ତେଣୁ ବିରୋଧୀ ପକ୍ଷର ଅଭିଯୋଗ ହେଲା, ନିର୍ବାଚନ ବଣ୍ଡରୁ ଉପଲବ୍‌ଧ ବିପୁଳ ଅର୍ଥରେ ବିଜେପି ନିଜ ସକାଶେ ସ୍ଥାୟୀ ସଂପଦ ସୃଷ୍ଟି କରିଛି ଓ କରି ଚାଲିବ, ନିଜ ଭାବମୂର୍ତ୍ତିକୁ ଔଜ୍ଜ୍ବଲ୍ୟ ପ୍ରଦାନ କରିବା ଲାଗି ଦୃଢ଼ ପ୍ରଚାର ତନ୍ତ୍ର ଗଢ଼ିଛି ଓ ତାକୁ ଆହୁରି ସୁଦୃଢ଼ କରିବ, ଏକ କୋଳାଶ୍ରିତ ଗଣମାଧ୍ୟମ ସୃଷ୍ଟି କରି ତା’ ମାଧ୍ୟମରେ ବିରୋଧୀମାନଙ୍କୁ ନିରବଚ୍ଛିନ୍ନ ଆକ୍ରମଣ ଏବଂ କ୍ଷତାକ୍ତ କରି ଚାଲିବ, ସେମାନଙ୍କ ଅର୍ଥ ସ୍ରୋତକୁ ଶୁଖାଇ ଦେବ; ପ୍ରକାରାନ୍ତରେ ଅଦୃଶ୍ୟ ହାତ ଦ୍ବାରା ସେମାନଙ୍କ ତଣ୍ଟି ଚିପି ସେମାନଙ୍କୁ ଅସାଡ଼ କରି ପକାଇବ!

Advertisment

ଗଲା ଗୁରୁବାର ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ପ୍ରଦତ୍ତ ଏକ ଯୁଗାନ୍ତକାରୀ ରାୟ ଦ୍ବାରା ଅତ୍ୟନ୍ତ ବିବଦମାନ ‘ଇଲେକ୍‌ଟରାଲ ବଣ୍ଡ୍‌’ ବା ‘ନିର୍ବାଚନୀ ବଣ୍ଡ୍‌’ ବ୍ୟବସ୍ଥାର ଆୟୁଷ ଅପାତତଃ ବର୍ତ୍ତମାନ ଲାଗି ସମାପ୍ତ ହୋଇଛି। ଏଠାରେ ‘ବର୍ତ୍ତମାନ ଲାଗି’ ବୋଲି କହିବାର ଅର୍ଥ ହେଲା ବିଜେପି ଚାହିଁଲେ ଏକ ଅଧ୍ୟାଦେଶ ଜରିଆରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକ୍ଷମ ହେବାକୁ ଦେଇ ନ ପାରେ! ତେବେ, ‌େସ ଯାହା ହେଉ, ଅନେକଙ୍କ ମତରେ ‘ନିର୍ବାଚନୀ ବଣ୍ଡ୍‌’ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଅଣ-ସାଂବିଧାନିକ ବୋଲି ଅଭିହିତ କରିଥିବା ଏହି ରାୟ ଖୁବ୍‌ ସମ୍ଭବ ଏ ଶତାବ୍ଦୀର ଏକ ଶ୍ରେଷ୍ଠତମ ଅଦାଲତୀ ନିଷ୍ପତ୍ତି ମଧ୍ୟରେ ପରିଗଣିତ ହେବ। ପ୍ରକାଶ ଥାଉ କି ରାଜନୈତିକ ଦଳଗୁଡ଼ିକ ସକାଶେ ଚାନ୍ଦା ସଂଗ୍ରହ ପ୍ରକ୍ରିୟାରେ ମୂଳରୁ ରହି ଆସିଥିବା ଉତ୍କଟ ଦୁର୍ନୀତି ଏବଂ କଳା ଟଙ୍କାର ଅବାଧ ପ୍ରବାହକୁ ଦୂର କରିବା ଉଦ୍ଦେଶ୍ୟରେ, ୨୦୧୭ ମସିହାରେ, ବିଜେପି ନେତୃତ୍ବାଧୀନ ଏନ୍‌.ଡି.ଏ. ସରକାର ଦ୍ବାରା ‘ନିର୍ବାଚନୀ ବଣ୍ଡ୍‌’ ବ୍ୟବସ୍ଥାର ପରିକଳ୍ପନା କରାଯାଇଥିଲା, ଯାହାକୁ ଏକ ସଂସ୍କାରମୂଳକ ପଦକ୍ଷେପ ବୋଲି ଦର୍ଶାଇ ଦଳ ପକ୍ଷରୁ ଏକ ଧାରଣା ଏବଂ ବ୍ୟାଖ୍ୟାନ ମଧ୍ୟ ସୃଷ୍ଟି କରାଯାଇଥିଲା। କିନ୍ତୁ, ଏହା ସତ୍ତ୍ବେ ଏହି ପ୍ରକରଣରେ ବିଜେପିର ନ୍ୟସ୍ତ ସ୍ବାର୍ଥ ସମ୍ବଳିତ ଦୁରାଗ୍ରହ ଯେ ନିହିତ, ତାହା ସନ୍ଦେହ କରି ଶୀର୍ଷତମ ଅଦାଲତରେ ଏକାଧିକ ମାମଲା ଦାୟର କରାଯାଇଥିଲା। ଏଥିରେ ଦ୍ବିରୁକ୍ତି ନାହିଁ ଯେ ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ଏଭଳି ଏକ ରାୟ ବିଜେପିକୁ ଅତ୍ୟନ୍ତ ଅସ୍ବସ୍ତିକର ପରିସ୍ଥିତିରେ ପକାଇଛି ଏବଂ ଆଗକୁ ଏହା ଏକ ତୁମୂଳ ରାଜନୈତିକ ଝଡ଼ର ରୂପ ମଧ୍ୟ ନେଇପାରେ।
ନିର୍ବାଚନୀ ବଣ୍ଡ ବ୍ୟବସ୍ଥାରେ ସବୁଠାରୁ ବଡ଼ ଅସଂଗତିଟି ହେଲା ଏହା ଦ୍ବାରା ସୃଷ୍ଟ ଏକ ଅସମତୁଲ କ୍ରୀଡ଼ାଙ୍ଗନ। ଏହା କିଭଳି ପ୍ରଥମେ ତାହା ବୁଝିବାର ଚେଷ୍ଟା କରାଯାଉ। ଏହି ବ୍ୟବସ୍ଥାରେ ‘ବଣ୍ଡ୍‌’ ବିକ୍ରୟ କରୁଥିବା ଏକମାତ୍ର ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ନିକଟରେ ହିଁ କେବଳ କ୍ରେତାଙ୍କ ସଂପର୍କିତ ସୂଚନା ରହିବ, ଯାହା ସଂପୂର୍ଣ୍ଣ ଗୋପନୀୟ ହେବା ଜରୁରୀ। ପ୍ରକାଶ ଥାଉ କି ଏହି ବ୍ୟବସ୍ଥାରେ ଚାନ୍ଦା ପ୍ରଦାନକାରୀର ଗୋପନୀୟତା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଥାଏ। ତେବେ, ବ୍ୟାଙ୍କ ବ୍ୟତୀତ ଆଉ ଯେଉଁ ଗୋଟିଏ ପକ୍ଷ ଚାନ୍ଦା ପ୍ରଦାନକାରୀଙ୍କ ପରିଚୟ ପାଇବେ, ତାହା ହେଉଛି କେବଳ ସେହି ରାଜନୈତିକ ଦଳ ଯାହା ଉଦ୍ଦେଶ୍ୟରେ ପୃଷ୍ଠପୋଷକ ଜଣକ ‘ବଣ୍ଡ୍‌’ କ୍ରୟ କରିଥିବେ। କିନ୍ତୁ, କୌଣସି ରାଜନୈତିକ ଦଳ ଅନ୍ୟ ଦଳର ପୃଷ୍ଠପୋଷକମାନଙ୍କ ସଂପର୍କରେ ଲେଶ ମାତ୍ର ସୂଚନା ପାଇପାରିବେ ନାହିଁ। କିନ୍ତୁ ଅସଂଗତିଟି ହେଲା, ‘ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ’ ଏକ ସରକାରୀ ବ୍ୟାଙ୍କ ହୋଇଥିବାରୁ ସରକାର ନିର୍ଦ୍ବନ୍ଦ୍ବରେ ବ୍ୟାଙ୍କ ନଥିରୁ ସମସ୍ତ ଚାନ୍ଦା ପ୍ରଦାନକାରୀଙ୍କ ସଂପର୍କରେ ସବିଶେଷ ସୂଚନା ଲାଭ କରିପାରିବେ ଏବଂ ଖୁବ୍‌ ସମ୍ଭବ ଏହି କାରଣରୁ ସରକାରଙ୍କ ରୋଷ ନେତ୍ରର ଶିକାର ହେବା ଭୟରେ ବିରୋଧୀ ଦଳଗୁଡ଼ିକୁ ଚାନ୍ଦା ଦେବାକୁ ଇଚ୍ଛୁକ ଉଦ୍ୟୋଗପତିମାନେ ସେ ଦିଗରେ ସାହସ ଜୁଟାଇ ପାରିବ ନାହିଁ ଏବଂ ଅବଲୀଳା କ୍ରମେ ବିରୋଧୀ ଦଳଗୁଡ଼ିକୁ ଅର୍ଥର ପ୍ରବାହ ଶୁଷ୍କ ହୋଇ ସେମାନଙ୍କୁ ରକ୍ତହୀନ ଓ ଦୁର୍ବଳ କରି ପକାଇବ। ବସ୍ତୁତଃ ତାହା ହିଁ ଘଟିଛି। ୨୦୧୮ ମସିହାରୁ ଏ ଯାବତ୍‌ ଦଳଗୁଡ଼ିକ ପାଇଥିବା ମୋଟ ୧୬,୫୧୮ କୋଟି ଟଙ୍କାରୁ ୫୬.୫ ପ୍ରତିଶତ ଯାଇଛି ଶାସକ ଦଳ ବିଜେପି ନିକଟକୁ ଏବଂ ଏକ ଅତ୍ୟନ୍ତ ଦୂରବର୍ତ୍ତୀ ଦ୍ବିତୀୟ ସ୍ଥାନରେ ରହିଛି ମୁଖ୍ୟ ବିରୋଧୀ କଂଗ୍ରେସ, ଯାହାର ଭାଗ ହେଉଛି ମାତ୍ର ୧୦ ପ୍ରତିଶତ।
ଏହି ବ୍ୟବସ୍ଥାର ଦ୍ବିତୀୟ ଅସଂଗତିଟି ରହିଛି ଭାରତୀୟ ନାଗରିକମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବାରେ, ଯାହାର କାରଣ ଚାନ୍ଦା ପ୍ରଦାନକାରୀମାନଙ୍କ ପରିଚୟଜନିତ ଗୋପନୀୟତା, ଯାହା ପ୍ରକାରାନ୍ତରେ ସୂଚନା ଅଧିକାର ଆଇନର ଅବମାନନା। କେବଳ ସେତିକି ନୁହେଁ, ‘ଜନପ୍ରତିନିଧି ଆଇନ’ର ପ୍ରାବଧାନ ଅନୁସାରେ ରାଜନୈତିକ ଦଳ ଏବଂ ସେମାନଙ୍କ ପ୍ରାର୍ଥୀମାନଙ୍କ ସଂପର୍କରେ ସଂପୂର୍ଣ୍ଣ ବିବରଣୀ ଲାଭ କରିବାର ଅଧିକାର ନାଗରିକମାନଙ୍କ ଠାରେ ବିଦ୍ୟମାନ। କିନ୍ତୁ ‘ନିର୍ବାଚନୀ ବଣ୍ଡ୍‌’ ବ୍ୟବସ୍ଥାକୁ ନିର୍ଦ୍ଦିଷ୍ଟ ରୂପ ଦେଇ ଦାତାଙ୍କୁ ଅଦୃଶ୍ୟ କରି ରଖିବା ଲାଗି ଏହି ଆଇନର ସଂଶୋଧନ କରାଯାଇଛି। ସେହିଭଳି ୨୦୧୮ ପୂର୍ବବର୍ତ୍ତୀ ନିୟମାନୁଯାୟୀ କର୍ପୋରେଟ୍‌ ଚାନ୍ଦାର ସୀମା ଥିଲା ପିଛିଲା ତିନି ବର୍ଷରେ ସେମାନେ କରିଥିବା ହାରାହାରି ଲାଭର ୭%, ଯାହା ‘ନିର୍ବାଚନୀ ବଣ୍ଡ୍‌’ ବ୍ୟବସ୍ଥାରେ ପରିବର୍ତ୍ତିତ ହୋଇ ସୀମାହୀନ ହୋଇଥିଲା। ଏହି ନୂତନ ବ୍ୟବସ୍ଥାରେ କ୍ଷତି ସହୁଥିବା ଉଦ୍ୟୋଗଗୁଡ଼ିକ ମଧ୍ୟ ଚାନ୍ଦା ଦେବାର ପ୍ରାବଧାନ କରାଯାଇଥିଲା। ସୁତରାଂ, ଏହି ପରିପ୍ରେକ୍ଷୀରେ ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତାସଂପନ୍ନ ପାଞ୍ଚଜଣିଆ ଖଣ୍ଡପୀଠ ଦ୍ବାରା ସର୍ବସମ୍ମତି କ୍ରମେ ପ୍ରଦତ୍ତ ରାୟରେ ‘କ୍ବିଡ୍‌ ପ୍ରୋ କ୍ବୋ’ ଭଳି ଏକ ଦୁର୍ନୀତିପୂର୍ଣ୍ଣ ପ୍ରକରଣର ସମ୍ଭାବନା ନେଇ ଇଙ୍ଗିତ ରହିଛି, ଯାହାର ଓଡ଼ିଆ ମର୍ମାର୍ଥ ହେବ ‘ଅନୁଗ୍ରହେ ଅନୁଗୃହୀତ’ ହେବା ଅର୍ଥାତ୍‌ ଅନ୍ୟକୁ ପ୍ରଦାନ କରିଥିବା ଅନୁକଂପା ପ୍ରତିବଦଳରେ କିଛି ମୂଲ୍ୟ ମାଗିବା। ଏଭଳି ସ୍ଥିତିରେ କ୍ଷମତାସୀନ ଦଳକୁ ବିପୁଳ ପରିମାଣର ଚାନ୍ଦା ପ୍ରଦାନ କରି ଉଦ୍ୟୋଗପତିମାନେ ପ୍ରତିବଦଳରେ ନିଜ ଲାଭ ସକାଶେ ସରକାରଙ୍କ ଠାରୁ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପର ଆଶା ରଖିପାରନ୍ତି; ତହିଁରେ ସରକାରଙ୍କ ନୀତିଗତ ପରିବର୍ତ୍ତନ ମଧ୍ୟ ସମ୍ଭବ ହୋଇପାରେ; ତଦ୍ଦ୍ବାରା ଜନ ଜୀବନ, ପରିବେଶ, ପ୍ରାକୃତିକ ସଂସାଧନ ଆଦି ପ୍ରତିକୂଳ ରୂପେ ପ୍ରଭାବିତ ମଧ୍ୟ ହୋଇ ପାରନ୍ତି; ଏକ କ୍ଷତି ସହୁଥିବା ଉଦ୍ୟୋଗ ବିପୁଳ ଚାନ୍ଦା ଦେଇ ନିଜ ଲାଗି ଦୃଶ୍ୟପଟକୁ ସଂପୂର୍ଣ୍ଣ ବଦଳାଇ ‌ଦେବାରେ ସରକାରଙ୍କୁ ହାତବାରିସି ରୂପେ ବ୍ୟବହାର ମଧ୍ୟ କରିପାରେ!
ଉଲ୍ଲେଖଯୋଗ୍ୟ ଯେ ଏହି ବ୍ୟବସ୍ଥାର ନାମ ‘ନିର୍ବାଚନୀ ବଣ୍ଡ୍‌’ ହୋଇଥିଲେ ସୁଦ୍ଧା ଏଥିରୁ ଉପଲବ୍‌ଧ ଅର୍ଥ ନିର୍ବାଚନରେ ବ୍ୟବହୃତ ହେବାର ସମ୍ଭାବନା ନାହିଁ। କାରଣ ବ୍ୟା‌ଙ୍କ ମାଧ୍ୟମରେ ନେଣଦେଣ ହୋଇଥିବାରୁ ଏହି ଟଙ୍କା ‘ଧଳା’। ନିର୍ବାଚନ ପ୍ରକ୍ରିୟାରେ ସାଂସଦଙ୍କ ସକାଶେ ବ୍ୟୟର ସୀମା ୯୫ ଲକ୍ଷ ଏବଂ ବିଧାୟକଙ୍କ ସକାଶେ ତାହା ୪୫ ଲକ୍ଷ ଟଙ୍କା ହୋଇଥିବାରୁ ନିର୍ବାଚନୀ ବଣ୍ଡରୁ ଉପଲବ୍‌ଧ ‘ଧଳା ଟଙ୍କା’ ବିଶେଷ କାର୍ଯ୍ୟରେ ଆସିବ ନାହିଁ।
ତେଣୁ ବିରୋଧୀ ପକ୍ଷର ଅଭିଯୋଗ ହେଲା, ନିର୍ବାଚନ ବଣ୍ଡରୁ ଉପଲବ୍‌ଧ ବିପୁଳ ଅର୍ଥରେ ବିଜେପି ନିଜ ସକାଶେ ସ୍ଥାୟୀ ସଂପଦ ସୃଷ୍ଟି କରିଛି ଓ କରି ଚାଲିବ, ନିଜ ଭାବମୂର୍ତ୍ତିକୁ ଔଜ୍ଜ୍ବଲ୍ୟ ପ୍ରଦାନ କରିବା ଲାଗି ଦୃଢ଼ ପ୍ରଚାର ତନ୍ତ୍ର ଗଢ଼ିଛି ଓ ତାକୁ ଆହୁରି ସୁଦୃଢ଼ କରିବ, ଏକ କୋଳାଶ୍ରିତ ଗଣମାଧ୍ୟମ ସୃଷ୍ଟି କରି ତା’ ମାଧ୍ୟମରେ ବିରୋଧୀମାନଙ୍କୁ ନିରବଚ୍ଛିନ୍ନ ଆକ୍ରମଣ ଏବଂ କ୍ଷତାକ୍ତ କରି ଚାଲିବ, ସେମାନଙ୍କ ଅର୍ଥ ସ୍ରୋତକୁ ଶୁଖାଇ ଦେବ; ପ୍ରକାରାନ୍ତରେ ଅଦୃଶ୍ୟ ହାତ ଦ୍ବାରା ସେମାନଙ୍କ ତଣ୍ଟି ଚିପି ସେମାନଙ୍କୁ ଅସାଡ଼ କରି ପକାଇବ!