ଭୈରବଙ୍କ ପାଇଁ ଗୋଦର ଯେଉଁ ଗୋଡ଼ରେ ହେଲେବି କିଛି ଫରକ ନ ଥିବା ଭଳି ନାଭାଲ୍‌ନିଙ୍କ ପାଇଁ ମୃତ୍ୟୁ ଯେଉଁ କାରଣରୁ ହେଲେବି କିଛି ଫରକ ନ ଥିଲା। ମୃତ୍ୟୁ ପୂର୍ବରୁ ନାଭାଲ୍‌ନି କିନ୍ତୁ ପୁଟିନ୍‌ଙ୍କ ପ୍ରତି ଯେଉଁ ବ୍ୟଙ୍ଗ ବାଣ ନିକ୍ଷେପ କରି ଯାଇଛନ୍ତି, ତାହା ପୁଟିନ୍‌ଙ୍କୁ ଶେଷ ପର୍ଯ୍ୟନ୍ତ ହନ୍ତସନ୍ତ କରି ଚାଲିବ: ‘‘ପୁଟିନ୍ ନିଜକୁ ଯେତେ ଶକ୍ତିଶାଳୀ ମନେ କରନ୍ତୁ ନା କାହିଁକି, ଇତିହାସ ତାଙ୍କୁ ମନେ ରଖିବ ଜଣେ ଜଙ୍ଘିଆ ବିଷାକ୍ତକାରୀ ରୂପେ।’’

Advertisment

ପୃଥିବୀ ଇତିହାସରେ ‌େଯଉଁ କେତେଜଣ ଅତ୍ୟାଚାରୀ ଶାସକ ଭୟତନ୍ତ୍ରର ପ୍ରବର୍ତ୍ତକ ରୂପେ ସର୍ବାଧିକ କୁଖ୍ୟାତ, ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେଉଛନ୍ତି କମ୍ୟୁନିଷ୍ଟ୍ ସୋଭିଏତ୍ ରୁଷିଆର ଏକଛତ୍ର ଶାସକ ଜୋସେଫ୍ ଷ୍ଟାଲିନ୍। ଏକ ଭୟତନ୍ତ୍ରରେ ଶାସକ ଜଣକ ଯେଉଁ ଅସ୍ତ୍ର ବ୍ୟବହାର କରି ଦେଶର ନାଗରିକମାନଙ୍କୁ ସଂପୂର୍ଣ୍ଣ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସଫଳ ହୋଇଥାନ୍ତି, ତାହା ହେଉଛି- ଭୟ। ଏଥିରେ ଏପରି ଏକ ପରିବେଶର ଆବିର୍ଭାବ ଘଟିଥାଏ ଯେ, ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ବ୍ୟକ୍ତିକୁ ଶାସକ ପକ୍ଷର ଗୁପ୍ତଚର ହୋଇ ପାରିଥାଏ ବୋଲି ସନ୍ଦେହ କରିଥାଏ; ଏଣୁ କେହି କେଉଁଠି ହେଲେ ଶାସକଙ୍କର ସମାଲୋଚନା କରିବାକୁ ପଛାଇଥାଏ। ସନ୍ଦିଗ୍‌ଧ ସମାଲୋଚକମାନେ ଯେଉଁ ଅକଳ୍ପନୀୟ ଭାବରେ କଠୋର ଦଣ୍ଡର ସମ୍ମୁଖୀନ ହୋଇଥାନ୍ତି, ତାହା ଅନ୍ୟମାନଙ୍କୁ ସେଭଳି ଦୁଃସାହସ ପ୍ରଦର୍ଶନ କରିବାରୁ ନିବୃତ୍ତ କରିଥାଏ। ଷ୍ଟାଲିନ୍ ତାଙ୍କର ଦେଶବାସୀମାନଙ୍କ ମଧ୍ୟରେ ଏଭଳି ଭୟ ସୃଷ୍ଟି କରିବା ନିମିତ୍ତ ଯେଉଁସବୁ ଦଣ୍ଡ ବ୍ୟବହାର କରୁଥିଲେ, ସେଥିମଧ୍ୟରେ ଯାହା ସର୍ବାଧିକ ଫଳପ୍ରଦ ଥିଲା, ତାହା ହେଲା କୌଣସି ଏକ ‘ଗୁଲାଗ୍’ରେ କାରାବାସ (‘ଗୁଲାଗ୍’ ହେଉଛି ଜନମାନବଶୂନ୍ୟ ଅସହ୍ୟ ଶୀତଳ ମେରୁ ଅଞ୍ଚଳରେ ଅବସ୍ଥିତ କାରାଗାର, ଯାହାର ଅମାନବୀୟ ଚରିତ୍ରକୁ ପରବର୍ତ୍ତୀ ସମୟରେ ନୋବେଲ୍ ପୁରସ୍କାରପ୍ରାପ୍ତ ରୁଷୀୟ ଔପନ୍ୟାସିକ ଆଲେକ୍‌ଜାଣ୍ଡର୍ ସୋଲ୍‌ଝେନିତ୍‌ସିନ୍ ତାଙ୍କର ରଚନାମାନଙ୍କ ମାଧ୍ୟମରେ ସାରା ପୃଥିବୀରେ ସୁପରିଚିତ କରି ଦେଇଥିଲେ)।
ଷ୍ଟାଲିନ୍‌ଙ୍କ ସମୟରେ ସାଧାରଣ ନାଗରିକମାନଙ୍କୁ ଏହି ଭୟ କିଭଳି ସଂପୂର୍ଣ୍ଣ ଗ୍ରାସ କରିଥିଲା, ସେ ସଂପର୍କରେ ପ୍ରସାରିତ ଅଗଣିତ କାହାଣୀମାନଙ୍କ ମଧ୍ୟରୁ ଏଇ ଗୋଟିକ ଏକ ସ୍ପଷ୍ଟ ଧାରଣା ପ୍ରଦାନ କରିଥାଏ। ଷ୍ଟାଲିନ୍ ଥରେ ନିଜର ଲୋକପ୍ରିୟତା ସମ୍ବନ୍ଧରେ ପ୍ରତ୍ୟକ୍ଷ ଅନୁଭୂତି ସଂଗ୍ରହ କରିବା ଉଦ୍ଦେଶ୍ୟରେ ଛଦ୍ମବେଶ ପରିଧାନ କରି ଏକ ସିନେମା ହଲ୍‌ରେ ପ୍ରବେଶ କଲେ। ସେ ସମୟରେ ସରକାର ପ୍ରତ୍ୟେକ ଫିଲ୍‌ମ ପ୍ରଦର୍ଶନ ପୂର୍ବରୁ ପର୍ଦ୍ଦାରେ ପ୍ରଥମେ ଷ୍ଟାଲିନ୍‌ଙ୍କ ପୂର୍ଣ୍ଣାଙ୍ଗ ଛବିର ପ୍ରଦର୍ଶନ ବାଧ୍ୟତାମୂଳକ କରିଥିଲେ। ପର୍ଦ୍ଦାରେ ଯେତେବେଳେ ସେଇ ଅନୁସାରେ ଷ୍ଟାଲିନ୍‌ଙ୍କ ଛବିର ଆବିର୍ଭାବ ଘଟିଲା, ହଲ୍‌ରେ ଉପସ୍ଥିତ ସମସ୍ତ ଦର୍ଶକ ସେଇ ଛବିକୁ ସମ୍ମାନ ପ୍ରଦର୍ଶନ ସ୍ବରୂପ ତତ୍‌କ୍ଷଣାତ୍‌ ନିଜ ନିଜର ଆସନ ତ୍ୟାଗ କରି ଛିଡ଼ା ହୋଇ ପଡ଼ିଲେ। ତାଙ୍କ ପ୍ରତି ଦର୍ଶକମାନଙ୍କର ଏଭଳି ସ୍ବତଃସ୍ଫୂର୍ତ୍ତ ସ୍ନେହ ସ୍ବଚକ୍ଷୁରେ ଦେଖି ଅଭିଭୂତ ହୋଇ ନିଜ ଆସନରେ ବସି ରହିଥିବା ‌ଷ୍ଟାଲିନ୍‌ଙ୍କ ଆଖିରୁ ଲୁହ ଝରିବାକୁ ଆରମ୍ଭ କଲା। ଏଇ ସମୟରେ ତାଙ୍କ ପାଖରେ ଛିଡ଼ା ହୋଇଥିବା ତାଙ୍କର ପଡ଼ୋଶୀ ଦର୍ଶକ ଜଣକ ଷ୍ଟାଲିନ୍‌ଙ୍କୁ ସନ୍ତର୍ପଣରେ ଆଙ୍ଗୁଳି‌େର ଖେଞ୍ଚି ତୁରନ୍ତ ଛିଡ଼ା ହୋଇ ପଡ଼ିବାକୁ ଇସାରା ଦେଲେ। ସ୍ବାଭାବିକ ଭାବରେ ଷ୍ଟାଲିନ୍ ଛିଡ଼ା ହେବାକୁ କୁନ୍ଥୁକୁନ୍ଥୁ ହେବାରୁ ପଡ଼ୋଶୀ ଜଣକ ଚାପା କଣ୍ଠରେ ଛଦ୍ମବେଶୀ ଷ୍ଟାଲିନ୍‌ଙ୍କୁ କହିଲେ, ‘‘ତୁମେ କ’ଣ ଭାବୁଛ ‌େଯ ଆମେ ଷ୍ଟାଲିନ୍‌ଙ୍କୁ ଭଲ ପାଉ ବୋଲି ଏଠି ଛିଡ଼ା ହୋଇପଡ଼ିଛୁ? ତୁମେ ଯଦି ଛିଡ଼ା ନ ହୁଅ, ସେ ଖବର ଅବିଳମ୍ବେ ଷ୍ଟାଲିନ୍‌ଙ୍କ ପାଖରେ ପହଞ୍ଚି ଯିବ ଓ କାଲି ସକାଳେ ତୁମେ ଯାଇ ଗୁଲାଗ୍‌ରେ ପହଞ୍ଚି ଯିବ।’’
ଏହା ବର୍ତ୍ତମାନ ସୁବିଦିତ ଯେ ରୁଷିଆରେ କମ୍ୟୁନିଷ୍ଟ ଶାସନର ଅନ୍ତ ଘଟିଥିଲେ ହେଁ ସେଠାରେ ଦୀର୍ଘକାଳ ଧରି ଭ୍ଲାଡିମିର୍ ପୁଟିନ୍‌ଙ୍କର ଯେଉଁ ଏକଛତ୍ର ଶାସନ ଚାଲିଛି, ତାହା ହେଉଛି ଜୋସେଫ୍ ଷ୍ଟାଲିନ୍‌ଙ୍କର ସେ ଦିନର ସେଇ ଭୟତନ୍ତ୍ରର ଏକ ବିଶୁଦ୍ଧ ପୁନରାବୃତ୍ତି ମାତ୍ର, ଯଦିବା ନକଲି ନିର୍ବାଚନମାନ ମାଧ୍ୟମରେ ସେ ଏହା ଉପରେ ଗଣତନ୍ତ୍ରର ମୋହର ଲଗାଇବାକୁ ବୃଥା ଚେଷ୍ଟା କରି ଚାଲିଛନ୍ତି। ଆଉ ଏହା ଉପରେ ଯାହା ଏକ ସଦ୍ୟତମ, ଶକ୍ତିଶାଳୀ, ଅଲିଭା ମୋହର ଲଗାଇଛି, ତାହା ହେଉଛି ଫେବ୍ରୁଆରି ୧୬ ଦିନ ଏକ ସୁଦୂର ବରଫାବୃତ ଗୁଲାଗ୍‌ରେ ୪୭ ବର୍ଷୀୟ ଅଲେକ୍‌ସି ନାଭାଲ୍‌ନିଙ୍କର ଅକାଳ ମୃତ୍ୟୁ। ପୃଥିବୀବ୍ୟାପୀ ଜନମତ ଅନୁସାରେ ଏହା ଏକ ମୃତ୍ୟୁ ନୁହେଁ, ଏହା ହେଉଛି ଏକ ହତ୍ୟାକାଣ୍ଡ, ଯାହାର ଅନ୍ତିମ ରଚୟିତା ହେଉଛନ୍ତି ଭ୍ଲାଡିମିର୍ ପୁଟିନ୍।
ଷ୍ଟାଲିନ୍ ସେ ଦିନ ସନ୍ଧ୍ୟାରେ ସିନେମା ହଲ‌୍‌ରେ ଭେଟିଥିବା ଭଳି ଆଲେକ୍‌ସି ନାଭାଲ୍‌ନି ଥିଲେ ଜଣେ ସାଧାରଣ ରୁଷୀୟ ନାଗରିକ ମାତ୍ର, ଲକ୍ଷ ଲକ୍ଷ ସେଇଭଳି ନାଗରିକମାନଙ୍କ ମଧ୍ୟରୁ ଜଣେ, ଭୟ ପ୍ରଦର୍ଶନ ମାଧ୍ୟମରେ ପୁଟିନ୍ ଯେଉଁମାନଙ୍କର ସଂପୂର୍ଣ୍ଣ କଣ୍ଠରୋଧ କରି ବସ୍ତୁତଃ ସେମାନଙ୍କୁ ଜର୍ଜ ଅର୍‌ୱେଲ୍‌ଙ୍କ ପ୍ରସିଦ୍ଧ ବର୍ଣ୍ଣନା ଭଳି ‘ଅଣ-ବ୍ୟକ୍ତି’ରେ ପରିଣତ କରି ଦେଇଛନ୍ତି। ଏହା ଦ୍ବାରା ନିଜ ପ୍ରତି ନିୟନ୍ତ୍ରଣ କରୁଥିବା ଚରମ ବିପଦ ସମ୍ବନ୍ଧରେ ସଂପୂର୍ଣ୍ଣ ରୂପେ ସଚେତନ ଥାଇ ମଧ୍ୟ ନାଭାଲ୍‌ନି ଏହି ସ୍ବରହୀନ ସାଧାରଣ ଜନତାଙ୍କ ସ୍ବାର୍ଥରକ୍ଷା ପାଇଁ ନିଜର ସ୍ବର ଉତ୍ତୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ରାଜନେତାସୁଲଭ ଓଜସ୍ବିନୀ ଭାଷଣ ଦେବା ପରିବର୍ତ୍ତେ ଲୋକମାନଙ୍କ ସହିତ ମିଶି ସେମାନଙ୍କର ନିତିଦିନିଆ ସମସ୍ୟାମାନଙ୍କ ସମ୍ବନ୍ଧରେ ଆଲୋଚନା କରୁଥିଲେ: ଚିକିତ୍ସା ବ୍ୟବସ୍ଥା, ସ୍କୁଲ୍ ବ୍ୟବସ୍ଥା, ଗାଡ଼ ଭର୍ତ୍ତି ସଡ଼କ, ପାଉଁରୁଟି ଦର... ଇତ୍ୟାଦି। ତାଙ୍କର ମୂଳ ବୃତ୍ତି ଥିଲା ଓକିଲାତି। କ୍ରମେ ପୁଟିନ୍ ଓ ତାଙ୍କର ଘନିଷ୍ଠ ଅନୁଗତମାନଙ୍କର ସ୍ବେଚ୍ଛାଚାର, ଦୁର୍ନୀତି ଓ ଅନ୍ୟାନ୍ୟ ଅପକର୍ମମାନ ବିରୁଦ୍ଧରେ ଯେତେବେଳେ ସେ ସ୍ବର ଉତ୍ତୋଳନ କରିବାକୁ ଆରମ୍ଭ କଲେ, ସେତେବେଳେ ସେ ସିଧାସଳଖ ପୁଟିନ୍‌ଙ୍କର ବିଷ-ଦୃଷ୍ଟିରେ ପଡ଼ିଲେ।
ଏହାର ପରିଣାମ କ’ଣ ହୋଇପାରେ, ନାଭାଲ୍‌ନି ସେ ବିଷୟରେ ସଂପୂର୍ଣ୍ଣ ସଚେତନ ଥିଲେ, ‌େଯଉଁଥିରେ ଅନ୍ତର୍ଭୁକ୍ତ କାରାଦଣ୍ଡ ଓ ଏପରିକି ମୃତ୍ୟୁ ମଧ୍ୟ। ସତକୁ ସତ ୨୦୨୦ରେ ସେ ଏକ ହତ୍ୟା ଉଦ୍ୟମର ଶିକାର ହେବା ପରେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏକ ନିର୍ବାଚନ ଅଭିଯାନରେ ଅଂଶଗ୍ରହଣ କରି ସାଇବେରିଆରେ ବିମାନ ଯାତ୍ରା କରୁଥିବା ସମୟରେ ସେ ହଠାତ୍ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ପୁଟିନ୍‌ଙ୍କ ଏଜେଣ୍ଟ୍‌ମାନେ ନାଭାଲ୍‌ନିଙ୍କ ଅନ୍ତଃବସ୍ତ୍ରରେ ଗୁପ୍ତରେ ବୋଳି ଦେଇଥିବା ‘ନୋଭିଚୋକ୍’ ନାମକ ଏକ ସ୍ନାୟବିକ ବିଷର ପ୍ରଭାବରେ ତାଙ୍କର ଏପରି ଦଶା ଘଟିଥିଲା। ଉଲ୍ଲେଖଯୋଗ୍ୟ ଯେ ଏହି ବିଷ ରୁଷ୍ ସେନାବାହିନୀ ଦ୍ବାରା ପ୍ରସ୍ତୁତ ହୋଇଥାଏ। ସ୍ଥାନୀୟ ଚିକିତ୍ସା କେନ୍ଦ୍ରରେ ଏହାର ଚିକିତ୍ସା ସମ୍ଭବ ନ ହେବାରୁ ନାଭାଲ୍‌ନିଙ୍କ ସହଯୋଗୀମାନେ ତାଙ୍କୁ ଜର୍ମାନୀର ବର୍ଲିନ୍‌ସ୍ଥିତ ଏକ ହସ୍‌ପିଟାଲକୁ ସ୍ଥାନାନ୍ତରିତ କଲା ପରେ ସେଠାରେ ପାଞ୍ଚ ମାସ ଧରି ଚିକିତ୍ସିତ ହେବା ପରେ ତାଙ୍କର ଜୀବନ ରକ୍ଷା ହୋଇପାରିଥିଲା।
ଏହା ପରେ ଅନ୍ୟ କେହି ହୋଇଥିଲେ ବିଦେଶକୁ ପ୍ରାଣରକ୍ଷା ପାଇଁ ପଳାଇଥିବା ଅନ୍ୟ ଅସନ୍ତୁଷ୍ଟ ରୁଷୀୟ ନାଗରିକମାନଙ୍କୁ ଅନୁସରଣ କରି ଆଉ ରୁଷିଆକୁ ଫେରିବାକୁ ମନ ବଳାଇ ନଥାନ୍ତା। ନିର୍ଭୀକ ନାଭାଲ୍‌ନି କିନ୍ତୁ ପରିଣାମ ସମ୍ବନ୍ଧରେ ସଚେତନ ଥାଇ ମଧ୍ୟ ଦେଶକୁ ଫେରିଥିଲେ ଓ ମିଥ୍ୟା ଅଭିଯୋଗରେ ସାଙ୍ଗେ ସାଙ୍ଗେ ଗିରଫ ହୋଇ ଶେଷରେ ଏହି ଗୁଲାଗ୍‌ କାରାଗାରରେ ପହଞ୍ଚିଥିଲେ, ଯେଉଁଠି ବହୁ ଅପେକ୍ଷିତ ମୃତ୍ୟୁ ସହିତ ତାଙ୍କର ଭେଟ ହୋଇଛି। ବହୁ ଅପେକ୍ଷିତ ଏଇଥିପାଇଁ ଯେ ନାଭାଲ୍‌ନି ଅନେକ ସମୟରେ କହୁଥିଲେ ସତେ ଯେମିତି ପୁଟିନ୍‌ଙ୍କ ହାତରେ ତାଙ୍କର ମୃତ୍ୟୁ ଘଟି ସାରିଛି। ତାଙ୍କ ପାଇଁ ‘ନୋଭିଚୋକ୍’ଜନିତ ମୃତ୍ୟୁ ଓ ଗୁଲାଗ୍‌ କାରାଗାରରେ ମୃତ୍ୟୁ ମଧ୍ୟରେ କିଛି ହେଲେ ଫରକ ନ ଥିଲା। ଯେମିତି ଉଦାସୀନତା ପ୍ରଦର୍ଶନ କରି ଦକ୍ଷିଣ ଭାରତରେ ପ୍ରଚଳିତ କାହାଣୀରେ ନାରାନାଟ୍ଟୁର ଭୈରବ ମା’ କାଳୀଙ୍କୁ ହତଚକିତ କରି ଦେଇଥିଲେ।
ଏହି କାହାଣୀ ଅନୁସାରେ ଭୈରବ ଜଣକ ନିଶାର୍ଦ୍ଧରେ ଶ୍ମଶାନରେ ଧ୍ୟାନରତ ଥିବାବେଳେ ମା’ କାଳୀ ଓ ତାଙ୍କର ସହଚରୀ ଯୋଗିନୀ ପିଶାଚିନୀମାନଙ୍କର ଆବିର୍ଭାବ ଦ୍ବାରା ଭୟଭୀତ ନ ହେବାରୁ ମା’ କାଳୀ ପ୍ରୀତ ହୋଇ ତାଙ୍କୁ ନିଜ ଇଚ୍ଛା ଅନୁସାରେ ଯାହାବି ବର ମାଗିବାକୁ କହିଲେ। ବ୍ରହ୍ମଜ୍ଞାନ ପ୍ରାପ୍ତ ଭୈରବ କିନ୍ତୁ କିଛି ମାଗିବାକୁ ଚାହିଁଲେ ନାହିଁ। କାଳୀ କିନ୍ତୁ ନଛୋଡ଼ବନ୍ଦା ହେବାରୁ ଭୈରବ ଶେଷରେ ବାଧ୍ୟ ହୋଇ କାଳୀଙ୍କୁ ଯେଉଁ ବର ମାଗିଲେ, ତାହା ହେଲା- ତାଙ୍କର ଗୋଦର ହୋଇଥିବା ବାମ ଗୋଡ଼କୁ ଭଲ କରି ଦେଇ ମା’ କାଳୀ ତାଙ୍କର ଡାହାଣ ଗୋଡ଼କୁ ଗୋଦର କରି ଦିଅନ୍ତୁ। ଭୈରବଙ୍କ ପାଇଁ ଗୋଦର ଯେଉଁ ଗୋଡ଼ରେ ହେଲେବି କିଛି ଫରକ ନ ଥିବା ଭଳି ନାଭାଲ୍‌ନିଙ୍କ ପାଇଁ ମୃତ୍ୟୁ ଯେଉଁ କାରଣରୁ ହେଲେବି କିଛି ଫରକ ନ ଥିଲା। ମୃତ୍ୟୁ ପୂର୍ବରୁ ନାଭାଲ୍‌ନି କିନ୍ତୁ ପୁଟିନ୍‌ଙ୍କ ପ୍ରତି ଯେଉଁ ବ୍ୟଙ୍ଗ ବାଣ ନିକ୍ଷେପ କରି ଯାଇଛନ୍ତି, ତାହା ପୁଟିନ୍‌ଙ୍କୁ ଶେଷ ପର୍ଯ୍ୟନ୍ତ ହନ୍ତସନ୍ତ କରି ଚାଲିବ: ‘‘ପୁଟିନ୍ ନିଜକୁ ଯେତେ ଶକ୍ତିଶାଳୀ ମନେ କରନ୍ତୁ ନା କାହିଁକି, ଇତିହାସ ତାଙ୍କୁ ମନେ ରଖିବ ଜଣେ ଜଙ୍ଘିଆ ବିଷାକ୍ତକାରୀ ରୂପେ।’’