ଆମେ ବିଶ୍ବାସ କରିଥାଏଁ ଯେ ସର୍ବଦ୍ରଷ୍ଟା ଈଶ୍ବରଙ୍କ ଚକ୍ଷୁରୁ କୌଣସି କର୍ମ ବା ଅପକର୍ମ ବାଦ ପଡ଼ି ନ ଥାଏ, ଯାହାର ଫଳ ଅବଲୀଳା କ୍ରମେ ସେହି ମନୁଷ୍ୟକୁ ପ୍ରାପ୍ତ ହୋଇଥାଏ, ଏବଂ ଯେଉଁ ଧାରା ଜନ୍ମ-ଜନ୍ମାନ୍ତର ଯାଏ ପ୍ରଲମ୍ବିତ ମଧ୍ୟ ହୋଇପାରେ! କିନ୍ତୁ ବିକଶିତ ପ୍ରଯୁକ୍ତି ହେତୁ ଆଉ ଏକ ସର୍ବଦ୍ରଷ୍ଟାରେ ପରିଣତ ହୋଇଥିବା ‘ସିସି କ୍ୟାମେରା’ ଯାହା ଦେଖିଥାଏ, ତହିଁରୁ ଅନେକ ସମୟରେ ତତ୍କ୍ଷଣାତ୍ କର୍ମଫଳ ପ୍ରଦାନ କରିଥାଏ, ଯେମିତି ଘଟିଛି ଚଣ୍ଡୀଗଡ଼ ମେୟର ନିର୍ବାଚନରେ। ଏହା ଆଶ୍ବାସନାଦାୟକ।
ଗଲା ମଙ୍ଗଳବାର ଦିନ ଘଟିଥିବା ଯେଉଁ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ଏବଂ ଘୋର କୌତୂହଳ ସୃଷ୍ଟି କରିଛି, ତାହା ବିବାଦୀୟ ଚଣ୍ଡୀଗଡ଼ ପୌର ନିଗମର ମେୟର ନିର୍ବାଚନ ମାମଲା ପରିପ୍ରେକ୍ଷୀରେ ସୁପ୍ରିମ୍ କୋର୍ଟରେ ଦୃଶ୍ୟମାନ ହୋଇଥିବା ଏକ ପ୍ରାଣବନ୍ତ ବିଚାର ପ୍ରକ୍ରିୟା ଏବଂ ତହିଁରେ ପ୍ରଧାନ ବିଚାରପତିଙ୍କ ନେତୃତ୍ବରେ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ ଦ୍ବାରା ପ୍ରଦତ୍ତ ବିଚକ୍ଷଣ ଆଦେଶକୁ କେନ୍ଦ୍ର କରି। କହିବା ଅନାବଶ୍ୟକ ଯେ ଏହି ସ୍ତମ୍ଭର ପାଠକପାଠିକାମାନେ ଊଣା ଅଧିକେ ଉପରୋକ୍ତ ନିର୍ବାଚନ ସଂକ୍ରାନ୍ତ ଘଟଣାକ୍ରମ ବାବଦରେ ଅବଗତ ଥିବେ, ଯାହା ବିଜେପି ସକାଶେ ଘୋର ଅସ୍ବସ୍ତିିର କାରଣ ମଧ୍ୟ ହୋଇଛି। ଏଥିରେ ଦ୍ବିରୁକ୍ତି ନାହିଁ ଯେ ବିବେଚନାବୋଧର ସୂକ୍ଷ୍ମତା ଦୃଷ୍ଟିରୁ ଏହି ଅଦାଲତୀ ଆଦେଶ ଏବଂ ମତାମତ ଅତ୍ୟନ୍ତ ଅର୍ଥପୂର୍ଣ୍ଣ। ତେବେ ମୋଟାମୋଟି ଭାବେ ଏ ସମଗ୍ର ଘଟଣାର ତିନିଟି ବିନ୍ଦୁ ଉପରେ ଏହି ସ୍ତମ୍ଭରେ ଏକ କ୍ଷୁଦ୍ର ଆଲୋଚନା କରାଯାଇପାରେ।
ପ୍ରଥମ ବିନ୍ଦୁଟି ହେଲା ଏକ ଦୁର୍ବୋଧ୍ୟ ପ୍ରଶ୍ନ, ଯାହା ପଚାରିଥାଏ ଯେ ବର୍ଷକୁ ମାତ୍ର ୧୨୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା, ୧୨ ଲକ୍ଷ ଜନସଂଖ୍ୟାର ପୌରପାଳିକା ଏବଂ ମାତ୍ର ଗୋଟିଏ ବର୍ଷ ଲାଗି ମେୟର ପଦ କାରଣରୁ ଚଣ୍ଡୀଗଡ଼ ମେୟର ନିର୍ବାଚନ ଏକ ଅତ୍ୟନ୍ତ ଲଘୁ ରାଜନୈତିକ ବ୍ୟାପାର ହୋଇଥିଲେ ହେଁ ତହିଁରେ ବିଜୟ ଲାଭ କରିବା ସକାଶେ ବିଜେପି ଏକ ଘୋର ଅନୈତିକ ପନ୍ଥା ଅବଲମ୍ବନ କରିବାର ବିପଦ ବରଣ କଲା କାହିଁକି? ‘ସିସି କ୍ୟାମେରା’ରେ ଉତ୍ତୋଳିତ ଫୁେଟଜ୍ରୁ ଏହା ପ୍ରାଂଜଳ ହୋଇଯାଇଥିଲା ଯେ ନିର୍ବାଚନ ତଦାରଖ କରୁଥିବା ରିଟର୍ନିଂ ଅଫିସର ଅନୀଲ ମସି ଆଠଟି ବାଲଟ ପେପରରେ କେତେକ ଚିହ୍ନ ଦେଇ ହେରଫେର କରୁଛନ୍ତି; ଅଥଚ ସେହି ଅବାଂଛିତ ଚିହ୍ନ ପ୍ରାର୍ଥୀମାନଙ୍କ ଦ୍ବାରା ହୋଇଥିବା ଦର୍ଶାଇ ସେ ଆଠଟି ଭୋଟକୁ ନାକଚ କରିଦେଇ ଅଗତ୍ୟା ବିଜେପିର ବିଜୟକୁ ସୁନିଶ୍ଚିତ କରିଥିଲେ। ପ୍ରକାଶ ଥାଉ କି ବିଚାର ପ୍ରକୋଷ୍ଠରେ ଏହି ‘ସିସି କ୍ୟାମେରା’ ଫୁଟେଜ୍କୁ ଏକ ଅତିକାୟ ଟେଲିଭିଜନ ପର୍ଦ୍ଦାରେ ଦେଖାଇ ସ୍ବୟଂ ପ୍ରଧାନ ବିଚାରପତି ମସିଙ୍କୁ ଏଭଳି ପ୍ରଶ୍ନ ଜର୍ଜର କରି ପକାଇଥିଲେ ଯେ ନିଜ କାର୍ଯ୍ୟକଳାପର ପ୍ରତିରକ୍ଷା ସକାଶେ ତାଙ୍କ ନିକଟରେ କୌଣସି ବିଶ୍ବାସଯୋଗ୍ୟ ଉତ୍ତର ନ ଥିଲା। ଏଥିରେ ସନ୍ଦେହ ନାହିଁ ଯେ ବିଜେପି ‘ସଂଖ୍ୟାଲଘୁ ସେଲ୍’ର ମୁଖ୍ୟ ଅନୀଲ ମସି ନିଜ ଦଳ ପ୍ରତି ତାଙ୍କ ଅନୁରକ୍ତି ପ୍ରମାଣ କରିବା ଲାଗି ଏକ ଚକ୍ରାନ୍ତକୁ ରୂପ ଦେବାକୁ ଆଗଭର ହୋଇଥିବେ। ସେହି ପ୍ରକୋଷ୍ଠରେ ଏକ ଶକ୍ତିଶାଳୀ ‘ସିସି କ୍ୟାମେରା’ ତାଙ୍କ ଆସନ ଆଡ଼କୁ ତୀକ୍ଷ୍ଣ ଦୃଷ୍ଟି ପ୍ରଦାନ କରି ବିଦ୍ୟମାନ ବୋଲି ମସି ମଧ୍ୟ ସଂପୂର୍ଣ୍ଣ ସଚେତନ ଥିଲେ ଏବଂ ସେହି କାରଣରୁ ବାଲଟ୍ ପେପର ଉପରେ ଦାଗ କରିବା ପୂର୍ବରୁ ସେ ବାରମ୍ବାର କ୍ୟାମେରା ଆଡ଼କୁ ଅସହଜ ଦୃଷ୍ଟି ନିକ୍ଷେପ କରୁଥିଲେ। ତେଣୁ ଏଭଳି ଏକ ପ୍ରଶ୍ନ ସ୍ବାଭାବିକ ଯେ ବିଜେପିର ଦୁର୍ବୋଧ୍ୟ ଦୁଃସାହସର କାରଣ କ’ଣ ହୋଇପାରେ? ଏହାର ଉତ୍ତର ସମ୍ଭବତଃ ଏୟା ଯେ ସେହି ନିର୍ବାଚନରେ କର୍ପୋରେଟର ପ୍ରାର୍ଥୀ ଭାବେ ଆପ୍ ଏବଂ କଂଗ୍ରେସ ପରସ୍ପର ବିରୋଧରେ ଲଢ଼ିଥିଲେ ହେଁ ମେୟର ନିର୍ବାଚନ ବେଳେ ଏକତ୍ର ହୋଇ କୁଳଦୀପ କୁମାରଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିଥିଲେ। ସେହି ଦୃଷ୍ଟିରୁ ଏହା ଥିଲା ବିରୋଧୀ ‘ଇନ୍ଡି’ ମେଣ୍ଟ ପକ୍ଷରୁ ବିଜେପି ଆଗରେ ବଳ କଷାକଷିର ପ୍ରଥମ ଆହ୍ବାନ, ଯାହା ଅଗତ୍ୟା ଏହାକୁ ଏକ ଅଗ୍ନି ପରୀକ୍ଷାରେ ପରିଣତ କରିଥିଲା, ଯହିଁରେ ପରାଜୟ ବରଣ କରିବା ବିଜେପି ସକାଶେ ଆଦୌ ଗ୍ରହଣୀୟ ହୁଅନ୍ତା ନାହିଁ; ସୁତରାଂ ନୀତି ଓ ଅନୀତିର ପ୍ରଶ୍ନ ତୁଚ୍ଛ ହୋଇ ଉଠିବା ସ୍ବାଭାବିକ ହୋଇଥିବ।
ଦ୍ବିତୀୟ ବିନ୍ଦୁଟି ରହିଛି ମାନ୍ୟବର ଅଦାଲତଙ୍କ ଆଦେଶରେ ସନ୍ନିହିତ ବିଚାରବୋଧର ସୂକ୍ଷ୍ମତାରେ। କହିବା ଅନାବଶ୍ୟକ ଯେ ‘ସିସି କ୍ୟାମେରା’ରେ ଉତ୍ତୋଳିତ ଅପକର୍ମର ସ୍ପଷ୍ଟ ଚିତ୍ର କାରଣରୁ ଅଦାଲତ ଦ୍ବାରା ନିର୍ବାଚନ ଅସିଦ୍ଧ ହୋଇଯିବା ପ୍ରାୟ ସୁନିଶ୍ଚିତ ହୋଇଯାଇଥିଲା, ଯାହା ପୁନର୍ବାର ମେୟର ନିର୍ବାଚନ ଲାଗି ଭୂମି ପ୍ରସ୍ତୁତ କରନ୍ତା। ସମ୍ଭବତଃ ସେହି କାରଣରୁ ବିଜେପିର ପ୍ରଚେଷ୍ଟାରେ ତିନି ଜଣ ଆପ୍ କର୍ପୋରେଟର ପକ୍ଷ ପରିବର୍ତ୍ତନ କରି ବିଜେପି ଶିବିରରେ ଅନ୍ତର୍ଭୁକ୍ତ ହୋଇ ଯାଇଥିଲେ। ସୁତରାଂ, ପୁନଃ ନିର୍ବାଚନ ସ୍ଥିତିରେ ବିଜେପିର ବିଜୟ ସହଜସାଧ୍ୟ ହୁଅନ୍ତା। କିନ୍ତୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ନିର୍ବାଚନକୁ ଅସିଦ୍ଧ ନ କରି କେବଳ ଗଣତିରେ ହୋଇଥିବା ଦୁର୍ନୀତିକୁ ଦୂର କରି ଦେଇଥିଲେ, ଯାହା ଫଳରେ ଆପ୍ ଓ କଂଗ୍ରେସ ମେଣ୍ଟର ପ୍ରାର୍ଥୀ ମେୟର ରୂପେ ନିର୍ବାଚିତ ହେବାର ପଥ ପ୍ରଶସ୍ତ ହୋଇଛି। ମାନ୍ୟବର ଖଣ୍ଡପୀଠଙ୍କ ମତରେ କେବଳ ଏହି ନିଷ୍ପତ୍ତି ବଳରେ ହିଁ ସଂପୂର୍ଣ୍ଣ ନ୍ୟାୟ ପ୍ରଦାନ ସମ୍ଭବ ହୋଇପାରିବ। ସୁତରାଂ, ଚକ୍ରାନ୍ତ କରି ପୁନର୍ବାର ନ୍ୟାୟ ଅପହରଣ କରିବାର ଦୁରାଗ୍ରହ ସମ୍ଭବ ହେବନାହିଁ।
ତୃତୀୟ ଆଲୋଚ୍ୟ ବିନ୍ଦୁଟି ନିହିତ ଅଛି ଏଭଳି ଚମତ୍କାର ନ୍ୟାୟ ପ୍ରଦାନକୁ ସମ୍ଭବ କରୁଥିବା ‘ସିସି କ୍ୟାମେରା’ର ଭୂମିକାରେ, ଯହିଁରେ ତାହା ସର୍ବଦ୍ରଷ୍ଟା ସୁଲଭ ଅବତାରରେ ଆବିର୍ଭୂତ ହୋଇ ନିଭୃତତମ ଅଞ୍ଚଳରେ ଓ ମାନବୀୟ ଚକ୍ଷୁ ଅନ୍ତରାଳରେ ସଂଘଟିତ ହେଉଥିବା ଅପରାଧଗୁଡ଼ିକୁ ଦେଖି ତୁରନ୍ତ କର୍ମ ଫଳ ପ୍ରଦାନ କରୁଛି। ପ୍ରକାଶ ଥାଉ କି ୨୦୧୫ ମସିହାର ‘ଟୋମାସୋ ବ୍ରୁନୋ ବନାମ ଉତ୍ତରପ୍ରଦେଶ ସରକାର’ ମାମଲାରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ଏକ ଯୁଗାନ୍ତକାରୀ ରାୟ ପ୍ରଦାନ କରି ‘ସିସି କ୍ୟାମେରା’ର ଫୁଟେଜ୍କୁ ସର୍ବାଧିକ ବିଶ୍ବାସଯୋଗ୍ୟ ସାକ୍ଷ୍ୟ-ପ୍ରମାଣ ବୋଲି ଅଭିହିତ କରିଥିଲେ। ଶଂସିତ ଘଟଣାରେ ବାରାଣସୀକୁ ଆସିଥିବା ତିନି ଇଟାଲୀୟ ଯୁବ ପରିବ୍ରାଜକ ବନ୍ଧୁଙ୍କ ମଧ୍ୟରୁ ଜଣଙ୍କର ଆକସ୍ମିକ ମୃତ୍ୟୁରେ ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରି ଅନ୍ୟ ଦୁଇ ବନ୍ଧୁଙ୍କୁ ବାରାଣସୀ ଉଚ୍ଚ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ, ଯାହାଙ୍କ ନାମ ଥିଲା ଟୋମାସୋ ବ୍ରୁନୋ ଏବଂ ଏଲିସା ବେଟା ବନ୍। ଘଟଣା ଘଟିବା ଦିନ ପାହାନ୍ତା ପ୍ରହରରେ ସେହି ଦୁଇ ବନ୍ଧୁ ବାରାଣସୀ ସହର ବୁଲିବା ଲାଗି ଯାଇଥିବା ବେଳେ ହୋଟେଲ ପ୍ରକୋଷ୍ଠରେ ତୃତୀୟ ବନ୍ଧୁର ମୃତ୍ୟୁ ଘଟିଛି ବୋଲି ବାରମ୍ବାର କହୁଥିଲେ ହେଁ ହୋଟେଲ କର୍ମଚାରୀମାନେ ସାକ୍ଷ୍ୟ ଦେଇଥିଲେ ଯେ ସେହି ଦିନ ପାହାନ୍ତାରେ କୌଣସି ହୋଟେଲ ଅନ୍ତେବାସୀ ବାହାରକୁ ଯାଇ ନ ଥିଲେ। ଏଭଳି ସ୍ଥିତିରେ ହୋଟେଲର ‘ସିସି କ୍ୟାମେରା’ର ଫୁଟେଜ ହୁଏତ ସର୍ବାଧିକ ସହାୟତା ପ୍ରଦାନ କରିଥାଆନ୍ତା। କିନ୍ତୁ ଉଚ୍ଚ ଅଦାଲତରେ ତାହାକୁ ଉପସ୍ଥାପନ କରାଯାଇ ନ ଥିଲା। ତେଣୁ ଏହି ମାମଲା ସର୍ବୋଚ୍ଚ ଅଦାଲତକୁ ଆସିବା ପରେ ‘ସିସି କ୍ୟାମେରା’ ଫୁଟେଜ୍ ଉପଲବ୍ଧ ନ ଥିବା କାରଣରୁ ଅଦାଲତ ଅଗତ୍ୟା ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେବା ସହିତ ‘ସିସି କ୍ୟାମେରା’କୁ ହିଁ ସର୍ବାଧିକ ବିଶ୍ବାସଯୋଗ୍ୟ ସାକ୍ଷୀର ମାନ୍ୟତା ପ୍ରଦାନ କରିଥିଲେ। କହିବା ବାହୁଲ୍ୟ, ସଂପ୍ରତି ଏହି ସର୍ବାଧିକ ବିଶ୍ବାସଯୋଗ୍ୟ ସାକ୍ଷୀଟି ଅନେକ ଦୁଃସାଧ୍ୟ ଆପରାଧିକ ମାମଲାର ସମାଧାନ କରିସାରିଲାଣି। ଆମେ ବିଶ୍ବାସ କରିଥାଏଁ ଯେ ସର୍ବଦ୍ରଷ୍ଟା ଈଶ୍ବରଙ୍କ ଚକ୍ଷୁରୁ କୌଣସି କର୍ମ ବା ଅପକର୍ମ ବାଦ ପଡ଼ି ନ ଥାଏ, ଯାହାର ଫଳ ଅବଲୀଳା କ୍ରମେ ସେହି ମନୁଷ୍ୟକୁ ପ୍ରାପ୍ତ ହୋଇଥାଏ, ଏବଂ ଯେଉଁ ଧାରା ଜନ୍ମ-ଜନ୍ମାନ୍ତର ଯାଏ ପ୍ରଲମ୍ବିତ ମଧ୍ୟ ହୋଇପାରେ! କିନ୍ତୁ ବିକଶିତ ପ୍ରଯୁକ୍ତି ହେତୁ ଆଉ ଏକ ସର୍ବଦ୍ରଷ୍ଟାରେ ପରିଣତ ହୋଇଥିବା ‘ସିସି କ୍ୟାମେରା’ ଯାହା ଦେଖିଥାଏ, ତହିଁରୁ ଅନେକ ସମୟରେ ତତ୍କ୍ଷଣାତ୍ କର୍ମଫଳ ପ୍ରଦାନ କରିଥାଏ, ଯେମିତି ଘଟିଛି ଚଣ୍ଡୀଗଡ଼ ମେୟର ନିର୍ବାଚନରେ। ଏହା ଆଶ୍ବାସନାଦାୟକ।