ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ‘ଏସ୍‌ ଆଣ୍ଡ୍‌ ପି’ ମୋଦୀ ସରକାରଙ୍କର ଆରମ୍ଭ ବର୍ଷ ୨୦୧୪ରେ ଭାରତକୁ ପ୍ରଦାନ କରିଥିବା ଉପରୋକ୍ତ ମାନ୍ୟତାରେ ଏବେ ମୋଦୀ ସରକାରଙ୍କର ଦଶ ବର୍ଷର ଶାସନ ସମାପ୍ତ ହେବା ପରେ ସେଥିରେ ଉନ୍ନତି ଘଟାଇବାକୁ ଉଚିତ ମନେ କରିଛି, ଯାହା ପଛରେ ନିହିତ ଥିବା କାରଣମାନ ହେଉଛନ୍ତି ରାଜନୈତିକ ସ୍ଥିରତା, ଅର୍ଥନୈତିକ ସଂସ୍କାର ଓ ଦୀର୍ଘକାଳୀନ ଅଭିବୃଦ୍ଧି ସମ୍ଭାବନା। ମାନ୍ୟତାରେ ଉନ୍ନତି ଭବିଷ୍ୟତରେ ଅଭିବୃଦ୍ଧି ଆବଶ୍ୟକ କରୁଥିବା ସମ୍ବଳ ସଂଗ୍ରହରେ ବିଶେଷ ସହାୟକ ହେବ। ଆଶା ନୂତନ ସରକାର ଅର୍ଥନୀତିର ଏହି ସ୍ବାଗତର ପ୍ରତିଦାନରେ ତାକୁ ଆହୁରି ଉଚ୍ଚତର ଶିଖରରେ ପହଞ୍ଚାଇବା ପାଇଁ ସବୁମନ୍ତେ ଉଦ୍ୟମ କରିବେ।

Advertisment

ହୁଏତ ଏହି ସ୍ତମ୍ଭ ଉପରେ କେତେକ ସୁଧୀ ପାଠକପାଠିକାମାନଙ୍କର ଦୃଷ୍ଟି ପଡ଼ିବା ବେଳକୁ ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ପ୍ରକାଶ ପାଇ ସାରିଥିବ। ନିର୍ବାଚନର ଫଳାଫଳ ଚମକପ୍ରଦ ହୋଇଥାଉ କି ନ ଥାଉ, ଯେଉଁ ଗୋଷ୍ଠୀ ଆସନ୍ତା ପାଞ୍ଚ ବର୍ଷ ପାଇଁ ଭାରତର ଶାସନ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛି, ଭାରତର ଅର୍ଥନୀତି ଯେ ସେମାନଙ୍କୁ ସଙ୍ଖୁଳିବା ପାଇଁ ଆଖି ଝଲସାଉଥିବା ନିଜର ସର୍ବୋତ୍କୃଷ୍ଟ ପାଟପତନୀ ପରିଧାନ କରି ସୁସଜ୍ଜିତା ହୋଇ ଅପେକ୍ଷା କରି ରହିଛି, ଗତ ଶୁକ୍ରବାର ଦିନ ପ୍ରକାଶ ପାଇଥିବା ସେ ହାସଲ କରିଥିବା ଅଭିବୃଦ୍ଧିର ଚିତ୍ର ତାହା ପ୍ରଦର୍ଶିତ କରିଥାଏ। ନରେନ୍ଦ୍ର ମୋଦୀ ସରକାରର ଦଶମ ବର୍ଷରେ ଭାରତୀୟ ଅର୍ଥନୀତି ହାସଲ କରିଥିବା ଅଭିବୃଦ୍ଧି ହାର ହେଉଛି ଏକ ଚମକପ୍ରଦ ୮.୨ ଶତାଂଶ ବୋଲି ଏହି ପ୍ରକାଶିତ ସୂଚନାରୁ ଜଣାପଡ଼ିଛି। ‘ନେସନାଲ୍ ଷ୍ଟାଟିଷ୍ଟିକାଲ୍ ଅଫିସ୍’ (‘ଏନ୍ଏସ୍ଓ’) ଦ୍ବାରା ପ୍ରକାଶିତ ଏହି ସୂଚନା ଅନୁସାରେ ଗତ ବିତ୍ତବର୍ଷର ଶେଷ ଚଉଠ, ଅର୍ଥାତ୍ ଜାନୁଆରି-ମାର୍ଚ୍ଚ ଚଉଠରେ ଭାରତୀୟ ଅର୍ଥନୀତି ହାସଲ କରିଥିବା ଆଶା କରାଯାଉଥିବା ଠାରୁ ଅଧିକ, ୭.୮ ଶତାଂଶ ହାରରେ ଅଭିବୃଦ୍ଧି ଯୋଗୁଁ ସମଗ୍ର ବିତ୍ତବର୍ଷ ପାଇଁ ଉପରୋକ୍ତ ଉଚ୍ଚ ଅଭିବୃଦ୍ଧି ହାର ହାସଲ ହେବା ସମ୍ଭବ ହୋଇପାରିଛି।
ଏହି ଉଚ୍ଚ ଅଭିବୃଦ୍ଧି ହାରର ଗୁରୁତ୍ବ ହୃଦୟଙ୍ଗମ କରିବାରେ ସହାୟକ ହେବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇପାରେ ଯେ ୧୯୬୧-୬୨ (ମଣିଶଙ୍କର ଆୟାରଙ୍କ ଭାଷାରେ ତଥାକଥିତ ଚୀନ୍ ଆକ୍ରମଣ ବର୍ଷ) ପରଠାରୁ ବର୍ତ୍ତମାନ ମଧ୍ୟରେ, ଅର୍ଥାତ୍ ବିଗତ ଛ’ ଦଶନ୍ଧିରୁ ଅଧିକ କାଳ ମଧ୍ୟରେ ଦେଶର ଅର୍ଥନୀତି ବ‌ାର୍ଷିକ ୮ ଶତାଂଶ ଅଭିବୃଦ୍ଧି ହାର ଅତିକ୍ରମ କରିବାର ଏହା ହେଉଛି ମାତ୍ର ନବମ ଘଟଣା। କୋଭିଡ୍-୧୯ ପାଣ୍ଡେମିକ୍‌ର ଭୟଙ୍କର ଆଘାତ ସତ୍ତ୍ବେ ମୋଦୀ ସରକାରଙ୍କର ଦଶ ବର୍ଷର ଶାସନ ସମୟରେ ଭାରତୀୟ ଅର୍ଥନୀତି ଏକ ପ୍ରଶଂସନୀୟ ହାରାହାରି ୬ ଶତାଂଶ ଅଭିବୃଦ୍ଧି ହାର ହାସଲ କରିବାରେ ଶେଷ ବର୍ଷର ଏହି ଚମତ୍କାର ପ୍ରଦର୍ଶନ ବେଶ୍ ସହାୟକ ହୋଇଛି।
ଆଉ ଅର୍ଥନୀତିର ଯେଉଁ ‌େକ୍ଷତ୍ରର ଅବଦାନ ଏଥିପାଇଁ ହେଉଛି ବିଶେଷ ଉଲ୍ଲେଖଯୋଗ୍ୟ, ତାହା ହେଉଛି ମାନୁଫାକ୍‌ଚରିଙ୍ଗ୍ ବା ବିନିର୍ମାଣ କ୍ଷେତ୍ର। ୨୦୨୩-୨୪ ବିତ୍ତବର୍ଷରେ ଏହି କ୍ଷେତ୍ରରେ ହାସଲ ହୋଇଥିବା ଅଭିବୃଦ୍ଧି ହାର ହେଉଛି ପ୍ରାୟ ୧୦ ଶତାଂଶ। ଅର୍ଥନୀତିର ଏହି ଅଭିବୃଦ୍ଧି ହେଉଛି ପୃଥିବୀର ସମସ୍ତ ପ୍ରମୁଖ ଦେଶମାନଙ୍କ ମଧ୍ୟରେ ଦ୍ରୁତତମ, ଯାହା ଭାରତୀୟ ଅର୍ଥନୀତି ସଂପର୍କରେ ‘ଆଇଏମ୍ଏଫ୍’ ଓ ‘ବିଶ୍ବ ବ୍ୟାଙ୍କ୍’ ସମେତ ବିଭିନ୍ନ ଛାମୁଆ ନିବେଶ ବ୍ୟାଙ୍କ୍‌ମାନେ ପ୍ରକାଶ କରିଥିବା ଅତ୍ୟନ୍ତ ସକାରାତ୍ମକ ମତାମତ ସହିତ ଖାପ ଖାଇ ଯାଇଥାଏ।
କିନ୍ତୁ ଏଥିସତ୍ତ୍ବେ ନୂତନ ସରକାରଙ୍କ ପାଇଁ ଏହି ଚିତ୍ରର ଯେଉଁ ଅଂଶଟି ବିଶେଷ ଚିନ୍ତାଜନକ ହୋଇଥାଏ, ତାହା ହେଉଛି କୃଷିକ୍ଷେତ୍ର। ୨୦୨୩-୨୪ ବିତ୍ତବର୍ଷରେ କୃ‌ଷିକ୍ଷେତ୍ର ଯେଉଁ କଚ୍ଛପ ସଦୃଶ ଅଭିବୃଦ୍ଧି ହାର ହାସଲ କରିପାରିଛି, ତାହା ହେଉଛି ମାତ୍ର ୧.୭ ଶତାଂଶ। ସେଇ ମୌଳିକ କ୍ଷେତ୍ରରେ ପରିଦୃଷ୍ଟ ଏହି ଅଭିବୃଦ୍ଧି ହାର ହେଉଛି ବିଗତ ସାତ ବର୍ଷ ମଧ୍ୟରେ ସର୍ବନିମ୍ନ। ଏହି ବିତ୍ତବର୍ଷର ତୃତୀୟ ଓ ଚତୁର୍ଥ ଚଉଠରେ ଏହି କ୍ଷେତ୍ରରେ ସମ୍ଭବ ହୋଇଥିବା ଅଭିବୃଦ୍ଧି ହାର ଥିଲା ଯଥାକ୍ରମେ ମାତ୍ର ୦.୪ ଶତାଂଶ ଓ ୦.୬ ଶତାଂଶ, ଯାହାର ପ୍ରଭାବରେ ସମଗ୍ର ବର୍ଷ ପାଇଁ ଅଭିବୃଦ୍ଧି ହାର ଏତେ ନୀଚା ହୋଇଥାଏ। ବିଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ଦୁଇ ଚଉଠର ଅଭିବୃଦ୍ଧି ହାର ହେଉଛି ସର୍ବନିମ୍ନ। ସମ୍ଭବତଃ ୨୦୨୩ରେ ଦେଖାଯାଇଥିବା ଅପେକ୍ଷାକୃତ ଦୁର୍ବଳ ମୌସୁମୀ ହେଉଛି ଏହି ଅସ୍ବାଭାବିକ ଭାବରେ ମନ୍ଥର ଅଭିବୃଦ୍ଧି ପଛରେ ନିହିତ ଥିବା ମୁଖ୍ୟ କାରଣ। କିନ୍ତୁ କୃଷିକ୍ଷେତ୍ରକୁ ମୌସୁମୀର ଦୟାରୁ ମୁକ୍ତ କରିବା ହେଉଛି ସରକାରଙ୍କର ଅନ୍ୟତମ ମୁଖ୍ୟ ଦାୟିତ୍ବ। ଏହି କ୍ଷେତ୍ର ଯେହେତୁ ନିଯୁକ୍ତି ଯୋଗାଣରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ, ସେ କ୍ଷେତ୍ରରେ ଏହି ପାରମ୍ପରିକ ଦୁର୍ବଳତା ଦୂର କରିବା ହେଉଛି ସରକାରଙ୍କର ପ୍ରାଥମିକ ଦାୟିତ୍ବ।
ସେହିପରି କୃଷିକ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ଆବଶ୍ୟକ ସଂସ୍କାରମାନ କାର୍ଯ୍ୟକାରୀ କରିବା ମଧ୍ୟ ଜରୁରୀ, ଯାହା କରିବାକୁ ଯାଇ ସରକାର ପ୍ରବଳ ନ୍ୟସ୍ତସ୍ବାର୍ଥ ପ୍ରତିରୋଧର ସମ୍ମୁଖୀନ ହୋଇ ପଛଘୁଞ୍ଚା ଦେବା ପାଇଁ ବାଧ୍ୟ ହୋଇଥିଲେ। ଯଦି ଏଗଜିଟ୍ ପଲ୍‌ର ଅନୁମାନକୁ ସତ୍ୟ ସାବ୍ୟସ୍ତ କରି ‘ଏନ୍‌ଡିଏ’ ବିପୁଳ ସଂଖ୍ୟାଗରିଷ୍ଠତା ଲାଭ କରି ପୁଣି ସରକାର ଗଠନ କରେ, ତେବେ ପୁଣି ଥରେ ସରକାର ସେ ଦିଗରେ ଉଦ୍ୟମ କରିବା ଆବଶ୍ୟକ। ଯଦି ତାହା ନ ହୁଏ ଏବଂ ସେଥିଯୋଗୁଁ କୃଷି ଉତ୍ପାଦନଶୀଳତା ଅନ୍ୟ କ୍ଷେତ୍ରମାନଙ୍କ ତୁଳନାରେ ଏଭଳି ପଛରେ ପଡ଼ିଯାଏ, ତା’ହେଲେ ଭାରତୀୟ ଅର୍ଥନୀତିର ବହୁପ୍ରଚାରିତ ଚମକପ୍ରଦ ଅଭିବୃଦ୍ଧି ହେବ ଏକ ଏକ-ପାଖିଆ ଅଭିବୃଦ୍ଧି ମାତ୍ର, ଯେଉଁଥିରୁ ଦେଶର ଅର୍ଥନୀତିର କୃଷି ପରି ଏକ ଅସଲ ଅଂଶ ବାଦ୍ ପଡ଼ିଯିବ। ଏହି କାରଣରୁ ବର୍ତ୍ତମାନ ଦେଖାଯାଇଛି ଯେ ଗ୍ରାମାଞ୍ଚଳରେ ବାସ୍ତବ ମଜୁରି ପ୍ରାୟ ସ୍ଥାଣୁ ହୋଇଯାଇଛି ଏବଂ ଗ୍ରାମାଞ୍ଚଳର ଶ୍ରମଜୀବୀମାନେ ବୃହତ୍ତର ଅର୍ଥନୀତିର ଅଭିବୃଦ୍ଧି ଦ୍ବାରା କୌଣସି ପ୍ରକାରେ ଲାଭବାନ ହେଉ ନାହାନ୍ତି।
ସେବା କ୍ଷେତ୍ରରେ ନିର୍ମାଣରେ ବେଶ୍ ଉଚ୍ଚା ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲେ ହେଁ ବାଣିଜ୍ୟ କାରବାର, ହୋଟେଲ୍ ଓ ପରିବହନ ଅଂଶରେ ମାତ୍ର ୬.୪ ହାରରେ ଅଭିବୃଦ୍ଧି ହାସଲ ହୋଇଛି, ଯାହା ହେଉଛି ବିଗତ ୧୨ ବର୍ଷ ମଧ୍ୟରେ ସର୍ବନିମ୍ନ ଅଭିବୃଦ୍ଧି ହାର। ଏଥିରେ ଉନ୍ନତି ହାସଲ କରିବା ନିମିତ୍ତ ଦେଶରେ ବ୍ୟବସାୟ କରିବାକୁ ଆହୁରି ସହଜ କରିବା ପାଇଁ ସରକାରଙ୍କୁ ପଦକ୍ଷେପ ନେବାକୁ ହେବ।
ଏହି ସମୟରେ ନୂତନ ସରକାରଙ୍କ ପାଇଁ ଅର୍ଥନୀତି ତରଫରୁ ଆଉ ଯେଉଁ ଏକ ଭେଟିର ଆବିର୍ଭାବ ଘଟିଛି, ତାହା ହେଉଛି ଏକ ପ୍ରମୁଖ ରେଟିଙ୍ଗ୍ ଏଜେନ୍‌ସି ଅନେକ ଦିନ ପରେ ସେ ଭାରତକୁ ପ୍ରଦାନ କରିଥିବା ମାନ୍ୟତାରେ ଉନ୍ନତି ଘଟାଇ ତାକୁ ଏକ ଉଚ୍ଚତର ମାନ୍ୟତା ପ୍ରଦାନ କରିବା। ସଂପୃକ୍ତ ରେଟିଙ୍ଗ୍ ଏଜେନ୍‌ସି ହେଉଛି ‘ଏସ୍‌ ଆଣ୍ଡ୍‌ ପି ଗ୍ଲୋବାଲ୍ ରେଟିଙ୍ଗ୍‌ସ’, ଯିଏ ହେଉଛି ପୃଥିବୀର ତିନିଟି ଛାମୁଆ ରେଟିଙ୍ଗ୍ ଏଜେନ୍‌ସିମାନଙ୍କ ମଧ୍ୟରୁ ଅନ୍ୟତମ। ଅର୍ଥନୀତିର ଅଭିବୃଦ୍ଧି ସମ୍ବନ୍ଧରେ ଶୁକ୍ରବାର ଦିନ ଉପରୋକ୍ତ ସୁଖବର ପ୍ରକାଶ ପାଇବାର ଠିକ୍ ପୂର୍ବରୁ ବୁଧବାର ଦିନ ‘ଏସ୍‌ ଆଣ୍ଡ୍‌ ପି’ ଭାରତକୁ ପୂର୍ବରୁ ପ୍ରଦାନ କରିଥିବା ମାନ୍ୟତା ‘ଷ୍ଟେବ୍‌ଲ’ (ସ୍ଥିର)ରେ ପରିବର୍ତ୍ତନ ଘଟାଇ ତାହାକୁ ‘ପଜିଟିଭ୍’ (ସକାରାତ୍ମକ)ରେ ପରିଣତ କରିଦେଇଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ‘ଏସ୍‌ ଆଣ୍ଡ୍‌ ପି’ ମୋଦୀ ସରକାରଙ୍କର ଆରମ୍ଭ ବର୍ଷ ୨୦୧୪ରେ ଭାରତକୁ ପ୍ରଦାନ କରିଥିବା ଉପରୋକ୍ତ ମାନ୍ୟତାରେ ଏବେ ମୋଦୀ ସରକାରଙ୍କର ଦଶ ବର୍ଷର ଶାସନ ସମାପ୍ତ ହେବା ପରେ ସେଥିରେ ଉନ୍ନତି ଘଟାଇବାକୁ ଉଚିତ ମନେ କରିଛି, ଯାହା ପଛରେ ନିହିତ ଥିବା କାରଣମାନ ହେଉଛନ୍ତି ରାଜନୈତିକ ସ୍ଥିରତା, ଅର୍ଥନୈତିକ ସଂସ୍କାର ଓ ଦୀର୍ଘକାଳୀନ ଅଭିବୃଦ୍ଧି ସମ୍ଭାବନା। ମାନ୍ୟତାରେ ଉନ୍ନତି ଭବିଷ୍ୟତରେ ଅଭିବୃଦ୍ଧି ଆବଶ୍ୟକ କରୁଥିବା ସମ୍ବଳ ସଂଗ୍ରହରେ ବିଶେଷ ସହାୟକ ହେବ। ଆଶା ନୂତନ ସରକାର ଅର୍ଥନୀତିର ଏହି ସ୍ବାଗତର ପ୍ରତିଦାନରେ ତାକୁ ଆହୁରି ଉଚ୍ଚତର ଶିଖରରେ ପହଞ୍ଚାଇବା ପାଇଁ ସବୁମନ୍ତେ ଉଦ୍ୟମ କରିବେ।