ଅର୍ଥନୈତିକ ବୈଷମ୍ୟ ଉଦ୍ୟୋଗୀମାନଙ୍କ ପାଇଁ ପ୍ରୋତ୍ସାହନ ସ୍ବରୂପ କାର୍ଯ୍ୟ କରିଥାଏ। ବୈଷମ୍ୟ ଉତ୍କଟ ହେଲେ ସରକାର ବିଭିନ୍ନ ଉପାୟେର ତାହାକୁ ସଂଯତ କରିପାରିବେ, ଯେମିତି ପ୍ରୋତ୍ସାହନ ବାଧା ପାଇବ ନାହିଁ ଏବଂ ବର୍ଦ୍ଧିଷ୍ଣୁ ଅର୍ଥନୀତି ରୂପକ ସୁନା ଅଣ୍ଡା ଦେଉଥିବା କୁକୁଡ଼ାଟି ସୁରକ୍ଷିତ ରହି ଅଣ୍ଡା ଦେଇ ଚାଲିଥିବ। କିନ୍ତୁ କଳେବଳେ କୌଶଳେ କ୍ଷମତା ଫେରିପାଇବା ପାଇଁ ରାହୁଳ ଗାନ୍ଧୀ କିମ୍ବା ସାମ୍ ପିଟ୍ରୋଡ଼ା ଯେଉଁଭଳି ଦେଶରେ ସମ୍ପତ୍ତିର ପୁନର୍ବଣ୍ଟନ ନିମିତ୍ତ ଆହ୍ବାନ ଦେଉଛନ୍ତି, ତାହା ହେଉଛି ଆଶୁ ଲାଭ ଆଶାରେ ସେ କୁକୁଡ଼ାଟିକୁ ମାରିଦେବା ଭଳି।
ଭାରତ ହେଉଛି ଏକ ଉଦାର ଗଣତନ୍ତ୍ର ଯାହାର ଅର୍ଥନୀତି ଏକ ପୁଞ୍ଜିବାଦୀ ବଜାରଭିତ୍ତିକ ବ୍ୟବସ୍ଥାକୁ ଅନୁସରଣ କରିଥାଏ। ଏହି ଉଭୟ ବ୍ୟବସ୍ଥା ହେଉଛନ୍ତି ପରସ୍ପରର ଯମଜ ଭଗିନୀ ସଦୃଶ। ପୃଥିବୀସାରା ଏହି ପ୍ରକାର ରାଜନୈତିକ-ଅର୍ଥନୈତିକ ଢାଞ୍ଚା ପ୍ରଚଳିତ ଥିବା ଦେଶମାନଙ୍କରେ ଯାହା ଆଇନ ଓ ସାଂବିଧାନିକ ବ୍ୟବସ୍ଥାର ମୂଳଭିତ୍ତି ରୂପେ କାର୍ଯ୍ୟ କରିଥାଏ, ତାହା ହେଉଛି ‘ରୋମାନ୍ ଲ’ ବା ‘ରୋମୀୟ ଆଇନ’ (ସେଇଥିପାଇଁ ଏବେ ବି ଭାରତ ସମେତ ପୃଥିବୀସାରାର ଆଇନ ଛାତ୍ରଛାତ୍ରୀମାନଙ୍କୁ ଅସଂଖ୍ୟ ଲାଟିନ୍ ଅଭିବ୍ୟକ୍ତିମାନ ମୁଖସ୍ତ କରିବାରେ ବହୁତ ସମୟ ବିନିଯୋଗ କରିବାକୁ ହୋଇଥାଏ)। ଏହାକୁ ଦୃଷ୍ଟିରେ ରଖି ପ୍ରଖ୍ୟାତ ଜର୍ମାନ୍ ଆଇନତତ୍ତ୍ବବିତ୍ ରୁଡଲ୍ଫ ଭନ୍ ଝେରିଙ୍ଗ୍ ରହସ୍ୟରେ କହିଥିଲେ ଯେ ପ୍ରାଚୀନ ରୋମ୍ ତିନିଥର ପୃଥିବୀ ବିଜୟ କରିଥିଲା: ପ୍ରଥମଥର ତା’ର ସେନାବାହିନୀ ଦ୍ବାରା; ଦ୍ବିତୀୟଥର ଧର୍ମ ମାଧ୍ୟମରେ; ତୃତୀୟଥର ତା’ର ଆଇନ ମାଧ୍ୟମରେ। ସାମରିକ ବିଜୟ ଦ୍ବାରା ସ୍ଥାପିତ ରୋମ୍ ସାମ୍ରାଜ୍ୟ ପୃଥିବୀର ଏକ କ୍ଷୁଦ୍ର ଅଞ୍ଚଳ ମଧ୍ୟରେ ସୀମିତ ଥିବାବେଳେ, ରୋମାନ୍ କ୍ୟାଥଲିକ୍ ଖ୍ରୀଷ୍ଟଧର୍ମ ତା’ ଠାରୁ ଅଧିକ ଅଞ୍ଚଳରେ ପ୍ରସାର ଲାଭ କରିଥିଲା; କିନ୍ତୁ ରୋମାନ୍ ଆଇନ ସାରା ପୃଥିବୀ ଉପରେ ବିଜୟ ହାସଲ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଝେରିଙ୍ଗ୍ଙ୍କ ଅନୁସାରେ ରୋମାନ୍ ଆଇନ ଏପରି ବିଶ୍ବବ୍ୟାପୀ ଗ୍ରହଣୀୟତା ହାସଲ କରିବା ପଛରେ ନିହିତ ଥିବା ମୁଖ୍ୟ କାରଣ ହେଉଛି, ଆଇନତତ୍ତ୍ବକୁ ଏକ ପ୍ରକୃତ ବିଜ୍ଞାନରେ ପରିଣତ କରିବାରେ ରୋମାନ୍ମାନେ ଥିଲେ ପୃଥିବୀରେ ସର୍ବପ୍ରଥମ।
ଏହି ରୋମାନ୍ ଆଇନ ଅନ୍ତର୍ଗତ ଅନେକ ସାରଗର୍ଭକ ଧାରଣାମାନଙ୍କ ମଧ୍ୟରୁ ସର୍ବଦା ଅସୀମ ପ୍ରାସଙ୍ଗିକତା ବହନ କରିଆସିଥିବା ଏକ ଧାରଣା ହେଉଛି- ସମ୍ପତ୍ତି। ରୋମାନ୍ ଆଇନ ଅନୁସାରେ ସମ୍ପତ୍ତି ବା ଲାଟିନ୍ରେ ‘ଡୋମିନିଅମ୍’ ହେଉଛି ଜଣେ ବ୍ୟକ୍ତି ଓ ଏକ ବସ୍ତୁ ମଧ୍ୟରେ ଥିବା ଏକ ବିଶେଷ ସମ୍ପର୍କ, ଯାହା ହେଉଛି ସମ୍ପୃକ୍ତ ବସ୍ତୁ ଉପରେ ସେହି ବ୍ୟକ୍ତିର ଅଖଣ୍ଡ ଅଧିକାର। ସମ୍ପତ୍ତିର ଏପରି ସଂଜ୍ଞା କିନ୍ତୁ କେତେକ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ। ଯେମିତି, ଜଣେ ସଜୀବ ମନୁଷ୍ୟ ଅନ୍ୟ ଜଣେ ସଜୀବ ମନୁଷ୍ୟ ସହିତ ‘ସମ୍ପର୍କ’ ସ୍ଥାପନ କରିପାରେ, କିନ୍ତୁ ସେ ଏକ ନିର୍ଜୀବ ବସ୍ତୁ ସହିତ କିପରି ‘ସମ୍ପର୍କ’ ସ୍ଥାପନ କରିପାରିବ? ଏବଂ ଯଦି ସେ ସମ୍ପର୍କ ସ୍ଥାପନ କରେ, ତେବେ ତାହାକୁ ଏକ ଆଇନଗତ ମାନ୍ୟତା ପ୍ରଦାନ କରାଯିବାର ଅର୍ଥ କ’ଣ ହେବ? ଉଦାହରଣ ସ୍ବରୂପ ମନେ କରାଯାଉ ଜଣେ ବ୍ୟକ୍ତି ରବିନ୍ସନ୍ କ୍ରୁସୋଙ୍କ ଭଳି ଏକ ସମ୍ପୂର୍ଣ୍ଣ ନିର୍ଜନ ଦ୍ବୀପରେ ଅଟକି ଯାଇଛନ୍ତି। ମନେ କର ସେ ସେଠାରେ ଥିବା ଆମ୍ବ ଗଛମାନଙ୍କୁ ବହୁତ ଭଲପାଇ ସେମାନଙ୍କ ସହିତ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ସ୍ଥାପନ କଲେ ଏବଂ ସମୟକ୍ରମେ ସେମାନଙ୍କୁ ବିଭିନ୍ନ ନାମ ପ୍ରଦାନ କରି ସେମାନଙ୍କ ସହିତ କାଳ୍ପନିକ କଥୋପକଥନରେ ଦୀର୍ଘ ସମୟ ଅତିବାହିତ କରିବାରେ ଲାଗିଲେ। ତଥାପି କୁହାଯାଇପାରିବ କି, ସେ ଆମ୍ବ ଗଛଗୁଡ଼ିକ ହେଉଛନ୍ତି ସେ ବ୍ୟକ୍ତିଙ୍କର ସମ୍ପତ୍ତି? ଏ ପ୍ରଶ୍ନ ହେଉଛି ସ୍ପଷ୍ଟ ରୂପେ ଅର୍ଥହୀନ, କାରଣ ସେ ନିର୍ଜନ ଦ୍ବୀପରେ ଯେହେତୁ ଅନ୍ୟ କୌଣସି ମନୁଷ୍ୟ ନାହାନ୍ତି, ସେ ରବିନ୍ସନ୍ କ୍ରୁସୋଙ୍କୁ ସମ୍ପତ୍ତି ଅଧିକାର ସମ୍ବନ୍ଧରେ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ।
ସମ୍ପତ୍ତି ତେଣୁ ଜଣେ ବ୍ୟକ୍ତି ଓ ଏକ ବସ୍ତୁ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ ନାହିଁ। ଏହା ହେଉଛି ଏକ ବସ୍ତୁ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ହୋଇଥିବା ଏକ ବୁଝାମଣା। ଅନେକ ସମୟରେ ଆମେ ଏହି ବୁଝାମଣା ସମ୍ବନ୍ଧରେ ସଚେତନ ନ ଥିବାର କାରଣ ହେଲା ଆମର ଦୈନନ୍ଦିନ ଜୀବନରେ ଆମର ଜାମା, ଜୋତା, ଶାଢ଼ୀ, ମଙ୍ଗଳସୂତ୍ର ଆଦି ଉପରେ ସାରା ସମାଜର ଅନ୍ୟ କେହି ସଦସ୍ୟ ଅଧିକାର ଜାହିର କରିବାକୁ ଚେଷ୍ଟା କରି ନ ଥାଏ। ତେବେ ଏହା ମଧ୍ୟ ମନେ ରଖିବା ଦରକାର ଯେ ଏ ସମସ୍ତ ଦ୍ରବ୍ୟ ହେଉଛନ୍ତି ଆମର ସମ୍ପତ୍ତି ଅର୍ଥ ନୁହେଁ ଯେ ଏଗୁଡ଼ିକର ବ୍ୟବହାର ଉପରେ ଆମର ଅସୀମିତ ଅଧିକାର ରହିଛି: ଜୋତା ପିନ୍ଧି ଆମେ ଚାଲିପାରିବା, ଜୋତା ପିନ୍ଧି କାହାକୁ ଗୋଇଠା ମାରିବାର ଅଧିକାର ଆମର ନାହିଁ; ଆମ ଛୁରୀରେ ଆମେ ପରିବା କାଟିପାରିବା, ସେ ଛୁରୀକୁ କାହାଠାରେ ଭୂଷିବାର ଅଧିକାର ଆମର ନାହିଁ। ତେଣୁ ମୋର ସମ୍ପତ୍ତି ଉପରେ ମୋର ଅଧିକାରର ଏକମାତ୍ର ଅର୍ଥ ହେଉଛି, ଅନ୍ୟମାନଙ୍କୁ ତାହା ବ୍ୟବହାର କରିବାରେ ମୁଁ ଆଇନ ବଳରେ ବାଧା ଦେଇପାରିବି।
ରୋମାନ୍ ନ୍ୟାୟ ତତ୍ତ୍ବ ଯେଉଁ ସମ୍ପତ୍ତିକୁ ମୌଳିକ ଶ୍ରେଣୀର ସମ୍ପତ୍ତି ରୂପେ ବିଚାର କରିଥାଏ, ତାହା ହେଉଛି ଏହି ବ୍ୟକ୍ତିଗତ ବା ଘରୋଇ ସମ୍ପତ୍ତି। ଯେତେବେଳେ ଏହି ସମ୍ପତ୍ତିର ପୁନର୍ବଣ୍ଟନ ବର୍ତ୍ତମାନ ନିର୍ବାଚନ ଯୁଦ୍ଧରେ ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଦଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ଏକ ମୁଖ୍ୟ କ୍ଷେପଣାସ୍ତ୍ରରେ ପରିଣତ ହୋଇଛି, ସେତିକିବେଳେ ସଂବିଧାନର ରାଷ୍ଟ୍ରନୀତି ନିର୍ଦ୍ଧାରଣ ନିର୍ଦ୍ଦେଶାବଳୀ ସମ୍ବଳିତ ‘ଡିରେକ୍ଟିଭ ପ୍ରିନ୍ସିପ୍ଲସ୍ ଅଫ୍ ଷ୍ଟେଟ୍ ପଲିସି’ର ଧାରା-୩୯(ବି)ର ତର୍ଜମା କରିବା ଅବସରରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ନ’-ଜଣିଆ ବେଞ୍ଚ୍ ପ୍ରଦାନ କରିଥିବା ଏକ ମନ୍ତବ୍ୟ ଏହି ପରିପ୍ରେକ୍ଷୀରେ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ।
ମାନ୍ୟବର କୋର୍ଟ କହିଛନ୍ତି ଯେ ସେମାନେ ୧୯୭୭ରେ ଜଷ୍ଟିସ୍ ଭି ଆର୍ କ୍ରିଷ୍ଣା ଆୟାର୍ ପ୍ରଦାନ କରିଥିବା ଏହି ଧାରାର ମାର୍କ୍ସୀୟ ତର୍ଜମା ସହିତ ସହମତ ନୁହନ୍ତି, ଯାହା ଅନୁସାରେ ସାର୍ବଜନୀନ ମଙ୍ଗଳସାଧନ ଉଦ୍ଦେଶ୍ୟରେ ସମାଜର ଯେଉଁ ପାର୍ଥିବ ସମ୍ବଳମାନଙ୍କର ପୁନର୍ବଣ୍ଟନ କରାଯିବ, ସେଥିରେ ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟ ଅନ୍ତର୍ଭୁକ୍ତ। ଅର୍ଥାତ୍ ଉପରେ ସୂଚନା ଦିଆଯାଇଥିବା ଭଳି ନିଜର ବ୍ୟକ୍ତିଗତ ସମ୍ପତ୍ତି ସମ୍ବନ୍ଧରେ ଜଣେ ନାଗରିକ ଓ ସମାଜର ଅନ୍ୟ ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ଯେଉଁ ବୁଝାମଣା ହୋଇଥାଏ, ଏହି ମାର୍କ୍ସପନ୍ଥୀ ଚିନ୍ତାଧାରା ଅନୁସାରେ ତାହାର ଉଲ୍ଲଂଘନ କରାଯାଇପାରିବ, ଯେମିତି ଘଟିଥିଲା ୧୯୧୭ରେ ରୁଷିଆରେ ବଲ୍ସେଭିକ୍ ବିପ୍ଳବ ପରେ। ଏହି ଉଲ୍ଲଂଘନ ଅାଧାରରେ ଗଠିତ ସୋଭିଏତ୍ ୟୁନିଅନ୍ ଏହି ନୀତିର ଗୁରୁତର ଅନ୍ତର୍ନିହିତ ଦୁର୍ବଳତା ଯୋଗୁଁ ଶେଷରେ ୧୯୯୧ରେ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଥିଲା। ସେଇ ବଲ୍ସେଭିକ୍ ବିପ୍ଳବର ତିନି ଦଶନ୍ଧି ପରେ ଦୀର୍ଘ ଔପନିବେଶିକ ଶାସନରୁ ମୁକ୍ତିଲାଭ କରିଥିବା ଭାରତ ପାଇଁ ଏକ ସ୍ଥିର, ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ପ୍ରଚେଷ୍ଟା କରୁଥିବା ଭାରତୀୟ ସଂବିଧାନର ବିଜ୍ଞ ପ୍ରଣେତାମାନେ କେବେହେଲେ ସେଇ ବିପ୍ଳବର ଭୁଲ୍କୁ ଅନୁକରଣ କରିବାକୁ ଚାହିଁ ନ ଥିବେ। ବର୍ତ୍ତମାନ ସୁପ୍ରିମ୍ କୋର୍ଟର ନ’-ଜଣିଆ ବେଞ୍ଚ୍ କହିଥିବା ଭଳି ସଂବିଧାନର ପ୍ରଣେତାମାନେ କେବେହେଲେ ପୁନର୍ବଣ୍ଟନ ପାଇଁ ଉଦ୍ଦିଷ୍ଟ ସମାଜର ପାର୍ଥିବ ସମ୍ବଳମାନଙ୍କରେ ଘରୋଇ ମାଲିକାନାରେ ଥିବା ସମ୍ପତ୍ତିସବୁକୁ ଅନ୍ତର୍ଭୁକ୍ତ କରି ନ ଥିବେ।
ଅବଶ୍ୟ ସ୍ବାଧୀନତା ପରର ଚାରି ଦଶନ୍ଧି ଧରି ମୁଖ୍ୟତଃ ରାହୁଳ ଗାନ୍ଧୀଙ୍କ ପ୍ରପିତାମହ ଓ ପିତାମହୀଙ୍କ ନେତୃତ୍ବରେ ଭାରତ ଏକ ଆଂଶିକ ସମାଜବାଦୀ ପଥ ଅନୁସରଣ କରିଚାଲିଥିଲା, ଯାହା ଭାରତୀୟ ଅର୍ଥନୀତିକୁ ପୃଥିବୀର ମନ୍ଥରତମ ଅଭିବୃଦ୍ଧି ଯନ୍ତାରେ ଆବଦ୍ଧ କରି ରଖିଥିଲା (କୁଖ୍ୟାତ ‘ହିନ୍ଦୁ ଅଭିବୃଦ୍ଧି ହାର’)। ସଂଯୋଗକ୍ରମେ ସେଇ ୧୯୯୧ରେ ହିଁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରସିଂହ ରାଓ ବ୍ୟାପକ ସଂସ୍କାର ମାଧ୍ୟମରେ ଅର୍ଥନୀତିକୁ ଏକ ଉଦାର ପୁଞ୍ଜିବାଦୀ ଗୁଳାରେ ପକାଇବା ପରେ ଏଥିରେ କ୍ରମଶଃ ଉନ୍ନତି ଘଟି ଅାଜି ଭାରତ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି। ଦାର୍ଶନିକ ଜନ୍ ରଲ୍ସ କହିଥିବା ଭଳି ଉଦାରପନ୍ଥୀ ସ୍ବାଧୀନତା ଓ ସମାନତା କେବେହେଲେ ଏକତ୍ର ବାସ କରିପାରିବେ ନାହିଁ; କାରଣ ସ୍ବାଧୀନତା ଉପଲବ୍ଧ ହେଲେ ସମାଜର ଯୋଗ୍ୟତର ସଦସ୍ୟମାନେ ତାହାକୁ ବ୍ୟବହାର କରି ନିଜର ଅଧିକ ଉନ୍ନତି ସାଧନ କରିବେ। କିନ୍ତୁ ଏଭଳି ସମାଜରେ ଯେହେତୁ ଦେଶର ସାମଗ୍ରିକ ଆୟରେ ବିଶେଷ ବୃଦ୍ଧି ଘଟିବ, ସମାଜର ପ୍ରାୟ ପ୍ରତ୍ୟେକ ସଦସ୍ୟ ଏହାଦ୍ବାରା ଊଣାଅଧିକେ ଲାଭବାନ ହେବେ ଏବଂ ସରକାର ତା’ର କିୟଦଂଶ ବ୍ୟବହାର କରି ପଛରେ ପଡ଼ିଯାଇଥିବା ସଦସ୍ୟମାନଙ୍କୁ ସହାୟତା ପ୍ରଦାନ କରିପାରିବେ। ପୂର୍ବର ‘ଉପା’ ସରକାର ଓ ବର୍ତ୍ତମାନର ‘ଏନ୍ଡିଏ’ ସରକାର ଠିକ୍ ତାହା ହିଁ କରିବା ଦେଖାଯାଇଛି।
ଅର୍ଥନୈତିକ ବୈଷମ୍ୟ ଉଦ୍ୟୋଗୀମାନଙ୍କ ପାଇଁ ପ୍ରୋତ୍ସାହନ ସ୍ବରୂପ କାର୍ଯ୍ୟ କରିଥାଏ। ବୈଷମ୍ୟ ଉତ୍କଟ ହେଲେ ସରକାର ବିଭିନ୍ନ ଉପାୟେର ତାହାକୁ ସଂଯତ କରିପାରିବେ, ଯେମିତି ପ୍ରୋତ୍ସାହନ ବାଧା ପାଇବ ନାହିଁ ଏବଂ ବର୍ଦ୍ଧିଷ୍ଣୁ ଅର୍ଥନୀତି ରୂପକ ସୁନା ଅଣ୍ଡା ଦେଉଥିବା କୁକୁଡ଼ାଟି ସୁରକ୍ଷିତ ରହି ଅଣ୍ଡା ଦେଇ ଚାଲିଥିବ। କିନ୍ତୁ କଳେବଳେ କୌଶଳେ କ୍ଷମତା ଫେରିପାଇବା ପାଇଁ ରାହୁଳ ଗାନ୍ଧୀ କିମ୍ବା ସାମ୍ ପିଟ୍ରୋଡ଼ା ଯେଉଁଭଳି ଦେଶରେ ସମ୍ପତ୍ତିର ପୁନର୍ବଣ୍ଟନ ନିମିତ୍ତ ଆହ୍ବାନ ଦେଉଛନ୍ତି, ତାହା ହେଉଛି ଆଶୁ ଲାଭ ଆଶାରେ ସେ କୁକୁଡ଼ାଟିକୁ ମାରିଦେବା ଭଳି। ଏଭଳି ନୀତିର ଅନ୍ତିମ ପରିଣତି ହେବ କେବଳ ଦାରିଦ୍ର୍ୟର ପୁନର୍ବଣ୍ଟନ। ଅବଶ୍ୟ ପାରମ୍ପରିକ ଭାବରେ ଉତ୍ତରାଧିକାର ବୈଷମ୍ୟର ଅସଲ ଲାଭାର୍ଥୀ ହୋଇଥିବା ଏହି ନେତାମାନଙ୍କୁ ସେଇ ଦାରିଦ୍ର୍ୟ କେବେହେଲେ ସ୍ପର୍ଶ କରିବ ନାହିଁ।