ଆବେଦନକାରିଣୀ ତାଙ୍କର ଆବେଦନରେ ଦର୍ଶାଇଛନ୍ତି ଯେ ସରକାରଙ୍କର ଏଭଳି ନିୟମ ଭାରତୀୟ ସଂବିଧାନର ଧାରା-୧୪, ଧାରା-୧୯ ଓ ଧାରା-୨୧ର ଖୋଲାଖୋଲି ଉଲ୍ଲଂଘନ କରିଥାଏ। ସେଥିରେ ସେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ କେବଳ ନାରୀମାନଙ୍କ ପ୍ରତି ଏହି ନିୟମ ଲାଗୁ ହେଉଥିବାରୁ ଓ ପୁରୁଷମାନଙ୍କୁ ଏହି ଆବଶ୍ୟକତା ପୂରଣ କରିବାକୁ ପଡୁ ନ ଥିବାରୁ ଏହା ହେଉଛି ଗଭୀର ଲିଙ୍ଗ-ବିଦ୍ବେଷର ଏକ ନଗ୍ନ ପ୍ରଦର୍ଶନ।
ଜଣେ ବ୍ୟକ୍ତିର ସଂପୂର୍ଣ୍ଣ ରୂପେ ନିଜସ୍ବ ଓ ଅବିଚ୍ଛେଦ୍ୟ ସଂପତ୍ତି ତାଲିକାରେ ଯାହା ଅଗ୍ରଣୀ ସ୍ଥାନ ଦଖଲ କରିବ, ତାହା ଯେ ହେଉଛି ତା’ର ନାମ, ଏଥିରେ କେହି ଦ୍ବିମତ ହେବେ ନାହିଁ। କିନ୍ତୁ ଏଥିରେ ସହମତ ହେବାବେଳେ ବୋଧହୁଏ କେହିହେଲେ ସଚେତନ ନ ଥିବେ ଯେ ଏଥିରେ ଏକ ଲିଙ୍ଗଗତ ବାଛବିଚାର ନିହିତ ଅଛି। ନିର୍ଦ୍ଦିଷ୍ଟ ଭାବରେ କହିଲେ, ବ୍ୟକ୍ତିର ନାମର ଯେଉଁ ଅଂଶରେ ଏହି ବାଛବିଚାର ବସା ବାନ୍ଧିଥାଏ, ତାହା ହେଉଛି ତା’ର ସାଙ୍ଗିଆ। ପୃଥିବୀର ପ୍ରାୟ ସମସ୍ତ ସମାଜରେ ଜଣେ ପୁରୁଷ ତା’ର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଗୋଟିଏ ନିର୍ଦ୍ଦିଷ୍ଟ ସାଙ୍ଗିଆର ଅଧିକାରୀ ହୋଇଥିବା ବେଳେ, ଜଣେ ନାରୀକୁ ବିବାହ ପରେ ନିଜର ଜନ୍ମିତ ସାଙ୍ଗିଆକୁ ପରିତ୍ୟାଗ କରି ସ୍ବାମୀର ସାଙ୍ଗିଆ ବହନ କରିବାକୁ ପଡ଼ିଥାଏ। ଏହି ପ୍ରଥା ଉଭୟ ଦୀର୍ଘକାଳୀନ ସାମାଜିକ ପରଂପରା ଓ ଆଇନର ସମର୍ଥନ ଦ୍ବାରା ଏପରି ପରିପୁଷ୍ଟ ହୋଇଥାଏ ଯେ ଲିଙ୍ଗଗତ ନ୍ୟାୟର ପ୍ରଚଣ୍ଡ ସମର୍ଥକମାନଙ୍କ ଠାରୁ ନାରୀ ଅଧିକାର ଆନ୍ଦୋଳନକାରିଣୀଙ୍କ ପର୍ଯ୍ୟନ୍ତ ଏଥିରେ ନିହିତ ନାରୀ-ବିଦ୍ବେଷୀ ଆଭିମୁଖ୍ୟ ସମ୍ବନ୍ଧରେ ସଚେତନ ନଥାନ୍ତି।
ଏହାର ଉଦାହରଣ ଖୋଜି ବସିଲେ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଉଦାହରଣ ଦେଖିବାକୁ ମିଳିଥାଏ ଊନବିଂଶ ଶତାବ୍ଦୀର ଇଂଲାଣ୍ଡ୍ରେ। ମାନବ ଇତିହାସରେ ସର୍ବୋଚ୍ଚ ‘ଆଇକ୍ୟୁ’ (ମେଧାର ପରିମାପକ)ର ଅଧିକାରୀ ରୂେପ ସ୍ବୀକୃତ ଇଂରେଜ୍ ଦାର୍ଶନିକ-ଅର୍ଥନୀତିଜ୍ଞ ଜନ୍ ଷ୍ଟୁଆର୍ଟ ମିଲ୍ ମଧ୍ୟ ଥିଲେ ସମାଜର ପ୍ରତ୍ୟେକ େକ୍ଷତ୍ରରେ ମହିଳାମାନଙ୍କୁ ପୁରୁଷମାନଙ୍କ ସହିତ ସମାନ ଅଧିକାର ପ୍ରଦାନର ଜଣେ ଦୃଢ଼ ସମର୍ଥକ। ସେତିକି ନୁହେଁ, ସେ ମଧ୍ୟ ବିଶ୍ବାସ କରୁଥିଲେ ଯେ ମହିଳାମାନେ ହେଉଛନ୍ତି ସ୍ବାଭାବିକ ଭାବରେ ପୁରୁଷମାନଙ୍କ ଠାରୁ ଅଧିକ ଧୀ-ଶକ୍ତିର ଅଧିକାରିଣୀ। ଏପରିକି ଏ ନେଇ ମତପାର୍ଥକ୍ୟ ଘଟିବାରୁ ସେ ଏକଦା ତାଙ୍କର ଘନିଷ୍ଠ ବନ୍ଧୁ ଥିବା ଫରାସୀ ଦାର୍ଶନିକ ଅଗଷ୍ଟ୍ କମ୍ଟେଙ୍କ ସହିତ ସଂପର୍କ ଛିନ୍ନ କରିଦେଇଥିଲେ।
ନାରୀମାନଙ୍କ ସଂପର୍କରେ ମିଲ୍ଙ୍କର ଏଭଳି ଉଚ୍ଚ ଧାରଣା ପଛରେ ଜଣେ ନିର୍ଦ୍ଦିଷ୍ଟ ନାରୀଙ୍କର ପ୍ରଭାବ ନିହିତ ଥିଲା। ସେ ଥିଲେ ମିଲ୍ଙ୍କର ଘନିଷ୍ଠ ବାନ୍ଧବୀ ତଥା ବୌଦ୍ଧିକ ସାଥୀ- ହାରିଏଟ୍ ଟେଲର୍। ଏହି ବିବାହିତା ଯୁବତୀ, ଯାହାଙ୍କର ବିବାହ ପୂର୍ବର ପୈତୃକ ସାଙ୍ଗିଆ ଥିଲା ‘ହାର୍ଡି’, ସେ ସମୟର ନାରୀ ଅଧିକାର ଆନ୍ଦୋଳନର ଜଣେ ପ୍ରମୁଖ ପ୍ରବକ୍ତା ଥିଲେ ଓ ଏ ବାବଦରେ ମିଲ୍ଙ୍କର ଚିନ୍ତାଧାରାକୁ ବିଶେଷ ଭାବରେ ପ୍ରଭାବିତ କରିଥିଲେ। ଟେଲର୍ ତାଙ୍କର ପ୍ରସିଦ୍ଧ ରଚନା, ‘ଏନ୍ଫ୍ରାଞ୍ଚାଇଜ୍ମେଣ୍ଟ୍ ଅଫ୍ ୱିମେନ୍’ରେ ଲେଖିଥିଲେ ଯେ ସାମାଜିକ ଅନ୍ୟାୟର ଇତିହାସରେ ନାରୀ ନିଷ୍ପେଷଣ ଏକ ନିଆରା ସ୍ଥାନ ଅଧିକାର କରିଥାଏ, କାରଣ ଅନ୍ୟ କୌଣସି ନିକୃଷ୍ଟ ବିବେଚିତ ଜାତିକୁ ନିଜର ଅପମାନକୁ ସମ୍ମାନ ରୂେପ ବିଚାର କରିବାକୁ ଶିକ୍ଷା ଦିଆଯାଇ ନ ଥାଏ। ପୁରୁଷ ପାଇଁ ସନ୍ତାନ ପ୍ରସବ କରିବା, ସେମାନଙ୍କର ଲାଳନପାଳନ କରିବା, ପରିବାର ପରିଚାଳନା କରିବାକୁ ଗୌରବ ରୂେପ ବିଚାର କରିବାକୁ ନାରୀମାନେ ତାଲିମ ପାଇଥିଲେ ହେଁ, ଏହା ଗୃହର ଅନ୍ୟାନ୍ୟ ଆସବାବପତ୍ର ପରି ସେମାନଙ୍କୁ ପୁରୁଷର ଏକ ଉପଯୋଗୀ ସଂପତ୍ତିରେ ପରିଣତ କରିଥାଏ।
କିନ୍ତୁ ହାରିଏଟ୍ଙ୍କ ଚିନ୍ତାରେ ମଧ୍ୟ ଏହା ପ୍ରବେଶ କରି ନ ଥିଲା ଯେ ବିବାହ ପରେ ନାରୀର ପୈତୃକ ସାଙ୍ଗିଆ ହରଣ କରି ତାକୁ ସ୍ବାମୀର ସାଙ୍ଗିଆ ବହନ କରିବାକୁ ବାଧ୍ୟ କରାଯିବା ହେଉଛି ତା’ର ଏହି ବସ୍ତୁକରଣ ପ୍ରକ୍ରିୟାର ଅଂଶ- ସ୍ବାମୀର ସାଙ୍ଗିଆ ହେଉଛି ସ୍ବାମୀର ସଂପତ୍ତି ରୂପେ ତା’ଠାରେ ଲଗାଇ ଦିଆଯାଇଥିବା ମୋହର। ସ୍ବାଭାବିକ ଭାବରେ ନାରୀ ଅଧିକାର ପାଇଁ ସଂଗ୍ରାମ କରୁଥିବା ମିଲ୍ ମଧ୍ୟ ସାଙ୍ଗିଆର ଏଭଳି ଲିଙ୍ଗ-ବିଦ୍ବେଷୀ ଚରିତ୍ର ସମ୍ବନ୍ଧରେ ସଚେତନ ହୋଇପାରି ନ ଥିଲେ। ହାରିଏଟ୍ଙ୍କର ସ୍ବାମୀଙ୍କର ମୃତ୍ୟୁ ପରେ ମିଲ୍ ହାରିଏଟ୍ଙ୍କୁ ବିବାହ କଲେ। ଉଲ୍ଲେଖନୀୟ ଭାବରେ ନାରୀ ଅଧିକାର ପ୍ରତି ନିଜର ପ୍ରତିବଦ୍ଧତାର ପ୍ରମାଣ ସ୍ବରୂପ ବିବାହ ପୂର୍ବରୁ ମିଲ୍ ପ୍ରଚଳିତ ବିବାହ ଆଇନରେ ସ୍ବାମୀକୁ ପ୍ରଦାନ କରାଯାଉଥିବା ଅହେତକୁ କ୍ଷମତା ବିରୁଦ୍ଧରେ ଏକ ବିଧିବଦ୍ଧ ପ୍ରତିବାଦ ପ୍ରକାଶ କରିଥିଲେ। କିନ୍ତୁ ଏହା ସତ୍ତ୍ବେ ଯେ ବିବାହ ପରେ ହାରିଏଟ୍ ଟେଲର୍ ପରିଣତ ହୋଇଯାଇଥିଲେ ହାରିଏଟ୍ ମିଲ୍ରେ, ତାହାର ତାତ୍ପର୍ଯ୍ୟ ମହାନ ମିଲ୍ ମଧ୍ୟ ହୃଦୟଙ୍ଗମ କରିପାରି ନ ଥିଲେ।
ଏହି ପୃଷ୍ଠଭୂମିରେ ବିଚାର କଲେ ମନେ ହୋଇଥାଏ ଯେ ବର୍ତ୍ତମାନ ଦିବ୍ୟା ମୋଦୀ ଟୋଙ୍ଗ୍ୟା ନାମକ ଜନୈକ ମହିଳା ଦିଲ୍ଲୀ ହାଇକୋର୍ଟରେ ଏହି ସାଙ୍ଗିଆ ଫେରସ୍ତ ପାଇଁ ଦାବି କରି ଯେଉଁ ଆବେଦନ ଉପସ୍ଥାପନ କରିଛନ୍ତି, ତାହା ହେଉଛି ଐତିହାସିକ। ତାଙ୍କର ସ୍ବାମୀଙ୍କ ଠାରୁ ତାଙ୍କର ବିବାହ ବିଚ୍ଛେଦ ଘଟିବା ପରେ ଦିବ୍ୟା ବିଧିବଦ୍ଧ ଭାବରେ ନିଜର ପୈତୃକ ନାମକୁ ଫେରି ଯିବାକୁ ଚାହୁଁଛନ୍ତି। ଦିବ୍ୟାଙ୍କର ଏହି ଭାବନାର ଆବେଗିକ ଦିଗ ବାଦ୍ ଏହାର ବିଶୁଦ୍ଧ େଯୗକ୍ତିକତା ମଧ୍ୟ ହୃଦୟଙ୍ଗମ କରିବା କଷ୍ଟକର ନୁହେଁ। ସଂପର୍କ ଛିନ୍ନ ହେବା ପରେ ହାରିଏଟ୍ ଟେଲର୍ଙ୍କ ଭାଷାରେ ଦିବ୍ୟା ଜଣେ ପୁରୁଷର ସଂପତ୍ତି ରୂପେ ତା’ର ନାମର ମୋହର ନିଜଠାରେ ଲଗାଇ ବୁଲିବା ଦିବ୍ୟାଙ୍କ ପାଇଁ ଏକ ଉଦ୍ଭଟ ଅନିଚ୍ଛାକୃତ ବୋଝ ନୁହେଁ କି? ବିବାହିତ ଥିବା ସମୟରେ ସ୍ବାମୀର ନାମ ବହନ କରିବା ଯଦି କଠିନ ଲିଙ୍ଗ-ବିଦ୍ବେଷର ପରିଚାୟକ ହୁଏ, ତେବେ ବିବାହ ବିଚ୍ଛେଦ ଘଟିବା ପରେ ମଧ୍ୟ ମହିଳା ଜଣକ ଅନ୍ୟ ଜଣେ ପୁରୁଷଙ୍କର ପରିଚୟ ବହନ କରି ଚାଲିବାରେ ସେଇ ଲିଙ୍ଗ-ବିଦ୍ବେଷ ଦ୍ବିଗୁଣିତ ହୋଇଥାଏ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ।
ଏହି ଲିଙ୍ଗ-ବିଦ୍ବେଷ କେବଳ ଯେ ସାମାଜିକ ସମର୍ଥନ ଦ୍ବାରା ପରିପୁଷ୍ଟ, ତାହା ନୁହେଁ; ନିୟମକାନୁନ ଓ ସରକାରୀ ବ୍ୟବସ୍ଥା ଏହାର ଦୃଢ଼ୀକରଣ କରିଥାଏ। ଯେମିତି ଦିବ୍ୟାଙ୍କ ମାମଲାରେ ଦେଖିବାକୁ ମିଳିଥାଏ। ସରକାରୀ ବିଜ୍ଞପ୍ତି ଅନୁସାରେ ବିବାହ ବିଚ୍ଛେଦ ଘଟିବା ପରେ ଜଣେ ମହିଳା ଯଦି ତାଙ୍କ ନାମରୁ ସ୍ବାମୀଙ୍କର ସାଙ୍ଗିଆ ବହିଷ୍କାର କରି ସେଥିରେ ଆଇନଗତ ଭାବରେ ପୈତୃକ ସାଙ୍ଗିଆ ପୁନଃସ୍ଥାପନ କରିବାକୁ ଚାହାନ୍ତି, ତେବେ ସେଥିପାଇଁ ତାଙ୍କୁ ତାଙ୍କର ପୂର୍ବତନ ସ୍ବାମୀଙ୍କ ଠାରୁ ଏକ ‘ନିର୍ବିରୋଧ ପତ୍ର’ ବା ‘ନୋ ଅବ୍ଜେକ୍ସନ୍ ସାର୍ଟିଫିକେଟ୍’ (‘ଏନ୍ଓସି’) ଆଣି ଦାଖଲ କରିବାକୁ ହେବ। ଦିବ୍ୟା ମାଲହୋତ୍ରା ଟୋଙ୍ଗ୍ୟା ଏହି ସରକାରୀ ନିୟମକୁ ଅସିଦ୍ଧ ଘୋଷଣା କରିବା ପାଇଁ ଅଦାଲତର ଦ୍ବାରସ୍ଥ େହାଇଛନ୍ତି। ଦିଲ୍ଲୀ ହାଇକୋର୍ଟ ଆସନ୍ତା ମଇ ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ଓ ସେଇ ସମୟ ମଧ୍ୟରେ ଦିବ୍ୟାଙ୍କ ଅଭିଯୋଗ ସଂପର୍କରେ ନିଜର ଜବାବ ଦାଖଲ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରଙ୍କର ଏହି ନିୟମ ସ୍ପଷ୍ଟ ରୂପେ ଜଣେ ମହିଳା ନାଗରିକ ନିଜର ପରିଚୟ ସମ୍ବନ୍ଧରେ ନିଷ୍ପତ୍ତି ନେବା ପାଇଁ ଥିବା ତାଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି, ଏଥିରେ କୌଣସି ସନ୍ଦେହ ନାହିଁ। ଆବେଦନକାରିଣୀ ତାଙ୍କର ଆବେଦନରେ ଦର୍ଶାଇଛନ୍ତି ଯେ ସରକାରଙ୍କର ଏଭଳି ନିୟମ ଭାରତୀୟ ସଂବିଧାନର ଧାରା-୧୪, ଧାରା-୧୯ ଓ ଧାରା-୨୧ର ଖୋଲାଖୋଲି ଉଲ୍ଲଂଘନ କରିଥାଏ। ସେଥିରେ ସେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ କେବଳ ନାରୀମାନଙ୍କ ପ୍ରତି ଏହି ନିୟମ ଲାଗୁ ହେଉଥିବାରୁ ଓ ପୁରୁଷମାନଙ୍କୁ ଏହି ଆବଶ୍ୟକତା ପୂରଣ କରିବାକୁ ପଡୁ ନ ଥିବାରୁ ଏହା ହେଉଛି ଗଭୀର ଲିଙ୍ଗ-ବିଦ୍ବେଷର ଏକ ନଗ୍ନ ପ୍ରଦର୍ଶନ। ତାଙ୍କର ଆବେଦନ କେବଳ ଏକ ତାତ୍ତ୍ବିକ ତର୍କ ଉପରେ ପ୍ରତିଷ୍ଠିତ ନୁହେଁ; ଏହାର କଠିନ ବାସ୍ତବ ଦିଗ ହେଉଛି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଉଦାହରଣ ସ୍ବରୂପ ଦିବ୍ୟାଙ୍କ ଭଳି ନାରୀମାନେ ଯଦି ଆଧାର କାର୍ଡ ବା ରାସନ କାର୍ଡ ଆଦି ସରକାରୀ ଡକୁମେଣ୍ଟ ପାଇବା ପାଇଁ ଆବେଦନ କରନ୍ତି କିମ୍ବା ବ୍ୟାଙ୍କ୍ରେ ଆକାଉଣ୍ଟ୍ ଖୋଲିବାକୁ ଚାହାନ୍ତି, ଏବେ ସେମାନଙ୍କୁ ନିଜର ପୂର୍ବତନ ପତିଙ୍କ ସାଙ୍ଗିଆ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ସେମାନଙ୍କୁ ଆତ୍ମ ପରିଚୟ ହାସଲ କରି ପୁରୁଷର ପରିଚୟ ବନ୍ଧନରୁ ମୁକ୍ତି ପ୍ରଦାନ କରିବା ପାଇଁ ସରକାର ଉପରୋକ୍ତ ନିୟମର ଉଚ୍ଛେଦ ଘଟାଇବାକୁ ଅଦାଲତ ନିର୍ଦ୍ଦେଶ ଦେବେ ବୋଲି ଆଶା କରାଯାଏ।