ନିର୍ବାଚନ ବଜାର

ଏହି ନିର୍ବାଚନ ୭ଟି ପର୍ଯ୍ୟାୟରେ ୪୪ ଦିନ ଧରି ଚାଲୁ ରହି ଭାରତର ଇତିହାସରେ ଦ୍ବିତୀୟ ଦୀର୍ଘତମ ନିର୍ବାଚନ ପ୍ରକ୍ରିୟାର ରେକର୍ଡ ସ୍ଥାପନ କରିବ। ଗ୍ରୀଷ୍ମର ପ୍ରଚଣ୍ଡ ଉତ୍ତାପରେ ଗଣତନ୍ତ୍ରର ଏହି ନୃତ୍ୟ ଯେମିତି ସମସ୍ତଙ୍କୁ ବିମୋହିତ କରିବା ସହିତ ଗଣତନ୍ତ୍ରର ଗରିମା କାଳ ବକ୍ଷରେ ‘ସିଲଭର ନାଇଟ୍ରେଟ୍‌’ କାଳିରେ ଲେଖା ହେଲା ଭଳି ଅଲିଭା ହୋଇ ରହିବ ଏହା ଆମେ ସମସ୍ତେ ଆଶା କରିବା ଉଚିତ।

ପ୍ରଚଣ୍ଡ ରୌଦ୍ର ତାପ ମଧ୍ୟରେ ଗଲା କାଲିଠାରୁ ଆମ ଦେଶର ସାଧାରଣ ନିର୍ବାଚନର ଶୁଭାରମ୍ଭ ହୋଇଯାଇଛି। ଭାରତରେ ଗଣତନ୍ତ୍ରର ସ୍ବାସ୍ଥ୍ୟ ବିପନ୍ନ ବୋଲି ଅନେକତ୍ର ଗୁଂଜରଣ, ଏପରିକି କୁହାଟ ମଧ୍ୟ, ଶ୍ରୁତିଗୋଚର ହେଉଥିଲେ ହେଁ ନିର୍ବାଚନ ସମୟ ଉପନୀତ ହେବା ସହିତ ପ୍ରାୟ ୩୦ କୋଟି ଭାରତୀୟ ପରିବାରରେ ସୃଷ୍ଟି ହେଉଥିବା ଉତ୍କଣ୍ଠା, ଉତ୍ସାହ, ଉଦ୍‌ବେଗ ଏବଂ ଉ‌େତ୍ତଜନାର ଉଚ୍ଚାଟ ଯେ ଉପର ବର୍ଣ୍ଣିତ ଆପତ୍ତି ବା ଆରୋପକୁ ନିଷ୍ପ୍ରଭ କରି ପକାଏ, ତାହା କହିବା ବାହୁଲ୍ୟ ମାତ୍ର। ସେହି ଦୃଷ୍ଟିରୁ ଭାରତୀୟ ଗଣତନ୍ତ୍ରକୁ ନେଇ ଅନେକ ସମୟରେ ସଂଶୟ ପ୍ରକଟ କରୁଥିବା ପାଶ୍ଚାତ୍ୟ ଗଣମାଧ୍ୟମଗୁଡ଼ିକ ମଧ୍ୟ ଏଠାକାର ନିର୍ବାଚନକୁ ‘ଗଣତନ୍ତ୍ରର ନୃତ୍ୟ’ ବା ‘ଗଣତନ୍ତ୍ରର ମହୋତ୍ସବ’ ବୋଲି ଅଭିହିତ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ନିର୍ବାଚନର ବୈଦ୍ୟୁତିକ ବାତାବରଣକୁ ପ୍ରତ୍ୟକ୍ଷ କରିବା ସକାଶେ ପାଶ୍ଚାତ୍ୟରେ ‘ନିର୍ବାଚନ ପର୍ଯ୍ୟଟନ’କୈନ୍ଦ୍ରିକ ଆଗ୍ରହ ଏବଂ ବ୍ୟବସାୟ ମଧ୍ୟ ମୁଣ୍ଡ ଟେକିଲାଣି। ଏହି ପରିପ୍ରେକ୍ଷୀରେ ଚଳିତ ନିର୍ବାଚନ କିଭଳି ଅତ୍ୟନ୍ତ ଅର୍ଥକରୀ ହେବା ସହିତ ବିପୁଳ ବ୍ୟାବସାୟିକ ଲାଭ ସୃ‌ଷ୍ଟି କରିବାକୁ ଯାଉଛି, ସେ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଆକଳନ ଅନୁସାରେ ଏହି ନିର୍ବାଚନରେ ବ୍ୟୟ ହେବ ପ୍ରାୟ ୧୨୦ ଲକ୍ଷ କୋଟି ଟଙ୍କା ଅର୍ଥାତ୍‌ ୪୦ ବିଲିଅନ ଡଲାର; ଫଳରେ ଏହା ହୋଇପାରେ ପୃଥିବୀର ସର୍ବାଧିକ ବ୍ୟୟବହୁଳ ନିର୍ବାଚନ ଏବଂ ସ୍ବାଭାବିକ ଭାବେ ଭାରତୀୟ ନିର୍ବାଚନୀ ଇତିହାସରେ ଏକ ନୂତନ ରେକର୍ଡ। ଏହି ପ୍ରକରଣର ବିଶାଳତା କେବଳ ଏଥିରୁ ହୃଦ୍‌ବୋଧ କରି ହେବ ଯେ ୩.୨ ନିୟୁତ ବର୍ଗ କିଲୋମିଟର ଆୟତନ ବିଶିଷ୍ଟ ଏହି ଭୂଖଣ୍ଡରେ ୯୬.୮ କୋଟି ଭୋଟର ମତଦାନ କରିବାକୁ ଯାଉଥିବା ବେଳେ ପ୍ରତ୍ୟେକ ଭୋଟରଙ୍କ ନିକଟରୁ ୨ କିଲୋମିଟର ଦୂରତାରେ ଯେମିତି ବୁଥ୍‌ଟିଏ ଉପଲବ୍‌ଧ ହୁଏ, ତାହା ନିଧାର୍ଯ୍ୟ କରାଯାଇଛି। ନିର୍ବାଚନ ଆୟୋଗଙ୍କ ଅଧୀନରେ ୧୫ ନିୟୁତ କର୍ମଚାରୀଙ୍କ ମାଧ୍ୟମରେ ୧ ନିୟୁତ ‘ପୋଲିଂ ବୁଥ୍‌’ ଭାରତର କୋଣ ଅନୁକୋଣରେ ସ୍ଥାପିତ ହେବ, ଯହିଁରେ, ୨୦୧୯ ମସିହା ଭଳି, ସମୁଦ୍ର ପତ୍ତନ ଠାରୁ ୫୨ ହଜାର ଫୁଟ ଉଚ୍ଚତାରେ ଅରୁଣାଚଳ ପ୍ରଦେଶର ମାଲୋଗମ ଗାଁରେ ଜଣେ ମାତ୍ର ମହିଳା ଭୋଟରଙ୍କ ସକାଶେ ବୁଥ୍‌ଟିଏ ସମ୍ଭବ କରାଯାଇପାରେ। ସୁତରାଂ, ସମୁଦାୟ ନିର୍ବାଚନୀ ବ୍ୟୟର ପ୍ରାୟ ଏକ-ପଞ୍ଚମାଂଶ ନିର୍ବାଚନ ଆୟୋଗ ଦ୍ବାରା ନିର୍ବାଚନ ସୁପରିଚାଳନା ଦିଗରେ ବ୍ୟୟ କରାଯିବ। ଅବଶିଷ୍ଟ ୮୦ ପ୍ରତିଶତ ଅର୍ଥ ବ୍ୟୟର ଉତ୍ସ ହେବେ ରାଜନୈତିକ ଦଳ ଏବଂ ପ୍ରାର୍ଥୀ, ଯେଉଁମାନେ ହିଁ ବାସ୍ତବରେ ନିର୍ବାଚନକୁ ବର୍ଣ୍ଣାଢ଼୍ୟ କରିବେ।
‘କ୍ଷୁଦ୍ର ହିଁ ସୁନ୍ଦର’ ବା ‘ସ୍ମଲ୍‌ ଇଜ୍‌ ବିଉଟିଫୁଲ’ ବିଚାରକୁ ଅନୁସରଣ କରି ବିଭିନ୍ନ ରାଜନୈତିକ ଦଳ ଯେଉଁ କ୍ଷୁଦ୍ର ଅଥଚ ଆଖିଦୃଶିଆ ଚିଜମାନରେ ସେମାନଙ୍କ ବଜେଟ୍‌ର ଏକ ବୃହଦାଂଶ ବିନିଯୋଗ କରିଥାଆନ୍ତି, ତାହା ହେଉଛି ଦଳୀୟ ରଙ୍ଗ ଏବଂ ଚିହ୍ନ ବହନ କରିଥିବା ବ୍ୟାଜ୍‌, ପତାକା ଏବଂ ଟୋପି ଭଳି ଦ୍ରବ୍ୟ, ଯେଉଁଗୁଡ଼ିକ ଆବେଦନ ଦୃଷ୍ଟିରୁ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରନ୍ତି। ଚଳିତ ବର୍ଷ ଏହି ସମ୍ଭାରରେ ଅନ୍ତର୍ଭୁକ୍ତ ହୋଇଛନ୍ତି ଘଡ଼ି, କଲମ, ଓଢ଼ଣି, ଟି-ସାର୍ଟ, ଲ‌େକଟ୍‌ ଇତ୍ୟାଦି ଭଳି ଅନେକ ଆକର୍ଷଣୀୟ ଦ୍ରବ୍ୟ, ଯେଉଁ ସବୁର ଅର୍ଡର ସୁରାଟ, ମଥୁରା ଏବଂ ହାଇଦ୍ରାବାଦ ଭଳି ତିନି ପ୍ରମୁଖ ଉତ୍ପାଦନ କେନ୍ଦ୍ରରେ ଥିବା କାରଖାନାଗୁଡ଼ିକୁ ଅହୋରାତ୍ର କାର୍ଯ୍ୟମୁଖର କରି ରଖିଲାଣି; ଗୋଟିଏ ଗୋଟିଏ କାରଖାନାରୁ ପ୍ରତ୍ୟହ ଏକ ନିୟୁତ ସଂଖ୍ୟାରେ ଏଭଳି ଚିଜମାନ ଉତ୍ପାଦିତ ହେବାରେ ଲାଗିଛନ୍ତି। ପ୍ରକାଶ ଥାଉ କି ଏଥର ରାଜନୈତିକ ଦଳଗୁଡ଼ିକ ଏହି ଦିଗରେ ପ୍ରାୟ ୫୦ ବିଲିଅନ ଟଙ୍କା ବା ୬୦୦ ନିୟୁତ ଡଲାର ବିନିଯୋଗ କରିବେ ବୋଲି ଆକଳନ କରାଯାଇଛି, ଯାହା ୨୦୧୯ ମସିହା ତୁଳନାରେ ୩୦ ପ୍ରତିଶତ ଅଧିକ ଏବଂ ଏହା ଦ୍ବାରା ପ୍ରାୟ ୧୦ ନିୟୁତ ନୂତନ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ।
ଏଥିରେ ଦ୍ବିରୁକ୍ତି ନାହିଁ ଯେ ୧୪୦ କୋଟି ଜନସଂଖ୍ୟା ଏବଂ ୩.୨ ନିୟୁତ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ରାଷ୍ଟ୍ର ଭାରତରେ ନିର୍ବାଚନ ପ୍ରଚାର କରିବା ଏକ ପ୍ରକାରର ସମୟ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରିବା ସହ ସମତୁଲ ଏବଂ ଏହି କାରଣରୁ ଅନେକ ସମୟ‌େର ସଡ଼କ ପଥ ତୁଳନାରେ ଆକାଶ ପଥର ଆଶ୍ରୟ ନେବା ଅନିବାର୍ଯ୍ୟ ହୋଇପଡ଼େ, ଫଳରେ ଭଡ଼ା ସୂତ୍ରରେ କାରବାର କରୁଥିବା ହେଲିକପ୍‌ଟର ଏବଂ କ୍ଷୁଦ୍ର ବିମାନମାନ ଦୁର୍ଲଭ ହୋଇ ଉଠନ୍ତି। ଏଭଳି ସ୍ଥଳେ ହେଲିକପ୍‌ଟରଗୁଡ଼ିକ ଘଣ୍ଟାକର ଉଡ଼ାଣ ସକାଶେ ୧.୫ ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ବେଳେ କ୍ଷୁଦ୍ର ବିମାନଗୁଡ଼ିକ ଘଣ୍ଟା ପ୍ରତି ୫ ଲକ୍ଷ ଟଙ୍କା ଆୟ କରନ୍ତି। ୨୦୧୯ ମସିହା ନିର୍ବାଚନରେ କଂଗ୍ରେସ ପକ୍ଷରୁ ସ୍ଥଳ ଏବଂ ଆକାଶ ପଥରେ ଗମନାଗମନ ଓ ପରିବହନ ଭଡ଼ା ସ୍ବରୂପ ବ୍ୟୟ କରାଯାଇଥିଲା ୧୨୬ କୋଟି ଟଙ୍କା ଏବଂ ବିଜେପି ବ୍ୟୟ କରିଥିଲା ୨୫୦ କୋଟି ଟଙ୍କା। ଚଳିତ ବର୍ଷ ଏହି ବ୍ୟୟରେ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ଘଟିବାର ଆକଳନ କରାଯାଇଥାଏ, ଯାହା ପରିବହନ ବ୍ୟବସାୟକୁ ଅଧିକ ଗତିଶୀଳ କରିବ। ସେହିଭଳି ସାଧାରଣ ଦିନମାନଙ୍କ ତୁଳନାରେ ନିର୍ବାଚନ ସମୟରେ ଫୁଲ ବ୍ୟବସାୟରେ ପ୍ରାୟ ୨୦ ପ୍ରତିଶତ ଏବଂ ବିରିୟାନୀ, ମୃଦୁ ପାନୀୟ, ଚା’ ଓ ସରବତ ତଥା ବିଭିନ୍ନ ଜଳଖିଆ ବ୍ୟବସାୟରେ ୩୦ରୁ ୪୦ ପ୍ରତିଶତ ବୃଦ୍ଧି ଘଟିଥାଏ। ଗଲା ନିର୍ବାଚନ କାଳରେ ଫୁଲର ପାଇକାରୀ ବା ‘ହୋଲସେଲ୍‌’ କାରବାରରେ ପ୍ରତ୍ୟହ ହାରାହାରି ୨.୫ କୋଟି ଟଙ୍କାର ବୃଦ୍ଧି ଦେଖିବାକୁ ମିଳିଥିଲା। ସାଧାରଣତଃ ଗାଡ଼ି ଓ ପେଣ୍ଡାଲ ସଜା ଠାରୁ ଆରମ୍ଭ କରି ମାଳ ତିଆରି ଲାଗି ଫୁଲ ଲୋଡ଼ାଯାଇଥାଏ ଏବଂ ସ୍ଥଳ ବିଶେଷର ମହଣେରୁ ଅଧିକ ଓଜନର ଗୋଟିଏ ଗୋଟିଏ ମାଳର ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ମଧ୍ୟ ହୋଇପାରେ। ସୁତରାଂ, ଏହି ନିର୍ବାଚନ ଭାରତୀୟ ବ୍ୟବସାୟକୁ କିଭଳି ପ୍ରାଣୋଚ୍ଛଳ କରିବ, ତାହା ଏଥିରୁ ବୁଝି ହୁଏ। ଏବେ ଆସିବା ସେହି ଘନ ବାଇଗଣୀ ରଙ୍ଗର ଅଲିଭା କାଳି ନିକଟକୁ ଯାହା ନିର୍ବାଚନ ପ୍ରକରଣରେ ସଚ୍ଚୋଟତା ଆଣିବା ଲାଗି ଭୋଟରମାନଙ୍କ ନଖ ମୂଳରେ ଟୋପାଏ ସନ୍ତକ ଭାବେ ସପ୍ତାହାଧିକ କାଳ ରହିଥାଏ। ପ୍ରକାଶ ଥାଉ କି ଭୋଟ ଦେଇଥିବାର ଚିହ୍ନ ସ୍ବରୂପ ଏହି କାଳିର ବ୍ୟବହାର ପ୍ରଥମେ ହୋଇଥିଲା ୧୯୬୨ ମସିହାରେ ଏବଂ ‘ସିଲଭର ନାଇଟ୍ରେଟ୍‌’ ନାମକ ଏହି ଦ୍ରବଣକୁ ପ୍ରସ୍ତୁତ କରିଥିଲେ ଭାରତର ‘କାଉନ୍‌ସିଲ ଅଫ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ’। ସେହି ଦିନଠାରୁ କର୍ଣ୍ଣାଟକସ୍ଥିତ ମହୀଶୂର ପେଣ୍ଟ୍‌ସ ଏଣ୍ଡ୍‌ କେମିକାଲ୍‌ସ ଲିମିଟେଡ୍‌’ ନାମକ ଏକ କ୍ଷୁଦ୍ର ଉଦ୍ୟୋଗ (୧୯୩୭ରେ ସ୍ଥାପିତ) ନିର୍ବାଚନ କାଳରେ ଏହାର ଏକମାତ୍ର ଯୋଗାଣକାରୀ ହୋଇ ରହି ଆସିଛି। ଚଳିତ ନିର୍ବାଚନ ଲାଗି ଏହି ଉଦ୍ୟୋଗ ଏ ଯାବତ୍‌ ୨୭ ଲକ୍ଷ କାଳି ବୋତାଲ ଯୋଗାଇ ସାରିଲାଣି ଏବଂ କଂପାନି ଏହି କ୍ରମରେ ୭ ନିୟୁତ ଡଲାର ମୂଲ୍ୟର ବ୍ୟବସାୟ କରିବ ବୋଲି ଆଶା।
ଏହି ନିର୍ବାଚନ ୭ଟି ପର୍ଯ୍ୟାୟରେ ୪୪ ଦିନ ଧରି ଚାଲୁ ରହି ଭାରତର ଇତିହାସରେ ଦ୍ବିତୀୟ ଦୀର୍ଘତମ ନିର୍ବାଚନ ପ୍ରକ୍ରିୟାର ରେକର୍ଡ ସ୍ଥାପନ କରିବ। ଗ୍ରୀଷ୍ମର ପ୍ରଚଣ୍ଡ ଉତ୍ତାପରେ ଗଣତନ୍ତ୍ରର ଏହି ନୃତ୍ୟ ଯେମିତି ସମସ୍ତଙ୍କୁ ବିମୋହିତ କରିବା ସହିତ ଗଣତନ୍ତ୍ରର ଗରିମା କାଳ ବକ୍ଷରେ ‘ସିଲଭର ନାଇଟ୍ରେଟ୍‌’ କାଳିରେ ଲେଖା ହେଲା ଭଳି ଅଲିଭା ହୋଇ ରହିବ ଏହା ଆମେ ସମସ୍ତେ ଆଶା କରିବା ଉଚିତ।

ସମ୍ବନ୍ଧିତ ଖବର