କରୋନାରେ ତ୍ରାହି ତ୍ରାହି ଚିତ୍କାର କରୁଥିବା ଜନସାଧାରଣ ଭାକ୍‌ସିନ୍‌ଗୁଡ଼ିକୁ ଅଗତ୍ୟା ବିକଳରେ ଆଲିଙ୍ଗନ କରି ପକାଇଥିଲେ ସିନା, ପାନ୍‌ଡେମିକ୍ ଦୂର ହେବା ପରେ ଡାକ୍ତର ଚେନ୍‌ଙ୍କ ଅନୁଧ୍ୟାନ ଅନୁସାରେ ସେହି ତ୍ରାଣକର୍ତ୍ତା ଭାକ୍‌ସିନ୍‌କୁ ସନ୍ଦିଗ୍‌ଧ କରି ପକାଇଛନ୍ତି; ଏବଂ ତାହାକୁ ବଳ ପ୍ରଦାନ କରୁଛି ହେଲେନ୍‌ ହାରିସ କହିଥିବା ଭଳି ଅବୈଜ୍ଞାନିକ ତଥ୍ୟ ଓ ମିଥ୍ୟା ବିଜ୍ଞାନ। ସୁତରାଂ, ଏତିକି କହିଲେ ଯଥେଷ୍ଟ ହେବ ଯେ ବୈଜ୍ଞାନିକ ତଥ୍ୟ ଆଧାରରେ ଆମ ଦୃଷ୍ଟିପଟଳ ପରିଷ୍କାର ହେବାର ସମୟ ଉପନୀତ। ଅନ୍ତତଃ ଏହି ତ୍ରାଣକର୍ତ୍ତାଗୁଡ଼ିକ ପ୍ରତି ଆମେ ପ୍ରତ୍ୟୟ ଓ କୃତଜ୍ଞତା ବଜାୟ ରହିବା ଜରୁରୀ।

Advertisment

‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଦ୍ବାରା ୨୦୨୩ ମସିହାରେ ବିଧିବଦ୍ଧ ଭାବେ କୋଭିଡ୍‌ ପାନ୍‌ଡେମିକ୍‌ର ସମାପ୍ତି ଘୋଷଣା କରାଯିବା ସତ୍ତ୍ବେ ମାନବ ଜାତି ଏହି ମହାମାରୀଜନିତ ଉଦ୍‌ବେଳନରୁ ମୁକ୍ତ ହୋଇପାରିନାହିଁ, ଯହିଁରେ ଏବେ ଏହି ପାନ୍‌ଡେମିକ୍‌ର ଏକ ଭାକ୍‌ସିନ୍‌ ବା ପ୍ରତିଷେଧକ ଚିନ୍ତା ଓ ଭୟର କାରଣ ହୋଇଛି, ଯାହାର ନାମ ‘କୋଭିସିଲ୍‌ଡ’ ଏବଂ ୮୦ ପ୍ରତିଶତ ଭାରତୀୟ ଏହାକୁ ଟିକା ଆକାରରେ ନେଇଛନ୍ତି। ସମସ୍ତଙ୍କ ସ୍ମରଣରେ ଥିବ ଯେ କୋଭିଡ୍‌ ମହାମାରୀର ତୀବ୍ର ମାରକ କ୍ଷମତା ଶୀର୍ଷରେ ଥିବା ବେଳେ ପ୍ରଥମ ଛେକର ତ୍ରାଣକର୍ତ୍ତା ରୂପେ ଆବିର୍ଭୂତ ହୋଇଥିବା ଭାକ୍‌ସିନ୍‌ଗୁଡ଼ିକ ମଧ୍ୟରେ ଏହା ଥିଲା ଅନ୍ୟତମ। ତେବେ, ବିଡ଼ମ୍ବନା, ସଂପ୍ରତି ଏହି ଭାକ୍‌ସିନ୍‌କୁ କେନ୍ଦ୍ର କରି ବିବାଦଟିଏ ସୃଷ୍ଟି ହୋଇଛି ଯେ ଏହାର ପାର୍ଶ୍ବ ପ୍ରତିକ୍ରିୟା‌ କାରଣରୁ ଗୁରୁତର ଅସୁସ୍ଥତା ଏବଂ ବେଳେବେଳେ ପ୍ରାଣହାନି ଘଟୁଛି ଏବଂ ସେହି ଆଧାରରେ ଇଂଲାଣ୍ଡରେ ଅନ୍ତତଃ ୫୧ଟି ମାମଲା ଭାକ୍‌ସିନ୍‌ର ପ୍ରସ୍ତୁତକର୍ତ୍ତା ‘ଆଷ୍ଟ୍ରାଜେନିକା’ ବିରୋଧରେ ଦାୟର କରାଗଲାଣି। ଏଭଳି ସ୍ଥଳେ ଭାରତର ଉଷ୍ମ ନିର୍ବାଚନୀ ବାତାବରଣ ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗଟି ତୀବ୍ର ରାଜନୀତୀକରଣର ଶରବ୍ୟ ହୋଇପଡ଼ିବା ସ୍ବାଭାବିକ, ଯହିଁରେ ଭାରତରେ କୋଭିସିଲ୍‌ଡକୁ ଅନୁମୋଦନ କରାଯାଇଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଡ଼କୁ ଦୋଷାରୋପର ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଛି। ଏହି ସଂଦର୍ଭରେ କୋଭିଡ୍‌ ଭାକ୍‌ସିନ୍‌କୁ ଘୋଟି ରହିଥିବା ବିଭ୍ରାନ୍ତି ଏବଂ ଅପଧାରଣାର ଧୂମ-ପଟଳକୁ ପରିଷ୍କାର କରିବା ଲାଗି ଏକ କ୍ଷୁଦ୍ର ଆଲୋଚନା ମଧ୍ୟ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଭାରତରେ ପ୍ରାୟ ୨୨୦ କୋଟି ଭାକ୍‌ସିନ୍‌ ଡୋଜ୍‌ ପ୍ରଦାନ କରାଯାଇଥିବା ଦୃଷ୍ଟିରୁ ତାହାର ୮୦ ପ୍ରତିଶତ ଅର୍ଥାତ୍‌ ୧୬୦ କୋଟି ଡୋଜ୍‌ ହେଉଛି କେବଳ କୋଭିସିଲ୍‌ଡ ଏବଂ ପ୍ରତ୍ୟେକ ବ୍ୟକ୍ତି ହାରାହାରି ୨ଟି ଡୋଜ ନେଇଥିବା ହିସାବରେ କୋଭିସିଲ୍‌ଡ ଟିକା ନେଇଥିବା ଭାରତୀୟଙ୍କ ସଂଖ୍ୟା ପ୍ରାୟ ୮୦ କୋଟି। ସେହି ଦୃଷ୍ଟିରୁ ଇଂଲାଣ୍ଡରେ ସୃଷ୍ଟ ଭୟ ଭାରତକୁ ସଂଚାରିତ ହେବା ସ୍ବାଭାବିକ। ତେବେ, ‘ଆଷ୍ଟ୍ରାଜେନିକା’ ପକ୍ଷରୁ ଏଭଳି ଅଭିଯୋଗକୁ ଅସ୍ବୀକାର କରାଯାଇଥିଲେ ସୁଦ୍ଧା ଅତ୍ୟନ୍ତ ବିରଳ କ୍ଷେତ୍ରରେ ଏହା ଦ୍ବାରା ରକ୍ତ ଜମାଟ ବାନ୍ଧି ହୃଦ୍‌ଘାତ ଘଟିବାର ଆଶଙ୍କା ରହିଛି ବୋଲି ମଧ୍ୟ ସ୍ପଷ୍ଟ କରି ଦିଆଯାଇଛି; ଯାହା ‘କୋଭିସିଲ୍‌ଡ’ ଭାକ୍‌ସିନ୍‌ର ଖୋଳ ଉପରେ ମଧ୍ୟ ଉଲ୍ଲିଖିତ। ତେବେ ପ୍ରଶ୍ନ ହେଲା, ଏହି ‘ଅତ୍ୟନ୍ତ ବିରଳ’ ବୋଇଲେ ସଂଖ୍ୟା ଦୃଷ୍ଟିରୁ କେତେ? ‘ଆଷ୍ଟ୍ରାଜେନିକା’ର ସପ୍ରମାଣ ତଥ୍ୟ କହେ ତାହା ହେଲା ଏକ ଲକ୍ଷରେ ମାତ୍ର ଜଣେ। ୨୦୨୨ ମସିହାରେ ୟୁନାଇଟେଡ୍‌ କିଂଡମ୍‌ରେ କରାଯାଇଥିବା ଏକ ସାର୍ବେକ୍ଷଣ ରିପୋର୍ଟ ଅନୁସାରେ ୪୬ ନିୟୁତ ‘କୋଭିସିଲ୍‌ଡ’ ଟିକାଗ୍ରାହୀଙ୍କ ମଧ୍ୟରୁ ୧୩୮ ଜଣ ରକ୍ତ ଜମାଟ ବାନ୍ଧିବା ଭଳି ସ୍ଥିତିର ସାମନା କରିଥିଲେ, ଅର୍ଥାତ୍‌ ପ୍ରତି ନିୟୁତରେ ୩ ଜଣ। ସୁତରାଂ, କୋଭିଡ୍‌ କାରଣରୁ ହେଉଥିବା ମୃତ୍ୟୁ ସଂଖ୍ୟା ପରିପ୍ରେକ୍ଷୀରେ ଏହା ଯେ ନଗଣ୍ୟ, ଏଥିରେ ଦ୍ବିରୁକ୍ତି ନାହିଁ। କେବଳ ସେତିକି ନୁହେଁ, ପୃଥିବୀର ସର୍ବାଧିକ ଫଳପ୍ରଦ କୋଭିଡ୍‌ ଭାକ୍‌ସିନ୍‌ ରୂପେ ପ୍ରଚାରିତ ‘ଫାଇଜର’ ସମେତ ସେହି ସମୟରେ ଆବିର୍ଭୂତ ହୋଇଥିବା ସମସ୍ତ ୧୧ଟି ଯାକ ଭାକ୍‌ସିନ୍‌ ବିରଳତମ କ୍ଷେତ୍ରରେ ସମାନ ପାର୍ଶ୍ବ ପ୍ରତିକ୍ରିୟାର ଆଶଙ୍କା ବହନ କରିଥାଆନ୍ତି। ଏହି ପରିପ୍ରେକ୍ଷୀରେ ‘ଗ୍ଲୋବାଲ୍‌ ଭାକ୍‌ସିନ୍‌ ଡେଟା ନେଟ୍‌ୱର୍କ’ର ନିର୍ଦ୍ଦେଶିକା ହେଲେନ ପେଟୋସିସ୍‌ ହାରିସଙ୍କ ମନ୍ତବ୍ୟ ବିଶେଷ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ପୃଥିବୀରେ ଉପଲବ୍‌ଧ କୌଣସି ଭାକ୍‌ସିନ୍‌ ପାର୍ଶ୍ବ ପ୍ରତିକ୍ରିୟା ଶୂନ୍ୟ ନୁହେଁ ଏବଂ ନୂତନ ଭାବେ ଆତ୍ମପ୍ରକାଶ କରୁଥିବା କୌଣସି ଭାକ୍‌ସିନ୍‌କୁ ଜନସାଧାରଣ କୁଣ୍ଠା ବା ଭୟ ଶୂନ୍ୟ ଭାବେ ଗ୍ରହଣ କରି ନ ଥାଆନ୍ତି। ତାଙ୍କ ଅନୁଧ୍ୟାନ କହିଥାଏ ଯେ ପ୍ରାୟ ୪୦ ପ୍ରତିଶତ ଜନସାଧାରଣ ନୂତନ ଭାକ୍‌ସିନ୍‌କୁ ବିଶ୍ବାସ କରି ନ ଥାଆନ୍ତି ଯାହା ‘ଭାକ୍‌ସିନ୍‌ କୁଣ୍ଠା’ ବା ‘ଭାକ୍‌ସିନ୍‌ ହେଜିଟାନ୍‌ସି’କୁ ଜନ୍ମ ଦେଇଥାଏ ଏବଂ ଏକ ବିଡ଼ମ୍ବନା ହେଲା, ଭାକ୍‌ସିନ୍‌ କାରଣରୁ ସଂକ୍ରମଣର ବିଲୋପ ଘଟୁଥିବା ବିଷୟ ସୁନିଶ୍ଚିତ ହେଉଥିଲେ ସୁଦ୍ଧା ଏଭଳି ବିଶ୍ବାସହାନି ବଳବତ୍ତର ରହିପାରେ ଏବଂ ସମୟାନ୍ତରେ ମୁଣ୍ଡ ଟେକିପାରେ। କୋଭିସିଲ୍‌ଡ କ୍ଷେତ୍ରରେ ତାହା ହିଁ ହୋଇଛି।
ପ୍ରକାଶ ଥାଉ କି ୧୯୯୪ ମସିହାରେ, ଆମେରିକୀୟ ଡାକ୍ତର ବବ୍‌ ଚେନ୍‌ ତାଙ୍କ ଦୀର୍ଘ ଗବେଷଣା ପରେ ଏକ ଗ୍ରାଫ୍ ମାଧ୍ୟମରେ ‘ଭାକ୍‌ସିନ୍‌ ହେଜିଟେନ୍‌ସି ଲାଇଫ୍ ସାଇକଲ’ ବା ‘ଭାକ୍‌ସିନ୍‌ କୁଣ୍ଠାର ଜୀବନ ଚକ୍ର’ ଆଙ୍କି ଏହି କୁଣ୍ଠା ବିଷୟରେ ବୁଝାଇବାକୁ ଉଦ୍ୟମ କରିଥିଲେ। ଡାକ୍ତର ଚେନ୍‌ଙ୍କ କହିବାନୁଯାୟୀ କୌଣସି ମହା-ସଂକ୍ରମଣ ବା ମହାମାରୀ ସମୟରେ ତହିଁରୁ ତୁରନ୍ତ ମୁକ୍ତି ପାଇବା ଲାଗି ଭାକ୍‌ସିନ୍‌ ହିଁ ଏକମାତ୍ର ଆଶ୍ରୟ ବୋଲି ଲୋକେ ଗ୍ରହଣ କରି ନେଉଥିଲେ ହେଁ ସଂକ୍ରମଣ ଦୂରେଇ ଯିବା ପରେ ସେମାନେ ଭାକ୍‌ସିନ୍‌କୁ ସନ୍ଦେହାସ୍ପଦ ଦୃଷ୍ଟିରେ ଦେଖନ୍ତି; ଯଦିଓ ସେମାନଙ୍କ ସନ୍ଦେହର ମୂଳରେ କୌଣସି ବୈଜ୍ଞାନିକ ଭିତ୍ତି ନ ଥାଇ ଥାଏ ଅପଧାରଣା, ଗୁଜବ ଏବଂ ମିଧ୍ୟା ବିଜ୍ଞାନର ଉତ୍ସ। ପ୍ରକାଶ ଥାଉ କି ଲାବାରେଟୋରିରେ ପ୍ରସ୍ତୁତିର ପ୍ରାରମ୍ଭ ଠାରୁ ସାର୍ବଜନୀନ ପ୍ରୟୋଗ ମଧ୍ୟରେ ଗୋଟିଏ ଭାକ୍‌ସିନ୍‌ ପ୍ରାୟତଃ ଚାରିଟି ପର୍ଯ୍ୟାୟ ଦେଇ ଯାଇଥାଏ ଏବଂ ଚତୁର୍ଥ ପର୍ଯ୍ୟାୟର ସମାପ୍ତି ବେଳକୁ ନିୟୁତ ନିୟୁତ ମାନବ ‌ସ୍ବେଚ୍ଛାରେ ଏହାର ପରୀକ୍ଷଣ ବା ‘ଟ୍ରାଏଲ୍‌’ରେ ଅନ୍ତର୍ଭୁକ୍ତ ହୋଇ ଏହାର ଉପାଦେୟତା ଓ ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟା ସଂପର୍କରେ ସ୍ପଷ୍ଟ ଧାରଣା ସୃଷ୍ଟି କରିଥାଆନ୍ତି। କହିବା ବାହୁଲ୍ୟ ଯେ ଏଭଳି ପ୍ରକ୍ରିୟାରେ ଗୋଟିଏ ଭାକ୍‌ସିନ୍‌ ବିକଶିତ ହେବା ବେଳକୁ ଦଶ ବର୍ଷରୁ ଅଧିକ କାଳ ମଧ୍ୟ ଲାଗିଯାଇଥାଏ। ସେହି ଦୃଷ୍ଟିରୁ ମାତ୍ର ନଅ ମା‌ସ ଅବଧି ମଧ୍ୟରେ କୋଭିଡ୍‌ ଭାକ୍‌ସିନ୍‌ର ଆବିର୍ଭାବ ଭାକ୍‌ସିନ୍‌ କୁଣ୍ଠା ବା ଭାକ୍‌ସିନ୍‌ ଭୟକୁ ଅଧିକ ପ୍ରଗାଢ଼ କରିଥିବାର ଏକ କାରଣ ହୋଇପାରେ। କିନ୍ତୁ ହେଲେନ ହାରିସଙ୍କ ମତରେ କୋଭିଡ୍‌ ପାନ୍‌ଡେମିକ୍‌ କାଳରେ ଯେକୌଣସିମତେ ଏକ ଭାକ୍‌ସିନ୍‌ ଆବିଷ୍କାର ଲାଗି ବୈଜ୍ଞାନିକମାନେ ସମୟ ବିପକ୍ଷରେ ଯେଉଁ ଦୌଡ଼ ପ୍ରାରମ୍ଭ କରିଥିଲେ, ତହିଁରେ ଏହି ନଅ ମାସ ସମୟକୁ ସାଧାରଣ ସ୍ଥିତିରେ ନଅ ବର୍ଷ ସହିତ ସମତୁଲ କରାଯାଇପାରେ! ତେଣୁ ଏହି ଭାକ୍‌ସିନ୍‌ଗୁଡ଼ିକ ବସ୍ତୁତଃ ସନ୍ଦେହ ମୁକ୍ତ ହେବା ଉଚିତ।
ଏହି ପରିପ୍ରେକ୍ଷୀରେ ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ କାର୍ଟୁନିଷ୍ଟ ଜେମ୍‌ସ ଗିଲାର୍ଡଙ୍କ ଦ୍ବାରା ସୃଷ୍ଟ ଏକ ଅତ୍ୟନ୍ତ ଲୋକପ୍ରିୟ ବ୍ୟଙ୍ଗ ଚିତ୍ର ସ୍ମରଣକୁ ଆସିଥାଏ, ଯହିଁରେ ଥିବା ଇଂରେଜୀ କ୍ୟାପସନର ଓଡ଼ିଆ ମର୍ମାନୁବାଦ ହେଲା ‘ଗୋବୀଜ- ନୂଆ ଇଂଜେକ୍‌ସନର ଚମକପ୍ରଦ ପ୍ରଭାବ’। ବସନ୍ତ ରୋଗର ଭାକ୍‌ସିନ୍‌ ଭାବେ ଗୋବୀଜ ଟିକାର ପ୍ରଚଳନ ବେଳର ଦୃଶ୍ୟକୁ ନେଇ ଟିକାର ‘ଚମକପ୍ରଦ ପ୍ରଭାବ’ ରୂପେ ଯାହା ସେ ଦର୍ଶାଇଥିଲେ ତାହା ଥିଲା ଇଂଜେକ୍‌ସନ୍‌ ନେଉଥିବା ଜଣେ ଆତଙ୍କଗ୍ରସ୍ତ ମହିଳାଙ୍କୁ ଘେରି ଛିଡ଼ା ହୋଇ ଦେଖୁଛନ୍ତି ତତ୍ତୁଲ୍ୟ ଭୟ ଓ ଉଦ୍‌ବେଗ ଜର୍ଜର ଦଳେ ଲୋକ। ପ୍ରକାଶ ଥାଉ କି ଗୋ-ବସନ୍ତର ବୀଜାଣୁରୁ ପ୍ରସ୍ତୁତ ଏହି ଟିକା ଅସମ୍ଭବ ଧରଣର ଭୟ, କୁଣ୍ଠା ଓ ପ୍ରତିରୋଧ ସୃଷ୍ଟି କରିଥିଲା ଏବଂ ତାହାକୁ ନେବା ଅର୍ଥ ମୃତ୍ୟୁ ଲଭିବା ବୋଲି ବିଚାର କରାଯାଉଥିଲା; ଯଦିଓ ଟିକାର ପ୍ରଚଳନ ପରେ ବସନ୍ତ ଜନିତ ମୃତ୍ୟୁ ହାର ୩୦ ପ୍ରତିଶତରୁ ହ୍ରାସ ପାଇ ୧ ପ୍ରତିଶତରେ ପହଞ୍ଚି ସାରିଥିଲା। ସେତେବେଳେ ଯେଉଁ ଅବୈଜ୍ଞାନିକ ଓ କପୋଳକଳ୍ପିତ ଧାରଣା ଭୟ ଓ କୁଣ୍ଠାରର କାରଣ ହୋଇଥିଲା; ଦୁଇ ଶହ ବର୍ଷ ପରେ କୋଭିଡ୍‌ ପାନ୍‌ଡେମିକ୍‌ ସମୟରେ ମଧ୍ୟ ସେହିଭଳି ଦେଖିବାକୁ ମିଳିଥିଲା, ଯାହାକୁ ଲକ୍ଷ୍ୟ କରି ବିଲ୍‌ ଗେଟ୍‌ସ କହିଥିଲେ ‘ଇନ୍‌ଫୋଡେମିକ୍‌’ (ତଥ୍ୟ ସଂକ୍ରମଣ), ଯହିଁରେ ଅସତ୍ୟ ଓ ଗୁଜବର ସଂକ୍ରମଣ କୋଭିଡ୍‌ ଭାଇରସ୍‌ଠାରୁ ଅଧିକ ବ୍ୟାପକ ଓ ଅଧିକ ଦ୍ରୁତ ଥିଲା। ତେଣୁ କରୋନାରେ ତ୍ରାହି ତ୍ରାହି ଚିତ୍କାର କରୁଥିବା ଜନସାଧାରଣ ଭାକ୍‌ସିନ୍‌ଗୁଡ଼ିକୁ ଅଗତ୍ୟା ବିକଳରେ ଆଲିଙ୍ଗନ କରି ପକାଇଥିଲେ ସିନା, ପାନ୍‌ଡେମିକ୍ ଦୂର ହେବା ପରେ ଡାକ୍ତର ଚେନ୍‌ଙ୍କ ଅନୁଧ୍ୟାନ ଅନୁସାରେ ସେହି ତ୍ରାଣକର୍ତ୍ତା ଭାକ୍‌ସିନ୍‌କୁ ସନ୍ଦିଗ୍‌ଧ କରି ପକାଇଛନ୍ତି; ଏବଂ ତାହାକୁ ବଳ ପ୍ରଦାନ କରୁଛି ହେଲେନ୍‌ ହାରିସ କହିଥିବା ଭଳି ଅବୈଜ୍ଞାନିକ ତଥ୍ୟ ଓ ମିଥ୍ୟା ବିଜ୍ଞାନ। ସୁତରାଂ, ଏତିକି କହିଲେ ଯଥେଷ୍ଟ ହେବ ଯେ ବୈଜ୍ଞାନିକ ତଥ୍ୟ ଆଧାରରେ ଆମ ଦୃଷ୍ଟିପଟଳ ପରିଷ୍କାର ହେବାର ସମୟ ଉପନୀତ। ଅନ୍ତତଃ ଏହି ତ୍ରାଣକର୍ତ୍ତାଗୁଡ଼ିକ ପ୍ରତି ଆମେ ପ୍ରତ୍ୟୟ ଓ କୃତଜ୍ଞତା ବଜାୟ ରହିବା ଜରୁରୀ।