ମସ୍ତିଷ୍କ ଭିତରେ ସଂଘଟିତ ପ୍ରକ୍ରିୟାମାନ - ମନେ ରଖିବା, ମନେ ପକାଇବା, ହିସାବ କରିବା, ଇତ୍ୟାଦି - ଯଦି ମସ୍ତିଷ୍କ ବାହାରେ ମଧ୍ୟ ସଂଘଟିତ ହେଉଥାନ୍ତି, ତେବେ ବ୍ୟକ୍ତିର ମସ୍ତିଷ୍କ କେବଳ ତା’ର ଖପୁରି ମଧ୍ୟରେ ସୀମାବଦ୍ଧ ହୋଇ ନ ରହି, ତା’ ହାତରେ ଥିବା ସ୍ମାର୍ଟ ଫୋନ୍ କିମ୍ବା କୋଳରେ ଥିବା ଲ୍ୟାପ୍ଟପ୍ ପର୍ଯ୍ୟନ୍ତ ସଂପ୍ରସାରିତ ବୋଲି କହିବା ଯଥାର୍ଥ ହେବ ନାହିଁ କି? ‘ଏଆଇ’ର ଆବିର୍ଭାବ ପରେ ଏହି ସଂପ୍ରସାରଣର ସମ୍ଭାବନା ସୀମାହୀନ ହୋଇଯାଇ ନାହିଁ କି? ତା’ ହେଲେ ଆମ ପିଲାମାନଙ୍କର ମସ୍ତିଷ୍କର କ୍ଷମତା ସୀମିତ ହୋଇଥିଲେ ମଧ୍ୟ, ସେମାନଙ୍କୁ ଯଦି ‘ଏଆଇ’ ପ୍ରୟୋଗରେ ଉପଯୁକ୍ତ ତାଲିମ ଦିଆଯାଏ, ଏହି ସଂପ୍ରସାରିତ ମସ୍ତିଷ୍କ ବ୍ୟବହାର କରି ସେମାନେ ବିଭିନ୍ନ କ୍ଷେତ୍ରରେ ଚମକପ୍ରଦ ଫଳ କାହିଁକି ପ୍ରଦର୍ଶନ ନ କରି ପାରିବେ? ଏକ ଅଗ୍ରଣୀ ଡିଜିଟାଲ୍ ଦେଶ ରୂପେ ଭାରତ ଏ ଆହ୍ବାନକୁ ତୁରନ୍ତ ଗ୍ରହଣ କରିବା ଉଚିତ ହେବ।
ଶିକ୍ଷା କ୍ଷେତ୍ରରେ ସକ୍ରିୟ ଥିବା ଅନ୍ୟତମ ପ୍ରମୁଖ ଏନ୍ଜିଓ ‘ପ୍ରଥମ’ ଦ୍ବାରା ନିକଟରେ ପ୍ରକାଶିତ ‘ଆନୁଆଲ୍ ଷ୍ଟାଟସ୍ ଅଫ୍ ଏଜୁକେସନ୍ ରିପୋର୍ଟ’ (‘ଏସର୍’) ଭାରତର ଗ୍ରାମାଞ୍ଚଳରେ ପିଲାମାନଙ୍କର ସ୍କୁଲ ଶିକ୍ଷା ସମ୍ବନ୍ଧରେ ଯେଉଁ ଚିତ୍ର ପ୍ରଦାନ କରିଥାଏ, ତାହାକୁ ମିଶ୍ରିତ ଶ୍ରେଣୀର ବୋଲି କୁହାଯାଇ ପାରିବ। ଦେଶର ୨୬ଟି ରାଜ୍ୟର ୨୮ଟି ଗ୍ରାମ୍ୟ ଜିଲ୍ଲାରେ ୧୪-୧୮ ବୟସସୀମା ମଧ୍ୟସ୍ଥ ପିଲାମାନଙ୍କୁ କେନ୍ଦ୍ର କରି ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରୁ ଯେଉଁ ସର୍ବାଧିକ ସନ୍ତୋଷଜନକ ସୂଚନା ଉପଲବ୍ଧ ହୋଇଥାଏ, ତାହା ହେଲା, ବର୍ତ୍ତମାନ ଭାରତରେ ସର୍ବକାଳୀନ ସର୍ବାଧିକ ସଂଖ୍ୟକ ପିଲା ସର୍ବକାଳୀନ ସର୍ବାଧିକ ସମୟ ପାଇଁ ସ୍କୁଲରେ ଶିକ୍ଷା ଲାଭ କରୁଛନ୍ତି, ଅର୍ଥାତ୍ ସ୍କୁଲ ଯାଉଛନ୍ତି।
କୋଭିଡ୍ ପାଣ୍ଡେମିକ୍ ସମୟରେ ସ୍କୁଲ ଶିକ୍ଷା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା ପୃଷ୍ଠଭୂମିରେ ଏହି ଆବିଷ୍କାର ବେଶ୍ ଆଶ୍ବସ୍ତିଜନକ ହୋଇଥାଏ, କାରଣ ଏଥିରୁ ପ୍ରମାଣିତ ହୋଇଥାଏ ଯେ କୋଭିଡ୍ ଭାରତୀୟ ଛାତ୍ରଛାତ୍ରୀମାନଙ୍କର ସ୍କୁଲ ଯିବା ଅଭ୍ୟାସକୁ ଧ୍ବଂସ କରିବାରେ ବିଫଳ ହୋଇଛି; ବରଂ ପିଲାମାନେ ସେ ସମୟର କ୍ଷତି ଭରଣା କରିବା ପାଇଁ ଅଧିକ ସଂଖ୍ୟାରେ ଅଧିକ ସମୟ ସ୍କୁଲରେ ବିତାଉଛନ୍ତି। ଶିକ୍ଷା ପ୍ରତି ପିତାମାତାମାନେ ପ୍ରଦାନ କରୁଥିବା ସର୍ବୋଚ୍ଚ ଗୁରୁତ୍ବର ଏକ ସୂଚକ ସ୍ବରୂପ ରିପୋର୍ଟରେ ଦର୍ଶାଯାଇଛି ଯେ ଗ୍ରାମାଞ୍ଚଳରେ ପ୍ରାୟ ୮୭ ଶତାଂଶ ପିଲା ସ୍କୁଲରେ ନାମ ଲେଖାଇଛନ୍ତି। ଅବଶ୍ୟ ଏ ବାବଦରେ ଯେଉଁ ପରିସଂଖ୍ୟାନ ଆଦର୍ଶ ହେବା ଉଚିତ, ତାହା ହେଉଛି, ୧୦୦ ଶତାଂଶ; ତେଣୁ ଏଥିରେ ଆହୁରି ଉନ୍ନତି ହାସଲ ପାଇଁ ସୁଯୋଗ ରହିଛି।
ଭାରତ ଡିଜିଟାଲ୍ ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରରେ ପୃଥିବୀର ଏକ ଅଗ୍ରଣୀ ଦେଶ ରୂପେ ଆନ୍ତର୍ଜାତିକ ମର୍ଯ୍ୟାଦା ଲାଭ କରିଛି। ଏହାକୁ ସାବ୍ୟସ୍ତ କରିବା ଭଳି ରିପୋର୍ଟଟି ଆବିଷ୍କାର କରିଛି ଯେ ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ ପରିବାରମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ପରିବାରରେ ସ୍ମାର୍ଟ ଫୋନ୍ ଉପଲବ୍ଧ ଅଛି ଏବଂ ପରିବାରର ସଦସ୍ୟମାନଙ୍କୁ ଏହାର ବ୍ୟବହାର କୌଶଳ ମଧ୍ୟ ଜଣା ଅଛି। ଅବଶ୍ୟ ଏଥିରେ ଏକ ସାମାନ୍ୟ ଲିଙ୍ଗଗତ ଫରକ୍ ପରିଲକ୍ଷିତ ହୋଇଥାଏ- ନାରୀମାନଙ୍କ ତୁଳନାରେ ପୁରୁଷମାନେ ସାମାନ୍ୟ ଅଧିକ ଅନୁପାତରେ ସ୍ମାର୍ଟ ଫୋନ୍ର ବ୍ୟବହାରରେ ପଟୁତା ପ୍ରଦର୍ଶନ କରିଥାନ୍ତି। କୋଭିଡ୍ ଜନିତ ଲକ୍ଡାଉନ୍ ସମୟରେ ଯେତେବେଳେ ଶ୍ରେଣୀଗୃହ ଶିକ୍ଷାଦାନ ସମ୍ଭବ ହେଲା ନାହିଁ ଓ ଅନ୍-ଲାଇନ୍ ଶିକ୍ଷାଦାନ ଦ୍ବାରା ସେହି ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଚେଷ୍ଟା କରାଯାଇଥିଲା, ସ୍ମାର୍ଟ ଫୋନ୍ର ଏଭଳି ବ୍ୟାପକ ଉପଲବ୍ଧି ନିଶ୍ଚିତ ରୂପେ ସେଥିରେ ସହାୟକ ହୋଇଥିଲା।
ପରିମାଣାତ୍ମକ ମାପକାଠିରେ ରିପୋର୍ଟଟି ବହନ କରୁଥିବା ସୂଚନା ଏପରି ପ୍ରଭାବଶାଳୀ ମନେ ହେଉଥିଲେ ହେଁ ଗୁଣାତ୍ମକ ମାପକାଠି ପ୍ରୟୋଗ କଲେ ଏହି ପ୍ରଭାବ କିନ୍ତୁ ମଳିନ ପଡ଼ିଯିବା ଭଳି ଲାଗିଥାଏ। ଅଧିକାଂଶ ପିଲାମାନେ ସେମାନଙ୍କ ବୟସ ଅନୁସାରେ ଯେଉଁଭଳି ଶିକ୍ଷଣ ବ୍ୟୁତ୍ପତ୍ତି ପ୍ରଦର୍ଶନ କରିବା କଥା, ତା’ ଠାରୁ ପଛରେ ପଡ଼ିଥିବା ଦେଖାଯାଇଛି। ଏପରିକି ୧୪-୧୮ ବର୍ଷ ବୟସର ପିଲାମାନେ ପ୍ରଦର୍ଶନ କରିଥିବା ଶିକ୍ଷଣ ସ୍ତର ଦ୍ବିତୀୟ ବା ତୃତୀୟ ଶ୍ରେଣୀ ପିଲାମାନଙ୍କ ଠାରୁ ଆଶା କରାଯାଉଥିବା ସ୍ତର ଠାରୁ ମଧ୍ୟ ତଳେ ଥିଲା। ମାତ୍ର ପ୍ରାୟ ଏକ-ଚତୁର୍ଥାଂଶ ପିଲା ନିଜ ଭାଷାରେ କୌଣସି ପାଠ ସାବଲୀଳ ଭାବରେ ପଢ଼ି ପାରିଥିଲେ। ପ୍ରାୟ ୪୨ ଶତାଂଶରୁ ଅଧିକ ପିଲା ସରଳ ଇଂରେଜୀ ବାକ୍ୟମାନ ପଢ଼ି ପାରି ନ ଥିଲେ। ଅଧାରୁ ଅଧିକ ପିଲା ସରଳ ହରଣ ସମାଧାନ କରିପାରି ନ ଥିଲେ।
ଶିକ୍ଷଣରେ ଏଭଳି ପଛରେ ପଡ଼ିଥିବା ସତ୍ତ୍ବେ ଅଧିକାଂଶ କିଶୋରକିଶୋରୀ ଦ୍ବାଦଶ ଶ୍ରେଣୀ ପରେ ଅଧିକ ଶିକ୍ଷା ଲାଭ କରିବା ନିମିତ୍ତ ନିଜର ଆକାଙ୍କ୍ଷା ପ୍ରକାଶ କରିଥିଲେ। ବାଳକାମାନେ ଭବିଷ୍ୟତରେ ସେନାବାହିନୀ, ପୁଲିସ କିମ୍ବା ଇଞ୍ଜିନିଅରିଙ୍ଗ୍କୁ ବୃତ୍ତି ରୂେପ ପସନ୍ଦ କରନ୍ତି ବୋଲି ପ୍ରକାଶ କରିଥିବା ବେଳେ ବାଳିକାମାନେ ଅଧ୍ୟାପନା, ଡାକ୍ତରୀ କିମ୍ବା ନର୍ସିଙ୍ଗ୍ ଆଦିକୁ ନିଜର ପସନ୍ଦର ବୃତ୍ତି ରୂେପ ପ୍ରକାଶ କରିଥିଲେ। ସେମାନଙ୍କର ଏଭଳି ଉଚ୍ଚାଶା ସ୍ବାଗତଯୋଗ୍ୟ ହୋଇଥିଲେ ହେଁ, ସେମାନେ ଶିକ୍ଷଣରେ ପ୍ରଦର୍ଶନ କରିଥିବା ନିରାଶାଜନକ ଫଳାଫଳ ଏହାକୁ ପୂରଣ କରିବାରେ ସହାୟକ ହେବ ନାହିଁ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକଯୁବତୀ ସ୍ବଳ୍ପ ପାରିଶ୍ରମିକ ବହନ କରୁଥିବା, ସ୍ବଳ୍ପ ଦକ୍ଷତା ଆବଶ୍ୟକ କରୁଥିବା ଅସ୍ଥାୟୀ ବୃତ୍ତିରେ ନିୟୋଜିତ ହେବେ କିମ୍ବା କୃଷି କ୍ଷେତ୍ରରେ ଜୀବିକା ଅର୍ଜନ କରିବାକୁ ଚେଷ୍ଟା କରିବେ। ଯେହେତୁ ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ ବାଳକମାନଙ୍କ ମଧ୍ୟରୁ ପ୍ରାୟ ୪୦ ଶତାଂଶ ପରିବାରର କୃଷି କ୍ଷେତ୍ରରେ ନିୟୋଜିତ ହେବା ଜଣାଯାଇଛି, ସେମାନେ ଶେଷରେ ସେଇଠାରେ ହିଁ ଆଶ୍ରୟ ନେବାର ଦୃଢ଼ ସମ୍ଭାବନା ରହିଛି। କୃଷି-ଆୟରେ ଯେଉଁଭଳି ମନ୍ଥର ହାରରେ ବୃଦ୍ଧି ଘଟିବା ଦେଖାଯାଉଛି, ଏମାନଙ୍କ ପାଇଁ ତାହା ଏକ ଅର୍ଥନୈତିକ ଦୃଷ୍ଟିରୁ ସ୍ବଚ୍ଛଳ ଭବିଷ୍ୟତର ସୂଚନା ବହନ କରି ନ ଥାଏ।
ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ ପିଲାମାନଙ୍କ ମଧ୍ୟରୁ ମାତ୍ର ୬ ଶତାଂଶ ପିଲା କୌଣସି ଧନ୍ଦାମୂଳକ ଶିକ୍ଷା ଲାଭ କରିବା ଜଣାପଡ଼ିଥିଲା। ଅନ୍ୟମାନେ ଯେତେବେଳେ ସ୍କୁଲ କଲେଜରୁ ତଥାକଥିତ ଶିକ୍ଷା ସମାପ୍ତ କରି ବାହାରିବେ, ସେତେବେଳେ ସେମାନେ ଉଭୟ ନିଯୁକ୍ତିହୀନ ଓ ନିଯୁକ୍ତି-ଅଯୋଗ୍ୟ ହୋଇଥିବାର ଦୃଢ଼ ସମ୍ଭାବନା ରହିଛି। ଭାରତର ବିଶାଳ ଯୁବବାହିନୀକୁ ଯେପରି ଆମର ଏକ ପ୍ରମୁଖ ଅର୍ଥନୈତିକ ଶକ୍ତି ବା ‘ଜନସଂଖ୍ୟା ଲାଭ’ (‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’) ରୂପେ ବିଚାର କରାଯାଉଛି, ଏହି କାରଣରୁ ତାହା ନ ହୋଇ ସେମାନେ ଅର୍ଥନୀତି ପାଇଁ ଏକ ବୋଝରେ ପରିଣତ ହେବାର ଦୃଢ଼ ସମ୍ଭାବନା ରହିଛି। ଏଭଳି ପରିଣତିକୁ ଟାଳିବା ପାଇଁ ସ୍କୁଲ ସ୍ତରରୁ ପ୍ରାବିଧିକ ଓ ଧନ୍ଦାମୂଳକ ଶିକ୍ଷାକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ ରିପୋର୍ଟରେ ସୁପାରିସ କରାଯାଇଛି।
ଏହାର ଅର୍ଥ ଉତ୍ତମ ମାନର ପ୍ରାବିଧିକ ଶିକ୍ଷାର ପ୍ରସାର ଉପରେ ଦେଶର ଅର୍ଥନୀତିର ଭବିଷ୍ୟତ ନିର୍ଭର କରୁଛି। ବର୍ତ୍ତମାନ ଦୃଶ୍ୟପଟରେ କୃତ୍ରିମ ମେଧା ବା ‘ଏଆଇ’ର ଯେଉଁଭଳି ବିସ୍ଫୋରକ ଆବିର୍ଭାବ ଘଟିବା ଆରମ୍ଭ କରିଛି, ସେ ପରିପ୍ରେକ୍ଷୀରେ ଆମର ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ପରିଲକ୍ଷିତ ଏ କ୍ଷେତ୍ରରେ ଥିବା ଦୁର୍ବଳତାକୁ ପୂରଣ କରିବା ପାଇଁ ଏକ ନୂତନ ସମ୍ଭାବନାର ପରିକଳ୍ପନା କରାଯାଇ ପାରିବ କି? ଆମ ପିଲାମାନେ ସିନା ହରଣ ପ୍ରଶ୍ନର ସମାଧାନ କରିବାରେ ବିଫଳ ହେଉଛନ୍ତି; ସେମାନଙ୍କ ହାତରେ ଥିବା ସ୍ମାର୍ଟ ଫୋନ୍ କିନ୍ତୁ ସଂପୂର୍ଣ୍ଣ ନିର୍ଭୁଲ୍ ଭାବରେ ସେ ପ୍ରଶ୍ନର ତତ୍କ୍ଷଣାତ୍ ସମାଧାନ କରିଦେଇ ପାରୁନାହିଁ କି? ଏହା ଏକ ଚମକପ୍ରଦ ଦାର୍ଶନିକ ସମ୍ଭାବନାକୁ ଜନ୍ମ ଦେଇଥାଏ। ଅନେକ ବର୍ଷ ତଳେ ୧୯୯୮ରେ ଆଣ୍ଡି ବ୍ଲାର୍କ ଓ ଡେଭିଡ୍ ଚାମର୍ସ ନାମକ ଦାର୍ଶନିକ ଦ୍ବୟ ପ୍ରକାଶ କରିଥିବା ସେମାନଙ୍କର ରଚନା ‘ଦି ଏକ୍ସଟେନ୍ଡେଡ୍ ମାଇଣ୍ଡ୍’ (‘ସଂପ୍ରସାରିତ ମସ୍ତିଷ୍କ’)ରେ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଥିଲେ ଯେ ଆଜିର ସ୍ମାର୍ଟ ଫୋନ୍ ଭଳି ସାଧନମାନ ହେଉଛନ୍ତି ମନୁଷ୍ୟର ମସ୍ତିଷ୍କର ସଂପ୍ରସାରଣ ଭଳି। ମସ୍ତିଷ୍କ ଭିତରେ ସଂଘଟିତ ପ୍ରକ୍ରିୟାମାନ - ମନେ ରଖିବା, ମନେ ପକାଇବା, ହିସାବ କରିବା, ଇତ୍ୟାଦି - ଯଦି ମସ୍ତିଷ୍କ ବାହାରେ ମଧ୍ୟ ସଂଘଟିତ ହେଉଥାନ୍ତି, ତେବେ ବ୍ୟକ୍ତିର ମସ୍ତିଷ୍କ କେବଳ ତା’ର ଖପୁରି ମଧ୍ୟରେ ସୀମାବଦ୍ଧ ହୋଇ ନ ରହି, ତା’ ହାତରେ ଥିବା ସ୍ମାର୍ଟ ଫୋନ୍ କିମ୍ବା କୋଳରେ ଥିବା ଲ୍ୟାପ୍ଟପ୍ ପର୍ଯ୍ୟନ୍ତ ସଂପ୍ରସାରିତ ବୋଲି କହିବା ଯଥାର୍ଥ ହେବ ନାହିଁ କି? ‘ଏଆଇ’ର ଆବିର୍ଭାବ ପରେ ଏହି ସଂପ୍ରସାରଣର ସମ୍ଭାବନା ସୀମାହୀନ ହୋଇଯାଇ ନାହିଁ କି? ତା’ ହେଲେ ଆମ ପିଲାମାନଙ୍କର ମସ୍ତିଷ୍କର କ୍ଷମତା ସୀମିତ ହୋଇଥିଲେ ମଧ୍ୟ, ସେମାନଙ୍କୁ ଯଦି ‘ଏଆଇ’ ପ୍ରୟୋଗରେ ଉପଯୁକ୍ତ ତାଲିମ ଦିଆଯାଏ, ଏହି ସଂପ୍ରସାରିତ ମସ୍ତିଷ୍କ ବ୍ୟବହାର କରି ସେମାନେ ବିଭିନ୍ନ କ୍ଷେତ୍ରରେ ଚମକପ୍ରଦ ଫଳ କାହିଁକି ପ୍ରଦର୍ଶନ ନ କରି ପାରିବେ? ଏକ ଅଗ୍ରଣୀ ଡିଜିଟାଲ୍ ଦେଶ ରୂପେ ଭାରତ ଏ ଆହ୍ବାନକୁ ତୁରନ୍ତ ଗ୍ରହଣ କରିବା ଉଚିତ ହେବ। ଏଭଳି ମୁକ୍ତ ମସ୍ତିଷ୍କଧାରୀମାନେ ହିଁ ହୋଇପାରନ୍ତି ଭବିଷ୍ୟତରେ ଆମର ଅସଲ ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’।