ଯୁଦ୍ଧ ଓ ଶାନ୍ତି

ବର୍ତ୍ତମାନ ଆବୁ ଧାବି ଠାରେ ସମାପ୍ତ ‘ଏମ୍‌ସି ୧୩’ ଠାରେ ମଧ୍ୟ ଯେହେତୁ ସେଇ ସମସ୍ୟା ପୂର୍ବଭଳି ଅସମାହିତ ହୋଇ ରହିଛି, ସୀତାରମଣଙ୍କର ଦଶ ବର୍ଷ ତଳର ସେଇ ପଦକ୍ଷେପ ଯୋଗୁଁ ଭାରତୀୟ କୃଷକମାନେ ବର୍ତ୍ତମାନ ସୁରକ୍ଷିତ ଅବସ୍ଥାରେ ଥାଇ ସରକାରୀ ସହାୟତା ଉପଭୋଗ କରିପାରୁଛନ୍ତି। ସ୍ବାଭାବିକ ଭାବରେ ବିକଶିତ ଦେଶମାନଙ୍କର ପ୍ରତିନିଧିମାନେ ‘ବିଶ୍ବ ବାଣିଜ୍ୟ ସଂଗଠନ’ ସୁଚାରୁ ରୂପେ କାର୍ଯ୍ୟ କରିବା ପଥରେ ଭାରତ ମୁଖ୍ୟ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କର ସମସ୍ୟା ହୃଦୟଙ୍ଗମ କରିବା ମଧ୍ୟ କଷ୍ଟ ନୁହେଁ; କାରଣ ସେମାନେ ମଧ୍ୟ ନିଜ ନିଜ ଦେଶରେ ଘୋର କୃଷକ ଅଶାନ୍ତି ଓ ଆନ୍ଦୋଳନର ସମ୍ମୁଖୀନ ହେବାରେ ଲାଗିଛନ୍ତି।

କୃଷକମାନେ ଯେ ଏବେ ଭାରତ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି, ଖୋଦ୍ ସରକାର ମଧ୍ୟ ଏହା ଅସ୍ବୀକାର କରିବେ ନାହିଁ। ପଞ୍ଜାବୀ କୃଷକମାନଙ୍କର ଆନ୍ଦୋଳନ ନିୟମିତ ଭାବରେ ଗଣମାଧ୍ୟମର ଶିରୋନାମା ମଣ୍ଡନ କରି ଚାଲିଥିବାରୁ ଏବଂ ସେମାନଙ୍କର ସଂଘବଦ୍ଧ ଅଭିଯାନର ଦୃଶ୍ୟ ତତ୍‌କ୍ଷଣାତ୍‌ ପ୍ରସାରିତ ହେଉଥିବାରୁ, ଦେଶର ପ୍ରାୟ ପ୍ରତ୍ୟେକ ନାଗରିକଙ୍କ ଠାରେ ଏ ସମ୍ବନ୍ଧରେ ଏକ ସଚେତନତା ସୃଷ୍ଟି ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ସରକାର ଓ କୃଷକମାନଙ୍କ ମଧ୍ୟରେ ଚାଲିଥିବା ଏହି ଦୃଶ୍ୟମାନ ବଳକଷାକଷି ଅନ୍ତରାଳରେ ବିଦେଶ ଭୂଇଁରେ ଭାରତୀୟ କୃଷକମାନଙ୍କର ସ୍ବାର୍ଥରକ୍ଷା ପାଇଁ ସରକାର ଏବେ ଏପରି ଏକ ପଦକ୍ଷେପ ନେଇଛନ୍ତି ଯାହା ଅନୁରୂପ ଭାବରେ ସୁବିଦିତ ହୋଇ ନ ଥାଇ ପାରେ।
ଦେଶ ଭିତରେ କୃଷକମାନେ ଯେତେବେଳେ ସର୍ବନିମ୍ନ ସହାୟକ ଦର (‘ଏମ୍‌ଏସ୍‌ପି’) ଭଳି କୃଷକମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତାର ଆଇନଗତ ସ୍ଥାୟୀକରଣ ପାଇଁ ଓ ଭାରତ ‘ବିଶ୍ବ ବାଣିଜ୍ୟ ସଂଗଠନ’ (‘ଡବ୍ଲ୍ୟୁଟିଓ’)ରୁ ସଦସ୍ୟ ପଦ ତ୍ୟାଗ କରିବା ପାଇଁ ଦାବି କରିବାରେ ଲାଗିଛନ୍ତି, ସେତିକିବେଳେ ଆବୁ ଧାବି ଠାରେ ମାର୍ଚ୍ଚ ୨ ତାରିଖରେ ସମାପ୍ତ ହୋଇଥିବା ସେଇ ‘ବିଶ୍ବ ବାଣିଜ୍ୟ ସଂଗଠନ’ର ତ୍ରୟୋଦଶ ମନ୍ତ୍ରୀସ୍ତରୀୟ ସମ୍ମିଳନୀ (‘ଏମ୍‌ସି ୧୩’)ରେ କୃଷକମାନଙ୍କୁ ଏଭଳି ସରକାରୀ ସହାୟତା ପ୍ରଦାନରେ ହ୍ରାସ ଘଟାଇବା ପାଇଁ ଉନ୍ନତ ଦେଶମାନଙ୍କ ତରଫରୁ ଭାରତ ଉପରେ ପ୍ରବଳ ଚାପ ପଡ଼ିଥିଲା। ଏହି ବିକଶିତ ଦେଶମାନେ ‘ଏମ୍‌ଏସ୍‌ପି’ରେ ହ୍ରାସ ଘଟାଇବାରୁ ଆରମ୍ଭ କରି ଖାଦ୍ୟ ନିରାପତ୍ତା ଉଦ୍ଦେଶ୍ୟରେ ସୃଷ୍ଟ ସରକାରୀ ଶସ୍ୟ ଭଣ୍ଡାର ଉଚ୍ଛେଦ, ମତ୍ସ୍ୟଜୀବୀମାନଙ୍କୁ ପ୍ରଦାନ କରାଯାଉଥିବା ସବ୍‌ସିଡି ଉଚ୍ଛେଦ ଆଦି ପାଇଁ ଭାରତ ଉପରେ ଚାପ ପକାଇବା ସଙ୍ଗେ ସଙ୍ଗେ ଭାରତୀୟ ବଜାରରେ ବିଦେଶୀ କୃଷିଜାତ ପଦାର୍ଥମାନଙ୍କର ପ୍ରବେଶ ସୁଗମ କରିବା ନିମିତ୍ତ କଟକଣା କୋହଳ କରିବା ପାଇଁ ଦୃଢ଼ ଦାବି ଉଠାଇଥିଲେ।
ଭାରତର ପ୍ରତିନିଧିତ୍ବ କରୁଥିବା ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟାଲ୍ କିନ୍ତୁ ସ୍ପଷ୍ଟ କରିଦେଇଥିଲେ ଯେ ଭାରତରେ ଜନସାଧାରଣଙ୍କର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ନିମିତ୍ତ ‘ନେସନାଲ୍ ଫୁଡ୍ ସିକ୍ୟୁରିଟି ଆକ୍ଟ୍’ର ଅନୁପାଳନ ନିମିତ୍ତ ଓ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ‌ ଯୋଜନା’ କାର୍ଯ୍ୟକାରୀ କରିବା ନିମିତ୍ତ ଭାରତ ସରକାର ବିଶାଳ ଶସ୍ୟ ଭଣ୍ଡାର ସୃଷ୍ଟି କରିବାକୁ ବାଧ୍ୟ। ଏହା ସମ୍ଭବ ହେବା ପାଇଁ ସରକାର କୃଷକମାନଙ୍କ ଠାରୁ ଖାଦ୍ୟଶସ୍ୟ ସଂଗ୍ରହ କରିଥାନ୍ତି। କୃଷକମାନଙ୍କ ପାଇଁ ଏକ ସର୍ବନିମ୍ନ ଆୟ ନିଶ୍ଚିତ କରିବା ପାଇଁ ଏବଂ ସେମାନଙ୍କୁ ବଜାର ଦରରେ ପରିଦୃଷ୍ଟ ହେଉଥିବା ଅସ୍ଥିରତାରୁ ସୁରକ୍ଷିତ ରଖିବା ପାଇଁ ସରକାର ସେମାନଙ୍କ ଠାରୁ ସଂଗ୍ରହ କରୁଥିବା ଖାଦ୍ୟଶସ୍ୟର ଏକ ସର୍ବନିମ୍ନ ସହାୟକ ଦର ନିର୍ଦ୍ଧାରଣ କରିଥାନ୍ତି। ଏଣୁ ଇଉରୋପୀୟ ରାଷ୍ଟ୍ର ସଂଘ ଓ ଅନ୍ୟାନ୍ୟ ବିକଶିତ ଦେଶମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ଭାରତ ଏହି ବ୍ୟବସ୍ଥାରେ ଅନ୍ତ ଘଟାଇବାର ପ୍ରଶ୍ନ ଉଠୁନାହିଁ‌ ବୋଲି ପୀୟୁଷ ଗୋୟାଲ୍ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ।
ଅବଶ୍ୟ ଆବୁ ଧାବି ଠାରେ ତ୍ରୟୋଦଶ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ବିକଶିତ ଦେଶମାନେ ହଠାତ୍ ଏଭଳି ଦାବି ଉପସ୍ଥାପନ କରି ନ ଥିଲେ। ସେମାନଙ୍କର ଏହି ଦାବି ପଛରେ ଏକ ଇତିହାସ ନିହିତ ଅଛି। କେନ୍ଦ୍ରରେ ମନମୋହନ ସିଂହଙ୍କର ପ୍ରଧାନମନ୍ତ୍ରିତ୍ବ ସମୟରେ ଇଣ୍ଡୋନେସିଆର ବାଲି ଠାରେ ଅନୁଷ୍ଠିତ ନବମ ମନ୍ତ୍ରୀସ୍ତରୀୟ ସମ୍ମିଳନୀ (‘ଏମ୍‌ସି ୯’)ରେ ସରକାରୀ ଶସ୍ୟ ଭଣ୍ଡାର ସୃଷ୍ଟି ଓ ‘ଏମ୍ଏସ୍‌ପି’ ପ୍ରଦାନ ଉଚ୍ଛେଦ କରିବା ପାଇଁ ଭାରତ ଉପରେ ପ୍ରବଳ ଚାପ ପଡ଼ିଥିଲା। ୨୦୧୭ରେ ଅନୁଷ୍ଠିତ ହେବାକୁ ଯାଉଥିବା ଏକାଦଶ ମନ୍ତ୍ରୀସ୍ତରୀୟ ସମ୍ମିଳନୀ (‘ଏମ୍‌ସି ୧୧’) ସୁଦ୍ଧା ଭାରତ ଏହାର ଏକ ସ୍ଥାୟୀ ସମାଧାନର ସୂତ୍ର ବାହାର କରିବ ବୋଲି ପ୍ରତିଶ୍ରୁତି ଦେବା ବଦଳରେ ସେ ଯାଏ ଏକ ଅସ୍ଥାୟୀ ଶାନ୍ତି ଚୁକ୍ତି କାର୍ଯ୍ୟ କରିବା ସ୍ଥିର ହୋଇଥିଲା, ଯାହା ‘ପିସ୍ କ୍ଲଜ୍’ ନାମରେ ପରିଚିତ। ଏହା ଅନୁସାରେ ଭାରତରେ ସେ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରହିବା ବ୍ୟବସ୍ଥା ହୋଇଥିଲା। ସେଇ ବ୍ୟବସ୍ଥାରେ ପରବର୍ତ୍ତୀ ସମୟରେ ଯଦି କୌଣସି ପରିବର୍ତ୍ତନ ଘଟି ନଥାନ୍ତା, ତେବେ ଭାରତ ଏବେ ଏକ ଘୋର ସଂକଟର ସମ୍ମୁଖୀନ ହୋଇଥାନ୍ତା ଓ ଭାରତୀୟ କୃଷକମାନେ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଥାନ୍ତେ, କାରଣ ୨୦୧୭ ଠାରୁ ସେଇ ତଥାକଥିତ ‘ପିସ୍ କ୍ଲଜ୍’ ଅଚଳ ହୋଇଯାଇ ସାରିଥାନ୍ତା।
ସୌଭାଗ୍ୟବଶତଃ କେନ୍ଦ୍ରରେ ୨୦୧୪ରେ କ୍ଷମତାକୁ ଆସିଥିବା ମୋଦୀ ସରକାରରେ ତତ୍‌କାଳୀନ ବାଣିଜ୍ୟ ମନ୍ତ୍ରୀ ଥିବା ବର୍ତ୍ତମାନର ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି କାଳବିଳମ୍ବ ନ କରି ସେଇ ୨୦୧୭ ସୀମାରେଖାର ଉଚ୍ଛେଦ ଘଟାଇଦେଲେ। ଏଠାରେ ସୂଚନାଯୋଗ୍ୟ ଯେ ‘ବିଶ୍ବ ବାଣିଜ୍ୟ ସଂଗଠନ’ର ନିଷ୍ପତ୍ତିମାନ ସର୍ବସମ୍ମତ ଭିତ୍ତିରେ ଗୃହୀତ ହେବାର ବିଧି ରହିଛି। ୨୦୧୪ ଅଗଷ୍ଟରେ ସୀତାରମଣ ଭାରତୀୟ ପାର୍ଲିଆମେଣ୍ଟରେ ଘୋଷଣା କଲେ ଯେ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ନିମିତ୍ତ ସାର୍ବଜନୀନ ଶସ୍ୟ ଭଣ୍ଡାର ସୃଷ୍ଟି ସଂପର୍କିତ ଭାରତର ଯଥାର୍ଥ ଚିନ୍ତାର ସମାଧାନ କରା ନ ଯିବା ପର୍ଯ୍ୟନ୍ତ ଭାରତ ‘ଡବ୍ଲ୍ୟୁଟିଓ’ ଚାହୁଁଥିବା ଭଳି ବାଣିଜ୍ୟ ସୁଗମକାରୀ ରାଜିନାମା (‘ଟ୍ରେଡ୍ ଫାସିଲିଟେସନ୍ ଆଗ୍ରିମେଣ୍ଟ୍’)କୁ ସହମତି ପ୍ରଦାନ କରିବ ନାହିଁ।
ସୀତାରମଣଙ୍କର ଏହି ପଦକ୍ଷେପର ଫଳସ୍ବରୂପ ୨୦୧୪ରେ ନାଇରୋବି ଠାରେ ଅନୁଷ୍ଠିତ ‘ଡବ୍ଲ୍ୟୁଟିଓ’ର ଜେନେରାଲ୍ କାଉନ୍‌ସିଲ୍ ବୈଠକରେ ଉପରୋକ୍ତ ସମସ୍ୟାର ଏକ ସ୍ଥାୟୀ ସମାଧାନ ନ ଘଟିବା ପର୍ଯ୍ୟନ୍ତ ‘ପିସ୍ କ୍ଲଜ୍’ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିଷ୍ପତ୍ତି ଗୃହୀତ ହେଲା। ଏହା ପରେ ଆଉ ଦୁଇଟି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇ ସାରିଥିଲେ ହେଁ (ବୁଏନସ୍ ଏଆରେସ୍‌ ଠାରେ ‘ଏମ୍‌ସି ୧୧’ ଓ ଜେନିଭା ଠାରେ ‘ଏମ୍‌ସି ୧୨’), ସମସ୍ୟାର କୌଣସି ସମାଧାନ ବାହାରି ପାରି ନ ଥିଲା। ବର୍ତ୍ତମାନ ଆବୁ ଧାବି ଠାରେ ସମାପ୍ତ ‘ଏମ୍‌ସି ୧୩’ ଠାରେ ମଧ୍ୟ ଯେହେତୁ ସେଇ ସମସ୍ୟା ପୂର୍ବଭଳି ଅସମାହିତ ହୋଇ ରହିଛି, ସୀତାରମଣଙ୍କର ଦଶ ବର୍ଷ ତଳର ସେଇ ପଦକ୍ଷେପ ଯୋଗୁଁ ଭାରତୀୟ କୃଷକମାନେ ବର୍ତ୍ତମାନ ସୁରକ୍ଷିତ ଅବସ୍ଥାରେ ଥାଇ ସରକାରୀ ସହାୟତା ଉପଭୋଗ କରିପାରୁଛନ୍ତି। ସ୍ବାଭାବିକ ଭାବରେ ବିକଶିତ ଦେଶମାନଙ୍କର ପ୍ରତିନିଧିମାନେ ‘ବିଶ୍ବ ବାଣିଜ୍ୟ ସଂଗଠନ’ ସୁଚାରୁ ରୂପେ କାର୍ଯ୍ୟ କରିବା ପଥରେ ଭାରତ ମୁଖ୍ୟ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କର ସମସ୍ୟା ହୃଦୟଙ୍ଗମ କରିବା ମଧ୍ୟ କଷ୍ଟ ନୁହେଁ; କାରଣ ସେମାନେ ମଧ୍ୟ ନିଜ ନିଜ ଦେଶରେ ଘୋର କୃଷକ ଅଶାନ୍ତି ଓ ଆନ୍ଦୋଳନର ସମ୍ମୁଖୀନ ହେବାରେ ଲାଗିଛନ୍ତି।
ଭାରତରେ ଆନ୍ଦୋଳନକାରୀ କୃଷକମାନେ ଯେ ‘ଡବ୍ଲ୍ୟୁଟିଓ’ ତରଫରୁ ସେମାନଙ୍କ ପ୍ରତି ସୃଷ୍ଟି ହେଉଥିବା ସମ୍ଭାବ୍ୟ ବିପଦ ସମ୍ବନ୍ଧରେ ସଚେତନ ଅଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। କାରଣ, ସମସ୍ୟାର ସମାଧାନ ପାଇଁ ସେମାନେ ଯେଉଁ ପ୍ରସ୍ତାବ ଦେଇଛନ୍ତି, ତାହା ହେଲା, ଭାରତ ସଂପୂର୍ଣ୍ଣ ରୂପେ ‘ଡବ୍ଲ୍ୟୁଟିଓ’ରୁ ଓହରି ଆସୁ- ମୂଳୁ ମାରିଲେ ଯିବ ସରି। ଏହା କିନ୍ତୁ ହେଉଛି ଏକ ଅବାସ୍ତବ ପରିକଳ୍ପନା। କାରଣ, ‘ଡବ୍ଲ୍ୟୁଟିଓ’ରେ ସଦସ୍ୟତା ଅବାଧ ଆନ୍ତର୍ଜାତିକ ବାଣିଜ୍ୟ ନିଶ୍ଚିତ କରି ସାମଗ୍ରିକ ଭାବରେ ଅର୍ଥନୀତି ପାଇଁ ବିଶେଷ ଲାଭଜନକ ହୋଇଥାଏ। ଅାଶା କରାଯାଏ ଇତିମଧ୍ୟରେ ‘ଡବ୍ଲ୍ୟୁଟିଓ’ ଅନ୍ତର୍ଗତ ବିଭିନ୍ନ କମିଟିସ୍ତରରେ ବ୍ୟାପକ ବିଚାର ଆଲୋଚନା ସଂଘଟିତ ହୋଇ ଦୁଇ ବର୍ଷ ପରେ କାମେରୁନ୍‌ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଚତୁର୍ଦ୍ଦଶ ମନ୍ତ୍ରୀସ୍ତରୀୟ ସମ୍ମିଳନୀ (‘ଏମ୍‌ସି ୧୪’) ବେଳକୁ ସମସ୍ୟା ସମାଧାନର କୌଣସି ବାଟ ଫିଟିଥିବ, ଯାହା ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରି ‘ପିସ୍ କ୍ଲଜ୍’ରେ ଅନ୍ତ ଘଟାଇବ।

ସମ୍ବନ୍ଧିତ ଖବର