ସଦ୍ୟସଦ୍ୟ ଫ୍ରାନ୍‌ସ, ମରିସସ୍, ଶ୍ରୀଲଙ୍କାରେ ଉପଲବ୍‌ଧ ହୋଇଥିବା ଭାରତର ‘ୟୁପିଆଇ’ ଅନ୍‌ଲାଇନ୍ ଦେୟ ପୈଠ ଓ ଅର୍ଥ ପ୍ରେରଣ ବ୍ୟବସ୍ଥା ପୃଥିବୀର ସର୍ବୋତ୍ତମ ଡିଜିଟାଲ୍ ବିତ୍ତୀୟ ଟେକ୍‌ନୋଲୋଜି ମଧ୍ୟରୁ ଅନ୍ୟତମ ରୂପେ ସ୍ବୀକୃତି ହାସଲ କରିଛି। ଏହାର ବ୍ୟାପକ ବ୍ୟବହାର ‘ଏଆଇ’ରେ ପ୍ରୟୋଗ ନିମିତ୍ତ ପ୍ରଭୂତ ଡେଟା ଉତ୍ପନ୍ନ କରିଥାଏ। ଭାରତର ଭାଷାଗତ ଓ ସାଂସ୍କୃତିକ ବିବିଧତା ‘ଏଆଇ’କୁ ପରିପୁଷ୍ଟ କରିବା ପାଇଁ ଅସଂଖ୍ୟ କିସମର ଉପାଦାନ ଯୋଗାଇଥାଏ।

Advertisment

‘ମାଇକ୍ରୋସଫ୍‌ଟ’ର ମୁଖ୍ୟ ନିର୍ବାହୀ ଅଧିକାରୀ ସତ୍ୟ ନାଡ଼େଲା ନିକଟରେ ଭାରତ ଗସ୍ତରେ ଆସିଥିବା ସମୟରେ ଭାରତରେ କୃତ୍ରିମ ମେଧା (‘ଏଆଇ’) ବିକାଶ ସମ୍ଭାବନା ସମ୍ବନ୍ଧରେ ପ୍ରଦାନ କରିଥିବା ମନ୍ତବ୍ୟ ଯେତିକି ତାତ୍ପର୍ଯ୍ୟପୂର୍ଣ୍ଣ, ସେତିକି ରୋଚକ ମନେ ହୋଇଥାଏ। ଏହାର ରୋଚକ ଦିଗଟି ଉପରେ ପ୍ରଥମେ ଦୃଷ୍ଟି ନିକ୍ଷେପ କରାଯାଉ। ଏଥିପାଇଁ ତା’ ପୂର୍ବରୁ ପ୍ରାୟ ଦୁଇ ସପ୍ତାହ ତଳେ ଭାରତ ସରକାରଙ୍କର ବିତ୍ତ ମନ୍ତ୍ରାଳୟ କରିଥିବା ଏକ ଭବିଷ୍ୟବାଣୀକୁ ସ୍ମରଣ କରିବା ଆବଶ୍ୟକ। ଏଥିରେ କୁହାଯାଇଥିଲା ଯେ ଆସନ୍ତା ତିନି ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିର ଆକାର ଅର୍ଥାତ୍ ଭାରତର ‘ଜିଡିପି’ର ଆକାର ୫ ଟ୍ରିଲିଅନ୍ ଡଲାର୍ ଛୁଇଁ ଭାରତକୁ ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାକୁ ଯାଉଛି। ଏକ ଦେଶର ଅର୍ଥନୈତିକ ଶକ୍ତିର ମୁଖ୍ୟ ଆଧାର ହେଉଛି ତା’ର ମାନବ ସମ୍ବଳ। ସେଥିପାଇଁ ଭାରତର ବିଶାଳ ଯୁବ ଜନସଂଖ୍ୟାକୁ ତା’ର ଏକ ବିଶେଷ ଶକ୍ତିର ଉତ୍ସ ରୂପେ ବିଚାର କରାଯାଇଥାଏ, ଯାହାକୁ ଏକ ଜନସଂଖ୍ୟାଗତ ଲାଭ ବା ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ରୂପେ ବର୍ଣ୍ଣନା କରାଯାଇଥାଏ। ତେଣୁ ଏହି ୫ ଟ୍ରିଲିଅନ୍ ଡଲାର୍‌ର ‘ଜିଡିପି’ ବା ‘ମୋଟ ବାର୍ଷିକ ଜାତୀୟ ଉତ୍ପାଦ’ ହେଉଛି ଦେଶର ଏହି କର୍ମକ୍ଷମ ଜନସଂଖ୍ୟାର ଅବଦାନ ବୋଲି ବିଚାର କରିବା ସଂପୂର୍ଣ୍ଣ ଯଥାର୍ଥ ମନେ ହୋଇଥାଏ। ଅର୍ଥାତ୍ ଭାରତୀୟମାନଙ୍କର ସମ୍ମିଳିତ ମେଧାର ପ୍ରୟୋଗ ଦ୍ବାରା ଏହି ଅର୍ଥ‌େନୖତିକ ଫଳ ଉତ୍ପନ୍ନ ହେବାକୁ ଯାଉଛି।
ସତ୍ୟ ନାଡ଼େଲା କିନ୍ତୁ ଏଇ କାହାଣୀରେ ଏକ କ୍ଷୁଦ୍ର ଆମୋଦଦାୟକ କିନ୍ତୁ ଗୁରୁତ୍ବପୂର୍ଣ୍ଣ ମୋଡ଼ର ଆବିର୍ଭାବ ସମ୍ବନ୍ଧରେ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ଏହି ୫ ଟ୍ରିଲିଅନ୍ ଡଲାର୍ ‘ଜିଡିପି’ର ଅନ୍ୟୂନ ୧୦ ଶତାଂଶ ହେବ କୃତ୍ରିମ ମେଧାର ଅବଦାନ- ଭାରତୀୟମାନଙ୍କର ପ୍ରାକୃତିକ ମେଧାର ନୁହେଁ। ଅବଶ୍ୟ ଏହି କୃତ୍ରିମ ମେଧାର ଯେଉଁମାନେ ପ୍ରୟୋଗ କରିବେ, ସେମାନେ ହୋଇଥିବେ ପ୍ରାକୃତିକ ମେଧାସଂପନ୍ନ ଭାରତୀୟ। ନିଜର ଏହି ଭବିଷ୍ୟବାଣୀ ଯେପରି ସତ୍ୟ ହୁଏ, ତାହା ନିଶ୍ଚିତ କରିବା ପାଇଁ ସତ୍ୟ ନାଡ଼େଲା ଏହି ସମୟ ମଧ୍ୟରେ ଦ୍ବିତୀୟ ସ୍ତରୀୟ ଓ ତୃତୀୟ ସ୍ତରୀୟ ଭାରତୀୟ ସହରମାନଙ୍କରେ ପ୍ରାୟ ଦୁଇ ନିୟୁତ ଭାରତୀୟମାନଙ୍କୁ କୃତ୍ରିମ ମେଧାଭିତ୍ତିକ ପ୍ରବିଧି ବ୍ୟବହାରରେ ପଟୁତା ହାସଲ ନିମିତ୍ତ ତାଲିମ ପ୍ରଦାନ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
ନିଜ ଜନ୍ମଭୂମିକୁ ଗସ୍ତରେ ଆସିଥିବା ବେଳେ ସତ୍ୟ ନାଡ଼େଲା ଏଭଳି ଶ୍ରୁତିମଧୁର ଭବିଷ୍ୟବାଣୀ କରିଛନ୍ତି ବୋଲି କେହି ସନ୍ଦେହ କରିବା ଉଚିତ ହେବ ନାହିଁ। କାରଣ ୨୦୨୦ରେ ଟେକ୍‌ନୋଲୋଜି ଶିଳ୍ପ ଆସୋସିଏସନ୍ ‘ନାସ୍‌କମ୍’ ପ୍ରକାଶ କରିଥିବା ଏକ ଅନୁଶୀଳନ ପତ୍ର ଅନୁସାରେ ଅନୁମାନ କରାଯାଇଥିଲା ଯେ ୨୦୨୫ ସୁଦ୍ଧା ଭାରତର ‘ଜିଡିପି’ ୫ ଟ୍ରିଲିଅନ୍ ଡଲାର୍ ଛୁଇଁବାକୁ ଯାଉଛି ଏବଂ ଏଥିମଧ୍ୟରୁ ୪୫୦-୫୦୦ ବିଲିଅନ୍ ଡଲାର୍ ହେବ ‘ଏଆଇ’ର ଅବଦାନ। ଏବେ ସେ ୫ ଟ୍ରିଲିଅନ୍ ଡଲାର୍ ପଦ୍ମ ଆଉ ଟିକିଏ ଦୂରକୁ ଘୁଞ୍ଚି ଯାଇଛି ସତ, କିନ୍ତୁ ନାଡ଼େଲାଙ୍କ ସହଯୋଗରେ ଏଥିରେ ‘ଏଆଇ’ର ଅବଦାନ ‘ନାସ୍‌କମ୍’ କହିଥିବା ଭଳି ୧୦ ଶତାଂଶ ହେବାକୁ ଯାଉଛି। ପ୍ରମୁଖ ଆନ୍ତର୍ଜାତିକ ନିବେଶ ବ୍ୟାଙ୍କ୍ ‘ଗୋଲ୍‌ଡମ୍ୟାନ୍ ସାକ୍‌ସ’ ମଧ୍ୟ ଗତବର୍ଷ କରିଥିବା ଏକ ଅନୁଶୀଳନ ଅନୁସାରେ ଭାରତରେ ୧୧-୧୨ ଶତାଂଶ କାର୍ଯ୍ୟ ‘ଏଆଇ’ ସାହାଯ୍ୟରେ ସଂପାଦିତ ହେବାକୁ ଯାଉଛି ବୋଲି ଅନୁମାନ କରାଯାଇଥିଲା। ସେଥିରେ କିନ୍ତୁ ଏଥିଯୋଗୁଁ ଭାରତରେ ଉତ୍ପାଦନଶୀଳତାରେ ବିଶେଷ ବୃଦ୍ଧି ଘଟିବାକୁ ଯାଉନାହିଁ ଏବଂ ନିଯୁକ୍ତି ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଥିଲା।
ଏହି ସମୟରେ ଦୃଶ୍ୟପଟରେ ‘ମାଇକ୍ରୋସଫ୍‌ଟ’ ଓ ସତ୍ୟ ନାଡ଼େଲାଙ୍କର ଆବିର୍ଭାବ କିନ୍ତୁ ଏ କ୍ଷେତ୍ରରେ ସଂପୂର୍ଣ୍ଣ ନୂତନ ସମ୍ଭାବନାମାନଙ୍କୁ ଜନ୍ମ ଦେଇଛି। ସତ୍ୟ ନାଡ଼େଲା ନିକଟ ଅତୀତରେ ସାମ୍ ଆଲ୍‌ଟମ୍ୟାନଙ୍କ ‘ଓପନ୍ ଏଆଇ’ର ମୁଖ୍ୟ ପୃଷ୍ଠପୋଷକ ରୂପେ ହାସଲ କରିଥିବା ପରିଚିତି ତାଙ୍କୁ ପୃଥିବୀରେ ‘ଏଆଇ’ର ଜୟଯାତ୍ରାରେ ଜଣେ ମୁଖ୍ୟ ସେନାପତିରେ ପରିଣତ କରିଛି। ଏହା ଏକ ସମୟରେ ‘ମାଇକ୍ରୋସଫ୍‌ଟ’କୁ ପୃଥିବୀର ସର୍ବାଧିକ ମୂଲ୍ୟବାନ କଂପାନିରେ ପରିଣତ କରିବାରେ ସାହାଯ୍ୟ କରିଥିଲା। ସତ୍ୟ ନାଡ଼େଲା ଯଦି ତାଙ୍କର ପ୍ରତିଶ୍ରୁତି ପାଳନ କରି ଭାରତରେ ଏକ ‘ଏଆଇ’-କୁଶଳୀ ବାହିନୀ ସୃଷ୍ଟି କରିବେ, ତେବେ ତାହାର ସକାରାତ୍ମକ ଫଳମାନ ସମ୍ଭାବ୍ୟ ନକାରାତ୍ମକ ଫଳମାନଙ୍କ ଠାରୁ ବହୁ ଅଧିକ ହୋଇପାରେ। ସୂଚାଇବା ଅନାବଶ୍ୟକ, ‌େଯ କୌଣସି ନୂତନ ପ୍ରବିଧିର ଆଗମନ ସର୍ବଦା ‘ମାଗୁଣିର ଶଗଡ଼’ ଭଳି ପୁରାତନ ପ୍ରବିଧିଭିତ୍ତିକ ଅର୍ଥନୀତିକୁ ସାମୟିକ ଭାବରେ ବିଧ୍ବସ୍ତ କରି ଦେଇଥାଏ; କିନ୍ତୁ ଅନତି ବିଳମ୍ବେ ନୂତନ ପ୍ରବିଧିର ପ୍ରୟୋଗ ଦ୍ବାରା ଅର୍ଥନୀତିର ସେଇ ଘା’ ଭରିଯାଇ ଅର୍ଥନୀତି ଆହୁରି ଅଧିକ ପରିପୁଷ୍ଟ ହୋଇଥାଏ। ଅର୍ଥଶାସ୍ତ୍ରର ଛାତ୍ରଛାତ୍ରୀମାନେ ଏହି ଧାରାକୁ ଅର୍ଥନୀତିଜ୍ଞ ସୁମ୍ପିଟର୍‌ଙ୍କ ବର୍ଣ୍ଣିତ ‘ସର୍ଜନାତ୍ମକ ଧ୍ବଂସ’ ବା ‘କ୍ରିଏଟିଭ୍ ଡେଷ୍ଟ୍ରକ୍‌ସନ୍’ ରୂପେ ଜାଣନ୍ତି। ଏହି ପ୍ରାବିଧିକ ଅବସ୍ଥାନ୍ତର ସମୟରେ ଯଦି ନୂତନ ପ୍ରବିଧିରେ ଗଣତାଲିମ ପ୍ରଦାନ ନିମିତ୍ତ ସତ୍ୟ ନାଡ଼େଲାଙ୍କ ଭଳି ଜଣେ ଅଗ୍ରଦୂତଙ୍କର ଆବିର୍ଭାବ ଘଟେ, ତା’ ହେଲେ ତାହାର ଧ୍ବଂସାତ୍ମକ ପ୍ରଭାବ ଅପେକ୍ଷା ସର୍ଜନାତ୍ମକ ପ୍ରଭାବ ବହୁ ଅଧିକ ଶକ୍ତିଶାଳୀ ଓ ଦ୍ରୁତତର ହୋଇଥାଏ।
ସତ୍ୟ ନାଡ଼େଲାଙ୍କ ସହାୟତା ଫଳବତୀ ହେବା ପାଇଁ ଭାରତ ମଧ୍ୟ ହେଉଛି ଏକ ଉପଯୁକ୍ତ କ୍ଷେତ୍ର। ଇଣ୍ଟରନେଟ୍ ବ୍ରଡ୍‌ବ୍ୟାଣ୍ଡ୍ ହେଉଛି ‘ଏଆଇ’ ପ୍ରବିଧିର ମେରୁଦଣ୍ଡ ସଦୃଶ। ଭାରତରେ ବର୍ତ୍ତମାନ ବ୍ରଡ୍‌ବ୍ୟାଣ୍ଡ୍ ବ୍ୟବହାରକାରୀମାନଙ୍କର ସଂଖ୍ୟା ହେଉଛି ଏକ ବିଶାଳ ୮୦ କୋଟି। ‘ଭାରତ ନେଟ୍’ ଭଳି ଯୋଜନା ମାଧ୍ୟମରେ ପୁଣି ଦେଶରେ ଥିବା ପ୍ରାୟ ୬,୫୦,୦୦୦ ଗ୍ରାମମାନଙ୍କୁ ଅପ୍‌ଟିକ୍ ଫାଇବର୍ ଦ୍ବାରା ସଂଯୁକ୍ତ କରାଯାଇ ଦ୍ରୁତ ଗତିସଂପନ୍ନ ଇଣ୍ଟରନେଟ୍ ସେବା ଉପଲବ୍‌ଧ କରିବା ପାଇଁ ଉଦ୍ୟମ କରାଯାଉଛି। ସାଟେଲାଇଟ୍ ମାଧ୍ୟମରେ ଅପହଞ୍ଚ ଅଞ୍ଚଳମାନଙ୍କରେ ଏହି ସେବା ପହଞ୍ଚାଇବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ବିଗତ ପ୍ରାୟ ଦେଢ଼ବର୍ଷ ମଧ୍ୟରେ ଭାରତ ଯେଉଁ ପୃଥିବୀର ଦ୍ରୁତତମ ୫ଜି ସେବା ପ୍ରସାର ସମ୍ଭବ କରିଛି, ତାହା ମଧ୍ୟ ‘ଏଆଇ’ ପ୍ରବିଧିର ବ୍ୟାପକ ବ୍ୟବହାରରେ ସହାୟକ ହେବ। ଏକ ଅଗ୍ରଣୀ ଡିଜିଟାଲ୍ ଦେଶ ରୂପେ ଭାରତ ହାସଲ କରିଥିବା ଆନ୍ତର୍ଜାତିକ ପରିଚିତିର ଅଂଶ ସ୍ବରୂପ ଭାରତରେ ମୋଟ ତଥା ମୁଣ୍ଡପିଛା ଡେଟା ବ୍ୟବହାର ହେଉଛି ପୃଥିବୀରେ ସର୍ବୋଚ୍ଚ। କହିବା ବାହୁଲ୍ୟ, ଯଥେଷ୍ଟ ଡେଟା ଉପଲବ୍‌ଧତା ‘ଏଆଇ’ର ପ୍ରସାର ତଥା ଗୁଣାତ୍ମକ ମାନ ଉନ୍ନତିରେ ସହାୟକ ହୋଇଥାଏ।
ସଦ୍ୟସଦ୍ୟ ଫ୍ରାନ୍‌ସ, ମରିସସ୍, ଶ୍ରୀଲଙ୍କାରେ ଉପଲବ୍‌ଧ ହୋଇଥିବା ଭାରତର ‘ୟୁପିଆଇ’ ଅନ୍‌ଲାଇନ୍ ଦେୟ ପୈଠ ଓ ଅର୍ଥ ପ୍ରେରଣ ବ୍ୟବସ୍ଥା ପୃଥିବୀର ସର୍ବୋତ୍ତମ ଡିଜିଟାଲ୍ ବିତ୍ତୀୟ ଟେକ୍‌ନୋଲୋଜି ମଧ୍ୟରୁ ଅନ୍ୟତମ ରୂପେ ସ୍ବୀକୃତି ହାସଲ କରିଛି। ଏହାର ବ୍ୟାପକ ବ୍ୟବହାର ‘ଏଆଇ’ରେ ପ୍ରୟୋଗ ନିମିତ୍ତ ପ୍ରଭୂତ ଡେଟା ଉତ୍ପନ୍ନ କରିଥାଏ। ଭାରତର ଭାଷାଗତ ଓ ସାଂସ୍କୃତିକ ବିବିଧତା ‘ଏଆଇ’କୁ ପରିପୁଷ୍ଟ କରିବା ପାଇଁ ଅସଂଖ୍ୟ କିସମର ଉପାଦାନ ଯୋଗାଇଥାଏ। ଭାରତ ସରକାର ଷ୍ଟାର୍ଟ-ଅପ୍‌ମାନ ପ୍ରତିଷ୍ଠା ପାଇଁ ନୀତିଗତ ଭାବରେ ଯେଉଁ ପ୍ରୋତ୍ସାହନ ଯୋଗାଉଛନ୍ତି ତାହା ‘ଏଆଇ’-ଭିତ୍ତିକ ଉଦ୍ୟୋଗମାନ ଆରମ୍ଭ ପାଇଁ ଏକ ବିଶେଷ ଭାବେ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ଭାରତୀୟ ସେଆର୍ ବଜାର ମଧ୍ୟ ଏହି ସମୟରେ ଅତ୍ୟନ୍ତ ପ୍ରାଣବନ୍ତ ଭାବରେ ସକ୍ରିୟ ହୋଇ ପୃଥିବୀର ଏକ ଅଗ୍ରଣୀ ସେଆର୍ ବଜାରର ମର୍ଯ୍ୟାଦା ହାସଲ କରିଛି। କେତେଦିନ ତଳେ ହଂକଂକୁ ପଛରେ ପକାଇ ବମ୍ବେ ସେଆର୍ ବଜାର ସାମୟିକ ଭାବରେ ଏସିଆର ବୃହତ୍ତମ ସେଆର୍ ବଜାର ସ୍ଥାନ ଦଖଲ କରିଥିଲା। ଏହା ‘ଏଆଇ’ ଷ୍ଟାର୍ଟଅପ୍‌ମାନଙ୍କ ପାଇଁ ସମ୍ବଳ ସଂଗ୍ରହକୁ ସୁଗମ କରିଥାଏ। ସର୍ବୋପରି କମ୍ପ୍ୟୁଟର ବିଜ୍ଞାନ ଓ ଆଇଟିରେ ଶିକ୍ଷା ଲାଭ କରିଥିବା ଭାରତର ବିଶାଳ ଯୁବବାହିନୀ ‘ଏଆଇ’ ବିକାଶ ପାଇଁ ଆବଶ୍ୟକ ମାନବ ସମ୍ବଳର ଏକ ଅସରନ୍ତି ଉତ୍ସ ରୂପେ ବିବେଚିତ ହୋଇଥାଏ, ଯେଉଁ କାରଣରୁ ‘ମାଇକ୍ରୋସଫ୍‌ଟ’, ‘ଗୁଗ୍‌ଲ’, ‘ଏନ୍‌-ଭିଡିଆ’ ଭଳି ଅଗ୍ରଣୀ ଟେକ୍‌ନୋଲୋଜି କଂପାନିମାନେ ଭାରତୀୟ ‘ଏଆଇ’ କ୍ଷେତ୍ରରେ ସଅଳ ନିଜର ଉପସ୍ଥିତି ସ୍ଥାପନ କରିବାକୁ ଆଗେଇ ଆସିବା ଦେଖାଗଲାଣି।
ଏ ସମସ୍ତ କାରଣକୁ ବିଚାରକୁ ନେଲେ କୌଣସି ସନ୍ଦେହ ରହେ ନାହିଁ ଯେ ଆଗାମୀ ସମୟରେ କେବଳ ଯେ ସତ୍ୟ ନାଡ଼େଲାଙ୍କ ଭବିଷ୍ୟବାଣୀ ସତ୍ୟ ସାବ୍ୟସ୍ତ ହେବାକୁ ଯାଉଛି, ତାହା ନୁହେଁ, ଉଭୟ ପ୍ରାକୃତିକ ମେଧା ଓ କୃତ୍ରିମ ମେଧା ମିଳିତ ହୋଇ ଅଚିରେ ଭାରତକୁ ପୃଥିବୀର ଏକ ଛାମୁଆ ଅର୍ଥନୈତିକ ଓ ପ୍ରାବିଧିକ ଶକ୍ତିରେ ପରିଣତ କରିବାକୁ ଯାଉଛନ୍ତି।