ଏଭଳି ‌େନୖରାଶ୍ୟଜନକ ସ୍ଥିତିରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡକ୍ଟର ରଘୁରାମ ରାଜନଙ୍କ ଏକ ଉକ୍ତି ସ୍ମରଣକୁ ଆସି କିଞ୍ଚିତ ସାନ୍ତ୍ବନା ପ୍ରଦାନ କରିଥାଏ ଯେ ଅନ୍ତତଃ ପ୍ରତି ପାଞ୍ଚ ବର୍ଷରେ ଥରେ ରାଜନେତାମାନଙ୍କ ନିକଟରେ ଗୋପନରେ ଠୁଳୀଭୂତ କଳା ଟଙ୍କାର ଏକ ଅଂଶ ସଂଚାଳିତ ହୋଇ ସାମୟିକ ଭାବେ ହେଉ ପଛକେ ଦେଶର ଅର୍ଥନୀତିକୁ ଚଳଚଞ୍ଚଳ କରେ; ସାଧାରଣ ଭୋଟର ଅର୍ଥ ବା ଦ୍ରବ୍ୟ ଦ୍ବାରା କିଞ୍ଚିତ ଲାଭବାନ ହୁଅନ୍ତି ମଧ୍ୟ! କିନ୍ତୁ ବିଡ଼ମ୍ବନା ହେଲା, ଏହି ସାମାନ୍ୟ ଲାଭ ବଦଳରେ ଭୋଟରମାନେ ଅନେକ ସନ୍ଦିଗ୍‌ଧ ଚରିତ୍ରର ପ୍ରାର୍ଥୀଙ୍କୁ ସଂସଦ ବା ବିଧାନସଭାକୁ ଆଣି ନିଜର ତଥା ରାଷ୍ଟ୍ରର ଭବିଷ୍ୟତ୍‌କୁ ଜଳାଞ୍ଜଳି ଦିଅନ୍ତି।

Advertisment

ଆସନ୍ତା ସାଧାରଣ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ହେବା ନିମନ୍ତେ ଦଳ ପକ୍ଷରୁ ଆସିଥିବା ପ୍ରସ୍ତାବକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବିନମ୍ରତାର ସହିତ ଅଗ୍ରାହ୍ୟ କରିବା ବେଳେ ଯେଉଁ କାରଣଟି ଦର୍ଶାଇଛନ୍ତି, ତାହା ଅନେକତ୍ର ମୃଦୁ କୌତୂହଳ ସୃଷ୍ଟି କରିଛି। ତାଙ୍କ କହିବା ଅନୁସାରେ କିଛି ଦିନର ମାନସ ମନ୍ଥନ ପରେ ସେ ଯାହା ଆବିଷ୍କାର କରିଛନ୍ତି, ତାହା ହେଲା ନିର୍ବାଚନ ଲଢ଼ିବା ସକାଶେ ତାଙ୍କର ଆର୍ଥିକ ସାମର୍ଥ୍ୟ ନାହିଁ। ପ୍ରକାଶ ଥାଉ କି ତାଙ୍କ ଦ୍ବାରା ଘୋଷିତ ବ୍ୟକ୍ତିଗତ ସଂପତ୍ତିର ମୂଲ୍ୟ ହେଉଛି ୨.୬ କୋଟି ଟଙ୍କା, ଯାହା ସାଂସଦଙ୍କ ସଂପତ୍ତିର ହାରାହାରି ମୂଲ୍ୟ ୩୮ କୋଟି ଟଙ୍କାରୁ ଯଥେଷ୍ଟ ଊଣା; କିନ୍ତୁ ଭାରତୀୟ ସଂସଦରେ ଅମିତ ବିତ୍ତଶାଳୀ କୋଟିପତି ସାଂସଦଙ୍କ ସଂଖ୍ୟା ପ୍ରାୟ ୮୦ ପ୍ରତିଶତ; ଅର୍ଥାତ୍‌ ଅବଶିଷ୍ଟ ୨୦ ପ୍ରତିଶତ ତତ୍ତୁଲ୍ୟ ବିତ୍ତଶାଳୀ ହୋଇ ନ ଥିବା ସତ୍ତ୍ବେ ନିର୍ବାଚନରେ ଅଂଶ ଗ୍ରହଣ କରି ବିଜୟ ଲାଭ କରିଛନ୍ତି! ଅବଶ୍ୟ, ନିୟମାନୁସାରେ ଜଣେ ସାଂସଦ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହେଲେ ବ୍ୟକ୍ତିଗତ ଭାବେ ସର୍ବାଧିକ ୯୫ ଲକ୍ଷ ଟଙ୍କା ବ୍ୟୟ କରିବାର ସ୍ବାଧୀନତା ଲାଭ କରନ୍ତି, କିନ୍ତୁ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ସକାଶେ ବ୍ୟୟର ପରିମାଣ ନେଇ କୌଣସି ସୀମା ନ ଥାଏ। ଏହି ଦୃଷ୍ଟିରୁ ଅନେକ କହିଥାଆନ୍ତି ଯେ ନିର୍ମଳା ସୀତାରମଣଙ୍କ ପକ୍ଷରେ ନିର୍ବାଚନରେ ଅଂଶ ଗ୍ରହଣ କରିବା କୌଣସି ରୂପେ ଅସୁବିଧାଜନକ ହୁଅନ୍ତା ନାହିଁ ଏବଂ ତାଙ୍କର ବ୍ୟକ୍ତିଗତ ଆର୍ଥିକ ଅସାମର୍ଥ୍ୟକୁ ପୂରଣ କରିବାରେ ଦଳ ଉଦ୍‌ଗ୍ରୀବ ହୁଅନ୍ତା। ସୁତରାଂ, ଖୁବ୍‌ ସମ୍ଭବ ନିର୍ବାଚନ ରଣାଙ୍ଗନର ସମ୍ମୁଖ ପ୍ରତିଦ୍ବନ୍ଦ୍ବିତା ସକାଶେ ସାହସ ଜୁଟାଇ ନ ପାରି ଅଗତ୍ୟା ବିତ୍ତ ମନ୍ତ୍ରୀ ଏଭଳି ଏକ ଦୁର୍ବଳ ଆଳ ପ୍ରଦାନ କରିଛନ୍ତି; କାରଣ ଏମିତି ୨୦୨୮ ମସିହା ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ଭାବେ ପୂର୍ଣ୍ଣ କାର୍ଯ୍ୟକାଳ ଉପଭୋଗ କରିପାରିବେ ଏବଂ ନିର୍ବାଚନ ପରେ ବିଜେପି ଯଦି ପୁନଃ କ୍ଷମତାସୀନ ହୁଏ, ତେବେ ମନ୍ତ୍ରୀ ପଦ ମଧ୍ୟ ଅବ୍ୟାହତ ରହି ପାରିବ। ତେବେ, ସେ ଯାହା ହେଉ ନିର୍ମଳା ସୀତାରମଣଙ୍କ ମନ୍ତବ୍ୟ ପରିପ୍ରେକ୍ଷୀରେ ଭାରତୀୟ ନିର୍ବାଚନରେ ଅର୍ଥର ଶକ୍ତି ଓ ପ୍ରଭାବ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ୨୦୧୯ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବ୍ୟୟର ପରିମାଣ ଥିଲା ୬୦,୦୦୦ କୋଟି ଟଙ୍କା, ଯାହା ଥିଲା ୨୦୧୪ ମସିହାରେ ହୋଇଥିବା ବ୍ୟୟର ପ୍ରାୟ ଦୁଇ ଗୁଣ ଏବଂ ୨୦୧୪ ମସିହାରେ ହୋଇଥିବା ବ୍ୟୟ ଥିଲା ପୂର୍ବବର୍ତ୍ତୀ ଅର୍ଥାତ୍‌ ୨୦୦୯ ମସିହାରେ ହୋଇଥିବା ନିର୍ବାଚନୀ ଖର୍ଚ୍ଚର ପ୍ରାୟ ଦେଢ଼ ଗୁଣ। ସୁତରାଂ, ଏକ ବିଶେଷଜ୍ଞ ଆକଳନ ଅନୁସାରେ ଆସନ୍ତା ସାଧାରଣ ନିର୍ବାଚନରେ ବ୍ୟୟର ପରିମାଣ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି। ତେବେ, କେଉଁ କେଉଁ ଦିଗରେ ଏହି ବିପୁଳ ପରିମାଣର ଅର୍ଥ ବ୍ୟୟ ହୋଇଥାଏ, ସେ ନେଇ ଏକ ଧାରଣା ମିଳି ପାରିବ ‘ସେଣ୍ଟର ଫର ମିଡିଆ ଷ୍ଟଡିଜ୍‌’ ବା ‘ସି.ଏମ୍‌.ଏସ୍‌.’ ଦ୍ବାରା ପ୍ରସ୍ତୁତ ୨୦୧୯ ସାଧାରଣ ନିର୍ବାଚନର ବ୍ୟୟ ହିସାବରୁ; ଯେମିତି କି ୧୨ ହଜାର କୋଟି ଟଙ୍କା ଲାଗିଥିଲା ନିର୍ବାଚନ କମିସନଙ୍କ ଦ୍ବାରା ନିର୍ବାଚନ ପରିଚାଳନାରେ, ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ବ୍ୟୟ କରାଯାଇଥିଲା ୨୫ ହଜାର କୋଟି ଟଙ୍କା, ଯାହା ଲାଗିଥିଲା ସାମାଜିକ ଗଣମାଧ୍ୟମ ପରିଚାଳନା ଓ ନିର୍ବାଚନ ପ୍ରଚାର କାଳୀନ ରୢାଲି, ସଭା ଏବଂ ପ୍ରାର୍ଥୀମାନଙ୍କ ଗସ୍ତ ଭଳି କାର୍ଯ୍ୟରେ, ୬ ହଜାର କୋଟି ଟଙ୍କା ନିୟୋଜିତ ହୋଇଥିଲା ବିଭିନ୍ନ ଛୋଟମୋଟ ଆବଶ୍ୟକତା ପୂରଣରେ ଏବଂ ସର୍ବାଧିକ ୧୭ ହଜାର କୋଟି ଟଙ୍କା ବ୍ୟୟ କରାଯାଇଥିଲା ଭୋଟରଙ୍କୁ ପ୍ରଭାବିତ କରିବା ଲକ୍ଷ୍ୟରେ। ଏହି ହିସାବ ଅନୁସାରେ ଦଳୀୟ ବ୍ୟୟ ୨୫ ହଜାର କୋଟି ଟଙ୍କାରୁ ବିଜେପିର ଅଂଶ ଥିଲା ସର୍ବାଧିକ ୪୫ ପ୍ରତିଶତ ଏବଂ କଂଗ୍ରେସର ଭାଗ ଥିଲା ୩୦ ପ୍ରତିଶତ। ପ୍ରକାଶ ଥାଉ କି ୨୦୧୯ ନିର୍ବାଚନରେ ଭୋଟରମାନଙ୍କୁ ପ୍ରଭାବିତ କରିବା ଲାଗି ୮୪୪ କୋଟି ଟଙ୍କାର ନଗଦ, ୩୦୪ କୋଟି ଟଙ୍କାର ମଦ୍ୟ, ୧୨୮୦ କୋଟି ଟଙ୍କାର ଅନ୍ୟ ନିଶା ଦ୍ରବ୍ୟ ଏବଂ ୯୯୦ କୋଟି ଟଙ୍କାର ସୁବର୍ଣ୍ଣ ଅଳଙ୍କାର ବଣ୍ଟନ କରାଯାଇଥିଲା। ତେବେ, ଏକ କ୍ରୂର ବାସ୍ତବତା ହେଲା ବ୍ୟକ୍ତିଗତ ବ୍ୟୟ ନେଇ ନିର୍ଦ୍ଧାରିତ ସୀମା ଠାରୁ ପ୍ରାର୍ଥୀମାନେ ଅନେକ ଗୁଣ ଅଧିକ ଖର୍ଚ୍ଚ କରୁଥିଲେ ହେଁ ତାହାକୁ ଦଳର ବ୍ୟୟ ଭାବେ ଦର୍ଶାଇବାର ଗଳା ବାଟ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲା। ଚଳିତ ବର୍ଷ ମଧ୍ୟ ଏହାର ପୁନରାବୃତ୍ତି ଘଟିବ।
ଏଠାରେ ପ୍ରଣିଧାନଯୋଗ୍ୟ ଯେ ନିର୍ବାଚନରେ ହେଉଥିବା ଅର୍ଥ ବ୍ୟୟ ଉପରେ ସତର୍କ ଦୃଷ୍ଟି ରଖିବା ସକାଶେ ଅର୍ଥ ବିଭାଗର ପଦସ୍ଥ ପଦାଧିକାରୀମାନେ ‘ଅବଜର୍ଭର’ ବା ‘ନିରୀକ୍ଷକ’ ରୂପେ ନିଯୁକ୍ତ ହୁଅନ୍ତି; ଯେଉଁମାନଙ୍କ ସମ୍ମୁଖରେ ଅର୍ଥ ଅପବ୍ୟବହାରର ଉଲଙ୍ଗ ନୃତ୍ୟ ଖୋଲାଖୋଲି ଚାଲିଥିଲେ ହେଁ କ୍ବଚିତ୍‌ ଏ ନେଇ ସେମାନଙ୍କ ପକ୍ଷରୁ ଆପତ୍ତି କରାଯାଇଥାଏ। ଏହାର କାରଣ ସମ୍ଭବତଃ ଏହା ଯେ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ବ୍ୟୟ ଓ ଦଳର ବ୍ୟୟ ଗୋଳିଆ-ମିଶା‌ ହୋଇ ଏଭଳି ସ୍ଥିତି ସୃଷ୍ଟି କରେ, ଯହିଁରେ କୌଣସି ଆପତ୍ତି ମୂଲ୍ୟହୀନ ହୋଇଯିବାର ଆଶଙ୍କା ରହିଛି। ସେହି ଦୃଷ୍ଟିରୁ ରାଷ୍ଟ୍ରୀୟ ଅର୍ଥ ବ୍ୟବସ୍ଥାର ସର୍ବୋଚ୍ଚ କର୍ତ୍ତ୍ରୀ କେନ୍ଦ୍ର ବିତ୍ତ ମନ୍ତ୍ରୀଙ୍କ ଠାରୁ ଉପରୋକ୍ତ ମନ୍ତବ୍ୟ ପ୍ରମାଣ କରିଛି ଯେ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ବ୍ୟୟ ସୀମାକୁ ନେଇ ନିର୍ବାଚନ କମିସନଙ୍କ କଟକଣା ବସ୍ତୁତଃ ନିରର୍ଥକ ସାବ୍ୟସ୍ତ ହୋଇଛି ଏବଂ ବ୍ୟକ୍ତିତ୍ବ ନୁହେଁ, ବରଂ ବିତ୍ତ ବ୍ୟୟ କରିବାର କ୍ଷମତା ହିଁ ପ୍ରାର୍ଥିତ୍ବ ସକାଶେ ଯୋଗ୍ୟତାର ସର୍ବନିମ୍ନ ମାପଦଣ୍ଡରେ ପରିଣତ ହୋଇଛି। ତେବେ ଏଭଳି ‌େନୖରାଶ୍ୟଜନକ ସ୍ଥିତିରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡକ୍ଟର ରଘୁରାମ ରାଜନଙ୍କ ଏକ ଉକ୍ତି ସ୍ମରଣକୁ ଆସି କିଞ୍ଚିତ ସାନ୍ତ୍ବନା ପ୍ରଦାନ କରିଥାଏ ଯେ ଅନ୍ତତଃ ପ୍ରତି ପାଞ୍ଚ ବର୍ଷରେ ଥରେ ରାଜନେତାମାନଙ୍କ ନିକଟରେ ଗୋପନରେ ଠୁଳୀଭୂତ କଳା ଟଙ୍କାର ଏକ ଅଂଶ ସଂଚାଳିତ ହୋଇ ସାମୟିକ ଭାବେ ହେଉ ପଛକେ ଦେଶର ଅର୍ଥନୀତିକୁ ଚଳଚଞ୍ଚଳ କରେ; ସାଧାରଣ ଭୋଟର ଅର୍ଥ ବା ଦ୍ରବ୍ୟ ଦ୍ବାରା କିଞ୍ଚିତ ଲାଭବାନ ହୁଅନ୍ତି ମଧ୍ୟ! କିନ୍ତୁ ବିଡ଼ମ୍ବନା ହେଲା, ଏହି ସାମାନ୍ୟ ଲାଭ ବଦଳରେ ଭୋଟରମାନେ ଅନେକ ସନ୍ଦିଗ୍‌ଧ ଚରିତ୍ରର ପ୍ରାର୍ଥୀଙ୍କୁ ସଂସଦ ବା ବିଧାନସଭାକୁ ଆଣି ନିଜର ତଥା ରାଷ୍ଟ୍ରର ଭବିଷ୍ୟତ୍‌କୁ ଜଳାଞ୍ଜଳି ଦିଅନ୍ତି।
ପ୍ରକାଶ ଥାଉ କି ଚଳିତ ବର୍ଷର ନିର୍ବାଚନର ସୁପରିଚାଳନା ଲାଗି ନିର୍ବାଚନ କମିସନଙ୍କ ଅଧୀନରେ ୧୫ ନିୟୁତ କର୍ମଚାରୀ ନିଯୁକ୍ତ ହେବେ, ଯେଉଁମାନେ ପ୍ରତି ଭୋଟରଙ୍କ ବାସଗୃହ ଠାରୁ ଦୁଇ କିଲୋମିଟର ଦୂରତା ମଧ୍ୟରେ ନିର୍ବାଚନୀ ବୁଥ୍‌ଟିଏ ସମ୍ଭବ କରାଇବେ। ସେମାନଙ୍କ ମଧ୍ୟରୁ ଗୋଟିଏ ଦଳ ଚବିଶଘଣ୍ଟିଆ ଯାତ୍ରା କ୍ରମରେ ଆଣ୍ଡାମାନ କୂଳରୁ ପ୍ରଥମେ ଜାହାଜରେ ବାହାରି ତା’ ପରେ ସ୍ପିଡ୍‌ ବୋଟ୍‌, ତା’ ପରେ ହୁଲି ଡଙ୍ଗା ଏବଂ ଶେଷରେ ସ୍ଥାନୀୟ ଆଦିବାସୀ ବ୍ୟବହାର କରୁଥିବା ଛୋଟ ଚାପ ସାହାଯ୍ୟରେ ‘ପିଲୋପାଟିଆ’ ଦ୍ବୀପରେ ପହଞ୍ଚିବେ ଏବଂ ସେଠାରୁ କୁମ୍ଭୀର ଭରା ସନ୍ତସନ୍ତିଆ ହେନ୍ତାଳ ବନ ଅତିକ୍ରମ କରି ବୁଥ୍‌ଟିଏ ସ୍ଥାପନ କରିବେ, ଯେଉଁଠି ଭୋଟ ଦାନ କରିବେ ମାତ୍ର ନଅ ଜଣ ସାବାଳକ। ଗଲା ୨୦୧୯ ନିର୍ବାଚନରେ ଏକ କର୍ମଚାରୀ ଦଳ ଚାରି ଦିନର ଅତ୍ୟନ୍ତ କ୍ଳେଶପ୍ରଦ ଯାତ୍ରାରେ ୪୮୪ କିଲୋମିଟର ଦୂରତା ଅତିକ୍ରମ କରି ଅରୁଣାଚଳ ପ୍ରଦେଶର ଯେଉଁ ନିଭୃତତମ କୋଣରେ ସ୍ଥିତ ମାଲୋଙ୍ଗ ଗ୍ରାମରେ ବୁଥ୍‌ଟିଏ ସ୍ଥାପନ କରିଥିଲେ, ସେଠି ଭୋଟ ଦେବାକୁ ପ୍ରତୀକ୍ଷା କରି ରହିଥିଲେ ମାତ୍ର ଜଣେ ମହିଳା ଭୋଟର। ଅନେକ ମଧ୍ୟରୁ ଏହା କେବଳ ଦୁଇଟି ମାତ୍ର ଦୃଷ୍ଟାନ୍ତ। ଏହା ହେଉଛି ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ଯାହାକୁ ନିର୍ବାଚନ କମିସନଙ୍କ ଅପାର ଦକ୍ଷତା ଉଦାହରଣୀୟ କରି ତୋଳିଛି। ଏହି ମର୍ମରେ ନିର୍ବାଚନ କମିସନଙ୍କ ଦ୍ବାରା ହେଉଥିବା ଅର୍ଥ ବ୍ୟୟ ବିଶେଷ ରୂପେ ‘ଅର୍ଥାୟିତ’ ହୋଇଥାଏ, କିନ୍ତୁ ଅପର ପକ୍ଷରେ, ଏହାର ଧାରେ ଧାରେ ଭାରତୀୟ ଗଣତନ୍ତ୍ରକୁ ପଣବନ୍ଦୀ ରଖି ପ୍ରାର୍ଥୀ ଓ ଦଳମାନ ବିବେକହୀନ ଭାବେ ଯେଉଁଭଳି ଅର୍ଥର ସ୍ରୋତ ଛୁଟାନ୍ତି, ତାହା ଅଗତ୍ୟା ଅନର୍ଥ ସୃଷ୍ଟି ଲାଗି ମାର୍ଗ ଫିଟାଇ ଚାଲିଥାଏ।