ପୃଥିବୀର ସର୍ବାଧିକ ଜନବହୁଳ ତଥା ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତି ଭାରତରେ ଅଧିକ ‘ଟେସ୍ଲା’ କାର୍ ବିକ୍ରୟ କରିବା ନିମିତ୍ତ ଏହା ଉପରେ ଆମଦାନି ଶୁଳ୍କ ହ୍ରାସ କରିବା ନିମିତ୍ତ ମସ୍କ ଭାରତ ସରକାରଙ୍କୁ ଅନୁରୋଧ କରିବାରେ ଲାଗିଛନ୍ତି। ‘ଟେସ୍ଲା’ ଗତ ମାସରେ ତା’ର ଏହି ଉଦ୍ୟମରେ ଆଂଶିକ ସଫଳତା ଲାଭ କରିଥିଲା, ଯେତେବେଳେ ଭାରତରେ ଅନ୍ୟୂନ ୫୦୦ ନିୟୁତ ଡଲାର୍ ପୁଞ୍ଜି ନିବେଶ କରି ଏଠାରେ କାର୍ ଉତ୍ପାଦନ କରିବାକୁ ଆଗେଇ ଆସୁଥିବା କଂପାନିମାନଙ୍କ ପ୍ରତି ଲାଗୁ ହେଉଥିବା ଆମଦାନି ଶୁଳ୍କରେ ଏକ ବିଶେଷ ରିହାତି ଦିଆଯାଇ ତାହାକୁ ୭୦-୧୦୦ ଶତାଂଶ ହାରରୁ ୧୫ ଶତାଂଶକୁ ଖସାଇ ଦିଆଯିବ ବୋଲି ସରକାର ଘୋଷଣା କଲେ।
‘ଟେସ୍ଲା’, ‘ଟ୍ବିଟର୍’ (ବର୍ତ୍ତମାନ ‘ଏକ୍ସ’), ‘ସ୍ପେସ୍ଏକ୍ସ’, ‘ଷ୍ଟାର୍ଲିଙ୍କ୍’ର ମାଲିକଙ୍କ ନିୟନ୍ତ୍ରଣ ଶକ୍ତି ସମ୍ବନ୍ଧରେ ସହଜରେ ଧାରଣା କରିବା ପାଇଁ ଏହା କୁହାଯାଇପାରେ: ସେ ପୃଥିବୀରେ ମଟର ଗାଡ଼ିର ମୌଳିକ ଚରିତ୍ରରେ ପରିବର୍ତ୍ତନ ଘଟାଇ ଦେଇଛନ୍ତି; ସେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ପରି ଦୁର୍ଦ୍ଧର୍ଷ ରାଜେନତା ‘ଏକ୍ସ’ ବ୍ୟବହାର କରି ତାଙ୍କର ଅଗଣିତ ଅନୁଗାମୀମାନଙ୍କ ସହିତ ସଂପର୍କ ସ୍ଥାପନ କରିପାରିବେ କି ନାହିଁ, ତାହା ସ୍ଥିର କରନ୍ତି; ଆମେରିକା ମହାକାଶକୁ ମନୁଷ୍ୟ ପ୍ରେରଣ କରିବା ପାଇଁ ତାଙ୍କ ରକେଟ୍ ଉପରେ ନିର୍ଭର କରିବ; ପୃଥିବୀର ଅଗମ୍ୟ ସ୍ଥାନମାନଙ୍କରେ ଇଣ୍ଟର୍ନେଟ୍ ଯୋଗାଯୋଗ ‘ଷ୍ଟାର୍ଲିଙ୍କ୍’ ସାଟେଲାଇଟ୍ମାନଙ୍କ ଦ୍ବାରା ସମ୍ଭବ ହୋଇଥାଏ। ଏହି ମାଲିକ ପୃଥିବୀର ସର୍ବଶ୍ରେଷ୍ଠ ଧନୀ ଏଲନ୍ ମସ୍କଙ୍କ ପହୁଞ୍ଚ ଏତିକିରେ ମଧ୍ୟ ସୀମିତ ନୁହେଁ ଏବଂ ନିୟମିତ ଭାବରେ ନୂଆ ନୂଆ ଅପହଞ୍ଚ ଇଲାକାମାନଙ୍କରେ ପ୍ରବେଶ କରିବାରେ ଲାଗିଛି- େଯମିତି ମନୁଷ୍ୟ ମସ୍ତିଷ୍କରେ ନିୟନ୍ତ୍ରକ ଚିପ୍ ଖଞ୍ଜିବା କିମ୍ବା ମାନବସୁଲଭ ରୋବଟ୍ ନିର୍ମାଣ କରିବା। ଯଦି ପୃଥିବୀକୁ ଏକ ଖେଳ ପଡ଼ିଆ ବୋଲି ବିଚାର କରାଯାଏ, ତେବେ କୁହାଯାଇପାରେ ଯେ ଏଲନ୍ ମସ୍କ କେବଳ ଯେ କ୍ରମେ ଏହି ପଡ଼ିଆର ମାଲିକରେ ପରିଣତ ହେବାକୁ ଯାଉଛନ୍ତି, ତାହା ନୁହେଁ, ସେ ମଧ୍ୟ ଏଠାରେ ସମସ୍ତ ଖେଳର ନିୟମମାନ ନିର୍ଦ୍ଧାରଣ କରିଥାନ୍ତି।
ବାସ୍ତବରେ ଗତ ବର୍ଷ ପ୍ରକାଶିତ ମସ୍କଙ୍କ ଜୀବନୀର ରଚୟିତା ୱାଲ୍ଟର୍ ଆଇଜାକ୍ସନ୍ ଏ ସଂପର୍କରେ ପ୍ରଦାନ କରିଥିବା ଏକ ମନ୍ତବ୍ୟ ଏଲନ୍ ମସ୍କଙ୍କର ଏତାଦୃଶ ନିୟନ୍ତ୍ରଣ-କୈନ୍ଦ୍ରିକ ମନସ୍ତତ୍ତ୍ବ ବୁଝିବାରେ କିଛି ମାତ୍ରାରେ ସହାୟକ ହୋଇଥାଏ। ଆଇଜାକ୍ସନ୍ ଲେଖିଛନ୍ତି ଯେ ପିଲାବେଳେ ସ୍କୁଲ୍ ଖେଳ ପଡ଼ିଆରେ ଏଲନ୍ଙ୍କୁ ତାଙ୍କର ସହପାଠୀମାନେ ଭୀଷଣ ଭାବରେ ହଇରାଣ ହରକତ କରୁଥିଲେ, ଯାହା ତାଙ୍କର ମନସ୍ତତ୍ତ୍ବରେ ଏକ ଗଭୀର ଦାଗ ଛାଡ଼ି ଯାଇଛି। ପରବର୍ତ୍ତୀ ଜୀବନରେ ଚମକପ୍ରଦ ସଫଳତା ହାସଲ କରିଥିବା ଏଲନ୍ ମସ୍କ ସେ ଦିନର ସେଇ ଅପମାନର ପ୍ରତିଶୋଧ ନେବା ଭଳି ବର୍ତ୍ତମାନ ସମଗ୍ର ଖେଳ ପଡ଼ିଆ ଉପରେ ନିଜର ମାଲିକାନା ବିସ୍ତାର କରିବାକୁ ଉଦ୍ୟମ କରୁଛନ୍ତି। ଏହି ପୃଷ୍ଠଭୂମିରେ ବିଚାର କଲେ ଏବେ ମସ୍କ ଶେଷ ମୁହୂର୍ତ୍ତରେ ତାଙ୍କର ଭାରତ ଗସ୍ତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତକାର ବାତିଲ କରି ତାହାକୁ ସ୍ଥଗିତ କରିବା ଘୋଷଣା କରିବାେର ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏଥିପୂର୍ବରୁ ସେ ଚଳିତ ମାସ ୨୨ ତାରିଖରେ ଭାରତ ଆସି ମୋଦୀଙ୍କ ସହିତ ଆଲୋଚନା କରି ଏଠାରେ ତାଙ୍କର ପ୍ରସିଦ୍ଧ ଇଲେକ୍ଟ୍ରିକ୍ କାର୍ ‘ଟେସ୍ଲା’ ନିର୍ମାଣ ପାଇଁ କାରଖାନା ସ୍ଥାପନ ନିଷ୍ପତ୍ତି ଘୋଷଣା କରିବାକୁ ଯାଉଛନ୍ତି ବୋଲି ଏକ ପ୍ରକାର ନିଶ୍ଚିତ ହୋଇସାରିଥିଲା, ଯାହା ଆନ୍ତର୍ଜାତିକ ଗଣମାଧ୍ୟମରେ ବ୍ୟାପକ ପ୍ରସାର ଲାଭ କରିଥିଲା। କିନ୍ତୁ ଏହାର ଠିକ୍ ପୂର୍ବରୁ ବ୍ୟାବସାୟିକ କାର୍ଯ୍ୟଭାର ଦର୍ଶାଇ ସେ ତାଙ୍କର ଭାରତ ଗସ୍ତ ସ୍ଥଗିତ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ମସ୍କ ଘୋଷଣା କଲେ। ଖେଳର ନିୟମ ନିଜେ ନିର୍ଦ୍ଧାରଣ କରୁଥିବା ମସ୍କ ଏପରି ଆଚରଣ ପ୍ରଦର୍ଶନ କରିବାରେ ଅବଶ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଏଥିରେ ସନ୍ଦେହ ନାହିଁ ଯେ ସାଧାରଣ ନିର୍ବାଚନର ଘନଘଟା ମଧ୍ୟରେ ମସ୍କ ଯଦି ଏଠାକୁ ଆସି ମୋଦୀଙ୍କୁ ଭେଟି ଭାରତରେ ‘ଟେସ୍ଲା’ ନିର୍ମାଣ ନିମିତ୍ତ କାରଖାନା ସ୍ଥାପନ ନିଷ୍ପତ୍ତି ଘୋଷଣା କରନ୍ତେ, ତାହା ନିଶ୍ଚିତ ରୂପେ କ୍ଷମତାସୀନ ଦଳ ସପକ୍ଷରେ ପ୍ରଚାର ପାଇଁ ଏକ ଅତ୍ୟନ୍ତ ଉପଯୋଗୀ ଉପାଦାନ ରୂପେ କାର୍ଯ୍ୟ କରନ୍ତା। ଭାରତ ବର୍ତ୍ତମାନ ପୃଥିବୀର ଅର୍ଥନୈତିକ ଶକ୍ତିକେନ୍ଦ୍ର ରୂପେ ଆବିର୍ଭୂତ ହୋଇଥିଲେ େହଁ ଏବଂ ନରେନ୍ଦ୍ର ମୋଦୀ ବର୍ତ୍ତମାନ ପୃଥିବୀର ଉଚ୍ଚତମ ଜନନାୟକମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ପରିଗଣିତ ହେଉଥିଲେ ହେଁ, ନିଜ ଖେଳ ପଡ଼ିଆର ମାଲିକ ନିଜେ ହୋଇଥିବା ଓ ନିଜ ଖେଳର ନିୟମ ନିଜେ ନିର୍ଦ୍ଧାରଣ କରୁଥିବା ଏଲନ୍ ମସ୍କ ଶେଷ ମୁହୂର୍ତ୍ତରେ ଭାରତ ଓ ମୋଦୀଙ୍କ ପ୍ରଭାବ ନିକଟରେ ମୁଣ୍ଡ ନ ନୁଆଁଇ ନିଜ ସୁବିଧା ଅନୁସାରେ ପରବର୍ତ୍ତୀ ସମୟରେ ଏଠାକୁ ଆସିବେ ବୋଲି ଘୋଷଣା କରିଛନ୍ତି। ମନେ ହୁଏ ନିର୍ବାଚନ ସମୟରେ ସେ କୌଣସି ପକ୍ଷ ସହିତ ସମର୍ଥକ କିମ୍ବା ବିରୋଧୀ ଭାବେ ଚିହ୍ନିତ ହେବାକୁ ଚାହାନ୍ତି ନାହିଁ।
ମସ୍କ କିନ୍ତୁ ବର୍ତ୍ତମାନ ପାଇଁ ତାଙ୍କର ଭାରତ ଗସ୍ତ ସ୍ଥଗିତ ରଖିଥିଲେ ହେଁ, ଏହାକୁ ଅଧିକ କାଳ ବିଳମ୍ବିତ କରିବା ବୋଧହୁଏ ତାଙ୍କ ପକ୍ଷରେ ସମ୍ଭବ ହେବ ନାହିଁ। ଏହାର କାରଣ, ମସ୍କଙ୍କର ଅପ୍ରମିତ କ୍ଷମତା ସତ୍ତ୍ବେ ବର୍ତ୍ତମାନ ଭାରତ ତାଙ୍କୁ ଯେତିକି ଦରକାର କରୁଛି, ସେ ବୋଧହୁଏ ଭାରତକୁ ତା’ଠାରୁ ଅଧିକ ଦରକାର କରୁଛନ୍ତି। ପୃଥିବୀର ସର୍ବାଧିକ ଲାଭଜନକ ମଟର ଗାଡ଼ି ନିର୍ମାତା ରୂପେ ଆବିର୍ଭୂତ ହୋଇଥିବା ‘ଟେସ୍ଲା’ ବର୍ତ୍ତମାନ ନୂତନ ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇ ନିଜର ପୂର୍ବ ଆଧିପତ୍ୟ ହରାଇବାର ଏକ ବାସ୍ତବ ସମ୍ଭାବନା ଦେଖାଦେଲାଣି। ୨୦୨୩ରେ ଏକ ସମୟରେ ‘ଟେସ୍ଲା’କୁ ପଛରେ ପକାଇ ‘ବିୱାଇଡି ଅଟୋ’ ନାମକ ଚୀନା କଂପାନି ପୃଥିବୀର ବୃହତ୍ତମ ଇଲେକ୍ଟ୍ରିକ୍ କାର୍ ନିର୍ମାଣକାରୀ କଂପାନି ରୂପେ ସ୍ବୀକୃତି ଲାଭ କରିଥିଲା, ଯାହା ମସ୍କଙ୍କ ଆତ୍ମବଡ଼ିମା ପ୍ରତି ଏକ ଧକ୍କା ଥିଲା। ନିଜର ଆଧିପତ୍ୟ ପ୍ରତି ଏହି ନୂତନ ବିପଦକୁ ସ୍ବୀକାର କଲା ଭଳି ଜାନୁଆରିରେ ବିକ୍ରୟରେ ଏକ ଉଲ୍ଲେଖନୀୟ ମାନ୍ଦା ବୃଦ୍ଧି ଘଟିବାକୁ ଯାଉଛି ବୋଲି ‘ଟେସ୍ଲା’ ତା’ର ନିବେଶକମାନଙ୍କୁ ଏକ ସତର୍କ ସୂଚନା ପ୍ରଦାନ କରିଥିଲା। ଏହାପରେ ଏପ୍ରିଲ୍ ୨ରେ ଏହି କଂପାନି ପ୍ରକାଶ କରିଥିଲା ଯେ ଗତ ବର୍ଷର ପ୍ରଥମ ଚଉଠ ତୁଳନାରେ ଚଳିତ ବର୍ଷର ପ୍ରଥମ ଚଉଠରେ ସାରା ପୃଥିବୀରେ ‘ଟେସ୍ଲା’ ଇଲେକ୍ଟ୍ରିକ୍ କାର୍ ବିକ୍ରିରେ ୮.୫ ଶତାଂଶ ହ୍ରାସ ଘଟିଛି। ମସ୍କଙ୍କ ପାଇଁ ଯାହା ବିଶେଷ ଚିନ୍ତାର ବିଷୟ ହୋଇଥିବ, ତାହା ହେଲା, ପ୍ରତିଦ୍ବନ୍ଦ୍ବିତାର ଆବିର୍ଭାବ ଯୋଗୁଁ ‘ଟେସ୍ଲା’ର ବିକ୍ରୟ ପରିମାଣ ତା’ର ଉତ୍ପାଦନ ପରିମାଣ ଠାରୁ କମ୍ ହେଉଛି।
ତେଣେ ଆମେରିକାରେ ଅନୁସୃତ କଠୋର ଟିକସ ରିହାତି ନୀତି ଯୋଗୁଁ ସେଠାରେ ‘ଟେସ୍ଲା’ ନିର୍ମାଣ କରୁଥିବା ଅନେକ ଗାଡ଼ି ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି, କାରଣ ଏହିସବୁ ଗାଡ଼ିରେ ଖଞ୍ଜା ଯାଉଥିବା ବ୍ୟାଟେରିରେ ବିଦେଶୀ ଯନ୍ତ୍ରାଂଶମାନ ବ୍ୟବହୃତ ହେଉଥିବାରୁ ତାହା ଆମେରିକା ସରକାର ପ୍ରଦାନ କରୁଥିବା ଟିକସ ରିହାତି ଉପଭୋଗ କରିବା ପାଇଁ ଯୋଗ୍ୟ ବିବେଚିତ ହେଉନାହାନ୍ତି। ନୂତନ ପ୍ରତିଦ୍ବନ୍ଦ୍ବୀମାନଙ୍କର ମୁକାବିଲା କରିବା ପାଇଁ ମସ୍କ ‘ଟେସ୍ଲା’ କାର୍ମାନଙ୍କର ବିକ୍ରୟ ମୂଲ୍ୟରେ ବାରମ୍ବାର କାଟ୍ ଘଟାଇ ଚାଲିଥିଲେ ମଧ୍ୟ ସେଇ ଅନୁପାତରେ ସେଗୁଡ଼ିକ ପ୍ରତି ଚାହିଦାରେ ବୃଦ୍ଧି ଘଟିବା ଦେଖାଯାଉ ନାହିଁ। ଆମେରିକାର ସେଆର୍ ବଜାରରେ ଏହା ‘ଟେସ୍ଲା’ର ସେଆର୍ ମୂଲ୍ୟକୁ ଏପରି ପ୍ରଭାବିତ କରିଛି ଯେ ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ମଧ୍ୟରେ ଏଥିରେ ପ୍ରାୟ ଏକ-ତୃତୀୟାଂଶ ହ୍ରାସ ଘଟିବା ଦେଖାଯାଇ ସାରିଲାଣି।
ଏହି ଅସ୍ତିତ୍ବ ସଂକଟରୁ ମୁକୁଳିବା ପାଇଁ ମସ୍କ ସ୍ବାଭାବିକ ଭାବରେ ଏବେ ଭାରତ ଉପରେ ଆଖି ପକାଇଛନ୍ତି। ପୃଥିବୀର ସର୍ବାଧିକ ଜନବହୁଳ ତଥା ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତି ଭାରତରେ ଅଧିକ ‘ଟେସ୍ଲା’ କାର୍ ବିକ୍ରୟ କରିବା ନିମିତ୍ତ ଏହା ଉପରେ ଆମଦାନି ଶୁଳ୍କ ହ୍ରାସ କରିବା ନିମିତ୍ତ ମସ୍କ ଭାରତ ସରକାରଙ୍କୁ ଅନୁରୋଧ କରିବାରେ ଲାଗିଛନ୍ତି। ‘ଟେସ୍ଲା’ ଗତ ମାସରେ ତା’ର ଏହି ଉଦ୍ୟମରେ ଆଂଶିକ ସଫଳତା ଲାଭ କରିଥିଲା, ଯେତେବେଳେ ଭାରତରେ ଅନ୍ୟୂନ ୫୦୦ ନିୟୁତ ଡଲାର୍ ପୁଞ୍ଜି ନିବେଶ କରି ଏଠାରେ କାର୍ ଉତ୍ପାଦନ କରିବାକୁ ଆଗେଇ ଆସୁଥିବା କଂପାନିମାନଙ୍କ ପ୍ରତି ଲାଗୁ ହେଉଥିବା ଆମଦାନି ଶୁଳ୍କରେ ଏକ ବିଶେଷ ରିହାତି ଦିଆଯାଇ ତାହାକୁ ୭୦-୧୦୦ ଶତାଂଶ ହାରରୁ ୧୫ ଶତାଂଶକୁ ଖସାଇ ଦିଆଯିବ ବୋଲି ସରକାର ଘୋଷଣା କଲେ। ଯେଉଁ କାର୍ ନିର୍ମାତାମାନେ ଏହି ସର୍ତ୍ତ ଗ୍ରହଣ କରିବେ, ସେମାନେ ଭାରତକୁ ଏହି ନୀଚା ଆମଦାନି ଶୁଳ୍କ ଲାଗୁ ହେଉଥିବା ୮,୦୦୦ଟି ଇଲେକ୍ଟ୍ରିକ୍ କାର୍ ରପ୍ତାନି କରିପାରିବେ। ମସ୍କ ତେଣୁ ମୋଦୀଙ୍କ ସହିତ ସାକ୍ଷାତକାର ସମୟରେ ଏହା ଅନୁଯାୟୀ ଭାରତରେ ତାଙ୍କର କାରଖାନା ପ୍ରତିଷ୍ଠା ସମ୍ବନ୍ଧରେ ନିଷ୍ପତ୍ତି ଚୂଡ଼ାନ୍ତ କରିଥାନ୍ତେ। ତେଣୁ ସେ ଏହି ଅସମାପ୍ତ ଉଦ୍ୟମକୁ ସଂପୂର୍ଣ୍ଣ କରିବା ପାଇଁ ଖୁବ୍ଶୀଘ୍ର ନିର୍ବାଚନ ପରେ ପରେ ଭାରତରେ ଆସି ପହଞ୍ଚିବା ଏକ ପ୍ରକାର ନିଶ୍ଚିତ କହିଲେ ଅତ୍ୟୁକ୍ତି ହେବ ନାହିଁ।