୨୦୨୧ରେ ମିସିଗାନ୍ରେ ଏକ ନାବାଳକ ତା’ର ପିତାଙ୍କ ବନ୍ଧୁକ ଚଳାଇ ସ୍କୁଲ୍ରେ ତା’ର ଚାରି ଜଣ ସହପାଠୀଙ୍କର ମୃତ୍ୟୁ ଘଟାଇଥିଲା। ସେଇ ମାମଲାର ବିଚାର କରି ଏକ ଅଦାଲତ କେବଳ ସେଇ ନାବାଳକକୁ ଏକ ସାବାଳକ ରୂପେ ଦୋଷୀ ସାବ୍ୟସ୍ତ କରିଛି ତାହା ନୁହେଁ, ତା’ର ପିତାମାତାଙ୍କୁ ମଧ୍ୟ ସେଥିପାଇଁ ଦୋଷୀ ସାବ୍ୟସ୍ତ କରିଛି। ପିତାଙ୍କ ବନ୍ଧୁକ ତାଙ୍କର ଦାୟିତ୍ବହୀନତା ଯୋଗୁଁ ନାବାଳକ ପୁତ୍ର ହାତକୁ ଯିବା ଯାହା, ବିଲ୍ଡର୍ଙ୍କ ନାବାଳକ ପୁତ୍ର ହାତରେ ‘ପୋର୍ସା’ ଗାଡ଼ିର ଚାବି ପଡ଼ିବା ତାହା। ଉଭୟ ବନ୍ଧୁକ ଓ କାର୍ ବ୍ୟବହାର କରାଯାଇ ନରହତ୍ୟା ରଚନା କରାଯାଇପାରେ।
ଗତ ରବିବାର ଦିନ ମହାରାଷ୍ଟ୍ରର ପୁନାଠାରେ ସେଠାକାର ଯୁବ କଂଗ୍ରେସ ଏକ ଅଭିନବ ଢଙ୍ଗରେ ପ୍ରତିବାଦ ଆୟୋଜନ କରିବା ସ୍ବରୂପ ସେଠାରେ ଏକ ରଚନା ପ୍ରତିଯୋଗିତା ଆୟୋଜନ କରିବା ଦେଖାଯାଇଥିଲା। ପ୍ରାୟ ଶହେ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ଏହି ରଚନା ପ୍ରତିଯୋଗିତାରେ ଯେଉଁସବୁ ବିଷୟବସ୍ତୁମାନ ଅନ୍ତର୍ଭୁକ୍ତ ଥିଲା ସେଥିମଧ୍ୟରୁ କେତେକ ନମୁନା ହେଉଛି ଏହିପରି: ‘‘ମୋ’ ପ୍ରିୟ କାର୍’’, ‘‘ଯଦି ମୋର ପିତା ଜଣେ ବିଲ୍ଡର୍ ହୋଇଥାନ୍ତି’’, ‘‘ମଦ୍ୟପାନର କୁଫଳ’’, ‘‘ଏଠାକାର ପ୍ରଶାସନ ଶୋଇଯାଇଛି କି?’’... ଇତ୍ୟାଦି। ପ୍ରତିଯୋଗିତାର ସଂଗଠକମାନେ ସେମାନଙ୍କର ପ୍ରତିବାଦ ପଛରେ ନିହିତ ଆନ୍ତରିକତା ପ୍ରମାଣିତ କରିବା ପାଇଁ ସର୍ବୋତ୍କୃଷ୍ଟ ବିବେଚିତ ପ୍ରଥମ ତିନି ଜଣ ପ୍ରାବନ୍ଧିକମାନଙ୍କୁ ଯଥାକ୍ରମେ ୧୧,୦୦୦, ୭,୦୦୦ ଓ ୫,୦୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ ମଧ୍ୟ କରିଥିଲେ। ପ୍ରତିଯୋଗିତାର ଆୟୋଜନ ସ୍ଥଳୀ ଥିଲା ପୁନାର କଲ୍ୟାଣୀନଗର ଅଞ୍ଚଳ ଅନ୍ତର୍ଗତ ସେଇ ସ୍ଥାନ, ଯେଉଁଠି ମଇ ୧୯ ତାରିଖ ଦିନ ଜଣେ ନାବାଳକ ନିଶାସକ୍ତ ଅବସ୍ଥାରେ ଏକ ବେଗବାନ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇ ଦୁଇ ଜଣ ଯୁବ ଇଞ୍ଜିନିଅର୍ (ଜଣେ ଯୁବକ ଓ ଅନ୍ୟଜଣେ ଯୁବତୀ)ଙ୍କର ପ୍ରାଣନାଶ କରିଥିଲା।
ସାରା ଦେଶକୁ ଶୋକାକୁଳ କରିଦେଇଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟାଇଥିବା ୧୭ ବର୍ଷୀୟ ନାବାଳକ ଜଣକ ହେଉଛି ଜଣେ ଧନଶାଳୀ ବିଲ୍ଡର୍ଙ୍କର ପୁତ୍ର ଯାହାକୁ ସେ ଗେହ୍ଲାରେ ଦୁର୍ଘଟଣା ଘଟାଇଥିବା ଅତି ମୂଲ୍ୟବାନ ତଥା ଶକ୍ତିଶାଳୀ ‘ପୋର୍ସା’ କାର୍ଟି ଉପହାର ଦେଇଥିଲେ। ଦୁର୍ଘଟଣା ପରେ ଦେଶବାସୀଙ୍କୁ ଆଉ େଯଉଁ ଘଟଣା ସ୍ତବ୍ଧ କରିଦେଇଥିଲା, ତାହା ହେଲା ନାବାଳକ ଅପରାଧୀମାନଙ୍କ ପାଇଁ ଉଦ୍ଦିଷ୍ଟ ‘ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ’ (‘ଜେଜେବି’) ନେଇଥିବା ପଦକ୍ଷେପ। ଦୁର୍ଘଟଣା ଘଟିବାର ମାତ୍ର ୧୫ ଘଣ୍ଟା ମଧ୍ୟରେ ‘ଜେଜେବି’ ଏହି ନାବାଳକ ଅପରାଧୀକୁ ଜାମିନ୍ରେ ଖଲାସ କରିଦେଇ ସର୍ତ୍ତ ସ୍ବରୂପ ତାକୁ ସଡ଼କ ଦୁର୍ଘଟଣା ବିଷୟବସ୍ତୁ ଉପରେ ତିନିଶହ ଶବ୍ଦ ସମ୍ବଳିତ ଏକ ରଚନା ଲେଖିବାକୁ ଆଦେଶ ଦେଇଥିଲେ। ଏହି ଉଦ୍ଭଟ, ହାସ୍ୟାସ୍ପଦ ଓ ସ୍ପଷ୍ଟ ରୂପେ ଅହେତୁକ ଅନୁକମ୍ପା ପ୍ରଦର୍ଶନକାରୀ ରାୟ ବିରୁଦ୍ଧରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ଓ ତା’ର ଜାମିନ୍ ବାତିଲ ହୋଇଛି। ଯଥାର୍ଥ ଭାବେ ‘ଜେଜେବି’ ଓ ପ୍ରଶାସନକୁ ବିଦ୍ରୂପ କରିବା ଉଦ୍ଦେଶ୍ୟରେ ଯୁବ କଂଗ୍ରେସ ଉପରୋକ୍ତ ରଚନା ପ୍ରତିଯୋଗିତା ଆୟୋଜନ କରିଥିଲା।
ତେବେ ଏହି ଉଚ୍ଛୃଙ୍ଖଳ ଧନୀ ଦୁଲାଳଙ୍କର କୀର୍ତ୍ତିର ଶାଖା ପ୍ରଶାଖା କେବଳ ଏତିକିରେ ସୀମିତ ନୁହେଁ। ତା’ର ଏହି କୀର୍ତ୍ତିରେ ତା’ର ପିତା ଓ ପିତାମହ ମଧ୍ୟ ଛନ୍ଦି ହୋଇ ଏବେ ଜେଲ୍ ହାଜତରେ ବନ୍ଦୀ। କେବଳ ସେମାନେ ନୁହନ୍ତି, ପୁନା ସରକାରୀ ହସ୍ପିଟାଲର ଦୁଇ ଜଣ ବରିଷ୍ଠ ଡାକ୍ତର ଓ ମଦ୍ୟପାନ ବାର୍ର ମାଲିକ ମଧ୍ୟ ଗିରଫ ହୋଇ ଜେଲ୍ରେ ଅଛନ୍ତି। ପୁଲିସ ଅଭିଯୋଗ କରିଛି ଯେ ସେ ଡାକ୍ତର ଦୁଇ ଜଣ ଉତ୍କୋଚ ଗ୍ରହଣ କରି ସେ ନାବାଳକକୁ ସୁରକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ତା’ର ରକ୍ତ ନମୁନାକୁ ଅଦଳବଦଳ କରିଦେଇଥିଲେ, େଯମିତି ସେଥିରୁ ସେ ମଦ୍ୟପାନ କରିଥିବାର କୌଣସି ପ୍ରମାଣ ମିଳିବ ନାହିଁ। ପିତାମହ ଡ୍ରାଇଭରକୁ ମିଥ୍ୟା ଦୋଷ ସ୍ବୀକାର କରିବା ପାଇଁ ବାଧ୍ୟ କରି ତାକୁ ଅଟକ ରଖିଥିଲେ। ନାବାଳକ ଅଭିଯୁକ୍ତକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କର୍ତ୍ତବ୍ୟରେ ଅବହେଳା କରିଥିବା କାରଣରୁ ତିନି ଜଣ ପୁଲିସ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଦୁର୍ଘଟଣା ଘଟାଇଥିବା ଗାଡ଼ିଟିର ରେଜିଷ୍ଟ୍ରେସନ୍ ହୋଇ ନ ଥିଲା ଏବଂ ନାବାଳକ ଚାଳକର ସ୍ବାଭାବିକ ଭାବରେ ଡ୍ରାଇଭିଙ୍ଗ୍ ଲାଇସେନ୍ସ ନ ଥିଲା।
ଅତି ସଂକ୍ଷେପରେ ବର୍ଣ୍ଣନା କରାଯାଇଥିବା ଉପରୋକ୍ତ ଘଟଣାବଳୀ ଉପରେ ଦୃଷ୍ଟି ନିକ୍ଷେପ କଲେ ଯୁବ କଂଗ୍ରେସର ଉପରୋକ୍ତ ନାଟକୀୟ ପ୍ରତିବାଦକୁ ଅତିକ୍ରମ କରି କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସମସ୍ତଙ୍କୁ ଆନ୍ଦୋଳିତ କରିବା ଉଚିତ ବୋଲି ମନେ ହୁଏ। ଏହି ଦୁର୍ଘଟଣା ଘଟାଇଥିବା ନାବାଳକ ଭଳି ଯେଉଁ ନାବାଳକମାନେ ଧର୍ଷଣ ଓ ହତ୍ୟା ଭଳି ଜଘନ୍ୟ ଅପରାଧମାନ ଘଟାଇଥାନ୍ତି, ସେମାନଙ୍କୁ ସାବାଳକ ରୂପେ ବିବେଚିତ କରାଯାଇ ସେମାନଙ୍କର ବିଚାର କରାଯିବା ଉଚିତ କି? ଦୁଇରେ, ଏପରି ନାବାଳକମାନଙ୍କର ଅପରାଧ ପାଇଁ ସେମାନଙ୍କର ପିତାମାତାଙ୍କୁ ଦାୟୀ କରାଯିବା ଉଚିତ କି? ଏଭଳି ଘଟଣା ଯେପରି ନ ଘଟେ, ସେଥିପାଇଁ ଆମେ କ’ଣ କରିପାରିବା?
୨୦୧୨ରେ ଘଟିଥିବା ଦିଲ୍ଲୀର ନିର୍ଭୟା ଗଣଧର୍ଷଣ ଓ ହତ୍ୟାକାଣ୍ଡରେ ଯେଉଁ ଅପରାଧୀର ଆଚରଣ ଥିଲା ସର୍ବାଧିକ ଜଘନ୍ୟ ଓ ବର୍ବର, ସେ ଥିଲା କାଗଜପତ୍ର ଅନୁସାରେ ଜଣେ ନାବାଳକ, ଯିଏ ସେଇ କାରଣରୁ ଉଚିତ ଦଣ୍ଡ ପାଇବାରୁ ବର୍ତ୍ତିଯାଇ ବର୍ତ୍ତମାନ ସମାଜରେ ଅଜଣା ଭାବରେ ନିର୍ବିଘ୍ନରେ ବିଚରଣ କରୁଛି। ଏହାପରେ ସରକାର ସଚେତନ ହୋଇ ୨୦୧୫ରେ ଯେଉଁ ଆଇନ ପ୍ରଣୟନ କରାଇଲେ, ତାହା ଅନୁସାରେ ଏଣିକି ଜଘନ୍ୟ ଅପରାଧରେ ଜଡ଼ିତ ଥିବା ୧୬-୧୮ ବର୍ଷୀୟ ନାବାଳକମାନଙ୍କୁ ସାବାଳକ ରୂେପ ଅଦାଲତରେ ବିଚାରର ସମ୍ମୁଖୀନ ହେବାକୁ ପଡ଼ିବ। ଅବଶ୍ୟ ସେମାନଙ୍କର ପ୍ରାରମ୍ଭିକ ବିଚାର କରିବେ ‘ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ’। କିନ୍ତୁ ଏହାପରେ ମଧ୍ୟ ଖୁବ୍ କମ୍ ଘଟଣାରେ ଗୁରୁତର ଅପରାଧରେ ଜଡ଼ିତ ଥିବା ନାବାଳକମାନଙ୍କୁ ସାବାଳକ ରୂପେ ବିଚାର କରାଯିବା ଦେଖାଯାଇଛି। ପୁନା ଘଟଣାରେ ନିଶ୍ଚିତ ରୂପେ ସେଇ ନାବାଳକକୁ ସାବାଳକ ରୂପେ ବିଚାର କରାଯିବା ଜରୁରୀ: ସେ କେବଳ ସାବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ଦୁଇଟି କାର୍ଯ୍ୟ - ମଦ୍ୟପାନ ଓ ଡ୍ରାଇଭିଙ୍ଗ୍ - କରିଛି ଏବଂ ଦୁଇଟିର ମିଳିତ ପ୍ରଭାବରେ ଦୁଇଟି ଅମୂଲ୍ୟ ଜୀବନର ଅନ୍ତ ଘଟାଇଛି।
ଦ୍ବିତୀୟ ପ୍ରଶ୍ନର ଉତ୍ତର ସ୍ବରୂପ ଏଥିପାଇଁ ତା’ର ପିତାମାତା ମଧ୍ୟ ହେଉଛନ୍ତି ସଂପୂର୍ଣ୍ଣ ରୂେପ ଦାୟୀ, କାରଣ ସେମାନେ ସେମାନଙ୍କର ନାବାଳକ ପୁତ୍ରକୁ ଗାଡ଼ି ଚଳାଇବାକୁ ସୁଯୋଗ ଦେଇଥିଲେ, ଯଦିବା ସେ ନାବାଳକ ହୋଇଥିବାରୁ ତାକୁ ଡ୍ରାଇଭିଙ୍ଗ୍ ଲାଇସେନ୍ସ ମିଳି ନ ଥିଲା। ଏହି ପରିପ୍ରେକ୍ଷୀରେ ଅଳ୍ପ ଦିନ ତଳେ ସୁଦୂର ଆମେରିକାରେ ଘଟିଥିବା ଏକ ଅନୁରୂପ ଘଟଣାରେ ଅଦାଲତ ଦେଇଥିବା ରାୟ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇପାରେ। ୨୦୨୧ରେ ମିସିଗାନ୍ରେ ଏକ ନାବାଳକ ତା’ର ପିତାଙ୍କ ବନ୍ଧୁକ ଚଳାଇ ସ୍କୁଲ୍ରେ ତା’ର ଚାରି ଜଣ ସହପାଠୀଙ୍କର ମୃତ୍ୟୁ ଘଟାଇଥିଲା। ସେଇ ମାମଲାର ବିଚାର କରି ଏକ ଅଦାଲତ କେବଳ ସେଇ ନାବାଳକକୁ ଏକ ସାବାଳକ ରୂପେ ଦୋଷୀ ସାବ୍ୟସ୍ତ କରିଛି ତାହା ନୁହେଁ, ତା’ର ପିତାମାତାଙ୍କୁ ମଧ୍ୟ ସେଥିପାଇଁ ଦୋଷୀ ସାବ୍ୟସ୍ତ କରିଛି। ପିତାଙ୍କ ବନ୍ଧୁକ ତାଙ୍କର ଦାୟିତ୍ବହୀନତା ଯୋଗୁଁ ନାବାଳକ ପୁତ୍ର ହାତକୁ ଯିବା ଯାହା, ବିଲ୍ଡର୍ଙ୍କ ନାବାଳକ ପୁତ୍ର ହାତରେ ‘ପୋର୍ସା’ ଗାଡ଼ିର ଚାବି ପଡ଼ିବା ତାହା। ଉଭୟ ବନ୍ଧୁକ ଓ କାର୍ ବ୍ୟବହାର କରାଯାଇ ନରହତ୍ୟା ରଚନା କରାଯାଇପାରେ।
ତୃତୀୟରେ ବିତ୍ତୀୟ ପ୍ରଗତି ସହିତ ତାଳ ଦେଇ ଭାରତୀୟ ସମାଜରେ ବର୍ତ୍ତମାନ ଯେଉଁ ଭୋଗବିଳାସର ନଗ୍ନ ଆରାଧନା ଦେଖିବାକୁ ମିଳୁଛି ବିଲ୍ଡର୍ଙ୍କ ପରିବାର ହେଉଛି ତା’ର ଏକ ଅସ୍ବସ୍ତିକର ଉଦାହରଣ। ପ୍ରମତ୍ତ ପିତାମାତାମାନେ ଯଦି କୋମଳ ବୟସରୁ ନିଜର ସନ୍ତାନସନ୍ତତିମାନଙ୍କୁ ସେଇ ସ୍ଥୂଳ ପ୍ରଦର୍ଶନୀକୈନ୍ଦ୍ରିକ ଭୋଗର ପଥ ଅନୁସରଣ କରିବାକୁ ଉତ୍ସାହିତ କରିବେ, ତେବେ ପରିଣତି ଏହା ହିଁ ହେବ। ସ୍ବଚ୍ଛଳ ବର୍ଗର ସବୁ ପିତାମାତାଙ୍କ ପାଇଁ ଏହା ହେଉଛି ଏକ ଚେତାବନୀ।