ସଙ୍କୁଚିତ ମାତୃତ୍ବ

ଜାତିସଂଘର ଆକଳନ ଅନୁସାରେ ୨୦୫୦ ବେଳକୁ ଭାରତର ଜନସଂଖ୍ୟା ୧୬୭ କୋଟି ଛୁଇଁଥିବ। ସୌଭାଗ୍ୟକ୍ରମେ ବର୍ତ୍ତମାନ ଭାରତର କର୍ମକ୍ଷମ ଯୁବପିଢ଼ି ହେଉଛି ପୃଥିବୀର ବିଶାଳତମ, ଯାହାକୁ ଆମର ‘ଜନସଂଖ୍ୟାଗତ ଲାଭ’ ବା ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ରୂପେ ବିଚାର କରାଯାଉଛି। ତେଣୁ ବର୍ତ୍ତମାନ ପାଇଁ ଏକ ନିମ୍ନଗାମୀ ‘ଟିଏଫ୍ଆର୍’ ଆମ ପାଇଁ ଏକ ସମସ୍ୟା ରୂପେ ଆବିର୍ଭୂତ ହୋଇନାହିଁ। କିନ୍ତୁ ଯଦି ଦୀର୍ଘ କାଳ ଧରି ଏହି ଧାରା ଅବ୍ୟାହତ ରହେ ତେବେ ଦୂର ଭବିଷ୍ୟତରେ ଏକ ସମୟ ଆସିବ, ଯେତେବେଳେ ଆମକୁ ଆଜିର ଦକ୍ଷିଣ କୋରିଆ ବା ଜାପାନ୍ ଭଳି ପରିବାର ନିୟୋଜନ ପରିବର୍ତ୍ତେ ଏକ ପରିବାର ସମ୍ପ୍ରସାରଣ ଅଭିଯାନ ଆରମ୍ଭ କରିବାକୁ ପଡ଼ିପାରେ।

ନିକଟ‌ରେ ପୃଥିବୀର ବିଭିନ୍ନ ଦେଶମାନଙ୍କରେ ମହିଳାମାନଙ୍କର ସନ୍ତାନ ପ୍ରସବ ହାର ବା ‘ଟୋଟାଲ୍ ଫର୍ଟିଲିଟି ରେଟ୍’ (‘ଟିଏଫ୍ଆର୍’)ର ଭବିଷ୍ୟତର ସମ୍ଭାବ୍ୟ ଧାରା ସମ୍ବନ୍ଧରେ ମର୍ଯ୍ୟାଦାଜନକ ଚିକିତ୍ସାବିଜ୍ଞାନ ପତ୍ରିକା ଲଣ୍ଡନ୍‌ରୁ ପ୍ରକାଶିତ ‘ଦି ଲାନ୍‌ସେଟ୍’ ବହନ କରିଥିବା ଏକ ଅନୁଶୀଳନ ଅନୁସାରେ ୨୦୫୦ ସୁଦ୍ଧା ଭାରତର ‘ଟିଏଫ୍ଆର୍’ ୧.୨୯କୁ ଏବଂ ୨୧୦୦ ସୁଦ୍ଧା ତାହା ଆହୁରି ତଳକୁ ଖସି ୧.୦୪ ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି। ‘ଟିଏଫ୍ଆର୍’ ହେଉଛି ପ୍ରଜନନକ୍ଷମ ବୟସସୀମା (୧୫-୪୯ ବର୍ଷ ବୟସ) ମଧ୍ୟରେ ଜଣେ ମହିଳା ଜନ୍ମଦାନ କରୁଥିବା ସନ୍ତାନସନ୍ତତିଙ୍କ ହାରାହାରି ସଂଖ୍ୟା। ଜନସଂଖ୍ୟାକୁ ସ୍ଥିର ରଖିବା ପାଇଁ ଆବଶ୍ୟକ ‘ଟିଏଫ୍ଆର୍’ ହେଉଛି ୨.୧, ଯାହାକୁ ‘ପ୍ରତିସ୍ଥାପନ ହାର’ ବା ‘ରିପ୍ଲେସ୍‌ମେଣ୍ଟ୍ ରେଟ୍’ ରୂପେ ଅଭିହିତ କରାଯାଇଥାଏ। ‘ଦି ଲାନ୍‌ସେଟ୍’ରେ ପ୍ରକାଶିତ ଅନୁଶୀଳନ ଅନୁସାରେ ଭାରତର ‘ଟିଏଫ୍ଆର୍’ ୨୦୨୧ରେ ଏହି ପ୍ରତିସ୍ଥାପନ ହାର ଠାରୁ କମ୍ ହୋଇସାରିଛି: ୧.୯୧। ଭାରତ ସରକାରଙ୍କ ଦ୍ବାରା ୨୦୧୯-୨୧ ମଧ୍ୟରେ କରାଯାଇଥିବା ‘ନେସନାଲ୍ ଫ୍ୟାମିଲି ହେଲ୍‌ଥ ସର୍ଭେ’ (‘ଏନ୍ଏଫ୍ଏଚ୍ଏସ୍-୫’)ରୁ ମଧ୍ୟ ଦେଶର ‘ଟିଏଫ୍ଆର୍’ ମୂଲ୍ୟ ୨ ହୋଇଥିବା ଆବିଷ୍କୃତ ହୋଇଥିଲା, ଯାହା ଉପରୋକ୍ତ ପ୍ରତିସ୍ଥାପନ ହାର ଠାରୁ ସାମାନ୍ୟ ନୀଚା ହୋଇଥାଏ।
‘ଦି ଲାନ୍‌ସେଟ୍’ରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ହେଉଛି ‘ୟୁନିଭର୍ସିଟି ଅଫ୍ ୱାସିଙ୍ଗ୍‌ଟନ୍ ସ୍କୁଲ୍ ଅଫ୍ ମେଡିସିନ୍’ର ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ ମେଟ୍ରିକ୍‌ସ ଆଣ୍ଡ୍ ଇଭାଲୁଏସନ୍’ ନାମକ ଜନସ୍ବାସ୍ଥ୍ୟ ଗବେଷଣା ସଂସ୍ଥା ଦ୍ବାରା କରାଯାଇଥିବା ଅନୁଶୀଳନ ଉପରେ ଆଧାରିତ। ଏହି ଅନୁଶୀଳନରେ କରାଯାଇଥିବା ଆକଳନ ଅନୁସାରେ ୨୦୨୧ରେ ଭାରତରେ ଜନ୍ମଲାଭ କରିଥିବା ମୋଟ ଜୀବନ୍ତ ଶିଶୁ (ଲାଇଭ୍ ବାର୍ଥ)ଙ୍କ ସଂଖ୍ୟା ୨୨.୩୯ ନିୟୁତ ଥିବାବେଳେ ୨୦୫୦ରେ ତାହା ହ୍ରାସ ପାଇ ୧୩.୦୩ ନିୟୁତ ହେବାକୁ ଯାଉଛି। ଏହି ଧାରା ଅବ୍ୟାହତ ରହି ୨୧୦୦ ବେଳକୁ ଏଥିରେ ତୀକ୍ଷ୍‌ଣ ହ୍ରାସ ଘଟି ଏହି ସଂଖ୍ୟା ହେବ ୩.୭୯ ନିୟୁତ ବୋଲି ଅନୁମାନ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତରେ ଯେତେବେଳେ ୧୯୯୨-୯୩ରେ ସର୍ବପ୍ରଥମ ରାଉଣ୍ଡ୍ ‘ଏନ୍ଏଫ୍ଏଚ୍ଏସ୍’ ଅନୁଷ୍ଠିତ ହୋଇଥିଲା, ସେତେବେଳେ ଭାରତର ‘ଟିଏଫ୍ଆର୍’ ଥିଲା ୩.୪। ବାଳିକାମାନଙ୍କର ଶିକ୍ଷାସ୍ତରରେ ବୃଦ୍ଧି ଓ ନାରୀମାନଙ୍କର ବିଧିବଦ୍ଧ ନିଯୁକ୍ତି କ୍ଷେତ୍ରରେ ପ୍ରବେଶ ହେଉଛି ‘ଟିଏଫ୍ଆର୍’ରେ ସ୍ଖଳନ ଘଟିବାର ମୁଖ୍ୟ କାରଣ। ସ୍କୁଲରେ ଅଧିକ କାଳ ବିତାଇଲେ ଏବଂ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କରେ ପ୍ରବେଶ କଲେ ବାଳିକାମାନଙ୍କର ବିବାହ ବିଳମ୍ବିତ ହୋଇଥାଏ। ବିବାହରେ ବିଳମ୍ବ ଘଟିଲେ ନାରୀମାନଙ୍କର ମାତୃତ୍ବ ଲାଭରେ ସ୍ବାଭାବିକ ଭାବରେ ବିଳମ୍ବ ଘଟିଥାଏ। ପ୍ରଥମ ସନ୍ତାନ ଭୂମିଷ୍ଠ ହେବାରେ ବିଳମ୍ବ ଘଟିଲେ, ଅଧିକ ପ୍ରଜନନ ପାଇଁ ଉପଲବ୍‌ଧ ସମୟ ସଙ୍କୁଚିତ ହୋଇଯାଏ ଓ ସଂପୃକ୍ତା ନାରୀ ଜନ୍ମଦାନ କରୁଥିବା ସନ୍ତାନ ସଂଖ୍ୟା ହ୍ରାସ ପାଇଥାଏ। ତା’ ଛଡ଼ା ସନ୍ତାନର ଉପଯୁକ୍ତ ଲାଳନପାଳନ, ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଯୋଗାଣ ଆଦି ବ୍ୟୟସାପେକ୍ଷ ହୋଇଥିବାରୁ ଶିକ୍ଷିତା, ସଚେତନ ଜନନୀମାନେ ନିଜର ସନ୍ତାନ ପାଇଁ ତାହା ନିଶ୍ଚିତ କରିବା ପାଇଁ ଅଧିକ ସଂଖ୍ୟକ ସନ୍ତାନ ସୃଷ୍ଟି କରିବାରୁ ନିବୃତ୍ତ ରହନ୍ତି। ବୃତ୍ତିଧାରିଣୀ ମହିଳାମାନେ ମଧ୍ୟ ସନ୍ତାନ ସଂଖ୍ୟା ସୀମିତ କରିବାକୁ ବାଧ୍ୟ ହୋଇଥାନ୍ତି। ଶିଶୁ ମୃତ୍ୟୁହାରରେ ହ୍ରାସ ଓ ସହରୀକରଣ ମଧ୍ୟ ସନ୍ତାନ ସଂଖ୍ୟା ସୀମିତ କରିବାରେ ସହାୟକ ହୋଇଛି। ଉପରୋକ୍ତ ଗବେଷଣା ସଂସ୍ଥା ଯେଉଁ ଆବିଷ୍କାର କରିଛି ଯେ ୧୯୫୦ରୁ ୨୦୨୧ ମଧ୍ୟରେ ସାରା ପୃଥିବୀର ‘ଟିଏଫ୍ଆର୍’ ୪.୮୪ରୁ ହ୍ରାସ ପାଇ ତାହାର ଅଧାରୁ ମଧ୍ୟ କମ୍ ହୋଇଯାଇ ହୋଇଛି ୨.୨୩, ତା’ ପଛରେ ଏଇ ସମସ୍ତ କାରଣମାନ ନିହିତ ଅଛି।
ଭାରତରେ ‘ଏନ୍ଏଫ୍ଏଚ୍ଏସ୍-୫’ରୁ ଦେଖାଯାଇଥିଲା ଯେ କେବଳ ବିହାର, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ଭଳି କତିପୟ ରାଜ୍ୟମାନଙ୍କ ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜ୍ୟରେ ‘ଟିଏଫ୍ଆର୍’ରେ ସ୍ଖଳନ ଘଟିଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ‘ଏନ୍ଏଫ୍ଏଚ୍ଏସ୍-୫’ରେ ଦେଖାଯାଇଥିଲା ଯେ ଆଦୌ ସ୍କୁଲ ମାଡ଼ି ନ ଥିବା ନାରୀମାନଙ୍କର ହାରାହାରି ସନ୍ତାନ ସଂଖ୍ୟା ୨.୮ ହୋଇଥିବା ବେଳେ ୧୨ ବା ତତୋଽଧିକ ବର୍ଷର ଶିକ୍ଷା ଲାଭ କରିଥିବା ନାରୀମାନଙ୍କର ହାରାହାରି ସନ୍ତାନ ସଂଖ୍ୟା ଥିଲା ୧.୮।
ଅପେକ୍ଷାକୃତ କ୍ଷୁଦ୍ର ଦେଶମାନଙ୍କ ପାଇଁ ‘ଟିଏଫ୍ଆର୍’ରେ ହ୍ରାସ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ। ଏଥିଯୋଗୁଁ ସେ ଦେଶର ଶ୍ରମଶକ୍ତି ସଙ୍କୁଚିତ ହୋଇଥାଏ; ଏହାକୁ ଭରଣା କରିବାକୁ ବହିରାଗତ ଶ୍ରମିକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ, ଯାହା ବର୍ତ୍ତମାନ ଇଉରୋପର ଅନେକ ଦେଶରେ ଦେଖାଯାଉଥିବା ଭଳି ସାମାଜିକ ସଂଘାତ ଓ ଅସ୍ଥିରତା ସୃଷ୍ଟି କରିଥାଏ। ଜାପାନ୍ ଓ ଦକ୍ଷିଣକୋରିଆ ପରି ପୂର୍ବ-ଏସିଆର ଉନ୍ନତ ଦେଶମାନ ବର୍ତ୍ତମାନ ଜନସଂଖ୍ୟା ସଙ୍କୋଚନଜନିତ ଅସ୍ତିତ୍ବ ସଙ୍କଟର ସମ୍ମୁଖୀନ ହେବା ଦେଖାଗଲାଣି। ‘ଟିଏଫ୍ଆର୍’ରେ ସ୍ଖଳନ ଘଟି ଚାଲିଲେ ତାହା କ୍ରମେ ଜନସଂଖ୍ୟା ପିରାମିଡ୍‌କୁ ଓଲଟାଇ ଦେବ- ଅର୍ଥାତ୍ ସେ ଦେଶର ଜନସଂଖ୍ୟାରେ ଯୁବପିଢ଼ି ତୁଳନାରେ ବୃଦ୍ଧବୃଦ୍ଧାଙ୍କ ସଂଖ୍ୟା ଅଧିକ ହେବ। ଉତ୍ପାଦନଶୀଳ ଯୁବକଯୁବତୀମାନଙ୍କ ଉପରେ ଅନୁତ୍ପାଦନଶୀଳ ବୃଦ୍ଧବୃଦ୍ଧାମାନେ ନିର୍ଭର କରିଥାନ୍ତି; ସମୟ ଅତିକ୍ରାନ୍ତ ହେବା ସହିତ ଏହି ନିର୍ଭରଶୀଳତା ଅନୁପାତରେ ବୃଦ୍ଧି ଘଟିଚାଲି ଏକ ସମୟରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେବ। କେବଳ ଏହି ବୟସ୍କମାନଙ୍କର ଜୀବନଧାରଣର ଆବଶ୍ୟକତା ପୂରଣ କରିବା ନୁହେଁ ସେମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇବା ରାଷ୍ଟ୍ର ପାଇଁ ଏକ ବିଶାଳ ଓ ବର୍ଦ୍ଧିଷ୍ଣୁ ବୋଝ ସୃଷ୍ଟି କରିଥାଏ। ଶେଷରେ ଉତ୍ପାଦନଶୀଳ ଯୁବପିଢ଼ିକୁ ହିଁ ଏହି ବୋଝ ବହନ କରିବାକୁ ହୋଇଥାଏ।
କେବଳ କ୍ଷୁଦ୍ର ଦେଶମାନେ ଯେ ହ୍ରାସମାନ ‘ଟିଏଫ୍ଆର୍’ଜନିତ ଏଭଳି ସଙ୍କଟର ସମ୍ମୁଖୀନ ହୋଇଛନ୍ତି, ତାହା ନୁହେଁ; ଚୀନ୍ ଭଳି ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟ ଏହି ଆତଙ୍କର ତାତି ଅନୁଭବ କରିବା ଦେଖାଗଲାଣି। ସେ ଦେଶ ଅତୀତରେ କଡ଼ାକଡ଼ି ଭାବରେ ଅନୁସରଣ କରିଥିବା ଏକ- ସନ୍ତାନ ନୀତିର ଫଳସ୍ବରୂପ ବର୍ତ୍ତମାନ ସେଠାରେ ଏଇଭଳି ପରିସ୍ଥିତି ଉପୁଜିବାକୁ ଆରମ୍ଭ କରିବାରୁ ସେଠାକାର ସରକାର ବର୍ତ୍ତମାନ ଏକାଧିକ ସନ୍ତାନ ଜନ୍ମ କରିବାକୁ ଦମ୍ପତିମାନଙ୍କୁ ପ୍ରବର୍ତ୍ତାଉଥିଲେ ହେଁ ସେମାନେ ସେଥିପାଇଁ ଆଉ ସହଜରେ ରାଜି ହେଉନାହାନ୍ତି।
ଭାରତ ମଧ୍ୟ ସ୍ବାଧୀନତା ପରଠାରୁ ଜନସଂଖ୍ୟା ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦେଇ ଦେଶବ୍ୟାପୀ ପରିବାର ନିୟୋଜନ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶରେ ଜନସଂଖ୍ୟା ବୃଦ୍ଧି ଉପରେ ଲଗାମ ଦେବା ପାଇଁ ଉଦ୍ୟମ କରି ଆସିଥିଲା। ଭାରତର ସେହି ଉଦ୍ୟମ ଓ ଦେଶ ହାସଲ କରିଚାଲିଥିବା ଅର୍ଥନୈତିକ ପ୍ରଗତିର ମିଳିତ ଫଳସ୍ବରୂପ ବର୍ତ୍ତମାନ ଦେଶର ‘ଟିଏଫ୍ଆର୍’ରେ ଏଭଳି ସ୍ଖଳନ ଘଟିବା ଦେଖାଯାଇଛି। କିନ୍ତୁ ଆହୁରି କେତେ ବର୍ଷ ଧରି ଦେଶର ଜନସଂଖ୍ୟାରେ ବୃଦ୍ଧି ଘଟି ଚାଲିବା ପରେ ଯାଇ, ମୋଟ ଜନସଂଖ୍ୟାରେ ସଙ୍କୋଚନ ଘଟିବାକୁ ଆରମ୍ଭ କରିବ। ଜାତିସଂଘର ଆକଳନ ଅନୁସାରେ ୨୦୫୦ ବେଳକୁ ଭାରତର ଜନସଂଖ୍ୟା ୧୬୭ କୋଟି ଛୁଇଁଥିବ। ସୌଭାଗ୍ୟକ୍ରମେ ବର୍ତ୍ତମାନ ଭାରତର କର୍ମକ୍ଷମ ଯୁବପିଢ଼ି ହେଉଛି ପୃଥିବୀର ବିଶାଳତମ, ଯାହାକୁ ଆମର ‘ଜନସଂଖ୍ୟାଗତ ଲାଭ’ ବା ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍’ ରୂପେ ବିଚାର କରାଯାଉଛି। ତେଣୁ ବର୍ତ୍ତମାନ ପାଇଁ ଏକ ନିମ୍ନଗାମୀ ‘ଟିଏଫ୍ଆର୍’ ଆମ ପାଇଁ ଏକ ସମସ୍ୟା ରୂପେ ଆବିର୍ଭୂତ ହୋଇନାହିଁ। କିନ୍ତୁ ଯଦି ଦୀର୍ଘ କାଳ ଧରି ଏହି ଧାରା ଅବ୍ୟାହତ ରହେ ତେବେ ଦୂର ଭବିଷ୍ୟତରେ ଏକ ସମୟ ଆସିବ, ଯେତେବେଳେ ଆମକୁ ଆଜିର ଦକ୍ଷିଣ କୋରିଆ ବା ଜାପାନ୍ ଭଳି ପରିବାର ନିୟୋଜନ ପରିବର୍ତ୍ତେ ଏକ ପରିବାର ସମ୍ପ୍ରସାରଣ ଅଭିଯାନ ଆରମ୍ଭ କରିବାକୁ ପଡ଼ିପାରେ।

ସମ୍ବନ୍ଧିତ ଖବର