ବାସ୍ତବରେ ଆମେରିକାକୁ ଏଭଳି ଟ୍ରମ୍ପମାର୍କା ହିଂସା ଓ ଅରାଜକତାରୁ ରକ୍ଷା କରିବା ପାଇଁ ମତଦାତାମାନେ ତାଙ୍କୁ (ବାଇଡେନ୍ଙ୍କୁ) ନିର୍ବାଚିତ କରନ୍ତୁ- ଏହା ବାଇଡେନ୍ଙ୍କ ନିର୍ବାଚନୀ ଅଭିଯାନର ମୂଳାଧାର ହୋଇ ଆସିଛି। ବର୍ତ୍ତମାନ ଟ୍ରମ୍ପଙ୍କ ସମର୍ଥକମାନେ କହିବାକୁ ଲାଗିଲେଣି ଯେ ବାଇଡେନ୍ଙ୍କ ଏଭଳି ଆହ୍ବାନ ହିଁ ଟ୍ରମ୍ପଙ୍କ ପ୍ରତି ତୀବ୍ର ଘୃଣା ଓ ବିଦ୍ବେଷ ସୃଷ୍ଟି କରି ତାଙ୍କ ଉପରେ ଆକ୍ରମଣ କରିବାକୁ ଆତତାୟୀକୁ ଉସ୍କାଇଛି। ଏହା ଟ୍ରମ୍ପଙ୍କ ସମର୍ଥକମାନଙ୍କୁ ଆହୁରି ସଂଘବଦ୍ଧ କରିବା ସହିତ ତାଙ୍କ ପ୍ରତି ନୂତନ ସମର୍ଥକମାନଙ୍କୁ ଆକର୍ଷିତ କରିବା ନିଶ୍ଚିତ।
ଗତ ଶନିବାର ଦିନ ଆମେରିକାର ପେନ୍ସିଲ୍ଭାନିଆ ଅନ୍ତର୍ଗତ ବଟ୍ଲର୍ କାଉଣ୍ଟି ଠାରେ ସେ ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଆଗାମୀ ନିର୍ବାଚନରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଯାଉଥିବା ରିପବ୍ଲିକାନ୍ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଦଳେ ସମବେତ ସମର୍ଥକଙ୍କ ଉଦ୍ଦେଶ୍ୟରେ ଭାଷଣ ଦେବା ବେଳେ ଗୁଳିମାଡ଼ର ଶିକାର ହେବା ଆମେରିକାର ରାଜନୈତିକ ଇତିହାସରେ ଏକ ଗତାନୁଗତିକ ଘଟଣା କହିଲେ ଅତିରଞ୍ଜନ ହେବ ନାହିଁ। ୧୭୭୮ରେ ସେ ରାଷ୍ଟ୍ର ପ୍ରତିଷ୍ଠିତ ହେବା ପରଠାରୁ ସେଠାରେ କ୍ଷମତାସୀନ ରାଷ୍ଟ୍ରପତି, ରାଷ୍ଟ୍ରପତି ପ୍ରାର୍ଥୀ ଓ ଅନ୍ୟ ପ୍ରମୁଖ ରାଜନେତାମାନେ ଏଭଳି ନିୟମିତ ଭାବରେ ଆତତାୟୀ ବନ୍ଧୁକର ନିଶାଣରେ ପରିଣତ ହୋଇଛନ୍ତି ଯେ ପୃଥିବୀର ଏହି ସମୃଦ୍ଧତମ ଗଣତନ୍ତ୍ରରେ ରାଜନୀତିକୁ ଏହା ସର୍ବାଧିକ ବିପଜ୍ଜନକ ବୃତ୍ତିରେ ପରିଣତ କରିଦେଇଛି।
ଆବ୍ରାହମ୍ ଲିଙ୍କନ୍ଙ୍କ ଠାରୁ କେନେଡି ଭ୍ରାତାଦ୍ବୟଙ୍କ ପର୍ଯ୍ୟନ୍ତ, ୱିଲିଅମ୍ ମାକ୍କିନ୍ଲିଙ୍କ ଠାରୁ ରୋନାଲ୍ଡ ରେଗାନ୍ଙ୍କ ପର୍ଯ୍ୟନ୍ତ ହେଉଛନ୍ତି ଏଭଳି ଆକ୍ରମଣର ସମ୍ମୁଖୀନ ହୋଇଥିବା ରାଜନେତାମାନଙ୍କ ମଧ୍ୟରୁ କେତେକ ପ୍ରମୁଖ ଉଦାହରଣ। ବୋଧହୁଏ ଏହି କାରଣରୁ ସେଠାରେ ରାଜନେତାମାନେ ଏଭଳି ଘଟଣା ଘଟିବାର ସମ୍ଭାବନା ପ୍ରତି ସର୍ବଦା ସଚେତନ ଥା’ନ୍ତି ଓ ସେଥିପାଇଁ ପ୍ରସ୍ତୁତ ଥା’ନ୍ତି, ଯାହା ସେମାନଙ୍କର ତାତ୍କାଳିକ ପ୍ରତିକ୍ରିୟାରୁ ପ୍ରତୀୟମାନ ହୋଇଥାଏ। ଉଦାହରଣ ସ୍ବରୂପ ଯେମିତି ଦେଖିବାକୁ ମିଳିଥିଲା ୧୯୮୧ରେ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍ ଗୁଳିବିଦ୍ଧ ହେବା ପରେ ପରେ ପ୍ରଦାନ କରିଥିବା ଚଟୁଳ ମନ୍ତବ୍ୟରେ: ‘‘ନିଶ୍ଚିତ ରୂପେ ଟିକିଏ କାଟୁଛି।’’ ସେ ପୁଣି ହସ୍ପିଟାଲକୁ ଯିବାବେଳେ ରହସ୍ୟ କରି କହିଥିଲେ: ‘‘ମୁଁ ଆଶା କରୁଛି ସର୍ଜନ୍ ଜଣକ ରିପବ୍ଲିକାନ୍ ହୋଇଥିବେ।’’
ଏହି ଧାରାରେ ବୋଧହୁଏ ସବୁଠାରୁ ଅଧିକ ମର୍ମସ୍ପର୍ଶୀ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ସେ ଦେଶର ରାଷ୍ଟ୍ରପତିମାନଙ୍କ ତାଲିକାରେ ଏକ ସମ୍ମାନାସ୍ପଦ ସ୍ଥାନ ଦଖଲ କରିଥିବା ଥିଓଡର୍ ରୁଜ୍ଭେଲ୍ଟ (‘ଟେଡି’)ଙ୍କ ଠାରୁ। ରାଷ୍ଟ୍ରପତି ମାକ୍କିନ୍ଲିଙ୍କ ହତ୍ୟା ପରେ ତତ୍କାଳୀନ ଉପରାଷ୍ଟ୍ରପତି ଥିବା ଟେଡି ରୁଜ୍ଭେଲ୍ଟ ୧୯୦୧ରୁ ୧୯୦୯ ପର୍ଯ୍ୟନ୍ତ ଦୁଇ ପାଳି ଆମେରିକାର ରାଷ୍ଟ୍ରପତି ରହିବା ପରେ ପୁଣିଥରେ ରାଷ୍ଟ୍ରପତି ନିର୍ବାଚନରେ ଅବତୀର୍ଣ୍ଣ ହୋଇ (ସେତେବେଳେ ସର୍ବାଧିକ ଦୁଇ ପାଳି ନିୟମ ପ୍ରବର୍ତ୍ତିତ ହୋଇ ନ ଥିଲା) ପ୍ରଚାର ଅଭିଯାନ ଚଳାଇଥିବା ବେଳେ ୧୯୧୨ରେ ଏକ ଆତତାୟୀ ଦ୍ବାରା ଗୁଳିବିଦ୍ଧ ହୋଇଥିଲେ। ଗୁଳିଟି ତାଙ୍କର କୋଟ୍ ପକେଟ୍ରେ ଥିବା ଷ୍ଟିଲ୍ ଚଷମା ଖୋଳ ଭେଦ କରି ତାଙ୍କର ଛାତିରେ ଗଳିଯାଇ ମାଂସପେଶୀ ଭିତରେ ଅଟକି ଯାଇଥିଲା। ଯେହେତୁ ତାଙ୍କର କାଶରୁ ରକ୍ତ ବାହାରିଲା ନାହିଁ, ଗୁଳିଟି ତାଙ୍କର ଫୁସ୍ଫୁସ୍ ଭେଦ କରିନାହିଁ ଜାଣି ଟେଡି ସାଙ୍ଗେ ସାଙ୍ଗେ କୌଣସି ଡାକ୍ତରୀ ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି କହି ଉକ୍ତ ସମାବେଶରେ ତାଙ୍କର ଭାଷଣ ଜାରି ରଖିଲେ। ଉଲ୍ଲେଖଯୋଗ୍ୟ େଯ ପରେ ଡାକ୍ତରମାନେ ଗୁଳିଟିକୁ େଟଡିଙ୍କର ଛାତିର ମାଂସପେଶୀ ମଧ୍ୟରୁ ବାହାର କରିବା ଅପେକ୍ଷା େସଇଟିକୁ ସେଠାରେ ଛାଡ଼ିଦେବା ଅଧିକ ନିରାପଦ ବୋଲି ବିଚାର କରିବାରୁ ଟେଡି ରୁଜ୍ଭେଲ୍ଟ ତାଙ୍କର ବାକି ଜୀବନ ଛାତିରେ ସେଇ ଗୁଳିଟିକୁ ଧାରଣ କରି ବିତାଇଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଘଟଣାରେ ଏବେ ସେଇ ଟେଡିସୁଲଭ ବେଖାତିର ପରମ୍ପରା ବଜାୟ ରହିଥିବା ଦେଖାଯାଇଛି।
ଟ୍ରମ୍ପ ତାଙ୍କର ଭାଷଣ ଆରମ୍ଭ କରିବାର ଠିକ୍ ଛ’ ମିନିଟ୍ ପରେ ଗୁଳି ଫୁଟିବାର ଚାପା ଶବ୍ଦ ଶୁଭିବା ସହିତ ଟ୍ରମ୍ପଙ୍କ ହାତ ତାଙ୍କର ଡାହାଣ କାନକୁ ଧରି ପକାଇବା ଦେଖାଯାଇଥିଲା। ତା’ ପରେ ପରେ ଆହୁରି ଗୁଳି ଶବ୍ଦ ଶୁଭିଲା, ଟ୍ରମ୍ପ ନଇଁ ପଡ଼ିଲେ ଓ ତାଙ୍କୁ ରକ୍ଷା କରିବା ପାଇଁ ଉପସ୍ଥିତ ‘ସିକ୍ରେଟ୍ ସର୍ଭିସ୍’ ଏଜେଣ୍ଟମାନେ ତାଙ୍କ ଉପରକୁ ଡେଇଁପଡ଼ି ଏକ ମାନବ ପ୍ରାଚୀର ସୃଷ୍ଟି କରିଦେଲେ। ତା’ ପରେ ପରେ ଆତତାୟୀ ଜଣକ ପୁଲିସ ଗୁଳିରେ ନିହତ ହୋଇଛି ବୋଲି ଘୋଷଣା ହେବା ସହିତ ଟ୍ରମ୍ପ ସଳଖ ହୋଇ ଛିଡ଼ାହୋଇ ତାଙ୍କର ମୁଷ୍ଟିବଦ୍ଧ ହାତକୁ ବାରମ୍ବାର ଉପରକୁ ଉଠାଇ କିଛି ଘୋଷଣା କରୁଥିବା ଦେଖାଯାଇଥିଲା, ଯାହା ସେଠାରେ ଉପସ୍ଥିତ ଦର୍ଶକମାନଙ୍କ ଅନୁସାରେ ଥିଲା: ‘‘ଫାଇଟ୍, ଫାଇଟ୍’’ (‘‘ଲଢ଼େଇ ଚାଲୁ ରଖ’’)।
ଉପରେ କୁହାଯାଇଥିବା ଭଳି ଆମେରିକାରେ ରାଜନୈତିକ ହିଂସାର ପରମ୍ପରା ସୁଦୀର୍ଘ ହୋଇଥିଲେ ହେଁ, ନିକଟ ଅତୀତରେ ସେଠାରେ ଏଭଳି ହିଂସାକାଣ୍ଡମାନଙ୍କରେ ଏକ ବିଶେଷ ବୃଦ୍ଧି ଘଟିବା ଦେଖାଯାଇଛି, ଯାହା ସହିତ ଟ୍ରମ୍ପଙ୍କ ଉପରେ ଆକ୍ରମଣ ବେଶ୍ ଖାପ ଖାଇଯାଇଥାଏ। ୨୦୧୭ରେ ଜଣେ ମତାନ୍ଧ ବାମପନ୍ଥୀର ଗୁଳିରେ ବର୍ତ୍ତମାନ କଂଗ୍ରେସରେ ରିପବ୍ଲିକାନ୍ ପାର୍ଟିର ନେତା ଥିବା ଷ୍ଟିଭ୍ କାଲିସ୍ ମରୁମରୁ ବଞ୍ଚି ଯାଇଥିଲେ। ୨୦୨୨ରେ ତତ୍କାଳୀନ ହାଉସ୍ ସ୍ପିକର୍ ନାନ୍ସି ପେଲୋସିଙ୍କ ବାସଭବନରେ ଅନୁପ୍ରବେଶ କରି ଜଣେ ଆକ୍ରମଣକାରୀ ତାଙ୍କର ବୃଦ୍ଧ ସ୍ବାମୀଙ୍କ ମୁଣ୍ଡ ଉପରେ ହାତୁଡ଼ି ପ୍ରହାର କରି ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ।
ସୋମବାର ଦିନ ୱିସ୍କାନ୍ସିନ୍ର ମିଲ୍ୱାକି ଠାରେ ଆରମ୍ଭ ହୋଇଥିବା ‘ରିପବ୍ଲିକାନ୍ ନେସ୍ନାଲ୍ କନ୍ଭେନ୍ସନ୍’ରେ ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ତୃତୀୟ ଥର ପାଇଁ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ମନୋନୀତ ହେବାକୁ ଯାଉଛନ୍ତି। ଏଥିରେ ସନ୍ଦେହ ନାହିଁ ଯେ ବର୍ତ୍ତମାନ ଆମେରିକାର ଗଣମାଧ୍ୟମରେ ଟ୍ରମ୍ପଙ୍କର ଯେଉଁ ଛବି ଅନବରତ ପ୍ରସାରିତ ହେବାରେ ଲାଗିବ, ତାହା ହେଲା ଏକ ରକ୍ତାକ୍ତ ମୁଖମଣ୍ଡଳ ସହିତ ତାଙ୍କର ମୁଷ୍ଟିବଦ୍ଧ ହାତ ଶୂନ୍ୟକୁ ଭେଦ କରୁଥିବାର ଚିତ୍ର- ଅପରାଜେୟ ଶକ୍ତିର ପ୍ରତୀକ। ଏବେ ତ ସେଠାରେ ଗଣମାଧ୍ୟମରେ ଏହି ଦୃଶ୍ୟକୁ ଅତୀତରେ ଏଇଭଳି ଲଢୁଆ ଶକ୍ତିର ପ୍ରତୀକ କିଂବଦନ୍ତି ପାଲଟିଥିବା ମୁଷ୍ଟିଯୋଦ୍ଧା ମହମ୍ମଦ ଅଲି ତାଙ୍କର ପ୍ରତିଦ୍ବନ୍ଦ୍ବୀ ସନି ଲିଷ୍ଟନ୍ଙ୍କୁ ଧରାଶାୟୀ କରି ଦଣ୍ଡାୟମାନ ହୋଇଥିବାର ଦୃଶ୍ୟ ସହିତ ତୁଳନା କରାଗଲାଣି।
ପ୍ରତ୍ୟକ୍ଷଦର୍ଶୀମାନଙ୍କ ଅନୁସାରେ ଗୁଳିଟି ଯଦି ଆଉ ସୂତାଏ ଦିଗ ପରିବର୍ତ୍ତନ କରିଥା’ନ୍ତା, ତା’ହେଲେ ଟ୍ରମ୍ପ ଆଜି ଜୀବିତ ନଥା’ନ୍ତେ। ଏହା ସତ୍ତ୍ବେ ସେ ପ୍ରଦର୍ଶନ କରିଥିବା ସ୍ଥୈର୍ଯ୍ୟ ଓ ସାହସ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଜୋ ବାଇଡେନ୍ଙ୍କୁ ଆହୁରି ଦୁର୍ବଳ ପ୍ରଦର୍ଶିତ କରିବା ସୁନିଶ୍ଚିତ। ଗତ ସପ୍ତାହରେ ଏହି ସ୍ତମ୍ଭରେ ଜୋ ବାଇଡେନ୍ ତାଙ୍କର ଯେଉଁ ବାର୍ଦ୍ଧକ୍ୟଜନିତ ସମସ୍ୟାମାନଙ୍କର ସମ୍ମୁଖୀନ ହେବା ସମ୍ବନ୍ଧରେ ବର୍ଣ୍ଣନା କରାଯାଉଥିଲା, ଏକ ବିଧି ନିର୍ଦ୍ଦେଶିତ ଘଟଣା ଭଳି ଟ୍ରମ୍ପଙ୍କ ଉପରେ ଏହି ଆକ୍ରମଣ ତାହାକୁ ଯେ ଆହୁରି ଶାଣିତ କରି ମତଦାତାମାନଙ୍କୁ ତାଙ୍କ ବିରୋଧରେ ଓ ଟ୍ରମ୍ପଙ୍କ ସପକ୍ଷରେ ପ୍ରଭାବିତ କରିବ, ଏହାକୁ ବାଇଡେନ୍ଙ୍କ ଦୃଢ଼ ସମର୍ଥକମାନେ ମଧ୍ୟ ଅସ୍ବୀକାର କରିପାରିବେ ନାହିଁ। କିନ୍ତୁ ଏହା ମଧ୍ୟ ଏକ ବିଡ଼ମ୍ବନା ଯେ ଟ୍ରମ୍ପ ଆଜି େଯଉଁ େଯଉଁ ହିଂସାର ସମ୍ମୁଖୀନ ହୋଇଛନ୍ତି, ତାହା ହେଉଛି ୨୦୨୧ ଜାନୁଆରି ୬ ତାରିଖରେ ତାଙ୍କର ସମର୍ଥକମାେନ କ୍ୟାପିଟାଲ୍ ଉପରେ ଚଢ଼ାଉ କରି ପ୍ରଦର୍ଶନ କରିଥିବା ହିଂସାର ଏକ ଭିନ୍ନ ସଂସ୍କରଣ ବୋଲି କହିଲେ ଭୁଲ୍ ହେବନାହିଁ।
ବାସ୍ତବରେ ଆମେରିକାକୁ ଏଭଳି ଟ୍ରମ୍ପମାର୍କା ହିଂସା ଓ ଅରାଜକତାରୁ ରକ୍ଷା କରିବା ପାଇଁ ମତଦାତାମାନେ ତାଙ୍କୁ (ବାଇଡେନ୍ଙ୍କୁ) ନିର୍ବାଚିତ କରନ୍ତୁ- ଏହା ବାଇଡେନ୍ଙ୍କ ନିର୍ବାଚନୀ ଅଭିଯାନର ମୂଳାଧାର ହୋଇ ଆସିଛି। ବର୍ତ୍ତମାନ ଟ୍ରମ୍ପଙ୍କ ସମର୍ଥକମାନେ କହିବାକୁ ଲାଗିଲେଣି ଯେ ବାଇଡେନ୍ଙ୍କ ଏଭଳି ଆହ୍ବାନ ହିଁ ଟ୍ରମ୍ପଙ୍କ ପ୍ରତି ତୀବ୍ର ଘୃଣା ଓ ବିଦ୍ବେଷ ସୃଷ୍ଟି କରି ତାଙ୍କ ଉପରେ ଆକ୍ରମଣ କରିବାକୁ ଆତତାୟୀକୁ ଉସ୍କାଇଛି। ଏହା ଟ୍ରମ୍ପଙ୍କ ସମର୍ଥକମାନଙ୍କୁ ଆହୁରି ସଂଘବଦ୍ଧ କରିବା ସହିତ ତାଙ୍କ ପ୍ରତି ନୂତନ ସମର୍ଥକମାନଙ୍କୁ ଆକର୍ଷିତ କରିବା ନିଶ୍ଚିତ। ବିଭିନ୍ନ ଦୁରାଚାର ଅଭିଯୋଗରେ ଛନ୍ଦି ହୋଇଥିବା ଟ୍ରମ୍ପଙ୍କୁ ଶେଷରେ ଜଣେ ଆତତାୟୀର ଅନ୍ଧ କ୍ରୋଧ ଯେ ମତଦାତାମାନଙ୍କର ସମର୍ଥନ ଲାଭରେ ସହାୟକ ହୋଇ ନିର୍ବାଚନ ଜିତିବାର ସମ୍ଭାବନା ସୃଷ୍ଟି କରିପାରେ, ଶୁକ୍ରବାର ପର୍ଯ୍ୟନ୍ତ ଏହା କେହି କଳ୍ପନା କରି ନ ଥିଲେ। ବିଧିର ବିଧାନ, କେ କରିବ ଆନ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/sampadakiya.jpg)