ଭାରତୀୟ ରିଜର୍ଭ ବ୍ୟାଙ୍କ୍ କୋଭିଡ୍ ପାଣ୍ଡେମିକ୍‌ଜନିତ ସଂକଟର ମୁକାବିଲା କରି ଏହି ଦାୟିତ୍ବ ନିର୍ବାହ କରିବାରେ ସର୍ବାଧିକ ସଫଳତା ହାସଲ କରିଛି, ତାହା ବର୍ତ୍ତମାନ ବିଶ୍ବବ୍ୟାପୀ ସ୍ବୀକୃତି ହାସଲ କରିଛି। ଉଭୟ ପାଶ୍ଚାତ୍ୟ ଓ ପ୍ରାଚ୍ୟ ଜଗତର ବିକଶିତ ଅର୍ଥନୀତିମାନ ଯେତେବେଳେ ତଥାପି ମୁଦ୍ରାସ୍ଫୀତି ବା ଅବସ୍ଫୀତି କବଳରୁ ସଂପୂର୍ଣ୍ଣ ରୂପେ ମୁକୁଳି ପାରି ନାହାନ୍ତି, ସେତେବେଳେ ଭାରତୀୟ ଅର୍ଥନୀତି ଅପେକ୍ଷାକୃତ ଅକ୍ଷତ ରହିବା ସଙ୍ଗେ ସଙ୍ଗେ ଦ୍ରୁତ ଅଭିବୃଦ୍ଧି ହାସଲ କରିଚାଲିବା ସମସ୍ତଙ୍କୁ ଚମତ୍କୃତ କରିଛି। ରିଜର୍ଭ ବ୍ୟାଙ୍କ୍‌ର ଚତୁର ଓ ଦକ୍ଷ ପରିଚାଳନା ଦ୍ବାରା ହାସଲ କରାଯାଇଥିବା ବିତ୍ତୀୟ ସ୍ଥିରତା ଯୋଗୁଁ ଯେ ଏହା ସମ୍ଭବ ହୋଇପାରିଛି, ଏଥିରେ ସନ୍ଦେହ ନାହିଁ।

Advertisment

ଚଳିତ ଶତାବ୍ଦୀର ଦ୍ବିତୀୟ ଦଶକରେ (୨୦୧୧-୧୯) ‘ଇଉରୋପିଆନ୍ ସେଣ୍ଟ୍ରାଲ୍ ବ୍ୟାଙ୍କ୍’ (‘ଇସିବି’)ର ‌ପ୍ରେସିଡେଣ୍ଟ୍ ବା ସର୍ବୋଚ୍ଚ ଅଧିକାରୀ ଥିବା ମାରିଓ ଦ୍ରାଗି ଜଣେ ବିଚକ୍ଷଣ କେନ୍ଦ୍ରୀୟ ବ୍ୟାଙ୍କର୍ ରୂପେ ଯେତିକି ଖ୍ୟାତ ଥିଲେ (ସେ ମଧ୍ୟ ତା’ ପୂର୍ବରୁ ଇଟାଲୀର କେନ୍ଦ୍ରୀୟ ବ୍ୟାଙ୍କ୍, ‘ବ୍ୟାଙ୍କ୍ ଅଫ୍ ଇଟାଲୀ’ର ଗଭର୍ନର୍ ରୂପେ ସଫଳତାର ସହିତ ଦାୟିତ୍ବ ନିର୍ବାହ କରିଥିଲେ), ସେତିକି ସୁଖ୍ୟାତ ଥିଲେ ତାଙ୍କର ତୀକ୍ଷ୍‌ଣ ଆତ୍ମ-ପରିହାସ କ୍ଷମତା ପାଇଁ। ଏହାର ଏକ ନମୁନା ସ୍ବରୂପ ସେ ‘ଇସିବି’ର ପ୍ରେସିଡେଣ୍ଟ୍ ଥିବା ସମୟରେ ଏକ ରାତ୍ରୀ ଭୋଜି ସଭାରେ କହି ସମବେତ ଶ୍ରୋତାମାନଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିବା ଏହି କାହାଣୀଟି ‌ଅନେକ ସମୟରେ ଉଦ୍ଧାର କରାଯାଇଥାଏ। କାହାଣୀଟି ନିମ୍ନ ପ୍ରକାରର।
ଜଣେ ବ୍ୟକ୍ତି ହୃତ୍‌ପିଣ୍ଡ ବା ହୃଦୟ ପ୍ରତିରୋପଣ ଆବଶ୍ୟକ କରୁଥିଲେ। ସଂପୃକ୍ତ ଡାକ୍ତର ତାଙ୍କୁ କହିଲେ: ‘‘ମୁଁ ତୁମକୁ ଜଣେ ପାଞ୍ଚବର୍ଷୀୟ ବାଳକର ହୃଦୟ ଦେଇପାରିବି।’’ ରୋଗୀ ଜଣକ କହିଲେ: ‘‘ଅତି ପିଲା।’’ ‘‘ତା’ ହେଲେ ଜଣେ ୪୦ ବର୍ଷୀୟ ନିବେଶ ବ୍ୟାଙ୍କର୍‌ଙ୍କ ହୃଦୟ ଲଗାଇଦେବି କି?’’ ‘‘ସେମାନଙ୍କର ହୃଦୟ ନାମକ କୌଣସି ପଦାର୍ଥ ନ ଥାଏ।’’ ‘‘ତେବେ ଜଣେ ୭୫ ବର୍ଷୀୟ କେନ୍ଦ୍ରୀୟ ବ୍ୟାଙ୍କର୍‌ଙ୍କର ହୃଦୟ ଚଳିବ କି?’’ ରୋଗୀ ଜଣକ ଅତ୍ୟନ୍ତ ଆଗ୍ରହ ସହକାରେ କହି ପକାଇଲେ: ‘‘ହଁ, ମୁଁ ସେଇ ହୃଦୟଟିକୁ ହିଁ ଗ୍ରହଣ କରିବି।’’ ରୋଗୀ ଜଣକ ଏପରି ଏକ ବୃଦ୍ଧ-ହୃଦୟ ପସନ୍ଦ କରିବା ଦେଖି ଡାକ୍ତର ଆଶ୍ଚର୍ଯ୍ୟାନ୍ବିତ ହୋଇ ପ୍ରଶ୍ନ କଲେ: ‘‘କିନ୍ତୁ କାହିଁକି?’’ ରୋଗୀ ଜଣକ ଉତ୍ତର ଦେଲେ: ‘‘ଏଇଟି କେବେ ହେଲେ ବ୍ୟବହାର କରାଯାଇ ନାହିଁ।’’ ଅର୍ଥାତ୍, କେନ୍ଦ୍ରୀୟ ବ୍ୟାଙ୍କର୍‌ମାନେ (ଯେମିତି ଦ୍ରାଗି ନିଜେ) ସଦାବେଳେ ହୃଦୟହୀନ ଭାବରେ କାର୍ଯ୍ୟ କରିଥା’ନ୍ତି। ଅବଶ୍ୟ ଦ୍ରାଗିଙ୍କର ଏହି ଜୋକ୍‌ର ଗଭୀର ଅର୍ଥ ହେଲା, ଅତ୍ୟନ୍ତ ଜଟିଳ ଓ ସ୍ପର୍ଶକାତର ପରିସ୍ଥିତିରେ ମଧ୍ୟ ସ୍ଥିତପ୍ରଜ୍ଞ କେନ୍ଦ୍ରୀୟ ବ୍ୟାଙ୍କର୍‌ମାନେ ନିଜର ଆବେଗ ଦ୍ବାରା ପରିଚାଳିତ ନ ହୋଇ ନିଜର ଶୀତଳ ମସ୍ତିଷ୍କକୁ କାର୍ଯ୍ୟରେ ଲଗାଇ ଧୀରସ୍ଥିର ଭାବରେ ସଂପୂର୍ଣ୍ଣ ରୂପେ ଭାବପ୍ରବଣତାହୀନ ତର୍କନିଷ୍ଠ ନିଷ୍ପତ୍ତିମାନ ଗ୍ରହଣ କରିଥାନ୍ତି।
ଏପ୍ରିଲ୍ ପହିଲା ଦିନ ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍ ‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ ତା’ର ୯୦ତମ ବର୍ଷରେ ପ୍ରବେଶ କରିବା ଅବସରରେ (‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଆକ୍ଟ୍, ୧୯୩୪’ ବଳରେ ୧୯୩୫ ଏପ୍ରିଲ୍ ପହିଲାରେ କଲିକତା ଠାରେ ପ୍ରଥମେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବା ‘ଆର୍‌ବିଆଇ’ କାର୍ଯ୍ୟ ଆରମ୍ଭ କରିଥିଲା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଏହି ସର୍ବୋଚ୍ଚ ବିତ୍ତୀୟ ଅନୁଷ୍ଠାନର ଯେଉଁ ଭୂୟସୀ ପ୍ରଶଂସା କରିଛନ୍ତି, ତାହା ହେଉଛି ବସ୍ତୁତଃ ଏହି ଦୀର୍ଘ କାଳଖଣ୍ଡରେ ରିଜର୍ଭ ବ୍ୟାଙ୍କ୍‌କୁ ଦ୍ରାଗିସୁଲଭ ସୁଚିନ୍ତିତ ଆବେଗହୀନ ନେତୃତ୍ବ ପ୍ରଦାନ କରିଆସିଥିବା ଏହାର ଗଭର୍ନରମାନଙ୍କର କାର୍ଯ୍ୟର ପ୍ରଶଂସା। ଭାରତ ବର୍ତ୍ତମାନ ଯେଉଁ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍ ଅର୍ଥନୀତି ରୂପେ ଆବିର୍ଭୂତ ହୋଇଛି, ତାହା ପଛରେ ଯେ ଦେଶର ଏହି କେନ୍ଦ୍ରୀୟ ବ୍ୟାଙ୍କ୍‌ର ଏକ ମୁଖ୍ୟ ଅବଦାନ ରହିଛି, ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣରେ ତାହା ସ୍ବୀକାର କରିଛନ୍ତି। ବିତ୍ତୀୟ ସ୍ଥିରତା ବିନା ଦୀର୍ଘକାଳୀନ ଅ‌ର୍ଥନୈତିକ ଅଭିବୃଦ୍ଧି ଓ ପ୍ରଗତି ସମ୍ଭବ ନୁହେଁ; ଏବଂ ଏହା ନିଶ୍ଚିତ କରିବା ହେଉଛି ସଂପୃକ୍ତ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍‌ର ଦାୟିତ୍ବ। ଭାରତୀୟ ରିଜର୍ଭ ବ୍ୟାଙ୍କ୍ କୋଭିଡ୍ ପାଣ୍ଡେମିକ୍‌ଜନିତ ସଂକଟର ମୁକାବିଲା କରି ଏହି ଦାୟିତ୍ବ ନିର୍ବାହ କରିବାରେ ସର୍ବାଧିକ ସଫଳତା ହାସଲ କରିଛି, ତାହା ବର୍ତ୍ତମାନ ବିଶ୍ବବ୍ୟାପୀ ସ୍ବୀକୃତି ହାସଲ କରିଛି। ଉଭୟ ପାଶ୍ଚାତ୍ୟ ଓ ପ୍ରାଚ୍ୟ ଜଗତର ବିକଶିତ ଅର୍ଥନୀତିମାନ ଯେତେବେଳେ ତଥାପି ମୁଦ୍ରାସ୍ଫୀତି ବା ଅବସ୍ଫୀତି କବଳରୁ ସଂପୂର୍ଣ୍ଣ ରୂପେ ମୁକୁଳି ପାରି ନାହାନ୍ତି, ସେତେବେଳେ ଭାରତୀୟ ଅର୍ଥନୀତି ଅପେକ୍ଷାକୃତ ଅକ୍ଷତ ରହିବା ସଙ୍ଗେ ସଙ୍ଗେ ଦ୍ରୁତ ଅଭିବୃଦ୍ଧି ହାସଲ କରିଚାଲିବା ସମସ୍ତଙ୍କୁ ଚମତ୍କୃତ କରିଛି। ରିଜର୍ଭ ବ୍ୟାଙ୍କ୍‌ର ଚତୁର ଓ ଦକ୍ଷ ପରିଚାଳନା ଦ୍ବାରା ହାସଲ କରାଯାଇଥିବା ବିତ୍ତୀୟ ସ୍ଥିରତା ଯୋଗୁଁ ଯେ ଏହା ସମ୍ଭବ ହୋଇପାରିଛି, ଏଥିରେ ସନ୍ଦେହ ନାହିଁ।
ଏହାର ଅର୍ଥ ନୁହେଁ ଯେ ଆରମ୍ଭରୁ ଏ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ୍‌ର କାର୍ଯ୍ୟ ସର୍ବଦା ସଂପୂର୍ଣ୍ଣ ରୂ‌େପ ତ୍ରୁଟିଶୂନ୍ୟ ଓ ଆଦର୍ଶ ଶ୍ରେଣୀୟ ହୋଇଆସିଛି ଏବଂ ଏହି ନ’ ଦଶକ ଧରି ରିଜର୍ଭ ବ୍ୟାଙ୍କ୍‌ର ନୀତି ଓ କାର୍ଯ୍ୟଧାରାରେ କୌଣସି ପରିବର୍ତ୍ତନ ଘଟିନାହିଁ। ଅପରପକ୍ଷେ, ଏହି ଦୀର୍ଘ କାଳରେ ‌ରିଜର୍ଭ ବ୍ୟାଙ୍କ୍‌ର ଚରିତ୍ରର ଯାହା ଏକ ଅତ୍ୟନ୍ତ ଶକ୍ତିଶାଳୀ ଓ ପ୍ରଶଂସନୀୟ ଦିଗ ରୂପେ ଆବିର୍ଭୂତ ହୋଇଛି ତାହା ହେଉଛି ଏହାର ନୀତିଗତ ସ୍ଥିତିସ୍ଥାପକତା। ବ୍ରିଟିଶ୍ ଔପନିବେଶକ ଶାସନ ସମୟରେ ୧୯୨୫ର ହିଲ୍‌ଟନ୍ ୟଙ୍ଗ୍ କମିସନ୍‌ର ସୁପାରିସ ଉପରେ ଆଧାରିତ ହୋଇ ୧୯୩୫ରେ ଭୂମିଷ୍ଠ ହୋଇଥିବା ରିଜର୍ଭ ବ୍ୟାଙ୍କ୍ ତା’ର ଶୈଶବରେ ଯଦି ବ୍ରିଟିଶ୍ ଶାସକଙ୍କ ଅର୍ଥନୈତିକ ସ୍ବାର୍ଥରକ୍ଷା ପାଇଁ କାର୍ଯ୍ୟ କରିଥିଲା, ସ୍ବାଧୀନତା ପରେ ପରେ ତାକୁ ଭାରତ ଅବଲମ୍ବନ କରିଥିବା ନେହେରୁ ନେତୃତ୍ବାଧୀନ ସମାଜବାଦୀ ଆଭିମୁଖ୍ୟ ସହିତ ଖାପ ଖାଇ କାର୍ଯ୍ୟ କରିବାକୁ ପଡ଼ିଥିଲା। ନେହେରୁଙ୍କ କନ୍ୟା ଇନ୍ଦିରାଙ୍କ ସମୟରେ ଏହି କୋମଳ ସମାଜବାଦ ଯେତେବେଳେ ବ୍ୟାଙ୍କ୍-ଜାତୀୟକରଣ ଭଳି ପଦକ୍ଷେପମାନ ମାଧ୍ୟମରେ ଏକ ଉଗ୍ର ସମାଜବାଦର ରୂପ ନେଲା, ଦେଶରେ ବ୍ୟାଙ୍କ୍ ବ୍ୟବସାୟର ସର୍ବୋଚ୍ଚ ନିୟନ୍ତ୍ରକ ଭାବରେ ରିଜର୍ଭ ବ୍ୟାଙ୍କ୍‌କୁ ସେଥି ସହିତ ତାଳ ଦେଇ ଚାଲିବାକୁ ହେଲା। ପୁଣି ସେଇ କଂଗ୍ରେସର ସଂସ୍କାରବାଦୀ ନେତା ପି ଭି ନରସିଂହରାଓଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ୧୯୯୧ରେ ଆରମ୍ଭ ହୋଇଥିବା ବ୍ୟାପକ ଅର୍ଥନୈତିକ ଉଦାରୀକରଣ ପରେ ଯେତେବେଳେ ବ୍ୟାଙ୍କ୍ ବ୍ୟବସାୟ ତଥା ବିତ୍ତୀୟ କ୍ଷେତ୍ରକୁ ଅଧିକ ସ୍ବାଧୀନତା ପ୍ରଦାନ କରାଗଲା (ନିର୍ଦ୍ଦେଶିତ ଋଣଦାନ ନୀତିରେ ପରିବର୍ତ୍ତନ ଘଟିଲା, ସୁଧ ହାର ନିୟନ୍ତ୍ରଣ ମୁକ୍ତ ହେଲା, ବୈଦେଶିକ ମୁଦ୍ରା ବଜାର ଉପରେ ନିୟନ୍ତ୍ରଣ କୋହଳ କରାଗଲା, ଘରୋଇ ବ୍ୟାଙ୍କ୍‌ମାନଙ୍କୁ ଲାଇସେନ୍‌ସ ପ୍ରଦାନ କରାଗଲା...) ସେତେବେଳେ ମଧ୍ୟ ରିଜର୍ଭ ବ୍ୟାଙ୍କ ଅର୍ଥନୀତିର ଏହି ନୂତନ ଯାତ୍ରାକୁ ସଠିକ୍ ପଥରେ ଆଗେଇବା ନିମିତ୍ତ ଆବଶ୍ୟକ ଦିଗ୍‌ଦର୍ଶନ ଦେବା ପାଇଁ ମହଜୁଦ୍ ରହି ଆସିଥିଲା।
ନିକଟ ଅତୀତରେ ରିଜର୍ଭ ବ୍ୟାଙ୍କ୍ ଆକ୍ଟରେ ଏକ ମୌଳିକ ପରିବର୍ତ୍ତନ ଘଟାଯାଇ ଯେତେବେଳେ ଏହା ଉପରେ ଏକ ନୂତନ ବାଧ୍ୟତାମୂଳକ ଦାୟିତ୍ବ ନ୍ୟସ୍ତ କରାଯାଇଛି, ରିଜର୍ଭ ବ୍ୟାଙ୍କ୍‌ ତାହାକୁ ମଧ୍ୟ ଉପଯୁକ୍ତ ଭାବରେ ସଂପାଦନ କରିବା ପାଇଁ ଆଗେଇ ଆସିବା ଦେଖାଯାଇଛି। ଏହି ସଂଶୋଧନ ବଳରେ ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ରିଜର୍ଭ ବ୍ୟାଙ୍କ୍‌ର ମୁଖ୍ୟ ଦାୟିତ୍ବରେ ପରିଣତ କରାଯାଇଛି। ଏହା ଅନୁଯାୟୀ ସୁଧ ହାର ଓ ଅନ୍ୟାନ୍ୟ ଉପାଦାନମାନଙ୍କରେ ଆବଶ୍ୟକ ପରିବର୍ତ୍ତନମାନ ଘଟାଇ ରିଜର୍ଭ ବ୍ୟାଙ୍କ୍‌କୁ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାରକୁ ଯଥାସମ୍ଭବ ବାର୍ଷିକ ୪ ଶତାଂଶ ସ୍ତରରେ ଆବଦ୍ଧ ରଖିବାର ଦାୟିତ୍ବ ପ୍ରଦାନ କରାଯାଇଛି, ଯାହାକୁ ଏହି କେନ୍ଦ୍ରୀୟ ବ୍ୟାଙ୍କ୍ ମିଶ୍ରିତ ସଫଳତାର ସହିତ ହାସଲ କରିଚାଲିଛି।
ବ୍ୟାଙ୍କିଙ୍ଗ୍‌ ନିୟନ୍ତ୍ରଣ କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ୍ ହାସଲ କରିଥିବା ଏକ ଉଲ୍ଲେଖନୀୟ ସଫଳତା ହେଉଛି ସମୟକ୍ରମେ ପୂର୍ବର ହୁଗୁଳା ନୀତି ଯୋଗୁଁ ବ୍ୟାଙ୍କ୍‌ମାନଙ୍କରେ ସୃଷ୍ଟି ହୋଇଥିବା ଅଚଳ ଋଣ ବା ‘ଏନ୍‌ପିଏ’ ପାହାଡ଼ମାନଙ୍କର ସଫେଇ। ତଥାପି ନିକଟ ଅତୀତରେ ଘଟିଥିବା ‘ୟେସ୍ ବ୍ୟାଙ୍କ୍‌’ କିମ୍ବା ‘ଆଇଏଲ୍ଏଫ୍ଏସ୍’ ଭୁଶୁଡ଼ିବା ଭଳି ଘଟଣା ମଧ୍ୟ ରିଜର୍ଭ ବ୍ୟାଙ୍କ୍‌ର ଅଧୀକ୍ଷଣ ବ୍ୟବସ୍ଥାରେ ଆହୁରି ଉନ୍ନତିର ଆବଶ୍ୟକତା ସମ୍ବନ୍ଧରେ ସତର୍କ ସୂଚନା ବହନ କରିଥାଏ।
ଏହା ସତ ଯେ ‘ରିଜର୍ଭ ବ୍ୟାଙ୍କ୍ ଆକ୍ଟ’ ଅନୁସାରେ ରିଜର୍ଭ ବ୍ୟାଙ୍କ୍‌ର କାର୍ଯ୍ୟରେ ହସ୍ତକ୍ଷେପ କରିବା ପାଇଁ ସରକାରଙ୍କୁ ସୁଯୋଗ ଦିଆଯାଇଛି, ଯେଉଁଥିପାଇଁ ରିଜର୍ଭ ବ୍ୟାଙ୍କ୍‌କୁ ଅନେକ ସମୟରେ ପରସ୍ପର-ବିରୋଧୀ ଆଭିମୁଖ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ବେଶ୍ କସରତ କରିବାକୁ ପଡ଼ିଥାଏ- ଯେମିତି ସୁଧ ହାର ନୀଚା ରଖିବାକୁ ସରକାର ଚାହୁଁଥିବା ବେଳେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ସୁଧ ହାରରେ ବୃଦ୍ଧି ଘଟାଇବାକୁ ଚାହିଁଥାଏ। କିନ୍ତୁ ଏକ ନିପୁଣ ବାଉଁଶରାଣୀ ଖେଳାଳି ଭଳି ରିଜର୍ଭ ବ୍ୟାଙ୍କ୍ ଯେ ବିଗତ ନ’ ଦଶକରେ କେବେ ହେଲେ ସନ୍ତୁଳନ ହରାଇ ଖସିପଡ଼ି ନାହିଁ, ତାହା କେହି ଅସ୍ବୀକାର କରିପାରିବେ ନାହିଁ।