ଦାର୍ଶନିକା ଅାଇନ୍ ରୢାଣ୍ଡଙ୍କୁ ଅନୁସରଣ କରି ରାମସ୍ବାମୀ ଆମେରିକାରେ ଏକ ବିଶୁଦ୍ଧ ପୁଞ୍ଜିବାଦ ପ୍ରତିଷ୍ଠା କରିବାକୁ ଚାହାଁନ୍ତି, ଯେଉଁଥିରେ ସରକାରର ଆକାର ହେବ କ୍ଷୁଦ୍ରତମ ସମ୍ଭବ ଏବଂ ଅର୍ଥନୀତି ହେବ ସରକାରୀ ହସ୍ତକ୍ଷେପମୁକ୍ତ। ସେ ରାଷ୍ଟ୍ରପତି ହେଲେ ଆମେରିକାର ଅମଲାତନ୍ତ୍ରର ୭୫ ଶତାଂଶକୁ ଛଟେଇ କରିଦେବେ ବୋଲି ରାମସ୍ବାମୀ ଘୋଷଣା କରିଛନ୍ତି।
ଅଗଷ୍ଟ ୨୩ ବୁଧବାର ଦିନ ଆମେରିକାରୁ ୱିସ୍କନ୍ସିନ୍ର ମିଲ୍ୱାକି ଠାରେ ୨୦୨୪ର ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଚୟନ ପ୍ରକ୍ରିୟାର ଏକ ଅନୌପଚାରିକ ଅଂଶ ସ୍ବରୂପ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ବିତର୍କ ଶୃଙ୍ଖଳାର ପ୍ରଥମ ବିତର୍କ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯେଉଁ ଆଠଜଣ ଆଶାୟୀ ଅଂଶ ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଭାରତୀୟ ବଂଶୋଦ୍ଭବ ୩୮ ବର୍ଷୀୟ ଯୁବ ଉଦ୍ୟୋଗପତି ବିବେକ ରାମସ୍ବାମୀ।
ଏହାର ପ୍ରାୟ ମାସକ ତଳେ ରିପବ୍ଲିକାନ୍ ପାର୍ଟି ତଥା ଡୋନାଲଡ୍ ଟ୍ରମ୍ପ୍ଙ୍କର ଜଣେ ଦୃଢ଼ ସମର୍ଥକ ରୂପେ ଜଣାଶୁଣା, ଲୋକପ୍ରିୟ ଟେଲିଭାଞ୍ଜେଲିଷ୍ଟ (ଟେଲିଭିଜନ୍ ମାଧ୍ୟମରେ ଧର୍ମ ପ୍ରଚାରକ) ହାଙ୍କ୍ କ୍ୟୁନେମାନ୍ ବିବେକ ରାମସ୍ବାମୀଙ୍କର ସମ୍ଭାବ୍ୟ ବିଜୟ ବିରୁଦ୍ଧରେ ଯେଉଁ ବିଷୋଦ୍ଗାର କରିଥିଲେ, ସେଥିରେ ନିମ୍ନୋକ୍ତ ସତର୍କବାଣୀ ଅନ୍ତର୍ଭୁକ୍ତ ଥିଲା: ‘‘ତୁମେମାନେ ତାଙ୍କୁ ତାଙ୍କର ଅଦ୍ଭୁତ ଠାକୁରମାନଙ୍କୁ ହ୍ବାଇଟ୍ ହାଉସ୍ରେ ସ୍ଥାପନ କରିବାକୁ ଦେବାକୁ ଯାଉଛ, ଆଉ ଯେହେତୁ ସେ ହେଉଛନ୍ତି ନୀତି ନିୟମ ବୁଝିବା କ୍ଷମତା ଥିବା ଜଣେ ବିଚକ୍ଷଣ ବ୍ୟକ୍ତି, ଆମେ କେବଳ ଜୁକୁ ଜୁକୁ ହୋଇ ଚାହିଁ ରହିଥିବୁ?’’ ରାମସ୍ବାମୀ ମଧ୍ୟ କ୍ୟୁନେମାନ୍ଙ୍କ ଭଳି ଟ୍ରମ୍ପ୍ଙ୍କର ଜଣେ ଦୃଢ଼ ସମର୍ଥକ ହୋଇଥିଲେ ହେଁ କ୍ୟୁନେମାନ୍ ରାମସ୍ବାମୀଙ୍କ ପ୍ରତି ଏପରି ବିରୋଧ ପ୍ରକଟ କରିବାର କାରଣ ହେଲା- ରାମସ୍ବାମୀ ହେଉଛନ୍ତି ଜଣେ ହିନ୍ଦୁ; କେବଳ ହିନ୍ଦୁ ନୁହନ୍ତି, ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଋଷି ସୁନକ୍ଙ୍କ ପରି ଖୋଲାଖୋଲି ଭାବରେ ନିଜ ଧର୍ମର ବିଧିବିଧାନ ପାଳନ କରୁଥିବା ଜଣେ ଧର୍ମପରାୟଣ ହିନ୍ଦୁ। ହିନ୍ଦୁମାନଙ୍କର ମୂର୍ତ୍ତି ପୂଜାକୁ ଲକ୍ଷ୍ୟ କରି ହିଁ କ୍ୟୁନେମାନ୍ ଉପରୋକ୍ତ ‘ଅଦ୍ଭୁତ ଠାକୁର’ ଆକ୍ଷେପ କରିଥିଲେ।
ଏହାକୁ ତେଣୁ ବିବେକ ରାମସ୍ବାମୀଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ବର ଏକ ବଳିଷ୍ଠ ପ୍ରମାଣ ବୋଲି ବିଚାର କରିବା ଠିକ୍ ହେବ ଯେ ତାଙ୍କ ପ୍ରତି ରକ୍ଷଣଶୀଳ ରିପବ୍ଲିକାନ୍ ସମର୍ଥକମାନଙ୍କ ମଧ୍ୟରେ ପରିଲକ୍ଷିତ ଏଭଳି ଅନ୍ତର୍ନିହିତ କୁଣ୍ଠା ସତ୍ତ୍ବେ ରିପବ୍ଲିକାନ୍ ପାର୍ଟିର ପ୍ରାୟ ନିଶ୍ଚିତ ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଉପରୋକ୍ତ ବିତର୍କର ଠିକ୍ ପର ଦିନ ତାଙ୍କର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ବିବେକଙ୍କର ଉଚ୍ଛ୍ବସିତ ପ୍ରଶଂସା କରି ତାଙ୍କୁ ସେଇ ବିତର୍କରେ ସ୍ପଷ୍ଟ ବିଜୟୀ ରୂପେ ଘୋଷଣା କରିଛନ୍ତି। କେବଳ ଟ୍ରମ୍ପ୍ ନୁହନ୍ତି, ଆମେରିକାର ସମସ୍ତ ଗଣମାଧ୍ୟମ ଓ ରାଜନୈତିକ ପର୍ଯ୍ୟବେକ୍ଷକମାନେ ମଧ୍ୟ ରିପବ୍ଲିକାନ୍ ପାର୍ଟିର ଏହି ପ୍ରଥମ ବିତର୍କରେ ବିବେକ ରାମସ୍ବାମୀ ଏକ ବୃହତ୍ ବିଜୟ ହାସଲ କରିଛନ୍ତି ବୋଲି ଏକମତ ହେବା ଦେଖାଯାଇଛି।
ଯାହା ଅନୁରୂପ ଭାବରେ ଚମକପ୍ରଦ ମଧ୍ୟ, ତାହା ହେଲା ସେଦିନ ମଞ୍ଚରେ ଉପସ୍ଥିତ ତାଙ୍କର ପ୍ରତିଦ୍ବନ୍ଦ୍ବୀମାନଙ୍କ ତୁଳନାରେ ବିବେକ ଏକ ସମ୍ପୂର୍ଣ୍ଣ ରୂପେ ଅନୁଭୂତିଶୂନ୍ୟ ବାଳକ ଭଳି ହୋଇଥିଲେ ହେଁ ସେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ନିଷ୍ପ୍ରଭ କରି ଦେଇ ବିତର୍କର କେନ୍ଦ୍ରସ୍ଥଳୀ ଦଖଲ କରି ନେଇଥିଲେ। ଉଦାହରଣ ସ୍ବରୂପ ତାଙ୍କର ପ୍ରତିଦ୍ବନ୍ଦ୍ବୀ ରୂପେ ସେଠାରେ ଉପସ୍ଥିତ ଥିଲେ କ୍ରିସ୍ କ୍ରିଷ୍ଟି, ଯିଏ ୨୦୧୬ରେ ମଧ୍ୟ ଏକ ଅନୁରୂପ ବିତର୍କରେ ଅଂଶ ଗ୍ରହଣ କରିଥିଲେ; ନିକି ହାଲୀ (ଆଉ ଜଣେ ଭାରତୀୟ ମୂଳର), ଯିଏ ସାଉଥ୍ କ୍ୟାରୋଲିନାକୁ ଗଭର୍ନର ରୂପେ ଶାସନ କରୁଥିବା ବେଳେ ରାମସ୍ବାମୀଙ୍କର ପାଠପଢ଼ା ସରିନଥିଲା; ଏବଂ ପୂର୍ବତନ ଉପରାଷ୍ଟ୍ରପତି ମାଇକ୍ ପେନ୍ସ, ଯିଏ ଏପରି ରାଜନୈତିକ ଅଭିଯାନ ଚଳାଇବା ଆରମ୍ଭ କରିବା ସମୟରେ ବିବେକ ଠୁକ୍ ଠୁକ୍ ହୋଇ ଚାଲି ଶିଖୁଥିଲେ। ଏଠାରେ ସୂଚନାଯୋଗ୍ୟ େଯ ଜନମତ ସର୍ବେକ୍ଷଣ ଅନୁସାରେ ଏହି ଦୌଡ଼ରେ ଅନ୍ୟ ସମସ୍ତ ପ୍ରତିଦ୍ବନ୍ଦ୍ବୀମାନଙ୍କ ଠାରୁ ବହୁ ଆଗରେ ଥିବା ଡୋନାଲ୍ଡ ଟ୍ରମ୍ପ୍ ଉପରୋକ୍ତ ବିତର୍କରେ ଅଂଶ ଗ୍ରହଣ କରିନଥିଲେ ଓ ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଥିବା ଫ୍ଲୋରିଡାର ଗଭର୍ନର ରନ୍ ଡିସାଣ୍ଟିସ୍ ସେଦିନ ରାମସ୍ବାମୀଙ୍କ ଦ୍ବାରା ପରାସ୍ତ ହୋଇଥିଲେ। ବିବେକ ରାମସ୍ବାମୀଙ୍କ ପ୍ରତି ଟ୍ରମ୍ପ୍ଙ୍କ ମନୋଭାବ ଦେଖି କଳ୍ପନା ଜଳ୍ପନା ପ୍ରକାଶ ପାଇଲାଣି ଯେ ହାର୍ଭାର୍ଡରୁ ବାୟୋଲୋଜିରେ ଓ ୟେଲ୍ରୁ ଲ’ରେ ଡିଗ୍ରୀ ହାସଲ କରିଥିବା ଏହି ବିଚକ୍ଷଣ ଯୁବକଙ୍କୁ ଟ୍ରମ୍ପ୍ ତାଙ୍କର ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ ସାଥୀରେ ନେଇ ୨୦୨୪ର ରାଷ୍ଟ୍ରପତି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାର ଦୃଢ଼ ସମ୍ଭାବନା ରହିଛି। ଅର୍ଥାତ୍ ରାଷ୍ଟ୍ରପତି ରୂପେ ନ ହେଲେ ବି ଅନତି ବିଳମ୍ବେ ଉପରାଷ୍ଟ୍ରପତି ରୂପେ ନିଜର ଅଦ୍ଭୁତ ଠାକୁରମାନଙ୍କୁ ସାଙ୍ଗରେ ନେଇ ରାମସ୍ବାମୀ ହ୍ବାଇଟ୍ ହାଉସ୍ରେ ପ୍ରବେଶ କରିବାର ଏକ ବାସ୍ତବ ସମ୍ଭାବନା ଦେଖାଯାଉଛି।
ରାମସ୍ବାମୀଙ୍କର ଧର୍ମବିଶ୍ବାସ ଯଦି ଉପରେ ବର୍ଣ୍ଣନା କରାଯାଇଥିବା ଭଳି ତାଙ୍କର ହ୍ବାଇଟ୍ ହାଉସ୍ରେ ପ୍ରବେଶ ଅଭିଯାନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି, ତା’ହେଲେ କେଉଁ ଅନୁକୂଳ ପ୍ରଭାବ ସେ ଅଭିଯାନକୁ ଏପରି ଚମକପ୍ରଦ ଭାବରେ ଆଗେଇ ନେଉଛି? ଏହାର ଉତ୍ତର ହେଉଛି ରାମସ୍ବାମୀ ପ୍ରସାର କରି ଚାଲିଥିବା ତାଙ୍କର ଚରମ ରକ୍ଷଣଶୀଳ ଓ ଜାତୀୟତାବାଦୀ ରାଜନୈତିକ-ଅର୍ଥନୈତିକ ବିଶ୍ବାସ। ବର୍ତ୍ତମାନର ଅଭିଯାନ ପରିପ୍ରେକ୍ଷୀରେ ସେ ତାଙ୍କର ଏହି ରକ୍ଷଣଶୀଳ ବିଶ୍ବାସକୁ ଏକ ଦଶସୂତ୍ରୀ ମନ୍ତ୍ରର ତାଲିକା ରୂପେ ପ୍ରକାଶ କରିଛନ୍ତି, ଯେଉଁଥିରେ ସେ ତାଙ୍କର ପ୍ରତ୍ୟେକ ବିଶ୍ବାସକୁ ଏକ ‘ସତ୍ୟ’ ରୂପେ ଆଖ୍ୟାୟିତ କରିଛନ୍ତି। ଏହି ଦଶଟି ‘ସତ୍ୟ’ ହେଲେ: ଈଶ୍ବର ହେଉଛନ୍ତି ବାସ୍ତବ; ଲିଙ୍ଗ ହେଉଛି ଦୁଇଟି; ମାନବୀୟ ସମୃଦ୍ଧି ପାଇଁ ଜୀବାଶ୍ମ ଇନ୍ଧନର ଆବଶ୍ୟକତା ରହିଛି; ଓଲଟ ଜାତିବାଦ ମଧ୍ୟ ହେଉଛି ଜାତିବାଦ; ଏକ ଉନ୍ମୁକ୍ତ ସୀମା ସୀମା ନୁହେଁ; ପିତାମାତା ସେମାନଙ୍କର ପିଲାମାନଙ୍କର ଶିକ୍ଷା ସମ୍ବନ୍ଧରେ ନିଷ୍ପତ୍ତି ନିଅନ୍ତି; ଏକକ ପରିବାର ହେଉଛି ମନୁଷ୍ୟକୁ ଜଣାଥିବା ଶ୍ରେଷ୍ଠତମ ଶାସନ ପଦ୍ଧତି; ପୁଞ୍ଜିବାଦ ଆମକୁ ଦାରିଦ୍ର୍ୟରୁ ଉପରକୁ ଉଠାଏ; ଆମେରିକାରେ ସରକାରର ତିନିଟି ଶାଖା ରହିଛି, ଚାରିଟି ନୁହେଁ; ଆମେରିକାର ସଂବିଧାନ ହେଉଛି ସମଗ୍ର ଇତିହାସରେ ବିଭିନ୍ନ ପ୍ରକାର ସ୍ବାଧୀନତାକୁ ପ୍ରଦାନ କରାଯାଇଥିବା ସର୍ବାଧିକ ଶକ୍ତିଶାଳୀ ଗ୍ୟାରେଣ୍ଟି।
୨୦୨୧ରୁ ବର୍ତ୍ତମାନ ମଧ୍ୟରେ ବିବେକ ରାମସ୍ବାମୀ ତିନିଗୋଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି, ଯେଉଁଥିରେ ସେ ତାଙ୍କର ମୁଖ୍ୟ ରାଜନୈତିକ ଚିନ୍ତାଧାରାକୁ ବାରମ୍ବାର ଦୋହରାଇଛନ୍ତି। ତାହା ହେଲା- ବିପକ୍ଷ ଡେମୋକ୍ରାଟିକ୍ ପାର୍ଟି ସମର୍ଥନ କରୁଥିବା ‘ଜାଗ୍ରତ ପୁଞ୍ଜିବାଦ’ (‘ଵକ୍ କ୍ୟାପିଟାଲିଜ୍ମ’) ହେଉଛି ଆମେରିକାର ଜାତୀୟ ପରିଚୟ ପାଇଁ ବିପଜ୍ଜନକ। ପୁଞ୍ଜିବାଦର ଏହି ନୂତନ ସମାଜବାଦୀ ସଂସ୍କରଣରେ ବଡ଼ ବଡ଼ କମ୍ପାନିମାନେ ଉଦାର-ବାମପନ୍ଥୀମାନେ ଆରମ୍ଭ କରୁଥିବା ବିିଭିନ୍ନ ପ୍ରକାର ଆନ୍ଦୋଳନ- ‘ମି ଟୁ’ରୁ ‘ଏଲ୍ଜିବିଟିକ୍ୟୁ’ ଅଧିକାର ଓ ପରିବେଶ ସୁରକ୍ଷା ପର୍ଯ୍ୟନ୍ତ- କୁ ସମର୍ଥନ ପ୍ରଦାନ କରି ନିଜର ସାମାଜିକ ଚେହେରାକୁ ଚିକ୍କଣ କରିବା ପାଇଁ ବ୍ୟଗ୍ର ଥିବାବେଳେ ନିଜର କର୍ମଚାରୀମାନଙ୍କୁ ଶୋଷଣ କରିବାକୁ କିମ୍ବା ଦେଶର ଅର୍ଥନୀତିର ଓ ଏପରି କି ସେଇ ପରିବେଶର ମଧ୍ୟ କ୍ଷତି ଘଟାଇବାକୁ ପଛାଇ ନ ଥାନ୍ତି।
ଦାର୍ଶନିକା ଅାଇନ୍ ରୢାଣ୍ଡଙ୍କୁ ଅନୁସରଣ କରି ରାମସ୍ବାମୀ ଆମେରିକାରେ ଏକ ବିଶୁଦ୍ଧ ପୁଞ୍ଜିବାଦ ପ୍ରତିଷ୍ଠା କରିବାକୁ ଚାହାଁନ୍ତି, ଯେଉଁଥିରେ ସରକାରର ଆକାର ହେବ କ୍ଷୁଦ୍ରତମ ସମ୍ଭବ ଏବଂ ଅର୍ଥନୀତି ହେବ ସରକାରୀ ହସ୍ତକ୍ଷେପମୁକ୍ତ। ସେ ରାଷ୍ଟ୍ରପତି ହେଲେ ଆମେରିକାର ଅମଲାତନ୍ତ୍ରର ୭୫ ଶତାଂଶକୁ ଛଟେଇ କରିଦେବେ ବୋଲି ରାମସ୍ବାମୀ ଘୋଷଣା କରିଛନ୍ତି।
ରାମସ୍ବାମୀଙ୍କର ଈଶ୍ବର ଯେତେ ଅଦ୍ଭୁତ ହୋଇଥାନ୍ତୁ ନା କାହିଁକି, ସେ ଉଚ୍ଚାରଣ କରୁଥିବା ମନ୍ତ୍ରର ତୀବ୍ର ରକ୍ଷଣଶୀଳତା ଯେ ଆମେରିକାର ରକ୍ଷଣଶୀଳ ଜନ ସମୁଦାୟର ମନକୁ ଛୁଇଁଛି, ରାମସ୍ବାମୀଙ୍କ ଲୋକପ୍ରିୟତା ତାହା ପ୍ରମାଣିତ କରୁଛି। ଗୋଦାବରୀଶ ମହାପାତ୍ରଙ୍କର ‘‘ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ’’ର ତାନ୍ତ୍ରିକ ପରି ତାନ୍ତ୍ରିକ ରାମସ୍ବାମୀଙ୍କର ଡାକ ଆମେରିକା ପୁରବାସୀମାନଙ୍କୁ ଜପାଇବା ଆରମ୍ଭ କରିଛି।