ଗଲା ସପ୍ତାହକ ମଧ୍ୟରେ ଆମ ଦେଶରେ ଘଟିଥିବା ଅନ୍ତତଃ ଦୁଇଟି ଘଟଣା ଅତି ସାଧାରଣ ବୋଧ ହେଉଥିଲେ ସୁଦ୍ଧା ରାଜନୀତିରେ କ୍ୟାରିଅର ଗଢ଼ିବାକୁ ଚାହୁଁଥିବା ପ୍ରତିଭାସଂପନ୍ନ ତରୁଣମାନଙ୍କ ସକାଶେ ବିଶେଷ ‘କୋଚିଂ’ ତୁଲ୍ୟ ବୋଧ ହୋଇପାରେ! ନିର୍ବାଚନଭିତ୍ତିକ ରାଜନୀତିରେ ଅହେତୁକ ଆସ୍ଫାଳନ, ଉଚ୍ଚାଟିତ ଭାଷଣ, ଅବାଧ ପ୍ରତିଶ୍ରୁତିର ଘମାଘୋଟ ପରିବେଶରେ ଏହି ଘଟଣାଦ୍ବୟ ସୂକ୍ଷ୍ମ କୌଶଳ ଭଳି ଦିଶିଥାଏ, ଯାହାକୁ ରାଜନୈତିକ ‘ମାଷ୍ଟର ଷ୍ଟ୍ରୋକ୍‌’ ରୂପେ ମଧ୍ୟ ଅଭିହିତ କରାଯାଇପାରେ। ସୁତରାଂ, ଏହି ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହା ସୁବିଦିତ ଯେ ଗଲା ସପ୍ତାହକ ମଧ୍ୟରେ ଭାରତୀୟମାନଙ୍କୁ ସର୍ବାଧିକ ଭାବାପ୍ଳୁତ କରିଥିବା ବିଷୟଟି ଥିଲା ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିରରେ ‘ଶ୍ରୀରାମ ଲଲା’ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ, ଯାହା ପଛରେ ରାଜନୈତିକ ଉଦ୍ଦେଶ୍ୟ ନିହିତ ଥିଲେ ସୁଦ୍ଧା ଏହି ଉତ୍ସବ ଦ୍ବାରା ସୃଷ୍ଟ ଆବେଗ ରାଜନୈତିକ ଆନୁଗତ୍ୟ ନିର୍ବିଶେଷରେ ପ୍ରାୟ ସମସ୍ତ ଭାରତୀୟ ହିନ୍ଦୁଙ୍କ ହୃଦୟ ସ୍ପର୍ଶ କରିଥିଲା। କିନ୍ତୁ ଏହି ପରିପ୍ରେକ୍ଷୀରେ ଏହା ମଧ୍ୟ କୁହାଯାଇପା‌ରେ ଯେ ଷୋଡ଼ଶ ଶତାବ୍ଦୀରେ ମୋଗଲ ଆକ୍ରମଣକାରୀ ବାବରଙ୍କ ଦ୍ବାରା ରାମ ମନ୍ଦିରର ଧ୍ବଂସ ସାଧନ ଓ ବାବରୀ ମସଜିଦ୍‌ର ନିର୍ମାଣ ଠାରୁ ଅାରମ୍ଭ କରି ବିଂଶ ଶତାବ୍ଦୀରେ ବାବରୀ ମସଜିଦର ପତନ ଏବଂ ଏକବିଂଶ ଶତାବ୍ଦୀର ପ୍ରଥମ ଚଉଠରେ ରାମ ମନ୍ଦିରରେ ପୁନଃ ପ୍ରତିଷ୍ଠା ପର୍ଯ୍ୟନ୍ତ ଘଟଣାଚକ୍ର ଭୌଗୋଳିକତା ଦୃଷ୍ଟିରୁ କେବଳ ଉତ୍ତର ଭାରତ ଏବଂ ନିର୍ଦ୍ଦିଷ୍ଟ ଭାବେ କହିଲେ ‘ଉତ୍ତର ପ୍ରଦେଶ’ ଓ ତା’ର ସନ୍ନିକଟ ଅଞ୍ଚଳ ମଧ୍ୟରେ ସୀମିତ ଥିଲା। କିନ୍ତୁ ସମସ୍ତ ପୌରାଣିକ ଆଖ୍ୟାନରୁ ଆରମ୍ଭ କରି ଅସୁମାରି ଦନ୍ତକଥା ପର୍ଯ୍ୟନ୍ତ ସବୁଥିରୁ ଏହା ସନ୍ଦେହାତୀତ ଭାବେ ସ୍ବୀକୃତ ଯେ ଜନ୍ମ ଏବଂ କର୍ମ କ୍ରମରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ‘ପଦଚିହ୍ନ’ ଉତ୍ତର ଭାରତରୁ ପ୍ରାରମ୍ଭ କରି ଦାକ୍ଷିଣାତ୍ୟର ଅନ୍ତିମ ବିନ୍ଦୁ ପର୍ଯ୍ୟନ୍ତ ପଡ଼ିଥିଲା। ଅଯୋଧ୍ୟାରୁ ଦଣ୍ଡକାରଣ୍ୟ (ମଧ୍ୟ ଭାରତ) ଦେଇ ଦକ୍ଷିଣ ଭାରତର ରାମେଶ୍ବରମ (ବର୍ତ୍ତମାନର) ଏବଂ ତା’ ପରେ ସାଗର ଅତିକ୍ରମୀ ଲଙ୍କା ଆକ୍ରମଣ ପର୍ଯ୍ୟନ୍ତ ପ୍ରକ୍ରିୟାରେ ପ୍ରଭୁ ରାମଚନ୍ଦ୍ର ଏକ ଅଖିଳ ଭାରତୀୟ ଉପସ୍ଥିତିର ପ୍ରତୀକ ପୁରୁଷ ଭାବେ ବିଦ୍ୟମାନ। ଏହି ଦୃଷ୍ଟିରୁ ବିଚାର କରି ଶ୍ରୀରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଉଚ୍ଚାଟ ମାଧ୍ୟମରେ ଉତ୍ତର-ଭାରତ ଏବଂ ଦାକ୍ଷିଣାତ୍ୟକୁ ରାଜନୈତିକ ଭାବେ ସଂଯୋଜିତ କରିବାର ସୁଯୋଗ ହାତଛଡ଼ା କରିବାକୁ ସମ୍ଭବତଃ ପ୍ରଧାନମନ୍ତ୍ରୀ ଚାହିଁ ନ ଥିବେ; ଯେଉଁ କାରଣରୁ ‘ପ୍ରାଣ ପ୍ରତିଷ୍ଠା’ ଉତ୍ସବର ଅବ୍ୟବହିତ ପୂର୍ବରୁ ସେ ତାମିଲନାଡୁ ଗସ୍ତ କରି ସେଠାରେ କେତେକ ଆନୁଷଙ୍ଗିକ ଧର୍ମୀୟ ବିଧି ନିର୍ବାହ କରିବା ସହିତ ମର୍ମସ୍ପର୍ଶୀ ଭାଷଣ ମାଧ୍ୟମରେ ଏକ ଉଷ୍ମ ତରଙ୍ଗର ସଂଚାର କରିଥିଲେ। ଏହି ସଂଦର୍ଭରେ ପ୍ରକାଶ ଥାଉ କି ତାମିଲନାଡୁରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ଜନତା ପାର୍ଟି ବିଶେଷ କୌଣସି ପ୍ରଭାବ ସୃଷ୍ଟି କରି ପାରିନାହିଁ। ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକର ଦୃଷ୍ଟିରେ ଭାରତୀୟ ଜନତା ପାର୍ଟି ହିନ୍ଦୀର ପ୍ରାଧାନ୍ୟକୁ ଗୁରୁତ୍ବ ପ୍ରଦାନ କରୁଥିବା ଏକ ଉତ୍ତର-ଭାରତୀୟ ଦଳ ଏବଂ ସେହି କାରଣରୁ ତାହା ସ୍ବାଭାବିକ ଭାବେ ବିଦ୍ବେଷର ପାତ୍ର ଏବଂ ସନ୍ଦେହାସ୍ପଦ ମଧ୍ୟ। ସୁତରାଂ, ଏହି ବ୍ୟବଧାନକୁ ଦୂର କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଏକ ସୂକ୍ଷ୍ମ ରାଜନୈତିକ ଚାତୁର୍ଯ୍ୟର ପ୍ରମାଣ ଦେଇଥାଏ। କେବଳ ସେତିକି ନୁହେଁ, ସନାତନ ଧର୍ମ ଏବଂ ସନାତନୀ ହିନ୍ଦୁମାନଙ୍କ ବିରୋଧରେ ନିକଟ ଅତୀତରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏକାଧିକ ବାର ବିଷୋଦ୍‌ଗାର କରିଛନ୍ତି; ଯାହା ତାଙ୍କ ଦଳ ‘ଡି.ଏମ୍‌.କେ.’ର ରାଜନୈତିକ ଆଦଶର ଅନୁବର୍ତ୍ତୀ ହୋଇପାରେ, କିନ୍ତୁ ଅପର ପକ୍ଷରେ ଅସଂଖ୍ୟ ହିନ୍ଦୁ ଧର୍ମାବଲମ୍ବୀଙ୍କୁ କ୍ଷୁବ୍‌ଧ କରିଥିବା ସ୍ବାଭାବିକ। ସେହି ଦୃଷ୍ଟିରୁ ଅଯୋଧ୍ୟାକୁ ତାମିଲନାଡୁ ସହିତ ଏକ ମାର୍ମିକ ‘ରାମ ସେତୁ’ ମାଧ୍ୟମରେ ଯୋଡ଼ିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଏକ କ୍ଷୁଦ୍ର ପଦକ୍ଷେପ ଭଳି ଦିଶୁଥିଲେ ସୁଦ୍ଧା ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ଏହା ଭାରତୀୟ ଜନତା ପାର୍ଟି ସକାଶେ ଏକ ବୃହତ୍‌ ରାଜନୈତିକ ଲମ୍ଫରେ ପରିଣତ ହୋଇଯାଇପାରେ। ସୁତରାଂ, ଏହା ଏକ ମାଷ୍ଟର ଷ୍ଟ୍ରୋକ୍‌।
ଏବେ ଦ୍ବିତୀୟ ଘଟଣାଟି ଉପରେ ଦୃଷ୍ଟି ନିକ୍ଷେପ କରାଯାଉ; ଯାହା ହେଉଛି ଗଲା ୨୩ ତାରିଖରେ କରାଯାଇଥିବା ଭାରତରତ୍ନ ସମ୍ମାନର ଘୋଷଣା ଏବଂ ଏହାର କାଳ ଓ ପାତ୍ର ସଂଦର୍ଭ। ଅବଶ୍ୟ ଏହା ସତ ଯେ ଭାରତରତ୍ନ ସମ୍ମାନ ଲାଭ କରିବା ସକାଶେ ବିହାରର ଜନନାୟକ ସ୍ବର୍ଗତ କର୍ପୂରୀ ଠାକୁରଙ୍କ ଯୋଗ୍ୟତା ପ୍ରଶ୍ନାତୀତ, କିନ୍ତୁ ସାଧାରଣ ନିର୍ବାଚନର ଅଳ୍ପ କିଛି ଦିନ ପୂର୍ବରୁ (କାଳ) ଏବଂ ‘ଅତ୍ୟନ୍ତ ପଛୁଆ ଜାତି’ ବା ‘ଇ.ବି.ସି.’ ଅନ୍ତର୍ଭୁକ୍ତ ଜଣେ ବ୍ୟକ୍ତିଙ୍କ ନାମର (ପାତ୍ର) ଘୋଷଣା ଅଗତ୍ୟା ବିହାର ମୁଖ୍ୟମନ୍ତ୍ରୀ ତଥା ‘ଜେଡି-ୟୁ’ର ନେତା ନୀତୀଶ କୁମାରଙ୍କୁ ତଟସ୍ଥ କରି ଦେଇଥିବ। କାରଣ ‘ଇ.ବି.ସି.’ ବର୍ଗର ଜନାଧାର ଉପରେ ନୀତୀଶ କୁମାରଙ୍କ ରାଜନୀତି ଅନେକାଂଶରେ ନିର୍ଭରଶୀଳ ଏବଂ ସେ ନିଜକୁ ଏହି ବର୍ଗର ନେତା ରୂପେ ପ୍ରତିଷ୍ଠା କରିବାକୁ ଚାହାନ୍ତି; ଏବେ ସେହି ବର୍ଗର ଆଂଶିକ ସଦିଚ୍ଛା ଭାରତୀୟ ଜନତା ପାର୍ଟି ନିକଟକୁ ପ୍ରବାହିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ଏହି ପରିପ୍ରେକ୍ଷୀରେ ନୀତୀଶ କୁମାରଙ୍କ ବିଚଳିତବୋଧକୁ ମଧ୍ୟ ବାରି ପାରିଥାଆନ୍ତି, ଯାହା ତାଙ୍କ ‘ଏକ୍‌ସ’ (ପୂର୍ବର ଟ୍ବିଟର) ହ୍ୟାଣ୍ଡେଲର ପ୍ରତିକ୍ରିୟାରୁ ସ୍ପଷ୍ଟ; ଯେମିତି କି ଏହି ଘୋଷଣା ପରେ ନୀତୀଶ କୁମାରଙ୍କ ପ୍ରଥମ ସନ୍ଦେଶ କେବଳ ଆନନ୍ଦ ବ୍ୟକ୍ତ କରିବାରେ ସୀମିତ ଥିବା ବେଳେ କିଛି ସମୟ ପରେ ଦ୍ବିତୀୟ ସନ୍ଦେଶ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲା, ଯାହା ପଛରେ ସାମାନ୍ୟ କୁଣ୍ଠା ଏବଂ ଅଶେଷ ବାଧ୍ୟବାଧକତା ରହିଥିବା ନିଶ୍ଚିତ। ସୁତରାଂ, ସେହି ପର୍ଯ୍ୟବେକ୍ଷକମାନଙ୍କ ମତରେ ନୀତୀଶ କୁମାର ଏଭଳି ଏକ ‘ମାଷ୍ଟର ଷ୍ଟ୍ରୋକ୍‌’ ସକାଶେ ସମ୍ଭବତଃ ପ୍ରସ୍ତୁତ ନ ଥିଲେ! ସେମାନଙ୍କ ମତରେ ଏହା ପରେ ନୀତୀଶ କୁମାରଙ୍କୁ ହୁଏତ ନୂତନ ବ୍ୟାଖ୍ୟାନ ସୃଷ୍ଟି କରିବାକୁ ପଡ଼ିପାରେ, ନଚେତ୍‌ ବିହାରରେ ଭାରତୀୟ ଜନତା ପାର୍ଟି ଏଥିରୁ ଲାଭ ଅମଳ କରିବ। କିନ୍ତୁ ପ୍ରଶ୍ନ ହେଲା, ନୀତୀଶ ସେଭଳି କିଛି ବ୍ୟାଖ୍ୟାନ ସୃଷ୍ଟି କରିବାକୁ ସମର୍ଥ ହେବେ ତ?
ଆସନ୍ତା ସାଧାରଣ ନିର୍ବାଚନର ଫଳାଫଳ ନିର୍ଦ୍ଦିଷ୍ଟ ଭାବେ କ’ଣ ହେବ, ତାହା ତ ସମୟ କହିବ; କିନ୍ତୁ ମୋଟାମୋଟି ଭାବେ ଗୋଟିଏ ବିଷୟ ସ୍ପଷ୍ଟ ଯେ ଭାବମୂର୍ତ୍ତି, ପ୍ରଭାବ ଏବଂ ଗ୍ରହଣୀୟତା ଦୃଷ୍ଟିରୁ ୨୦୧୪ ଏବଂ ୨୦୧୯ ମସିହା ତୁଳନାରେ ସଂପ୍ରତି ନରେନ୍ଦ୍ର ମୋଦୀ ଅଧିକ ଦୃଢ଼ ହୋଇଛନ୍ତି। କ୍ଷମତାସୀନ ହେବାର ଏକ ଦଶନ୍ଧି ମଧ୍ୟରେ ସେ ନିଜକୁ ‘ହିନ୍ଦୁତ୍ବ’ ରାଜନୀତିର ପୁରୋଧା ଭାବେ ପ୍ରତିଷ୍ଠିତ କରିବା ସହିତ ଅପୂର୍ବ ଚାତୁର୍ଯ୍ୟର ପ୍ରମାଣ ଦେଇ କଂଗ୍ରେସର ଅଧିକାର ବଳୟରୁ ଗାନ୍ଧୀ, ସୁଭାଷ ଓ ପଟେଲଙ୍କୁ ନିଜ ପକ୍ଷକୁ ଟାଣି ଆଣିପାରିଛନ୍ତି; ଜାତି-ଭିତ୍ତିକ ରାଜନୀତି ବ୍ୟାପାରରେ ଜାତିବାଦୀ ଦଳଗୁଡ଼ିକର ଚମକ ଆଂଶିକ ଭାବେ ନିଷ୍ପ୍ରଭ କରି ପାରିଛନ୍ତି; ‘ଧର୍ମନିରପେକ୍ଷତା’ ବୋଲି ଏ ଯାବତ୍‌ ଯେଉଁ ବିଚାର ରହି ଆସିଥିଲା, ତାହା ଅଗତ୍ୟା କପଟାଚାର ଏବଂ ସଂଖ୍ୟାଲଘୁ ତୁଷ୍ଟୀକରଣ ରୂପେ ସାବ୍ୟସ୍ତ କରିପାରିଛନ୍ତି; ଜଣେ ଏକଛତ୍ରବାଦୀ ନେତା ରୂପେ ଆରୋପ ସତ୍ତ୍ବେ ସେ ଜନପ୍ରିୟ ହୋଇ ରହିପାରିଛନ୍ତି; ଅନେକ ରାଜନୈତିକ ତ୍ରୁଟି ଓ ବିଫଳତା ସତ୍ତ୍ବେ ନିର୍ବାଚନରେ ପୁନର୍ବାର ଜୟଯୁକ୍ତ ହେବାର ସମ୍ଭାବନା ବହନ କରିଛନ୍ତି। ଏହାର କାରଣ ଏଭଳି କିଛି ‘ମାଷ୍ଟର ଷ୍ଟ୍ରୋକ୍‌’ ସମ୍ଭବ କରିବାରେ ତାଙ୍କର ବିଚକ୍ଷଣତା, ଯାହା ଦୂରଦୃଷ୍ଟି ସଂପନ୍ନ ଏବଂ ଅନେକ ତୁଙ୍ଗ ରାଜନେତାଙ୍କ ଠାରେ ଯାହା ଅନୁପସ୍ଥିତ।