ଗୋଟିଏ ପଟେ ଆମ ଦେଶର ନାମ ଇଣ୍ଡିଆ ‌ରହିବ ନା ଭାରତ ରହିବ ସେ ନେଇ ବୌଦ୍ଧିକ ବିତର୍କ ଚାଲିଛି। ଅନ୍ୟପଟେ ଆମର ଶାରୀରିକ ଭିନ୍ନକ୍ଷମ ଯୁବକଯୁବତୀ ନୂଆ ଇତିହାସ ସୃଷ୍ଟି କରିବା ଲାଗି ନିଜର ମନପ୍ରାଣ ଢାଳି ଦେଉଛନ୍ତି; ଅଥଚ ଆଉ ଗୋଟିଏ ପଟେ କିଛି ନିର୍ମମ, ଅହଙ୍କାରୀ ବ୍ୟକ୍ତି ଆବେଗଶୂନ୍ୟ ପୁଲିସ ବିଭାଗର ଉଦାସୀନତାର ସୁଯୋଗ ନେଇ ଏ ଦେଶର ସାଧାରଣ ଲୋକଙ୍କୁ ନିର୍ଯାତନା ଦେଇ ଚାଲିଛନ୍ତି। ଏ ଧରଣର ଲଜ୍ଜାଜନକ ଘଟଣା ଇଣ୍ଡିଆ ହେଉ କି ଭାରତ କାହାରି ପାଇଁ ଗ୍ରହଣୀୟ ନୁହେଁ।

Advertisment

ଭାଗବତର ଏକ ଲୋକପ୍ରିୟ ଶ୍ଳୋକ ହେଲା, ‘ମୂକଂ କରୋତି ବାଚାଳମ୍‌ ପଙ୍ଗୁ ଲଂଘୟତେ ଗିରିମ୍‌/ ଯତ୍‌କୃପା ତମହଂ ବନ୍ଦେ ପରମାନନ୍ଦ ମାଧବମ୍’ ବା ହେ ପରମାନନ୍ଦ ମାଧବ, ଆପଣଙ୍କର କୃପା ରହିଲେ ପଙ୍ଗୁ ପାହାଡ଼ ଚଢ଼ିପାରିବ ଏବଂ ମୂକ ମଧ୍ୟ ବାଗ୍ମୀ ପରି ଭାଷଣ ଦେଇପାରିବ। ଗତ ୨୬ ତାରିଖରେ ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଯାହା ଘଟିଗଲା ତା’କୁ ଦେଖିବା ପରେ ଏ କଥାର ଯଥାର୍ଥତା ଆଉ ଥରେ ଅନୁଭବ କରି ହେଉଛି। ତେବେ ବ୍ୟାବହାରିକତା ଏବଂ ବାସ୍ତବତା ଦୃଷ୍ଟିରୁ ଏଠାରେ ପରମାନନ୍ଦଙ୍କ କୃପା ବଦଳରେ ବିଜ୍ଞାନ ଓ ବୈଷୟିକ କୌଶଳର କୃପା ବୋଲି ପଢ଼ିବା ଯଥାର୍ଥ ହେବ।
ଗତ ଛବିଶ ତାରିଖରେ ଉଚ୍ଚତମ ନ୍ୟାୟାଳୟର ଇତିହାସରେ ପ୍ରଥମ ଥର ପାଇଁ ଶ୍ରବଣଶକ୍ତି ହରାଇ ବସିଥିବା ଆଡ୍‌ଭୋକେଟ, ସୁଶ୍ରୀ ସାରହା ସନ୍ନି ଗୋଟିଏ ମୋକଦ୍ଦମା ଲଢ଼ିଥିଲେ। ମାନବିକ ଅଧିକାର ପାଇଁ ଲଢୁଥିବା ସଂଗଠନ ସହ ସଂପୃକ୍ତ ସାରହା ଯେଉଁ ମୋକଦ୍ଦମାଟି ଲଢୁଥିଲେ ତାହା ମଧ୍ୟ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ସମ୍ବନ୍ଧୀୟ ମାମଲା ଥିଲା। ସାରହାଙ୍କ ପକ୍ଷରୁ ‘ଆଡ୍‌ଭୋକେଟ ଅନ୍‌ ରେକର୍ଡ’ ସଂଚିତା ଅଏନ ମୁଖ୍ୟ ବିଚାରପତିଙ୍କୁ ଏ କଥା ଜଣାଇ ସାରହାଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଜଣେ ଇଣ୍ଟରପ୍ରିଟରଙ୍କୁ ଅନୁମତି ଦେବା ପାଇଁ ପ୍ରାର୍ଥନା କରିବା କ୍ଷଣି ମୁଖ୍ୟ ବିଚାରପତି ଏହି ଅନୁମତି ଦେଇଥିଲେ। ତେବେ ମୁଖ୍ୟ ବିଚାରପତିଙ୍କ ଅନୁମୋଦନ ହୁଏତ ଶେଷ ପର୍ଯ୍ୟନ୍ତ ସଫଳ ହୋଇପାରିନଥାନ୍ତା; କାରଣ ‘ଅନ୍‌ଲାଇନ୍‌ ଶୁଣାଣି’ ବ୍ୟବସ୍ଥାର ପରିଚାଳନା ଦାୟିତ୍ବ ବୁଝୁଥିବା ସୁପ୍ରିମ୍‌ କୋର୍ଟର ବୈଷୟିକ ବିଭାଗ ଏଥିଲାଗି ପ୍ରାଥମିକ କୁଣ୍ଠା ପ୍ରଦର୍ଶନ କରିଥିଲା। ମାତ୍ର ମୁଖ୍ୟ ବିଚାରପତିଙ୍କ ସମ୍ବେଦନଶୀଳତା ଏବଂ ଆଗ୍ରହ ଏହି ଅନ୍ତରାୟକୁ ଅତିକ୍ରମ କରିବା କ୍ଷେତ୍ରରେ ସହାୟକ ହୋଇଥିଲା ଏବଂ ଉଚ୍ଚତମ ନ୍ୟାୟାଳୟର କାର୍ଯ୍ୟ ଧାରାରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇ ଯାଇଥିଲା। କେବଳ ସେତିକି ନୁହେଁ, ଏହା ସହ ଦେଶର ମୁଖ୍ୟ ବିଚାରପତି ଦାୟିତ୍ବ ଗ୍ରହଣ କରିବା ବେଳେ ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼ ଯାହା କହିଥିଲେ ତାହାର ସତ୍ୟତା ମଧ୍ୟ ପ୍ରମାଣିତ ହେଲା। ସେତେବେଳେ ସେ କହିଥିଲେ, ‘‘ମୋ’ କଥା ନୁହେଁ, ମୋର କାମ ହିଁ ମୋ ପରିଚୟ’’। ଆଡ୍‌ଭୋକେଟ ସାରହାଙ୍କୁ ମୋକଦ୍ଦମା ଲଢ଼ିବା ପାଇଁ ଅନୁମତି ମିଳିବା କ୍ଷଣି ନ୍ୟାୟାଳୟର କାର୍ଯ୍ୟଧାରା ସମ୍ବନ୍ଧରେ ତାଙ୍କୁ ସବୁ କଥା ସାଙ୍କେତିକ ଭାଷା ଯୋଗେ ତାଙ୍କର ଇଣ୍ଟରପ୍ରିଟର ସୌରଭ ଚୌଧୁରୀ ବୁଝାଇ ଦେଇଥିଲେ। ତାଙ୍କର ସେହି ବୁଝେଇବାର ଶୈଳୀ ଏତେ ସ୍ବଚ୍ଛନ୍ଦ ଓ କ୍ଷିପ୍ର ଥିଲା ଯେ ତାହାକୁ ପ୍ରଶଂସା ନକରି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ରହିପାରିନଥିଲେ। ଏହି ଗୋଟିକ ଘଟଣା ପ୍ରମାଣିତ କରିଛି ଯେ ଶାରୀରିକ ଦୁର୍ବଳତା ଆଦୌ ଏକ ପ୍ରତିବନ୍ଧକ ନୁହେଁ, ଏପରି ଦୁର୍ବଳତା ଥିବା ବ୍ୟକ୍ତିମାନଙ୍କୁ ବୈଷୟିକ ସୁବିଧା ଯୋଗାଇ ଦେଇପାରିଲେ ସେମାନେ ନିଜର ମେଧା ଓ ଦକ୍ଷତା ପ୍ରମାଣିତ କରିପାରିବେ। ସାରହାଙ୍କ ପୂର୍ବରୁ ୨୦୧୧ ମସିହାରେ ଆଡ୍‌ଭୋକେଟ ସନ୍ତୋଷ କୁମାର ରୁଙ୍ଗ୍‌ଟା ଦେଶର ପ୍ରଥମ ଶାରୀରିକ ଭିନ୍ନକ୍ଷମ ଆଡ୍‌ଭୋକେଟ ଭାବରେ ଦିଲ୍ଲୀ ହାଇକୋର୍ଟରେ ପଞ୍ଜୀକୃତ ହୋଇଥିଲେ। ବସ୍ତୁତଃ ତାଙ୍କର ଉଦାହରଣ ହିଁ ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼ଙ୍କୁ ଏ କ୍ଷେତ୍ରରେ ଅଧିକ ଅଗ୍ରସର ହେବା ପାଇଁ ଉତ୍ସାହ ଦେଇଥିଲା, କାରଣ ଆଡ୍‌ଭୋକେଟ ରୁଙ୍ଗ୍‌ଟାଙ୍କୁ ମୁଖ୍ୟ ବିଚାରପତି କେତେକ କାର୍ଯ୍ୟ ଦେଇ ତାଙ୍କର ଦକ୍ଷତାର ପ୍ରମାଣ ପାଇଥିଲେ। ଉଚ୍ଚ ନ୍ୟାୟାଳୟ ପରେ ସାରହା ସନ୍ନି ଏବେ ଉଚ୍ଚତମ ନ୍ୟାୟାଳୟରେ ନିଜର ଯୋଗ୍ୟତା ପ୍ରମାଣିତ କରିପାରିଲେ।
ଦିଲ୍ଲୀ ସେଣ୍ଟ୍‌ ଯୋସେଫ୍‌ ଆଇନ କଲେଜର ଛାତ୍ରୀ ସାରହା ସନ୍ନି ନିଜର ଅସୀମ ଧୈର୍ଯ୍ୟ, ଆତ୍ମବିଶ୍ବାସ ଏବଂ ଦକ୍ଷତା ପାଇଁ ଭାରତୀୟମାନଙ୍କ ମଥା ଗର୍ବରେ ଉଚ୍ଚ କରିଥିବା ବେଳେ ସେହିଦିନ ବିହାରର ଆଉ ଜଣେ ନିର୍ଦ୍ଦୟ ବ୍ୟକ୍ତି ତା’ର ଲଜ୍ଜାଜନକ ଆଚରଣ ଯୋଗୁଁ ଆମର ମଥାକୁ ଲଜ୍ଜାରେ ତଳକୁ କରି ଦେଇଛି। ଦୁର୍ଭାଗ୍ୟର କଥା ହେଉଛି, ପୁରୁଷ ପ୍ରଧାନ ଆମ ଦେଶରେ ଏଭଳି ଘଟଣା ବାରମ୍ବାର ଘଟି ଚାଲିଥିଲେ ସୁଦ୍ଧା ଆଇନ ଓ ପୁଲିସ ବ୍ୟବସ୍ଥା ଏହାର ନିୟନ୍ତ୍ରଣ କ୍ଷେତ୍ରରେ ଆଦୌ ସମର୍ଥ ହୋଇନାହିଁ। ବିହାରର ଖୁସନାପୁର ଥାନାର ଜଣେ ଦଳିତ ମହିଳାଙ୍କୁ ତାଙ୍କ ଘରୁ ଉଠେଇ ନେଇ ପ୍ରମୋଦ ସିଂହ ନାମକ ଜଣେ ବ୍ୟକ୍ତି ଚରମ ଅପମାନ ଦେଇଥିଲା। ଭଦ୍ର ମହିଳାଙ୍କୁ ଉଲଗ୍ନ କରି ତାଙ୍କୁ ହୃଦୟହୀନ ଭାବରେ ବାଡ଼ିଆପିଟା କରିବା ପରେ ଏହି ସିଂହ ସାଙ୍ଗିଆଧାରୀ ‘ଶୃଗାଳ’ର ପୁତ୍ର ଭଦ୍ର ମହିଳାଙ୍କ ଉପରେ ପରିସ୍ରା କଲା ଭଳି ଅମାନବିକ ଅପରାଧ ଘଟାଇଥିଲା। ଦୁର୍ବୃତ୍ତମାନଙ୍କ କବଳରୁ କୌଣସି ମତେ ଜୀବନ ବଞ୍ଚେଇ ଫେରିବା ପରେ ଭଦ୍ର ମହିଳା ଜଣକ ପୁଲିସରେ ଏଫ୍‌ଆଇଆର୍‌ ଦେଇଥିଲେ। ଦୁର୍ଭାଗ୍ୟର କଥା ହେଉଛି, ଏତେ ସବୁ ଘଟଣା ଘଟିଛି ମାତ୍ର ପନ୍ଦର ଶହ ଟଙ୍କା ପାଇଁ ଯାହା ସେ ଭଦ୍ର ମହିଳା ସୁଧ ସହ ପରିଶୋଧ କରି ଦେଇଥିବା କଥା କହିଛନ୍ତି। ଏହି ଅଘଟଣର ବିବରଣୀ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇବା ପରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଅପରାଧୀମାନଙ୍କୁ ଛଡ଼ାଯିବ ନାହିଁ। ମାତ୍ର ତାଙ୍କର ପ୍ରତିଶ୍ରୁତି ଠାରୁ ବଡ଼ ପ୍ରଶ୍ନ ହେଉଛି ପ୍ରମୋଦ ସିଂହ ଠାରୁ ଧମକ ପାଇବା ପରେ ସେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ ଓ ପୁଲିସ ମଧ୍ୟ ସିଂହକୁ ଡାକି ପଠେଇଥିଲେ। ମାତ୍ର ଥାନାରୁ ଫେରିବା ପରେ ସେ ଅଧିକ ଉତ୍‌କ୍ଷିପ୍ତ ହୋଇ ଭଦ୍ରମହିଳାଙ୍କୁ ଘରୁ ଉଠେଇ ନେଇ ଏ ପ୍ରକାର ନିର୍ଯାତନା ଦେଇଥିଲା। ପୁଲିସ ଯଦି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ଅପରାଧୀକୁ ଅଟକ ରଖିଥାନ୍ତା ଓ ଅଭିଯୋଗକାରିଣୀଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେଇଥାଆନ୍ତା ତାହାହେଲେ ଏଭଳି ଘଟଣା ଘଟିନଥା’ନ୍ତା।
ଗୋଟିଏ ପଟେ ଆମ ଦେଶର ନାମ ଇଣ୍ଡିଆ ‌ରହିବ ନା ଭାରତ ରହିବ ସେ ନେଇ ବୌଦ୍ଧିକ ବିତର୍କ ଚାଲିଛି। ଅନ୍ୟପଟେ ଆମର ଶାରୀରିକ ଭିନ୍ନକ୍ଷମ ଯୁବକଯୁବତୀ ନୂଆ ଇତିହାସ ସୃଷ୍ଟି କରିବା ଲାଗି ନିଜର ମନପ୍ରାଣ ଢାଳି ଦେଉଛନ୍ତି; ଅଥଚ ଆଉ ଗୋଟିଏ ପଟେ କିଛି ନିର୍ମମ, ଅହଙ୍କାରୀ ବ୍ୟକ୍ତି ଆବେଗଶୂନ୍ୟ ପୁଲିସ ବିଭାଗର ଉଦାସୀନତାର ସୁଯୋଗ ନେଇ ଏ ଦେଶର ସାଧାରଣ ଲୋକଙ୍କୁ ନିର୍ଯାତନା ଦେଇ ଚାଲିଛନ୍ତି। ଏ ଧରଣର ଲଜ୍ଜାଜନକ ଘଟଣା ଇଣ୍ଡିଆ ହେଉ କି ଭାରତ କାହାରି ପାଇଁ ଗ୍ରହଣୀୟ ନୁହେଁ।