ତୈଳ ଉତ୍ପାଦନକାରୀ ଦେଶମାନଙ୍କର ଆନ୍ତର୍ଜାତିକ ସଂଗଠନ ‘ଓପେକ୍’ର ସଦସ୍ୟ ହୋଇଥିଲେ ହେ‌ଁ ଇରାନ୍ ଦୀର୍ଘକାଳ ଧରି ଆନ୍ତର୍ଜାତିକ ଅର୍ଥନୈତିକ ବାସନ୍ଦର ସମ୍ମୁଖୀନ ହୋଇ ଆସିଥିବାରୁ ଏହାର ଉତ୍ପାଦିତ ତୈଳକୁ ମୁଖ୍ୟତଃ କେବଳ ‌ଚୀନ୍‌କୁ ହିଁ ରପ୍ତାନି କରିଥାଏ। ଯୁଦ୍ଧ ଯୋଗୁଁ ଯଦି ଚୀନ୍‌କୁ ଇରାନ୍‌ର ତୈଳ ଯୋଗାଣ ବନ୍ଦ ହୋଇଯାଏ, ତେବେ ନିଜର ବିଶାଳ ତୈଳକ୍ଷୁଧା ମେଣ୍ଟାଇବା ନିମିତ୍ତ ଚୀନ୍ ବିକଳ୍ପ ସୂତ୍ରରୁ ତାହା କ୍ରୟ କରିବା ପାଇଁ ଅନ୍ୟ ଦେଶମାନଙ୍କ ସହିତ ପ୍ରତିଯୋଗିତା କରିବ, ଯାହା ନିଶ୍ଚିତ ରୂପେ ଆନ୍ତର୍ଜାତିକ ତୈଳ ଦରରେ ତୀକ୍ଷ୍‌ଣ ବୃଦ୍ଧି ଘଟାଇବ।

Advertisment

ଗତ ଅକ୍‌ଟୋବର ୭ ରାତିରେ ଇସ୍ରାଏଲ୍‌ର ବେସାମରିକ ଜନବସତିରେ ପ୍ରବେଶ କରି ‘ହମାସ୍’ ଯେଉଁ ବର୍ବର ଆକ୍ରମଣ ଘଟାଇଥିଲା, ତାହାର ପରବର୍ତ୍ତୀ କ୍ରିୟା-ପ୍ରତିକ୍ରିୟା ସମଗ୍ର ପଶ୍ଚିମ ଏସୀୟ ଅଞ୍ଚଳକୁ ଅନତିବିଳମ୍ବେ ଏକ ଯୁଦ୍ଧ ବିଭୀଷିକାରେ ଆଚ୍ଛାଦିତ କରିଦେବ ବୋଲି ସେବେଠାରୁ ଆଶଙ୍କା କରାହୋଇ ଆସୁଥିଲା। ‘ହମାସ୍’ ହେଉଛି ଇସଲାମୀୟ ରାଷ୍ଟ୍ର ଇରାନ୍ ଦ୍ବାରା ପ୍ରତିପାଳିତ ବିଭିନ୍ନ ଚରମପନ୍ଥୀ ଇସଲାମୀୟ ସଂଗଠନମାନଙ୍କ ମଧ୍ୟରୁ ଗୋଟିଏ (ଅନ୍ୟଗୁଡ଼ିକ ହେଉଛନ୍ତି ‘ହେଜ୍‌ବୋଲ୍ଲା’, ‘ହୁଥି’ ଆଦି), ଯେଉଁମାନଙ୍କୁ ବ୍ୟବହାର କରି ଇରାନ୍ ଏ ପର୍ଯ୍ୟନ୍ତ ଇସ୍ରାଏଲ୍ ବିରୋଧରେ ଛାୟା ଯୁଦ୍ଧ ଚଳାଇ ଆସିଥିଲା। କିନ୍ତୁ ଏପ୍ରିଲ୍ ପହିଲା ଦିନ ଇସ୍ରାଏଲୀ ଆକ୍ରମଣରେ ସିରିଆର ଦାମାସ୍କସ୍ ଠାରେ କେତେକ ଇରାନୀ ଉଚ୍ଚ ସେନାଧିକାରୀଙ୍କ ମୃତ୍ୟୁ ଘଟିବା ପରେ ଇରାନ୍ ପୂର୍ବର ସେଇ ଛାୟା ଯୁଦ୍ଧ ପରିତ୍ୟାଗ କରି ଏପ୍ରିଲ୍ ୧୩ ତାରିଖ ରାତିରେ ସିଧାସଳଖ ଇସ୍ରାଏଲ୍ ଉପରେ ଯେଉଁ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ବର୍ଷା କରିଛି, ତାହା ପୂର୍ବରୁ ଆଶଙ୍କା କରାଯାଉଥିବା ଏକ ଆଞ୍ଚଳିକ ଯୁଦ୍ଧ ବିଭୀଷିକାର ଆରମ୍ଭ ବୋଲି ବିଶ୍ବାସ କରି ସାରା ପୃଥିବୀ ନିଃଶ୍ବାସ ବନ୍ଦ କରି ଇସ୍ରାଏଲ୍‌ର ପ୍ରତିଆକ୍ରମଣକୁ ଅପେକ୍ଷା କରିଛି।
ଏହା ସତ ଯେ ଇସ୍ରାଏଲ୍ ଦିଗରେ ଇରାନ୍ ‌ପ୍ରକ୍ଷେପଣ କରିଥିବା ପ୍ରାୟ ୩୬୦ଟି କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ମାନଙ୍କ ମଧ୍ୟରୁ ପ୍ରାୟ ୯୯ ଶତାଂଶ ଇସ୍ରାଏଲ୍ ଓ ଆମେରିକାର ମିଳିତ ପ୍ରତିଆକ୍ରମଣରେ ଧ୍ବଂସ ପାଇଯାଇଥିଲେ ଓ କେବଳ ଏକ ଇରାନୀ କ୍ଷେପଣାସ୍ତ୍ରର ଭଗ୍ନାଂଶର ଆଘାତ ଯୋଗୁଁ ଜଣେ ସାତ ବର୍ଷ ବୟସର ବେଦୁଇନ୍ ବାଳିକା ଆହତ ହେବା ବ୍ୟତୀତ ଇରାନ୍‌ର ଅଭୂତପୂର୍ବ ଆକ୍ରମଣ ଦ୍ବାରା ଇସ୍ରାଏଲ୍ ଭିତରେ ଅନ୍ୟ କୌଣସି ଗୁରୁତର କ୍ଷୟକ୍ଷତି ଘଟି ନ ଥିଲା। କିନ୍ତୁ ଯଦି ଇରାନ୍‌ର କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ମାନ ବିନା ବାଧାରେ ଇସ୍ରାଏଲ୍ ଭିତରେ ସେମାନଙ୍କର ଲକ୍ଷ୍ୟ ଭେଦ କରିଥାନ୍ତେ, ତେବେ ତାହା ସେ ଦେଶରେ କିଭଳି ଭୟଙ୍କର ଓ ବ୍ୟାପକ ଧନଜୀବନ ଧ୍ବଂସ ଘଟାଇଥାନ୍ତା, ତାହା ସହଜେ ଅନୁମେୟ। ହମାସ୍‌ର ଆକ୍ରମଣ ଯେପରି ଇସ୍ରାଏଲ୍‌କୁ ଗାଜାରେ ଏକ ଶକ୍ତିଶାଳୀ ପ୍ରତିଆକ୍ରମଣ କରିବାକୁ ପ୍ରବୃତ୍ତ କରିଛି, ଇରାନୀ ଆକ୍ରମଣର ଏହି ସମ୍ଭାବ୍ୟ ଫଳାଫଳର ଲୋମହର୍ଷଣକାରୀ ମାନସିକ ଆଘାତ ଇସ୍ରାଏଲ୍‌କୁ ସେହିପରି ସିଧାସଳଖ ଇରାନ୍ ଉପରେ ପ୍ରତିଆକ୍ରମଣ ଚଳାଇବାକୁ ପ୍ରବୃତ୍ତ କରିପାରେ।
ଏହା ଲେଖାହେବା ବେଳେ ଇସ୍ରାଏଲ୍‌ରେ ସର୍ବୋଚ୍ଚ ସାମରିକ ନୀତିନିର୍ଦ୍ଧାରଣ ସ୍ତରରେ ଏ ନେଇ ବୈଠକ ଚାଲିଛି। ଯଦି ଇରାନ୍ ଉପରେ ସିଧାସଳଖ ପ୍ରତିଆକ୍ରମଣ କରିବା ପାଇଁ ଇସ୍ରାଏଲ୍ ନିଷ୍ପତ୍ତି ନିଏ, ତେବେ ଏହା ନିଶ୍ଚିତ ଯେ ଉଭୟଙ୍କ ମଧ୍ୟରେ ଏକ ବାୟବୀୟ ସମର ହିଁ ଅନୁଷ୍ଠିତ ହେବ, ସ୍ଥଳ ଯୁଦ୍ଧ ନୁହେଁ। ଏହାର ସରଳ କାରଣ ହେଲା, ଏ ଦୁଇ ଦେଶ ପରସ୍ପରର ପ୍ରତ୍ୟକ୍ଷ ପଡ଼ୋଶୀ ନୁହନ୍ତି ଓ ଦୀର୍ଘ ୧୭୦୦ କି.ମି. ଦୂରତା ଏମାନଙ୍କୁ ପରସ୍ପର ଠାରୁ ବିଚ୍ଛିନ୍ନ କରିଥାଏ। ଏଭଳି ଏକ ପରିସ୍ଥିତି ଉପୁଜିଲେ ଏକ ଅଧିକ ଶକ୍ତିଶାଳୀ ବିମାନ ବାହିନୀ ଇସ୍ରାଏଲ୍ ପାଇଁ ସହାୟକ ହୋଇଥିବା ବେଳେ ଇରାନ୍ ପାଖରେ ଥିବା ଲକ୍ଷ ଲକ୍ଷ ବିଭିନ୍ନ କିସମର କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ମାନ ତାକୁ ବଳିୟାନ୍ କରିପାରନ୍ତି। କିନ୍ତୁ ଉଭୟ ପକ୍ଷର ମିତ୍ର ଦେଶମାନେ ଯଦି ଏହି ଯୁଦ୍ଧ ଭିତରକୁ ଟାଣି ହୋଇ ଆସନ୍ତି ତେବେ ଏ ଯୁଦ୍ଧ କେବଳ ଆକାଶରେ ସୀମିତ ନ ରହି, ସ୍ଥଳ ଓ ଜଳ ଭାଗକୁ ମଧ୍ୟ ବ୍ୟାପିଯିବାର ସମ୍ଭାବନା ଥିବାବେଳେ, ଅବଶେଷରେ ଏହା ଯେ ତୃତୀୟ ବିଶ୍ବଯୁଦ୍ଧର ରୂପ ପରିଗ୍ରହଣ ନ କରିବ, ତାହା କିଏ କହିବ? ଅ‌ାମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ତେଣୁ ଇସ୍ରାଏଲ୍‌କୁ ପ୍ରତିହିଂସା ପରାୟଣ ନ ହେବା ପାଇଁ ଚାପ ପ୍ରୟୋଗ କରିବାରେ ଲାଗିଛନ୍ତି।
କିନ୍ତୁ ନିଜ ଦେଶ ଭିତରେ ସୃଷ୍ଟି ହୋଇଥିବା ତୀବ୍ର ଇରାନ୍-ବିରୋଧୀ ଜନମତକୁ ସନ୍ତୁଷ୍ଟ କରିବା ପାଇଁ ଇସ୍ରାଏଲ୍‌କୁ ଯେ କିଛି ହେଲେ ସାମରିକ କାର୍ଯ୍ୟାନୁଷ୍ଠାନ କରିବାକୁ ହେବ, ତାହାର ଏକ ଦୃଢ଼ ସମ୍ଭାବନା ଦେଖାଯାଉଛି। ଯଦି ତାହା ଘଟେ, ତେବେ ତାହାର ପରିଣାମ ଆଉ ଯାହା ହେଉ ବା ନ ହେଉନା କାହିଁକି, ତାହା ଯେ ତୈଳ ଦରରେ ଆକାଶଛୁଆଁ ବୃଦ୍ଧି ଘଟାଇ କୋଭିଡ୍ ପାଣ୍ଡେମିକ୍ ଓ ୟୁକ୍ରେନ୍ ଯୁଦ୍ଧଜନିତ ଅବପାତରୁ ମୁକୁଳିବାକୁ ସଂଘର୍ଷ କରୁଥିବା ବିଶ୍ବ ଅର୍ଥନୀତି ପାଇଁ ଏକ ନୂତନ ଅସହ୍ୟ ବୋଝ ସୃଷ୍ଟି କରିବ, ସେଥିରେ କୌଣସି ସନ୍ଦେହ ନାହିଁ। ଇରାନ୍‌ର ଦକ୍ଷିଣ ସୀମାନ୍ତରେ ଥିବା ସଂକୀର୍ଣ୍ଣ ହୋର୍ମୁଜ୍ ପ୍ରଣାଳୀ ଦେଇ ପ୍ରତିଦିନ ପୃଥିବୀର ମୋଟ ତୈଳ ବାଣିଜ୍ୟର ଏକ-ଚତୁର୍ଥାଂଶରୁ ଅଧିକ ବହନ କରୁଥିବା ଜାହାଜମାନ ଯାତାୟାତ କରିଥାନ୍ତି। ଯଦି ବର୍ତ୍ତମାନ ଯୁଦ୍ଧର ଅବସାନ ଘଟିବା ପରିବର୍ତ୍ତେ ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣର ତୀବ୍ରତାରେ ବୃଦ୍ଧି ଘଟିଚାଲେ ତେବେ ଇରାନ୍ ତା’ ପାଖରେ ମହଜୁଦ ଥିବା କ୍ଷେପଣାସ୍ତ୍ର, ଡ୍ରୋନ୍ ଓ ବୁଡ଼ାଜାହାଜମାନ ବ୍ୟବହାର କରି ସେଇ ସଂକୀର୍ଣ୍ଣ ଜଳପଥ ଦେଇ ଯିବାଅାସିବା କରୁଥିବା ତୈଳବାହୀ ଜାହାଜମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇପାରେ। ଯୁଦ୍ଧ ପରିସ୍ଥିତିରେ ଅବନତି ଯଦି ଅଣାୟତ୍ତ ହୁଏ, ତେବେ ଏକ ଚରମ ପଦକ୍ଷେପ ସ୍ବରୂପ ଇରାନ୍ ହୋର୍ମୁଜ୍ ପ୍ରଣାଳୀକୁ ସଂପୂର୍ଣ୍ଣ ଅବରୋଧ ମଧ୍ୟ କରିଦେଇପାରେ। କହିବା ବାହୁଲ୍ୟ, ଉପସାଗରୀୟ ତୈଳସ୍ରୋତର ଏପରି ଅବରୋ‌ଧ ବିଶ୍ବ ତୈଳ ଯୋଗାଣରେ ଯେଉଁ ତୀବ୍ର ସଂକୋଚନ ଘଟାଇବ, ତାହା ଅନିବାର୍ଯ୍ୟ ଭାବରେ ତୈଳ ଦରରେ ଅଗ୍ନି ସଂଯୋଗ କରି ବ୍ୟାରେଲ୍ ପିଛା ବର୍ତ୍ତମାନର ଦର ପ୍ରାୟ ୯୦ ଡଲାର୍‌କୁ ନେଇ ୨୫୦ ଡଲାର୍‌ରେ ପହଞ୍ଚାଇବ ବୋଲି ତୈଳ ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଏହା ଅଧିକାଂଶ ଦେଶର ଅର୍ଥନୀତିକୁ କିଭଳି ବିପର୍ଯ୍ୟସ୍ତ କରିବ, ତାହା ସହଜେ ଅନୁମେୟ।
ଖୋଦ୍ ଇରାନ୍ ମଧ୍ୟ ହେଉଛି ଏକ ବୃହତ୍ ତୈଳ ଉତ୍ପାଦନକାରୀ ଦେଶ। ଏହି ଦେଶ ଦୈନିକ ପ୍ରାୟ ୧.୫ ନିୟୁତ ବ୍ୟାରେଲ୍ ଅଶୋଧିତ ତୈଳ ରପ୍ତାନି କରିଥାଏ, ଯାହା ହେଉଛି ବିଶ୍ବ ତୈଳ ଯୋଗାଣର ପ୍ରାୟ ୧.୫ ଶତାଂଶ। ଏ କ୍ଷେତ୍ର ଉପରେ ତୀକ୍ଷ୍‌ଣ ନଜର ରଖିଥିବା ସଂସ୍ଥା ‘ଇଣ୍ଟର୍‌ନେସନାଲ୍ ଏନର୍ଜି ଏଜେନ୍‌ସି’ (‘ଆଇଇଏ’) ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ଗତ ମାସରେ ଇରାନ୍‌ର ଦୈନିକ ତୈଳ ଉତ୍ପାଦନ ପରିମାଣ ଥିଲା ୩.୨୫ ନିୟୁତ ବ୍ୟାରେଲ୍। ତୈଳ ଉତ୍ପାଦନକାରୀ ଦେଶମାନଙ୍କର ଆନ୍ତର୍ଜାତିକ ସଂଗଠନ ‘ଓପେକ୍’ର ସଦସ୍ୟ ହୋଇଥିଲେ ହେ‌ଁ ଇରାନ୍ ଦୀର୍ଘକାଳ ଧରି ଆନ୍ତର୍ଜାତିକ ଅର୍ଥନୈତିକ ବାସନ୍ଦର ସମ୍ମୁଖୀନ ହୋଇ ଆସିଥିବାରୁ ଏହାର ଉତ୍ପାଦିତ ତୈଳକୁ ମୁଖ୍ୟତଃ କେବଳ ‌ଚୀନ୍‌କୁ ହିଁ ରପ୍ତାନି କରିଥାଏ। ଯୁଦ୍ଧ ଯୋଗୁଁ ଯଦି ଚୀନ୍‌କୁ ଇରାନ୍‌ର ତୈଳ ଯୋଗାଣ ବନ୍ଦ ହୋଇଯାଏ, ତେବେ ନିଜର ବିଶାଳ ତୈଳକ୍ଷୁଧା ମେଣ୍ଟାଇବା ନିମିତ୍ତ ଚୀନ୍ ବିକଳ୍ପ ସୂତ୍ରରୁ ତାହା କ୍ରୟ କରିବା ପାଇଁ ଅନ୍ୟ ଦେଶମାନଙ୍କ ସହିତ ପ୍ରତିଯୋଗିତା କରିବ, ଯାହା ନିଶ୍ଚିତ ରୂପେ ଆନ୍ତର୍ଜାତିକ ତୈଳ ଦରରେ ତୀକ୍ଷ୍‌ଣ ବୃଦ୍ଧି ଘଟାଇବ।
ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ଇସ୍ରାଏଲ୍‌କୁ ଇରାନ୍ ବିରୋଧରେ ଏକ ଶକ୍ତିଶାଳୀ ପ୍ରତିଆକ୍ରମଣ ଚଳାଇବାରୁ ନିବୃତ୍ତ କରିବା ପାଇଁ ଯେଉଁ ଚାପ ପକାଉଛନ୍ତି, ତାହାର ଅନ୍ୟତମ କାରଣ ହେଉଛି ବିଶ୍ବ ଅର୍ଥନୀତି ପ୍ରତି ତାହା ବହନ କରୁଥିବା ଏହି ସମ୍ଭାବ୍ୟ ବିପଦ। ଅଷ୍ଟାଦଶ-ଊନବିଂଶ ଶତାବ୍ଦୀର ପ୍ରଖ୍ୟାତ ପ୍ରୁସୀୟ ସେନାପତି ତଥା ସମର ବିଶାରଦ କାର୍ଲ ଭନ୍ କ୍ଲଜ୍‌ୱିଟ୍‌ସ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଅନ୍‌ ୱାର’ରେ ଯୁଦ୍ଧ ସମ୍ବନ୍ଧରେ ପ୍ରଦାନ କରିଥିବା ଏକ ବହୁଳ ଉଦ୍ଧୃତ ଉକ୍ତି ହେଉଛି: ‘ୱାର୍‌ ଇଜ୍ ପଲିଟିକ୍‌ସ ବାଏ ଅଦର୍ ମିନ୍‌ସ।’ (‘ଯୁଦ୍ଧ ହେଉଛି ରାଜନୀତିର ଅନ୍ୟ ଏକ ଉପାୟ।’)। ଉପର ବର୍ଣ୍ଣିତ ଦୃଶ୍ୟପଟ ପରିପ୍ରେକ୍ଷୀରେ ସେଥିରେ ଯୋଗ କରାଯାଇପାରେ: ‘ୱାର୍ ଇଜ୍ ଇକନୋମିକ୍‌ସ ବାଏ ଅଦର୍ ମିନ୍‌ସ।’ (‘ଯୁଦ୍ଧ ହେଉଛି ଅର୍ଥନୀତିର ଅନ୍ୟ ଏକ ଉପାୟ।’)।