ମୋଟ ଉପରେ କହିଲେ, ଏ ସମସ୍ତ ସମସ୍ୟା ହେଉଛି ବାସ୍ତବ ଏବଂ ଆଇନ୍ଷ୍ଟାଇନୀୟ ସମୟ ଆଗେଇବା ସହିତ ଏଥିରେ ଅସହନୀୟ ବୃଦ୍ଧି ଘଟିବାକୁ ଲାଗିବ, ଯାହାକୁ ବର୍ଗସନ୍ଙ୍କୁ ଅନୁସରଣ କରି ପ୍ରବଞ୍ଚନାମୂଳକ ଭାବରେ ଆମ ବୟସ ହେଉଛି କେବଳ ମାତ୍ର ଏକ ସଂଖ୍ୟା ବୋଲି କହି ଏଡ଼ାଇ ଦେଇ ହେବ ନାହିଁ। ଆଗାମୀ ସମୟରେ ଶୁକ୍ଳକେଶମାନଙ୍କର ଏହି କ୍ଳେଶ ଲାଘବ ନିମିତ୍ତ କାଳବିଳମ୍ବ ନ କରି ସରକାରଙ୍କୁ ଆଗୁଆ ଯୋଜନା କରିବାକୁ ହେବ- ମେହେର ଯାହା କହିଥାନ୍ତୁ ନା କାହିଁକି।
ବାର୍ଦ୍ଧକ୍ୟ ହେଉଛି ଏକ ବାସ୍ତବତା, ନା କେବଳ ଏକ ଭାବନା ମାତ୍ର? ଯେଉଁମାନେ ବିଶ୍ବାସ କରନ୍ତି ଯେ ବାର୍ଦ୍ଧକ୍ୟ ହେଉଛି ସମୟ ପ୍ରବାହର ଏକ ଅନିବାର୍ଯ୍ୟ ପାର୍ଶ୍ବଫଳ, ସେମାନେ ବାର୍ଦ୍ଧକ୍ୟର ବାସ୍ତବତାକୁ ମୁଣ୍ଡପାତି ସ୍ବୀକାର କରିଥାନ୍ତି। ସେମାନେ ଜାଣନ୍ତି ଘଣ୍ଟାର କଣ୍ଟା ଘୂରି ଚାଲିବା ସଙ୍ଗେ ସଙ୍ଗେ, କିମ୍ବା ପୃଥିବୀ ତା’ର ଅକ୍ଷ ଚତୁର୍ଦିଗରେ ଘୂରି ଚାଲିବା ସଙ୍ଗେ ସଙ୍ଗେ ସମୟ ଅତିକ୍ରାନ୍ତ ହୋଇ ଚାଲିଥାଏ, ଏବଂ ମନୁଷ୍ୟ ଭଳି ଏକ ପ୍ରାଣୀ ଯଦି ଯଥେଷ୍ଟ ସମୟ ଅତିକ୍ରାନ୍ତ ହେବା ପର୍ଯ୍ୟନ୍ତ ଜୀବିତ ରହେ, ତା’ ହେଲେ ତାକୁ ନିଶ୍ଚିତ ରୂପେ ବାର୍ଦ୍ଧକ୍ୟ ଗ୍ରାସ କରିଥାଏ। ଆଉ କେତେକ ଥାନ୍ତି, ଯେଉଁମାନେ ନିଜର ବୃଦ୍ଧାବସ୍ଥାର ଅସୁବିଧାଜନକ ସତ୍ୟକୁ ସ୍ବୀକାର କରିବାକୁ ଚାହାନ୍ତି ନାହିଁ, ସେମାନେ କହନ୍ତି ଯେ ବ୍ୟକ୍ତିର ବାର୍ଦ୍ଧକ୍ୟ ହେଉଛି ତା’ର ଭାବନାର ଉତ୍ପାଦନ ମାତ୍ର; ବୟସ ଆଗେଇ ଯାଇଥିବାରୁ ଯିଏ ନିଜକୁ ବାର୍ଦ୍ଧକ୍ୟଗ୍ରସ୍ତ ବୋଲି ବିଶ୍ବାସ କରେ, ସେ ହେଉଛି ବୃଦ୍ଧ/ବୃଦ୍ଧା; ଯିଏ ତା’ର ମନରେ ଏଭଳି ଭାବନାକୁ ସ୍ଥାନ ଦିଏ ନାହିଁ, ତାକୁ ବାର୍ଦ୍ଧକ୍ୟ ସ୍ପର୍ଶ କରି ନ ଥାଏ। ଏମାନେ ଘୋଷଣା କରିବା ଦେଖାଯାଇଥାଏ: ବୟସ ହେଉଛି ଏକ ସଂଖ୍ୟା ମାତ୍ର। ଅନ୍ୟ ଭାଷାରେ କହିଲେ, ବୟସ ହେଉଛି ଏକ ବସ୍ତୁନିଷ୍ଠ ଧାରଣା; ବାର୍ଦ୍ଧକ୍ୟ ହେଉଛି ଏକ ବ୍ୟକ୍ତିନିଷ୍ଠ ଧାରଣା।
ଅସଲରେ ଦେଖିବାକୁ ଗଲେ, ଏହି ବିତର୍କର କେନ୍ଦ୍ରରେ ଯାହା ଆସ୍ଥାନ ଜମାଇ ଥାଏ, ତାହା ହେଉଛି ସମୟ ପ୍ରତି ଆମର ଆଭିମୁଖ୍ୟ। ଊନବିଂଶ-ବିଂଶ ଶତାବ୍ଦୀର ମହାନ୍ ଫରାସୀ ଦାର୍ଶନିକ ହେନ୍ରି ବର୍ଗସନ୍ ୧୮୮୯ରେ ପ୍ରକାଶିତ ତାଙ୍କର ପ୍ରସିଦ୍ଧ ତଥା ସର୍ବପ୍ରଥମ ପୁସ୍ତକ, ‘ଟାଇମ୍ ଆଣ୍ଡ୍ ଫ୍ରି ୱିଲ୍’ (‘ସମୟ ଓ ଅବାଧ ଇଚ୍ଛା’)ରେ ସମୟ ପ୍ରତି ଆମର ଆଭିମୁଖ୍ୟରେ ଥିବା ଏହି ବିଭେଦ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ତତ୍କାଳୀନ ପାଶ୍ଚାତ୍ୟ ଚିନ୍ତନ ପରିସରରେ ବ୍ୟାପକ ଆଲୋଡ଼ନ ସୃଷ୍ଟି କରିଥିଲେ। ବର୍ଗସନ୍ ଏଥିରେ ସୂଚାଇଥିଲେ ଯେ ବିଜ୍ଞାନ ଦୃଷ୍ଟିରେ ସମୟକୁ ସ୍ଥାନ ପ୍ରସରଣ ରୂପେ ଦେଖାଯାଇଥାଏ, ଯାହା ଅନୁଯାୟୀ ଗୋଟିଏ ଘଣ୍ଟା ହେଉଛି ପୃଥିବୀର ଆହ୍ନିକ ଘୂର୍ଣ୍ଣନର ଏକ-ଚତୁର୍ବିଂଶାଂଶର ପରିମାପକ। ବର୍ଗସନ୍ଙ୍କ ଅନୁସାରେ ସମୟର ଏଭଳି ବିଭାଜନକୁ ଅନୁସରଣ କରି ବ୍ୟକ୍ତିର ଚେତନାରେ କିନ୍ତୁ ଯନ୍ତ୍ରବତ୍ ବିଭାଜନ ଘଟି ନ ଥାଏ; ସଙ୍ଗୀତରେ ବର୍ତ୍ତମାନ ମୁହୂର୍ତ୍ତର ସ୍ବର ସହିତ ପୂର୍ବବର୍ତ୍ତୀ ମୁହୂର୍ତ୍ତର ସ୍ବରର ଘନିଷ୍ଠ ଓ ଅବିଚ୍ଛେଦ୍ୟ ସଂପର୍କ ଥିବା ଭଳି ବ୍ୟକ୍ତିର ଚେତନା ଅତୀତ ଓ ବର୍ତ୍ତମାନକୁ ଏକ ଅବିଚ୍ଛିନ୍ନ ଅବଧି ରୂପେ ଆଚ୍ଛାଦିତ କରି ରଖିଥାଏ। ତାଙ୍କ ମତରେ ଏହି ‘ଅବଧି’ ହିଁ ହେଉଛି ସମୟ; ଘଡ଼ି ବା କ୍ୟାଲେଣ୍ଡର୍ ଦ୍ବାରା ପ୍ରଦର୍ଶିତ ସଂଖ୍ୟା ସମୟ ନୁହେଁ। (ଅତଏବ ବୟସ ହେଉଛି ଏକ ସଂଖ୍ୟା ମାତ୍ର।)
ତା’ ହେଲେ ସମୟ ପ୍ରତି କେଉଁ ଅାଭିମୁଖ୍ୟଟି ହେଉଛି ଯୁକ୍ତିଯୁକ୍ତ? ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ୧୯୨୨ରେ ପ୍ୟାରିସ୍ ଠାରେ େଯଉଁ ଏକ ବିତର୍କ ଅନୁଷ୍ଠିତ ହୋଇଥିଲା, ପୃଥିବୀରେ ମନୁଷ୍ୟର ବୌଦ୍ଧିକ ଇତିହାସରେ ତାହାର କୌଣସି ତୁଳନା ନାହିଁ। ଏହି ବିତର୍କରେ ନିଜର ଏହି ମତବାଦ ସପକ୍ଷରେ ଯୁକ୍ତି କରିଥିଲେ ଖୋଦ୍ ବର୍ଗସନ୍; ଏହାର ବିପରୀତ ମତବାଦ ଅର୍ଥାତ୍ ସମୟ ପ୍ରତି ଉପରବର୍ଣ୍ଣିତ ବୈଜ୍ଞାନିକ ଆଭିମୁଖ୍ୟ ସପକ୍ଷରେ ଯିଏ ଯୁକ୍ତି ବାଢ଼ିଥିଲେ, ସିଏ ହେଉଛନ୍ତି ବର୍ଗସନ୍ଙ୍କ ଠାରୁ ବୟସରେ ୨୦ ବର୍ଷ ସାନ ଯୁବ ପଦାର୍ଥ ବିଜ୍ଞାନୀ ଆଲ୍ବର୍ଟ ଆଇନ୍ଷ୍ଟାଇନ୍, ଯାହାଙ୍କର ଆବିଷ୍କୃତ ଆପେକ୍ଷିକ ତତ୍ତ୍ବଦ୍ବୟ ସେତେବେଳେ ବିଜ୍ଞାନ ଜଗତକୁ ସଂପୂର୍ଣ୍ଣ ଓଲଟପାଲଟ କରିଦେଇଥାଏ। (ଆଇନ୍ଷ୍ଟାଇନ୍ ଏହି ବିତର୍କର ଆଉ ପ୍ରାୟ ଛ’ ମାସ ପରେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇଲେ ଓ ବର୍ଗସନ୍ ଆଉ ପ୍ରାୟ ପାଞ୍ଚ ବର୍ଷ ପରେ ସାହିତ୍ୟରେ ନୋବେଲ୍ ପୁରସ୍କାର ପାଇଥିଲେ।) ଏହି ବିତର୍କରେ ଅକାଟ୍ୟ ଯୁକ୍ତି ପ୍ରତିପାଦନ କରି ଆଇନ୍ଷ୍ଟାଇନ୍ ପ୍ରମାଣିତ କରିଥିଲେ ଯେ ବର୍ଗସନ୍ ଯେଉଁ ସମୟ ସମ୍ବନ୍ଧରେ କହୁଛନ୍ତି ତାହା ହେଉଛି ଏକ ‘ମନସ୍ତାତ୍ତ୍ବିକ ସମୟ’ ବା ‘ଦାର୍ଶନିକ ସମୟ’ ମାତ୍ର, ବାସ୍ତବ ସମୟ ନୁହେଁ; ବାସ୍ତବ ସମୟ ହେଉଛି ସେ ଆବିଷ୍କାର କରିଥିବା ସମୟ, ଯାହା ଅନୁସାରେ ପଦାର୍ଥର ଆପେକ୍ଷିକ ଗତି ବା ଅବସ୍ଥିତି ଅନୁସାରେ ସମୟର ଗତି ତା’ ପାଇଁ ଦ୍ରୁତ ବା ମନ୍ଥର ହୋଇଥାଏ। ସେ ଦିନ ସେ ବିତର୍କରେ ଆଇନ୍ଷ୍ଟାଇନ୍ ସର୍ବସମ୍ମତ ଭାବରେ ବିଜୟୀ ବିବେଚିତ ହୋଇଥିଲେ।
ଅବଶ୍ୟ ଏହା ସତ୍ତ୍ବେ କବି ବା କଥାକାରମାନଙ୍କର କୃତିରେ ପ୍ରଦର୍ଶିତ ସମୟ ଯାହାଙ୍କୁ ଅଧିକ ଅନୁସରଣ କରିବା ଦେଖାଯାଇଥାଏ ସେ ହେଉଛନ୍ତି ହେନ୍ରି ବର୍ଗସନ୍ (ଯେମିତି ସ୍ବଭାବକବି ଗଙ୍ଗାଧର ମେହେରଙ୍କର ଘଡ଼ି-ସମୟ-ନାକଚକାରୀ ଧାଡ଼ି: ‘‘ନୁହେଁ ବୃଦ୍ଧ ସେହିଜନ ଶୁକ୍ଳ କେଶ ଅଟେ ଯାର ଶିର...’’; କିମ୍ବା ଟିଏସ୍ ଏଲିଅଟ୍ଙ୍କର ଆକାଶରେ ପ୍ରସାରିତ ସନ୍ଧ୍ୟା ସମୟ: ‘‘ସ୍ପ୍ରେଡ୍ ଆଉଟ୍ ଏଗେନ୍ଷ୍ଟ ଦି ସ୍କାଏ/ଲାଇକ୍ ଏ ପେସେଣ୍ଟ୍ ଇଥରାଇଜ୍ଡ୍ ଅପନ୍ ଏ େଟବଲ୍।’’)। କିନ୍ତୁ ବାସ୍ତବବାଦୀ ବୈଜ୍ଞାନିକ ବା ଅର୍ଥନୀତିଜ୍ଞମାନେ ସେମାନଙ୍କର ବୃତ୍ତି ଅନୁସରଣ କରିବା ବେଳେ ଯେଉଁ ସମୟକୁ ମାନକ ରୂପେ ଗ୍ରହଣ କରିଥାନ୍ତି, ତାହା ଏହି ଭାବନାଭିତ୍ତିକ ବର୍ଗସନୀୟ ସମୟ ନୁହେଁ; ତାହା ହେଉଛି ବିଜ୍ଞାନଭିତ୍ତିକ ଅାଇନ୍ଷ୍ଟାଇନୀୟ ସମୟ। ଏହା ଅନୁସାରେ ୬୦ ବର୍ଷ ବୟସ ଅତିକ୍ରମ କରିସାରିଥିବା ଜଣେ ବ୍ୟକ୍ତି ନିଜକୁ ଜଣେ ୩୦ ବର୍ଷୀୟ ଯୁବକ ଭଳି ଅନୁଭବ କରୁଥିଲେ ହେଁ, ତାକୁ ଜଣେ ବରିଷ୍ଠ ନାଗରିକ ରୂପେ ଚିହ୍ନଟ କରାଯାଇ ଶ୍ରେଣୀଭୁକ୍ତ କରାଯାଇଥାଏ।
ଯେମିତି ଭାରତର ‘ନିତି ଆୟୋଗ’ ତା’ର ଏକ ସଦ୍ୟ ପ୍ରକାଶିତ ‘ଅବସ୍ଥା ପତ୍ର’ ବା ‘ପୋଜିସନ୍ ପେପର୍’ରେ ଏବେ କରିଛି। ତା’ର ପ୍ରଶଂସନୀୟ ଗବେଷଣା ମାଧ୍ୟମରେ ‘ନିତି ଆୟୋଗ’ ଭାରତରେ ଏହି ବରିଷ୍ଠ ନାଗରିକମାନଙ୍କର ବାସ୍ତବ ଅବସ୍ଥା ସମ୍ବନ୍ଧରେ ଯେଉଁ ଚିତ୍ର ସଂଗ୍ରହ କରିଛି ତାହା େଯତିକି ଚିନ୍ତାଜନକ, ସେମାନଙ୍କର ମଙ୍ଗଳସାଧନ ନିମିତ୍ତ ନୀତି ନିର୍ଦ୍ଧାରଣ ପାଇଁ ସେତିକି ଉପଯୋଗୀ ମନେ ହୋଇଥାଏ। ଏହି ଗବେଷଣାପତ୍ର ଅନୁସାରେ ଭାରତର ଜନସଂଖ୍ୟାରେ ୬୦ ବର୍ଷ ବୟସ ଅତିକ୍ରମ କରିସାରିଥିବା ଏହି ବରିଷ୍ଠ ନାଗରିକମାନଙ୍କର ଅନୁପାତ ବର୍ତ୍ତମାନ ୮.୬ ଶତାଂଶ ହୋଇଥିବା ବେଳେ ୨୦୩୦ ସୁଦ୍ଧା ତାହା ୧୩ ଶତାଂଶ ଓ ୨୦୫୦ ସୁଦ୍ଧା ତାହା ୨୦ ଶତାଂଶକୁ ବୃଦ୍ଧି ପାଇବାକୁ ଯାଉଛି, ଯାହାର ଆକାର ହେବ ପ୍ରାୟ ୩୨ କୋଟି। ଏହି ବରିଷ୍ଠ ନାଗରିକମାନଙ୍କ ମଧ୍ୟରୁ ପ୍ରାୟ ୭୧ ଶତାଂଶ ବାସ କରନ୍ତି ଭାରତର ଗ୍ରାମାଞ୍ଚଳରେ।
ଦେଶର ଜନସଂଖ୍ୟାରେ ବରିଷ୍ଠ ନାଗରିକମାନଙ୍କର ଅନୁପାତରେ ଘଟି ଚାଲିଥିବା ଏହି ବୃଦ୍ଧି ଯୋଗୁଁ ଦେଶରେ ବ୍ୟାଧି ବୋଝରୁ ଆରମ୍ଭ କରି, ଜନସଂଖ୍ୟାରେ ନିର୍ଭରଶୀଳ ସଦସ୍ୟମାନଙ୍କର ଅନୁପାତ, ପରିବାର ସଂରଚନା, ଉପଭୋଗ ଢାଞ୍ଚା ଏବଂ ଦେଶର ଶ୍ରମ ଶକ୍ତିର ଗଠନରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନମାନ ଘଟିବା ଅନିବାର୍ଯ୍ୟ। ଏହି ବରିଷ୍ଠ ନାଗରିକମାନଙ୍କ ମଧ୍ୟରୁ ପ୍ରାୟ ତିନି-ଚତୁର୍ଥାଂଶ ଏକ ବା ଏକାଧିକ ଦୀର୍ଘସ୍ଥାୟୀ ବ୍ୟାଧି ଦ୍ବାରା ପୀଡ଼ିତ ହୋଇଥାନ୍ତି। ଏମାନଙ୍କ ମଧ୍ୟରୁ ଏକ-ତୃତୀୟାଂଶ ମାନସିକ ଅବସାଦଗ୍ରସ୍ତ ହୋଇଥାନ୍ତି ଏବଂ ଜୀବନ ପ୍ରତି ଅସନ୍ତୋଷ ପ୍ରକାଶ କରିଥାନ୍ତି। ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ଯତ୍ନ ବ୍ୟବସ୍ଥାର ଅନୁପସ୍ଥିତି ଯୋଗୁଁ ଏମାନଙ୍କର ବ୍ୟାଧି ବୋଝ ଅଧିକ ଦୁର୍ବିଷହ ହୋଇଥାଏ। ଏହା ବ୍ୟତୀତ ଏମାନଙ୍କ ପାଇଁ ଉପଯୁକ୍ତ ଆନୁସଙ୍ଗିକ ସୁବିଧା ସୁେଯାଗର ଅଭାବ, ସାମାଜିକ ନିରାପତ୍ତା ବ୍ୟବସ୍ଥାର ଦୁର୍ବଳ ଓ ବିଖଣ୍ଡିତ ଅବସ୍ଥା, ଆର୍ଥିକ ଭବିଷ୍ୟତ ଯୋଜନାର ଅଭାବ, ଖାଦ୍ୟ ନିରାପତ୍ତାର ଅଭାବ, ଓ ଏକାକିତ୍ବ ଆଦି ମିଳିତ ହୋଇ ବରିଷ୍ଠ ନାଗରିକମାନଙ୍କର ଜୀବନଯାତ୍ରାକୁ ଆହୁରି ଅଧିକ ପ୍ରତିବନ୍ଧକପୂର୍ଣ୍ଣ କରି ଦେଇଥାନ୍ତି।
ଉକ୍ତ ଗବେଷଣାପତ୍ରରେ ପ୍ରଦତ୍ତ ନିମ୍ନୋକ୍ତ କେତେକ ପରିସଂଖ୍ୟାନ ଏହା ହୃଦୟଙ୍ଗମ କରିବାରେ ସହାୟକ ହୋଇଥାଏ। ମହିଳା ବରିଷ୍ଠ ନାଗରିକମାନଙ୍କ ମଧ୍ୟରୁ ୫୪ ଶତାଂଶ ହେଉଛନ୍ତି ବିଧବା, େଯଉଁମାନଙ୍କ ମଧ୍ୟରୁ ୯ ଶତାଂଶ ଏକାକିନୀ ଅବସ୍ଥାରେ ଜୀବନଯାପନ କରିଥାନ୍ତି। ବରିଷ୍ଠ ନାଗରିକମାନଙ୍କ ମଧ୍ୟରୁ ୭୮ ଶତାଂଶ କୌଣସି ପେନ୍ସନ୍ ପାଇ ନଥାନ୍ତି ଏବଂ ମାତ୍ର ୧୮ ଶତାଂଶ କୌଣସି ସ୍ବାସ୍ଥ୍ୟ ବୀମା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଥାନ୍ତି। ମୋଟ ଉପରେ କହିଲେ, ଏ ସମସ୍ତ ସମସ୍ୟା ହେଉଛି ବାସ୍ତବ ଏବଂ ଆଇନ୍ଷ୍ଟାଇନୀୟ ସମୟ ଆଗେଇବା ସହିତ ଏଥିରେ ଅସହନୀୟ ବୃଦ୍ଧି ଘଟିବାକୁ ଲାଗିବ, ଯାହାକୁ ବର୍ଗସନ୍ଙ୍କୁ ଅନୁସରଣ କରି ପ୍ରବଞ୍ଚନାମୂଳକ ଭାବରେ ଆମ ବୟସ ହେଉଛି କେବଳ ମାତ୍ର ଏକ ସଂଖ୍ୟା ବୋଲି କହି ଏଡ଼ାଇ ଦେଇ ହେବ ନାହିଁ। ଆଗାମୀ ସମୟରେ ଶୁକ୍ଳକେଶମାନଙ୍କର ଏହି କ୍ଳେଶ ଲାଘବ ନିମିତ୍ତ କାଳବିଳମ୍ବ ନ କରି ସରକାରଙ୍କୁ ଆଗୁଆ ଯୋଜନା କରିବାକୁ ହେବ- ମେହେର ଯାହା କହିଥାନ୍ତୁ ନା କାହିଁକି।