ଗତ ଦୁଇ ଥରର ସାଧାରଣ ନିର୍ବାଚନ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାଜପାକୁ ପୂର୍ଣ୍ଣ ବହୁମତ ପ୍ରଦାନ କରିଥିଲା, ଯାହାକୁ ବ୍ୟବହାର କରି ମୋଦୀ ସରକାର ଅର୍ଥନୀତିରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅବିଶ୍ବସନୀୟ ବିକାଶ ହାସଲ କରିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଏଥି ସଙ୍ଗେ ସଙ୍ଗେ ଏଭଳି ବହୁମତ ମୋଦୀଙ୍କ ହାତରେ ମାତ୍ରାଧିକ କ୍ଷମତା ଠୁଳ କରିବା ମଧ୍ୟ ଦେଖାଯାଇଥିଲା। ଗଣତନ୍ତ୍ର ବୋଧହୁଏ ନିଜକୁ ନିଜେ ରକ୍ଷା କରିବା ପାଇଁ ଏଥର ମଧ୍ୟ ଭଲ କାମ ପାଇଁ ପୁରସ୍କୃତ କରି ମୋଦୀ ଓ ତାଙ୍କ ଦଳକୁ ପୁଣି ଥରେ ବିଜୟୀ କରାଇଛି, କିନ୍ତୁ ତା’ ସହିତ ତାଙ୍କ ହାତରେ ଆଉ ଏକଚାଟିଆ ଅଧିକାର ସମର୍ପଣ ନ କରି, ଏକ ମେଣ୍ଟ ସରକାର ଗଠନ କରିବାକୁ ତାଙ୍କୁ ବାଧ୍ୟ କରିଛି।
ସାମ୍ୟବାଦର ଉଦ୍ଭାବକ କାର୍ଲ ମାର୍କ୍ସ ଗଣତନ୍ତ୍ରର ଚରମ ବିରୋଧୀ ଥିଲେ। ଏକ ଶ୍ରେଣୀହୀନ ସମାଜରେ ସ୍ବାଧୀନ ମନୁଷ୍ୟର ଆବିର୍ଭାବକୁ ସାମ୍ୟବାଦର ଅନ୍ତିମ ଲକ୍ଷ୍ୟ ରୂପେ ପ୍ରଦର୍ଶିତ କରିଥିବା ମାର୍କ୍ସ ବିଚାର କରୁଥିଲେ ଯେ ଗଣତନ୍ତ୍ରରେ ଏହି ଲକ୍ଷ୍ୟ ସାଧନ ହୋଇପାରିବ ନାହିଁ। ସେ ତାଚ୍ଛଲ୍ୟ କରି କହିଥିଲେ ଯେ ଗଣତନ୍ତ୍ର ହେଉଛି ‘‘କେବଳ ମାତ୍ର ଔପଚାରିକ ସ୍ବାଧୀନତା।’’ ପରବର୍ତ୍ତୀ ସମୟରେ କାର୍ଲ ମାର୍କ୍ସଙ୍କୁ ମୁକ୍ତ ସମାଜର ଜଣେ ଅନ୍ୟତମ ପ୍ରଧାନ ଶତ୍ରୁ ରୂପେ ବିଚାର କରୁଥିବା ବିଶିଷ୍ଟ ଦାର୍ଶନିକ କାର୍ଲ ପପର୍ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଦି ଓପନ୍ ସୋସାଇଟି ଆଣ୍ଡ୍ ଇଟ୍ସ ଏନିମିଜ୍’ରେ ଗଣତନ୍ତ୍ର ସଂପର୍କରେ ମାର୍କ୍ସଙ୍କର ଏଭଳି ଚିନ୍ତାଧାରାକୁ ନିମ୍ନମତେ ଖଣ୍ଡନ କରିଥିଲେ।
ସେଥିରେ ପପର୍ କହିଥିଲେ ଯେ ମାର୍କ୍ସ ଯାହାକୁ ‘‘କେବଳ ମାତ୍ର ଔପଚାରିକ ସ୍ବାଧୀନତା’’ ରୂପେ ଅଭିହିତ କରିଛନ୍ତି, ତାହା ହେଉଛି ନିଜ ସରକାରର ବିଚାର କରି ତାକୁ କ୍ଷମତାଚ୍ୟୁତ କରିବା ପାଇଁ ଜନସାଧାରଣ ଉପଭୋଗ କରୁଥିବା ଅଧିକାର। ସେ ପୁଣି କହିଥିଲେ ଯେ ଏହି ଗଣତନ୍ତ୍ର ହେଉଛି ମନୁଷ୍ୟକୁ ଜଣାଥିବା ଏକମାତ୍ର କୌଶଳ ଯାହାକୁ ବ୍ୟବହାର କରି ଆମେ ରାଜନୈତିକ କ୍ଷମତାର ଅପବ୍ୟବହାର କବଳରୁ ଆମକୁ ରକ୍ଷା କରିବା ପାଇଁ ଚେଷ୍ଟା କରିପାରିବା। ସେ ତେଣୁ କହିଥିଲେ, ଗଣତନ୍ତ୍ରର ଅନ୍ୟ ନାମ ହେଉଛି ଶାସିତଙ୍କ ଦ୍ବାରା ଶାସକର ନିୟନ୍ତ୍ରଣ। ଏବଂ ଯେହେତୁ ରାଜନୈତିକ କ୍ଷମତା ଅର୍ଥନୈତିକ କ୍ଷମତାକୁ ନିୟନ୍ତ୍ରଣ କରିପାରେ, ରାଜନୈତିକ ଗଣତନ୍ତ୍ର ହେଉଛି ଶାସିତମାନଙ୍କ ଦ୍ବାରା ଅର୍ଥନୈତିକ ଶକ୍ତି ନିୟନ୍ତ୍ରିତ ହେବାର ଏକମାତ୍ର ଉପାୟ। ଯଦି ଗଣତାନ୍ତ୍ରିକ ନିୟନ୍ତ୍ରଣ ଅନୁପସ୍ଥିତ ଥାଏ, ତେବେ ଯେ କୌଣସି ସରକାର ତା’ର ରାଜନୈତିକ ଓ ଅର୍ଥନୈତିକ କ୍ଷମତାକୁ ଏପରି ଉଦ୍ଦେଶ୍ୟରେ ବ୍ୟବହାର ନ କରିବାର କୌଣସି ହେଲେ କାରଣ ନାହିଁ ଯାହା ନାଗରିକମାନଙ୍କର ସ୍ବାଧୀନତା ସୁରକ୍ଷା ଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇଥାଏ। ଅର୍ଥାତ୍ ମାର୍କ୍ସଙ୍କ ଚିନ୍ତାଧାରାକୁ ଭ୍ରାମାତ୍ମକ ସାବ୍ୟସ୍ତ କରି ପପର୍ ଗଣତନ୍ତ୍ରକୁ ନାଗରିକ ସ୍ବାଧୀନତାର ଏକମାତ୍ର ରକ୍ଷାକର୍ତ୍ତା ରୂପେ ପ୍ରଦର୍ଶିତ କରିଥିଲେ। ସ୍ବାଧୀନତା ପରେ ଭାରତ ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସରଣ କରିବାକୁ ନିଷ୍ପତ୍ତି ନେଇଛି, ଅତୀତରେ ଅନେକ ସମୟରେ ସେଥିରେ ଏହି ପପର୍ବର୍ଣ୍ଣିତ ଚରିତ୍ର ପରିସ୍ଫୁଟିତ ହେବା ଦେଖାଯାଇଛି- ତାହା ଇନ୍ଦିରା ଗାନ୍ଧୀଙ୍କର ଏକଛତ୍ରବାଦୀ ଉଦ୍ୟମକୁ ପ୍ରତିହତ କରିବା ହେଉ କି ସେଇ ମାର୍କ୍ସଙ୍କର ଚେଲାମାନଙ୍କର ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଚିରସ୍ଥାୟୀ ଶାସନ ପ୍ରତିଷ୍ଠା ଯୋଜନାକୁ ପଣ୍ଡ କରିବା ହେଉ।
ଗଣତନ୍ତ୍ରର ନାଗରିକକୁ କ୍ଷମତାଲିପ୍ସୁ ଶାସକଙ୍କ କବଳରୁ ମୁକ୍ତି ପ୍ରଦାନ କରିବାର ଏହି ଅନ୍ତର୍ନିହିତ କ୍ଷମତାର ସଦ୍ୟତମ ପରିପ୍ରକାଶ ଏବେ ଦେଖିବାକୁ ମିଳିଛି ଆମ ରାଜ୍ୟ ଓଡ଼ିଶାରେ। ଦୀର୍ଘ ପ୍ରାୟ ଚଉଠ ଶତାବ୍ଦୀ ଧରି ଗୋଟିଏ ମାତ୍ର ରାଜନୈତିକ ଦଳ ଓ ତା’ର ମାଲିକଙ୍କ ଶାସନାଧୀନ ହୋଇ ରହିବା ପରେ ଏହି ରାଜ୍ୟରେ ଗଣତନ୍ତ୍ର ସ୍ବାଭାବିକ ଭାବରେ କ୍ରମେ ଘୋର ବିକୃତିର ଶିକାର ହୋଇସାରିଥିଲା। ଏକ ଗଣତନ୍ତ୍ରରେ ନାଗରିକମାନଙ୍କର ସ୍ବାର୍ଥରକ୍ଷା ପାଇଁ ନିର୍ବାଚିତ ହୋଇଥିବା ଜନପ୍ରତିନିଧିମାନେ ଏଠାରେ କେବଳ ସଂପୂର୍ଣ୍ଣ ରୂପେ କ୍ଷମତାହୀନ ହୋଇପଡ଼ିଥିଲେ, ତାହା ନୁହେଁ, ସଂପୂର୍ଣ୍ଣ ରୂପେ ପରିଚୟହୀନ ମଧ୍ୟ ହୋଇପଡ଼ିଥିଲେ କହିଲେ ଆଦୌ ଅତ୍ୟୁକ୍ତି ହେବନାହିଁ। ଯଦି କଁା ଭଁା କେତେବେଳେ ପ୍ରତିବାଦର ସ୍ବର ଉତ୍ତୋଳନ ପାଇଁ ଉଦ୍ୟମ ହେଉଥିଲା, ତାହା ଏଭଳି ଦମନର ଶିକାର ହେଉଥିଲା, ଯାହା ଫଳପ୍ରଦ ଭାବରେ ଏକ ଭୀଷଣ ଭୟର ବାତାବରଣ ସୃଷ୍ଟି କରିଦେଇଥିଲା। ଯେଉଁ ବୁଦ୍ଧିଜୀବୀମାନେ ନିଜକୁ ସମାଜର ବିବେକର ତତ୍ତ୍ବାବଧାରକ ରୂପେ ବିଚାର କରନ୍ତି ସେମାନେ ବିଭିନ୍ନ କାରଣରୁ ଲଜ୍ଜାହୀନ ଭାବରେ ଏହି ବିକୃତ ବ୍ୟବସ୍ଥା ପାଖରେ ସଂପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଦେଇଥିଲେ। କିନ୍ତୁ ଯେତେବେଳେ ଏଥିରୁ ମୁକୁଳିବାର କୌଣସି ବାଟ ନାହିଁ ବୋଲି ସମସ୍ତେ ଧରି ନେଇଥିଲେ, ସେତିକିବେଳେ ପପର୍ ସୂଚାଇଥିବା ସେଇ ଶକ୍ତି ଜାଗରୁକ ହୋଇ ଆଜି ପୁଣି ଥରେ ଗଣତନ୍ତ୍ରକୁ ରକ୍ଷା କରିଛି ଏବଂ ତା’ ସହିତ ନାଗରିକ ସ୍ବାଧୀନତାକୁ ରକ୍ଷା କରିଛି। ଏହି ଶକ୍ତି ହେଉଛି ଶାସକକୁ କ୍ଷମତାଚ୍ୟୁତ କରିବା ପାଇଁ ଶାସିତମାନଙ୍କ ଠାରେ ନିହିତ ଥିବା ଶକ୍ତି।
ଉଲ୍ଲେଖଯୋଗ୍ୟ େଯ ଯେଉଁ ଶାସିତମାନେ ଗଣତନ୍ତ୍ରର ସଚ୍ଚା ସୈନିକ ରୂପେ ଆବିର୍ଭୂତ ହୋଇ ଆଜି ତା’ର ମହତ ରକ୍ଷା କରିଛନ୍ତି, ସେମାନେ ହେଉଛନ୍ତି ସେଇ ସାଧାରଣବର୍ଗର ନାଗରିକମାନେ, ବିଭିନ୍ନ କିସମର ତୁଷ୍ଟୀକରଣ ମାଧ୍ୟମରେ ଯେଉଁମାନେ ସହଜରେ କ୍ଷମତାକେନ୍ଦ୍ର ଦ୍ବାରା ବଶୀଭୂତ ହୋଇଯାଇଥିଲେ ବୋଲି ବିଶ୍ବାସ କରାଯାଉଥିଲା। ଏହି ଧାରଣାକୁ ଭୁଲ୍ ସାବ୍ୟସ୍ତ କରି ସେମାନେ ଆଜି କେବଳ ଯେ ଗଣତନ୍ତ୍ରକୁ ରକ୍ଷା କରିଛନ୍ତି, ତାହା ନୁହେଁ, ସେମାନେ ମଧ୍ୟ ପ୍ରମାଣିତ କରିଛନ୍ତି ସେମାନେ କେବଳ ହିଁ ହେଉଛନ୍ତି ବହୁଚର୍ଚ୍ଚିତ ଅସ୍ମିତା ବା ଆତ୍ମସମ୍ମାନର ଏକମାତ୍ର ଅଧିକାରୀ। ସେମାନେ ଗଣତନ୍ତ୍ର ମାଧ୍ୟମରେ ନିଜର ସ୍ବାଧୀନତା ଓ ସ୍ବାଭିମାନ ରକ୍ଷା କରି ମାର୍କ୍ସଙ୍କୁ ଭୁଲ୍ ସାବ୍ୟସ୍ତ କରିଛନ୍ତି।
ଏହି ନିର୍ବାଚନରେ ଅନ୍ୟ ଏକ ରାଜ୍ୟର ମତଦାତାମାନେ ମଧ୍ୟ ଅନ୍ୟ ଏକ ପ୍ରସଙ୍ଗରେ କାର୍ଲ ମାର୍କ୍ସଙ୍କୁ ଭୁଲ୍ ସାବ୍ୟସ୍ତ କରିବା ଦେଖାଯାଇଛି। ସେ ରାଜ୍ୟଟି ହେଉଛି ଉତ୍ତରପ୍ରଦେଶ। କାର୍ଲ ମାର୍କ୍ସ ବିଶ୍ବାସ କରୁଥିଲେ ଯେ ଧର୍ମ ସାମ୍ୟବାଦୀ ବିପ୍ଳବ ପଥରେ ଏକ ଅନ୍ତରାୟ ସୃଷ୍ଟି କରିଥାଏ। ଏକ ପୁଞ୍ଜିବାଦୀ ସମାଜରେ ସେମାନେ ସମ୍ମୁଖୀନ ହେଉଥିବା ଅନ୍ୟାୟ, ଅବିଚାର ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବିପ୍ଳବ କରିବାକୁ ସେ ନିଷ୍ପେଷିତ ଜନତାକୁ ଆହ୍ବାନ ଦେଉଥିବା ବେଳେ ଧର୍ମ ସେମାନଙ୍କୁ ପରଲୋକରେ ଚିର ଆନନ୍ଦ ପ୍ରଦାନର ପ୍ରଲୋଭନ ଦେଖାଇ ଇହଲୋକରେ ସମସ୍ତ ଯନ୍ତ୍ରଣା ସହିଯିବା ପାଇଁ ପ୍ରବୃତ୍ତ ଓ ବିପ୍ଳବରୁ ନିବୃତ୍ତ କରୁଥିବା ମାର୍କ୍ସ ଧର୍ମକୁ ଲୋକମାନଙ୍କର ଅଫିମ ରୂପେ ଅଭିହିତ କରିଥିଲେ।
ମାର୍କ୍ସଙ୍କ ଅନୁଗାମୀମାନେ ନିଶ୍ଚିତ ରୂପେ ମୋଦୀ ସରକାରଙ୍କ ଦ୍ବାରା ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣକୁ ହିନ୍ଦୁ ଜନସାଧାରଣମାନଙ୍କ ପାଇଁ ଏହି ଅଫିମ ବଣ୍ଟନ ରୂପେ ବିଚାର କରୁଥିବେ। ଏହା ଜଣାଶୁଣା ଯେ ଲାଲକୃଷ୍ଣ ଆଡ଼ଭାନୀଙ୍କ ନେତୃତ୍ବରେ ଏହି ରାମମନ୍ଦିର ନିର୍ମାଣ ଆନ୍ଦୋଳନ ହିଁ ଦେଶରେ ଭାରତୀୟ ଜନତା ପାର୍ଟିର ନବଜାଗରଣର ଭିତ୍ତି ସ୍ଥାପନ କରିଥିଲା। ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହି ମନ୍ଦିର ନିର୍ମାଣ ସଂପୂର୍ଣ୍ଣ ହୋଇଥିବାରୁ ତାହା ମତଦାତାମାନଙ୍କ ଉପରେ ଶକ୍ତିଶାଳୀ ଅନୁକୂଳ ପ୍ରଭାବ ପକାଇବ ବୋଲି ଆଶା କରାଯାଉଥିଲା- ମାର୍କ୍ସଙ୍କ ଅଫିମ ଭଳି। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଏହି ନିର୍ବାଚନରେ ସେଇ ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟିର ପ୍ରଦର୍ଶନ ଶୋଚନୀୟ ହୋଇଛି। ସେତିକି ନୁହେଁ, ଭାଜପା ପାଇଁ ଯାହା ଆହୁରି ବେଦନାଦାୟକ, ତାହା ହେଲା- ରାମମନ୍ଦିର ଅବସ୍ଥିତ ଥିବା ଫଇଜାବାଦ ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ପରାଜିତ ହୋଇଛନ୍ତି ଓ ପ୍ରତିପକ୍ଷ ସମାଜବାଦୀ ପାର୍ଟିର ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ହୁଏତ ଏହା ପ୍ରମାଣିତ କରିଥାଏ ଯେ ହିନ୍ଦୁମାନେ ମାର୍କ୍ସ କଳ୍ପନା କରିଥିବା ଭଳି ଧର୍ମ-ନିଶାସକ୍ତ ନୁହନ୍ତି।
ଏହି ନିର୍ବାଚନ ମାଧ୍ୟମରେ ଗଣତନ୍ତ୍ର ମଧ୍ୟ ତା’ର ଆଉ ଏକ ଶକ୍ତି ପ୍ରଦର୍ଶିତ କରିଛି ଯାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଗତ ଦୁଇ ଥରର ସାଧାରଣ ନିର୍ବାଚନ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାଜପାକୁ ପୂର୍ଣ୍ଣ ବହୁମତ ପ୍ରଦାନ କରିଥିଲା, ଯାହାକୁ ବ୍ୟବହାର କରି ମୋଦୀ ସରକାର ଅର୍ଥନୀତିରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅବିଶ୍ବସନୀୟ ବିକାଶ ହାସଲ କରିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଏଥି ସଙ୍ଗେ ସଙ୍ଗେ ଏଭଳି ବହୁମତ ମୋଦୀଙ୍କ ହାତରେ ମାତ୍ରାଧିକ କ୍ଷମତା ଠୁଳ କରିବା ମଧ୍ୟ ଦେଖାଯାଇଥିଲା। ଗଣତନ୍ତ୍ର ବୋଧହୁଏ ନିଜକୁ ନିଜେ ରକ୍ଷା କରିବା ପାଇଁ ଏଥର ମଧ୍ୟ ଭଲ କାମ ପାଇଁ ପୁରସ୍କୃତ କରି ମୋଦୀ ଓ ତାଙ୍କ ଦଳକୁ ପୁଣି ଥରେ ବିଜୟୀ କରାଇଛି, କିନ୍ତୁ ତା’ ସହିତ ତାଙ୍କ ହାତରେ ଆଉ ଏକଚାଟିଆ ଅଧିକାର ସମର୍ପଣ ନ କରି, ଏକ ମେଣ୍ଟ ସରକାର ଗଠନ କରିବାକୁ ତାଙ୍କୁ ବାଧ୍ୟ କରିଛି। ପପର୍ କହନ୍ତେ, ଏହାହିଁ ହେଉଛି ଗଣତନ୍ତ୍ରର ଅସଲ ଗୁଣ ଓ ଚମତ୍କାରିତା।