ଏଥିରୁ ଯାହା ମନେ ହେଉଛି, ସରକାର ଯଦି ଚାହାଁନ୍ତି ଯେ ୨୦୨୪ ଏପ୍ରିଲ ପୂର୍ବରୁ ରିଜର୍ଭ ବ୍ୟାଙ୍କ୍ ‘ରେପୋ ରେଟ୍’ ଅର୍ଥାତ୍ ସୁଧ ହାରରେ ହ୍ରାସ ଘଟାଇ ଉଭୟ ଖାଉଟି ଓ ବ୍ୟବସାୟୀ ମହଲରେ ଏକ ଆନନ୍ଦ ଭାବ ସୃଷ୍ଟି କରୁ, ତା’ହେଲେ ସରକାରଙ୍କୁ ପ୍ରଥମେ ଯୋଗାଣ ପାର୍ଶ୍ବରେ ଉନ୍ନତି ଘଟାଇବା ନିମିତ୍ତ ପଦେକ୍ଷପମାନ ଗ୍ରହଣ କରି ଶକ୍ତିକାନ୍ତଙ୍କ କାନ୍ଧରୁ ଚର୍ମପାଦ ବୃଦ୍ଧଙ୍କୁ ଓହ୍ଲାଇବାକୁ ପଡ଼ିବ।
ଏକ ସୁପ୍ରସିଦ୍ଧ ଲୋକପ୍ରିୟ ଆରବ୍ୟ କାହାଣୀରେ ନାୟକ ସିନ୍ଦ୍ବାଦ୍ର କାନ୍ଧ ଉପରେ ଚର୍ମପାଦ ବୃଦ୍ଧ ଜଣକ ବସି ପଡ଼ିବା ପରେ ଆଉ ଓହ୍ଲାଇବାର ନାମ ନ ଧରିବା ଭଳି ସୋମବାର ଦିନ ପ୍ରକାଶ ପାଇଥିବା ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତି ସମ୍ବନ୍ଧରେ ସୂଚନା ଦେଖି ମନେ ହୁଏ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ନର୍ ଶକ୍ତିକାନ୍ତ ଦାସଙ୍କ ଅବସ୍ଥା ଏବେ ସେଇ ସିନ୍ଦ୍ବାଦ୍ ଭଳି ହୋଇଛି। ମୁଦ୍ରାସ୍ଫୀତି ରୂପକ ଚର୍ମପାଦ ବୃଦ୍ଧ ଦୀର୍ଘ କାଳ ଧରି ତାଙ୍କ କାନ୍ଧରେ ବସିବା ପରେ ନିକଟରେ ଓହ୍ଲାଇବାର ଏକ ଧାରଣା ସୃଷ୍ଟି କରିଥିଲେ ମଧ୍ୟ, ସଦ୍ୟତମ ସୂଚନାରୁ ଜଣାପଡୁଛି ଓହ୍ଲାଇବା ପରିବର୍ତ୍ତେ ମୁଦ୍ରାସ୍ଫୀତି ତାଙ୍କ କାନ୍ଧ ଉପରେ ଆହୁରି ଶକ୍ତ ଭାବରେ ଗୋଡ଼ ଛନ୍ଦି ବସିବାକୁ ଚେଷ୍ଟା କରୁଛି।
‘ନେସନାଲ୍ ଷ୍ଟାଟିଷ୍ଟିକାଲ୍ ଅଫିସ’ (‘ଏନ୍ଏସ୍ଓ’) ଦ୍ବାରା ପ୍ରକାଶିତ ସୂଚନା ଅନୁସାରେ ଗତ ମାସରେ ଅର୍ଥାତ୍ ଜୁଲାଇରେ ଦେଶରେ ବାର୍ଷିକ ଖାଉଟି ମୁଦ୍ରାସ୍ଫୀତି ହାର ହୋଇଥିଲା ୭.୪୪ ଶତାଂଶ। ଏହା ଏକାଧିକ କାରଣରୁ ଚିନ୍ତାଜନକ। ପ୍ରଥମ, ପୂର୍ବ ମାସ ଅର୍ଥାତ୍ ଜୁନ୍ର ମୁଦ୍ରାସ୍ଫୀତି ହାର ୪.୮୭ ଶତାଂଶ ଥିବା ବେଳେ, ଏହା ମାସକ ମଧ୍ୟରେ ସେଥିରେ ଏକ ତୀକ୍ଷ୍ଣ ବୃଦ୍ଧି ଘଟିଥିବା ଦର୍ଶାଇଥାଏ। ଦ୍ବିତୀୟରେ, ଏହା ବିଜ୍ଞ ପର୍ଯ୍ୟବେକ୍ଷକମାନେ କରିଥିବା ପୂର୍ବାନୁମାନ ଠାରୁ ମଧ୍ୟ ଅଧିକ ହୋଇଛି, ଯାହା ପରିସ୍ଥିତିର ଗମ୍ଭୀରତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ। ସେମାନେ ଜୁଲାଇ ପାଇଁ ଯେଉଁ ସର୍ବୋଚ୍ଚ ମୁଦ୍ରାସ୍ଫୀତି ହାର ଅନୁମାନ କରିଥିଲେ, ତାହା ଥିଲା ୬.୫ ଶତାଂଶ, ଯାହା ଠାରୁ ପ୍ରକୃତ ହାର ପ୍ରାୟ ଏକ ଶତାଂଶ ଅଧିକ ହୋଇଛି, ଯାହା ନିଶ୍ଚିତ ରୂପେ ଚିନ୍ତାଜନକ। ତୃତୀୟରେ, ବିଗତ ପାଞ୍ଚ ମାସ ମଧ୍ୟରେ ଏବେ ପ୍ରଥମ ଥର ପାଇଁ ପୁଣି ଖାଉଟି ମୁଦ୍ରାସ୍ଫୀତି ହାର ୬ ଶତାଂଶ ସୀମା ଅତିକ୍ରମ କରିଛି। ଏହା ସୁବିଦିତ ଯେ ନିର୍ଦ୍ଧାରିତ ନିୟମ ଅନୁସାରେ ରିଜର୍ଭ ବ୍ୟାଙ୍କ୍ ପାଇଁ ଖାଉଟି ମୁଦ୍ରାସ୍ଫୀତିର ସର୍ବୋଚ୍ଚ ସହନସୀମା ହେଉଛି ବାର୍ଷିକ ୬ ଶତାଂଶ ହାର।
ମୁଦ୍ରାସ୍ଫୀତିର ଏହି ସଦ୍ୟତମ ଚିତ୍ର ଦେଖି ଗଭର୍ନର୍ ଦାସଙ୍କ ନେତୃତ୍ବାଧୀନ ରିଜର୍ଭ ବ୍ୟାଙ୍କ୍ର ‘ମନିଟାରି ପଲିସି କମିଟି’ (‘ଏମ୍ପିସି’) ନିଜକୁ ଧନ୍ୟବାଦ ଦେଉଥିବେ ଯେ ସେମାନେ ମୁଦ୍ରାସ୍ଫୀତିର ନିକଟ ଆଚରଣ ଦ୍ବାରା ପ୍ରଭାବିତ ନ ହୋଇ ‘ରେପୋ ରେଟ୍’ରେ କୌଣସି ହ୍ରାସ ନ ଘଟାଇ ପୂର୍ବ ଭଳି ୬.୫୦ ଶତାଂଶ ହାରରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଦ୍ରାସ୍ଫୀତିରେ ଏହି ବୃଦ୍ଧିର କାରଣ ହେଉଛି ପରିବାପତ୍ର ଦରଦାମ୍ରେ ଦେଖାଦେଇଥିବା ଅତ୍ୟଧିକ ବୃଦ୍ଧି। ଯୋଗାଣରେ ଅଭାବ ଯୋଗୁଁ ସାକ୍ସବ୍ଜି ଦରରେ ବୃଦ୍ଧି ଘଟିଥାଏ। ଉଲ୍ଲେଖଯୋଗ୍ୟ ଯେ ଯୋଗାଣ ପାର୍ଶ୍ବର ଏହି ସମସ୍ୟା ରିଜର୍ଭ ବ୍ୟାଙ୍କ୍ର ମୁଦ୍ରାନୀତି ଦ୍ବାରା ପ୍ରଭାବିତ ହୋଇ ନ ଥାଏ। କିନ୍ତୁ ଶକ୍ତିକାନ୍ତ ଦାସ ଆଶଙ୍କା ପ୍ରକାଶ କରିଥିବା ଭଳି ଏଭଳି ମୁଦ୍ରାସ୍ଫୀତି ଅବସ୍ଥା ଦୀର୍ଘ କାଳ ଧରି ଲାଗି ରହିଲେ ଜନସାଧାରଣଙ୍କର ମୁଦ୍ରାସ୍ଫୀତି ସମ୍ପର୍କିତ ପ୍ରତ୍ୟାଶା (‘ଇନ୍ଫ୍ଲେସନାରି ଏକ୍ସପେକ୍ଟେସନ୍’)ରେ ବୃଦ୍ଧି ଘଟିବାର ଦୃଢ଼ ସମ୍ଭାବନା ରହିଛି, ଯାହା ଭବିଷ୍ୟତରେ ମୁଦ୍ରାସ୍ଫୀତିର ଗତିକୁ ପ୍ରଭାବିତ କରିବ। ଏହି କାରଣରୁ ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନର ମୁଦ୍ରାସ୍ଫୀତି ସ୍ଥିତିକୁ ଅଣଦେଖା କରିପାରୁନାହିଁ ଏବଂ ସୁଧ ହାରରେ ହ୍ରାସ ଘଟାଇ ପାରୁନାହିଁ।
େତବେ ସାଧାରଣ ନିର୍ବାଚନ ଓ ତା’ପୂର୍ବରୁ କେତେକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରିଜର୍ଭ ବ୍ୟାଙ୍କ୍ର ଏଭଳି ନୀତି ସରକାରଙ୍କୁ କେବେ ହେଲେ ସୁହାଉ ନ ଥିବ। ନିର୍ବାଚନର ଅବ୍ୟବହିତ ପୂର୍ବରୁ ସାଧାରଣତଃ ସରକାରୀ ବ୍ୟୟରେ ତୀକ୍ଷ୍ଣ ବୃଦ୍ଧି ଘଟିଥାଏ। ସରକାର ଏଥିପାଇଁ ଋଣ ମାଧ୍ୟମରେ ଆବଶ୍ୟକ ସମ୍ବଳର ଏକ ବିଶେଷ ଭାଗ ସଂଗ୍ରହ କରିଥାନ୍ତି। ସୁଧ ହାର ଉଚ୍ଚ ରହିଲେ ତେଣୁ ସରକାରଙ୍କର ଖର୍ଚ୍ଚ କରିବା କ୍ଷମତା ସଂକୁଚିତ ହୋଇଥାଏ। ସୁଧ ହ୍ରାସ ଘଟିଲେ ତାହା ଅଧିକ ନିର୍ବାଚନ-ଅନୁକୂଳ ବଜେଟ୍ ପ୍ରସ୍ତୁତ କରିବାରେ ସରକାରଙ୍କୁ କେବଳ ଯେ ସହାୟକ ହେବ, ତାହା ନୁହେଁ, ବ୍ୟାଙ୍କ୍ର ଋଣକର୍ତ୍ତାମାନଙ୍କ ପାଇଁ ସୁଧ ବୋଝ ଲାଘବ କରି ସେମାନଙ୍କୁ ସନ୍ତୁଷ୍ଟ ମତଦାତାରେ ମଧ୍ୟ ପରିଣତ କରିବ। ଏଥି ସତ୍ତ୍ବେ ଚଳିତ ବିତ୍ତ ବର୍ଷରେ ବସିବାକୁ ଥିବା ରିଜର୍ଭ ବ୍ୟାଙ୍କ୍ ‘ଏମ୍ପିସି’ର ମୋଟ ଛ’ଟି ବୈଠକ ମଧ୍ୟରୁ ତିନିଗୋଟି ବୈଠକ ସମାପ୍ତ ହୋଇ ସାରିଥିଲେ ମଧ୍ୟ ଏହି କମିଟି ‘ରେପୋରେଟ୍’ରେ ଏ ପର୍ଯ୍ୟନ୍ତ ହାତ ମାରି ନାହିଁ। ଅଗଷ୍ଟ ୮-୧୦ରେ ଅନୁଷ୍ଠିତ ତୃତୀୟ ବୈଠକରେ ‘ଏମ୍ପିସି’ ଅପର ପକ୍ଷେ ଯେଉଁ ସିଧାସଳଖ ସୂଚନା ପ୍ରଦାନ କରିଛି, ସେଥିରୁ ମନେ ହୁଏନା ଯେ ନିକଟ ଭବିଷ୍ୟତରେ ସେମାନେ ‘ରେପୋ ରେଟ୍’ରେ କୌଣସି ହ୍ରାସ ଘଟାଇବା ନିମିତ୍ତ ଚିନ୍ତା କରୁଛନ୍ତି।
ଏହି ବୈଠକ ବେଳକୁ ଜୁଲାଇର ମୁଦ୍ରାସ୍ଫୀତି ତଥ୍ୟ ଉପଲବ୍ଧ ହୋଇ ନ ଥିଲେ ହେଁ ରିଜର୍ଭ ବ୍ୟାଙ୍କ୍ ସାରା ବର୍ଷ ପାଇଁ ଖାଉଟି ମୁଦ୍ରାସ୍ଫୀତି ପୂର୍ବାନୁମାନରେ ବୃଦ୍ଧି ଘଟାଇ ୫.୧ ଶତାଂଶ ସ୍ଥାନରେ କରିଥିଲା ୫.୪ ଶତାଂଶ। ତା’ ସହିତ ବିତ୍ତ ବର୍ଷର ଦ୍ବିତୀୟ ଚଉଠର ଖାଉଟି ମୁଦ୍ରାସ୍ଫୀତି ହାର ୬.୨ ଶତାଂଶ ଓ ତୃତୀୟ ଚଉଠର ୫.୭ ଶତାଂଶ ହେବ ବୋଲି ରିଜର୍ଭ ବ୍ୟାଙ୍କ୍ ତା’ର ପୂର୍ବାନୁମାନରେ ବୃଦ୍ଧି ଘଟାଇଛି। ଏଥିରୁ ସ୍ପଷ୍ଟ ଯେ ରିଜର୍ଭ ବ୍ୟାଙ୍କ୍ ଜୁଲାଇ ଓ ଅଗଷ୍ଟରେ ମୁଦ୍ରାସ୍ଫୀତି ଉଚ୍ଚା ରହିବ ବୋଲି ଆଶଙ୍କା କରୁଛି, ଯାହା ଜୁଲାଇ ପାଇଁ ବର୍ତ୍ତମାନ ସତ୍ୟ ସାବ୍ୟସ୍ତ ହୋଇଛି। ଏହା ମଧ୍ୟ ଅସମ୍ଭବ ନୁହେଁ ଯେ ଖାଦ୍ୟଦ୍ରବ୍ୟର ଦରଦାମରେ ଆଗାମୀ ଦିନରେ ଯଦି ଆହୁରି କୌଣସି ଅଚାନକ ବୃଦ୍ଧି ଘଟେ, ସେଥିଯୋଗୁଁ ମୁଦ୍ରାସ୍ଫୀତିରେ ବୃଦ୍ଧି ରିଜର୍ଭ ବ୍ୟାଙ୍କ୍ର ପୂର୍ବାନୁମାନକୁ ମଧ୍ୟ ଅତିକ୍ରମ କରିଯାଇପାରେ। ସରକାର ସେଇଥିପାଇଁ ଆନ୍ତର୍ଜାତିକ ସମାଲୋଚନା ସତ୍ତ୍ବେ ଚାଉଳ ରପ୍ତାନି ନିଷିଦ୍ଧ କରି ଦେଇଛନ୍ତି। ସେପ୍ଟେମ୍ବର ସୁଦ୍ଧା ଏକ ମୋଟାମୋଟି ଧାରଣା କରାଯାଇପାରିବ ଏ ବର୍ଷର ଶସ୍ୟ ଉତ୍ପାଦନ ଉପରେ ‘ଏଲ୍ ନିନୋ’ର ପ୍ରଭାବ କିଭଳି ହେବାକୁ ଯାଉଛି। ‘ଏମ୍ପିସି’ ତେଣୁ ଏଥର ଏହା ସ୍ପଷ୍ଟ କରି ଦେଇଛି ଯେ ପରିସ୍ଥିତି ଯଦି ଆବଶ୍ୟକ କରେ ସେମାନେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଅର୍ଥାତ୍ ଯଦି ଯୋଗାଣ-ଚାହିଦା ମଧ୍ୟରେ ତାଳମେଳ ଅଭାବ ଯୋଗୁଁ ତଥା ଉଭୟ ଘରୋଇ ଓ ବ୍ୟାବସାୟିକ ମୁଦ୍ରାସ୍ଫୀତି-ପ୍ରତ୍ୟାଶାରେ ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ଅଣାୟତ୍ତ ହେବାକୁ ବସେ, ସେତେବେଳେ ସେମାନେ ‘ରେପୋ ରେଟ୍’ରେ ବୃଦ୍ଧି ଘଟାଇବା ପାଇଁ ପଛଘୁଞ୍ଚା ଦେବେ ନାହିଁ, ନିର୍ବାଚନ ଆସନ୍ନ ହୋଇଥାଉ କି ନ ଥାଉ।
ରିଜର୍ଭ ବ୍ୟାଙ୍କ୍ ଯେ ମୁଦ୍ରାସ୍ଫୀତି ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିବାକୁ ଯାଉନାହିଁ, ବର୍ତ୍ତମାନ ସେ ଦେଇଥିବା ଅନ୍ୟ ଏକ ପଦକ୍ଷେପ ତା’ର ପ୍ରମାଣ ବହନ କରିଥାଏ। ଉପରୋକ୍ତ ବୈଠକରେ ‘ଏମ୍ପିସି’ ବ୍ୟାଙ୍କ୍ମାନଙ୍କର ଅତିରିକ୍ତ ଜମା ପ୍ରତି ଲାଗୁ ହେଉଥିବା ‘କ୍ୟାସ୍ ରିଜର୍ଭ ରେସିଓ’ (‘ସିଅାର୍ଆର୍’)ରେ ଘଟାଇଥିବା ବୃଦ୍ଧି ହେଉଛି ଏହାର ପ୍ରମାଣ। ଏହି କୌଶଳ ପ୍ରୟୋଗ ଦ୍ବାରା ରିଜର୍ଭ ବ୍ୟାଙ୍କ୍ ବ୍ୟାଙ୍କ୍ମାନଙ୍କ ହାତରୁ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ନଗଦ ରାଶି କାଢ଼ି ନେବ, ଯାହା ବଜାରରେ ଚାହିଦା ପାର୍ଶ୍ବର ଚାପରେ ହ୍ରାସ ଘଟାଇବ। ଏହି ରାଶି ମୁଖ୍ୟତଃ ୨୦୦୦ ଟଙ୍କିଆ ନୋଟ୍ ଫେରସ୍ତ ହେବା ସୂତ୍ରରୁ ବ୍ୟାଙ୍କ୍ମାନଙ୍କ ହାତକୁ ଆସିଥିଲା।
ଏଥିରୁ ଯାହା ମନେ ହେଉଛି, ସରକାର ଯଦି ଚାହାଁନ୍ତି ଯେ ୨୦୨୪ ଏପ୍ରିଲ ପୂର୍ବରୁ ରିଜର୍ଭ ବ୍ୟାଙ୍କ୍ ‘ରେପୋରେଟ୍’ ଅର୍ଥାତ୍ ସୁଧ ହାରରେ ହ୍ରାସ ଘଟାଇ ଉଭୟ ଖାଉଟି ଓ ବ୍ୟବସାୟୀ ମହଲରେ ଏକ ଆନନ୍ଦ ଭାବ ସୃଷ୍ଟି କରୁ, ତା’ହେଲେ ସରକାରଙ୍କୁ ପ୍ରଥମେ ଯୋଗାଣ ପାର୍ଶ୍ବରେ ଉନ୍ନତି ଘଟାଇବା ନିମିତ୍ତ ପଦେକ୍ଷପମାନ ଗ୍ରହଣ କରି ଶକ୍ତିକାନ୍ତଙ୍କ କାନ୍ଧରୁ ଚର୍ମପାଦ ବୃଦ୍ଧଙ୍କୁ ଓହ୍ଲାଇବାକୁ ପଡ଼ିବ।