା ଗୋଟିଏ ଲେଖାଏଁ ପରମାଣୁ ବୋମା ଦ୍ବାରା ଅନ୍ୟୂନ ମୋଟ ୧,୩୫,୦୦୦ ଲୋକଙ୍କର ପ୍ରାଣହାନି ଘଟିଥିଲା ଓ ଅଗଣିତ ସଂଖ୍ୟାରେ ଆବାଳ ବୃଦ୍ଧ ବନିତା ଭୟଙ୍କର ଭାବେ ଆହତ ଓ ରୋଗ ଗ୍ରସ୍ତ ହୋଇ ଦୀର୍ଘ କାଳ ଧରି ଯନ୍ତ୍ରଣା ଭୋଗ କରିଥିଲେ।
ପ୍ରଶ୍ନ ଉଠିଥାଏ ଓପେନ୍ହାଇମର୍ ସେଦିନ ଯଦି ପରମାଣୁ ବୋମାର ଏପରି ଲୋକକ୍ଷୟକାରୀ କ୍ଷମତା ସମ୍ବନ୍ଧରେ ଅବଗତ ଥାଇ ମଧ୍ୟ ଏହାର ନିର୍ମାଣ କରିବାକୁ ଆଗେଇ ଯାଇଥିଲେ, ତେବେ ସେଇ ପାଖାପାଖି ଦେଢ଼ ଲକ୍ଷ ଜାପାନୀଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରାଯିବ ନା ନାହିଁ? ଏଠାରେ ଏକ ଅସୁବିଧାଜନକ ତୁଳନା ମଧ୍ୟ କରାଯାଇଥାଏ। ଓପେନ୍ହାଇମର୍ ଥିଲେ ଇହୁଦୀ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ହିଟ୍ଲର୍ ଯୋଜନାବଦ୍ଧ ଭାବରେ ପ୍ରାୟ ଛ’ ନିୟୁତ ଇଉରୋପୀୟ ଇହୁଦୀଙ୍କର ଗଣହତ୍ୟା ରଚନା କରିଥିଲେ, ଯାହା ‘ହଲୋକଷ୍ଟ’ ରୂପେ କୁଖ୍ୟାତ। ଜାପାନ୍ ଥିଲା ହିଟ୍ଲର୍ଙ୍କ ପକ୍ଷଭୁକ୍ତ ଦେଶ। ପରମାଣୁ ବୋମା ନିର୍ମାଣକୁ ‘ହଲୋକଷ୍ଟ’ ସହିତ ତୁଳନୀୟ ଓପେନ୍ହାଇମର୍ଙ୍କର ଏକ ହିଟ୍ଲର୍ ସୁଲଭ କାର୍ଯ୍ୟ ରୂପେ ବିଚାର କରାଯାଇପାରିବ କି? କଥାରେ କୁହାଯାଇଥାଏ, ଜଣେ ଲୋକକୁ ହତ୍ୟା କରିବା ହେଉଛି ଅପରାଧ ଓ ସେ କାର୍ଯ୍ୟ କରିଥିବା ଲୋକକୁ କୁହାଯାଇଥାଏ- ‘ହତ୍ୟାକାରୀ’, କିନ୍ତୁ ଅଗଣିତ ଲୋକଙ୍କ ହତ୍ୟାକୁ କୁହାଯାଇଥାଏ- ଯୁଦ୍ଧ ଓ େସ କାର୍ଯ୍ୟ କରିଥିବା ଲୋକକୁ କୁହାଯାଇଥାଏ- ‘ହିରୋ’ ବା ‘ନାୟକ’। ଓପେନ୍ହାଇମର୍ଙ୍କୁ ତା’ହେଲେ କ’ଣ ବୋଲି ବିଚାର କରାଯିବ?
ଆଶ୍ଚର୍ଯ୍ୟର କଥା ଏ ସମସ୍ତ ପ୍ରଶ୍ନର ଉତ୍ତର ସେଇ ଗୀତାରେ ହିଁ ନିହିତ ଅଛି, ଯାହା ଗୀତା ସହିତ ସୁପରିଚିତ ଓପେନ୍ହାଇମର୍ଙ୍କୁ ଭଲ ରୂପେ ଜଣା ଥିଲା। ଗୀତାର ଚିନ୍ତାଧାରାକୁ ଅନୁସରଣ କରି ସେ ହୃଦ୍ବୋଧ କରିଥିଲେ ଯେ ଜଣେ ପଦାର୍ଥ ବିଜ୍ଞାନୀ ରୂପେ ତାଙ୍କର ‘ଧର୍ମ’ ହେଉଛି ରାଷ୍ଟ୍ରର ନିଷ୍ପତ୍ତି ଅନୁସାରେ ପରମାଣୁ ବୋମା ନିର୍ମାଣ ସମ୍ଭବ କରାଇବା। ଗୀତାର ମୁଖ୍ୟ ନିର୍ଦ୍ଦେଶ ହେଉଛି- ଆନ୍ତରିକତାର ସହିତ ନିଜର ‘ଧର୍ମ’ ପାଳନ କରିବା; ଯେମିତି ଅର୍ଜୁନଙ୍କ ଭଳି ଯୋଦ୍ଧାର ‘ଧର୍ମ’ ହେଉଛି ଯୁଦ୍ଧ କରିବା। ଆମେରିକା ସରକାର ଯେତେବେଳେ ଓପେନ୍ହାଇମର୍ଙ୍କୁ ମହାଭାରତ ଯୁଦ୍ଧ ଭଳି ଦ୍ବିତୀୟ ବିଶ୍ବଯୁଦ୍ଧ ନାମକ ଆଉ ଏକ ମହାଯୁଦ୍ଧର ଅଂଶ ସ୍ବରୂପ ପରମାଣୁ ବୋମା ନିର୍ମାଣ ପାଇଁ ଉଦ୍ଦିଷ୍ଟ ‘ମାନ୍ହାଟ୍ଟାନ୍ ପ୍ରୋଜେକ୍ଟ’ର ନେତୃତ୍ବ ନେବା ପାଇଁ ଅନୁରୋଧ କଲେ, ସେତେବେଳେ ଗୀତାଜ୍ଞାନୀ ଓପେନ୍ହାଇମର୍ଙ୍କ ମନରେ ଏହି ଦାୟିତ୍ବ ଗ୍ରହଣ କରିବା ନେଇ ସାମାନ୍ୟତମ ସଂଶୟ ମଧ୍ୟ ଉଦ୍ରେକ ହୋଇନଥିଲା। ସେ ଉପରୋକ୍ତ ଶ୍ଳୋକ ଅନୁସାରେ ଜାଣିଥିଲେ ଯେ ସେ ଅର୍ଜୁନଙ୍କ ଭଳି ଏ ଯୁଦ୍ଧ ଉଦ୍ୟମରେ ଅଂଶ ଗ୍ରହଣ କରନ୍ତୁ କି ନକରନ୍ତୁ, ଯୁଦ୍ଧ କିନ୍ତୁ ମହାକାଳଙ୍କ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଚାଲୁ ରହିବ ଓ ଯେଉଁମାନଙ୍କର ମୃତ୍ୟୁ ଘଟିବା କଥା ଘଟିବ।
ଏମିତିରେ ସେଇ ଗୀତାରୁ ମଧ୍ୟ ସେ ଏହି ଜ୍ଞାନ ଲାଭ କରିଥିଲେ: ‘‘ଯ ଏନଂ ବେତ୍ତି ହନ୍ତାରଂ ଯଶ୍ଚୈନଂ ମନ୍ୟତେ ହତମ୍।/ଉଭୌ ତୌ ନ ବିଜାନୀତୋ ନାୟଂ ହନ୍ତି ନ ହନ୍ୟତେ।।’’ ଅର୍ଥାତ୍, ଯିଏ ଏହି ଆତ୍ମା ହତ୍ୟା କରେ ବୋଲି ବୁଝେ ତଥା ଯିଏ ଏହି ଆତ୍ମା ନିହତ ହୁଏ ବୋଲି ସ୍ବୀକାର କରେ, ସେମାନେ ଉଭୟ ଆତ୍ମା ସମ୍ବନ୍ଧରେ କିଛି ଜାଣନ୍ତି ନାହିଁ; କାରଣ ଏହି ଆତ୍ମା ବାସ୍ତବରେ କାହାରିକୁ ହତ୍ୟା କରେ ନାହିଁ, କିମ୍ବା କାହାରି ଦ୍ବାରା ମଧ୍ୟ ନିହତ ହୁଏ ନାହିଁ।
ଓପେନ୍ହାଇମର୍ ତାଙ୍କର ‘ଧର୍ମ’ ଓ ଆମେରିକା ସରକାରଙ୍କ ‘ଧର୍ମ’ ମଧ୍ୟରେ ରହିଥିବା ପ୍ରଭେଦ ସମ୍ବନ୍ଧରେ ସମ୍ପୂର୍ଣ୍ଣ ସଚେତନ ଥିଲେ। ବୈଜ୍ଞାନିକ ଓପେନ୍ହାଇମର୍ଙ୍କ ‘ଧର୍ମ’ ପରମାଣୁ ବୋମା ନିର୍ମାଣରେ ସୀମିତ ଥିଲା; ଏହି ବୋମାକୁ କିପରି ବ୍ୟବହାର କରାଯିବ ସେ ସମ୍ବନ୍ଧରେ ନିଷ୍ପତ୍ତି ଗ୍ରହଣ କରିବା ଥିଲା ରାଷ୍ଟ୍ରନେତା ରୂପେ ରାଷ୍ଟ୍ରପତି ହ୍ୟାରୀ ଟ୍ରୁମ୍ୟାନ୍ଙ୍କ ‘ଧର୍ମ’। ଉଭୟ ‘ମିତ୍ରଶକ୍ତି’ ଓ ‘ଅକ୍ଷଶକ୍ତି’ ଯୁଦ୍ଧରେ ଅନ୍ତିମ ବିଜୟ ହାସଲରେ ପରମାଣୁ ବୋମା ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ ବୋଲି ହୃଦୟଙ୍ଗମ କରି ପ୍ରଥମେ ବୋମା ତିଆରି କରିବାରେ ସଫଳ ହେବା ପାଇଁ ଯେଉଁ ପ୍ରତିଯୋଗିତା ଆରମ୍ଭ କରି ଦେଇଥିଲେ ‘ମିତ୍ରଶକ୍ତି’ ତରଫରୁ ଆମେରିକାରେ ଓପେନ୍ହାଇମର୍ ତା’ର ନେତୃତ୍ବ ନେଇଥିବା ବେଳେ ‘ଅକ୍ଷଶକ୍ତି’ ତରଫରୁ ଜର୍ମାନିରେ ତା’ର ନେତୃତ୍ବ ନେଇଥିଲେ ବିଚକ୍ଷଣ ପଦାର୍ଥବିଜ୍ଞାନୀ ନୋବେଲ୍ ପୁରସ୍କାରପ୍ରାପ୍ତ ୱର୍ନର୍ ହାଇସେନ୍ବର୍ଗ। ଘଟଣାକ୍ରମେ ଜର୍ମାନି ତା’ର ଏହି ଉଦ୍ୟମରେ ସଫଳ ହେବା ପୂର୍ବରୁ ୧୯୪୫ ମଇରେ ତାକୁ ଆତ୍ମସମର୍ପଣ କରିବାକୁ ପଡ଼ିଲା। କିନ୍ତୁ ‘ଅକ୍ଷଶକ୍ତି’ର ସଦସ୍ୟ ଜାପାନ ତଥାପି ଯୁଦ୍ଧ ଚଳାଇଥାଏ, ଯାହା ହିରୋସିମା, ନାଗାସାକି ପରେ ସମାପ୍ତ ହେଲା ଓ ତା’ ସହିତ ଦ୍ବିତୀୟ ବିଶ୍ବଯୁଦ୍ଧର ଅନ୍ତ ଘଟିଲା।
ଯଦି ଜର୍ମାନି ପ୍ରଥମେ ପରମାଣୁ ବୋମା ତିଆରି କରି ପାରିଥାନ୍ତା, ତା’ହେଲେ ହିଟ୍ଲର୍ଙ୍କ ଭଳି ଉନ୍ମାଦ ନରହନ୍ତା ତାହା ବ୍ୟବହାର କରି ଯେଉଁ ନରସଂହାର ରଚନା କରିଥାନ୍ତେ, ତାହା ଯେ ହିରୋସିମା ନାଗାସାକି ଠାରୁ କେତେ ଗୁଣ ଅଧିକ ଭୟଙ୍କର ହୁଅନ୍ତା, ତାହା ଅକଳ୍ପନୀୟ। ହୁଏତ ତାହା ହିଁ ହୃଦୟଙ୍ଗମ କରି ଓପେନ୍ହାଇମର୍ଙ୍କୁ ‘ମାନ୍ହାଟ୍ଟାନ୍ ପ୍ରୋଜେକ୍ଟ’ର ନେତୃତ୍ବ ଗ୍ରହଣ କରିବା ପାଇଁ ଶ୍ରୀମଦ୍ ଭଗବଦ୍ଗୀତାର ଯେଉଁ ଶ୍ଳୋକ ପ୍ରଭାବିତ କରି ଥାଇପାରେ ତାହା ହେଉଛି: ‘‘ସ୍ବଧର୍ମମପି ଚାବେକ୍ଷ ନ ବିକମ୍ପିତୁମର୍ହସି।/ ଧର୍ମ୍ୟାଦ୍ଧି ଯୁଦ୍ଧାଚ୍ଛ୍ରେୟୋଽନ୍ୟତ୍ କ୍ଷତ୍ରିୟସ୍ୟ ନ ବିଦ୍ୟେତ।।’’ ଅର୍ଥାତ୍, ତୁମର ‘ଧର୍ମ’ ଦୃଷ୍ଟିରୁ ତୁମେ ଦ୍ବିଧାଗ୍ରସ୍ତ ହେବା ଉଚିତ ନୁହେଁ। ଜଣେ କ୍ଷତ୍ରିୟ ପାଇଁ ମନ୍ଦ ଶକ୍ତି ବିରୋଧରେ ଯୁଦ୍ଧ ଠାରୁ ଉଚ୍ଚତର କର୍ତ୍ତବ୍ୟ ଆଉ କିଛି ନାହିଁ। ଅର୍ଜୁନଙ୍କ ଭଳି ଓପେନ୍ହାଇମର୍ ଥିଲେ ‘ମାନ୍ହାଟ୍ଟାନ୍ ପ୍ରୋଜେକ୍ଟ’ରେ ଯୁଦ୍ଧରତ ଜଣେ କ୍ଷତ୍ରିୟ। ଏହା ହିଁ ହେଉଛି ଗୀତାରେ ଉପଲବ୍ଧ ରବର୍ଟ ଓପେନ୍ହାଇମର୍ଙ୍କ ସମ୍ବନ୍ଧରେ ଉପରୋକ୍ତ ସମସ୍ତ ପ୍ରଶ୍ନମାନଙ୍କର ଏକକ ଉତ୍ତର।