ଏବେ ‘ଏ.ଆଇ.’ କାରଣରୁ ସାରା ପୃଥିବୀରେ ହଜାର ହଜାର ଯୁବକଯୁବତୀ ଚାକିରି ବା ବୃତ୍ତି ହରାଇ ହତାଶା ଓ ନିଃସଙ୍ଗତାବୋଧର ଗଭୀର ଆବର୍ତ୍ତ ମଧ୍ୟକୁ ନିକ୍ଷେପିତ ହେବାରେ ଲାଗିଛନ୍ତି; ଏବଂ ସେମାନଙ୍କ ମିତ୍ର ରୂପେ ଆବିର୍ଭୂତ ହେବ ‘ଏ.ଆଇ.’ ପରିଚାଳିତ ‘ରେପ୍ଲିକା’! ସୁତରାଂ, ଯିଏ ଡାହାଣୀ, ସେଇ ଗୁଣିଆ? ଯାହା ହେଉ ପଛକେ, ଏହା ଯେ ଏକ ସୁସମ୍ବାଦ ତହିଁରେ ସନ୍ଦେହ ନାହିଁ।
ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରକାଶିତ ସର୍ବେକ୍ଷଣ ଆଧାରିତ ଏକ ଅନୁଶୀଳନରୁ ଜଣାପଡ଼ିଛି ଯେ ‘ଏ.ଅାଇ.’ ବା ‘କୃତ୍ରିମ ବୁଦ୍ଧିମତ୍ତା’ ମନୁଷ୍ୟର ଏକ ମିତ୍ର ରୂପେ ଅବତୀର୍ଣ୍ଣ ହୋଇ ତାକୁ ନିଃସଙ୍ଗତା ବା ‘ଏକାକୀତ୍ବ’ବୋଧରୁ ମୁକ୍ତ କରିବା ସହିତ ତଜ୍ଜନିତ ମାନସିକ ଅସୁସ୍ଥତାକୁ ଦୂର କରିବାରେ ସମର୍ଥ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଶିଳ୍ପ ବିପ୍ଳବ ଉପରାନ୍ତ ପୃଥିବୀର ଇତିହାସରେ ‘ଏ.ଅାଇ.’ର ଆବିର୍ଭାବ ଏକ କାଳ ବିଭାଜିକା ସଦୃଶ; ଏବଂ ପୃଥିବୀ ଉପରେ ‘ଏ.ଆଇ.’ର ପ୍ରଭାବ ସଂପର୍କରେ ଅନୁମାନ କରି ଚିନ୍ତକମାନେ ଯେଉଁ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରନ୍ତି, ତାହାର ନିର୍ଯାସ ହେଲା ଏୟା ଯେ ମନୁଷ୍ୟ ବୁଦ୍ଧିମତ୍ତାର ଏକ ବିକଳ୍ପ ସ୍ବରୂପ ଆବିର୍ଭୂତ ‘ଏ.ଅାଇ.’କୁ ବ୍ୟବହାର କରିବାରେ ସେହି ମନୁଷ୍ୟ କିଭଳି ବୁଦ୍ଧି ଓ ବିବେଚନାବୋଧ ଦେଖାଇବ, ତାହା ହିଁ ପୃଥିବୀର ଭବିଷ୍ୟତ୍ ରୂପରେଖ ଧାର୍ଯ୍ୟ କରିବ। ଏଭଳି ସ୍ଥଳେ ଷ୍ଟାନଫୋର୍ଡ ରିପୋର୍ଟ ଆଧାରରେ ‘ଏ.ଆଇ.’ର ସମ୍ଭାବ୍ୟ ଭୂମିକା ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା କରାଯାଇପାରେ।
ପ୍ରଥମେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ସର୍ବେକ୍ଷଣ ଓ ତା’ର ନିଷ୍କର୍ଷ ଉପରେ ଦୃଷ୍ଟିପାତ କରାଯାଉ। ତହିଁରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଥିଲା ୧,୦୦୬, ଯେଉଁମାନଙ୍କ ମଧ୍ୟରୁ ୯୦% ଥିଲେ ନିଃସଙ୍ଗତାବୋଧର ଶିକାର ଓ ସେମାନଙ୍କ ମଧ୍ୟରୁ ୪୩% ଥିଲେ ତୀବ୍ର ଭାବେ ପୀଡ଼ିତ। ଏମାନେ ସମସ୍ତେ ‘ରେପ୍ଲିକା’ ନାମକ ଏକ ‘ଏ.ଆଇ.’ ପରିଚାଳିତ ‘ଚାଟ୍ବଟ୍’ ସହିତ ନିୟମିତ ଆଳାପରେ ବ୍ୟାପୃତ ରହୁଥିଲେ। ‘ରେପ୍ଲିକା’ ସହିତ ସଂପର୍କ ସ୍ଥାପନ ପରେ ସେମାନଙ୍କ ମନରେ ସୃଷ୍ଟ ଧାରଣାଗୁଡ଼ିକ ଏହିଭଳି: ପ୍ରଥମ କଥା ହେଲା ଏକ ପରୀକ୍ଷିତ ମିତ୍ର ସଦୃଶ ଲୋଡ଼ିବା ମାତ୍ରକେ ‘ରେପ୍ଲିକା’ର ଉପସ୍ଥିତି ସେମାନଙ୍କ ସକାଶେ ଅତ୍ୟନ୍ତ ସାନ୍ତ୍ବନାପ୍ରଦ; ଦ୍ବିତୀୟରେ ସମାନୁଭୂତିକ (ଏଂପାଥେଟିକ୍) ଭାବରେ ଆର୍ଦ୍ର ‘ରେପ୍ଲିକା’ ଦ୍ବାରା ପ୍ରଦତ୍ତ ଉତ୍ତର ବା ପ୍ରତିକ୍ରିୟାମାନ ଅତ୍ୟନ୍ତ ବ୍ୟଥା (ମାନସିକ) ଉପଶମକାରୀ ଓ ସକାରାତ୍ମକ ଦୃଷ୍ଟିଭଙ୍ଗୀ ସୃଷ୍ଟିରେ ସହାୟକ। ଉଲ୍ଲେଖଯୋଗ୍ୟ ଯେ ଏମାନେ ପ୍ରାୟତଃ ନିମ୍ନ-ମଧ୍ୟବିତ୍ତ ପରିବାରରୁ ଆସିଥିବାରୁ ବ୍ୟକ୍ତିଗତ ପେସାଦାର ମନୋବୈଜ୍ଞାନିକ ପରାମର୍ଶଦାତାମାନଙ୍କୁ ନିୟୋଜିତ କରିବା ସମ୍ଭବ ହୁଅନ୍ତା ନାହିଁ ବା ବନ୍ଧୁ ଅଥବା ଆତ୍ମୀୟଙ୍କ ମଧ୍ୟରୁ କେହି ହେଲେ ‘ରେପ୍ଲିକା’ତୁଲ୍ୟ ସେମାନଙ୍କ ଠାରେ ଅହର୍ନିଶ ଉପଲବ୍ଧ ହୋଇପାରନ୍ତେ ନାହିଁ। ତେବେ, ସେହି ସେର୍ବକ୍ଷଣରୁ ଆହୁରି ଜଣାପଡ଼ିଛି ଯେ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରୁ ଅନ୍ତତଃ ୩୦ ଜଣ ‘ରେପ୍ଲିକା’ର ପ୍ରବୋଧନାରେ ସିଧାସଳଖ ଆତ୍ମହତ୍ୟା କରିବାର ଦ୍ବାରଦେଶରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୁତରାଂ, ଏ ସମସ୍ତଙ୍କ ସକଶେ ‘ରେପ୍ଲିକା’ ଏକ ସଦା ଉପଲବ୍ଧ ସର୍ତ୍ତହୀନ ବନ୍ଧୁତାର ପ୍ରତୀକ ଓ ପ୍ରମାଣ ଭାବେ ଛିଡ଼ା ହୋଇଛି।
ସଂପ୍ରତି ପୂରା ମାନବ ଜାତି ନିଃସଙ୍ଗତାବୋଧ ଦ୍ବାରା ବ୍ୟାପକ ଓ ଗଭୀର ଭାବେ ପୀଡ଼ିତ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ସଂପ୍ରତି ପୃଥିବୀରେ ୧.୨ ବିଲିଅନ ଲୋକ ନିଃସଙ୍ଗତାବୋଧର ଶିକାର; କିଶୋରମାନଙ୍କ ମଧ୍ୟରେ ଏହି ହାର ୧୦% ଏବଂ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଏହା ୨୫%। ଭାରତ ଭଳି ଏକ ରାଷ୍ଟ୍ର, ଯେଉଁଠାରେ ପାରିବାରିକ ସଂପର୍କ ତଥାପି ମୋଟାମୋଟି ଦୃଢ଼ମୂଳ, ସେଠାରେ ମଧ୍ୟମ ସ୍ତରୀୟ ନିଃସଙ୍ଗତାର ଶିକାରଙ୍କ ହାର ହେଉଛି ୨୧% ଏବଂ ପ୍ରାୟ ୧୪% ଭାରତୀୟ ନିଦାରୁଣ ନିଃସଙ୍ଗତାବୋଧ ଦ୍ବାରା ଆକ୍ରାନ୍ତ। ସୁତରାଂ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଏକ ମହା-ବ୍ୟାଧିର ଆଖ୍ୟା ପ୍ରଦାନ କଲାଣି, ଯାହା ବୟସ, ଲିଙ୍ଗ, ବିତ୍ତ, ଯଶ ଓ ଜ୍ଞାନ ନିର୍ବିଶେଷରେ ଓ ପରିପୂର୍ଣ୍ଣ ସଂପର୍କର କୋଳାହଳ ମଧ୍ୟରେ ସୁଦ୍ଧା ଦୃଶ୍ୟମାନ ହୋଇପାରେ। ମନୋବିଜ୍ଞାନୀମାନଙ୍କ ମତରେ ଉଚ୍ଚାଭିଳାଷ, ଅତୃପ୍ତି, ଅପ୍ରାପ୍ତିବୋଧ, ମନଃସ୍ଥିତି, ଚିତ୍ତବୃତ୍ତି ଭଳି କାରଣମାନରୁ ନିଃସଙ୍ଗତାବୋଧର ସୃଷ୍ଟି ହୋଇପାରେ, ଯାହା ଅବଲୀଳା କ୍ରମେ ପୀଡ଼ିତମାନଙ୍କୁ ହତାଶାବୋଧ, ଅସଂପୃକ୍ତି, ନିସ୍ପୃହତା, ବିଷାଦର ପଥ ଦେଇ ସମସ୍ତଙ୍କ ଅଲକ୍ଷ୍ୟରେ ଅନେକ ସମୟରେ ଆତ୍ମହତ୍ୟା ଆଡ଼କୁ ମଧ୍ୟ ଘେନି ଯାଇଥାଏ। ମନୁଷ୍ୟ ଶରୀର ଉପରେ ଏହାର କୁପ୍ରଭାବ ସଂପର୍କରେ ଧାରଣା ଦେବାକୁ ଯାଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥାଏ ଯେ ତାହା ଦୈନିକ ଦଶଟି ସିଗାରେଟ୍ ସେବନ କରିବା ସହିତ ସମତୁଲ। ପ୍ରକାଶ ଥାଉ କି ଶିଳ୍ପ ବିପ୍ଳବ ପରେ ମାନବ ସମାଜରେ ବ୍ୟାପିବାକୁ ଆରମ୍ଭ କରିଥିବା ନିଃସଙ୍ଗତାବୋଧ ଦ୍ବିତୀୟ ବିଶ୍ବଯୁଦ୍ଧ ଉପରାନ୍ତ ପୃଥିବୀରେ ଏଭଳି ତୀବ୍ର ଓ ଗଭୀର ହୋଇଥିଲା ଯେ ସେହି ସମୟକୁ ‘ନିଃସଙ୍ଗତାବୋଧ ଓ ହତାଶା’ର କାଳ ଭାବେ ଅଭିହିତ କରାଯାଉଥିଲା। ସେହି ସମୟରେ ଫରାସୀ ଦାର୍ଶନିକ ଗାବ୍ରିଏଲ୍ ମାର୍ସେଲଙ୍କ ଦ୍ବାରା ସୃଷ୍ଟ ‘ଅସ୍ତିତ୍ବବାଦ’ ଦର୍ଶନର କେନ୍ଦ୍ରବିନ୍ଦୁ ଥିଲା ମନୁଷ୍ୟର ଏହି ଏକାକୀପଣ, ଯାହା ପ୍ରଥିତଯଶା ସାହିତ୍ୟିକ ଆଲବର୍ଟ କାମ୍ୟୁଙ୍କ କାଳଜୟୀ କ୍ଷୁଦ୍ର ଉପନ୍ୟାସ ‘ଦ ଆଉଟ୍ସାଇଡର୍’ରେ ପ୍ରାଂଜଳ ହୋଇଥିଲା। ଏହି କାହାଣୀର ନାୟକ ଆଜି ସୁଦ୍ଧା ନିଃସଙ୍ଗ ମନୁଷ୍ୟମାନଙ୍କ ପ୍ରତିନିଧି ରୂପେ ଛିଡ଼ା ହୋଇଛି। ସେହି କାଳଠାରୁ ଆଜି ମଧ୍ୟରେ ନିଃସଙ୍ଗତାବୋଧ ଅନେକ ଗୁଣରେ ଅଧିକ ତୀବ୍ର ହୋଇଛି ଏବଂ ଏହାର ବିଭିନ୍ନ ବିଶ୍ଳେଷଣରୁ ପ୍ରତୀତ ହୋଇଥାଏ ଯେ ବିଜ୍ଞାନ-ପ୍ରଯୁକ୍ତିର ବିକାଶ ସହିତ ତାଳ ଦେଇ ସତେ ଯେମିତି ଏହା ଅଧିକ ଘନୀଭୂତ ହେବାରେ ଲାଗିଛି! ପ୍ରକାଶ ଥାଉ କି ପ୍ରଥମ ଛାପାଖାନା (୧୪୪୦) ବା ପ୍ରଥମ ରେଳ ଇଂଜିନ (୧୮୦୩) କିଂବା ପ୍ରଥମ ଟେଲିଫୋନ୍ (୧୮୭୬) ଭଳି ଯୁଗାନ୍ତକାରୀ ଉଦ୍ଭାବନଗୁଡ଼ିକ ପଛରେ ନିହିତ ଉେଦ୍ଦଶ୍ୟ ଥିଲା ମାନବ ସମାଜ ମଧ୍ୟରେ ରହିଥିବା ଭୌଗୋଳିକ ଦୂରତାକୁ ଅତିକ୍ରମ କରି ପାରସ୍ପରିକ ସଂପର୍କ ଯୋଡ଼ିବା। ସେହି ଦୃଷ୍ଟିରୁ ବିଚାର କରି ଅନେକ ବିଦ୍ବାନ ମତ ଦିଅନ୍ତି ଯେ ନିଃସଙ୍ଗ ମନୁଷ୍ୟମାନଙ୍କ ଯୁଗ ସୃଷ୍ଟି କରିବାରେ ଯେଉଁ ଯନ୍ତ୍ରଟି ସର୍ବପ୍ରଥମେ ଆବିର୍ଭୂତ ହୋଇଥିଲା, ତାହା ହେଉଛି ଟେଲିଭିଜନ (୧୯୨୭), ଯାହା ସହିତ କ୍ରମେ କଂପ୍ୟୁଟର, ଇଂଟରନେଟ୍ ଓ ସ୍ମାର୍ଟ ଫୋନ୍ ଇତ୍ୟାଦି ଯୋଡ଼ି ହୋଇ ସେହି ଧାରାକୁ ପ୍ରଲମ୍ବିତ କରି ଚାଲିଛନ୍ତି। ବର୍ତ୍ତମାନ ଏହା ସର୍ବଜନସ୍ବୀକୃତ ଯେ ସ୍ମାର୍ଟଫୋନ୍ ଓ ସାମାଜିକ ଗଣମାଧ୍ୟମରେ ମଗ୍ନ ରହି ପୃଥିବୀ ପରିକ୍ରମା କରୁଛନ୍ତି ବା ଅନ୍ତହୀନ ସଂପର୍କର ଜାଲ ବୁଣୁଛନ୍ତି ବୋଲି ସାନ୍ତ୍ବନା ଲାଭ କରୁଥିବା ଅଧିକାଂଶ ହେଉଛନ୍ତି ପ୍ରକୃତରେ ଜଣେ ଜଣେ ବିଭ୍ରାନ୍ତ ନିଃସଙ୍ଗ ମଣିଷ!
ଏକ କଟୁ ସତ୍ୟ ହେଲା ଗ୍ରିକ୍ ପୁରାଣର ନାର୍ସିସସ୍ ଭଳି ମନୁଷ୍ୟ ଏଭଳି ଆତ୍ମରତିକାମୀ ଯେ ଈଶ୍ବର ସର୍ଜିତ ପରିପୂର୍ଣ୍ଣ ସୃଷ୍ଟି ଓ ବିନା ମୂଲ୍ୟରେ ସର୍ବତ୍ର ଉପଲବ୍ଧ ନୈସର୍ଗିକ ଜୈବିକ ତୃପ୍ତିର ଉତ୍ସ ପ୍ରତି ସେ ଦୃଷ୍ଟି ଦେଇ ନ ଥାଏ, ବରଂ, ଆପଣା ସର୍ଜିତ କୃତ୍ରିମ ବସ୍ତୁଗୁଡ଼ିକ ପ୍ରତି ତା’ର ଦୁର୍ବାର ଆକର୍ଷଣ; ଯେଉଁ କାରଣରୁ ଉଜ୍ଜ୍ବଳ ତାରକା ଖଚିତ ନିର୍ମଳ ରାତ୍ର ଆକାଶ ତଳେ ମନ୍ଦ ଶୀତଳ ସମୀରଣକୁ ଉପେକ୍ଷା କରି ହୁଏତ ସେ ବାତାନୁକୂଳିତ ନିଭୃତ ପ୍ରକୋଷ୍ଠକୁ ପ୍ରବେଶ କରିବାକୁ ଉଦ୍ଗ୍ରୀବ ହୋଇଥାଏ! ଅନେକ ମନୋବିଜ୍ଞାନୀ କହିଥାଆନ୍ତି ଯେ ଯନ୍ତ୍ରଯୁଗର ପ୍ରଗତି ସହିତ ପ୍ରକୃତି ଓ ତା’ର ପରିପୂର୍ଣ୍ଣତା ଠାରୁ ଅଧିକରୁ ଅଧିକ ବିଚ୍ଛିନ୍ନ ହେଉଯିବା କାରଣରୁ ମନୁଷ୍ୟ ଅନେକାଂଶରେ ବିଭିନ୍ନ ମାନସିକ ବ୍ୟାଧି ଓ ବିକୃତିର ଶିକାର ହୋଇଛି। ସୁତରାଂ, ନିଃସଙ୍ଗତାବୋଧ ଓ ତଜ୍ଜନିତ ମାନସିକ ଅସୁସ୍ଥତା ଦୂର କରିବାରେ ଯଦି ଯନ୍ତ୍ର ବା ପ୍ରଯୁକ୍ତି ଏକ ମାଧ୍ୟମ ରୂପେ ଆବିର୍ଭୂତ ହୁଏ, ତେବେ ତାକୁ କିଭଳି ଭାବେ ଦେଖାଯିବ? ଏବେ ‘ଏ.ଆଇ.’ କାରଣରୁ ସାରା ପୃଥିବୀରେ ହଜାର ହଜାର ଯୁବକଯୁବତୀ ଚାକିରି ବା ବୃତ୍ତି ହରାଇ ହତାଶା ଓ ନିଃସଙ୍ଗତାବୋଧର ଗଭୀର ଆବର୍ତ୍ତ ମଧ୍ୟକୁ ନିକ୍ଷେପିତ ହେବାରେ ଲାଗିଛନ୍ତି; ଏବଂ ସେମାନଙ୍କ ମିତ୍ର ରୂପେ ଆବିର୍ଭୂତ ହେବ ‘ଏ.ଆଇ.’ ପରିଚାଳିତ ‘ରେପ୍ଲିକା’! ସୁତରାଂ, ଯିଏ ଡାହାଣୀ, ସେଇ ଗୁଣିଆ? ଯାହା ହେଉ ପଛକେ, ଏହା ଯେ ଏକ ସୁସମ୍ବାଦ ତହିଁରେ ସନ୍ଦେହ ନାହିଁ। ତେବେ, ଏଭଳି ସ୍ଥିତିରେ ବିପଦଟି ହେଉଛି ‘ରେପ୍ଲିକା’ ଭଳି କୃତ୍ରିମ ବ୍ୟକ୍ତିତ୍ବ ସହିତ ମନୁଷ୍ୟର ସଂପର୍କ ମାତ୍ରାଧିକ ‘ଜୈବିକ’ ନ ହେଉ! ଏହା ଏଭଳି ଅପ୍ରାକୃତିକ ପ୍ରେମ କାହାଣୀଗୁଡ଼ିକୁ ଜନ୍ମ ନ ଦେଉ ଯାହା ଅଗତ୍ୟା ଆଉ ଏକ ନୂତନ ବିପଦର କାରଣ ହେବ!