ଗଣତନ୍ତ୍ରକୁ ପରିହାସ କରୁଥିବା ଭଳି ଏକ ନିର୍ବାଚନ ହୋଇଥିବା ସତ୍ତ୍ବେ ଯଦି ‘ପି.ଏମ.ଏଲ.-ଏନ୍’ ଓ ‘ପି.ପି.ପି.’ ମେଣ୍ଟ ସରକାର ଗଢ଼ି ପାରନ୍ତି, ତାହା ଶୁଭଙ୍କର ହେବ। ତାହା ନ ହୋଇ ଯଦି ଏକ ଅତ୍ୟନ୍ତ ବିପୁଳ ଜନାଧାର ସହିତ ବିଜୟୀ ହୋଇଥାଆନ୍ତେ, ତେବେ, କ୍ଷମତା ପ୍ରମତ୍ତ ଇମରାନ ନିଜ ରାଷ୍ଟ୍ରକୁ ଖୁବ୍ ସମ୍ଭବ ଏକ ଅନ୍ଧକାର ଆବର୍ତ୍ତ ମଧ୍ୟକୁ ନିକ୍ଷେପ କରିଦିଅନ୍ତେ; ତା’ ସହିତ ଏହି ଉପମହାଦେଶ ଏବଂ ବିଶେଷ କରି ଭାରତ ସକାଶେ ମୁଣ୍ଡ ବ୍ୟଥାର କାରଣ ପାଲଟନ୍ତେ। ସୁତରାଂ, ଇମରାନଙ୍କ ଏଭଳି ବିଡ଼ମ୍ବିତ କ୍ଷଣରେ ଯେଉଁ ସ୍ବଗତୋକ୍ତିଟି ସ୍ବତଃ ମୁଖ ନିସୃତ ହୋଇଥାଏ, ତାହା ହେଲା ‘ହାୟ, ଇମରାନ!’
ଚଳିତ ବର୍ଷ ପୃଥିବୀରେ ପଚାଶଟିରୁ ଅଧିକ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆମ ଦେଶ ସକାଶେ ଯେଉଁ ନିର୍ବାଚନ ଫଳାଫଳଗୁଡ଼ିକ ସର୍ବାଧିକ ଗୁରୁତ୍ବ ବହନ କରିଥାନ୍ତି, ତନ୍ମଧ୍ୟରୁ ପାକିସ୍ତାନ ଅନ୍ୟତମ; ଯେଉଁ ଦେଶ ଇତିମଧ୍ୟରେ ତା’ର ରାଜନୈତିକ ପରଂପରା ବଜାୟ ରଖି ଏକ ସଂପୂର୍ଣ୍ଣ ବିଶ୍ବାସ-ଅଯୋଗ୍ୟ ନିର୍ବାଚନ ପରେ ସରକାର ଗଢ଼ିବା ଦିଗରେ ଉଦ୍ୟମଶୀଳ ରହିଛି। ଏହା ସୁବିଦିତ ଯେ ସ୍ବାଧୀନତା ପର ଠାରୁ ପାକିସ୍ତାନ ପ୍ରପଂଚପୂର୍ଣ୍ଣ ଏବଂ ଅେନକ ସମୟରେ କିମ୍ଭୂତକିମାକାର ନିର୍ବାଚନଗୁଡ଼ିକ ମାଧ୍ୟମରେ ଗଣତନ୍ତ୍ରର ଛଳନା ଜାରି ରଖି ଆସିଛି; ଯହିଁରେ ଅତ୍ୟନ୍ତ ଉଦ୍ଭଟ ଦଳ ବିହୀନ ନିର୍ବାଚନ (ଏକଛତ୍ରବାଦୀ ସାମରିକ ଶାସକ ଜେନେରାଲ ଜିଆ ଉଲ ହକ୍ଙ୍କ ଆଦେଶରେ) ମଧ୍ୟ ଅନୁଷ୍ଠିତ ହୋଇଛି। ସେହି ଦୃଷ୍ଟିରୁ ପାକିସ୍ତାନରେ ନିର୍ବାଚନ ପ୍ରକ୍ରିୟା, କ୍ଷମତା ଦଖଲ ଏବଂ କ୍ଷମତା ଧାରଣର ଦୃଶ୍ୟମାନ ଅତ୍ୟନ୍ତ ନାଟକୀୟ ଏପରିକି କୌତୂହଳପ୍ରଦ ମଧ୍ୟ ହୋଇଥାଏ, ଯାହାର ପୁନରାବୃତ୍ତି ଚଳିତ ବର୍ଷ ମଧ୍ୟ ଘଟିଛି। ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ପାକିସ୍ତାନରେ ନିର୍ବାଚନ ଆଳରେ ଯେଉଁ ତାମସା ଦେଖିବାକୁ ମିଳିଛି, ତାହା ଗଣତନ୍ତ୍ର ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଦୁଃଖଦ ପରାଭବ ସିନା, ପ୍ରକାରାନ୍ତରେ କିନ୍ତୁ ତାହା ଉଭୟ ପାକିସ୍ତାନ ଏବଂ ଏହି ଉପମହାଦେଶର ଭବିଷ୍ୟତ୍ ଲାଗି ମଙ୍ଗଳକର ହେବ। ଏହି ପରିପ୍ରେକ୍ଷୀରେ ଏଭଳି ଏକ ବିଚିତ୍ର ସ୍ଥିତିକୁ ବୁଝିବା ସକାଶେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପାକିସ୍ତାନର ରାଜନୈତିକ ତାରଲ୍ୟ ସଂପର୍କରେ କେବଳ ଏତିକିରୁ ଧାରଣା ମିଳିଯିବ ଯେ ଏ ଯାବତ୍ ସେଠାରେ କୌଣସି ଜଣେ ହେଲେ ପ୍ରଧାନମନ୍ତ୍ରୀ ପୂର୍ଣ୍ଣ ଅବଧି (ପାଞ୍ଚ ବର୍ଷ) ସକାଶେ ଗାଦିନସୀନ ହୋଇ ପାରି ନାହାନ୍ତି। ଇତିମଧ୍ୟରେ ପାକିସ୍ତାନ ଚାରି ଜଣ ଏକଛତ୍ରବାଦୀ ସାମରିକ ଶାସକଙ୍କ (ଆୟୁବ ଖାଁ, ୟାହ୍ୟା ଖାଁ, ଜିଆ ଉଲ୍ ହକ୍ ଏବଂ ପରଭେଜ ମୁସାରଫ) ଦ୍ବାରା ପ୍ରାୟ ୩୪ ବର୍ଷ କାଳ ଶାସିତ ହୋଇଛି, ଏବଂ ଅବଶିଷ୍ଟ ସମୟଖଣ୍ଡରେ ଭୋଟ ଦ୍ବାରା ନିର୍ବାଚିତ ହୋଇଥିଲେ ହେଁ ସରକାରଗୁଡ଼ିକ ସାମରିକ ବାହିନୀର ଇଙ୍ଗିତରେ ପ୍ରତିଷ୍ଠିତ ଓ ପରିଚାଳିତ ହୋଇଛନ୍ତି। ସେହି ଦୃଷ୍ଟିରୁ ଇମରାନ ଖାଁଙ୍କୁ ଏକ ବ୍ୟତିକ୍ରମ ରୂପେ ବିବେଚନା କରାଯାଇପାରେ, ଯିଏ ଚିରାଚରିତ ପାକିସ୍ତାନୀ ଶୈଳୀରେ ସାମରିକ ବାହିନୀର କୋଳାଗ୍ରତ ହୋଇ ଏକ ଦୁର୍ନୀତିପୂର୍ଣ୍ଣ ନିର୍ବାଚନ ଦେଇ ଶାସନ କ୍ଷମତା ଦଖଲ କରିଥିଲେ ସିନା; କିନ୍ତୁ ଖୁବ୍ ଶୀଘ୍ର ପାକିସ୍ତାନ ରାଜନୀତିରୁ ସାମାରିକ ବାହିନୀର ଆଧିପତ୍ୟକୁ ନିଷ୍ପ୍ରଭ କରିବା ସକାଶେ ଉଦ୍ୟତ ହୋଇଥିଲେ। କହିବା ବାହୁଲ୍ୟ, ଏଥି ଲାଗି ସେ ଅଚିରେ ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ ଏବଂ ପରବର୍ତ୍ତୀ ଘଟଣାଚକ୍ରରେ ତାଙ୍କୁ ଏକାଧିକ ଅପରାଧ ଲାଗି କାରାବରଣ କରିବାକୁ ହୋଇଛି। ଏହା ସହିତ ତାଙ୍କର ରାଜନୈତିକ ଉଚ୍ଚାଭିଳାଷକୁ ନିଃଶେଷ କରିଦେବା ସକାଶେ ସଘନ ଉଦ୍ୟମ ପ୍ରାରମ୍ଭ ହୋଇଛି ଏବଂ ତାହା ଏ ଯାବତ୍ ବଳବତ୍ତର ମଧ୍ୟ ରହିଛି। ସନ୍ଦେହ କରାଯାଏ ଯେ ସେନାବାହିନୀ ସହିତ ପାକିସ୍ତାନ ନ୍ୟାୟାଳୟ ମଧ୍ୟ ଏହି ଚକ୍ରାନ୍ତରେ ସଂପୃକ୍ତ।
ଆଶା କରାଯାଏ ଯେ ସେନାବାହିନୀ ସହିତ ତାଙ୍କ ସଂଘାତର ପ୍ରାରମ୍ଭିକ କାଳରେ ସେ ପ୍ରଦାନ କରିଥିବା ବକ୍ତବ୍ୟ ଯେ ‘ସେ ଅନ୍ତିମ ବଲ୍ ଯାଏ ଖେଳିବେ’, ଅନେକଙ୍କ ସ୍ମରଣରେ ଥିବ। କହିବା ବାହୁଲ୍ୟ ଯେ ଏଭଳି ବକ୍ତବ୍ୟ ହେଉଛି ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଅଲ୍ରାଉଣ୍ଡର ଏବଂ ପରାଜୟକୁ ସହଜରେ ସ୍ବୀକାର କରୁ ନ ଥିବା ପାକିସ୍ତାନର ଲଢୁଆ କ୍ରିକେଟ୍ କ୍ୟାପଟେନ ଇମରାନ ଖାଁଙ୍କ ସ୍ବଭାବ ସୁଲଭ। ଇମରାନ ଖାଁ, ତାଙ୍କ ବକ୍ତବ୍ୟକୁ କିଭଳି ବାସ୍ତବତାରେ ପରିଣତ କରି ପାରନ୍ତି, ତା’ର ନିଦର୍ଶନ ମିଳିଥିଲା ଏକ ଅଦାଲତୀ ନିଷ୍ପତ୍ତି କ୍ରମେ ତାଙ୍କ କାରାଦଣ୍ଡ ସହିତ, ଯେତେବେଳେ ତାଙ୍କ ଦଳ ‘ପାକିସ୍ତାନ ତେହରିଖ ଏ ଇନସାଫ’ ବା ‘ପି.ଟି.ଆଇ.’ର ହଜାର ହଜାର ହିଂସ୍ର ସମର୍ଥକ ପାକିସ୍ତାନର ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପେର ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଏହା ପୂର୍ବରୁ ପାକିସ୍ତାନ ଭୂମିରେ ପାକିସ୍ତାନ ସେନାବାହିନୀ କଦାଚିତ୍ ଏଭଳି ଦୟନୀୟ ଦିଶିଥିବ ଅବା! ଅନ୍ତିମ ବଲ୍ ଯାଏ ଖେଳିବା ଲାଗି ଇମରାନଙ୍କ ଜିଦିର ଆଉ ଏକ ନମୁନା ହେଉଛି ଏହି ନିର୍ବାଚନ ଫଳାଫଳ; ଯହିଁରେ ଦେଖିବାକୁ ମିଳିଛି ଯେ ସେ ବନ୍ଦୀ ହୋଇ ରହିଥିଲେ ହେଁ, ତାଙ୍କ ଦଳ ନିଷିଦ୍ଧ ହୋଇ ଦଳୀୟ ଚିହ୍ନ ହରାଇଥିବା ସତ୍ତ୍ବେ ତାଙ୍କ ଦଳରର ସଦସ୍ୟମାନେ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ସର୍ବାଧିକ ୯୩ଟି ଆସନରେ ଜୟଯୁକ୍ତ ହୋଇଛନ୍ତି। ବଡ଼ କଥା ହେଲା, ସାମରିକ ବାହିନୀର ତତ୍ତ୍ବାବଧାନରେ ହୋଇଥିବା ବ୍ୟାପକ ‘ରିଗିଂ’ ଓ ଭୋଟ ଗଣତିରେ ଅନିୟମିତତା ସତ୍ତ୍ବେ ‘ପି.ଟି.ଆଇ.’କୁ ଏଭଳି ଅଚିନ୍ତନୀୟ ସଫଳତା ମିଳିଛି। ଇତିମଧ୍ୟରେ ‘ପିଏମଏଲ୍-ଏନ୍’ ଓ ‘ପି.ପି.ପି.’ ମେଣ୍ଟ ସରକାର ଗଢ଼ିବା ଲାଗି ଉଦ୍ୟତ ହେଉଥିବା ବେଳେ ଇମରାନ ଖାଁଙ୍କ ହଜାର ହଜାର ସମର୍ଥକ ସଡ଼କରେ ପ୍ରତିବାଦ କରିବା ଆରମ୍ଭ କରି ସାରିଲେଣି। ସୁତରାଂ, ଇମରାନଙ୍କ ‘ଇନିଂସ୍’ ସରିନାହିଁ, ସେ ଅନ୍ତିମ ବଲ୍ ଫିଙ୍ଗି ନାହାନ୍ତି!
ଏଥିରେ ଦ୍ବିରୁକ୍ତି ନାହିଁ ଯେ ସଂପ୍ରତି ଇମରାନ ଖାଁ ହେଉଛନ୍ତି ପାକିସ୍ତାନର ସର୍ବାଧିକ ଜନପ୍ରିୟ ରାଜନେତା। କିନ୍ତୁ ତାଙ୍କର ଆକ୍ରମଣାତ୍ମକ ମନୋଭାବ, ଇସଲାମୀୟ ମୌଳବାଦୀ ଆଭିମୁଖ୍ୟ ଏବଂ ଜନ ଜାଗରଣ ନାମରେ ଭିଡ଼ତନ୍ତ୍ରକୁ ପ୍ରୋତ୍ସାହନ ଦେବାର ପ୍ରଚେଷ୍ଟା ହେତୁ ଯେଉଁ ନୈରାଜ୍ୟ ବା ଅରାଜକତା ସୃଷ୍ଟିର ଆଶଙ୍କାକୁ ଜନ୍ମ ଦିଏ, ତାହା ତାଙ୍କୁ ଜଣେ ବିପଜ୍ଜନକ ନେତା ଭାବେ ମଧ୍ୟ ପ୍ରତିଭାତ କରିଥାଏ; ଏବଂ ତାଙ୍କ ସମର୍ଥକମାନଙ୍କ ହିଂସ୍ର ଆଚରଣର ଝଲକ ତାଙ୍କ ଗିରଫଦାରି ପରେ ମିଳିଥିଲା। ସେହି ଦୃଷ୍ଟିରୁ ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ଇମରାନ ଖାଁ କ୍ଷମତାରୂଢ଼ ହେବାର ଅର୍ଥ ହୁଅନ୍ତା ଇସଲାମୀୟ ଆତଙ୍କବାଦର ପ୍ରୋତ୍ସାହନ ଓ ଯୁଦ୍ଧ ବ୍ୟାକୁଳତା; ଏବଂ ତାଙ୍କ ଦ୍ବାରା ପ୍ରତିଶ୍ରୁତ ଲୋକାଭିମୁଖୀ ପଦକ୍ଷେପ ସ୍ବରୂପ ‘ମାଗଣା ବଣ୍ଟନ’ଭିତ୍ତିକ ରାଜନୀତି ଦୁଃସ୍ଥ ପାକିସ୍ତାନୀ ଅର୍ଥନୀତିକୁ ଅଚିରେ ବିଧ୍ବସ୍ତ କରିଦିଅନ୍ତା। ସେମାନଙ୍କ ମତରେ ଏଭଳି ଏକ ଅରାଜକ ପରିବେଶରେ ପାକିସ୍ତାନର ଆଣବିକ ଅସ୍ତ୍ରାଗାର କେବଳ ଭାରତ ବା ଏହି ଉପମହାଦେଶ ଲାଗି ନୁହେଁ, ସମଗ୍ର ପୃଥିବୀ ଲାଗି ବିପଦ ଓ ଚିନ୍ତାର କାରଣ ହୁଅନ୍ତା। ଉଲ୍ଲେଖଯୋଗ୍ୟ ଯେ ଆତଙ୍କବାଦ ସହିତ ‘ଆଇ.ଏସ.ଆଇ.’ର ଘନିଷ୍ଠ ସଂପୃକ୍ତି ସତ୍ତ୍ବେ ପାକିସ୍ତାନ ସାମରିକ ‘ଏଷ୍ଟାବ୍ଲିସମେଣ୍ଟ’କୁ ପାଶ୍ଚାତ୍ୟ ମୂଲ୍ୟବୋଧର ସମର୍ଥକ ରୂପେ ଦେଖାଯାଇଥାଏ। ସମ୍ଭବତଃ ସେହି କାରଣରୁ ୨୦୨୨ ମସିହାରେ, ପାକିସ୍ତାନର ଚରମ ଆର୍ଥିକ ଦୁର୍ଗତି ପରିପ୍ରେକ୍ଷୀରେ ‘ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି’ ବା ‘ଆଇଏମ୍ଏଫ୍’କୁ ପ୍ରଭାବିତ କରିବା ଲାଗି ଜେନେରାଲ କୱଁର ବାଜୱା ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିଥିଲେ। ଏହା ମଧ୍ୟ ପ୍ରଣିଧାନଯୋଗ୍ୟ ଯେ ଇମରାନ ଖାଁଙ୍କ ପ୍ରଭାବରେ ପାକିସ୍ତାନ ସାମରିକ ବାହିନୀର ଇସଲାମୀକରଣ ମଧ୍ୟ ଆରମ୍ଭ ହୋଇଗଲାଣି। ସେହି ଦୃଷ୍ଟିରୁ ବିଚାର କଲେ ଗଣତନ୍ତ୍ରକୁ ପରିହାସ କରୁଥିବା ଭଳି ଏକ ନିର୍ବାଚନ ହୋଇଥିବା ସତ୍ତ୍ବେ ଯଦି ‘ପି.ଏମ.ଏଲ.-ଏନ୍’ ଓ ‘ପି.ପି.ପି.’ ମେଣ୍ଟ ସରକାର ଗଢ଼ି ପାରନ୍ତି, ତାହା ଶୁଭଙ୍କର ହେବ। ତାହା ନ ହୋଇ ଯଦି ଏକ ଅତ୍ୟନ୍ତ ବିପୁଳ ଜନାଧାର ସହିତ ବିଜୟୀ ହୋଇଥାଆନ୍ତେ, ତେବେ, କ୍ଷମତା ପ୍ରମତ୍ତ ଇମରାନ ନିଜ ରାଷ୍ଟ୍ରକୁ ଖୁବ୍ ସମ୍ଭବ ଏକ ଅନ୍ଧକାର ଆବର୍ତ୍ତ ମଧ୍ୟକୁ ନିକ୍ଷେପ କରିଦିଅନ୍ତେ; ତା’ ସହିତ ଏହି ଉପମହାଦେଶ ଏବଂ ବିଶେଷ କରି ଭାରତ ସକାଶେ ମୁଣ୍ଡ ବ୍ୟଥାର କାରଣ ପାଲଟନ୍ତେ। ସୁତରାଂ, ଇମରାନଙ୍କ ଏଭଳି ବିଡ଼ମ୍ବିତ କ୍ଷଣରେ ଯେଉଁ ସ୍ବଗତୋକ୍ତିଟି ସ୍ବତଃ ମୁଖ ନିସୃତ ହୋଇଥାଏ, ତାହା ହେଲା ‘ହାୟ, ଇମରାନ!’