ମହିଳା ଏବଂ ନାବାଳିକାଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନ ପ୍ରସଙ୍ଗ ରାଜନୈତିକ ବିରୋଧ ବା ଆଦର୍ଶଗତ ପାର୍ଥକ୍ୟ ନିର୍ବିଶେଷରେ ଅସହନୀୟ ହେବା ଉଚିତ; ଯାହା ଆମ ଦେଶରେ ପ୍ରାୟତଃ ହୋଇ ନ ଥାଏ। ଏଭଳି ଭାବେ କୁଳାଙ୍ଗାରମାନେ ନିଜକୁ କୁଳ-ରତ୍ନ ବୋଲି ମଣିବାର ବିଭ୍ରାନ୍ତିରେ ରହନ୍ତି। ଏବଂ ଏଭଳି ଧାରଣା କାରଣରୁ କିଭଳି ମହାନ କୁରୁବଂଶର ସମୂଳ ନିପାତ ହୋଇଯାଇଥିଲା, ତାହା ମହାଭାରତ କାଳରୁ ଉଦାହରଣୀୟ ହୋଇ ରହିଆସିଥିଲେ ସୁଦ୍ଧା ଧ୍ରୁତରାଷ୍ଟ୍ରମାନଙ୍କ ଚୈତନ୍ୟ ଉଦୟ ହୁଏ ନାହିଁ!

Advertisment

କର୍ଣ୍ଣାଟକର ପ୍ରଜ୍ଜ୍ବଳ ରେବନ୍ନା ସଂପ୍ରତି ରାଷ୍ଟ୍ରବ୍ୟାପୀ ଗୋଟିଏ ଅପଖ୍ୟାତ ନାମରେ ପରିଣତ ହୋଇଛି, ଯାହାଙ୍କୁ କେନ୍ଦ୍ର କରି ସୃଷ୍ଟ ‌େଯୗନ କେଳେଙ୍କେରିର ଆରୋପ ଯଦି ସତ୍ୟ ସାବ୍ୟସ୍ତ ହୁଏ, ତେବେ ସମ୍ଭବତଃ ତାହା ହେବ ଭାରତ ଇତିହାସରେ ସର୍ବାଧିକ ଗର୍ହିତ ଏବଂ କୁତ୍ସିତ ବ୍ୟଭିଚାରର ଦୃଷ୍ଟାନ୍ତ। ବର୍ତ୍ତମାନ ଏହା ସୁବିଦିତ ଯେ ପ୍ରଜ୍ଜ୍ବଳ ହେଉଛନ୍ତି କର୍ଣ୍ଣାଟକର ସର୍ବପ୍ରସିଦ୍ଧ ରାଜନୈତିକ ଖାନଦାନର ତୃତୀୟ ପିଢ଼ିର ସନ୍ତାନ, ଯାହାଙ୍କ ପିତାମହ ଏଚ୍‌.ଡି ଦେବଗୌଡ଼ା ଏକଦା ଥିଲେ ଭାରତର ପ୍ରଧାନମନ୍ତ୍ରୀ, କକେଇ ଏଚ୍‌.ଡି. କୁମାରସ୍ବାମୀ ଏକାଧିକ ବାର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ ତାଙ୍କ ପିତା ଏଚ୍‌.ଡି. ରେବନ୍ନା ଜଣେ ବରିଷ୍ଠ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଏବଂ ତାଙ୍କ ପରିବାରର ଆନ୍ତତଃ ଆଠ ଜଣ ସଦସ୍ୟ କର୍ଣ୍ଣାଟକ ରାଜନୀତିର କ୍ଷମତା ଅଳିନ୍ଦରେ ଆତଯାତ ହେଉଛନ୍ତି। ସୁତରାଂ, ଏକ ଅତ୍ୟନ୍ତ ପ୍ରଭାବଶାଳୀ କୁଳ ପରିଚୟ, ରାଜନୈତିକ ପ୍ରଭୁତ୍ବବୋଧ, ନୈତିକ-ମଜ୍ଜା ଶୂନ୍ୟ ଚିନ୍ତାଧାରା ଏବଂ ଲଗାମବିହୀନ ‘ଲିବିଡୋ’ର ମାରାତ୍ମକ ‘କକ୍‌ଟେଲ୍‌’ ଯେଉଁଭଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରନ୍ତା, ଠିକ୍‌ ତାହା ହିଁ ଏଠାରେ ଦେଖିବାକୁ ମିଳିଛି ଏବଂ ପ୍ରଜ୍ଜ୍ବଳ ସଂଶ୍ଳିଷ୍ଟ ଥିବା ଅସଂଖ୍ୟ ଅଶ୍ଳୀଳ ଭିଡିଓ ଏବଂ ସ୍ଥିର ଚିତ୍ରମାନ ହଠାତ୍‌ ସାମାଜିକ ଗଣମାଧ୍ୟମରେ ଘୂରି ବୁଲି ସମଗ୍ର ରାଷ୍ଟ୍ରକୁ ହତବାକ୍‌ କରି ପକାଇଛି। କେବଳ ସେତିକି ନୁହେଁ, ସଂପ୍ରତି ଦେଶରେ ସାଧାରଣ ନିର୍ବାଚନ ଚାଲିଥିବା ଦୃଷ୍ଟିରୁ ଏଭଳି ଏକ ଘଟଣା ଯେ ତୁମୂଳ ରାଜନୈତିକ ଝଡ଼ ସୃଷ୍ଟି କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ। କିନ୍ତୁ ଆରୋପ-ପ୍ରତ୍ୟାରୋପର ଘୂର୍ଣ୍ଣି ମଧ୍ୟରେ ଏକ ଅକ୍ଷମଣୀୟ ଅପରାଧ କିଭଳି ଗୌଣ ଦିଶିପାରେ ଏବଂ ଅଭିଜ୍ଞ ରାଜନେତାଗଣ ସେମାନଙ୍କ ଉଚ୍ଚାରଣରେ ଅର୍ବଚୀନ ସୁଲଭ ଅପରିପକ୍ବତା ଦେଖାଇପାରନ୍ତି, ତାହା ମଧ୍ୟ ପ୍ରଣିଧାନ ଯୋଗ୍ୟ।
ସୂଚନା ଅନୁସାରେ କେଇ ଶହ ମହିଳାଙ୍କ ସହିତ ନିବିଡ଼ ଯୌନ ସଂପର୍କ ସମ୍ବଳିତ ୨୯୭୬ଟି ଏଭଳି ଭିଡିଓର ସନ୍ଧାନ ମିଳିଛି; ଯେଉଁ ସବୁରେ ଭିଡିଓ ଚିତ୍ରୋତ୍ତଳନର ବ୍ୟବସ୍ଥା ସ୍ବୟଂ ପ୍ରଜ୍ଜ୍ବଳ ହିଁ କରିଥିବା ସମ୍ଭବ। ଏହି ତେତିଶ ବର୍ଷ ବୟସ୍କଙ୍କ ଶିକାର ମଧ୍ୟରେ ଦେବଗୌଡ଼ା ପରିବାରର ଗୃହ ପରିଚାରିକାଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ, ଦଳୀୟ କର୍ମୀ ଏବଂ ଅସହାୟ ସାହାଯ୍ୟ ପ୍ରାର୍ଥିନୀଙ୍କ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ; ବୟସ ବିଚାରରେ ଯେଉଁମାନେ ନାବାଳିକାଙ୍କ ଠାରୁ ପ୍ରୌଢ଼ାଙ୍କ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏବଂ ଅନେକ ଭିଡିଓରେ ବଳ ପ୍ରୟୋଗର ଚିହ୍ନ ସୁସ୍ପଷ୍ଟ। କହିବା ବାହୁଲ୍ୟ ଯେ ଅଭିଯୋଗ ପ୍ରମାଣିତ ହେଲେ ପ୍ରଜ୍ଜ୍ବଳ ଜଣେ ମାନସିକ ବିକୃତିଗ୍ରସ୍ତ ଯୌନ ଅପରାଧୀ ରୂପେ ବିବେଚିତ ହେବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୩ ମସିହା ମାର୍ଚ୍ଚ ମାସରୁ ଏଭଳି ଘଟଣା ନେଇ ଗୁଂଜରଣ ଆରମ୍ଭ ହୋଇଯାଇଥିଲା; ଏପରିକି ସେହି ବର୍ଷ ଜୁନ୍‌ ମାସରେ ପ୍ରଜ୍ଜ୍ବଳ ଏକ ଅଦାଲତୀ ଆଦେଶ ବଳରେ ଏଭଳି ଭିଡିଓମାନର ସମ୍ଭାବ୍ୟ ପ୍ରସାରଣ ଉପରେ ରୋକ ଲଗାଇବାକୁ ସମର୍ଥ ହୋଇଥିଲେ; ଅଦାଲତ ତାଙ୍କ ସନ୍ଦେହକୁ ସ୍ବୀକାର କରିଥିଲା ଯେ ରାଜନୈତିକ ବିରୋଧୀମାନଙ୍କ ଚକ୍ରାନ୍ତ ସ୍ବରୂପ ଏଭଳି ଭିଡିଓମାନର ଆବିର୍ଭାବ ଘଟିବ! କେବଳ ସେତିକି ନୁହେଁ, ଏହି ନିର୍ବାଚନରେ ବି‌େଜପି ସହିତ ପ୍ରଜ୍ଜ୍ବଳଙ୍କ ଦଳ ଜେ.ଡି.ଏସ୍‌.ର ମେଣ୍ଟ ଏବଂ ତଦନୁସାରେ ହାସାନ ଲୋକସଭା ଆସନ ଲାଗି ପ୍ରଜ୍ଜ୍ବଳଙ୍କ ପ୍ରାର୍ଥିତ୍ବରେ ଅସନ୍ତୁଷ୍ଟ ବିଜେପି ନେତା ଦେବରାଜ ଗୌଡ଼ଙ୍କ ଏକ ପତ୍ର ମଧ୍ୟ କର୍ଣ୍ଣାଟକ ପ୍ରଦେଶ ବିଜେପି ମୁଖ୍ୟଙ୍କୁ ପ୍ରଜ୍ଜ୍ବଳଙ୍କ ଅଙ୍କୁଶହୀନ ବ୍ୟଭିଚାର ସଂପର୍କରେ ଅବଗତ କରାଇବାର ଉଦ୍ୟମ କରିଥିଲା। କିନ୍ତୁ ଏହା ସତ୍ତ୍ବେ, ଭିଡିଓମାନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ନ ହେବା ପର୍ଯ୍ୟନ୍ତ ଗୁଂଜରଣଗୁଡ଼ିକ ତରଙ୍ଗ ସୃଷ୍ଟି କରି ପାରି ନ ଥିଲେ ଏବଂ ଆରୋପଗୁଡ଼ିକ ନିଷ୍ପ୍ରାଣ ହୋଇ ରହିଥିଲେ ଏବଂ ହାସାନରେ ପ୍ରଜ୍ଜ୍ବଳଙ୍କ ସମର୍ଥନରେ ସ୍ବୟଂ ପ୍ରଧାନମନ୍ତ୍ରୀ ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା। ସୁତରାଂ, ସ୍ବାଭାବିକ ଭାବେ ଏହା ବିଜେପି ସକାଶେ ଭୀଷଣ ଅସ୍ବସ୍ତିର କାରଣ ହୋଇଛି। କିନ୍ତୁ, ଯାହା ଅସ୍ବସ୍ତିକୁ ତୀବ୍ରତର କରିଥାଏ, ତାହା ହେଲା ଏସ୍‌.ଆଇ.ଟି. ଦ୍ବାରା ତଦନ୍ତ ପ୍ରାରମ୍ଭ ହେବା ପୂର୍ବରୁ ପ୍ରଜ୍ଜ୍ବଳଙ୍କ ବିଦେଶ ପଳାୟନ; ଯାହାକୁ ସମ୍ଭବ କରିବାରେ କେନ୍ଦ୍ର ସରକାରଙ୍କ ଭୂମିକା ନିହିତ ବୋଲି ବିରେଧୀ ପକ୍ଷରୁ ତୀବ୍ର ଉଚ୍ଚାଟ ସୃଷ୍ଟି କରାଯାଉଛି, ଏବଂ ତା’ର ଉତ୍ତରରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟ କହିଥାଏ ଯେ କର୍ଣ୍ଣାଟକ ରାଜ୍ୟ ସରକାର (କଂଗ୍ରେସ) ମଧ୍ୟ ଏହି କେଳେଙ୍କେରି ସଂପର୍କରେ ପୂର୍ବରୁ ଅବଗତ ଥିବା ସୁନିଶ୍ଚିତ ଏବଂ କାନୁନ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପରିସରଭୁକ୍ତ ହୋଇଥିବାରୁ ଏଭଳି ପଳାୟନ ହେଉଛି ରାଜ୍ୟ ସରକାରଙ୍କ ଚରମ ବିଫଳତାର ଉଦାହରଣ। ଏଭଳି ସ୍ଥିତିରେ ଭୟ ହୁଏ ଯେ ରାଜନୈତିକ ଆରୋପ ଓ ପ୍ରତ୍ୟାରୋପର ଘୂର୍ଣ୍ଣି ମଧ୍ୟରେ ଏକ ବର୍ଣ୍ଣନାତୀତ ଭାବେ କୁତ୍ସିତ ଅପରାଧ ପ୍ରସଙ୍ଗର କେନ୍ଦ୍ରରୁ ବିଚ୍ୟୁତ ହୋଇ ଗୌଣ ହୋଇଯିବ ନାହିଁ ତ? କାରଣ କୌଣସି ପ୍ରସଙ୍ଗର ରାଜନୀତୀକରଣ ପ୍ରକ୍ରିୟାରେ ପ୍ରାୟତଃ ଏହା ହିଁ ଘଟିଥାଏ।
ଏ ପ୍ରସଙ୍ଗରେ ପ୍ରଜ୍ଜ୍ବଳଙ୍କ ପିତା ଏଚ୍‌.ଡି ରେବନ୍ନା ମଧ୍ୟ କହିଥିବା ଶୁଣିବାକୁ ମିଳିଛି ଯେ ଏହା ୨୦୧୫ ମସିହାର ପୁରୁଣା ଭିଡିଓ; ସତେ ଯେମିତି ସମୟର ଦୀର୍ଘତା ଅପରାଧଗୁଡ଼ିକର ତୀବ୍ରତା ହ୍ରାସ କରିଦିଏ! ଉପଲବ୍‌ଧ ସୂଚନାନୁସାରେ ପ୍ରଜ୍ଜ୍ବଳ ଜର୍ମାନି ପଳାୟନ କରିଛନ୍ତି; ଯେଉଁ ରାଷ୍ଟ୍ରରେ ଏଭଳି କାର୍ଯ୍ୟକଳାପ ପ୍ରତି ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରାଯାଏ। ସୁତରାଂ, ପ୍ରତ୍ୟର୍ପଣ ସକାଶେ ସରକାରଙ୍କ ଅନୁରୋଧ ଅଚିରେ ଜର୍ମାନ ସରକାରଙ୍କ ଦ୍ବାରା ସ୍ବୀକୃତ ହେବା ନିଶ୍ଚିତ। କିନ୍ତୁ ଏହା ମଧ୍ୟ ସମ୍ଭବ ଯେ ପ୍ରଜ୍ଜ୍ବଳଙ୍କ ପ୍ରଭାବଶାଳୀ ପରିବାର ପକ୍ଷରୁ ତାଙ୍କ ପ୍ରତ୍ୟାବର୍ତ୍ତନରେ ବ୍ୟାଘାତ ସୃଷ୍ଟି କରିବା କିମ୍ବା ବିଦେଶ ଭୂମିରେ ତାଙ୍କ ଗୋପନ ଆଶ୍ରୟର ବ୍ୟବସ୍ଥା କରିବା ଅଥବା ତାଙ୍କ ଲାଗି ଅର୍ଥ ସ୍ରୋତ ସମ୍ଭବ କରିବା ଲାଗି ସନ୍ତର୍ପଣରେ ଉଦ୍ୟମମାନ କରାଯିବ। ଯଦିଓ ଇତିମଧ୍ୟରେ ପ୍ରଜ୍ଜ୍ବଳ ଜେଡିଏସ୍‌ରୁ ନିଲମ୍ବିତ ହୋଇଛନ୍ତି, ତେବେ ଏହା ନିଃସନ୍ଦେହ ଯେ ଦେବଗୌଡ଼ା ପରିବାରର ମାଲିକାନାରେ ଥିବା ଏହି ଦଳ ପ୍ରଜ୍ଜ୍ବଳଙ୍କୁ ସଂପୂର୍ଣ୍ଣ ତ୍ୟାଜ୍ୟ ନ କରିବାର ଅନ୍ତିମ ପ୍ରଚେଷ୍ଟା କରିବ, ଯାହାର ଆଭାସ ମିଳିଥାଏ ନିଲମ୍ବନ ଘୋଷଣା ପରିପ୍ରେକ୍ଷୀରେ ଜେଡିଏସ୍ ମୁଖ୍ୟ କୁମାରସ୍ବାମୀଙ୍କ କଣ୍ଠ ସ୍ବରରେ ନିହିତ କୁଣ୍ଠାରେ! ଏହା ଏକ ଦୁର୍ଭାଗ୍ୟ।
କିନ୍ତୁ, ତା’ଠାରୁ ବଡ଼ ଦୁର୍ଭାଗ୍ୟ ହେଲା ଧ୍ରୁତରାଷ୍ଟ୍ରସୁଲଭ ଅନ୍ଧ (ସନ୍ତାନ) ମୋହ କେବଳ ପରିବାରରେ ନୁହେଁ, ରାଜନୈତିକ ଦଳଗୁଡ଼ିକରେ ମଧ୍ୟ ଦୃଶ୍ୟମାନ। ତାହା ହୋଇ ନ ଥିଲେ ମହିଳା ମୁଷ୍ଟିଯୋଦ୍ଧାମାନଙ୍କ (ନାବାଳିକା ମଧ୍ୟ) ଯୌନ ଶୋଷଣର ଆରୋପରେ ଅଭିଯୁକ୍ତ ବିଜେପିର ପ୍ରଭାବଶାଳୀ ନେତା ବ୍ରିଜଭୂଷଣ ଶରଣ ସିଂହଙ୍କୁ ଘଣ୍ଟ ଘୋଡ଼ାଇବା ଲାଗି ସରକାରୀ ଆଭିମୁଖ୍ୟ ଏତେ ସ୍ପଷ୍ଟ ଭାବେ ଦେଖିବାକୁ ମିଳି ନ ଥାଆନ୍ତା କି ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସକାଶେ ଦାବି କରି ଆନ୍ଦୋଳନ କରୁଥିବା ଅଲିଂପିକ୍‌ ପଦକ ବିଜେତା ମୁଷ୍ଟିଯୋଦ୍ଧାମାନଙ୍କୁ ବିରୋଧୀ ରାଜନୈତିକ ଦଳର ଚର ରୂପେ ଆଖ୍ୟାୟିତ କରାଯାଇ ନ ଥାଆନ୍ତା! କହିବାର ତାତ୍ପର୍ଯ୍ୟ ହେଲା, ମହିଳା ଏବଂ ନାବାଳିକାଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନ ପ୍ରସଙ୍ଗ ରାଜନୈତିକ ବିରୋଧ ବା ଆଦର୍ଶଗତ ପାର୍ଥକ୍ୟ ନିର୍ବିଶେଷରେ ଅସହନୀୟ ହେବା ଉଚିତ; ଯାହା ଆମ ଦେଶରେ ପ୍ରାୟତଃ ହୋଇ ନ ଥାଏ। ଏଭଳି ଭାବେ କୁଳାଙ୍ଗାରମାନେ ନିଜକୁ କୁଳ-ରତ୍ନ ବୋଲି ମଣିବାର ବିଭ୍ରାନ୍ତିରେ ରହନ୍ତି। ଏବଂ ଏଭଳି ଧାରଣା କାରଣରୁ କିଭଳି ମହାନ କୁରୁବଂଶର ସମୂଳ ନିପାତ ହୋଇଯାଇଥିଲା, ତାହା ମହାଭାରତ କାଳରୁ ଉଦାହରଣୀୟ ହୋଇ ରହିଆସିଥିଲେ ସୁଦ୍ଧା ଧ୍ରୁତରାଷ୍ଟ୍ରମାନଙ୍କ ଚୈତନ୍ୟ ଉଦୟ ହୁଏ ନାହିଁ!