ଇସ୍ରାଏଲ୍ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏବେ ସୁଦ୍ଧା ୮୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି ବୋଲି କୁହାଯାଉଛି। ଇସ୍ରାଏଲୀ ବୋମା ମାଡ଼ରେ ଗାଜା ଏକ ଧ୍ବଂସ ସ୍ତୂପରେ ପରିଣତ ହେବାରେ ଲାଗିଛି। ଏହି ଯୁଦ୍ଧର ଅବସାନ କେବେ ଘଟିବ, ତାହା କହିବା ମଧ୍ୟ ଏକ ମୁସ୍କିଲ ବ୍ୟାପାର। ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲି ଆସିଥିବା ସଂଘର୍ଷକୁ ପୃଥିବୀ ଇତିହାସରେ ଦୀର୍ଘତମ ବୋଲି କୁହାଯାଇଥାଏ। ବିଂଶ ଶତାବ୍ଦୀର ଆଦ୍ୟ ଭାଗରୁ ଏହାର ଆରମ୍ଭ ହୋଇଛି। ଉପନିବେଶବାଦୀ ବ୍ରିଟିସମାନେ ଏହାର ସମାଧାନ କରିବା ପରିବର୍ତ୍ତେ ଏହାକୁ ପ୍ରାୟ ଚିରନ୍ତନ କରି ରଖିବାରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି।
ପ୍ରକାଶ ଥାଉ କି ପ୍ରଥମ ବିଶ୍ବଯୁଦ୍ଧ ପର ଠାରୁ ୟୁରୋପୀୟ ଦେଶମାନଙ୍କରେ ହେଉଥିବା ଇହୁଦୀ ବିରୋଧୀ ବା ‘ଆଣ୍ଟି ସେମିଟିକ୍’ ନିର୍ଯାତନା ସହ୍ୟ କରି ନ ପାରି ଅନେକ ଇହୁଦୀ ଆସି ସେମାନଙ୍କ ଶାସ୍ତ୍ର ବର୍ଣ୍ଣିତ ପବିତ୍ର ସ୍ଥାନ ଜେରୁଜେଲମ ବା ତା’ର ଆଖପାଖ ଅଞ୍ଚଳରେ ବସବାସ କରିବା ଆରମ୍ଭ କରିଥିଲେ। ସେତେବେଳେ ତାହା ପାଲେଷ୍ଟାଇନର ଅଂଶ ଥିଲା ଏବଂ ପାଲେଷ୍ଟାଇନ ବ୍ରିଟେନ ଶାସନାଧୀନ ଥିଲା। ଏହି ଆଗନ୍ତୁକ ଇହୁଦୀମାନଙ୍କ ସହିତ ସ୍ଥାନୀୟ ପାଲେଷ୍ଟିନୀୟ ବା ଆରବମାନଙ୍କ ବାରମ୍ବାର ସଂଘର୍ଷ ଘଟିଲା। ଆଜିକୁ ୧୦୬ ବର୍ଷ ପୂର୍ବେ ଅର୍ଥାତ୍ ୧୯୧୭ ମସିହାରେ ବ୍ରିଟିସମାନେ ପାଲେଷ୍ଟାଇନରେ ଇହୁଦୀମାନଙ୍କ ସକାଶେ ଏକ ରାଜ୍ୟ ଗଠନର ଘୋଷଣା କଲେ। ଏହା ବିବାଦକୁ ଅଧିକ ତୀବ୍ର କଲା। ୧୯୨୩ ମସିହାରୁ ୧୯୪୮ ମସିହା ମଧ୍ୟରେ ହଜାର ହଜାର ସଂଖ୍ୟକ ଇହୁଦୀ ପାଲେଷ୍ଟାଇନ ଅଞ୍ଚଳରେ ବସବାସ କରିବା ଆରମ୍ଭ କରି ଦେଇଥିଲେ। ୧୯୪୭ରେ ସେମାନଙ୍କ ସଂଖ୍ୟା ପାଲେଷ୍ଟିନୀୟଙ୍କ ସଂଖ୍ୟାର ୩୩ ଭାଗ ହୋଇଯାଇଥିଲା।
ସ୍ଥାନୀୟ ଆରବମାନଙ୍କ ବିରୋଧ ହେତୁ ଯେଉଁ ସଂଘର୍ଷ ଆରମ୍ଭ ହେଲା, ତହିଁରେ ବ୍ରିଟିସ ଶାସକ ଆରବମାନଙ୍କୁ ଦୃଢ଼ ହସ୍ତରେ ଦମନ କଲେ। ଇତିହାସରୁ ଜଣା ପଡ଼େ ଯେ ସେତେବେଳେ ୫୦୦ରୁ ଅଧିକ ଆରବ ସହର ଓ ଗାଁକୁ ମାଟିରେ ମିଶାଇ ଦିଆ ଯାଇଥିଲା; ୧୫ ହଜାର ପାଲେଷ୍ଟିନୀୟ ମୃତ୍ୟୁ ବରଣ କରିଥିଲେ; ପ୍ରାୟ ସାଢ଼େ ସାତ ଲକ୍ଷରୁ ଅଧିକ ନିଜ ଜନ୍ମମାଟି ଛାଡ଼ି ଲେବାନନ, ସିରିଆ, ଜର୍ଡାନ ଓ ଇଜିପ୍ଟକୁ ଶରଣାର୍ଥୀ ଭାବେ ପଳାୟନ କରିଥିଲେ।
ଦ୍ବିତୀୟ ବିଶ୍ବଯୁଦ୍ଧର ଅବସାନ ପରେ ସ୍ଥିତି ପୂରା ବଦଳିଗଲା। ସମଗ୍ର ପୃଥିବୀର ଅନୁକଂପା ଇହୁଦୀମାନଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଲା। କାରଣ ଜର୍ମାନି ଓ ପୋଲାଣ୍ଡରେ ହିଟଲର୍ ଦ୍ବାରା ପ୍ରାୟୋଜିତ ସୁବ୍ୟବସ୍ଥିତ ଇହୁଦୀ ମେଧ ପର୍ବରେ ପ୍ରାୟ ୬ କୋଟି ଇହୁଦୀ ମୃତ୍ୟୁବରଣ କରିଥିଲେ, ଯାହା ‘ହଲୋକଷ୍ଟ’ ଭାବେ କୁଖ୍ୟାତ। କହିବା ବାହୁଲ୍ୟ ଯେ ମାନବ ସ୍ମରଣରେ ଏଭଳି ଗଣହତ୍ୟାର ଚିତ୍ର ନ ଥିଲା। ସୁତରାଂ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପାଲେଷ୍ଟାଇନକୁ ଦୁଇ ଭାଗ କରି ଇସ୍ରାଏଲ ଗଠନ କରିବାକୁ ବ୍ରିଟେନର ପରାମର୍ଶ ଜାତିସଂଘେର ଖୁବ୍ ସହଜରେ ଗୃହୀତ ହୋଇଗଲା। ସେମାନଙ୍କ ଇତିହାସରେ ପ୍ରଥମ ମାତୃଭୂମିଟିଏ ଲାଭ କରି ସାରା ପୃଥିବୀରୁ ଲକ୍ଷ ଲକ୍ଷ ଇହୁଦୀ ସେଠାକୁ ଛୁଟିବାକୁ ଲାଗିଲେ। ପାଲେଷ୍ଟିନୀୟ ବା ଆରବମାନେ ଏହାର ବିରୋଧ କରୁଥିବା ବେଳେ ବ୍ରିଟେନ ଏହି ଅଞ୍ଚଳ ପରିତ୍ୟାଗ କରି ଚାଲିଗଲା। ତାହା ପର ଠାରୁ ସଂପୃକ୍ତ ଅଞ୍ଚଳ ଏକ ଯୁଦ୍ଧ ଓ ବଧ ଭୂମିରେ ପରିଣତ ହୋଇଛି। ୧୯୪୭ରେ ପାଲେଷ୍ଟାଇନର ମାତ୍ର ୬ ଭାଗ ଅଞ୍ଚଳ ଦଖଲ କରିଥିବା ଇସ୍ରାଏଲ ଇତିମଧ୍ୟରେ ସମଗ୍ର ପାଲେଷ୍ଟାଇନକୁ ନିଜ ଅକ୍ତିଆରକୁ ଘେନି ଆଣିଛି। କ୍ଷୁଦ୍ର ଅଞ୍ଚଳ ଗାଜା ଓ ୱେଷ୍ଟ ବ୍ୟାଙ୍କରେ ପାଲେଷ୍ଟିନୀୟ ଆରବମାନେ ରହୁଛନ୍ତି।
ଅବଶ୍ୟ, ଏହାର ଅର୍ଥ ନୁହେଁ ଯେ ଏ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ ହୋଇନାହିଁ। ଆମେରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଅକ୍ଳାନ୍ତ ପରିଶ୍ରମ କରି ୧୯୯୩ ମସିହାରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ଲିବରେସନ ଅର୍ଗାନାଇଜେସନ୍ ବା ‘ପି.ଏଲ୍.ଓ.’ ମଧ୍ୟରେ ଶାନ୍ତି ଚୁକ୍ତି (ଅସଲୋ ଚୁକ୍ତି) ସମ୍ଭବ କରାଇ ପାରିଥିଲେ। ଏହା ଫଳରେ ‘ପି.ଏଲ୍.ଓ.’ ହିଂସା ତ୍ୟାଗ କରିବାକୁ ଘୋଷଣା କରିଥିଲା। ଶରଣାର୍ଥୀ ଓ ସୀମା ବିବାଦର ଆପୋସ ସମାଧାନ ପାଇଁ ଉଭୟ ପକ୍ଷ ସଂକଳ୍ପ ନେଇଥିେଲ। ଏହି ବୁଝାମଣା କାର୍ଯ୍ୟକାରୀ ହୋଇଥିଲେ ସ୍ଥାୟୀ ଶାନ୍ତି ପାଇଁ ପଥ ପରିଷ୍କାର ହୋଇଥାନ୍ତା। କିନ୍ତୁ ଉଭୟ ପଟେ କଠୋରପନ୍ଥୀଙ୍କ ଆବିର୍ଭାବ ଘଟିଲା। ୧୯୯୫ ମସିହାରେ ଏହି ବୁଝାମଣାକୁ ବିରୋଧ କରୁଥିବା ପକ୍ଷ ହାତରେ ଚୁକ୍ତି ସ୍ବାକ୍ଷର କରିଥିବା ତତ୍କାଳୀନ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ରବିନ ନିହତ ହେଲେ। ପାଲେଷ୍ଟିନୀୟ ଉଗ୍ରବାଦୀ ସଂଗଠନ ହମାସ ମଧ୍ୟ ଚୁକ୍ତିକୁ ବିରୋଧ କରି ହିଂସାକୁ ଘନୀଭୂତ କରାଇଲା। ତଥାପି କ୍ଲିଣ୍ଟନ ଶାନ୍ତି ଫେରାଇ ଆଣିବା ସକାଶେ ଉଦ୍ୟମ ଜାରି ରଖିଥିଲେ। କିନ୍ତୁ ୨୦୦୧ ମସିହାରେ କ୍ଲିଣ୍ଟନଙ୍କ କାର୍ଯ୍ୟକାଳ ସମାପ୍ତ ହେବା ସହିତ ଶାନ୍ତି ସ୍ଥାପନର ଆଶାରେ ପୂର୍ଣ୍ଣଛେଦ ପଡ଼ିଗଲା।
ଏବେ ଇସ୍ରାଏଲ୍ ଏକ ଅତ୍ୟନ୍ତ ଶକ୍ତିଶାଳୀ ତଥା ସମୁନ୍ନତ ରାଷ୍ଟ୍ର। ଇସ୍ରାଏଲ ଗଠନର ପ୍ରାରମ୍ଭ କାଳରେ ତା’ ପ୍ରତି ଶତ୍ରୁତାପୂର୍ଣ୍ଣ ଭାବ ପୋଷଣ କରି ବାରମ୍ବାର ଯୁଦ୍ଧ କରିଥିବା ଇଜିପ୍ଟ, ଜର୍ଡାନ ଏବଂ ସାଉଦି ଆରବ ସଂପ୍ରତି ଇସ୍ରାଏଲ ସହିତ ବନ୍ଧୁତା ସୂତ୍ରରେ ଆବଦ୍ଧ ହେବାକୁ ଚାହାଁନ୍ତି। ୨୦୨୦ ମସିହାର ‘ଆବ୍ରାହାମ ଆକର୍ଡ’ ଏହାର ସାକ୍ଷୀ। େତଣୁ ଏବେ ଯେତେବେଳେ ଗାଜା ଉପରେ ଇସ୍ରାଏଲ୍ର ଘମାଘୋଟ ଆକ୍ରମଣ ଜାରି ରହିଛି, କୌଣସି ଆରବ ରାଷ୍ଟ୍ର ପ୍ରକାଶ୍ୟରେ ବା ଆନୁଷ୍ଠାନିକ ଭାବେ ତାହାର ବିରୋଧ କରୁ ନାହାନ୍ତିି। ନିଆଁକୁ ଶୀତଳ କରିବାକୁ ଜଳର ଆବଶ୍ୟକତା ଅଛି। କିନ୍ତୁ ଏହି କ୍ଷେତ୍ରେର ନିଆଁକୁ ନିଆଁ ମିଶିଯାଇ ଲେଲିହାନ ଶିଖା ସୃଷ୍ଟି କରିଛି। ହମାସ ବୁଝିବା ଦରକାର ଯେ ଇସ୍ରାଏଲ ଉପରେ ଆକ୍ରମଣ କେବଳ ଆତ୍ମଘାତୀ ହିଁ ହେବ ଯଦ୍ଦ୍ବାରା ପାଲେଷ୍ଟିନୀୟମାନେ ନିପାତ ହେବା କେବଳ ସାର ହେବ। ଇସ୍ରାଏଲୀମାନେ ମଧ୍ୟ ବୁଝିବା ଦରକାର ଯେ ଯେଉଁ ‘ହଲୋକୋଷ୍ଟ’ର ଦାରୁଣ ବିଭୀଷିକା ସେମାନେ ଦେଖିଛନ୍ତି, ସେମିତି ଏକ ‘ହଲୋକଷ୍ଟ’ ସେମାନଙ୍କ ହାତରେ ପାଲେଷ୍ଟିନୀୟଙ୍କ ଗଣ ହତ୍ୟା ଦେଇ ସୃଷ୍ଟି ନ ହେଉ।
ମଧ୍ୟପ୍ରାଚ୍ୟର ବଧ ଭୂମି
ମହମ୍ମଦ ହିଫଜୁର ରହେମାନ୍
/sambad/media/post_attachments/wp-content/uploads/2023/11/sfhfsfhssffshsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)