ଭାରତୀୟମାନଙ୍କର ସଂଯତ ଜୀବନଶୈଳୀର ଏକ ସୂଚକ ସ୍ବରୂପ ଏଠାରେ ମୁଣ୍ଡ ପିଛା ଶକ୍ତି ବ୍ୟବହାର ପରିମାଣ ହେଉଛି ବିଶ୍ବ ହାରାହାରିର ପ୍ରାୟ ଏକ-ତୃତୀୟାଂଶ। ଅନ୍ୟ ଏକ ଉଦାହରଣ ସ୍ବରୂପ ଏଠାରେ ମୁଣ୍ଡପିଛା ଅଙ୍ଗାର ନିର୍ଗମନ ପରିମାଣ ହେଉଛି ବିଶ୍ବ ହାରାହାରିର ପ୍ରାୟ ୪୦ ଶତାଂଶ। ଅବଶ୍ୟ ବିଶ୍ବ ହାରାହାରି ଏପରି ଉଚ୍ଚ ହେବା ପାଇଁ ଦାୟୀ ହେଉଛି ପୃଥିବୀର ଧନୀ ଦେଶମାନଙ୍କରେ ଅନୁସୃତ ଅସଂଯତ ଜୀବନଶୈଳୀ।
ମନେ କରାଯାଉ ଏକ ପରିବାର ସାରା ବର୍ଷକରେ ଯେତିକି ଆୟ କରିବ, ତା’ର ସଦସ୍ୟମାନେ ମିଶି ସାତ ମାସ ମଧ୍ୟରେ କରିଥିବା ଖର୍ଚ୍ଚ ହେଉଛି ତାହା ସହିତ ସମାନ। ବର୍ଷର ବାକି ପାଞ୍ଚ ମାସରେ ସେ ପରିବାର ଚଳିବ କେମିତି? ଏହାର ଉତ୍ତର ହେଉଛି ସଞ୍ଚିତ ପୁଞ୍ଜିର କିୟଦଂଶ ଖର୍ଚ୍ଚ କରି (କିମ୍ବା ଯାହା ହେଉଛି ଏକା କଥା, ଋଣ କରି) ସେ ପରିବାର ବର୍ଷ ଶେଷ ହେବା ପର୍ଯ୍ୟନ୍ତ ନିଜର ଆବଶ୍ୟକତା ମେଣ୍ଟାଇ ଚାଲିବ।
ସାରା ପୃଥିବୀର ଜନସମାଜକୁ ଯଦି ଏକ ପରିବାର ରୂପେ ବିଚାର କରାଯାଏ, ତେବେ ଅଗଷ୍ଟ ୨ ତାରିଖ ବୁଧବାର ଦିନ ଏହି ପରିବାର ଠିକ୍ ଏଇଭଳି ଏକ ଅବସ୍ଥାରେ ପହଞ୍ଚିଛି; ସାଗରରୁ ବାୟୁମଣ୍ଡଳ ପର୍ଯ୍ୟନ୍ତ, ଭୂଗର୍ଭରୁ ଅରଣ୍ୟ ପର୍ଯ୍ୟନ୍ତ- ପୃଥିବୀର ସମଗ୍ର ପରିବେଶ ଅନ୍ତର୍ଗତ ସମସ୍ତ ବ୍ୟବସ୍ଥାମାନ (‘ଇେକାସିଷ୍ଟମ୍ସ’) ଚଳିତ ବର୍ଷ ଯେତିକି ମୋଟ ଆୟ ଅର୍ଜନ କରିବେ, ଅର୍ଥାତ୍ ଯେତିକି ନୂତନ ସମ୍ବଳ ଉତ୍ପନ୍ନ କରିବେ, ପୃଥିବୀର ଲୋକମାନେ ଅଗଷ୍ଟ ୨ ତାରିଖ ସୁଦ୍ଧା ତାହା ଖର୍ଚ୍ଚ କରି ସାରି ଦେଇଛନ୍ତି। ବର୍ତ୍ତମାନ ଠାରୁ ୨୦୨୪ ଜାନୁଆରି ପହିଲା ପର୍ଯ୍ୟନ୍ତ ମନୁଷ୍ୟ ସମାଜକୁ ତେଣୁ ଏକ ନିଅଣ୍ଟିଆ ପ୍ରାକୃତିକ ସମ୍ବଳ ବଜେଟ୍ରେ ଚଳିବାକୁ ପଡ଼ିବ, ଯାହା ହେଉଛି ଠାକୁର ଖାଇ ଖଟୁଳି ଖାଇବା ଭଳି। ଏହି କ୍ଷୟିଷ୍ଣୁ ସମ୍ବଳରେ ଅନ୍ତର୍ଭୁକ୍ତ ପୃଥିବୀର ମତ୍ସ୍ୟ ଭଣ୍ଡାରରୁ ଆରମ୍ଭ କରି ଉଦ୍ଭିଦଜ ତନ୍ତୁ ଓ ଔଷଧ ତଥା ଅନ୍ୟାନ୍ୟ ଅନେକ ଅନୁରୂପ ପ୍ରକୃତି ସୃଷ୍ଟ ସମ୍ବଳମାନ। ଏଥିରେ ମଧ୍ୟ ଅନ୍ତର୍ଭୁକ୍ତ ପୃଥିବୀର ଅରଣ୍ୟମାନଙ୍କ ଦ୍ବାରା ସଂଘଟିତ ହେଉଥିବା ବିପୁଳ ପରିମାଣର ଅଙ୍ଗାର ଶୋଷଣ, ଯାହା ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ।
ଏକ ପରିବାରର ଖର୍ଚ୍ଚ ସେହି ପରିବାରର ସଦସ୍ୟମାନଙ୍କର ମିଳିତ ବ୍ୟୟକୁ ବୁଝାଇଥାଏ। ଏ ସଦସ୍ୟମାନଙ୍କର ଖର୍ଚ୍ଚ-ଆଚରଣ କିନ୍ତୁ ଏକା ଭଳି ହୋଇନଥାଏ; କିଏ ମିତବ୍ୟୟୀ ହୋଇଥାଏ ତ କିଏ ବଦ୍ଖର୍ଚ୍ଚୀ ହୋଇଥାଏ। ଯଦି ପରିବାରର ମିତବ୍ୟୟୀ ସଦସ୍ୟଙ୍କୁ ଅନ୍ୟ ସମସ୍ତ ସଦସ୍ୟମାନେ ଅନୁକରଣ କରନ୍ତି, ତାହେଲେ ବଜେଟ୍ ନିଅଣ୍ଟିଆ ନ ହୋଇ ବଳକା ହୋଇଥାଏ; ଯଦି ବଦ୍ଖର୍ଚ୍ଚୀ ସଦସ୍ୟଙ୍କୁ ସମସ୍ତେ ଅନୁକରଣ କରନ୍ତି, ତା’ହେଲେ ବଜେଟ୍ ନିଅଣ୍ଟିଆ ହେବାକୁ ବାଧ୍ୟ ହୋଇଥାଏ। ପୃଥିବୀର ଦେଶମାନ ହେଉଛନ୍ତି ବିଶ୍ବ ପରିବାରର ସଦସ୍ୟଗଣ। ସେମାନଙ୍କର ପ୍ରାକୃତିକ ସମ୍ବଳ ଖର୍ଚ୍ଚ-ଆଚରଣ ଅନୁରୂପ ଭାବରେ ଏକାଭଳି ନ ହୋଇ ଭିନ୍ନ ଭିନ୍ନ ହେବା ଦେଖାଯାଇଥାଏ। ଏଭଳି ସ୍ଥିତିି ଉପରେ ନଜର ରଖିଥିବା ଆନ୍ତର୍ଜାତିକ ସଂସ୍ଥା ‘ଗ୍ଲୋବାଲ ଫୁଟ୍ପ୍ରିଣ୍ଟ ନେଟ୍ୱର୍କ’ ବା ‘ଜି.ଏଫ୍.ଏନ୍.’ ଦ୍ବାରା ଉପରଲିଖିତ ଅଗଷ୍ଟ ୨ ତାରିଖକୁ ୨୦୨୩ ବର୍ଷ ପାଇଁ ‘ଆର୍ଥ ଓଭର୍ସୁଟ୍ ଡେ’ ବା ‘ଧରିତ୍ରୀ ଅତିକ୍ରମ ଦିବସ’ ରୂପେ ଅଭିହିତ କରାଯାଇଛି, ଯାହା ସାରା ବିଶ୍ବ ପରିବାର ପ୍ରତି ପ୍ରଯୁଜ୍ୟ। କିନ୍ତୁ ପୂର୍ବରୁ କୁହାଯାଇଥିବା ଭଳି ଯଦି ସାରା ବିଶ୍ବ ପରିବାର କୌଣସି ଏକ ନିର୍ଦ୍ଦିଷ୍ଟ ଦେଶର ଆଚରଣକୁ ଅନୁକରଣ କରନ୍ତା, ତା’ହେଲେ ସେଇ ଦେଶର ସମ୍ବଳ ଖର୍ଚ୍ଚ ଚରିତ୍ର ଅନୁସାରେ ଏହି ‘ଓଭର୍ସୁଟ୍ ଡେ’ର ତାରିଖ ଆଗକୁ କିମ୍ବା ପଛକୁ ଘୁଞ୍ଚି ଯାଆନ୍ତା।
ବାସ୍ତବରେ ଯାହା ଦେଖାଯାଇଛି, ୧୯୭୧ରେ ସମ୍ବଳ ବ୍ୟବହାର ହିସାବ ଭିତ୍ତିରେ ସର୍ବପ୍ରଥମ ‘ଆର୍ଥ ଓଭର୍ସୁଟ୍ ଡେ’ ନିର୍ଣ୍ଣୟ କରାଯିବା ପରଠାରୁ ବିଶ୍ବବାସୀମାନେ ଅଧିକରୁ ଅଧିକ ବଦ୍ଖର୍ଚ୍ଚୀ ହେବାରେ ଲାଗିଛନ୍ତି। ସେଇ ଆରମ୍ଭ ବର୍ଷରେ ‘ଆର୍ଥ ଓଭର୍ସୁଟ୍ ଡେ’ ପଡ଼ିଥିଲା ୨୮ ଡିସେମ୍ବରରେ, ବର୍ଷ ପୂରଣ ହେବାର ମାତ୍ର ତିନିଦିନ ପୂର୍ବରୁ। ଅର୍ଥାତ୍ ସେ ବର୍ଷ ବିଶ୍ବବାସୀ ଗୋଟିଏ ବର୍ଷର ‘ଇକୋସିଷ୍ଟମ୍ସ’ ଆୟରେ ପାଖାପାଖି ଗୋଟିଏ ପୂରା ବର୍ଷ ଚଳି ଯାଇଥିଲେ। ଅନ୍ୟ ପ୍ରକାରେ କହିଲେ ସେ ବର୍ଷ ପୃଥିବୀର ‘ଇକୋସିଷ୍ଟମ୍ସ’ ବଜେଟ୍ ଏକ ସନ୍ତୁଳିତ ବଜେଟ୍ ଥିଲା ବୋଲି କୁହାଯାଇପାରେ। ଯାହା କିନ୍ତୁ ଘୋର ଚିନ୍ତାର ବିଷୟ, ସେଇ ୧୯୭୧ ଠାରୁ ପ୍ରାୟ ପ୍ରତିବର୍ଷ ଏହି ‘ଆର୍ଥ ଓଭର୍ସୁଟ୍ ଡେ’ର ତାରିଖ ନିୟମିତ ଭାବରେ ପୂର୍ବ ବର୍ଷ ତୁଳନାରେ ଆଉ ଟିକିଏ ଆଗରୁ ପଡ଼ିବାରେ ଲାଗିଛି। ଅର୍ଥାତ୍ ବିଶ୍ବବାସୀଙ୍କ ପାଇଁ ପ୍ରତି ବର୍ଷ ନିଅଣ୍ଟିଆ ବଜେଟ୍ ସମୟର ଅବଧି ବୃଦ୍ଧି ପାଇବାରେ ଲାଗିଛି। ଏଇ ଧାରା ଯଦି ଅବ୍ୟାହତ ରହେ, ଅନିବାର୍ଯ୍ୟ ଭାବରେ ଏକ ସମୟ ଆସିବ ଯେତେବେଳେ ପୃଥିବୀ ପୃଷ୍ଠରେ ମାନବ ସମାଜ ସମ୍ପୂର୍ଣ୍ଣ ଦେବାଳିଆ ହୋଇ ବିଲୟର ସମ୍ମୁଖୀନ ହେବ।
ତେବେ ପୂର୍ବରୁ କୁହାଯାଇଥିବା ଭଳି ପ୍ରାକୃତିକ ସମ୍ବଳ ବ୍ୟବହାରରେ ପରିଦୃଷ୍ଟ ଏହି ସଂଯମହୀନତାର ମାତ୍ରା ବିଭିନ୍ନ ଦେଶମାନଙ୍କ ପାଇଁ ସମାନ ହୋଇ ନଥାଏ। ଏପରି କେତେକ ଦେଶ ଅଛନ୍ତି, ଯଦି ସାରା ପୃଥିବୀର ଲୋକମାନେ ସେଇ ଦେଶର ଲୋକମାନଙ୍କର ଜୀବନଶୈଳୀ ଅନୁସରଣ କରନ୍ତି, ତେବେ ମାସ କେଇଟାରେ ସେ ବର୍ଷର ସମସ୍ତ ‘ଇକୋସିଷ୍ଟମ୍ସ’ ସୃଷ୍ଟ ଆୟ ନିଃଶେଷ ହୋଇଯାଆନ୍ତା; ଆଉ କେତେକ ଦେଶ ଅଛନ୍ତି ଯେଉଁମାନଙ୍କୁ ଅନୁସରଣ କଲେ ସେ ବର୍ଷର ଆୟ ବ୍ୟୟ ପ୍ରାୟ ସମାନ ହୁଅନ୍ତା; ଆଉ ମଧ୍ୟ ଏପରି କେତେକ ଦେଶ ଅଛନ୍ତି, ଯେଉଁମାନଙ୍କୁ ଅନୁସରଣ କଲେ ବାର୍ଷିକ ବ୍ୟୟ ଠାରୁ ବାର୍ଷିକ ଆୟ ଅଧିକ ହେବା ଫଳରେ ପୃଥିବୀରେ ‘ଆର୍ଥ ଓଭର୍ସୁଟ୍ ଡେ’ର କେବେହେଲେ ଆବିର୍ଭାବ ଘଟନ୍ତା ନାହିଁ।
ଏହି ତିନି ପ୍ରକାର ସମ୍ଭାବନା ପାଇଁ ନିମ୍ନୋକ୍ତ ତିନୋଟି ଉଦାହରଣ ଉପେର ଦୃଷ୍ଟି ନିକ୍ଷେପ କରାଯାଇପାରେ। ଯଦି ଉପସାଗରୀୟ ଧନୀ ରାଷ୍ଟ୍ର କାତାର୍ ସମଗ୍ର ପୃଥିବୀବାସୀଙ୍କର ଆଦର୍ଶ ହୁଅନ୍ତା, ତେବେ ୨୦୨୩ ଫେବ୍ରୁଆରି ୧୦ ହୋଇଥାନ୍ତା ‘ଆର୍ଥ ଓଭରସୁଟ୍ ଡେ’; ଯଦି େୱଷ୍ଟଇଣ୍ଡିଜ୍ର ଜାମାଇକା ହୁଅନ୍ତା ଆଦର୍ଶ ତେବେ ଏହି ତାରିଖ ହୁଅନ୍ତା ଡିସେମ୍ବର ୨୦; ଆଉ ଯଦି ଭାରତକୁ ବିଶ୍ବବାସୀ ଆଦର୍ଶ ରୂପେ ଅନୁସରଣ କରୁଥାନ୍ତେ, ତେବେ ପୃଥିବୀର ‘ଇକୋସିଷ୍ଟମ୍ସ’ ବଜେଟ୍ ହୁଅନ୍ତା ଏକ ବଳକା ବଜେଟ୍, ଏଣୁ କ୍ୟାଲେଣ୍ଡର୍ରେ ‘ଆର୍ଥ ଓଭର୍ସୁଟ୍ ଡେ’ର ଉପସ୍ଥିତି ଦେଖିବାକୁ ମିଳନ୍ତା ନାହିଁ। ଏହା ବ୍ୟତୀତ ଆମେରିକାକୁ ଅନୁସରଣ କଲେ ଏହି ତାରିଖ ହୁଅନ୍ତା ମାର୍ଚ୍ଚ ୧୩, ଜାପାନ୍ ପାଇଁ ମଇ ୬, ବ୍ରିଟେନ୍ ପାଇଁ ମଇ ୧୯, ଚୀନ୍ ପାଇଁ ଜୁନ୍ ୨ ଇତ୍ୟାଦି।
ଅନ୍ୟ ପ୍ରକାରେ କହିଲେ, ଯଦି ପୃଥିବୀର ପ୍ରତ୍ୟେକ ଲୋକ ଜଣେ ଆମେରିକୀୟର ଜୀବନଶୈଳୀ ଅବଲମ୍ବନ କରେ, ତେବେ ସେମାନଙ୍କର ଆବଶ୍ୟକତା ପୂରଣ କରିବା ନିମିତ୍ତ ପାଞ୍ଚଗୋଟି ପୃଥିବୀ ଭଳି ଗ୍ରହ ଆବଶ୍ୟକ ହେବେ; ଅଷ୍ଟ୍ରେଲୀୟ ଜୀବନଶୈଳୀ ପାଇଁ ୪ଟିରୁ ସାମାନ୍ୟ ଅଧିକ ଓ ଚୀନା ଜୀବନଶୈଳୀ ପାଇଁ ୨.୨ଟି ପୃଥିବୀ ଆବଶ୍ୟକ ହେବେ। ଏପରି ସ୍ଥଳେ ଯଦି ପୃଥିବୀର ପ୍ରତ୍ୟେକ ଲୋକ ଜଣେ ଭାରତୀୟର ହାରାହାରି ଜୀବନଶୈଳୀ ଅନୁସରଣ କରେ, ତେବେ ତାହା ସମ୍ଭବ ହେବା ପାଇଁ ଆବଶ୍ୟକ ହେବ ମାତ୍ର ୦.୭ଟି ପୃଥିବୀ ଅର୍ଥାତ୍ ଗୋଟିଏ ପୃଥିବୀରୁ ମଧ୍ୟ ପ୍ରାୟ ଏକ-ତୃତୀୟାଂଶ କମ୍। ଅର୍ଥାତ୍, ଯଦି ପୃଥିବୀର ପ୍ରତ୍ୟେକ ଅଧିବାସୀର ଜୀବନଶୈଳୀ ଭାରତୀୟ ଜୀବନଶୈଳୀ ଢାଞ୍ଚାକୁ ଅନୁକରଣ କରନ୍ତା, ତା’ହେଲେ ଏଇ ଗୋଟିଏ ପୃଥିବୀରେ ବର୍ତ୍ତମାନ ଯେତିକି ଲୋକ ବାସ କରୁଛନ୍ତି, ତା’ଠାରୁ ଆହୁରି ଏକ-ତୃତୀୟାଂଶ ଅଧିକ ଲୋକ ଏଇ ଗ୍ରହରେ ବସବାସ କରିବା ପାଇଁ ମଧ୍ୟ ଯଥେଷ୍ଟ ସ୍ଥାନ ଅଛି।
ଭାରତୀୟମାନଙ୍କର ସଂଯତ ଜୀବନଶୈଳୀର ଏକ ସୂଚକ ସ୍ବରୂପ ଏଠାରେ ମୁଣ୍ଡ ପିଛା ଶକ୍ତି ବ୍ୟବହାର ପରିମାଣ ହେଉଛି ବିଶ୍ବ ହାରାହାରିର ପ୍ରାୟ ଏକ-ତୃତୀୟାଂଶ। ଅନ୍ୟ ଏକ ଉଦାହରଣ ସ୍ବରୂପ ଏଠାରେ ମୁଣ୍ଡପିଛା ଅଙ୍ଗାର ନିର୍ଗମନ ପରିମାଣ ହେଉଛି ବିଶ୍ବ ହାରାହାରିର ପ୍ରାୟ ୪୦ ଶତାଂଶ। ଅବଶ୍ୟ ବିଶ୍ବ ହାରାହାରି ଏପରି ଉଚ୍ଚ ହେବା ପାଇଁ ଦାୟୀ ହେଉଛି ପୃଥିବୀର ଧନୀ ଦେଶମାନଙ୍କରେ ଅନୁସୃତ ଅସଂଯତ ଜୀବନଶୈଳୀ। ଗତ ବର୍ଷ ‘ଲାନ୍ସେଟ୍ ପ୍ଲାନେଟାରୀ ହେଲ୍ଥ’ ନାମକ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ଲବ୍ଧ ରିପୋର୍ଟ ଅନୁସାରେ ପୃଥିବୀର ପ୍ରାକୃତିକ ସମ୍ବଳର ଅତିରିକ୍ତ ବ୍ୟବହାରର ୨୭ ଶତାଂଶ ପାଇଁ ଆମେରିକା ଦାୟୀ ହୋଇଥିବା ବେଳେ, ୨୫ ଶତଂାଶ ପାଇଁ ଦାୟୀ ହେଉଛି ‘ଇଉରୋପୀୟ ୟୁନିଅନ୍’। ଏହାର ମାତ୍ର ୮ ଶତାଂଶ ପାଇଁ ଦାୟୀ ହେଉଛନ୍ତି ଭାରତ ସମେତ ପୃଥିବୀର ସମସ୍ତ ବିକାଶଶୀଳ ଦେଶମାନେ ମିଶି।
ତେବେ ଏଠାରେ ଉଲ୍ଲେଖ ପ୍ରୟୋଜନ ଯେ ଏ ବାବଦରେ ଭାରତର ଆଚରଣ ଆଦର୍ଶ ସ୍ଥାନୀୟ ମନେ ହେଉଥିଲେ ହେଁ ଅଭାବର ବାଧ୍ୟବାଧକତା ଅନେକାଂଶରେ ଭାରତୀୟମାନଙ୍କୁ ଏପରି ସଂଯମୀ କରିଛି। ଆଶା କରାଯାଏ ଭାରତ ଏକ ବିକଶିତ ରାଷ୍ଟ୍ରେର ପରିଣତ ହେବା ପରେ ମଧ୍ୟ ଭାରତୀୟମାନେ ସେମାନଙ୍କର ଜୀବନଶୈଳୀରେ ଏଇଭଳି ସଂଯମ ପ୍ରଦର୍ଶନ କରି ଚାଲି ଭାରତକୁ ପୃଥିବୀ ପରିବାରର ଆଦର୍ଶ ସଦସ୍ୟ ରୂପେ ସୁପ୍ରତିଷ୍ଠିତ କରିବେ।