‘ବେସିକ୍ ଷ୍ଟ୍ରକ୍ଚର୍’ର ଯଥାର୍ଥତା ନେଇ ବିତର୍କ ହୁଏତ ଆଗକୁ ଚାଲିପାରେ। କିନ୍ତୁ ମୂଳ କଥା ହେଲା ‘ବିଧାୟିକା’ ଓ ‘ନ୍ୟାୟପାଳିକା’ ମଧ୍ୟରେ ଚାଲିଥିବା କ୍ଷମତା-ଅଧିକାରର ପ୍ରତିଦ୍ବନ୍ଦ୍ବିତା ଅନେକ ବିଜ୍ଞଙ୍କ ବିଚାର ବିଭ୍ରାଟ ଘଟାଉଛି; ଯାହା ଏହି ପ୍ରତିଦ୍ବନ୍ଦ୍ବିତାକୁ ସଂକୀର୍ଣ୍ଣ ଏବଂ ସ୍ବାର୍ଥ ସର୍ବସ୍ବ ମଧ୍ୟ କରି ଦେଉଛି, ଯାହା ଆମ ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ।
ସଂବିଧାନର ‘ମୂଳ ଢାଞ୍ଚା’ ବା ‘ବେସିକ୍ ଷ୍ଟ୍ରକ୍ଚର୍’କୁ ନେଇ ପୁନର୍ବାର ଏକ ବିତର୍କର ପ୍ରାରମ୍ଭ ଘଟିଛି; କିନ୍ତୁ, ଏଥରର ନୂଆ କଥାଟି ହେଲା ‘ବେସିକ୍ ଷ୍ଟ୍ରକ୍ଚର୍ ଡକ୍ଟ୍ରିନ୍ (ତତ୍ତ୍ବ)’କୁ କେନ୍ଦ୍ର କରି ସଂସଦ ଏବଂ ସର୍ବୋଚ୍ଚ ଅଦାଲତ ମଧ୍ୟରେ ଚାଲି ଆସିଥିବା ବାଚନିକ ଲଢ଼େଇରେ ଜଣେ ଯୋଦ୍ଧା ନିଜ ପକ୍ଷ ତ୍ୟାଗ କରି ପ୍ରତିପକ୍ଷ ପାର୍ଶ୍ବରୁ ବାକ୍ୟ ବାଣ ପ୍ରହାର କରିବା ଆରମ୍ଭ କରିଛନ୍ତି; ସେ ହେଉଛନ୍ତି ସୁପ୍ରିମ୍ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ତଥା ବର୍ତ୍ତମାନର ବିେଜପି ମନୋନୀତ ରାଜ୍ୟସଭା ସାଂସଦ ରଂଜନ ଗୋଗୋଇ। ‘ଦିଲ୍ଲୀ-ଏନ୍ସିଆର୍ ବିଲ୍’ ସଂପର୍କରେ ରାଜ୍ୟ ସଭାରେ ହେଉଥିବା ଏକ ଆଲୋଚନା କାଳରେ ତାଙ୍କ ଦ୍ବାରା ପ୍ରଦତ୍ତ ମତ କହିଥାଏ ଯେ ‘ବେସିକ୍ ଷ୍ଟ୍ରକ୍ଚର୍ ଡକ୍ଟ୍ରିନ୍’ ଏକ ପ୍ରଶ୍ନ ସଂକୁଳ ବିଚାର ଉପରେ ପ୍ରତିଷ୍ଠିତ; ଅର୍ଥାତ୍ ‘ବେସିକ୍ ଷ୍ଟ୍ରକଚର’ ଅପରିବର୍ତ୍ତନୀୟ ବା ଅଲଂଘ୍ୟ ନୁହେଁ ଏବଂ ଏହାର ଆଶ୍ରୟ ନେଇ ‘ନ୍ୟାୟପାଳିକା’ ନିଜକୁ ସମସ୍ତ ପ୍ରଶ୍ନର ଊର୍ଦ୍ଧ୍ବରେ ରଖି ନ ପାରେ! ଅବଶ୍ୟ, ଟିକିଏ ଗଭୀର ଦୃଷ୍ଟିପାତ କଲେ ବୁଝି ହୋଇଥାଏ ଯେ ‘ବେସିକ୍ ଷ୍ଟ୍ରକ୍ଚର୍’ ନେଇ ସୃଷ୍ଟ ବିବାଦଟି କେବଳ ଏକ ବାହାନା ମାତ୍ର, ଯହିଁରେ ମୂଳ ତ୍ରୁଟି ରେଖାଟି ବିଦ୍ୟମାନ ରହିଛି କ୍ଷମତା-ଅଧିକାରର ପ୍ରତିଦ୍ବନ୍ଦ୍ବିତାରେ; ଯେଉଁଥିରେ ଆମ ଗଣତନ୍ତ୍ରର ଦୁଇ ମୁଖ୍ୟ ଅନୁଷ୍ଠାନ ‘ବିଧାୟିକା’ ଏବଂ ‘ନ୍ୟାୟପାଳିକା’କୁ ମୁହାଁମୁହିଁ କରିଥାଏ।
ପ୍ରକାଶ ଥାଉ କି ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କ ଦ୍ବାରା ଗଠିତ ‘ନେସନାଲ ଜୁଡିସିଆଲ କମିସନ୍’ ବା ‘ଏନ୍.ଜେ.ସି.’କୁ ଅଗ୍ରାହ୍ୟ କରି ‘କଲେଜିଅମ’ ବ୍ୟବସ୍ଥାର ପ୍ରଚଳନକୁ ଯଥାର୍ଥତା ପ୍ରଦାନ ସକାଶେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟ ଏବଂ ତହିଁରେ ‘ବେସିକ୍ ଷ୍ଟ୍ରକ୍ଚର୍’ର ଅବତାରଣା ଏକ ବିବାଦକୁ ଜନ୍ମ ଦେଇଥିଲା। ପ୍ରକାଶ ଥାଉ କି ଗଣତନ୍ତ୍ର, ନାଗରିକର ମୌଳିକ ଅଧିକାର, ଧର୍ମ ନିରପେକ୍ଷତା ଏବଂ ଆଇନର ଶାସନ ଭଳି ବିଷୟକୁ ସଂବିଧାନର ‘ବେସିକ୍ ଷ୍ଟ୍ରକ୍ଚର୍’ର ଅନ୍ତର୍ଭୁକ୍ତ କରାଯାଇଥାଏ। ୧୯୭୩ ମସିହାରେ, ଅର୍ଥାତ୍ ଆଜିକୁ ଠିକ୍ ପଚାଶ ବର୍ଷ ତଳେ ‘କେଶବାନନ୍ଦ ଭାରତୀ ବନାମ କେରଳ ସରକାର’ ମାମଲାର ବିଚାର ସମୟରେ ‘ବେସିକ୍ ଷ୍ଟ୍ରକ୍ଚର୍’ ଭଳି ସଂଦର୍ଭଟି ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ବିଧିବଦ୍ଧ ରୂପ ପାଇଥିଲା ଏବଂ ଏହି ‘ବେସିକ୍ ଷ୍ଟ୍ରକ୍ଚର୍’ର ବ୍ୟାଖ୍ୟା ଅନୁସାରେ ନ୍ୟାୟପାଳିକାଙ୍କ ସ୍ବାଧୀନତା ସମସ୍ତ ପ୍ରକାର ହସ୍ତକ୍ଷେପରୁ ଊର୍ଦ୍ଧ୍ବରେ ବୋଲି କୁହାଯାଇ ଆସିଛି। ତେବେ ‘ବେସିକ୍ ଷ୍ଟ୍ରକଚର୍’ର ଅଲଂଘ୍ୟତାକୁ ପ୍ରଶ୍ନ କରୁଥିବା ସଂସଦ ବା ‘ବିଧାୟିକା’ ପକ୍ଷବାଦୀମାନେ କହିଥାଆନ୍ତି ଯେ ଏଭଳି ଏକ ତତ୍ତ୍ବର ଅବତାରଣା ସଂବିଧାନ ପ୍ରଣେତାମାନେ କଦାଚିତ୍ କରି ନ ଥିଲେ। ସୁତରାଂ, ଏହା ଏକ କୃତ୍ରିମ ସଂରଚନା। ଦ୍ବିତୀୟ କଥା ହେଲା, ‘ନ୍ୟାୟପାଳିକା’ ଏକ ସାଂବିଧାନିକ ଅନୁଷ୍ଠାନ ମାତ୍ର: ତେଣୁ ଏହାର ବ୍ୟାଖ୍ୟାରୁ ସୃଷ୍ଟ ‘ବେସିକ ଷ୍ଟ୍ରକଚର’ ଏକ ଚିରନ୍ତନ ଏବଂ ଅଭ୍ରାନ୍ତ ଅବଧାରଣା ହୋଇ ନ ପାରେ। ତେବେ, ଏଭଳି ବିବାଦ ପରିପ୍ରେକ୍ଷୀରେ ବିଧାୟିକା ଏବଂ ନ୍ୟାୟପାଳିକା ମଧ୍ୟରେ କ୍ଷମତା ଅଧିକାରର ପ୍ରତିଦ୍ବନ୍ଦ୍ବିତା ଯେ ମୂଳ ଏଥିରେ ଦ୍ବିରୁକ୍ତି ନାହିଁ; ଯାହାର ନିଦର୍ଶନ ହେଲା ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ‘ଏନ୍ଜେସି’ର ପ୍ରତ୍ୟାଖ୍ୟାନ।
ଏଭଳି ଅନେକ ବାର ଦେଖିବାକୁ ମିଳିଥାଏ ଯେ ସରକାରଙ୍କ ଦ୍ବାରା ଗୃହୀତ କୌଣସି ନୂତନ ଆଇନ ବା ସଂବିଧାନ ସଂଶୋଧନ ନ୍ୟାୟାଳୟ ଦ୍ବାରା ଆହ୍ବାନର ସମ୍ମୁଖୀନ ହୋଇଥାଏ, କାରଣ ଏଭଳି ଆଇନ ଦ୍ବାରା ପୀଡ଼ିତ ହେଉଛନ୍ତି ବୋଲି ଅନୁଭବ କରୁଥିବା ନାଗରିକଗଣ ଶେଷ ଆଶ୍ରୟ ଭାବେ ନ୍ୟାୟାଳୟର ଦ୍ବାରସ୍ଥ ହୁଅନ୍ତି। ଏଭଳି ପ୍ରସଙ୍ଗରେ ସ୍ପଷ୍ଟତା ଆଣିବା ସକାଶେ ନ୍ୟାୟାଳୟର ବ୍ୟାଖ୍ୟା ଜରୁରୀ ହୋଇପଡ଼େ। କିନ୍ତୁ ଏହା ମଧ୍ୟ ଦେଖିବାକୁ ମିଳେ ଯେ ନ୍ୟାୟାଳୟଙ୍କ ଏଭଳି ବ୍ୟାଖ୍ୟା ମଧ୍ୟ ସର୍ବଶେଷ ବା ଚୂଡ଼ାନ୍ତ ହୋଇ ନ ଥାଏ, କାରଣ ଗୋଟିଏ ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ପ୍ରଦତ୍ତ ରାୟ ପରବର୍ତ୍ତୀ କାଳରେ ଅନ୍ୟ କୌଣସି ମାମଲା ପରିପ୍ରେକ୍ଷୀରେ ସେହି ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ପରିବର୍ତ୍ତିତ ହେଉଥିବା ମଧ୍ୟ ଦେଖିବାକୁ ମିଳିଥାଏ। ଏଭଳି କାହିଁକି ହୋଇଥାଏ ତାହା ବୁଝିବା ଲାଗି ଏକ ସରଳ ଉଦାହରଣ ରୂପେ ସଂବିଧାନର ଧାରା ‘୧୩’ ଏବଂ ଧାରା ‘୩୬୮’ ଉପରେ ଦୃଷ୍ଟିପାତ କରାଯାଉ। ସଂବିଧାନର ଧାରା ‘୧୩’ କହିଥାଏ ଯେ ନାଗରିକଙ୍କ ‘ମୌଳିକ ଅଧିକାର’ ହେଉଛି ଅଲଂଘ୍ୟ, ଯାହାକୁ ସଂସଦରେ ଗୃହୀତ କୌଣସି ଆଇନ ଦ୍ବାରା କ୍ଷୁଣ୍ଣ କରାଯାଇ ନ ପାରେ; ଏଣେ ଧାରା ୩୬୮ର ପ୍ରାବଧାନ ଅନୁସାରେ ସଂସଦ ଯେ କୌଣସି ପ୍ରକାର ଆଇନକୁ ରୂପ ଦେବା ଲାଗି କ୍ଷମତାପ୍ରାପ୍ତ; ଅର୍ଥାତ୍ ମୌଳିକ ଅଧିକାରକୁ ଉଲ୍ଲଂଘନ କଲା ଭଳି ଆଇନ ମଧ୍ୟ ସରକାରଙ୍କ ଦ୍ବାରା ସୃଷ୍ଟି କରାଯାଇପାରେ! ଏଭଳି ବିରୋଧାଭାସ ସ୍ଥଳେ ଧାରା ‘୧୩’ ଏବଂ ଧାରା ‘୩୬୮’ ମଧ୍ୟରୁ ଯେଉଁଟି କୌଣସି ଖଣ୍ଡପୀଠ ଦ୍ବାରା ପ୍ରାଧାନ୍ୟ ଲାଭ କରେ, ସେହି ଅନୁସାରେ ରାୟ ନିସୃତ ହୋଇଥାଏ। କୁହାଯାଇପାରେ ଯେ ଏହି ଦୁଇଟି ଧାରା କାରଣରୁ ସରକାର ଏବଂ ନାଗରିକଙ୍କ ମଧ୍ୟରେ ସମ୍ଭବତଃ ସର୍ବାଧିକ ବିବାଦ ଉତ୍ପନ୍ନ ହୋଇଥାଏ, ଯାହାର ବିଚାର ପ୍ରକ୍ରିୟାରେ ନ୍ୟାୟପାଳିକା ଏବଂ ସରକାରଙ୍କ ମଧ୍ୟରେ କ୍ଷମତା ଅଧିକାର ନେଇ ସର୍ବାଧିକ ମତାନୈକ୍ୟ ଏବଂ ଅନେକ ସମୟରେ ମନୋମାଳିନ୍ୟ ମଧ୍ୟ ସୃଷ୍ଟି ହୋଇଥାଏ। ତେବେ ଯାହା ଉଦ୍ବେଗଜନକ ତାହା ହେଲା କ୍ଷମତା ପ୍ରାଧାନ୍ୟର ପ୍ରତିଦ୍ବନ୍ଦ୍ବିତା ଆମ ଗଣତନ୍ତ୍ରର ଦୁଇ ପ୍ରମୁଖତମ ଅନୁଷ୍ଠାନକୁ ଏକ ବିଚିତ୍ର ଲୁଚକାଳି ଖେଳରେ ମଧ୍ୟ ଅବତୀର୍ଣ୍ଣ କରିଛି, ଯହିଁରେ ଅଦାଲତଙ୍କ ଦ୍ବାରା ଅଗ୍ରାହ୍ୟ ଆଇନକୁ ଗଳା ବାଟ ଦେଇ ପୁନର୍ବାର ପ୍ରଚଳନ କରିବା ଲାଗି ସଂସଦରେ ଉଦ୍ୟମ କରାଯାଉଛି। ଏଭଳି ସ୍ଥିତିରେ ସଂବିଧାନରେ ନବମ ସିଡ୍ୟୁଲ୍ର ଦୃଷ୍ଟାନ୍ତ ଦିଆଯାଉ। ପ୍ରକାଶ ଥାଉ କି ୧୯୫୨ ମସିହାରେ ସଂବିଧାନର ପ୍ରଥମ ସଂଶୋଧନ ସହିତ ‘ନବମ ସିଡ୍ୟୁଲ୍’ ରୂପ ପାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ସରକାରଙ୍କ ଦ୍ବାରା ପ୍ରଣୀତ କେତେକ ଆଇନକୁ ଅଦାଲତୀ ହସ୍ତେକ୍ଷପରୁ ମୁକ୍ତ ରଖିବା। ଏହାର ଉଦ୍ଭବ କାଳରେ ଏଥିର ମାତ୍ର ୧୩ଟି ବିଶେଷ ଆଇନ ଅନ୍ତର୍ଭୁକ୍ତ ଥିଲେ, ଏବେ ଯାହା ଏବେ ବୃଦ୍ଧି ପାଇ ୨୮୪ରେ ପହଞ୍ଚିଲାଣି। ସୁତରାଂ, ‘ବିଧାୟିକା’ କିଭଳି ‘ନ୍ୟାୟପାଳିକା’ର ପ୍ରଭାବରୁ ମୁକ୍ତ ରହିବାକୁ ଚାହିଁଥାଏ, ଏହା ତାହାର ଏକ ଦୃଷ୍ଟାନ୍ତ ମାତ୍ର।
ତେବେ, ସେ ଯାହା ହେଉ, ରଂଜନ ଗୋଗୋଇ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଥିବା ବେଳେ ଅନେକ ବିଚାରରେ ‘ବେସିକ୍ ଷ୍ଟ୍ରକ୍ଚର୍’ର ସାହାଯ୍ୟ ନେଇ ଅଦାଲତୀ ପ୍ରାଧାନ୍ୟ ବଜାୟ ରଖିଥିଲେ; ଯହିଁରୁ ଏକ ବଡ଼ ଦୃଷ୍ଟାନ୍ତ ହେଲା ସୂଚନା ଅଧିକାର ଆଇନ ପରିସରରୁ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ମୁକ୍ତ ରହିବେ ବୋଲି ସେ ପ୍ରଦାନ କରିଥିବା ରାୟ। କାରଣ ତାଙ୍କ ମତରେ ଏଭଳି ଏକ ଆଇନ ନ୍ୟାୟପାଳିକାଙ୍କ ସ୍ବାଧୀନତାକୁ କ୍ଷୁଣ୍ଣ କରନ୍ତା ଓ ଏହି କ୍ରମରେ ‘ବେସିକ୍ ଷ୍ଟ୍ରକ୍ଚର୍’ରେ ଆଞ୍ଚ ଆସନ୍ତା। କିନ୍ତୁ ସଂପ୍ରତି ସେ ନ୍ୟାୟପାଳିକା ଛାଡ଼ି ବିଧାୟିକାରେ ପ୍ରବେଶ କରିଛନ୍ତି ଏବଂ ତାଙ୍କ ସ୍ବରରେ ପରିବର୍ତ୍ତନ ଘଟିଛି। ‘ବେସିକ୍ ଷ୍ଟ୍ରକ୍ଚର୍’ର ଯଥାର୍ଥତା ନେଇ ବିତର୍କ ହୁଏତ ଆଗକୁ ଚାଲିପାରେ। କିନ୍ତୁ ମୂଳ କଥା ହେଲା ‘ବିଧାୟିକା’ ଓ ‘ନ୍ୟାୟପାଳିକା’ ମଧ୍ୟରେ ଚାଲିଥିବା କ୍ଷମତା-ଅଧିକାରର ପ୍ରତିଦ୍ବନ୍ଦ୍ବିତା ଅନେକ ବିଜ୍ଞଙ୍କ ବିଚାର ବିଭ୍ରାଟ ଘଟାଉଛି; ଯାହା ଏହି ପ୍ରତିଦ୍ବନ୍ଦ୍ବିତାକୁ ସଂକୀର୍ଣ୍ଣ ଏବଂ ସ୍ବାର୍ଥ ସର୍ବସ୍ବ ମଧ୍ୟ କରି ଦେଉଛି, ଯାହା ଆମ ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ।
ଏ ସମ୍ବନ୍ଧରେ ଏକ ଚଟୁଳ କାହାଣୀ ସ୍ମରଣକୁ ଆସେ। ତାହା ହେଲା ଏହି ପରି: ଘରକୁ ଆସିଥିବା ଜଣେ ଭିକ୍ଷୁକଙ୍କୁ ଘରର ବୋହୂ ‘ଆଜି ଚାଉଳ ନାହିଁ, କାଲି ଆସ’ ବୋଲି କହୁଥିବା ଶୁଣିପାରି ଶାଶୂ ପଦାକୁ ବାହାରି ଆସି ଚାଲି ଯାଉଥିବା ଭିକ୍ଷୁକଙ୍କୁ ପଛରୁ ଡାକନ୍ତି। ଏଥର ଭିକ୍ଷା ପାଇବା ଆଶାରେ ପୁଲକିତ ଭିକ୍ଷୁକ ଫେରି ଆସନ୍ତେ ଶାଶୂ କହନ୍ତି ‘ଚାଉଳ ନାହିଁ ବୋଲି କହିବାକୁ ସେ କିଏ? ମୁଁ କହୁଛି ଚାଉଳ ନାହିଁ।’ କ୍ଷମତା-ଅଧିକାରର କନ୍ଦଳ ଅଧିକାଂଶ ସମୟରେ ଏଭଳି ଉଦ୍ଭଟ ଏବଂ ଅର୍ଥହୀନ ସ୍ତର ମଧ୍ୟ ସ୍ପର୍ଶ କରିଥାଏ, ଯାହା ବିଜ୍ଞ ଜନେ ବୁଝିବା ଦରକାର!