ତାରକା, ଉଲ୍‌କା ଓ ଆମେ

ସୃଜନ ସମ୍ଭାର

ଏବେ ଆମେ ବିଭିନ୍ନ କିସମର ତାରକା କଳିମାନ ଦେଖିବାକୁ ପାଉଛେ। ସ୍ବନାମଧନ୍ୟ ଅଭିନେତା, ସଂଗୀତକାରଙ୍କ ଠାରୁ ଆରମ୍ଭ କରି ନାମକରା ଖେଳାଳିଙ୍କ ପର୍ଯ୍ୟନ୍ତ ତାରକାମାନେ ସେମାନଙ୍କ ଦାଂପତ୍ୟ ଜୀବନର କଳିକୁ ନେଇ ଚର୍ଚ୍ଚିତ ହେଉଛନ୍ତି। ଏହା ସତ ଯେ ଏଭଳି ଘଟଣା ସେମାନଙ୍କ ଲାଗି ଅତ୍ୟନ୍ତ ଅସ୍ବସ୍ତିକର ହେଉଥିବ! କିଏ ବା ଚାହାଁନ୍ତି ଯେ ତାଙ୍କ ଜୀବନର ଅତ୍ୟନ୍ତ ବ୍ୟକ୍ତିଗତ କଥାମାନ ଦାଣ୍ଡରେ ବା ହାଟରେ ପଡୁ ଓ ଗଡୁ ଏବଂ ଅବାଂଛିତ ଲୋକଙ୍କ ଟାହିଟାପରା, ଟିପ୍ପଣୀର ଶରବ୍ୟ ହେଉ ବା ଏପରି କି ଦୟାର ପାତ୍ର ହେଉ! ପୁଣି ସହଜେ ଏମାନେ ତାରକା, ଯେଉଁମାନଙ୍କ ଜ୍ୟୋତି ଦୂରରୁ ହିଁ ଆମ ଭଳି ଲୋକଙ୍କୁ ଦିଶିଥାଏ ଏବଂ ସେମାନେ ଆମ ହାତ ପାହାନ୍ତାରେ ବୋଲି ଭାବିବାକୁ ଆମେ ଆସ୍ପର୍ଦ୍ଧା କରି ପାରୁନା। ଅଥଚ, ଏଭଳି କଳି ବା ଝଗଡ଼ାମାନ ସେମାନଙ୍କୁ ଅସହାୟ କରି ପକାଏ। ହଠାତ୍‌ ଯେମିତି ସେମାନେ ଉଲ୍‌କା ଖଣ୍ଡେମାନରେ ପରିଣତ ହୋଇ ମାଟିକୁ ଖସି ପଡ଼ନ୍ତି। ସେମାନଙ୍କ ତାରକାସୁଲଭ ଦ୍ୟୁତି ନିଷ୍ପ୍ରଭ ହୋଇଯାଏ! ସେମାନେ ସହସା ଯେମିତି ଆକାଶରୁ ନିଷ୍କ୍ରାନ୍ତ ହୋଇଯାଆନ୍ତି।

କିନ୍ତୁ ଏହା ସତ ନୁହେଁ କି ଏହି ତାରକାମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଆମମାନଙ୍କ ଭଳି ସାଧାରଣ ସ୍ତରରୁ ଉଠି ଥାଆନ୍ତି! ସେମାନେ ନିଜ ପ୍ରତିଭା ଓ ପରିଶ୍ରମ ବଳରେ ଉପରକୁ ଉଠି ଆକାଶରେ ଚମକନ୍ତି! କିନ୍ତୁ ଥରେ ତାରକାରେ ପରିଣତ ହୋଇଗଲେ ଆମକୁ ଲାଗେ ସେମାନେ ଆଉ କେଉଁ ଗ୍ରହର ଜୀବ; ସେମାନେ ଆମ ଭଳି ସାଧାରଣ ଜୀବନ ଜିଅନ୍ତିି ନାହିଁ; ସେମାନେ ଅନନ୍ୟ ଆଶିଷ ଭରା କାଳ ଅତିବାହିତ କରନ୍ତି ଇତ୍ୟାଦି। ସେମାନେ ଯେ ଆମ ଭଳି ଗାଳିମନ୍ଦ, ରାଗରୁଷା, ମାନ ଅଭିମାନ, କ୍ଷୁଦ୍ର ମାନସିକତା, କ୍ରୋଧ ଓ ପ୍ରତିଶୋଧ ଆଦି ନେଇ ବଞ୍ଚନ୍ତି ଓ ବେଳ ଅବେଳରେ ଆମ ସମସ୍ତଙ୍କ ଭଳି ନର୍କ ଦେଇ ମଧ୍ୟ ଗତି କରନ୍ତି, ତାହା ଆମେମାନେ ହୁଏ’ତ ବିଶ୍ବାସ କରି ପାରୁନା। ସେଥି ଲାଗି ତାରକା କଳିର ଗୁମର ଯେତେ ଫିଟୁଥାଏ, ସେମାନେ ସେତେ ସେତେ ଆ‌କାଶରୁ ତଳକୁ ଖସୁଥାଆନ୍ତି ସତ, ଆମମାନେ କିନ୍ତୁ ଭାରି ଆମୋଦିତ ହେଉଥାଉ; ଆମମାନଙ୍କ ମନକୁ ଟାଣିବା ଲାଗି ଖବରକାଗଜରେ ବଡ଼ ବଡ଼ ହରଫରେ ଶିରୋନାମା ବାହାରେ- ବଡ଼ ଲୋକ ଘରର ଗୁମର କଥା।

କିନ୍ତୁ ସେଥିରେ କିଛି ଗୁମର ନ ଥାଏ। ତାହା ଆମ ଭଳି ସାଧାରଣ ଲୋକଙ୍କ ଜୀବନରେ ବି ଅହରହ ଘଟି ଚାଲିଥାଏ ଏବଂ ଅତି ରୋମାଂଚହୀନ ଭାବେ ଘଟୁଥାଏ। ଏଣେ, ଆମେମାନେ ଆମ ନିଜ ଘରର ଗୁମର କଥାମାନ ଭୁଲି ବଡ଼ ଲୋକଙ୍କ ଗୁମର କଥାରେ ଡୁବି ଯାଉ। ପୂର୍ବେ, ଯେତେବେଳେ ସାମାଜିକ ଗଣମାଧ୍ୟମ ନ ଥିଲା, ସେତିକି ବେଳେ ଆମ ଭଳି ଲୋକେ ଏ ବାବଦରେ ଦୂରରୁ ଥାଇ ଟେଲିଭିଜନରେ କିଛି ଦେଖୁଥିଲେ ବା ଖବରକାଗଜରେ କିଛି ପଢୁଥିଲେ। କିନ୍ତୁ ଏବେ ସାମାଜିକ ଗଣମାଧ୍ୟମ ଯୁଗରେ ଆମେ ତାରକା କଳିରେ ଗୋଟିଏ ଗୋଟିଏ ଅଂଶ ମଧ୍ୟ ହୋଇ ପାରୁଛୁ। ‘ୟୁଟ୍ୟୁବ୍‌’ରେ ବା ‘ଫେସ୍‌ବୁକ୍‌’ରେ ସେ ସବୁ ଦେଖିବା ବା ପଢ଼ିବା ପ‌େର ‘କମେଣ୍ଟ’ ବା ‘ମନ୍ତବ୍ୟ’ ବିଭାଗରେ ମନଇଚ୍ଛା ଟିକା ଟିପ୍‌ପଣୀ ବି କରି ପାରୁଛୁ, ଯାହା ମଧ୍ୟରୁ ଅନେକ ଅତ୍ୟନ୍ତ ଅଶ୍ଳୀଳ ଓ ବର୍ଜ୍ୟ ସ୍ତରର ହୋଇଥାଏ, ଅଥଚ ଦୁର୍ଭାଗ୍ୟ ଯେ ମାନସିକ ଭାବେ ଭାରାକ୍ରାନ୍ତ ସେହି ଅସହାୟ ଓ ବିଷଣ୍ଣ ତାରକାମାନେ ସେ ସବୁ ଆବର୍ଜନ‌ାକୁ ପଢ଼ିବାର ଓ ତଦ୍ଦ୍ବାରା ଅଧିକ ମ୍ରିୟମାଣ ହେବାର ସମ୍ଭାବନା ଥାଏ। କେବଳ ସେତିକି ନୁହେଁ ସାମାଜିକ ଗଣମାଧ୍ୟମ ଚ୍ୟାନେଲର ଅନେକ ସାମ୍ବାଦିକ ସେମାନଙ୍କୁ ଅକଳିଆ ଏବଂ ଅଖାଡୁଆ ପ୍ରଶ୍ନ ପଚାରି ଏକ ଜାନ୍ତବ ଉଲ୍ଲାସ ମଧ୍ୟ ଲାଭ କରନ୍ତି ଓ ତାକୁ ଆମକୁ ବାଣ୍ଟି ଆମମାନଙ୍କ ଠାରେ ବି ଏକ ଉନ୍ମାଦନା ସୃଷ୍ଟି କରିବାକୁ ଚାହାଁନ୍ତି। ସତ କହିଲେ ଆମ ମଧ୍ୟରୁ ଅଧିକାଂଶ ତହିଁରୁ ଏକ ପୈଶାଚିକ ସୁଖ ମଧ୍ୟ ଲାଭ କରୁ!

ଅନେକେ ଯୁକ୍ତି ବାଢ଼ି ପାରନ୍ତି ଯେ ଯେହେତୁ ତାରକା କଳାକାରମାନେ ସମାଜ ପାଇଁ ‘ରୋଲ ମଡେଲ’, ସେମାନଙ୍କର ପଥକୁ ଅନେକ ଅନୁସରଣ କରନ୍ତି; ତେଣୁ, ସେମାନଙ୍କ ଜୀବନଶୈଳୀ ଆଦର୍ଶ ସ୍ଥାନୀୟ ହେବା ଉଚିତ। କିନ୍ତୁ, ଏଭଳି ଆକାଂକ୍ଷା ସେମାନଙ୍କ ଉପରେ ଏକ ବୋଝ ତୁଲ୍ୟ ହୋଇଥାଏ। ଆଦର୍ଶ ସ୍ଥାନୀୟ ହୋଇ ରହିବାର ପ୍ରୟାସରେ ସେମାନେ ହୁଏ’ତ ଅନେକ କାଳ ଯାଏ ପାରସ୍ପରିକ ମନୋମାଳିନ୍ୟକୁ ଘୋଡ଼ାଇ ରଖିବାର ଉଦ୍ୟମ କରନ୍ତି! ଆଉ ଯେତେବେଳେ ପାଉଁଶ ତଳର ନିଆଁ ସେମାନଙ୍କ ଜୀବନକୁ ପୂରାପୂରି ଜାଳିପୋଡ଼ି ଦେବାକୁ ବସେ, ସେତିକିବେଳେ ସେମାନେ ହୁଏ’ତ ସେମାନଙ୍କ କଳିକୁ ନେଇ ଅଦାଲତକୁ ବା ପୁଲିସ ଥାନାକୁ ଯାଆନ୍ତି। ଏତିକି ବେଳେ ସେମାନଙ୍କ ଅସହାୟତାକୁ ହୃଦୟଙ୍ଗମ କରି ସେମାନଙ୍କୁ ସେମାନଙ୍କ ବାଟରେ ଜିଇବାକୁ ଛାଡ଼ି ଦେବା ଉଚିତ ହୁଅନ୍ତା ନାହିଁ କି? ତାରକାମାନଙ୍କୁ ମଳିନ କରି ସେମାନଙ୍କ କଳହକୁ ଚମକାଇ ରଖିବା ପାଇଁ ଆମ ଉଦ୍ଦେଶ୍ୟ ପଛରେ ଏକ ହୀନ ମାନସିକତା ଆମେମାନେ ଦେଖିପାରିବାର ବେଳ ଆସି ନାହିଁ କି?
ମୋ- ୯୪୩୮୧ ୪୯୭୬୧

ସମ୍ବନ୍ଧିତ ଖବର