ପୂର୍ବତନ କଂଗ୍ରେସ ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓ ଏକଦା କହିଥିଲେ ଯେ ବିଜେପିକୁ ପରାସ୍ତ କରିବା ସମ୍ଭବ, କିନ୍ତୁ ଭାରତରେ ‘ରାମ’ଙ୍କୁ ପରାହତ କରିବା ଏକ ଅସମ୍ଭବ ବ୍ୟାପାର। ସଂପ୍ରତି ଭାରତୀୟ ରାଜନୀତି ଯେଉଁ ଦିଗରେ ଅଗ୍ରସର ହେଉଛି, ସେହି ଦୃଷ୍ଟିରୁ ଏହି ମନ୍ତବ୍ୟର ଗୁରୁତ୍ବ ବୃଦ୍ଧି ପାଇଥାଏ। ସୁତରାଂ, ଯେଉଁମାନେ ଭାରତୀୟ ‘ରିପବ୍ଲିକ’ର ଭବିଷ୍ୟତ୍‌ ନେଇ ଉଦ୍‌ବିଗ୍ନ, ସେମାନଙ୍କ ବିମର୍ଶ ଏବଂ ତର୍କମାନ ବଦଳିବାର ସମୟ ଏବେ ଉପନୀତ। ସେମାନେ ଶ୍ରୀରାମଙ୍କୁ ଏକ ଧର୍ମର ପ୍ରତୀକ ରୂପେ ନ ଦେଖି ବରଂ ତାଙ୍କୁ ଭାରତୀୟତା ଏବଂ ଭାରତୀୟ ସଂସ୍କୃତିର ସନ୍ତକ ଭାବେ କେନ୍ଦ୍ରରେ ରଖି ବ୍ୟାଖ୍ୟାନ ନିର୍ମାଣ କରି ପାରିବେ କି?

Advertisment

ଗଲା ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ଯେଉଁ ଏକ ଉଦ୍‌ବେଗବିଜଡ଼ିତ ପ୍ରଶ୍ନ ସହସା ଉଠି ବିତର୍କ ଏବଂ ଚର୍ଚ୍ଚାର ପରିସରକୁ ଆସିଲା, ତାହା ହେଲା ଭାରତୀୟ ସାଧାରଣତନ୍ତ୍ର ବା ‘ରିପବ୍ଲିକ୍‌’ ତା’ର ଦ୍ରୁତ ବିଲୟ ଦିଗରେ ଅଗ୍ରସର ହେବାକୁ ଆରମ୍ଭ କରିଛି କି? ଏହାର କାରଣ ହେଉଛି ଗଲା ଜାନୁଆରି ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ଶ୍ରୀରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସମଗ୍ର ରାଷ୍ଟ୍ରରେ ପରିଦୃଷ୍ଟ ଅଭୂତପୂର୍ବ ଉତ୍ସାହ ଏବଂ ଉଦ୍ଦୀପନା; ସୁତରାଂ, ଏଥିରେ ଅେ‌ନକ ବିଜେପି ଓ ବିଶେଷ କରି ‘ମୋଦୀ’ ବିରୋଧୀ ଭାରତୀୟ ସଂପୂର୍ଣ୍ଣ ହତୋତ୍ସାହିତ। ସେମାନଙ୍କ ଧାରଣା ଯେ ଏହି ବିପୁଳ ଉତ୍ସାହର ତରଙ୍ଗ ଆରୋହଣ କରି ମୋଦୀଙ୍କ ନେତୃତ୍ବାଧୀନ ବିଜେପି ଯେଉଁ ଉଚ୍ଚତା ସ୍ପର୍ଶ କରିବ, ତାହା ଅନ୍ୟାନ୍ୟ ରାଜନୈତିକ ଦଳ ସକାଶେ ପହଞ୍ଚର ବାହାରେ ରହିବ ଏବଂ ସେହି କ୍ରମରେ ‘ହିନ୍ଦୁ-ପ୍ରଧାନ’ ରାଜନୀତି ଭାରତୀୟ ‘ରିପବ୍ଲିକ୍‌’ର ଗଣତାନ୍ତ୍ରିକ ଆଦର୍ଶକୁ ନିଷ୍ପ୍ରଭ କରି ପକାଇବ। କିନ୍ତୁ, ଏଭଳି ଆଶଙ୍କାର ଯଥାର୍ଥତା ଅଛି କି?
ଏହି ସଂଦର୍ଭରେ ଯେଉଁ ବିଷୟ ସ୍ବୀକାର୍ଯ୍ୟ, ତାହା ହେଲା ୧୯୫୦ ମସିହାରେ (ଜାନୁଆରି ୨୬ ତାରିଖ) ଭାରତର ସଂବିଧାନ ସର୍ବ-ପ୍ରଥମେ କାର୍ଯ୍ୟକାରୀ ହେଲା ବେଳକୁ ଭାରତର ରାଜନୈତିକ ଚରିତ୍ର ଯାହା ଥିଲା ସଂପ୍ରତି ତହିଁରେ ଅନେକ ମୌଳିକ ପରିବର୍ତ୍ତନ ଘଟି ସାରିଛି, ଯାହାର ‘କାରକ’ ରାଜନୈତିକ ହୋଇଥିଲେ ହେଁ ‘କାରଣ’ ହେଉଛି ସାଂସ୍କୃତିକ। ଉଦାହରଣ ସ୍ବରୂପ ଈଶ୍ବର ବିଶ୍ବାସ ବା ‘ଆସ୍ଥା’ ଭାରତୀୟ ଅସ୍ତିତ୍ବର ମୂଳ ପିଣ୍ଡ ହୋଇଥିବାରୁ ଏହାକୁ ନଜରଅନ୍ଦାଜ କରି ଭାରତୀୟମାନେ ଯେ ସେମାନଙ୍କ ରାଜନୈତିକ ଜୀବନ ନିର୍ବାହ କରିପାରନ୍ତେ ନାହିଁ, ଏହା କହିବା ବାହୁଲ୍ୟ ମାତ୍ର। କିନ୍ତୁ, ଏହି ବିଷୟଟି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଅତି ବିଚକ୍ଷଣ ଓ ଦୂରଦ୍ରଷ୍ଟା ପଣ୍ଡିତ ଜୱାହରଲାଲ ନେହରୁଙ୍କର ମଧ୍ୟ ଅନୁମାନ ବାହାରେ ଥିଲା। ତେଣୁ ସଂବିଧାନରେ ପ୍ରଣୀତ ଓ ତାଙ୍କ ସମର୍ଥିତ ୟୁରୋପୀୟ ମଡେଲ୍‌ର ‘ଧର୍ମନିରପେକ୍ଷତା’ କ୍ରମେ ପ୍ରଶ୍ନାକୁଳ ହୋଇ ପଡ଼ିଲା, କାରଣ ତାହା ଧର୍ମକୁ ରାଜନୀତି ଠାରୁ ସଂପୂର୍ଣ୍ଣ ପୃଥକ୍‌ କରିଦେଇଥିଲା। ଦ୍ବିତୀୟ କଥା ହେଲା ଭାରତ ଆକ୍ରମଣ, ଅତିକ୍ରମଣ ଏବଂ ଅଧିକାର ମାଧ୍ୟମରେ ମୁସଲମାନ ଶାସକମାନଙ୍କ ଦ୍ବାରା ହିନ୍ଦୁ ଆସ୍ଥା ପୀଠଗୁଡ଼ିକର ଧ୍ବଂସଲୀଳାର ସ୍ମୃତି ପିଢ଼ି ପରେ ପିଢ଼ି ଭାରତୀୟ ଚେତନାର କୌଣସି ନା କୌଣସି କୋଣରେ କ୍ଷୀଣ ଭାବରେ ହେଲେ ସୁଦ୍ଧା ଉଜ୍ଜୀବିତ ରହି ମଥିତ କରୁଥିବା ନିଶ୍ଚିତ; ଯେଉଁ ସାଂସ୍କୃତିକ ଉଦ୍‌ବେଳନକୁ ଉପଜୀବ୍ୟ କରି ଗଲା ନବମ ଦଶକରେ ଲାଲକୃଷ୍ଣ ଆଡ଼ଭାନୀଙ୍କ ଦ୍ବାରା ପ୍ରାରମ୍ଭ କରାଯାଇଥିବା ରାମ ରଥଯାତ୍ରା ଖୁବ୍‌ ଶୀଘ୍ର ଏକ ବ୍ୟାପକ ଜନ ଆକ୍ରୋଶର ରୂପ ଦେଇ ବାବରୀ ମସଜିଦକୁ ଧୂଳିସାତ୍‌ କରି ଦେଇଥିଲା। କହିବା ବାହୁଲ୍ୟ ଏହା ପର ଠାରୁ ହିନ୍ଦୁତ୍ବବାଦୀ ରାଜନୀତି କ୍ରମେ ଅତ୍ୟନ୍ତ ସବଳ ହୋଇଚାଲିବା ସହିତ ଅନେକଙ୍କ ମନରେ ଭାରତୀୟ ସାଧାରଣତନ୍ତ୍ରର ଅସ୍ତିତ୍ବ ନେଇ ପ୍ରଶ୍ନ ଜାତ କରିଛି। ସେମାନେ ପ୍ରଶ୍ନ କରିଥାନ୍ତି କି ଭାରତ କ୍ରମେ ଏକ ‘ହିନ୍ଦୁ କୈନ୍ଦ୍ରିକ’ ଫାସିବାଦୀ ରାଷ୍ଟ୍ରରେ ପରିଣତ ହୋଇଯିବ ନାହିଁ ତ?
ଏହା ସତ ଯେ ସଂବିଧାନ ପ୍ରଣେତାମାନେ ଯେଉଁ ‘ଧର୍ମ ନିରପେକ୍ଷତା’ ବିଷୟ ଉଲ୍ଲେଖ କରିଥିଲେ, ସେହି ଆଦର୍ଶର ଅନୁଗାମୀମାନଙ୍କୁ ଏବେ ‘କପଟ- ଧର୍ମନିରପେକ୍ଷ’ ଭାବେ ଅଭିହିତ କରାଯାଉଛି ଏବଂ ଏହି ଧାରଣା ମଧ୍ୟ ବିପୁଳ ଜନ ସମର୍ଥନ ଲାଭ କରୁଛି। ୧୯୮୬ ମସିହାରେ ଶାହ ବାନୋ ମାମଲାରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟ ‘ମୁସଲିମ ପର୍ସନାଲ ଆଇନ’ର ଉଲ୍ଲଂଘନ କରିଛି ବୋଲି ବିଚାର କରି ରାଜୀବ ଗାନ୍ଧୀଙ୍କ ସରକାର ସଂସଦରେ ଏକ ଆଇନ ଗୃହୀତ କରାଇ ରାୟଟିକୁ ଅଚଳ କରି ଦେଇଥିଲେ। ରାଜୀବ ଗାନ୍ଧୀ ଯେଉଁ ଧର୍ମ-ନିରପେକ୍ଷତା ଆଦର୍ଶର ପୃଷ୍ଠପୋଷକ ଥିଲେ, ତାହା ସମ୍ଭବତଃ ଧରି ନେଲା ଯେ ଏକ ସରକାରୀ ଅନୁଷ୍ଠାନ (ଅଦାଲତ)ରୁ ନିସୃତ ରାୟ ପ୍ରଗତିଶୀଳ ହେଲେ ମଧ୍ୟ ଧର୍ମୀୟ ବିଶ୍ବାସକୁ ଉଲ୍ଲଂଘନ କରିବା ଅନୁଚିତ ଏବଂ ଏହାକୁ ପ୍ରଶ୍ରୟ ଦେବାର ଅର୍ଥ ପ୍ରକାରାନ୍ତରେ ନିଜ ଲାଗି ହିନ୍ଦୁ ସପକ୍ଷବାଦୀର ଭାବମୂର୍ତ୍ତି ନିର୍ମାଣ କରିବା ସହ ସମାନ ହେବ। ଏଣେ ତାଙ୍କର ପଦକ୍ଷେପ ମୌଳବାଦୀ ମୌଲବୀମାନଙ୍କୁ ସନ୍ତୁଷ୍ଟ କଲା। ସୁତରାଂ, ସ୍ବାଭାବିକ ଭାବେ ଅନେକ ହିନ୍ଦୁଙ୍କ ଦୃଷ୍ଟିରେ ତାଙ୍କ ନେହରୁ-ପନ୍ଥୀ ଧର୍ମନିରପେକ୍ଷତା କପଟାଚାର ଏବଂ ତାଙ୍କ ପଦକ୍ଷେପ ଭୋଟ ଲାଗି ସଂଖ୍ୟାଲଘୁ ତୁଷ୍ଟୀକରଣର ପ୍ରତୀକ ରୂପେ ଆଖ୍ୟାୟିତ ହେଲା। କହିବା ବାହୁଲ୍ୟ, ଏହି ପଦକ୍ଷେପ ହିଁ ନବମ ଦଶକରେ ହିନ୍ଦୁତ୍ବ ପୁନର୍ଜାଗରଣକୁ ଇନ୍ଧନ ଯୋଗାଇଲା। ଏଠାରେ ଏତେ ସବୁ କହିବାର ଉଦ୍ଦେଶ୍ୟ ହେଲା ଏଭଳି ବୈଚାରିକ ଘନଘଟା ଭିତରେ ଅଗତ୍ୟା ଧର୍ମ ନିରପେକ୍ଷତା ଭଳି ଅଭିବ୍ୟକ୍ତି ଆଉ ସରଳ ଭାବେ ପରିଭାଷିତ ହୋଇ ପାରୁନାହିଁ ଏବଂ ପ୍ରହେଳିକାପୂର୍ଣ୍ଣ ହୋଇଗଲାଣି। ତେଣୁ ‘ଧର୍ମନିରପେକ୍ଷତା’ ବଦଳରେ ବରଂ ‘ପ୍ଲୁରାଲିଜମ୍‌’ ବା ‘ବହୁମତବାଦ’କୁ ଭାରତୀୟ ସାଧାରଣତନ୍ତ୍ରର ଏକ ପ୍ରମୁଖ ଉପାଦାନ ଭାବେ ଦେଖାଯିବା ଉଚିତ। ତେଣୁ, ଅପୂର୍ବ ଆନନ୍ଦ ଓ ଉଲ୍ଲାସର ସହିତ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପରେ ଯେଉଁମାନେ ଭାରତୀୟ ରାଜନୀତିରେ ଧର୍ମନିରପେକ୍ଷତାର ସମୂଳ ଅବସାନ ସହିତ ଭାରତୀୟ ‘ରିପବ୍ଲିକ୍‌’ର ପତନ ନେଇ ଚିନ୍ତିତ, ସେମାନେ ଏବେ ଭାରତୀୟ ବିବିଧତା ଉପରେ ଦୃଷ୍ଟି ନିବଦ୍ଧ କରନ୍ତୁ। ରାଜନୈତିକ ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ଭାରତର ବିବିଧତା ଏଭଳି ବହୁବର୍ଣ୍ଣୀ ଏବଂ ଏହାର ମୂଳ ଏଭଳି ଗଭୀରତା ସ୍ପର୍ଶ କରିଛି ଯେ ଭାରତକୁ ଏକ ହିନ୍ଦୁ-ପ୍ରଧାନ ‘ଫାସିଷ୍ଟ’ ରାଷ୍ଟ୍ରରେ ପରିଣତ କରାଯିବା ଅସମ୍ଭବ। ସେମାନେ କହନ୍ତି ‘ହିନ୍ଦୁଙ୍କ ବିକାଶ, ହିନ୍ଦୁଙ୍କ ବିଶ୍ବାସ ଏବଂ ହିନ୍ଦୁଙ୍କ ପ୍ରୟାସ’ ଭଳି ସ୍ଲୋଗାନ ବଳରେ କୌଣସି ରାଜନୈତିକ ଦଳ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବ ନାହିଁ ବା ଏହାକୁ ମୂଳ ମନ୍ତ୍ର କରି କୌଣସି ସରକାର ଭାରତ ଶାସନ କରାିବାକୁ ଚିନ୍ତା କରିପାରିବ ନାହିଁ। ତେଣୁ ଭାରତରେ ଧର୍ମ ଓ ରାଜନୀତି ଯେତେ ଜଟିଳ ଭାବେ ଛନ୍ଦାଛନ୍ଦି ହେଲେ ସୁଦ୍ଧା ଭାରତୀୟ ସାଧାରଣତନ୍ତ୍ରର ଗଣତାନ୍ତ୍ରିକ ରୂପର ବିଲୟ ଘଟିବ ନାହିଁ; ଯଦିଓ ତା’ର ରୂପରେ କାଳାନୁସାରୀ କେତେକ ପରିବର୍ତ୍ତନ ଘଟିବ, ଯେମିତି ଏବେ ଘଟିଛି।
ପୂର୍ବତନ କଂଗ୍ରେସ ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓ ଏକଦା କହିଥିଲେ ଯେ ବିଜେପିକୁ ପରାସ୍ତ କରିବା ସମ୍ଭବ, କିନ୍ତୁ ଭାରତରେ ‘ରାମ’ଙ୍କୁ ପରାହତ କରିବା ଏକ ଅସମ୍ଭବ ବ୍ୟାପାର। ସଂପ୍ରତି ଭାରତୀୟ ରାଜନୀତି ଯେଉଁ ଦିଗରେ ଅଗ୍ରସର ହେଉଛି, ସେହି ଦୃଷ୍ଟିରୁ ଏହି ମନ୍ତବ୍ୟର ଗୁରୁତ୍ବ ବୃଦ୍ଧି ପାଇଥାଏ। ସୁତରାଂ, ଯେଉଁମାନେ ଭାରତୀୟ ‘ରିପବ୍ଲିକ’ର ଭବିଷ୍ୟତ୍‌ ନେଇ ଉଦ୍‌ବିଗ୍ନ, ସେମାନଙ୍କ ବିମର୍ଶ ଏବଂ ତର୍କମାନ ବଦଳିବାର ସମୟ ଏବେ ଉପନୀତ। ସେମାନେ ଶ୍ରୀରାମଙ୍କୁ ଏକ ଧର୍ମର ପ୍ରତୀକ ରୂପେ ନ ଦେଖି ବରଂ ତାଙ୍କୁ ଭାରତୀୟତା ଏବଂ ଭାରତୀୟ ସଂସ୍କୃତିର ସନ୍ତକ ଭାବେ କେନ୍ଦ୍ରରେ ରଖି ବ୍ୟାଖ୍ୟାନ ନିର୍ମାଣ କରି ପାରିବେ କି? ଯେଉଁଭଳି ଭାବେ କଂଗ୍ରେସ ଠାରୁ ବିଜେପି ଗାନ୍ଧୀ, ପଟେଲ ଏବଂ ବୋଷଙ୍କୁ ଅପହରଣ କରି ନିଜ ଅକ୍ତିଅରାରକୁ ନେଇ ଆସିଛି, ସେମିତି ଏହି ବିମର୍ଶକାରମାନେ ଶ୍ରୀରାମଙ୍କୁ ବିଜେପିର ଆଶ୍ଳେଷରୁ ବାହାରକୁ ଆଣି ପାରିବେ କି? ବିଜେପିକୁ ପ୍ରତିହତ କଲା ଭଳି ରାଜନୈତିକ ଭାଷା, ବିମର୍ଶ ଏବଂ ରଣନୀତିର ବ୍ୟବହାର କରି ପାରିବେ କି? ‘ରିପବ୍ଲିକ୍‌’ ତ ବଞ୍ଚି ରହିବ! କିନ୍ତୁ କିଭଳି ଗୋଟିଏ ଦଳର ଏକାଧିପତ୍ୟରୁ ରାଷ୍ଟ୍ର ନିଷ୍କୃତି ପାଇବ, କିଭଳି ବିରୋଧୀ ପକ୍ଷ ଦୃଢ଼ ଓ ଶାଣିତ ହେବ, ତାହା ଏବେ ଅଧିକ ଚିନ୍ତା ଓ ଚିନ୍ତନର ବିଷୟ ହେବା ଉଚିତ।