ପ୍ଲାଟୋ ଲେଖିଥିଲେ ଏହି ମୁଦି ପିନ୍ଧି ଅଦୃଶ୍ୟ ହୋଇଯିବା ପରେ ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ କୁକର୍ମ କରିବସେ, କାରଣ ତାକୁ କେହି ଦେଖି ପାରୁ ନଥିବାରୁ ସେ କାହାରି ପାଖରେ ଉତ୍ତରଦାୟୀ ହୋଇ ନଥାଏ। ନିରଙ୍କୁଶ କ୍ଷମତା ହେଉଛି ଜାଇଜିସ୍‌ଙ୍କ ମୁଦି ପିନ୍ଧି ଅଦୃଶ୍ୟ ହୋଇ ହାସଲ କରିଥିବା କ୍ଷମତା ଭଳି; କାରଣ ନିରଙ୍କୁଶ କ୍ଷମତାର ଅଧିକାରୀ କାହା ପାଖରେ ଉତ୍ତରଦାୟୀ ହୋଇ ନଥାଏ।

Advertisment

ଭାରତର ବୃହତ୍ତମ ଆଇଟି କମ୍ପାନି ‘ଟାଟା କନ୍‌ସଲ୍‌ଟାନ୍‌ସି ସର୍ଭିସେସ୍‌’ (‘ଟିସିଏସ୍‌’) ବର୍ତ୍ତମାନ ଏପରି ଏକ ଆଭ୍ୟନ୍ତରୀଣ କେଳେଙ୍କାରୀରେ ଛନ୍ଦି ହୋଇ ପଡ଼ିଛି, ଯାହା ଯେକୌଣସି ଟାଟା କମ୍ପାନି ପାଇଁ ଏକ ବିଶେଷ ଅସ୍ବସ୍ତି ସୃଷ୍ଟି କରିବାର କ୍ଷମତା ବହନ କରିଥାଏ। ତା’ର କାରଣ ହେଲା ଜଣାଶୁଣା ଭାବରେ ଶିଳ୍ପବାଣିଜ୍ୟ ଜଗତରେ ବ୍ୟବସାୟକୁ ସୁଗମ କରିବା ପାଇଁ ଉତ୍କୋଚ ଆଦାନ ପ୍ରଦାନ ଏକ ସାଧାରଣ ଅଭ୍ୟାସ ହୋଇଥିବା ବେଳେ ଟାଟା ଗ୍ରୁପ୍‌ର କୌଣସି କମ୍ପାନି କେବେ ହେଲେ ଏହି କାରବାରରେ ସାମିଲ ହୋଇ ନଥାଏ। ତେଣୁ କୌଣସି ଏକ ଟାଟା କମ୍ପାନିର କୌଣସି ଅଧିକାରୀ ଯଦି ନିଯୁକ୍ତି ପ୍ରଦାନ ବଦଳରେ କୌଣସି ପ୍ରାର୍ଥୀଙ୍କ ଠାରୁ ଉତ୍କୋଚ ଆଦାୟ କରିବା ଜଣାପଡ଼େ ତାହା ଟାଟା ଆଦର୍ଶ ଓ ଭାବମୂର୍ତ୍ତି ପ୍ରତି ଯେ ଏକ ଭୀଷଣ ଆଘାତ ପହଞ୍ଚାଇବ, ତାହା ସମ୍ପୃକ୍ତ ଅଧିକାରୀଙ୍କୁ ଭଲ ରୂପେ ଜଣାଥିବ। ଏହି ପରିପ୍ରେକ୍ଷୀରେ ଏହା ଅନୁମାନ କରିବା କଷ୍ଟକର ନୁହେଁ, ଏବେ ଯେତେବେଳେ ଗଣମାଧ୍ୟମରେ ପ୍ରଘଟ ହୋଇଛି ଯେ ‘ଟିସିଏସ୍‌’ର କେତେକ ଉଚ୍ଚ ପଦସ୍ଥ ଅଧିକାରୀ ନିଯୁକ୍ତି ପ୍ରଦାନ ବଦଳରେ ନିକଟ ଅତୀତରେ ଅନ୍ୟୂନ ପ୍ରାୟ ୧୦୦ କୋଟି ଟଙ୍କାର ଉତ୍କୋଚ ସ˚ଗ୍ରହ କରିଛନ୍ତି, ତାହା ଟାଟା ପରିଚାଳନା ପରିସରରେ କିଭଳି ଚାଞ୍ଚଲ୍ୟ ସୃଷ୍ଟି କରିଥିବ।
ପ୍ରକାଶିତ ସୂଚନା ଅନୁସାରେ ବିଗତ ତିନି ବର୍ଷ ଧରି ‘ଟିସିଏସ୍‌’ ପ୍ରତି ବର୍ଷ ପ୍ରାୟ ହାରାହାରି ୫୦,୦୦୦ ଲେଖାଏଁ ନୂତନ କର୍ମଚାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରି ଚାଲିଛି। ଏବେ ଜଣେ ‘ହ୍ବିସିଲ୍‌ ବ୍ଲୋଅର‌୍‌’ (ଗୁମର ପଦାରେ ପକାଇ ଦେଉଥିବା ଆଭ୍ୟନ୍ତରୀଣ କର୍ମଚାରୀ)ଙ୍କ ଠାରୁ ଅଭିଯୋଗ ପାଇଲା ପରେ ଏକ କମିଟି ମାଧ୍ୟମରେ ଅନୁସନ୍ଧାନ କଲା ପରେ ସେଥିରେ ସତ୍ୟତା ଥିବା ଆବିଷ୍କାର କରି କମ୍ପାନି ‘ଟିସିଏସ୍‌’ର ନିଯୁକ୍ତି ପ୍ରଦାନ ଶାଖାର ମୁଖ୍ୟଙ୍କୁ ଛୁଟିରେ ପଠାଇ ଦେବା ସହିତ ସେହି ଶାଖା (‘ଆର‌୍‌ଏମ୍‌ଜି’)ର ୧୫ ଜଣ ବରିଷ୍ଠ ଅଧିକାରୀଙ୍କୁ ବରଖାସ୍ତ କରିଛି ଏବ˚ ସେଥି ସହିତ ଏହି ଉତ୍କୋଚ କାରବାରରେ ସମ୍ପୃକ୍ତ ଥିବା ଆଠ ଗୋଟି ମଧ୍ୟସ୍ଥି ବ୍ୟବସାୟ (ଷ୍ଟାଫିଙ୍ଗ୍‌ ଫାର୍ମ)ଙ୍କୁ କଳା ତାଲିକାଭୁକ୍ତ କରିଛି। କମ୍ପାନି ମଧ୍ୟ ନିଜର ନିଯୁକ୍ତି ପ୍ରଦାନ ପଦ୍ଧତିର ଦୋଷଦୁର୍ବଳତା ଚିହ୍ନଟ କରିବା ପାଇଁ ଟିକିନିଖି ଅଡିଟ୍‌ ଆରମ୍ଭ କରି ଦେଇଛି।
ଆଇଟି କମ୍ପାନିମାନେ ଜଣାଶୁଣା ଭାବରେ ବହୁ ସ˚ଖ୍ୟାରେ ଦଳ ଦଳ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପ୍ରଦାନ କରିଥାନ୍ତି। ଏଥିପାଇଁ ସେମାନେ ନିଜର କାର୍ଯ୍ୟ ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ‘ରିକ୍ରୁଟ୍‌ମେଣ୍ଟ୍‌ ଫାର୍ମ’ ବା ‘ଷ୍ଟାଫିଙ୍ଗ୍‌ ଫାର୍ମ’ମାନଙ୍କୁ ମଧ୍ୟସ୍ଥି ରୂପେ ବ୍ୟବହାର କରିଥାନ୍ତି। ଏହି ଷ୍ଟାଫିଙ୍ଗ୍‌ ଫାର୍ମମାନେ ବଛାବଛି କରି ଆଇଟି କମ୍ପାନିମାନଙ୍କୁ ସେମାନେ ଆବଶ୍ୟକ କରୁଥିବା ଭଳି ଉପଯୁକ୍ତ ପ୍ରାର୍ଥୀ ଯୋଗାଇ ଦେଇଥାନ୍ତି। ସେହିପରି ଯେତେବେଳେ ବରିଷ୍ଠ ଅନୁଭୂତି ସମ୍ପନ୍ନ କର୍ମଚାରୀମାନେ ଗୋଟିଏ କମ୍ପାନି ଛାଡ଼ି ଅନ୍ୟ ଏକ କମ୍ପାନିକୁ ଯାଆନ୍ତି, ସେତେବେଳେ ମଧ୍ୟ ‘ହେଡ୍‌ ହଂଟିଙ୍ଗ୍‌ ଫାର୍ମ’ ରୂପେ ପରିଚିତ ‘ଷ୍ଟାଫିଙ୍ଗ୍‌ ଫାର୍ମ’ମାନେ ମଧ୍ୟସ୍ଥି ରୂପେ କାର୍ଯ୍ୟ କରିଥାନ୍ତି। ସ୍ବାଭାବିକ ଭାବରେ ଏହି ମଧ୍ୟସ୍ଥିମାନେ ସେମାନେ ପ୍ରଦାନ କରୁଥିବା ସେବା ନିମିତ୍ତ କମିସନ୍‌ ଆଦାୟ କରିଥାନ୍ତି। ‘ଟିସିଏସ୍‌’ ଭଳି ଆଇଟି କମ୍ପାନିର ଯେଉଁ ଅଧିକାରୀମାନେ ନିଯୁକ୍ତି ପ୍ରଦାନ ଦାୟିତ୍ବରେ ଥାନ୍ତି, ସେମାନେ ଏହି ମଧ୍ୟସ୍ଥି ଫାର୍ମମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥାନ୍ତି।
ଏକ ଆଦର୍ଶ ପରିବେଶରେ କମ୍ପାନିର ଯେଉଁ ଅଧିକାରୀମାନେ ନିଯୁକ୍ତି ସମ୍ପର୍କିତ ଦାୟିତ୍ବ ନିର୍ବାହ କରିଥାନ୍ତି (‘ଏଚ୍‌ଆର‌୍‌’) ସେମାନେ କମ୍ପାନି ପାଇଁ ସର୍ବୋତ୍ତମ ବିବେଚିତ ତଥା ସର୍ବୋତ୍ତମ ଉପଲବ୍‌ଧ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପାଇଁ ଚୟନ କରିବା ଆଶା କରାଯାଏ। କିନ୍ତୁ କମ୍ପାନି ଯେତେବେଳେ ହଠାତ୍‌ ବହୁସ˚ଖ୍ୟକ ନୂତନ କର୍ମଚାରୀ ଆବଶ୍ୟକ କରିଥାଏ, ଯେମିତି ଏବେ ଏଠାରେ ଦେଖାଯାଇଛି, ସେତେବେଳେ ଅତି ଉଚ୍ଚ ଦକ୍ଷତା ନଖୋଜି ଚଳିଯିବା ଭଳି ଦକ୍ଷତା ଥିବା ପ୍ରାର୍ଥୀମାନଙ୍କୁ ଛେକ ପରେ ଛେକ ନିଯୁକ୍ତି ପ୍ରଦାନ କରାଯାଇଥାଏ। ଆଇଟି ଶିଳ୍ପର ଆକାର ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କଲେ ଏଭଳି ବ୍ୟବସ୍ଥାର ଆବଶ୍ୟକତା ହୃଦୟଙ୍ଗମ କରିବା ସହଜ ହେବ। ଦେଶର ଆଇଟି କ୍ଷେତ୍ରରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଲୋକ ସିଧାସଳଖ ଭାବରେ ନିଯୁକ୍ତ ଅଛନ୍ତି ଏବ˚ ଆହୁରି ଅନେକ ପରୋକ୍ଷ ଭାବରେ ଏହି କ୍ଷେତ୍ରରେ ଜୀବିକା ଅର୍ଜନ କରୁଛନ୍ତି। ୨୦୨୩ ବିତ୍ତ ବର୍ଷରେ ଏହି କ୍ଷେତ୍ରର କମ୍ପାନିମାନେ ସୃଷ୍ଟି କରିଥିବା ମୋଟ ଆୟର ପରିମାଣ ହେଉଛି ୨୪୫ ବିଲିଅନ୍‌ ଡଲାର‌୍‌। ଏହି କ୍ଷେତ୍ରରେ ନେତୃ ସ୍ଥାନରେ ସର୍ବାଗ୍ରେ ଥିବା କମ୍ପାନି ହେଉଛି ‘ଟିସିଏସ୍‌’, ଯିଏ ୨୦୨୩ ବିତ୍ତ ବର୍ଷରେ ସୃଷ୍ଟି କରିଥିବା ଆୟର ପରିମାଣ ଥିଲା ପ୍ରାୟ ୨୮ ବିଲିଅନ୍‌ ଡଲାର‌୍‌। ‘ଟିସିଏସ୍‌’ ନିଜେ ପ୍ରାୟ ୬,୧୫,୦୦୦ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛି। ଏଭଳି ଗହଳିରେ ନିଯୁକ୍ତି ପ୍ରଦାନ ଦାୟିତ୍ବରେ ଥିବା ଅଧିକାରୀମାନେ ଷ୍ଟାଫିଙ୍ଗ୍‌ ଫାର୍ମମାନଙ୍କ ସହିତ ହାତ ମିଳାଇ ସେମାନଙ୍କଠାରୁ ଉତ୍କୋଚ ଗ୍ରହଣ କରି କେତେକ ସାଧାରଣ ଦକ୍ଷତା ସମ୍ପନ୍ନ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରିବା ସହଜ ହୋଇଥାଏ; ଓଡ଼ିଆ ଢଗ- ଗହଳିଆରେ ଗୋପାଳିଆ ଖସିଯିବା ଭଳି।
ତେବେ ଆଶ୍ଚର୍ଯ୍ୟ ନହୋଇ ରହି ହୁଏ ନାହିଁ ‘ଟିସିଏସ୍‌’ର ନିଯୁକ୍ତି ବ୍ୟାପାର ବୁଝୁଥିବା ଶାଖା ‘ରିସୋର୍ସ ମ୍ୟାନେଜ୍‌ମେଣ୍ଟ୍‌ ଗ୍ରୁପ୍‌’ (‘ଆର‌୍‌ଏମ୍‌ଜି’)ର ଖୋଦ୍‌ ‘ଗ୍ଲୋବାଲ୍‌ ହେଡ୍‌’ ବା ସାରା ପୃଥିବୀରେ ‘ଟିସିଏସ୍‌’ର କର୍ମସ୍ଥଳୀମାନଙ୍କରେ ନିଯୁକ୍ତି ତତ୍ତ୍ବାବଧାରକ ନିଜେ ବର୍ଷ ବର୍ଷ ଧରି ଷ୍ଟାଫିଙ୍ଗ୍‌ ଫାର୍ମମାନଙ୍କ ଠାରୁ କମିସନ୍‌ ସ˚ଗ୍ରହ କରୁଥିଲେ ବୋଲି ଅଭିଯୋଗ ହୋଇଛି ଏବ˚ ଅନୁସନ୍ଧାନ ପରେ ତାଙ୍କୁ ଛୁଟିରେ ପଠାଇ ଦିଆଯାଇଛି। ଆଶ୍ଚର୍ଯ୍ୟ ହେବାର କାରଣ ହେଉଛି, କମ୍ପାନିର ସର୍ବୋଚ୍ଚ ସ୍ତରରେ ଥିବା ଜଣେ ଅଧିକାରୀ ଟାଟା କମ୍ପାନିର ପୂର୍ବୋକ୍ତ ଉତ୍କୋଚ ବିରୋଧୀ ସ˚ସ୍କୃତି ଉଲ୍ଲ˚ଘନ କରିବା ପାଇଁ କିଭଳି ପ୍ରବୃତ୍ତ ହେଲେ?
ଅବଶ୍ୟ ଏ ପ୍ରଶ୍ନର ଉତ୍ତର ନିହିତ ଅଛି ଖ୍ରୀ.ପୂ. ୩୭୫ରେ ରଚିତ ମହାନ୍‌ ଗ୍ରୀକ୍‌ ଦାର୍ଶନିକ ପ୍ଲାଟୋଙ୍କର ପ୍ରସିଦ୍ଧତମ ପୁସ୍ତକ ‘ରିପବ୍ଲିକ୍‌’ରେ ବର୍ଣ୍ଣିତ ‘ରିଙ୍ଗ୍‌ ଅଫ୍‌ ଜାଇଜିସ୍‌’ (ଜାଇଜିସ୍‌ଙ୍କ ମୁଦ୍ରିକା) ଆଲେଖ୍ୟରେ। ଏହି ମ୍ୟାଜିକ୍‌ ମୁଦ୍ରିକାର ଗୁଣ ହେଲା ଏହାକୁ ଯିଏ ନିଜର ଆଙ୍ଗୁଳିରେ ପିନ୍ଧେ, ସିଏ ତତ୍‌କ୍ଷଣାତ୍‌ ଅଦୃଶ୍ୟ ହୋଇଯାଏ। ପ୍ଲାଟୋ ଲେଖିଥିଲେ ଏହି ମୁଦି ପିନ୍ଧି ଅଦୃଶ୍ୟ ହୋଇଯିବା ପରେ ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ କୁକର୍ମ କରିବସେ, କାରଣ ତାକୁ କେହି ଦେଖି ପାରୁ ନଥିବାରୁ ସେ କାହାରି ପାଖରେ ଉତ୍ତରଦାୟୀ ହୋଇ ନଥାଏ। ନିରଙ୍କୁଶ କ୍ଷମତା ହେଉଛି ଜାଇଜିସ୍‌ଙ୍କ ମୁଦି ପିନ୍ଧି ଅଦୃଶ୍ୟ ହୋଇ ହାସଲ କରିଥିବା କ୍ଷମତା ଭଳି; କାରଣ ନିରଙ୍କୁଶ କ୍ଷମତାର ଅଧିକାରୀ କାହା ପାଖରେ ଉତ୍ତରଦାୟୀ ହୋଇ ନଥାଏ। ‘ଟିସିଏସ୍‌’ର ସର୍ବୋଚ୍ଚ ନିଯୁକ୍ତି ଅଧିକାରୀଙ୍କ କ୍ଷେତ୍ର‌ର ଏହା ହିଁ ଘଟିଛି। ଆଶା କରାଯାଏ ‘ଟିସିଏସ୍‌’ କରିବାକୁ ଯାଉଥିବା ଅଡିଟ୍‌ରେ ସେମାନଙ୍କ ବ୍ୟବସ୍ଥାରେ ଥିବା ଏହି ଦୁର୍ବଳତା ଧରା ପଡ଼ିବ ଓ ତା’ର ନିରାକରଣ ନିମିତ୍ତ ବିହିତ ପଦକ୍ଷେପ ନିଆଯିବ। ଆଇଟି ବର୍ତ୍ତମାନ ଭାରତୀୟ ଅର୍ଥନୀତିର ଅନ୍ୟତମ ମୁଖ୍ୟ ଭିତ୍ତି ହୋଇଥିବା ବେଳେ ସେ କ୍ଷେତ୍ରର ଛାମୁଆ କମ୍ପାନିର ଚରିତ୍ରରେ କୌଣସି କଳଙ୍କ ଦେଶ ପାଇଁ ଶୁଭଙ୍କର ନୁହେଁ।