ଚରମ ପୁଞ୍ଜିବାଦର ଅଭିଶାପ

ବିଜୟ କୁମାର ମିଶ୍ର

ଏକବିଂଶ ଶତାବ୍ଦୀର ପୁଞ୍ଜିବାଦ, ବିଂଶ ଶତାବ୍ଦୀର ପୁଞ୍ଜିବାଦ ଠାରୁ ଆକାର ଓ ପ୍ରକାରରେ ଭିନ୍ନ। ବିଶେଷତଃ ଏହାର ବୈଶ୍ୱୀକରଣ, ବିପୁଳତା, ଉଗ୍ର ଗତି, ସର୍ବୋପରି ମୁଷ୍ଟିମେୟ ଲୋକଙ୍କ ଧନସମ୍ପତ୍ତି ବୃଦ୍ଧି ପୁଞ୍ଜିବାଦ ଅର୍ଥନୀତିକୁ ଏକ ବିପଜ୍ଜନକ ସ୍ତରକୁ ନେଇଗଲାଣି। ଆଜିର ଅର୍ଥନୀତି ‘ଟ୍ରିଲିଅନ୍ ଇକୋନମି’ ଓ ବିଲିଅନେର୍‌ଙ୍କ ସଂଖ୍ୟାରେ ମପାଯାଉଛି। ବିଶ୍ୱର ମୋଟ ଘରୋଇ ଉତ୍ପାଦ (ଜିଡିପି) ୧୯୮୨ରେ ୧.୮ ଟ୍ରିଲିଅନ ଡଲାର ଥିଲା ଯାହା ଆଜି ୧୦୦ ଟ୍ରିଲିଅନ ଛୁଇଁଲାଣି। ବିଡ଼ମ୍ବନାର କଥା ହେଲା ଏହି ମହାକାୟ ଅର୍ଥନୀତି ଓ କର୍ପୋରେଟ ବ୍ୟବସ୍ଥା ବୃହତ୍ତର ମାନବ ସମାଜ ପାଇଁ ଆର୍ଥିକ ସ୍ୱଚ୍ଛଳତା ଆଣିବା ବଦଳରେ ଅର୍ଥ ବଣ୍ଟନରେ ଘୋର ଅସମାନତା, ଦାରିଦ୍ର୍ୟ, ବେକାରି, ଶୋଷଣ, ଅମାନବିକତା, ହିଂସା ବଢ଼ାଇ ଚାଲିଛି। ଏହି ଚରମ ପୁଞ୍ଜିବାଦର ପରିଣାମ ବିଶ୍ୱ ମାନବ ସମାଜକୁ କିପରି ଦୁଃଖ ଦୁର୍ଦ୍ଦଶା ଆଡ଼କୁ ବାଟ କଢ଼ାଉଛି ତାହା ଏହି ଲେଖାର ମୁଖ୍ୟ ବିଷୟବସ୍ତୁ।
‘ଫୋର୍ବସ୍’ ପତ୍ରିକାର ରିପୋର୍ଟ ଅନୁସାରେ ୧୯୮୨ ମସିହାରେ ବିଶ୍ୱରେ କେବଳ ୧୩ ଜଣ ବିଲିଅନେର୍‌ ଥିଲେ, ଯାହା ୨୦୨୨ ମସିହାରେ ୨୭୦୦ ପାଖାପାଖି ହେଲାଣି। ଆମେରିକାରେ ବିଲିଅନେର୍‌ଙ୍କ ସଂଖ୍ୟା ୧୯୯୦ରେ ୬୬ରୁ ବଢ଼ି ଆଜି ୭୩୫ରେ ପହଞ୍ଚିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ କମ୍ୟୁନିଷ୍ଟ ଶାସିତ ଦେଶରେ ମଧ୍ୟ ବିଲିଅନେର୍‌ଙ୍କ ସଂଖ୍ୟା ବଢୁଛି। ଚୀନରେ ଏମାନଙ୍କ ସଂଖ୍ୟା ୨୦୦୦ ମସିହାରେ ୧ରୁ ବଢ଼ି ଆଜି ୫୩୯ ହୋଇଛି ଏବଂ ରୁଷିଆରେ ୨୦୦୩ରେ ୧୯ରୁ ବଢ଼ି ଆଜି ୮୩ରେ ପହଞ୍ଚିଛି। ଭାରତରେ ୧୯୯୬ରେ ମାତ୍ର ୩ ଜଣ ବିଲିଅନେର୍‌ ଥିଲେ ଯାହାର ସଂଖ୍ୟା ଆଜି ୧୬୬। ବିଗତ ଦୁଇ ଦଶନ୍ଧି ଭିତରେ ପୃଥିବୀର ୫୬ଟି ଦେଶରେ ବିଲିଅନେର୍‌ ବାହାରିଲେଣି, ଯେଉଁମାନେ ନିଜ ତଥା ଅନ୍ୟ ଦେଶମାନଙ୍କର ଅର୍ଥନୈତିକ ଓ ରାଜନୈତିକ ବ୍ୟବସ୍ଥାରେ ବେଶ୍ ପ୍ରଭାବଶାଳୀ ଶକ୍ତି ଭାବରେ ମୁଣ୍ଡ ଟେକିଛନ୍ତି। ବିଶ୍ୱ ଅର୍ଥ ବ୍ୟବସ୍ଥାର ଚାବିକାଠି ଆଗ ଧାଡ଼ିର ଶକ୍ତିଶାଳୀ ବିଲିଅନେର୍‌, ଯେପରିକି ଏଲନ୍ ମସ୍କ, ଜେଫ୍ ବେଜୋସ, ବିଲ୍ ଗେଟ୍‌ସ, ୱାରେନ୍ ବଫେ, ମାର୍କ ଜୁକରବର୍ଗ, ଗୌତମ ଅଦାନୀ, ମୁକେଶ ଅମ୍ବାନୀ ଭଳି କେତେଜଣଙ୍କ ହାତରେ ରହିଛି। ସେମାନେ ବିଭିନ୍ନ ଦେଶରେ ଉଗ୍ରତାର ସହ ଘରୋଇକରଣ ଓ କର୍ପୋରେଟ୍‌କରଣ କରି ଚାଲିଛନ୍ତି।
ଆଜି ବଡ଼ ବଡ଼ କର୍ପୋରେଟ୍ ହାଉସ୍, ଯଥା: ଟେସ୍‌ଲା, ଆମାଜନ, ମାଇକ୍ରୋସଫଟ୍, ଆଲଫାବେଟ୍‌, ଓରାକଲ, ରିଲାଏନ୍‌ସ ଆଦି ବୈଶ୍ୱୀକରଣ ପ୍ରକ୍ରିୟାରେ ବିଭିନ୍ନ ବିକାଶଶୀଳ ଦେଶମାନଙ୍କରେ ଚାଲୁଥିବା ମଧ୍ୟମ ଓ କ୍ଷୁଦ୍ର ଆକାରର ଉଦ୍ୟୋଗକୁ ଗିଳି ଦେଲେଣି। ବିଶ୍ୱ ବାଣିଜ୍ୟ ସଂଗଠନର ଖୋଲା ବାଣିଜ୍ୟ ନୀତିର ଲାଭ ନେଇ ଚୀନ ଅବାଧରେ ବିଶ୍ୱର ବିଭିନ୍ନ ଦେଶରେ ମାଡ଼ିଗଲାଣିେ ଯାହା ସେହି ଦେଶମାନଙ୍କର ଅର୍ଥ ବ୍ୟବସ୍ଥାରେ ବିଭ୍ରାଟ ସୃଷ୍ଟି କରୁଛି। ଆଜି ଭାରତୀୟ ବଜାର ବେଡ୍‌ସିଟ୍‌ ଠାରୁ ଧୂପକାଠି ଯାଏ ‘ମେଡ ଇନ୍ ଚାଇନା’ ଜିନିଷରେ ଭର୍ତ୍ତି ହେଇଗଲାଣି। ଏ ସବୁର ଦର କମ୍‌ ଥିବାରୁ ଗ୍ରାହକ ଚୀନ ନିର୍ମିତ ସାମଗ୍ରୀ କିଣିବା ସ୍ୱାଭାବିକ, କିନ୍ତୁ ଏହି ପ୍ରକାରର ଅର୍ଥ ବ୍ୟବସ୍ଥା ଆମ ଦେଶର ଲକ୍ଷ ଲକ୍ଷ ଲୋକଙ୍କର ବ୍ୟବସାୟ ଓ ଜୀବିକାକୁ ନଷ୍ଟ କରିଦେଇଛି।
ବିଲିଅନେର୍‌ ଓ ମିଲିଅନେର୍‌ଙ୍କ ପାଖରେ ଅମାପ ଧନ ସମ୍ପତ୍ତି ଠୁଳ ହେବା ଯୋଗୁଁ ଧନୀ ଓ ଗରିବଙ୍କ ଭିତରେ ଆକାଶ ପାତାଳ ତଫାତ୍ ସୃଷ୍ଟି ହୋଇଛି। ବିଶ୍ୱ ଜନସଂଖ୍ୟାର ୧ ପ୍ରତିଶତ ଲୋକ ବିଶ୍ୱ ସମ୍ପତ୍ତିର ପ୍ରାୟ ୫୦% ଭାଗର ମାଲିକ ଥିଲାବେଳେ, ନିମ୍ନରେ ଥିବା ୫୦ ଭାଗ ଲୋକ ବିଶ୍ୱ ସମ୍ପତ୍ତିର ମାତ୍ର ୧%ର ମାଲିକ। ‘ଅକ୍ସଫାମ୍‌’ର ୨୦୧୯ ରିପୋର୍ଟ ଅନୁଯାୟୀ ଭାରତରେ ୧୦ ପ୍ରତିଶତ ଲୋକ ଜାତୀୟ ସମ୍ପତ୍ତିର ୭୭.୪ ପ୍ରତିଶତ ଅକ୍ତିଆର କରିଥିବା ବେଳେ, ନିମ୍ନ ୬୦ ପ୍ରତିଶତ (୮୪ କୋଟି) ଲୋକ ମାତ୍ର ୪.୮% ଜାତୀୟ ସମ୍ପତ୍ତିର ଅଧିକାରୀ।
ବିଡ଼ମ୍ବନାର କଥା ହେଲା ବିଶ୍ୱରେ ବିପୁଳ ଧନସମ୍ପତ୍ତି ଥାଇ ମଧ୍ୟ ୮୦ କୋଟିରୁ ଅଧିକ ଲୋକ ଅନାହାର ଓ କ୍ଷୁଧାରେ ପୀଡ଼ିତ। ଜାତିସଂଘର ସଂସ୍ଥା ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ଅନୁଯାୟୀ ୨୦୨୦ରେ ସାରା ବିଶ୍ୱରେ ୩୦୦ କୋଟିରୁ ଅଧିକ ଲୋକ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ଥିଲେ। ସେଥିରୁ ଏକ-ତୃତୀୟାଂଶ ଲୋକ ଭାରତୀୟ। ଖାଦ୍ୟ ସୁରକ୍ଷାର ବିଶେଷଜ୍ଞମାନେ କହନ୍ତି, ଯଦି ବିଲିଅନେର୍‌ମାନେ ମିଶି ୪୦ ବିଲିଅନ୍ ଡଲାର ବି ଦିଅନ୍ତି, ତା’ହେଲେ ଏହି ୩୦୦ କୋଟି ଲୋକଙ୍କର ଖାଦ୍ୟ ଅଭାବ ସହଜରେ ପୂରଣ କରି ହେବ। ଜାତିସଂଘ ରିପୋର୍ଟ ଅନୁଯାୟୀ ବିଶ୍ୱରେ ୧୬୦ କୋଟି ଲୋକଙ୍କ ରହିବା ପାଇଁ ଠିକ୍ ବାସସ୍ଥାନ ନାହିଁ, ପ୍ରତି ବର୍ଷ ଦେଢ଼ କୋଟି ଲୋକଙ୍କୁ ନିଜ ଜାଗା ଛାଡ଼ି ଅନ୍ୟତ୍ର ଯିବାକୁ ବାଧ୍ୟ କରାଯାଉଛି। ବଡ଼ ବଡ଼ ପ୍ରକଳ୍ପ ଯୋଗୁଁ ଦୂର ଜଙ୍ଗଲରେ ବାସ କରୁଥିବା ଆଦିବାସୀ, ମୂଲିଆ, ଜମିହୀନମାନଙ୍କୁ ବାରମ୍ବାର ବିସ୍ଥାପିତ କରାଯାଉଛି।
ଆଜିର ୧୦୦ ଟ୍ରିଲିଅନ୍ ଅର୍ଥବ୍ୟବସ୍ଥାରେ ମାନବ ସମ୍ବଳର ଠିକ୍‌ ଉପଯୋଗ ହେବା କଥା, କିନ୍ତୁ ଦୁଃଖର ବିଷୟ ଆଜି ବେକାରି ସମସ୍ୟା ଦ୍ରୁତ ଗତିରେ ବଢୁଛି। ବିଶ୍ୱ ଶ୍ରମିକ ସଂଗଠନ (ଆଇଏଲ୍ଓ) ଅନୁଯାୟୀ ୨୦୨୩ରେ ବିଶ୍ୱରେ ବେକାରଙ୍କ ସଂଖ୍ୟା ୨୦.୮ କୋଟି ହେଲାଣି ଓ ବିଶ୍ୱ ବେକାରି ହାର ୫.୮%ରେ ପହଞ୍ଚିଲାଣି। ଭାରତରେ ବେକାରି ହାର ୭.୪୫% ଓ ବେକାରଙ୍କ ସଂଖ୍ୟା ୩.୩ କୋଟିରୁ ଅଧିକ ହେଲାଣି। କେବଳ ଏତିକି ନୁହେଁ, ପ୍ରାୟ ୨୭ କୋଟିରୁ ଅଧିକ ଲୋକ ଯୋଗ୍ୟତା ଥାଇ ମଧ୍ୟ ଉପଯୁକ୍ତ ଚାକିରି ପାଇ ନାହାନ୍ତି। ନିକଟରେ ଟ୍ୱିଟର, ଆମାଜନ, ଓ ଫେସବୁକ ଭଳି ବିଶ୍ୱସ୍ତରୀୟ କର୍ପୋରେଟ କଂପାନି ପ୍ରାୟ ୩୦ରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ଅଚାନକ ଛଟେଇ କଲେ। ଆଜି ଚାକିରି ମିଳିବା ଓ ଚାକିରିକୁ ବଂଚାଇ ରଖିବା, ଯୋଗ୍ୟ ବ୍ୟକ୍ତି ପାଇଁ ବି ଏକ ବଡ଼ ଆହ୍ୱାନ।
ଆଜି ବଡ଼ ବଡ଼ କଂପାନିର ଉପର ୧-୫ ପ୍ରତିଶତ ମ୍ୟାନେଜମେଣ୍ଟ ଅଧିକାରୀ ବାର୍ଷିକ ଲକ୍ଷ ଲକ୍ଷ ଡଲାର ବେତନ ପାଉଥିଲା ବେଳେ, ସେଇ କଂପାନିରେ ଶ୍ରମିକ ଓ ବିଭିନ୍ନ ସ୍ତରର କର୍ମଚାରୀମାନେ କମ୍‌ ପାରିଶ୍ରମିକ ତଥା ଅମାନୁଷିକ ପରିବେଶରେ କାମ କରି ପେଟ ପୋଷିବାକୁ ବାଧ୍ୟ ହେଉଛନ୍ତି। ଆଜିକାଲି ବଡ଼ କର୍ପୋରେଟ୍ ଚାଲାକିରେ ଗିଗ୍ କମ୍ପାନି ଦ୍ୱାରା ଠିକା ଚାକିରି ଜରିଆରେ ଆଉଟ୍‌ସୋର୍ସିଂ କରି ସେମାନଙ୍କ କାରବାର ବଢ଼ାଉଛନ୍ତି। ଡେଲିଭରି ସଂସ୍ଥାମାନେ କର୍ମଚାରୀଙ୍କୁ ଅଧିକ ଖଟାଇ ଖୁବ୍ କମ୍‌ ମଜୁରି ଦେଉଛନ୍ତି। ଏଥିରେ ଛୁଟି, ସ୍ୱାସ୍ଥ୍ୟ ସୁରକ୍ଷା, ଜୀବନ ସୁରକ୍ଷା ବୀମା ଆଦିର ପ୍ରାବଧାନ ନାହିଁ, ଯାହା ଏକ ନିୟମିତ ଚାକିରିରେ ମିଳିଥାଏ। ଏହି ପ୍ରକ୍ରିୟାରେ କର୍ପୋରେଟ ହାଉସ୍ ଆଇନଗତ ଦାୟିତ୍ୱରୁ ସହଜରେ ଖସି ଯାଇ ତାଙ୍କ ପୁଞ୍ଜି ବଢ଼ାଇବାରେ ଲାଗିଛନ୍ତି। ବ୍ରିଟେନ୍‌ର ସାମ୍ବାଦିକ ଜେମ୍‌ସ ବ୍ଲଡୱର୍ଥ ତାଙ୍କର ଅନୁସନ୍ଧାନମୂଳକ ପୁସ୍ତକ ‘ହାୟର୍ଡ’ରେ ଆମାଜନ୍ ଭଳି କର୍ପୋରେଟ୍‌ର ଗୋଦାମରେ ସାଧାରଣ ଶ୍ରମିକମାନେ କିପରି ଅମାନୁଷିକ କାଇଦା କଟକଣାରେ କାମ କରୁଛନ୍ତି ସେ ବିଷୟରେ ବିସ୍ତୃତ ଭାବରେ ଲେଖିଛନ୍ତି। ଉତ୍ପାଦନଶୀଳତା ବଢ଼ାଇବା ନାଁରେ ଶ୍ରମିକମାନଙ୍କୁ ଠିକ୍ ଭାବରେ ଟଏଲେଟ ବିରତି, ଅସୁସ୍ଥତା ଜନିତ ଛୁଟି, ମାତୃତ୍ବ ଅବକାଶ ଆଦି ମିଳୁ ନାହିଁ।
ପୁଞ୍ଜିବାଦର ଅହେତୁକ ଲାଭସର୍ବସ୍ବ ଶୋଷଣ ପ୍ରକୃତିକୁ ନିୟନ୍ତ୍ରଣ କରିବା ଏବଂ ପୁଞ୍ଜିବାଦ ବ୍ୟବସ୍ଥାରେ ସଂଯମ, ଦାୟିତ୍ୱବୋଧ ଆଣିବା ସରକାରଙ୍କର କର୍ତ୍ତବ୍ୟ। କିନ୍ତୁ ଆଜିର ଶାସକ ବର୍ଗ କର୍ପୋରେଟ ଅର୍ଥ ଉପରେ ଏତେ ନିର୍ଭରଶୀଳ ଯେ ସେମାନେ ଜନହିତକର ନୀତିକୁ ଜାଣିଶୁଣି ବଳି ପକାଇ ଦେଉଛନ୍ତି। ପୁଲିସ, ସେନା, ଅମଲାତନ୍ତ୍ର ଆଦି ସରକାରୀ ସଂସ୍ଥା ପୁଞ୍ଜିବାଦୀ ଓ ରାଜନୈତିକ ଗୋଷ୍ଠୀଙ୍କ ରକ୍ଷଣାବେକ୍ଷଣରେ ସମର୍ପିତ। ପୁଞ୍ଜି ନିବେଶ ପାଇଁ ବିଭିନ୍ନ ଦେଶର ଶାସକ ବର୍ଗ ବଡ଼ ବଡ଼ ଘରୋଇ କମ୍ପାନି ଓ ଆନ୍ତର୍ଜାତିକ କର୍ପୋରେଟ୍‌ଙ୍କୁ ଆମନ୍ତ୍ରଣ କରୁଛନ୍ତି। ତେଲିଆ ମୁଣ୍ଡରେ ତେଲ ଢାଳିବା ପରି କୋଟିପତିଙ୍କୁ ଋଣ ଛାଡ଼ ହେଉଛି। ଶାସକ ବର୍ଗ ଓ କର୍ପୋରେଟ୍ ହାଉସ୍‌ଙ୍କ ଭିତରେ ବୁଝାମଣା ଓ ସାଲିସ୍ ଭିତରେ ସାଧାରଣ ଜନତା ରାସ୍ତା କଡ଼କୁ ଚାଲି ଗଲେଣି। ଖାଦ୍ୟ, ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାସଗୃହ ଆଦି ସାମାଜିକ ବିକାଶ କ୍ଷେତ୍ରରେ ଅବାଧ ଘରୋଇକରଣ ଚାଲିଛି, ଯାହା ଫଳରେ ଦରଦାମ୍ ଅତ୍ୟଧିକ ବଢୁଛି ଏବଂ ସାଧାରଣ ଜନତା ମୌଳିକ ଆବଶ୍ୟକତାରୁ ବଞ୍ଚିତ ହେଉଛନ୍ତି। କର୍ପୋରେଟ୍ ହାଉସ୍ ଗଣତନ୍ତ୍ରକୁ ଦ୍ୱାହି ଦେଇ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଛନ୍ତି ଯାହା ଲୋକତନ୍ତ୍ରକୁ ବି ଦବାଇ ରଖୁଛି।
ପୁଞ୍ଜିବାଦ ଅର୍ଥନୀତିରୁ ହୁଏତ ମୁକ୍ତି ନାହିଁ। ଏହି ବ୍ୟବସ୍ଥାରେ କିଛି ପରିମାଣର ଅର୍ଥନୈତିକ ଅସମାନତା ଓ ଶ୍ରମିକ ଶୋଷଣ ଅନ୍ତର୍ନିହିତ ଥାଏ, ଯାହାକୁ ଶାସକ ବର୍ଗ ନୀତି ନିୟମ ଦ୍ୱାରା ନିୟନ୍ତ୍ରଣ କରନ୍ତି। କିନ୍ତୁ ସାମାଜିକ ନ୍ୟାୟ ବିନା ମହାକାୟ ପୁଞ୍ଜିବାଦ ବ୍ୟବସ୍ଥା ଭୁଶୁଡ଼ିଯିବ, ଯାହାର ସଙ୍କେତ ଆଜି ଜଳଜଳ ଦିଶିଲାଣି। ସମାଜରେ ଆଜି ହିଂସା, ଅଶାନ୍ତି, ଜଳବାୟୁ ସଙ୍କଟ ଚରମ ସୀମାରେ ପହଞ୍ଚିଲାଣି ଏବଂ ଜନସାଧାରଣ ଦରଦାମ ବୃଦ୍ଧି ଓ ବେକାରି ସମସ୍ୟାରେ ଘାଣ୍ଟି ହେଉଛନ୍ତି। କିନ୍ତୁ ଆଜିର କର୍ପୋରେଟ ବର୍ଗ ଓ ଶାସକ ବର୍ଗଙ୍କର ସାଲିସ୍‌ରେ ପୁଞ୍ଜିବାଦ ଲଗାମଛଡ଼ା ହୋଇ ଗଲାଣି ଓ ବୃହତ୍ତର ମାନବ ସମାଜକୁ ଏପରି ଏକ ବିପଜ୍ଜନକ ଅବସ୍ଥାକୁ ନେଲାଣି, ଯାହାକୁ ସଜାଡ଼ିବା କଷ୍ଟକର ମନେ ହେଉଛି। କିଛି ନିର୍ଭୀକ ଓ ଦୂରଦୃଷ୍ଟି ସଂପନ୍ନ ବୁଦ୍ଧିଜୀବୀ, ଜଳବାୟୁ ବିଶେଷଜ୍ଞ, ଶିକ୍ଷାବିତ୍, ସାମ୍ବାଦିକ, ସାମାଜିକ କର୍ମୀ ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ଫୋରମରେ ଜନକଲ୍ୟାଣ ରାଷ୍ଟ୍ରର ମୂଳଦୁଆକୁ ପୁଣି ଉଜ୍ଜୀବିତ କରିବାକୁ ଆହ୍ୱାନ ଦେଉଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ଆବାସ ଭଳି ଅତ୍ୟାବଶ୍ୟକ ସେବାକୁ ମାତ୍ରାଧିକ ଘରୋଇକରଣରୁ ଦୂରରେ ରଖିବା ପାଇଁ ସେମାନେ ସରକାରଗୁଡ଼ିକୁ ବାରମ୍ବାର ଚେତାଇ ଦେଉଛନ୍ତି।
ଏକବିଂଶ ଶତାବ୍ଦୀର ମହା ପୁଞ୍ଜିବାଦର ରଥ କରାଳ ଗତିରେ ମାନବ ସମାଜକୁ ଦଳି ଚକଟି ମାଡ଼ି ଯାଉଛି, ସତେ ଯେପରି କେହି ରୋକିବାକୁ ନାହାନ୍ତି। ରାଷ୍ଟ୍ର ଓ ବଜାର ଭିତରେ ଦୂରତା ରହିଲେ ସରକାର ଜନହତକାରୀ ବିକାଶ କରିବାକୁ ସାହସ କରିପାରିବେ। କିନ୍ତୁ ଆଜିର ଶାସକ ବର୍ଗ ଓ କର୍ପୋରେଟ୍‌ଙ୍କର ଘନିଷ୍ଠ ଓ ଅନୈତିକ ସମ୍ପର୍କରେ ଯେଉଁ ପ୍ରକାରର ‘କ୍ରୋନି କ୍ୟାପିଟାଲିଜିମ୍‌’ ବଳବତ୍ତର ରହିଛି, ସେଥିରେ ସାମାଜିକ ସନ୍ତୁଳନ ସମ୍ଭବ ନୁହେଁ। କର୍ପୋରେଟ ଶକ୍ତି ବଢୁଛି, ସରକାରଙ୍କ କ୍ଷମତା କମୁଛି। ଫଳରେ ଶାସକ ବର୍ଗ ବୃହତ୍ତର ମାନବ ସମାଜକୁ ବିକାଶର ପରିସର ବାହାରକୁ ଠେଲି ଦେଲେଣି। ତେଣୁ ଏହି ଉଗ୍ର ଓ ବିନାଶକାରୀ ଖେଳକୁ ଏବେ ଠାରୁ ନିୟନ୍ତ୍ରଣ କରିବା ଅପରିହାର୍ଯ୍ୟ।
ମୋ: ୯୯୭୧୨୦୦୪୮୯

ସମ୍ବନ୍ଧିତ ଖବର