ଅଗଷ୍ଟ ୧୬ ତାରିଖ ଦିନ ତା’ ବ୍ୟାଙ୍କକୁ ଆସି ସତ୍ୟେନ୍ଦୁ ଆବିଷ୍କାର କଲା ଯେ ମଦନାର ମୁଡ୍ ଭଲ ନାହିଁ। ନ ହେଲେ, ସବୁବେଳେ ତା’ ମୁହଁରେ ଆକର୍ଣ୍ଣ ପ୍ରସାରିତ ହସଟେ ଝୁଲିଥାଏ। ମଦନା ହେଉଛି ବ୍ୟାଙ୍କର ସୁଇପର୍ କମ୍ ଆଟେଣ୍ଡାଣ୍ଟ୍। ସ୍ବଭାବରେ ସେ ମଉଜିଆ। କେହି ଶୁଣନ୍ତୁ ବା ନ ଶୁଣନ୍ତୁ ଅଗଡ଼ମ୍ ବଗଡ଼ମ୍ କଥା ମାନ ଆପଣାଛାଏଁ ଗପି ଚାଲିଥାଏ ସେ। ଗପି ଗପି ମନକୁ ମନ ହସି ପକାଉଥାଏ ବି।
ସତ୍ୟେନ୍ଦୁ ପଚାରିଲା: କ’ଣ ହେଲା ମଦନା? ଆଜି କାହିଁକି ଏତେ ରାଗୁଚ?
ମଦନା ସତ୍ୟେନ୍ଦୁର କଥା ଶୁଣି ଘଡ଼ିଏ ଅନାଇଲା ତାକୁ। ତା’ ପରେ କହି ଉଠିଲା, ‘ଛାଡ଼ନ୍ତୁ ସାର୍, ଲାଗୁଚି, ମୋ ଲାଇଫ୍ରେ ଟିକେ ଖୁସି ହେବାର ହିଁ ନାହିଁ!’
ମଦନା ସହ ଗୁଡ଼ାଏ ବର୍ଷର ସମ୍ପର୍କ ସତ୍ୟେନ୍ଦୁର। ନିଜ ସହରର ଏଇ ବ୍ରାଂଚ୍ରେ ଏତେ ବର୍ଷ ଧରି ରହି ଆସୁଛି ସେ। ତେଣୁ ସେ ବେଶ୍ ଭଲ ଭାବେ ଜାଣେ ମଦନାକୁ! ଆଗେ ମଦନା ଥିଲା ଅସ୍ଥାୟୀ ସୁଇପର। ଦୈନିକ ମଜୁରି ପାଉଥିଲା କିଛି ଘଣ୍ଟା ଡିଉଟି କରି। ପରେ ପରେ ସ୍ଥାୟୀ ହେବା ସହ ପ୍ରମୋସନ ପାଇଛି। ମଦନା ସବୁ କାମକୁ ପାରିବାର। ସମସ୍ତଙ୍କର ବ୍ୟକ୍ତିଗତ କାମ ବି ବଡ଼ ଆଗ୍ରହର ସହ କରେ, କୌଣସି ଆଶା ନ ରଖି। ସୁତରାଂ ସେ ସଭିଙ୍କ ପ୍ରିୟପାତ୍ର। କିନ୍ତୁ ମଦନା ଯେଉଁଥି ଲାଗି ସହରରେ ଜଣାଶୁଣା ଥିଲା, ତାହା ହେଉଛି ତା’ ଫୁଟ୍ବଲ୍ ଖେଳ। ପିଲା ବେଳୁ ତା’ ମାଆ କାମ କରୁଥିବା ରେଳବାଇ କଲୋନିର ଫୁଟ୍ବଲ୍ ଟିମ୍ରେ ଖେଳୁଥିଲା। ପରେ ଟାଉନ ଟିମ୍ ପକ୍ଷରୁ ବାହାରକୁ ଯାଇ ବି ଖେଳିଲା। ଜଣେ ପାରଙ୍ଗମ ଡିଫେଣ୍ଡର ଭାବେ ବେଶ୍ ନାମ ବି କମାଇଛି। ଏଇନେ ବୟସ ବଢ଼ିଥିଲେ ବି ତା’ କଲୋନି ପିଲାଙ୍କ କୋଚ୍ ହେବା ସହ କେବେ କେବେ ମ୍ୟାଚ୍ରେ ରେଫରି ହେବାକୁ ଯାଉଛି। ତା’ ଛଡ଼ା ସହରର ଭେଟେରାନ୍ ଫୁଟ୍ବଲ୍ ଦଳରେ ଏବେ ସେ ଜଣେ ମେମ୍ବର। ସତ୍ୟେନ୍ଦୁ ଜାଣେ ଯେ ଫୁଟ୍ବଲ୍ ଖେଳକୁ ନେଇ କିଛି ଗଡ଼ବଡ଼ ହୋଇଥିଲେ ମଦନା ରାଗିଯାଏ। କାରଣ, ଫୁଟ୍ବଲ୍ ତା’ର ପ୍ରାଣ।
ସତ୍ୟେନ୍ଦୁ ଯାହା ଭାବିଥିଲା, ତାହା ହିଁ ଠିକ୍ ଥିଲା। କାରଣ ତା’ ପ୍ରଶ୍ନର ଜବାବରେ ମଦନା କହିଲା- ସାର୍, ଆପଣ ତ ଏତେ ବର୍ଷ ହେଲା ମୋତେ ଜାଣିଛନ୍ତି; ମୋ ଗେମ୍ ଦେଖିଛନ୍ତି। ମୋ ଭଳିଆ ଡିଫେଣ୍ଡର ମିଳିବେ କି ସାର୍? ହେଲେ ସେ ଠେଙ୍ଗାଧର କୁନା ଏତେ ଫାଲତୁ ଲୋକ ଯେ ତା’ ଲାଗି ଏ ବର୍ଷ ସବୁ ଗଡ଼ବଡ଼ ହୋଇଗଲା?
ସତ୍ୟେନ୍ଦୁ ପଚାରିଲା: ଏ ଠେଙ୍ଗାଧର କୁନାଟି ଫେର୍ କିଏ? ସିଏ ତମର କ’ଣ କଲା?
ମଦନା କହିଲା- ସିଏ ବି ପିଲା ଦିନେ ଆମ କଲୋନିରେ ରହୁଥିଲା। ଆମ ସାଙ୍ଗେ ଫୁଟ୍ବଲ୍ ଖେଳୁଥିଲା। ହେଲେ, ସବୁବେଳେ ଝଗଡ଼ା କରୁଥିଲା। ତା’ ପରେ ଠେଙ୍ଗା ଧରି ସମସ୍ତଙ୍କୁ ‘ଏ ଚାଲରେ’ ବୋଲି ଡାକିବ ଆଉ ମାରଧର କରିବାକୁ ଉସ୍କେଇବ। ଏଣେ, ସାର୍, ସମସ୍ତଙ୍କୁ ଫସାଇ ନିଜେ ମାତ୍ର ଖସିଯିବ। ତେଣୁ ତାକୁ ସମସ୍ତେ ଡାକନ୍ତି ‘ଠେଙ୍ଗାଧର କୁନା’। ସବୁବେଳେ ସେ ଫାଉଲ୍ ଗେମ୍ ଖେଳିଲା। ତେଣୁ ତାକୁ ଆମେ ଟିମ୍ରୁ କାଢ଼ି ଦେଇଥିଲୁ। ତା’ ପରେ ସେ ଟାଉନ ଟିମ୍ରେ ଯାଇ ଖେଳିଲା। ହେଲେ, ସେଠି ବି ସେଇ ଅବସ୍ଥା। ଆଉ ସେଇ ରାଗ ତା’ର ଆମ ଉପରେ ରହିଯାଇଛି, ସାର୍!’
ସତ୍ୟେନ୍ଦୁ କହିଲା- ହେଲା, ଏବେ ଖୋଲିକି କୁହ ଅସଲ କଥାଟା କ’ଣ?
ମଦନା କହିଲା- ସେ ଠେଙ୍ଗାଧର କୁନା ଏବେ ପଲିଟିକାଲ ହୋଇ ଯାଇଛି। ନେତାମାନଙ୍କ ସାଙ୍ଗରେ ବୁଲୁଚି। ଗଲା କାଲି ଭେଟେରାନଙ୍କ ମ୍ୟାଚ୍ ଆଗରୁ ମିଟିଂ ଥିଲା। ସେ ସେଠି ପହଞ୍ଚି ଗଣ୍ଡଗୋଳ ଲଗାଇଦେଲା ଯେ ନୂଆ ପ୍ଲେୟାରଙ୍କୁ ଚାନ୍ସ ଦିଅ। ହେଲେ, ସାର୍ ନୂଆ ଭେଟେରାନ କିଏ? କୋଉଠୁ ମିଳିବେ? ୟେ ତ ଆମର ହେଲା ଛୋଟ ଟାଉନ୍। ଲୋକ ସିନା ବୁଢ଼ା ହଉଚନ୍ତି, କିନ୍ତୁ ସମସ୍ତେ ଫୁଟ୍ବଲ୍ ଖେଳିବେ କି? ତୁଚ୍ଛା କଥା ନୁହେଁ? ତା’ର ମୂଳ ଲକ୍ଷ୍ୟ ଗଣ୍ଡେଗାଳ କରିବ ଓ ଖେଳ ବନ୍ଦ କରାଇ ଦେବ। କିଏ ଏ ଝାମେଲାରେ ପଶନ୍ତା? ଅଧିକାଂଶ ଭେଟେରାନ୍ ଏଥର ଖେଳିବାକୁ ମନା କଲେ।
ତା’ ପରେ ଟିକିଏ ଅଟକି ଯାଇ ସେ କହିଲା- ସାର୍, କାଲି ମୁଁ କାନ୍ଦି କାନ୍ଦି ଗ୍ରାଉଣ୍ଡ ଛାଡ଼ି ଘରକୁ ଆସିଲି। ଲାଇଫ୍ରେ ଫାଷ୍ଟ ଟାଇମ୍ ଏ ମଦନା ଏତେ ବଡ଼ ଅଗଷ୍ଟ ପନ୍ଦରରେ ଫୁଟ୍ବଲ୍ ନ ଖେଳି ରହିଲା ସାର୍। ଏଥର ଅଭିମାନରେ ତା’ ମୁହଁ ଥମ୍ ଥମ୍ ହୋଇ ଯାଇଥିଲା।
ମଉଜିଆ ମଦନାର ମନକୁ ଏମିତି ଊଣା ହେଉଥିବା ଦେଖି ସତ୍ୟେନ୍ଦୁ କହିଲା- ମଦନା, ଭୁଲିଯାଅ କାଲିର କଥା। ତୁମ ପ୍ରତି ଈର୍ଷାରେ ସେ ଜଳୁଛି, ତେଣୁ ସେ ଏମିତି କଲା। ତୁମେ ଯେତିକି କପ୍, ଟ୍ରଫି ମେଡାଲ ପାଇଚ, ଆମ ସହରରେ ଲୋକେ ତୁମକୁ ଯେତିକି ଜାଣନ୍ତି, ତା’ ଆଗରେ ପଲିଟିକାଲ୍ କୁନା ଛାର!
ମଦନା କହିଲା- କିନ୍ତୁ, ସାର୍ ଫୁଟ୍ବଲ୍ ଖେଳଟା ଅଲଗା କିସମର। ଏଠି ମେଡାଲ୍ କି କପ୍ ବଡ଼ କଥା ନୁହେଁ। ବଡ଼ କଥା ହେଲା ଖେଳର ମଜ୍ଜା। ଠେଙ୍ଗାଧର କୁନା କିଛି ଭଲ କଲା ନାହିଁ। ଆମେ ବୁଢ଼ାମାନେ ବର୍ଷକ ଥରେ କି ମଜ୍ଜା ପାଉ ନ ଥିଲୁ ସତେ? ଏ ବର୍ଷ ତାହା ଆମ ଭାଗ୍ୟରେ ଜୁଟିଲା ନାହିଁ।
ସତ୍ୟେନ୍ଦୁ ଏବେ ମଦନାର ହାତ ଧରିପକାଇ କହିଲା- ବୁଝିଲ ମଦନା, ତୁମେ ହେଉଛ ପ୍ରକୃତ ଖେଳାଳି। କି କଥାଟିଏ ତୁମେ ନ କହିଲ ସତେ? ମଜ୍ଜା ପାଇଁ ହିଁ ଖେଳ! ବାକି ସବୁ ତୁଚ୍ଛ କଥା!
ଏବେ ମଦନା ଟିକିଏ ହସିଲା ଓ କହିଲା- ସାର୍ ଏବେ ବୁଝିଲେ ତ? ମୁଁ କାହିଁକି ସକାଳୁ ଗରଗର ହେଉଛି?
ମୋ: ୯୪୩୭୯୦୯୬୭୫
ମଦନା ବନାମ ଠେଙ୍ଗାଧର କୁନା
ସତ୍ୟନାରାୟଣ ଗନ୍ତାୟତ
/sambad/media/post_attachments/wp-content/uploads/2023/08/65s4hs654f6fhfhhfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)