ଭାରତବର୍ଷର ପର୍ଯ୍ୟଟନ ଶିଳ୍ପ ବାଣିଜ୍ୟକୁ ଯଦି ଆମ ଦେଶର କୌଣସି ନିର୍ଦ୍ଦିଷ୍ଟ କୀର୍ତ୍ତି ସବୁଠାରୁ ଅଧିକ ପରିପୁଷ୍ଟ କରିଥାଏ ତାହାହେଲେ ସେଇଟି ହେଉଛି ତାଜମହଲ। ଅପୂର୍ବ ସୌନ୍ଦର୍ଯ୍ୟ ଯୋଗୁଁ ଏହା ପୃଥିବୀର ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ଭାବରେ ପରିଗଣିତ ହୋଇଥାଏ। ଭାରତୀୟ ସାହିତ୍ୟ, ସିନେମା, ସଂଗୀତ ଏବଂ ସଂସ୍କୃତିକୁ ଏହି କୀର୍ତ୍ତିର ଅବଦାନ ତୁଳନାତୀତ। ମାର୍ବଲରେ ଲିଖିତ ଏହି ଅନନ୍ୟ କୀର୍ତ୍ତିକୁ ସ୍ଥାପତ୍ୟ-ଭାସ୍କର୍ଯ୍ୟର ଏକ ମହାକାବ୍ୟ ଭାବେ ବହୁ କଳାପ୍ରେମୀ ଦର୍ଶାଇଛନ୍ତି। ଏଭଳି ଏକ ଉତ୍କୃଷ୍ଟ କୀର୍ତ୍ତିକୁ ଭାଙ୍ଗିଦେବା ଭଳି କୁତ୍ସିତ ଚିନ୍ତା ମନରେ ପୋଷଣ କରିବା ଭାରତୀୟ ସଂସ୍କୃତି ପ୍ରତି ନିର୍ମମ ଦୃଷ୍ଟିଭଙ୍ଗୀ କେବଳ ନୁହେଁ, ଉଦାର ଭାରତୀୟ ଦର୍ଶନ ପ୍ରତି ଚରମ ଅବମାନନା।
ଭାରତବର୍ଷର ପର୍ଯ୍ୟଟନ ଶିଳ୍ପ ବାଣିଜ୍ୟକୁ ଯଦି ଆମ ଦେଶର କୌଣସି ନିର୍ଦ୍ଦିଷ୍ଟ କୀର୍ତ୍ତି ସବୁଠାରୁ ଅଧିକ ପରିପୁଷ୍ଟ କରିଥାଏ ତାହାହେଲେ ସେଇଟି ହେଉଛି ତାଜମହଲ। ଅପୂର୍ବ ସୌନ୍ଦର୍ଯ୍ୟ ଯୋଗୁଁ ଏହା ପୃଥିବୀର ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ଭାବରେ ପରିଗଣିତ ହୋଇଥାଏ। ଭାରତୀୟ ସାହିତ୍ୟ, ସିନେମା, ସଂଗୀତ ଏବଂ ସଂସ୍କୃତିକୁ ଏହି କୀର୍ତ୍ତିର ଅବଦାନ ତୁଳନାତୀତ। ମାର୍ବଲରେ ଲିଖିତ ଏହି ଅନନ୍ୟ କୀର୍ତ୍ତିକୁ ସ୍ଥାପତ୍ୟ-ଭାସ୍କର୍ଯ୍ୟର ଏକ ମହାକାବ୍ୟ ଭାବେ ବହୁ କଳାପ୍ରେମୀ ଦର୍ଶାଇଛନ୍ତି। ଏଭଳି ଏକ ଉତ୍କୃଷ୍ଟ କୀର୍ତ୍ତିକୁ ଭାଙ୍ଗିଦେବା ଭଳି କୁତ୍ସିତ ଚିନ୍ତା ମନରେ ପୋଷଣ କରିବା ଭାରତୀୟ ସଂସ୍କୃତି ପ୍ରତି ନିର୍ମମ ଦୃଷ୍ଟିଭଙ୍ଗୀ କେବଳ ନୁହେଁ, ଉଦାର ଭାରତୀୟ ଦର୍ଶନ ପ୍ରତି ଚରମ ଅବମାନନା।
ନିକଟେର ଆସାମର ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଖଣ୍ଡିଏ ଚିଠି ଏବଂ ତାହାର ପ୍ରତିବାଦରେ ସେ ଅଞ୍ଚଳର ଜଣେ ଆଡଭୋକେଟ ଥାନାରେ ଏକ ଏତଲା ଦାୟର କରିବା ଘଟଣା ପୁଣି ଥରେ ତାଜମହଲକୁ ଆଲୋଚନାର କେନ୍ଦ୍ରବିନ୍ଦୁକୁ ଟାଣି ଆଣିଛି। ଏତଲାରେ ଦର୍ଶାଯାଇଥିବା ବିବରଣୀ ମୁତାବକ ମରିଅନିର ବିଧାୟକ ରୂପଜ୍ୟୋତି କୁର୍ମୀ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଥିଲେ ଯେ ସେ ତାଜମହଲକୁ ଭାଙ୍ଗି ତା’ ଜାଗାରେ ମନ୍ଦିର ନିର୍ମାଣ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ବିଧାୟକ ରୂପଜ୍ୟୋତିଙ୍କର ଏହି ବୟାନ ବିରୋଧରେ ଲାଟସାହି ଥାନାରେ ଏତଲା ଦାୟର କରିଥିବା ଆଡଭୋକେଟ ତାଇଜୁଦ୍ଦିନ ଅହମ୍ମଦ ଦର୍ଶାଇଛନ୍ତି ଯେ ୧୯୫୮ରେ ୟୁନେସ୍କୋ ଦ୍ବାରା ‘ବିଶ୍ବ ଐତିହ୍ୟ ସ୍ମାରକୀ’ ଘୋଷିତ ତାଜମହଲ ଭାରତର ଏକ ପ୍ରାଚୀନ କୀର୍ତ୍ତି ଯାହା ୧୯୫୮ର ଭାରତୀୟ ପୁରାତନ କୀର୍ତ୍ତିରାଜି ସଂରକ୍ଷଣ ଆଇନ ଦ୍ବାରା ସଂରକ୍ଷିତ। ଏଭଳି ଏକ କୀର୍ତ୍ତିକୁ ଭାଙ୍ଗିଦେବା ନିମନ୍ତେ ଦାବି କରି ବୟାନ ଦେବା ଏକ ଅନୁଚିତ, ଜାତୀୟତା ବିରୋଧୀ ଏବଂ ସାଂପ୍ରଦାୟିକ କାର୍ଯ୍ୟ ବୋଲି ଏହି ଆଡଭୋକେଟ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ବିସ୍ମୟର କଥା ଯେ, ଭାରତୀୟ ଜନତା ପାର୍ଟିର ବିଧାୟକଙ୍କ ତାଜମହଲ ଭାଙ୍ଗିଦେବା ଦାବିକୁ ନେଇ ତାଙ୍କର ଦଳ କିମ୍ବା ଆସାମ ରାଜ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।
ଯେଉଁ ବସ୍ତୁର ଉଚ୍ଚତା ଯେତିକି ବଡ଼ ତାହାର ଛାଇ ମଧ୍ୟ ସେତିକି ବଡ଼ ନିୟମରେ ସପ୍ତଦଶ ଶତାବ୍ଦୀରେ ନିର୍ମିତ ଭାରତର ଏହି ବିଶ୍ବବିଖ୍ୟାତ କୀର୍ତ୍ତି ତାଜମହଲ ସମାନ ପରିମାଣର ପ୍ରଶଂସା ଏବଂ ନିନ୍ଦା ଲାଭ କରିଥାଏ। ବେଗମ୍ ମମତାଜଙ୍କ ସ୍ମୃତିରେ ମୋଗଲ ସମ୍ରାଟ ଶାହାଜାହାନ ନିର୍ମାଣ କରିଥିବା ଏହି କୀର୍ତ୍ତିଟି ଏଭଳି ବିଖ୍ୟାତ ଯେ କ୍ବଚିତ କୌଣସି ବିଦେଶୀ ରାଜନେତା ଭାରତ ଗସ୍ତରେ ଆସି ତାହାକୁ ଦେଖିବାକୁ ଯାଇନଥିବେ। ଏହି ସୁଦୀର୍ଘ ପରିଦର୍ଶକ ତାଲିକାରେ ପାକିସ୍ତାନର ପରଭେଜ ମୁସାରଫ, ଇଂଲଣ୍ଡର ଯୁବରାଣୀ ଡାଏନା, ରୁଷିଆର ରାଷ୍ଟ୍ରପତି ପୁଟିନ, ଆମେରିକାର ହିଲାରୀ କ୍ଲିଣ୍ଟନ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ବିବାଦୀୟ ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରମୁଖ ହେଉଛନ୍ତି କେତୋଟି ସଦ୍ୟତମ ନାମ ମାତ୍ର। ଏମାନଙ୍କ ଭିନ୍ନ ସହସ୍ର ସହସ୍ର ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ, କ୍ରୀଡ଼ା ତାରକା ଏବଂ ଚିନ୍ତକ-ଦାର୍ଶନିକ ଏବଂ ଲକ୍ଷ ଲକ୍ଷ ସାଧାରଣ ପର୍ଯ୍ୟଟକ ଏହି ବିଖ୍ୟାତ କୀର୍ତ୍ତି ଦର୍ଶନ କରି ଅଭିଭୂତ ହୋଇଛନ୍ତି। କୁହାଯାଏ, ବହିରାଗତ ଜଣେ ପର୍ଯ୍ୟଟକଙ୍କ ପାଇଁ ଭାରତ ଭ୍ରମଣ ତାଜମହଲ ଦର୍ଶନ ବିନା ସମ୍ପୂର୍ଣ୍ଣ ହୁଏ ନାହିଁ।
ଏଭଳି ଏକ ବିଖ୍ୟାତ କୀର୍ତ୍ତି, ଭିନ୍ନ ଭିନ୍ନ ସମୟରେ କେବଳ ଯେ ଭିନ୍ନ ଧର୍ମାବଲମ୍ବୀ ରାଜନେତାଙ୍କ ଦ୍ବାରା ସମାଲୋଚନାର ଶରବ୍ୟ ହୋଇଛି ତାହା ନୁହେଁ, ଭିନ୍ନ ଭିନ୍ନ ମତାଦର୍ଶରେ ବିଶ୍ବାସୀ କବି-ଲେଖକମାନଙ୍କ ଦ୍ବାରା ମଧ୍ୟ ସମାନ ପରିମାଣରେ ସମାଲୋଚିତ ହୋଇଅଛି। ନୋବେଲ ବିଜେତା କବି ରବୀନ୍ଦ୍ର ନାଥ ତାଙ୍କର ‘ଶାହାଜାହାନ’ କବିତାରେ ତାଜମହଲକୁ କାଳର ଚିବୁକରେ ଶୁଦ୍ଧ ସମୁଜ୍ଜ୍ବଳ ଏକ ଲୋତକବୁନ୍ଦା ଭାବେ ଅଭିହିତ କରିଛନ୍ତି। କବି ଶକିଲ ବଦାୟୁନୀ ଲେଖିଛନ୍ତି, ‘‘ଏକ ଶାହନଶାହ ନେ ବନୱାକେ ହସଁୀ ତାଜମହଲ/ ସାରୀ ଦୁନିୟା କୋ ମୋହବ୍ବତ୍ କି ନିଶାନୀ ଦି ହେ’’ (ଜଣେ ଶାହନଶାହ ତାଜମହଲର ନିର୍ମାଣ କରି ସାରା ଜଗତେର ପ୍ରେମର ନିଶାଣ ପ୍ରତିଷ୍ଠା କରିଯାଇଛନ୍ତି।) ଅନ୍ୟତମ ବିଶିଷ୍ଟ ଉର୍ଦ୍ଦୁ କବି ସାହିର ଲୁଧିଆନି ଯୁବାବସ୍ଥାରେ ଲେଖିଥିବା ତାଙ୍କର କବିତାରେ ପୂର୍ବୋକ୍ତ କବିଙ୍କ କବିତାର ପ୍ରତିବାଦ ଜଣାଇ ଲେଖିଛନ୍ତି, ‘‘ଏକ୍ ଶାହନଶାହ ନେ ଦୌଲତ କା ସହରା ଲେ କର୍/ ହମ ଗରୀବୋଁ କି ମୋହବ୍ବତ୍ କା ଉଡ଼ାୟା ହୈ ମଜାକ୍।’’ ଅର୍ଥାତ୍ ରାଜକୋଷ ସମ୍ପତ୍ତିର ଫାଇଦା ଉଠେଇ ଜଣେ ଶାହନଶାହ ଆମ ଗରିବମାନଙ୍କର ପ୍ରେମକୁ ତାଜମହଲ ମାଧ୍ୟମରେ ପରିହାସ କରିଛନ୍ତି। ବିଶିଷ୍ଟ ଉର୍ଦ୍ଦୁ କବି କୈଫି ଆଜମ୍ ଅନ୍ୟ ଭାଷାରେ ଲେଖିଛନ୍ତି- ଯାହାର ଥରେ ପ୍ରେମିକ ଫରହାଦର ଅବସ୍ଥା ମନେ ପଡ଼ିଯିବ, ସେ କହିବ ଚାଲ, ଆମର ତାଜମହଲ ଦେଖା ବହୁତ ହୋଇଗଲା, ଏବେ ଘରକୁ ଫେରିଯିବା। ଅନୁରୂପ ଭାବରେ ତାଜମହଲ ଏବଂ ଶାହାଜାହାନଙ୍କ ସପକ୍ଷରେ ଏବଂ ବିପକ୍ଷରେ ବହୁ କାହାଣୀ ମଧ୍ୟ ଲେଖାଯାଇଛି। କେହି କେହି ଏହାକୁ ପ୍ରେମର ଉଜ୍ଜ୍ବଳ କୀର୍ତ୍ତି କହି ଏହାକୁ ଗୌରବାନ୍ବିତ କରିଥିବାବେଳେ ଆଉ କେହି ଏହା ଇତିହାସରେ ଅମର ରହିବା ଲାଗି ବିଳାସୀ ସମ୍ରାଟଙ୍କର ଏକ ସୁଚିନ୍ତିତ ଉଦ୍ୟମ ବୋଲି ଅଭିହିତ କରିଛନ୍ତି। ଏକବିଂଶ ଶତାବ୍ଦୀର ସାମାଜିକ ଗଣମାଧ୍ୟମରେ ବହୁ ପ୍ରସାରିତ ଏକ ତଥ୍ୟ ପୁଣି ହେଲା, ଶାହାଜାହାନଙ୍କର ତାଙ୍କ ବେଗମ୍ ମମତାଜଙ୍କ ପ୍ରତି ଆସକ୍ତିକୁ ସ୍ବର୍ଗୀୟ ପ୍ରେମ ବୋଲି ଅଭିହିତ କରିବା ସତ୍ୟର ଅପଳାପ। କାରଣ ଶାହାଜାହନଙ୍କର ବହୁ ପତ୍ନୀ ଥିଲେ ଏବଂ ମମତାଜଙ୍କୁ ସେ ଅନ୍ୟଠାରୁ ଛଡ଼େଇ ଆଣି ବିବାହ କରିଥିଲେ। ବସ୍ତୁତଃ ତାଜମହଲକୁ ନେଇ ଏହି ଧରଣର ଆଲୋଚନାର ସୀମା ନାହିଁ। ତେବେ ଏହି ବିଶ୍ବବିଖ୍ୟାତ କୀର୍ତ୍ତିକୁ ଭାଙ୍ଗି ଦେଇ ସେ ସ୍ଥାନରେ ମନ୍ଦିର ନିର୍ମାଣ କରିବା ପାଇଁ ଜଣେ ଦାୟିତ୍ବ ସଂପନ୍ନ ରାଜନେତା ଦାବି କରିବା କଥାଟି ଦୁର୍ଭାଗ୍ୟଜନକ ଭାବରେ ଅଭିନବ। ଅଳ୍ପ ଉଦ୍ୟମ କିମ୍ବା ବିନା ଉଦ୍ୟମରେ ରାତାରାତି ପ୍ରତିଷ୍ଠା ପାଇବା ପାଇଁ ଆଗ୍ରହୀ ଏହି ପ୍ରକାର ବିଧାୟକଙ୍କର ଦାବି ଅବଶ୍ୟ ତାଜମହଲ ପାଖରେ ସୀମାବଦ୍ଧ ନୁହେଁ। କାରଣ, ଆଗ୍ରାର ତାଜମହଲ ସାଙ୍ଗରେ ଦିଲ୍ଲୀର କୁତବମିନାରକୁ ମଧ୍ୟ ଭାଙ୍ଗି ମାଟିରେ ମିଶେଇ ଦେବା ପାଇଁ ସେ ଦାବି ଉପସ୍ଥାପନ କରିଛନ୍ତି ଏବଂ ଏହି ଦୁଇ ସ୍ଥାନରେ ଯଦି ମନ୍ଦିର ତୋଳାଯାଏ ତାହାହେଲେ ସେଥିନିମନ୍ତେ ସେ ତାଙ୍କର ବର୍ଷକର ଦରମା ଟଙ୍କା ଦାନ କରିବା ଲାଗି ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ଏ ଦୁଇଟି ଦାବି ସହ ଏହି ବିଧାୟକ ଜଣକ ଆଉ ଯେଉଁ ରୋମାଞ୍ଚକର ସତ୍ୟର ସନ୍ଧାନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି, ତାହା ହେଲା ବାସ୍ତବରେ ଶାହାଜାହାନ ତାଙ୍କର େବଗମ ମମତାଜଙ୍କୁ ଭଲ ପାଉଥିଲେ କି ନାହିଁ ତାହାର ଉଚ୍ଚସ୍ତରୀୟ ଅନୁସନ୍ଧାନ କରାଯାଉ।
ଆସାମର ଏହି ବିଧାୟକ ଜଣଙ୍କର ଏ ଧରଣର ଦାବି ସେତିକିବେଳେ ଆମ ସମ୍ମୁଖକୁ ଆସିଅଛି, ଯେତେବେଳେ ଏନସିଇଆରଟି ପ୍ରସ୍ତୁତ ପାଠ୍ୟପୁସ୍ତକ ଗୁଡ଼ିକରୁ ମୋଗଲ ଅମଳର କିଛି ଅନୁଚ୍ଛେଦ ବାଦ୍ ଦେବା ପ୍ରସଙ୍ଗ ଦେଶବ୍ୟାପୀ ଚର୍ଚ୍ଚାର ପ୍ରଶ୍ନ ହୋଇପଡ଼ିଛି। ଏ ସମ୍ପର୍କରେ ଉଭୟ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ସପକ୍ଷବାଦୀମାନେ, କୋମଳମତି ଛାତ୍ରଛାତ୍ରୀଗଣ ଦେଶର ବିଜୟ ଓ ଜାତୀୟତାବୋଧ ସମ୍ବନ୍ଧରେ ଅଧିକ ପରିଚିତ ହେବା ଉଚିତ ବୋଲି ମତ ଦେଉଥିବାବେଳେ ବିପକ୍ଷବାଦୀମାନେ, ବାସ୍ତବତାକୁ ଅସ୍ବୀକାର କରିବାର କୌଣସି ଅର୍ଥ ନାହିଁ ବୋଲି ଯୁକ୍ତି ଦର୍ଶାଇଛନ୍ତି। ଆମେ ଏଠାରେ େସହି ପ୍ରସଙ୍ଗକୁ ଯିବା ପାଇଁ ଚାହୁଁ ନାହୁଁ। ଆମର ଆଜିର ଆଲୋଚ୍ୟ ପ୍ରସଙ୍ଗ- ତାଜମହଲ। ଏହି ବିଶ୍ବବିଖ୍ୟାତ କୀର୍ତ୍ତିର ଲୋକପ୍ରିୟତା ବାସ୍ତବରେ ଈର୍ଷଣୀୟ। ଭାରତବର୍ଷର ପର୍ଯ୍ୟଟନ ଶିଳ୍ପ ବାଣିଜ୍ୟକୁ ଯଦି ଆମ ଦେଶର କୌଣସି ନିର୍ଦ୍ଦିଷ୍ଟ କୀର୍ତ୍ତି ସବୁଠାରୁ ଅଧିକ ପରିପୁଷ୍ଟ କରିଥାଏ ତାହାହେଲେ ସେଇଟି ହେଉଛି ତାଜମହଲ। ଅପୂର୍ବ ସୌନ୍ଦର୍ଯ୍ୟ ଯୋଗୁଁ ଏହା ପୃଥିବୀର ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ଭାବରେ ପରିଗଣିତ ହୋଇଥାଏ। ଭାରତୀୟ ସାହିତ୍ୟ, ସିନେମା, ସଂଗୀତ ଏବଂ ସଂସ୍କୃତିକୁ ଏହି କୀର୍ତ୍ତିର ଅବଦାନ ତୁଳନାତୀତ। ମାର୍ବଲରେ ଲିଖିତ ଏହି ଅନନ୍ୟ କୀର୍ତ୍ତିକୁ ସ୍ଥାପତ୍ୟ-ଭାସ୍କର୍ଯ୍ୟର ଏକ ମହାକାବ୍ୟ ଭାବେ ବହୁ କଳାପ୍ରେମୀ ଦର୍ଶାଇଛନ୍ତି। ଏଭଳି ଏକ ଉତ୍କୃଷ୍ଟ କୀର୍ତ୍ତିକୁ ଭାଙ୍ଗିଦେବା ଭଳି କୁତ୍ସିତ ଚିନ୍ତା ମନରେ ପୋଷଣ କରିବା ଭାରତୀୟ ସଂସ୍କୃତି ପ୍ରତି ନିର୍ମମ ଦୃଷ୍ଟିଭଙ୍ଗୀ କେବଳ ନୁହେଁ, ଉଦାର ଭାରତୀୟ ଦର୍ଶନ ପ୍ରତି ଚରମ ଅବମାନନା। ଏ ଦେଶରେ ଯେତେ ଅଧିକ ମନ୍ଦିର ନିର୍ମାଣ ହେବା କଥା ହେଉ, ମାତ୍ର ସେଥିପାଇଁ ବିଶ୍ବବିଖ୍ୟାତ ତାଜମହଲ ଭଳି କୀର୍ତ୍ତିରାଜିର ଭଙ୍ଗାରୁଜା ଘଟଣାର କଳ୍ପନାକୁ ପ୍ରୋତ୍ସାହନ ଦିଆ ନଯାଉ।