ସମାଜର ସଠିକ୍‌ ତନ୍ତ୍ରୀକୁ ସ୍ପର୍ଶ କରିପାରିଲେ ସେଇ ସମାଜ ଯେ ଏବେ ମଧ୍ୟ ଡାକ୍ତରମାନଙ୍କୁ ଦେବୀଦେବତା ଆସନରେ ବସାଇ ପୂଜା କରିବାକୁ ପ୍ରସ୍ତୁତ ଅଛି, ତା’ର ଏକ ମର୍ମସ୍ପର୍ଶୀ ଉଦାହରଣ କିଭଳି ଦେଖିବାକୁ ମିଳିଥିଲା ନିକଟ ଅତୀତରେ ଓଡ଼ିଶାର ତେନ୍ତୁଳିଖୁଣ୍ଟିର ଯୁବ ଡାକ୍ତର କିଶୋରଙ୍କ ଘଟଣାରେ, ତାହା କେହି ଭୁଲି ନ ଥିବେ।

Advertisment

‌ଜଣେ ଡାକ୍ତରଙ୍କର ଦୈନନ୍ଦିନ ବୃତ୍ତି ହେଉଛି ଅନ୍ୟର ଯନ୍ତ୍ରଣା ଉପଶମ କରିବା ବା ସ୍ଥଳ ବିଶେଷରେ ଜୀବନ ବଞ୍ଚାଇବା। ସେଇଥିପାଇଁ ସମାଜ ଡାକ୍ତରମାନଙ୍କୁ ଧଳାକୋଟ୍‌ ପିନ୍ଧିଥିବା ଦେବୀଦେବତା ରୂପେ ଦେଖିଥାଏ। କିନ୍ତୁ ଅନେକ ସମୟରେ ଦେଖାଯାଇଥାଏ ସମାଜର ଡାକ୍ତରଙ୍କ ପ୍ରତି ଆଚରଣ ଏହି ଚିନ୍ତାଧାରାର ଠିକ୍‌ ବିପରୀତ ହୋଇଥାଏ। ଆଶ୍ଚର୍ଯ୍ୟ ନ ହୋଇ ରହି ହୁଏ ନାହିଁ, ଡାକ୍ତରମାନେ ସମ୍ମୁଖୀନ ହେଉଥିବା ଏହି ସାମାଜିକ ଦ୍ବନ୍ଦ୍ବ ଏପରି ସାର୍ବଜନୀନ ଓ ସର୍ବକାଳୀନ ଯେ ଏ ସମ୍ବନ୍ଧରେ ମହାନ୍‌ ବ୍ରିଟିସ୍‌ ନାଟ୍ୟକାର ତଥା ସାମାଜିକ ମନ୍ତବ୍ୟକାର ବର୍ନାଡ ଶ’ ଶତାଧିକ ବର୍ଷ ତଳେ ୧୯୦୬ରେ ପ୍ରକାଶିତ ତାଙ୍କର ପ୍ରସିଦ୍ଧ ନାଟକ ‘‘ଦି ଡକ୍ଟର୍‌’ସ ଡିଲେମା’’ (‘‘ଡାକ୍ତରଙ୍କ ଦ୍ବନ୍ଦ୍ବ’’)ରେ ଯେଉଁ ମନ୍ତବ୍ୟ ପ୍ରଦାନ କରିଥିଲେ, ତାହା ଆଜି ମଧ୍ୟ ଭାରତ ଭଳି ଏକ ଭିନ୍ନ ଦେଶରେ ତାହାର ପ୍ରାସଙ୍ଗିକତା ହରାଇ ନାହିଁ।

ସାମାନ୍ୟ ଦୀର୍ଘ ହେଲେ ବି ତାଙ୍କର ସେଇ ନାଟକର ମୁଖବନ୍ଧରେ ଶ’ ପ୍ରଦାନ କରିଥିବା ସେଇ ମନ୍ତବ୍ୟର କିୟଦଂଶ ଏଠାରେ ଉଦ୍ଧାରଯୋଗ୍ୟ। ସେ କହିଥିଲେ: ‘‘ତା’ପରେ ରହିଛି ଡାକ୍ତର ନିଜର ସ୍ବାସ୍ଥ୍ୟ ଓ ଆରାମ ପ୍ରତି ପ୍ରଦର୍ଶନ କରୁଥିବା ଅବହେଳା କଥା, ଯାହା ତାଙ୍କର କାର୍ଯ୍ୟର ଏ‌ମର୍ଜେନ୍‌ସି ଚରିତ୍ର ଯୋଗୁଁ ଘଟିଥାଏ। ଅନ୍ୟ ସମୟରେ ଆମେ ଡାକ୍ତରଙ୍କ ପ୍ରତି ଅତ୍ୟନ୍ତ ଭଦ୍ର ଓ ବିଚାରଶୀଳ ଆଚରଣ ପ୍ରଦର୍ଶନ କରିଥାଉ, ଜଣେ ବନ୍ଧୁ ବା ଅତିଥି ଭାବରେ ତାଙ୍କର ଚର୍ଚ୍ଚା କରିବା ପାଇଁ ଆଗଭର ହୋଇଥାଉ; କିନ୍ତୁ ପିଲାଟି ଯେତେବେଳେ କାଶି କାଶି ଅତିଷ୍ଠ ହୋଇ ପଡ଼ିଥାଏ, କିମ୍ବା ତା’ର ମା’ ଯେତେବେଳେ ୧୦୪ଂ ଜ୍ବରରେ କମ୍ପୁଥାଏ... ସେତେବେଳେ କେହି ହେଲେ ଡାକ୍ତରଙ୍କୁ ଜଣେ ରୋଗ ଉପଶମକାରୀ ଓ ତ୍ରାଣକର୍ତ୍ତା ବ୍ୟତୀତ ଅନ୍ୟ କୌଣସି ରୂପରେ ଦେଖିନଥାନ୍ତି। ସେ ଭୋକରେ ଥାଇପାରନ୍ତି, ହାଲିଆ ହୋଇପାରିଥାନ୍ତି, ଅନିଦ୍ରା ଥାଇ ପାରିଥାନ୍ତି...; କିନ୍ତୁ ହଠାତ୍‌ ଘଟିଥିବା ଅସୁସ୍ଥତା ବା ଦୁର୍ଘଟଣା ସମୟରେ କିଏ ବା ଏ ବିଷୟରେ ଚିନ୍ତା କରିଥାଏ? ଏହି ସମୟରେ ଆମେ ନିଆଁ ଲାଗିଥିବା‌ ବେଳେ ଜଣେ ନିଆଁ ଲିଭାଳିଙ୍କୁ ଯେଉଁ ଦୃଷ୍ଟିରେ ଦେଖିଥାଉ, ଡାକ୍ତରଙ୍କୁ ତା’ଠାରୁ କୌଣସି ଭିନ୍ନ ଦୃଷ୍ଟିରେ ଦେଖି ନଥାଉ। ...ଏଭଳି ଅମାନୁଷିକ ପରିବେଶରେ କାର୍ଯ୍ୟ କରିବାର ଚାପ ସହିତ ପୁଣି ମିଶିଥାଏ ସର୍ବଦା ସଂକ୍ରମିତ ହେବାର ସମ୍ଭାବନା। ଆଶ୍ଚର୍ଯ୍ୟ ଲାଗେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ଅଧୈର୍ଯ୍ୟ ଡାକ୍ତରମାନେ କାହିଁକି ବର୍ବର ହୋଇଯାଆନ୍ତି ନାହିଁ ଏବଂ ଧୈର୍ଯ୍ୟବାନ୍‌ ଡାକ୍ତରମାନେ କାହିଁକି ନିର୍ବୋଧ ହୋଇଯାଆନ୍ତି ନାହିଁ।’’

ଅବଶ୍ୟ ସମାଜ ତରଫରୁ ଡାକ୍ତରଙ୍କ ଉପରେ ସୃଷ୍ଟି କରାଯାଉଥିବା ଏହି ଚାପ ସମ୍ବନ୍ଧରେ ଶ’ ପ୍ରଦାନ କରିଥିବା ଏହି ବର୍ଣ୍ଣନାରେ ଦୈହିକ ଆକ୍ରମଣ ଅନ୍ତର୍ଭୁକ୍ତ ନାହିଁ। କିନ୍ତୁ ଇତି ମଧ୍ୟରେ ସମୟ ଓ ସମାଜରେ ଘଟିଥିବା ପରିବର୍ତ୍ତନର ସ୍ବାକ୍ଷର ବହନ କରିବା ସ୍ବରୂପ ଭାରତୀୟ ଦୃଶ୍ୟପଟରେ ଡାକ୍ତରମାନଙ୍କ ପ୍ରତି ଶ’ ବର୍ଣ୍ଣିତ ତାଲିକାରେ ଯେଉଁ ନୂତନ ବିପଦର ଅନୁପ୍ରବେଶ ଘଟିଛି, ତାହା ହେଲା ସେମାନଙ୍କ ଉପରେ ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନଙ୍କ ତରଫରୁ ନିୟମିତ ଭାବରେ ଘଟୁଥିବା ଆକ୍ରମଣ, ଯାହା ସମୟ ସମୟରେ ମରଣାନ୍ତକ ରୂପ ନେଇଥାଏ। ଯେମିତି ଗତ ସପ୍ତାହରେ କେରଳର କୋଚି ଠାରେ ଘଟି ସାରା ଦେଶର ଅନ୍ତରାତ୍ମାକୁ ଦୋହଲାଇ ଦେଇଚି। ପ୍ରକାଶିତ ରିପୋର୍ଟ ଅନୁସାରେ ପୁଲିସ ଏକ ମାତାଲ ଯୁବକକୁ ଚିକିତ୍ସା ନିମିତ୍ତ ଏକ ସରକାରୀ ତାଲୁକା ହସ୍‌ପିଟାଲ୍‌କୁ ଆଣିଥିଲା। ସେତେବେଳେ ପାହାନ୍ତା ପହର। ଶ’ ବର୍ଣ୍ଣନା କରିଥିବା ଭଳି ଯେତେବେଳେ ସାରା ସହର ନିଦ୍ରାଦେବୀଙ୍କ କୋଳରେ, ସେତେବେଳେ ୨୩ ବର୍ଷୀୟା ହାଉସ୍‌ ସର୍ଜନ୍‌ ବନ୍ଦନା ଦାସ ଏମର୍ଜେନ୍‌ସି ଡ୍ୟୁଟିରେ ରୋଗୀଙ୍କର ସେବାରେ ନିୟୋଜିତ ଥାନ୍ତି। ନିଜ ପରିବାର ଲୋକଙ୍କ ସହିତ ହିଂସାକାଣ୍ଡ ଘଟାଇ ଆହତ ‌େହବା ପରେ ପୁଲିସ ଉକ୍ତ ଯୁବକକୁ ଚିକିତ୍ସା ନିମିତ୍ତ ଆଣି ସେଇ ସମୟରେ ହସ୍‌ପିଟାଲ‌୍‌ରେ ପହଞ୍ଚିଥିଲା। ଡାକ୍ତର ବନ୍ଦନା ଦାସ ସେଇ ଉନ୍ମତ୍ତ ଯୁବକର ଗୋଡ଼ରେ ହୋଇଥିବା କ୍ଷତର ଚିକିତ୍ସା କରି ଡ୍ରେସିଙ୍ଗ୍‌ କରିବା ସମୟରେ ଯୁବକ ଜଣକ ହଠାତ୍‌ ଅସ୍ତ୍ରୋପଚାରରେ ବ୍ୟବହୃତ କଇଁଚି ଓ ଛୁରି ଧରି ଆକ୍ରମଣ କରିବାକୁ ଆରମ୍ଭ କରିବାରୁ ସେଠାରୁ ପୁଲିସ ସମେତ ସମସ୍ତେ ଯେ ଯୁଆଡ଼େ ଧାଇଁ ପଳାଇଲେ। ଡାକ୍ତର ବନ୍ଦନା ଭୟରେ ଜଡ଼ସଡ଼ ହୋଇ ଏକୁଟିଆ ସେଠାରେ ସ୍ଥାଣୁବତ୍‌ ଛିଡ଼ା ହୋଇଥିବା ଅବସ୍ଥାରେ ସେ ମାତାଲ ରୋଗୀର ବାରମ୍ବାର ଆଘାତର ସମ୍ମୁଖୀନ ହେଲେ। ପିତାମାତାଙ୍କର ଏକମାତ୍ର ସନ୍ତାନ ଡାକ୍ତର ବନ୍ଦନା ଯେଉଁ ରୋଗୀର ଯନ୍ତ୍ରଣା ଉପଶମ ପାଇଁ ଚିକିତ୍ସା କରୁଥିଲେ, ସେଇ ରୋଗୀର ଛୁରୀ, କଇଁଚି ଆଘାତରେ ପ୍ରାଣ ବିସର୍ଜନ କଲେ। ପୁଲିସ ସଫେଇ ଦେଉଛି ଯେ ଆତତାୟୀ ଜଣକର ଆଚରଣ ଏଥିପୂର୍ବରୁ ସମ୍ପୂର୍ଣ୍ଣ ସ୍ବାଭାବିକ ଥିବାରୁ ସେମାନେ ତା’ ଦ୍ବାରା ଏଭଳି ଆକ୍ରମଣ ଘଟିବା ଆଦୌ ଆଶା କରୁନଥିଲେ। କିନ୍ତୁ ଯାହା ଅକ୍ଷମଣୀୟ ଓ ଲଜ୍ଜାଜନକ, ତାହା ହେଲା, ପୁଲିସର ଉପସ୍ଥିତିରେ ପୁଲିସ ହେପାଜତରେ ଥିବା ଅପରାଧୀଜନକ ଡାକ୍ତର ବନ୍ଦନାଙ୍କୁ ହତ୍ୟା କରିଥିଲେ ହେଁ ପୁଲିସ ତାକୁ ଅଟକାଇ ପାରିନଥିଲା‌।

ଏ ଘଟଣା ଘଟିବା ପରେ ପ୍ରକାଶିତ ସୂଚନା ଅନୁସାରେ ଗତ ପ୍ରାୟ ଏକ ବର୍ଷ ମଧ୍ୟରେ କେରଳରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କ ଉପରେ ୧୩୮ଟି ଏଭଳି ଆକ୍ରମଣ ଘଟଣା ଘଟିଛି, ଯଦିବା ଏହା ହେଉଛି ପ୍ରଥମ ହତ୍ୟାକାଣ୍ଡ। ତେବେ ଡାକ୍ତରଙ୍କ ଉପରେ ଏଭଳି ଆକ୍ରମଣ କେବଳ କେରଳରେ ସୀମିତ ନୁହେଁ। ବାସ୍ତବରେ ଭାରତରେ ଏପରି କୌଣସି ରାଜ୍ୟ ନାହିଁ ‌େଯଉଁଠି ଡାକ୍ତର ଓ ନର୍ସମାନେ ଏପରି ଆକ୍ରମଣର ଶିକାର ହୋଇନଥାନ୍ତି। ଏହା କିପରି ଏକ ନିୟମିତ ଧାରାରେ ପରିଣତ ହୋଇସାରିଛି, ତାହାର ପ୍ରମାଣ ସ୍ବରୂପ ଡାକ୍ତର ବନ୍ଦନାଙ୍କ ମର୍ମନ୍ତୁଦ ହତ୍ୟା ଘଟଣା ପରେ ଗତ ସୋମବାର ରାତିରେ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସା ନିମିତ୍ତ ସେଇ କୋଚିର ସରକାରୀ ମେଡିକାଲ୍‌ କଲେଜକୁ ଅଣା ଯାଇଥିବା ଏକ ମଦ୍ୟପ ଯୁବକ ତାକୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ଆକ୍ରମଣ କରିବା ଦେଖା ଯାଇଥିଲା। ଏଥର କିନ୍ତୁ ଉପସ୍ଥିତ ପୁଲିସ ତାକୁ କାବୁ କରିପାରିଥିଲା।

ଏଇମାତ୍ର ଗତ ମାର୍ଚ୍ଚରେ ସେ ରାଜ୍ୟରେ ବଢ଼ି ଚାଲିଥିବା ଡାକ୍ତରମାନଙ୍କ ଉପରେ ଆକ୍ରମଣ ଘଟଣାମାନ ବିରୋଧରେ ପ୍ରତିବାଦ ସ୍ବରୂପ ‘ଇଣ୍ଡିଅାନ୍‌ ମେଡିକାଲ୍‌ ଆସୋସିଏସନ୍‌’ (‘ଆଇଏମ୍‌ଏ’)ର କେରଳ ଚାପ୍ଟର୍‌ର କାତର ସଦସ୍ୟମାନେ ଗୋଟିଏ ଦିନ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଧର୍ମଘଟ ପାଳନ କରିଥିଲେ। ‘ଆଇଏମ୍‌ଏ’ର ଏକ ରିପୋର୍ଟ ଅନୁସାରେ ଦେଶରେ କାର୍ଯ୍ୟରତ ଡାକ୍ତରମାନଙ୍କ ମଧ୍ୟରୁ ୭୫ ଶତାଂଶ ଏଭଳି ଆକ୍ରମଣର ଶିକାର ହୋଇଥାନ୍ତି। ବିଭିନ୍ନ ରାଜ୍ୟରେ ଏହି ସମସ୍ୟାର ମୁକାବିଲା ନିମିତ୍ତ କଠୋର ଆଇନ ପ୍ରଣୟନ କରାଯାଇଥିଲେ ମଧ୍ୟ ତାହା ଆକ୍ରମଣକାରୀମାନଙ୍କୁ ଏପରି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିବାରୁ ନିବୃତ୍ତ କରିପାରି ନାହିଁ। ଏଥିପାଇଁ ଏକ କେନ୍ଦ୍ରୀୟ ଆଇନ ପ୍ରଣୟନର ଆବଶ୍ୟକତା ରହିଛି ବୋଲି କେତେକ ମହଲରେ ବିଶ୍ବାସ କରାଯାଏ।
କିନ୍ତୁ ସମସ୍ୟାଟି ସାମାଜିକ ଓ ଆବେଗିକ ଶ୍ରେଣୀର ହୋଇଥିବାରୁ କେବଳ ଆଇନ ପ୍ରଣୟନ ବା ପୁଲିସ ମୁତୟନ ଦ୍ବାରା ଏହାର ମୂଳୋତ୍ପାଟନ ଘଟାଇବା ସମ୍ଭବ ନ ହୋଇପାରେ। ଏଥିପାଇଁ ଲୋଡ଼ା ଏକ ସାମାଜିକ ସଚେତନା ସୃଷ୍ଟି ଅଭିଯାନ, ‘ଆଇଏମ୍‌ଏ’ ଭଳି ସଂଗଠନମାନେ ଯାହାର ନେତୃତ୍ବ ନେବା ଉଚିତ। ସମାଜର ସଠିକ୍‌ ତନ୍ତ୍ରୀକୁ ସ୍ପର୍ଶ କରିପାରିଲେ ସେଇ ସମାଜ ଯେ ଏବେ ମଧ୍ୟ ଡାକ୍ତରମାନଙ୍କୁ ଦେବୀଦେବତା ଆସନରେ ବସାଇ ପୂଜା କରିବାକୁ ପ୍ରସ୍ତୁତ ଅଛି, ତା’ର ଏକ ମର୍ମସ୍ପର୍ଶୀ ଉଦାହରଣ କିଭଳି ଦେଖିବାକୁ ମିଳିଥିଲା ନିକଟ ଅତୀତରେ ଓଡ଼ିଶାର ତେନ୍ତୁଳିଖୁଣ୍ଟିର ଯୁବ ଡାକ୍ତର କିଶୋରଙ୍କ ଘଟଣାରେ, ତାହା କେହି ଭୁଲି ନ ଥିବେ।