ଗଲା ଅଗଷ୍ଟ ୧୫ ତାରିଖରେ ରାଜସ୍ଥାନର କୋଟା ସହରରେ ପୁନର୍ବାର ଜଣେ ଅଠର ବର୍ଷର ତରୁଣ ଆତ୍ମହତ୍ୟା କରିଛନ୍ତି; ଯାହା ସହିତ କେବଳ ଚଳିତ ବର୍ଷ କୋଟାରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏହି ଛାତ୍ର ଜଣକ ଆଇ.ଆଇ.ଟି. ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି କୋଚିଂ ନେବାକୁ ଏହି ସହରରେ ପାଦ ଦେଇଥିଲେ ଏବଂ ପ୍ରତି ବର୍ଷ ଭାରତର କୋଣ ଅନୁକୋଣରୁ କୋଟାକୁ ପ୍ରବାହିତ ହେଉଥିବା ଛାତ୍ରଛାତ୍ରୀଙ୍କ ମହାସ୍ରୋତର ଅଂଶ ପାଲଟିଥିଲେ। ପ୍ରକାଶ ଥାଉ କି ୧୯୮୫ ମସିହା ପୂର୍ବରୁ ଅଜ୍ଞାତ ଥିବା ରାଜସ୍ଥାନର ଏହି କ୍ଷୁଦ୍ର ସହର ମାତ୍ର ଚାରି ଦଶନ୍ଧି ମଧ୍ୟରେ ଦଶମ ଏବଂ ଦ୍ବାଦଶ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କ ସକାଶେ ଏକ ଚୁମ୍ବକୀୟ କ୍ଷେତ୍ରରେ ପରିଣତ ହୋଇଛି ଏବଂ କୈଶୋର ଏବଂ ତାରୁଣ୍ୟର ଅସୁମାରି ସ୍ବପ୍ନ ଚରିତାର୍ଥ ଅଥବା ଭଙ୍ଗ ହେଉଥିବା ମଧ୍ୟ ପ୍ରତ୍ୟକ୍ଷ କରିଛି। କେବଳ ସେତିକି ନୁହେଁ, ଏକ ବିଡ଼ମ୍ବନା ସ୍ବରୂପ ଏହି କ୍ରମରେ ସହରଟି ଅସଂଖ୍ୟ କୋମଳ ବୟସ୍କ ଛାତ୍ରଛାତ୍ରୀଙ୍କ ସକାଶେ ସେମାନଙ୍କ ଅନ୍ତିମ ପ୍ରତିଦ୍ବନ୍ଦ୍ବିତାର କ୍ରୀଡ଼ାଙ୍ଗନରେ ପରିଣତ ହୋଇଛି, ଯଦ୍ଦ୍ବାରା ଏହା ‘ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାର ରାଜଧାନୀ’ ରୂପେ ମଧ୍ୟ ଅପଖ୍ୟାତ ହେଲାଣି। କିନ୍ତୁ, ଏକ ଦାରୁଣ ବାସ୍ତବତା ହେଲା ରାଜନୀତି, କ୍ରୀଡ଼ା ଓ ମନୋରଂଜନର ଗ୍ଲାମରରେ ଝଲସୁଥିବା ଗଣମାଧ୍ୟମର ଅନାଲୋକିତ ଅଂଶରେ ଏହିଭଳି ଅତ୍ୟନ୍ତ ବିମର୍ଷକର ତଥା ଉଦ୍ବେଗଜନକ ସଂଦର୍ଭମାନ ସ୍ଥାନ ପାଇଥାଏ, ଯେଉଁ କାରଣରୁ ଏଭଳି ସ୍ପର୍ଶକାତର ବିଷୟରେ ଏଠାରେ ଏକ କ୍ଷୁଦ୍ର ଆଲୋଚନା ନିତାନ୍ତ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ କୋଟାସ୍ଥିତ ‘ଜେ. କେ. ସିନ୍ଥେଟିକ୍ସ’ରେ କାର୍ଯ୍ୟରତ ଇଂଜିନିଅର ଏସ୍. କେ. ବନସଲ କଦାଚିତ୍ କଳ୍ପନା କରି ପାରି ନ ଥିବେ ଯେ ଏକ ସଉକ ଭାବେ ସେ ପ୍ରାରମ୍ଭ କରିଥିବା ତାଙ୍କ ଘରୋଇ ଟୁଇସନର ଜନୈକ ଛାତ୍ର ୧୯୮୫ ମସିହାରେ ‘ଆଇ.ଆଇ.ଟି.’ ପ୍ରବେଶିକା ପରୀକ୍ଷାରେ ସଫଳତା ପ୍ରଦର୍ଶନ କରିବା ସହିତ କେବଳ ତାଙ୍କର ନୁହେଁ; ତାଙ୍କ ସହରର ଭାଗ୍ୟ, ଭବିଷ୍ୟତ୍, ଚରିତ୍ର, ଜୀବନ ଧାରା ଏବଂ ଅର୍ଥନୀତି ଇତ୍ୟାଦି ଅକଳ୍ପନୀୟ ଭାବେ ବଦଳିଯିବ। ଏହି ପରିବର୍ତ୍ତନରେ କୋଟା ସହର ‘ଆଇଆଇଟି’ ଏବଂ ‘ନିଟ୍’ କୋଚିଂର ହୃଦ୍ସ୍ଥଳରେ ପରିଣତ ହୋଇଛି, ଯହିଁରେ ପ୍ରତି ବର୍ଷ ଭାରତର ପ୍ରାୟ ସମସ୍ତ ଅଞ୍ଚଳରୁ ପନ୍ଦର ବା ଷୋହଳ ବର୍ଷ ବୟସର ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ‘ବ୍ୟାକ୍-ପ୍ୟାକ୍’ ଏବଂ କୌଣସି ଗୋଟିଏ ଅଗ୍ରଣୀ ଇଂଜିନିଅରିଂ ବା ମେଡିକାଲ କଲେଜରେ ନାମ ଲେଖାଇବାର ସ୍ବପ୍ନ ନେଇ ଏହି ସହରରେ ପ୍ରବେଶ କରୁଥିବା ଦେଖାଯାଉଛି। କିନ୍ତୁ ବିଡ଼ମ୍ବିତ ବାସ୍ତବତାଟି ହେଲା ଏହି ଛାତ୍ରଛାତ୍ରୀ ଏବଂ ସେମାନଙ୍କୁ ପ୍ରେରଣ କରୁଥିବା ଅଭିଭାବକ ଗଣ ଏ ନେଇ ସଚେତନ ଥାଆନ୍ତି ଯେ ଏହି ସ୍ବପ୍ନଭୁକ୍ମାନଙ୍କ ମଧ୍ୟରୁ କିୟଦଂଶ ମାତ୍ର ଆଶାନୁରୂପକ ସାଫଲ୍ୟ ଲାଭ କରିବେ ଏବଂ ଅବଶିଷ୍ଟ ବିଫଳତାର ଗ୍ଳାନି ବହନ କରି ଅଗତ୍ୟା କୋଟାରୁ ରିକ୍ତ ହସ୍ତରେ ପ୍ରତ୍ୟାବର୍ତ୍ତନ କରିବେ। ତଥାପି ବିସ୍ମୟର ବିଷୟ ହେଲା ବର୍ଷ ପରେ ବର୍ଷ କୋଟାର ଦୁର୍ବାର ମୋହରୁ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ମୁକ୍ତି ମିଳୁନାହିଁ! ଏହାର କାରଣ କ’ଣ?
ଏହାର କାରଣ ସମ୍ଭବତଃ ଏକ ‘ଇକୋ-ସିଷ୍ଟମ୍’ର ସୃଷ୍ଟି, ଯହିଁରେ କୌଣସି ଦଶମ ବା ଦ୍ବାଦଶ ପାସ୍ କରିଥିବା ଛାତ୍ର ବା ଛାତ୍ରୀର ସର୍ବୋତ୍ତମ ସାଫଲ୍ୟର ଉଦାହରଣ ହେଉଛି ଏକ ପ୍ରତିଷ୍ଠିତ ଇଂଜିନିଅରିଂ ବା ମେଡିକାଲ କଲେଜରେ ଭର୍ତ୍ତି ହେବା, ଯେଉଁଥି ଲାଗି ସର୍ବାଧିକ ସକ୍ଷମ ପାସ୍ପୋର୍ଟ କୋଟାରେ ହିଁ ଉପଲବ୍ଧ। କହିବା ବାହୁଲ୍ୟ ଯେ ଘର, ସାଇପଡ଼ିଶା ଏବଂ ବିଦ୍ୟାଳୟ; ସର୍ବତ୍ର ଏଭଳି ଧାରଣା ବିଦ୍ୟମାନ ରହି ଏଭଳି ଏକ ‘ଇକୋ-ସିଷ୍ଟମ୍’କୁ ଦୃଢ଼ କରି ଚାଲିଛି। ସମ୍ଭବତଃ ଏହାର କାରଣ ଏୟା ଯେ ଏ ଯାବତ୍ ଭାରତୀୟ ପରିବାରଗୁଡ଼ିକରେ ପିତାମାତା ବା ଅଭିଭାବକମାନଙ୍କ ସ୍ବପ୍ନ ଆଧାରରେ ହିଁ ସନ୍ତାନମାନଙ୍କ ଭବିଷ୍ୟତ୍ କେଉଁ ରୂପ ପାଇବ, ତାହା ନିର୍ଦ୍ଧାରିତ ହୋଇ ଆସୁଛି; ଏବଂ ପୁରୁଣା ପିଢ଼ିର ସୀମିତ ବିଶ୍ବଦୃଷ୍ଟି କାରଣରୁ ଏହି ସ୍ବପ୍ନ ଇଂଜିନିଅର ବା ଡାକ୍ତର ଅଥବା ସରକାରୀ ଚାକିରିଆ ହେବାର ପ୍ରାଥମିକତାକୁ ଅତିକ୍ରମ କରି ପାରୁନାହିଁ। ସେହି ସ୍ବପ୍ନ ସାଇପଡ଼ିଶାର ମୁରବି ବା ଗୁରୁଜନ ଏବଂ ବିଦ୍ୟାଳୟର ଶିକ୍ଷକମାନଙ୍କ ଠାରୁ ଅକୁଣ୍ଠ ସମର୍ଥନ ଲାଭ କରି ଯେଉଁ ‘ଇକୋ-ସିଷ୍ଟମ’ ସୃଷ୍ଟି କରିଥାଏ, ତହିଁରେ ବାଲ୍ୟ କାଳରୁ ପକ୍ଷୀମାନଙ୍କୁ ଖୁବ୍ ଭଲ ପାଉଥିବା ଜଣେ ତରୁଣ, ତା’ର ନୂତନ ପିଢ଼ିସୁଲଭ ପ୍ରଶସ୍ତ ବିଶ୍ବଦୃଷ୍ଟିର ପରିଚୟ ଦେଇ ଜଣେ ‘ପକ୍ଷୀ ବିଶାରଦ’ ବା ‘ଅର୍ନିଥୋଲୋଜିଷ୍ଟ୍’ ହେବାକୁ ଇଚ୍ଛା ପୋଷଣ କରୁଥିଲେ ମଧ୍ୟ ତାହା ଅପ୍ରକାଶ୍ୟ ରହେ ଏବଂ ଅବଲୀଳା କ୍ରମେ ମଉଳି ଯାଏ। ସୁତରାଂ, ସମସ୍ତ ରାସ୍ତା କେବଳ କୋଟାକୁ ହିଁ ଯାଇଥାଏ।
କେବଳ ସେତିକି ନୁହେଁ, ପ୍ରବେଶିକା ପରୀକ୍ଷାଗୁଡ଼ିକରେ ମୁଷ୍ଟିମେୟ ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ଯେଉଁଭଳି ପ୍ରଶସ୍ତି ଓ ବିଜ୍ଞାପନର ବନ୍ୟା ସୃଷ୍ଟି କରାଯାଏ, ତହିଁରେ କୋଟା ଅଧିକ ଆକର୍ଷଣୀୟ ହୋଇ ଉଠେ ସତ; କିନ୍ତୁ ସଂଖ୍ୟାଧିକ ଛାତ୍ରଛାତ୍ରୀ ସମସ୍ତଙ୍କ ଅଲକ୍ଷ୍ୟରେ ବିଫଳତାର ଅନ୍ଧକାର ମଧ୍ୟରେ ବିଧ୍ବସ୍ତ ହୋଇଯାଆନ୍ତି। ଏହା ଏକ ଅପ୍ରିୟ ବାସ୍ତବତା ଯେ କୋଟାର କୋଚିଂ ସେଣ୍ଟରଗୁଡ଼ିକରେ ଶିକ୍ଷା ଲାଭ କରୁଥିବା ପିଲାମାନେ ସେମାନଙ୍କ ପ୍ରଦର୍ଶନ ଆଧାରରେ ଅତ୍ୟନ୍ତ ନିଷ୍ଠୁର ଏବଂ କଠୋର ବର୍ଗୀକରଣର ଶିକାର ହୁଅନ୍ତି, ଯାହା ଫଳରେ ଅପେକ୍ଷାକୃତ ନିମ୍ନ ପ୍ରଦର୍ଶନକାରୀମାନେ ଗଭୀର ହୀନମନ୍ୟତା ମଧ୍ୟକୁ ନିକ୍ଷେପିତ ହୁଅନ୍ତି ଏବଂ ‘ତାରକା’ ଛାତ୍ରଛାତ୍ରୀମାନେ ମଧ୍ୟ ଆଶା ଅନୁକୂଳ ପ୍ରଦର୍ଶନ ବଜାୟ ରଖିବା ଲାଗି ଭୀଷଣ ଚାପର ବଶବର୍ତ୍ତୀ ହୁଅନ୍ତି। ଏଭଳି ସ୍ଥଳେ ପ୍ରତିଦ୍ବନ୍ଦ୍ବିତାର ଅସହନୀୟ ଚାପରୁ ଚିରନ୍ତନ ମୁକ୍ତି ପାଇବା ଲାଗି ସେମାନଙ୍କ ମଧ୍ୟରୁ କେହି କେହି ହୁଏତ ଚରମ ପନ୍ଥା ବାଛି ନେବାକୁ ବାଧ୍ୟ ହୁଅନ୍ତି। ଏଥିରେ ଦ୍ବିରୁକ୍ତି ନାହିଁ ଯେ କୈଶୋର ଏବଂ ଆଦ୍ୟ ତାରୁଣ୍ୟର ସନ୍ଧି ସ୍ଥଳରେ ଉପସ୍ଥିତ ଏହି ଛାତ୍ରଛାତ୍ରୀମାନେ ପରିବାର ଠାରୁ ଦୂରରେ ଏକ ନିଃସଙ୍ଗ ବାତାବରଣରେ ସ୍ବପ୍ନ ଚରିତାର୍ଥ କରିବାର ସଂଘର୍ଷରେ ଲିପ୍ତ ଥିବା ବେଳେ ଆଉ ଯେଉଁ ଏକ ଗ୍ଳାନିବୋଧ ସେମାନଙ୍କୁ ଅହରହ ଦଂଶନ କରି ଚାଲିଥାଏ, ତାହା ହେଲା ସେମାନଙ୍କ ଲାଗି ସେମାନଙ୍କ ପରିବାର ବହନ କରୁଥିବା ଆର୍ଥିକ ବୋଝ, ଯାହା ବାର୍ଷିକ ଦୁଇ ଲକ୍ଷରୁ ଆରମ୍ଭ କରି ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ। ଏଭଳି ସ୍ଥିତିରେ ଉତ୍ତମ ପ୍ରଦର୍ଶନରେ ବିଫଳତା ଅେନକ ଛାତ୍ରଛାତ୍ରୀଙ୍କୁ ଆତ୍ମହତ୍ୟାକାମୀ କରାଇଥାଏ।
ସୁତରାଂ, କୋଟାରେ ଶିକ୍ଷା ଲାଭ କରୁଥିବା ଅଧିକାଂଶ ଛାତ୍ରଛାତ୍ରୀ ସେମାନଙ୍କୁ ଘେରି ରହିଥିବା ‘ଇକୋ-ସିଷ୍ଟମ’ ଦ୍ବାରା ଏଭଳି ଆବଦ୍ଧ ଯେ ଦୈବାତ୍ ସ୍ବପ୍ନ ଭଙ୍ଗ ହୋଇଗଲେ ସେମାନଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପର ଇଙ୍ଗିତ ମଧ୍ୟ ନ ଥାଏ; ସତେ ଯେମିତି ଏହି ତରୁଣତରୁଣୀମାନଙ୍କ ଜୀବନରେ କୋଟା ହିଁ ସର୍ବଶେଷ ଆଶ୍ରୟ; ଯାହା ବାହାରେ କେବଳ ଶୂନ୍ୟତା ଅଥବା ମୃତ୍ୟୁ! କୋଟା ସମ୍ବନ୍ଧରେ ଆଲୋଚନା କଲା ବେଳେ ଏକ ବିମର୍ଷକର ଇଂରେଜୀ କାହାଣୀ ସ୍ମରଣକୁ ଆସେ। ଥରେ ଜଣେ କିଶୋର ତା’ ପିତାଙ୍କୁ ଦୌଡ଼ିଯାଇ କହିଲା- ‘ଆଜି ଗୋଟାଏ ବିରାଡ଼ି ଦେଖିଲି, ଯାହାର ଦୁଇଟି ଲାଞ୍ଜ।’ ବାପା ତତ୍କ୍ଷଣାତ୍ ଚିଡ଼ିଯାଇ କହିଲେ- ଚୁପ୍, ମିଥ୍ୟାବାଦୀ। ସେଠାରୁ ହତାଶ କିଶୋର ତା’ର ବନ୍ଧୁମାନଙ୍କୁ ଏ କଥା କହି ତାଚ୍ଛଲ୍ୟର ଶିକାର ହେଲା। ତା’ର ଶ୍ରେଣୀ ଶିକ୍ଷକ ଏ ସଂପର୍କରେ ଶୁଣି ଗୁଜବ ରଟନା କରୁଥିବାରୁ ଦଣ୍ଡ ସ୍ବରୂପ ତାକୁ ଶ୍ରେଣୀରୁ ବହିଷ୍କାର କଲେ। ଏବେ ବିରାଡ଼ିକୁ ଆବିଷ୍କାର କରିବାକୁ ସେ ବାହାରି ଗଲା। ସେ ଆଉ ଘରକୁ ଫେରିଲା ନାହିଁ। ଦୁଇ ଦିନର ଅକ୍ଳାନ୍ତ ଖୋଜାଖୋଜି ପରେ ତା’ର ମୃତ ଦେହ ମିଳିଲା। ମ୍ରିୟମାଣ ବନ୍ଧୁ ପରିଜନ ତାକୁ ଅନ୍ତିମ ବିଦାୟ ଜଣାଇବା ଲାଗି ଶ୍ମଶାନରେ ଥିବା ବେଳେ ଜଣେ ହଠାତ୍ ଚିତ୍କାର କରି କହି ଉଠିଲା- ହେଇ ଦେଖ। ଏବେ ସମସ୍ତେ ଦେଖିଲେ ଯେ ସେଠାରେ କବରରୁ କବରକୁ ଡେଇଁ ଚାଲିଛି ଗୋଟିଏ ବିରାଡ଼ି, ଯାହାର ଦୁଇଟି ଲାଞ୍ଜ!
ଏହି ଗଳ୍ପର ହତଭାଗ୍ୟ କିଶୋର ମଧ୍ୟ ସେହି ଭଳି ଏକ ‘ଇକୋ-ସିଷ୍ଟମ୍’ରେ ବାସ କରୁଥିଲା, ଯହିଁରେ ନିଜକୁ ପ୍ରମାଣ କରିବାର ଉଦ୍ୟମ ଓ ଅସଫଳତା ତା’ ଜୀବନର ଅନ୍ତ ଘଟାଇଲା। ଏବେ ‘କୋଟା’ରେ ସେହିଭଳି କିଛି ଘଟୁଥିବା ଭଳି ଲାଗି ନ ଥାଏ କି?