ଏହା ସୁବିଦିତ ଯେ ‘ନାଟୋ’ ପକ୍ଷରୁ ୟୁକ୍ରେନ୍କୁ ଅପରିମେୟ ସାମରିକ ସହାୟତା ଦିଆଯାଉଛି, ଯାହା ଏହି ଯୁଦ୍ଧକୁ ଅତ୍ୟନ୍ତ ନିର୍ମମ ଏବଂ ଦୀର୍ଘକାଳୀନ କରିଛି। ଏହା ନିଶ୍ଚିତ ଯେ ଗଣତନ୍ତ୍ର, ଉଦାରବାଦ, ବ୍ୟକ୍ତି ସ୍ବାଧୀନତା ଏବଂ ନ୍ୟାୟ ପ୍ରତିଷ୍ଠାର ପରମ ପୃଷ୍ଠପୋଷକ ଭାବେ ନିଜକୁ ଅଭିହିତ କରି ଗର୍ବରେ ସ୍ଫୀତ-ବକ୍ଷ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ‘ନାଟୋ’ର ଜନ୍ମ ଦିବସ ପାଳନ କରୁଥିବା ବେଳେ ଅବଶ୍ୟ ଅବଗତ ଥିବେ ଯେ ସେହି ସଂଗଠନଟି ଏକ ବିଶାଳ ବପୁବନ୍ତ ‘ଦାଦା’ରେ ପରିଣତ ହେଲାଣି। କିନ୍ତୁ ପତିଆରା ବିସ୍ତାର ଲାଗି ‘ଦାଦା’ ପ୍ରତିପୋଷଣ କରିବା ମଧ୍ୟ କମ୍ ଜାନ୍ତବ ଉଲ୍ଲାସ ସୃଷ୍ଟି କରି ନ ଥାଏ!
ଗଲା ୫ ତାରିଖରେ ବେଲଜିଅମର ରାଜଧାନୀ ବ୍ରସେଲ୍ସ ଠାରେ ବତିଶଟି ପାଶ୍ଚାତ୍ୟ ରାଷ୍ଟ୍ରର ବୈଦେଶିକ ବ୍ୟାପାର ମନ୍ତ୍ରୀଗଣ ଏକତ୍ର ହୋଇ ‘ଟ୍ରଂପେଟ୍’ (ତୂରୀ)ର ନିନାଦ ତାଳେ ତାଳେ ଫେନାୟିତ ମଦିରା ପିଆଲାମାନ ଟେକି, କେକ୍ କାଟି ଯାହାର ପଚସ୍ତରିତମ ଜନ୍ମ ଦିବସ ପାଳନ କରିଛନ୍ତି, ତାହା ହେଉଛି ‘ନାଟୋ’ (ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍) ନାମକ ଏକ ଅନୁଷ୍ଠାନ; ଯାହାକୁ ୧୯୪୯ ମସିହାରେ ୧୨ଗୋଟି ଭୟ-ଉଦ୍ବିଗ୍ନ ରାଷ୍ଟ୍ର ସେମାନଙ୍କ ଆତ୍ମରକ୍ଷା ସକାଶେ ଘୋର ଅନିଶ୍ଚିତତା ସହିତ ଗଠନ କରିଥିଲେ। ସଂପ୍ରତି ତାହା ବତିଶଟି ସଦସ୍ୟ ରାଷ୍ଟ୍ରଙ୍କୁ ଧାରଣ କରି ହୃତ୍କଂପ ସୃଷ୍ଟି କଲା ଭଳି ଅପରିମେୟ ସାମରିକ ଶକ୍ତିସଂପନ୍ନ ଅନୁଷ୍ଠାନରେ ପରିଣତ ହୋଇଛି। ଏହି ପରିପ୍ରେକ୍ଷୀରେ ଦୁଇଟି ପୂର୍ଣ୍ଣାଙ୍ଗ ଯୁଦ୍ଧ ଏବଂ ପ୍ରାୟ ତିରିଶଟି ଛୋଟବଡ଼ ରକ୍ତକ୍ଷରା ସଂଘର୍ଷ କାରଣରୁ ଏବେ ଯେତେବେଳେ ପୃଥିବୀ ଏକ ଅତ୍ୟନ୍ତ ଅଶାନ୍ତ ଗ୍ରହରେ ପରିଣତ ହୋଇଛି, ସେତିକି ବେଳେ ‘ନାଟୋ’ର ଆଡ଼ମ୍ବରପୂର୍ଣ୍ଣ ଜନ୍ମଦିନ ପାଳନ ଉତ୍ସବ, ଏହାର ପ୍ରଭାବ, ପରାକ୍ରମ ଏବଂ ଚରିତ୍ର ଉପରେ ଏକ କ୍ଷୁଦ୍ର ଆଲୋଚନା କରିବାକୁ ପ୍ରରୋଚିତ କରିଥାଏ।
ଉଲ୍ଲେଖଯୋଗ୍ୟ ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ଉପରାନ୍ତ ପୃଥିବୀରେ ସୋଭିଏତ୍ ରୁଷିଆର ସର୍ବମୟ କର୍ତ୍ତା ଜୋସେଫ୍ ଷ୍ଟାଲିନ୍ଙ୍କ ଚରମ ଆଧିପତ୍ୟ ବିସ୍ତାରକାରୀ ଆଭିମୁଖ୍ୟ ‘ନାଟୋ’ର ପରିକଳ୍ପନାକୁ ଜନ୍ମ ଦେଇଥିଲା, ଯାହା ପ୍ରମୁଖ ଭାବେ ଥିଲା ୟୁରୋପୀୟ ରାଷ୍ଟ୍ରଙ୍କ ଏକ ସଂଗଠନ, ଯହିଁରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କ୍ରମେ ଅନ୍ୟାନ୍ୟ ଅନେକ ୟୁରୋପୀୟ ରାଷ୍ଟ୍ର ଯୋଗ ଦେଇଥିଲା। ଏହି ସଂଗଠନର ପ୍ରାଥମିକ ଉଦ୍ଦେଶ୍ୟ ଏହା ଥିଲା ଯେ ଗୋଟିଏ ଛତ୍ର ତଳେ ଏକତ୍ର ରାଷ୍ଟ୍ରଗୁଡ଼ିକ ଆବଶ୍ୟକତା ଅନୁଯାୟୀ ପରସ୍ପରକୁ ଅର୍ଥ ଏବଂ ସାମରିକ ସହାୟତା ପ୍ରଦାନ କରିବେ। ଏହାର ଗଠନକାଳୀନ ସନନ୍ଦର ଧାରା ‘୫’ରେ ବିଦ୍ୟମାନ ଥିଲା ଏହି ଅନୁଷ୍ଠାନର ମୂଳ ଏବଂ ପ୍ରମୁଖ ଉଦ୍ଦେଶ୍ୟ, ଯାହା କହିଥିଲା ଯେ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ କୌଣସି ଗୋଟିକ ଉପରେ ଯଦି ବାହ୍ୟ ଶତ୍ରୁ ଆକ୍ରମଣ କରନ୍ତି, ତେବେ ସଂଗଠନର ସମସ୍ତ ରାଷ୍ଟ୍ର ମିଳିତ ଭାବେ ତାହାର ପ୍ରତ୍ୟୁତ୍ତର ଦେବେ। ସୁତରାଂ, ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ଏ ଦିଗରେ ମାନବ ଓ ଅର୍ଥ ସମ୍ବଳ ଯୋଗାଇବା ପ୍ରାରମ୍ଭ କରିଥିଲେ। ପ୍ରକାଶ ଥାଉ କି ‘ନାଟୋ’ର କ୍ରମାଗତ ଶକ୍ତି ବୃଦ୍ଧିରେ ବିଚଳିତ ହୋଇ ୧୯୫୫ ମସିହାରେ ସୋଭିଏତ ରୁଷିଆ ପକ୍ଷରୁ କମ୍ୟୁନିଷ୍ଟ ବ୍ଲକ୍ ଅନ୍ତର୍ଗତ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏକ ସମଧର୍ମା ଚୁକ୍ତିରେ ଏକତ୍ର ହୋଇଥିଲେ, ଯାହାର ନାମ ଥିଲା ‘ୱାର୍ସ ପ୍ୟାକ୍ଟ’ ବା ‘ୱାର୍ସ ଚୁକ୍ତି’। ସୁତରାଂ, ୧୯୪୯ ମସିହାରୁ ୧୯୯୧ ମସିହା ପର୍ଯ୍ୟନ୍ତ, ଅର୍ଥାତ୍ ସୋଭିଏତ ରୁଷିଆର ବିଘଟନ ଏବଂ ବିଲୟ ନ ଘଟିବା ପର୍ଯ୍ୟନ୍ତ ବା ସେହି ଘନଘଟା ଭିତରେ ‘ୱାର୍ସ ଚୁକ୍ତି’ ପ୍ରାଣହୀନ ହୋଇ ନ ଯିବା ଯାଏ ‘ନାଟୋ’ ପ୍ରାୟତଃ ଏକ ସ୍ଥାଣୁ ଅନୁଷ୍ଠାନ ହୋଇ ରହିଥିଲା। ସମକାଳୀନ ଅନେକ ଦସ୍ତାବେଜରୁ ଉଦ୍ଧାର କରି ବିଶେଷଜ୍ଞମାନେ କହିଥାଆନ୍ତି ଯେ ସୋଭିଏତ୍ ରୁଷିଆ ଏବଂ ‘ୱାର୍ସ’ ଚୁକ୍ତିକୁ ନିଶ୍ଚିହ୍ନ କରିଥିବା ସୋଭିଏତ୍ ରୁଷିଆର ତତ୍କାଳୀନ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କୁ କୁଆଡ଼େ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍ ପ୍ରତିଶ୍ରୁତି ପ୍ରଦାନ କରି କହିଥିଲେ ଯେ ‘ନାଟୋ’ ଆଉ ନୂତନ ସଦସ୍ୟ ଗ୍ରହଣ କରି ନିଜକୁ ଇଞ୍ଚେ ହେଲେ ମଧ୍ୟ ସଂପ୍ରସାରିତ କରିବ ନାହିଁ; କିନ୍ତୁ ତାହାର ବିପରୀତଟି ହିଁ ଘଟିଛି। ସୋଭିଏତ୍ ଓ ‘ୱାର୍ସ ପ୍ୟାକ୍ଟ’ର ଅନୁପସ୍ଥିତିରେ ନିରଙ୍କୁଶ ‘ନାଟୋ’ ପକ୍ଷରୁ ଗଣତନ୍ତ୍ରର ସୁରକ୍ଷା, ପ୍ରପୀଡ଼ିତର ପରିତ୍ରାଣ, ଏକଛତ୍ରବାଦର ମୂଳୋତ୍ପାଟନ ନାମରେ ଯୁଦ୍ଧମାନ ସଂଘଟିତ କରାଯାଇଛି ସତ, କିନ୍ତୁ ଏକ ବିଡ଼ମ୍ବନା ସ୍ବରୂପ ପୃଥିବୀର ଅନେକ ରାଷ୍ଟ୍ର ଏଥିରେ ଉପକୃତ ହେବା ବଦଳରେ ଧ୍ବଂସ ସ୍ତୂପରେ ପରିଣତ ହୋଇଛନ୍ତି!ସଂପ୍ରତି ‘ନାଟୋ’ରେ ନିୟୋଜିତ ଅଛନ୍ତି ୩୫ ଲକ୍ଷ ସୈନ୍ୟ ବଳ ଏବଂ ଏହା ନିକଟରେ ଉପଲବ୍ଧ ୫୦୦୦ ସରିକି ଆଣବିକ ‘ୱାର୍ ହେଡ୍’ (ବୋମା)!
ଏହି ପେକ୍ଷାପଟରେ ‘ନାଟୋ’ର କେତେକ ପ୍ରମୁଖ ପଦକ୍ଷେପ ଉପରେ ଦୃଷ୍ଟିପାତ କରାଯାଉ। ସୋଭିଏତ୍ରୁ ଖଣ୍ଡିତ ଯୁଗୋସ୍ଲୋଭିଆରେ ‘ଏଥ୍ନିକ’ ବା ‘ଥାନୀ’ ଗୋଷ୍ଠୀ ସଂଘର୍ଷ ବେଳେ ସଂଖ୍ୟା-ଲଘୁ ଆଲବିନୀୟମାନଙ୍କୁ ସୁରକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ‘ନାଟୋ’ର ଦୀର୍ଘ ୭୮ ଦିନର ଅବିଶ୍ରାନ୍ତ ବୋମାମାଡ଼ ଯୁଗୋସ୍ଲୋଭିଆକୁ ଚୂର୍ଣ୍ଣ କରି ଦେଇଥିଲା ଓ ୨୦୦୦ ସାଧାରଣ ନାଗରିକଙ୍କ ପ୍ରାଣ ନେଇଥିଲା। ଯୁକ୍ତରାଷ୍ଟ୍ର ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣର ପ୍ରତ୍ୟୁତ୍ତର ସ୍ବରୂପ ମିଳିତ ‘ନାଟୋ’ ବାହିନୀ ଦ୍ବାରା ଆଫଗାନିସ୍ତାନ ଉପରେ ଆକ୍ରମଣ ସେହି ଦରିଦ୍ର ରାଷ୍ଟ୍ରକୁ ଏକ ଧ୍ବଂସ ସ୍ତୂପରେ ପରିଣତ କରିଥିଲା। ଜାତିସଂଘ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆଫଗାନିସ୍ତାନରେ ‘ନାଟୋ’ ବାହିନୀ ଦ୍ବାରା ମୃତ୍ୟୁବରଣ କରିଥିବା ସାଧାରଣ ଲୋକଙ୍କ ସଂଖ୍ୟା ୭୧୭ ହୋଇଥିବା ବେଳେ ତାଲିବାନ ଦ୍ବାରା ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କ ସଂଖ୍ୟା ଥିଲା ୫୩୧। ସେହିଭଳି ଲିବିୟାର ଏକଛତ୍ରବାଦୀ ଶାସକ କର୍ନେଲ ମୁଆମାର ଗଦ୍ଦାଫିଙ୍କୁ କ୍ଷମତାଚ୍ୟୁତ କରିବାରେ ‘ନାଟୋ’ର ହସ୍ତକ୍ଷେପ ସେହି ଲକ୍ଷ୍ୟ ପୂରଣ କଲା ସତ, କିନ୍ତୁ ସେହି ଖଣିଜ ତୈଳ ସମୃଦ୍ଧ ରାଷ୍ଟ୍ର ସଂପ୍ରତି ଏକ ବିଧ୍ବସ୍ତ ଅରାଜକ ଅଞ୍ଚଳରେ ପରିଣତ ହୋଇଛି। ଜାତିସଂଘର ରିପୋର୍ଟ ଅନୁସାରେ ଏ ଯାବତ୍ ‘ନାଟୋ’ ଆକ୍ରମଣଗୁଡ଼ିକରେ ମୃତ୍ୟୁବରଣ କରିଥିବା ସାଧାରଣ ନାଗରିକଙ୍କ ସଂଖ୍ୟା ହେଉଛି ୪୭ ହଜାର। ଏବଂ ଏ ସମସ୍ତ ପ୍ରକରଣରେ ‘ନାଟୋ’ର ଆଚରଣ ଏଥି ଲାଗି ବ୍ୟଥିତ କଲା ଭଳି ହୋଇଥାଏ; କାରଣ ଲକ୍ଷ୍ୟ ପୂରଣ ହୋଇଯିବା ପରେ ଯୁଦ୍ଧ ବିଧ୍ବସ୍ତ ରାଷ୍ଟ୍ର ବା ଜନସାଧାରଣଙ୍କୁ ପରିତ୍ୟାଗ କରି ଦର୍ପୋନ୍ନତ ଠାଣିରେ ‘ନାଟୋ’ ସେଠାରୁ ଏଭଳି ନିଷ୍କ୍ରାନ୍ତ ହୋଇଯାଏ, ସତେ ଯେମିତି କିଛି ହେଲେ ଘଟିନାହିଁ।
ସଂପ୍ରତି ରୁଷିଆ-ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ପୁଟିନ୍ ଜଣେ ଖଳନାୟକ ଭାବେ ଦୃଶ୍ୟମାନ ହୁଅନ୍ତି; କିନ୍ତୁ ଏଥିରେ ‘ନାଟୋ’ର ଦୁରଭିସନ୍ଧିମୂଳକ ଭୂମିକାକୁ ମଧ୍ୟ ଦୋଷ ନ ଦେଇ ରହି ହୁଏନାହିଁ। କହିବା ବାହୁଲ୍ୟ ଯେ ୧୯୯୧ ମସିହାରେ ଜର୍ଜ ବୁଶ ପ୍ରଦାନ କରିଥିବା ପ୍ରତିଶ୍ରୁତିକୁ ମୂଲ୍ୟହୀନ ସାବ୍ୟସ୍ତ କରି ‘ନାଟୋ’ ନିଜକୁ ସଂପ୍ରସାରିତ କରି ଚାଲିଛି ଏବଂ ପୂର୍ବ ୟୁେରାପୀୟ ରାଷ୍ଟ୍ରଗୁଡ଼ିକୁ ଗର୍ଭସ୍ଥ କରି ତାହା ଏବେ ତା’ର ଆଜନ୍ମ ଶତ୍ରୁ ରୁଷିଆର ଦ୍ବାର ଦେଶରେ। ଏହା ଭ୍ଲାଡିମିର୍ ପୁଟିନ୍ଙ୍କୁ ସ୍ବାଭାବିକ ଭାବେ ଅସୁରକ୍ଷିତ ଓ ଉତ୍ତେଜିତ କରିଥିବ। ପ୍ରକାଶ ଥାଉ କି ସପ୍ତଦଶ ଶତାବ୍ଦୀରୁ ବିଂଶ ଶତାବ୍ଦୀ ମଧ୍ୟରେ ରୁଷିଆ ଯଥାକ୍ରମେ ପୋଲାଣ୍ଡ୍, ସ୍ବିଡେନ୍, ଫ୍ରାନ୍ସ (ନେପୋଲିଅନ୍ ବୋନାପାର୍ଟ) ଏବଂ ଜର୍ମାନି (ଆଡଲ୍ଫ ହିଟଲର୍ଙ୍କ ନେତୃତ୍ବାଧୀନ ଅକ୍ଷ-ଶକ୍ତି) ଦ୍ବାରା ଆକ୍ରମଣର ଶରବ୍ୟ ହୋଇଛି, ଯେଉଁ କାରଣରୁ ସେହିସବୁ ରାଷ୍ଟ୍ରଗୁଡ଼ିକୁ ଧାରଣ କରିଥିବା ‘ନାଟୋ’ ରୁଷିଆ ପକ୍ଷରେ ଅସହନୀୟ ହୋଇ ଉଠିବା ସ୍ବାଭାବିକ। ସୁତରାଂ, ‘ନାଟୋ’ ପକ୍ଷରୁ ୟୁକ୍ରେନ୍କୁ ଗୋଷ୍ଠୀଭୁକ୍ତ ହେବା ଲାଗି ପ୍ରସ୍ତାବ ଓ ୟୁକ୍ରେନ୍ ଦ୍ବାରା ତା’ର ଗ୍ରହଣ ଅଗତ୍ୟା ପୁଟିନ୍ଙ୍କ ଧୈର୍ଯ୍ୟର ବନ୍ଧକୁ ଭାଙ୍ଗି ପକାଇଥିବ: ଅର୍ଥାତ୍ ଏକ ସାର୍ବଭୌମ ସ୍ବାଧୀନ ରାଷ୍ଟ୍ର ଉପରେ ଆକ୍ରମଣ କରିଥିବା ପୁଟିନ୍ଙ୍କ ତୁଳନାରେ ଯୁଦ୍ଧ ଉସୁକାଇଥିବା ‘ନାଟୋ’ କମ୍ ଦୋଷୀ ନୁହେଁ। ଏହା ସୁବିଦିତ ଯେ ‘ନାଟୋ’ ପକ୍ଷରୁ ୟୁକ୍ରେନ୍କୁ ଅପରିମେୟ ସାମରିକ ସହାୟତା ଦିଆଯାଉଛି, ଯାହା ଏହି ଯୁଦ୍ଧକୁ ଅତ୍ୟନ୍ତ ନିର୍ମମ ଏବଂ ଦୀର୍ଘକାଳୀନ କରିଛି। ଏହା ନିଶ୍ଚିତ ଯେ ଗଣତନ୍ତ୍ର, ଉଦାରବାଦ, ବ୍ୟକ୍ତି ସ୍ବାଧୀନତା ଏବଂ ନ୍ୟାୟ ପ୍ରତିଷ୍ଠାର ପରମ ପୃଷ୍ଠପୋଷକ ଭାବେ ନିଜକୁ ଅଭିହିତ କରି ଗର୍ବରେ ସ୍ଫୀତ-ବକ୍ଷ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ‘ନାଟୋ’ର ଜନ୍ମ ଦିବସ ପାଳନ କରୁଥିବା ବେଳେ ଅବଶ୍ୟ ଅବଗତ ଥିବେ ଯେ ସେହି ସଂଗଠନଟି ଏକ ବିଶାଳ ବପୁବନ୍ତ ‘ଦାଦା’ରେ ପରିଣତ ହେଲାଣି। କିନ୍ତୁ ପତିଆରା ବିସ୍ତାର ଲାଗି ‘ଦାଦା’ ପ୍ରତିପୋଷଣ କରିବା ମଧ୍ୟ କମ୍ ଜାନ୍ତବ ଉଲ୍ଲାସ ସୃଷ୍ଟି କରି ନ ଥାଏ!