ଭାରତୀୟ ବ୍ୟାଙ୍କ୍ମାନେ ଋଣ ପ୍ରଦାନ ସମୟରେ କୌଣସି ସୁଦୃଢ଼ ସମ୍ପତ୍ତିକୁ ବନ୍ଧକ ଆକାରରେ ରଖିବାକୁ ପସନ୍ଦ କରିଥାନ୍ତି। ଶିଳ୍ପଉଦ୍ୟୋଗମାନଙ୍କର କଳକାରଖାନା ସେ ଦୃଷ୍ଟିରୁ ଉପଯୁକ୍ତ ସମ୍ପତ୍ତି ରୂପେ ବିବେଚିତ ହୋଇଥାଏ ଓ ବ୍ୟାଙ୍କ୍ମାନେ ସେମାନଙ୍କୁ ଋଣ ପ୍ରଦାନ କରିବାକୁ କୁଣ୍ଠିତ ହୋଇନଥାନ୍ତି ଯାହା ଟେକ୍ନୋଲୋଜି ସର୍ବସ୍ବ ‘ଷ୍ଟାର୍ଟ-ଅପ୍’ମାନଙ୍କ ପ୍ରତି ପ୍ରଯୁଜ୍ୟ ହୋଇନଥାଏ। ଭାରତୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ତେଣୁ ଏହି ସମସ୍ତ କାରଣରୁ ଏକ ‘ଏସ୍ଭିବି’ ସମ ସଂକଟର ଆବିର୍ଭାବ ଘଟିବାର ସମ୍ଭବନା କ୍ଷୀଣ ଓ ସେ ନେଇ କେହି ଆତଙ୍କିତ ହେବାର କୌଣସି କାରଣ ନାହିଁ।
ଏମିତି କୌଣସି ବ୍ୟବସାୟ ନାହିଁ ଯାହା ସହିତ ବିଶ୍ବାସ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ହୋଇନଥାଏ। କିନ୍ତୁ ବ୍ୟାଙ୍କ୍ ବ୍ୟବସାୟ ଭଳି ଏମିତି ପ୍ରାୟ ଆଉ କୌଣସି ବ୍ୟବସାୟ ନାହିଁ, ଯାହାର ମୂଳାଧାର ହିଁ ହେଉଛି କେବଳ ବିଶ୍ବାସ। ଏହାର ସତ୍ୟତା ହୃଦୟଙ୍ଗମ କରିବା ପାଇଁ କଳ୍ପନା କରାଯାଉ କୌଣସି ଏକ ବ୍ୟାଙ୍କ୍ର ଯଥେଷ୍ଟ ସଂଖ୍ୟକ ଜମାକାରୀମାନେ ସମ୍ପୃକ୍ତ ବ୍ୟାଙ୍କ୍ ଉପରେ ବିଶ୍ବାସ ହରାଇ ଏକ ସମୟରେ ବ୍ୟାଙ୍କ୍ରେ ଥିବା ସେମାନଙ୍କର ଜମା ସବୁକୁ ପ୍ରତ୍ୟାହାର କରି ନେବାକୁ ଚାହିଁଲେ। ଏଭଳି ଏକ ପରିସ୍ଥିତିକୁ ବ୍ୟାଙ୍କିଙ୍ଗ୍ ଭାଷାରେ କୁହାଯାଇଥାଏ- ‘ରନ୍’ (ଧାବନ)। ଏହା ସେ ବ୍ୟାଙ୍କ୍ ପାଇଁ ମରଣାନ୍ତକ ହୋଇଥାଏ। କାରଣ, ଏକ ସମୟରେ ଏତେ ସଂଖ୍ୟକ ଗ୍ରାହକମାନଙ୍କର ମିଳିତ ଜମା ପ୍ରତ୍ୟାହାର ଦାବି ପୂରଣ କରିବା ନିମିତ୍ତ ବ୍ୟାଙ୍କ୍ଟି ପାଖରେ ଯଥେଷ୍ଟ ନଗଦ ରାଶି ଉପଲବ୍ଧ ନ ଥାଏ; ବ୍ୟାଙ୍କ୍ର ଅସହାୟତା ପ୍ରଚାରିତ ହୋଇଯାଏ; ବାକି ଜମାକାରୀମାନେ ଆତଙ୍କିତ ହୋଇ ଜମା ଫେରସ୍ତ ନେବାକୁ ହାଜର ହୋଇଯାଆନ୍ତି; ବ୍ୟାଙ୍କ୍ ବୁଡ଼ିଯାଏ। ବ୍ୟାଙ୍କ୍ମାନେ ତେଣୁ ସର୍ବଦା ସର୍ବାଧିକ ସମ୍ଭବ ସତର୍କତା ଅବଲମ୍ବନ କରିଥାନ୍ତି ଯେପରି ସେମାନଙ୍କର କୌଣସି କାର୍ଯ୍ୟ ଗ୍ରାହକମାନଙ୍କର ବିଶ୍ବାସ ପ୍ରତି ସାମାନ୍ୟତମ ଆଞ୍ଚ ନ ପହଞ୍ଚାଏ।
ଅତଏବ ଆଶ୍ଚର୍ଯ୍ୟ ନ ହୋଇ ରହି ହୁଏ ନାହିଁ, ଆମେରିକାରେ ‘ସିଲିକନ୍ ଭ୍ୟାଲି ବ୍ୟାଙ୍କ୍’ (‘ଏସ୍ଭିବି’) ଭଳି କାଲିଫର୍ନିଆର ସିଲିକନ୍ ଭ୍ୟାଲିରେ ବିଗତ ଚାରି ଦଶନ୍ଧି ଧରି ବିଭିନ୍ନ ଷ୍ଟାର୍ଟ-ଅପ୍ କମ୍ପାନିମାନଙ୍କ ସହିତ କାରବାର କରି ସୁନାମ ଅର୍ଜନ କରିଥିବା ଏକ ବ୍ୟାଙ୍କ୍ର ମାଲିକ ଓ ପରିଚାଳକମାନେ ଏହି ମୌଳିକ ନିୟମକୁ ଭୁଲି ଯାଇଥିବା ଭଳି କାର୍ଯ୍ୟ କଲେ କେମିତି! କାର୍ଯ୍ୟଟି ହେଲା ଏଇଭଳି। ମାର୍ଚ୍ଚ ୮ ତାରିଖରେ ଏହି ବ୍ୟାଙ୍କ୍ ଏକ ସୂଚନା ପ୍ରସାର କଲା ଯେ ସିଏ ସେଆର୍ ବଜାରରୁ ୨ ବିଲିଅନ୍ ଡଲାରରୁ ଅଧିକ ପୁଞ୍ଜି ସଂଗ୍ରହ କରିବାକୁ ଯାଉଛି ଯାହାର ଏକ ଅଂଶ ବଜାରରେ ବ୍ୟାଙ୍କ୍ ନିକଟରେ ଥିବା ବଣ୍ଡ୍ମାନଙ୍କର ମୂଲ୍ୟ ହ୍ରାସ ଜନିତ କ୍ଷତି ଭରଣା କରିବା ପାଇଁ ଉଦ୍ଦିଷ୍ଟ। ଏଭଳି ଏକ ସୂଚନା ବ୍ୟାଙ୍କ୍ର ‘ବାଲାନ୍ସ ସିଟ୍’ (ପରିସମ୍ପତ୍ତି ଓ ଦେୟ ବିବରଣୀ) ପ୍ରତି ଅନୁଶୀଳନକାରୀମାନଙ୍କର ଦୃଷ୍ଟି ଆକର୍ଷଣ କଲା। ସେମାନେ ଯାହା ଆବିଷ୍କାର କଲେ ତାହା ଜମାକାରୀମାନଙ୍କ ମଧ୍ୟରେ ଏକ ଆତଙ୍କ ସୃଷ୍ଟି କଲା ଯେ ‘ଏସ୍ଭିବି’ର ବିତ୍ତୀୟ ସ୍ବାସ୍ଥ୍ୟ ଠିକ୍ ନାହିଁ। ତାହା ହେଲା, ଏହି ବ୍ୟାଙ୍କ୍ର ମୋଟ ପରିସମ୍ପତ୍ତିର ପ୍ରାୟ ଅର୍ଦ୍ଧେକ ରହିଛି ଦୀର୍ଘକାଳୀନ ବଣ୍ଡ୍ ଆକାରରେ ଯେଉଁଗୁଡ଼ିକର ବଜାର ମୂଲ୍ୟ ବର୍ତ୍ତମାନ ହ୍ରାସ ପାଇ କ୍ରୟମୂଲ୍ୟ ତଳକୁ ଚାଲିଗଲାଣି। ଏହାର ପ୍ରତିକ୍ରିୟା ସ୍ବରୂପ ଦେଖା ଦେଲା ଏକ ‘ରନ୍’: ଜମାକାରୀମାନେ କାଳବିଳମ୍ବ ନ କରି ଯେତିକି ଜମା ପ୍ରତ୍ୟାହାର କରି ନେଲେ (ମୋବାଇଲ୍ ଫୋନ୍ ମାଧ୍ୟମରେ ଉଠାଣ ବିଦ୍ୟୁତ ଗତିରେ ଘଟିଥିଲା) ତାହାର ମୂଲ୍ୟ ଥିଲା ୪୨ ବିଲିଅନ୍ ଡଲାର୍, ଯାହା ଥିଲା ବ୍ୟାଙ୍କ୍ର ମୋଟ ଜମାରାଶିର ଏକ-ଚତୁର୍ଥାଂଶ। ମାର୍ଚ୍ଚ ୧୦ ତାରିଖରେ ‘ଏସ୍ଭିବି’ ବୁଡ଼ିଗଲା ବୋଲି କର୍ତ୍ତୃପକ୍ଷ ଘୋଷଣା କଲେ।
‘ଏସ୍ଭିବି’ ଏକ ବିଶେଷ ଧରଣର ବ୍ୟାଙ୍କିଙ୍ଗ୍ ବ୍ୟବସାୟ କରୁଥିଲା କହିଲେ ଭୁଲ୍ ହେବ ନାହିଁ, କାରଣ ଏହାର ଗ୍ରାହକମାନେ ଥିଲେ ମୁଖ୍ୟତଃ ଟେକ୍ନୋଲୋଜି କ୍ଷେତ୍ରରେ ଥିବା ଷ୍ଟାର୍ଟ-ଅପ୍ କମ୍ପାନିମାନେ। ସେମାନଙ୍କର ଜମା ରାଶିକୁ ଉପଯୋଗ କରି ‘ଏସ୍ଭିବି’ ବଜାରରୁ ଏମିତି ଏକ ସମୟରେ ଉପରୋକ୍ତ ବଣ୍ଡ୍ ସବୁକୁ କ୍ରୟ କରିଥିଲା, ଯେଉଁ ସମୟରେ ବଜାରରେ ବଣ୍ଡ୍ ମୂଲ୍ୟ ପ୍ରାୟ ସର୍ବୋଚ୍ଚ ସ୍ତରରେ ଥିଲା। ସୂଚନାଯୋଗ୍ୟ ବଣ୍ଡ୍ ମୂଲ୍ୟ ଓ ସୁଧ ହାର ମଧ୍ୟରେ ସମ୍ପର୍କ ହେଉଛି ସିଧାସଳଖ ବିପରୀତଧର୍ମୀ: ସୁଧ ହାରରେ ହ୍ରାସ ଘଟିଲେ ବଣ୍ଡ୍ ମୂଲ୍ୟରେ ବୃଦ୍ଧି ଘଟିଥାଏ ଏବଂ ସୁଧ ହାରରେ ବୃଦ୍ଧି ଘଟିଲେ ବଣ୍ଡ୍ ମୂଲ୍ୟ ହ୍ରାସ ପାଇଥାଏ। ‘ଏସ୍ଭିବି’ ଯେତେବେଳେ ବଣ୍ଡ୍ ସବୁ କ୍ରୟ କରିଥିଲା, ସେତେବେଳେ ଆମେରିକାରେ ସୁଧ ହାର ପ୍ରାୟ ସର୍ବନିମ୍ନ ଓ ତେଣୁ ବଣ୍ଡ୍ ଦାମ୍ ସର୍ବୋଚ୍ଚ ଥିଲା। ପରବର୍ତ୍ତୀ ସମୟରେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ଫେଡେରାଲ୍ ରିଜର୍ଭ ମୁଦ୍ରାସ୍ଫୀତିର ମୁକାବିଲା କରିବା ପାଇଁ ମାତ୍ର ପ୍ରାୟ ଏକ ବର୍ଷ ମଧ୍ୟରେ ଆଠଥର ସୁଧ ହାରରେ ବୃଦ୍ଧି ଘଟାଇଥିଲା ଯାହା ଥିଲା ମୋଟ ପ୍ରାୟ ୪୫୦ ବେସିସ୍ ପଏଣ୍ଟ (୪.୫ ଶତାଂଶ)ର ବୃଦ୍ଧି। ଏହି ସୁଧହାର ବୃଦ୍ଧି ସହିତ ତାଳ ଦେଇ ସ୍ବାଭାବିକ ଭାବରେ ବଣ୍ଡ୍ ମୂଲ୍ୟରେ ହ୍ରାସ ଘଟି ଚାଲିଥିଲା।
‘ଏସ୍ଭିବି’ର ବ୍ୟବସାୟ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ସୀମିତ ଥିବାରୁ ଆଶା କରାଯାଉଛି ଯେ ତାହା ସମଗ୍ର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସଂକ୍ରମିତ କରିବ ନାହିଁ। କିନ୍ତୁ ତଥାପି ଛାନିଆ ଗ୍ରାହକମାନଙ୍କ ଜମା ପ୍ରତ୍ୟାହାର ଯୋଗୁଁ ତା’ ପରେ ପରେ ‘ସିଗ୍ନେଚର୍ ବ୍ୟାଙ୍କ୍’ ନାମକ ଅନ୍ୟ ଏକ ଆଞ୍ଚଳିକ ବ୍ୟାଙ୍କ୍ ମଧ୍ୟ ବୁଡ଼ି ଯାଇଥିଲା (ଏକ ବିଡ଼ମ୍ବନା ଭଳି ଏପରି ସଂକଟ ଘଟିବାକୁ ନ ଦେବା ପାଇଁ ବଳବତ୍ତର ଥିବା ‘ଡଡ୍-ଫ୍ରାଙ୍କ୍’ ଆଇନର ଅନ୍ୟତମ ପ୍ରଣେତା ବାର୍ନି ଫ୍ରାଙ୍କ୍ ହେଉଛନ୍ତି ଏହି ବ୍ୟାଙ୍କ୍ର ଅନ୍ୟତମ ନିର୍ଦ୍ଦେଶକ)। ତେବେ ବର୍ତ୍ତମାନ ପାଇଁ ଆମେରିକା ସରକାର ଓ ନିୟନ୍ତ୍ରକମାନେ ଏହି ସଂକଟକୁ ନିୟନ୍ତ୍ରଣ ମଧ୍ୟରେ ରଖି ପାରିଛନ୍ତି। ‘ଏସ୍ଭିବି’ର ଜମାକାରୀମାନେ ସେମାନଙ୍କର ଜମାରାଶି ଫେରସ୍ତ ପାଇବା ପାଇଁ ବ୍ୟବସ୍ଥା କରାଯିବା ସହିତ ଅନ୍ୟ କୌଣସି ବ୍ୟାଙ୍କ୍ ଏପରି ପରିସ୍ଥିତିର ସମ୍ମୁଖୀନ ହେଲେ ତାକୁ ଉଦ୍ଧାର କରିବା ନିମିତ୍ତ ଏକ ଫଣ୍ଡ୍ ମଧ୍ୟ ସୃଷ୍ଟି କରାଯାଇଛି।
‘ଏସ୍ଭିବି’ ସଂକଟ ଭାରତୀୟ ଗଣମାଧ୍ୟମରେ ମଧ୍ୟ ବ୍ୟାପକ ଗୁଞ୍ଜରଣ ସୃଷ୍ଟି କରିଥିଲେ ହେଁ ଏଠାରେ ଏହାର ପ୍ରଭାବ ଅତ୍ୟନ୍ତ ସୀମିତ ରହିବ। ମାତ୍ର ଗୋଟିଏ ଦୁଇଟି ଭାରତୀୟ ଷ୍ଟାର୍ଟ-ଅପ୍ କମ୍ପାନି ‘ଏସ୍ଭିବି’ରେ ନିଜର ଅର୍ଥ ଜମା ରଖିଥିଲେ। ସୂଚନା ଅନୁସାରେ ସେମାନଙ୍କର ମୋଟ ଜମାର ପରିମାଣ ୮ ନିୟୁତ ଡଲାରରୁ କମ୍ ହେବ। ସେମାନେ ମଧ୍ୟ ଏହି ଅର୍ଥ ଫେରି ପାଇବାର ଦୃଢ଼ ସମ୍ଭାବନା ରହିଛି। ତେଣୁ ଭାରତର ବହୁ ପ୍ରଚାରିତ ‘ଷ୍ଟାର୍ଟ-ଅପ୍’ ଉଦ୍ୟୋଗ କ୍ଷେତ୍ର ‘ଏସ୍ଭିବି’ର ପତନ ଦ୍ବାରା ଅାଦୌ ପ୍ରଭାବିତ ହେବ ନାହିଁ କହିଲେ ଚଳେ।
ଭାରତୀୟ ବ୍ୟାଙ୍କ୍ମାନେ ମଧ୍ୟ ବେଶ୍ ସୁରକ୍ଷିତ ଅବସ୍ଥାରେ ରହିଛନ୍ତି। ସେମାନେ ‘ଷ୍ଟାର୍ଟ-ଅପ୍’ ଉଦ୍ୟୋଗମାନଙ୍କ ସହିତ ଅତ୍ୟଧିକ ସମ୍ପୃକ୍ତ ନୁହଁନ୍ତି। ସେମାନଙ୍କର ପରିସମ୍ପତ୍ତି ଓ ଦେୟ ମଧ୍ୟରେ ତାଳମେଳ ଉତ୍ତମ ରହିଛି, ଯାହାର ଅନ୍ୟତମ କାରଣ ହେଉଛି ସେମାନେ ଅନୁସରଣ କରୁଥିବା ରକ୍ଷଣଶୀଳ ବ୍ୟବସାୟ ନୀତି। ଉଦାହରଣ ସ୍ବରୂପ ମାର୍ଚ୍ଚ ୨୦୨୨ ସୁଦ୍ଧା ଭାରତୀୟ ବ୍ୟାଙ୍କ୍ମାନଙ୍କର ମୋଟ ପୁଞ୍ଜି ନିବେଶର ପରିମାଣ ୫୮ ଲକ୍ଷ କୋଟି ଟଙ୍କା ଥିଲା, ଯେଉଁଥିରୁ ୪୮ ଲକ୍ଷ କୋଟି ଟଙ୍କା ସେମାନେ ସର୍ବାଧିକ ନିରାପଦ ରୂପେ ବିବେଚିତ ସରକାରୀ ପ୍ରତିଭୂତିରେ ନିବେଶ କରିଥିଲେ। ସୁଧହାରରେ ବୃଦ୍ଧି ଘଟି ଏଗୁଡ଼ିକର ମୂଲ୍ୟ ହ୍ରାସ ଘଟିଲେ ମଧ୍ୟ ଏହା ଜମାକାରୀମାନଙ୍କ ଠାରେ କୌଣସି ଆତଙ୍କ ସୃଷ୍ଟି କରିନଥାଏ। ଏଠାରେ କେର୍ପାରେଟ୍ ବଣ୍ଡ୍ ପାଇଁ ବଜାର ବିଶେଷ ବିକଶିତ ନୁହେଁ ଏବଂ ଭାରତୀୟ ବ୍ୟାଙ୍କ୍ମାନେ ଯେତେବେଳେ କର୍ପୋରେଟ୍ ବଣ୍ଡ୍ରେ ପୁଞ୍ଜିନିବେଶ କରିଥାନ୍ତି, ସେତେବେଳେ ସେମାନେ ସର୍ବଦା ଅନ୍ତତଃ ‘ଏଏ-ମାଇନସ୍’ ଭଳି ଉଚ୍ଚ ରେଟିଙ୍ଗ୍ କିମ୍ବା ତା’ଠାରୁ ଉଚ୍ଚତର ରେଟିଙ୍ଗ୍ ବିଶିଷ୍ଟ ଏଭଳି ଋଣପତ୍ର କ୍ରୟ କରିଥାନ୍ତି।
ଭାରତୀୟ ବ୍ୟାଙ୍କ୍ମାନେ ଋଣ ପ୍ରଦାନ ସମୟରେ କୌଣସି ସୁଦୃଢ଼ ସମ୍ପତ୍ତିକୁ ବନ୍ଧକ ଆକାରରେ ରଖିବାକୁ ପସନ୍ଦ କରିଥାନ୍ତି। ଶିଳ୍ପଉଦ୍ୟୋଗମାନଙ୍କର କଳକାରଖାନା ସେ ଦୃଷ୍ଟିରୁ ଉପଯୁକ୍ତ ସମ୍ପତ୍ତି ରୂପେ ବିବେଚିତ ହୋଇଥାଏ ଓ ବ୍ୟାଙ୍କ୍ମାନେ ସେମାନଙ୍କୁ ଋଣ ପ୍ରଦାନ କରିବାକୁ କୁଣ୍ଠିତ ହୋଇନଥାନ୍ତି ଯାହା ଟେକ୍ନୋଲୋଜି ସର୍ବସ୍ବ ‘ଷ୍ଟାର୍ଟ-ଅପ୍’ମାନଙ୍କ ପ୍ରତି ପ୍ରଯୁଜ୍ୟ ହୋଇନଥାଏ। ଭାରତୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ତେଣୁ ଏହି ସମସ୍ତ କାରଣରୁ ଏକ ‘ଏସ୍ଭିବି’ ସମ ସଂକଟର ଆବିର୍ଭାବ ଘଟିବାର ସମ୍ଭବନା କ୍ଷୀଣ ଓ ସେ ନେଇ କେହି ଆତଙ୍କିତ ହେବାର କୌଣସି କାରଣ ନାହିଁ।